ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରେଭେରେଣ୍ଡ ଡଃ ଯୋସେଫ ମାର୍‌ ଥୋମା ମେଟ୍ରୋପଲିଟାନଙ୍କ 90 ତମ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

Posted On: 27 JUN 2020 11:58AM by PIB Bhubaneshwar

ମାନନୀୟ ରେଭେରେଣ୍ଡ ଡଃ ଯୋସେଫ ମାର୍‌ ଥୋମା ମେଟ୍ରୋପଲିଟାନ, ପୂଜ୍ୟ ଫାଦରଗଣ ଓ ମାର୍‌ ଥୋମା ଚର୍ଚ୍ଚର ସମ୍ମାନନୀୟ ସଦସ୍ୟଗଣ ।

ଏହି ମହାନ୍‌ ସମାବେଶରେ ଉଦ୍‌ବୋଧନ ଦେବା ମୋ ପାଇଁ ଏକ ବଡ଼ ସୁଯୋଗ । ଆମେ ଏଠାରେ ପୂଜ୍ୟ ଡଃ ଯୋସେଫ ମାର୍‌ ଥୋମାଙ୍କ 90ତମ ଜୟନ୍ତୀ ପାଳନ କରିବାକୁ  ସମବେତ । ମୁଁ ତାଙ୍କୁ ମୋର ଅଭିନନ୍ଦନ ଜ୍ଞାପନ କରିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରୁଛି । ଡଃ ଯୋସେଫ ମାର୍‌ ଥୋମା ଆମ ସମାଜ ଓ ରାଷ୍ଟ୍ରର କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଦାରିଦ୍ର୍ୟ ଦୂରୀକରଣ ଓ ମହିଳା ସଶକ୍ତୀକରଣ ପାଇଁ ସେ ବିଶେଷ ଗୁରୁତ୍ୱ ଦେଇ କାର୍ଯ୍ୟ କରିଛନ୍ତି ।

ବନ୍ଧୁଗଣ,

ମାର୍‌ ଥୋମା ଚର୍ଚ୍ଚ, ସେଣ୍ଟ ଥୋମାସ୍‌ଙ୍କ ମହାନ୍‌ ଦର୍ଶନ ସହ ନିବିଡ଼ଭାବେ ଜଡିତ । ସେଣ୍ଟ ଥୋମାସ୍‌ ପ୍ରଭୁ ଯୀଶୁଙ୍କ ଦୂତ ଥିଲେ । ଭାରତ ସର୍ବଦା ବିଭିନ୍ନ ସୂତ୍ରରୁ ଆଧ୍ୟାତ୍ମିକ ପ୍ରଭାବ ଦ୍ୱାରା ପ୍ରଭାବିତ ହୋଇଆସିଛି । ସେଣ୍ଟ ଥୋମାସ୍‌ଙ୍କ ଅବଦାନ ଏବଂ ତାଙ୍କୁ ଅନୁସରଣ କରୁଥିବା ଭାରତୀୟ ଖ୍ରୀଷ୍ଟିଆନ ସମୁଦାୟଙ୍କ କାର୍ଯ୍ୟ ପ୍ରଶଂସନୀୟ । ସେଣ୍ଟ ଥୋମାସ୍‌ ଯଥାର୍ଥରେ କହିଥଲେ, ‘ବିନମ୍ରତା ଏକ ଗୁଣ ଓ ଏହା ସର୍ବଦା ମହତ୍‌ କାର୍ଯ୍ୟରେ ପ୍ରତିଫଳିତ ହୋଇଥାଏତେଣୁ ଏହି ବିନମ୍ରତାର ଭାବନା ନେଇ ମାର୍‌ ଥୋମା ଚର୍ଚ୍ଚ କାର୍ଯ୍ୟ କରିଆସୁଛି ଓ ଆମ ଦେଶବାସୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ଆଣିଛି । ସ୍ୱାସ୍ଥା୍ୟସେବା ଏବଂ ଶିକ୍ଷା କ୍ଷେତ୍ରରେ ଏହି ଚର୍ଚ୍ଚର ଅବଦାନ ପ୍ରଶଂସନୀୟ । ସେଣ୍ଟ ଥୋମାସ୍‌ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ମାର୍‌ ଥୋମା ଚର୍ଚ୍ଚ ସାମିଲ ହୋଇଥିଲା । ଜାତୀୟ ସଂହତି ରକ୍ଷା କ୍ଷେତ୍ରରେ ଏହା କାମ କରିଆସୁଛି । ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଏହି ଚର୍ଚ୍ଚ ମଧ୍ୟ ଲଢେଇ କରିଥିଲା । ଏହା ବେଶ୍‌ ଗର୍ବର ବିଷୟ ଯେ ମାର୍‌ ଥୋମା ଚର୍ଚ୍ଚ ଭାରତୀୟ ମୂଲ୍ୟବୋଧ ଉପରେ ଦୃଢଭାବେ ଦଣ୍ଡାୟମାନ । ଜାତୀୟସ୍ତରରେ ମଧ୍ୟ ଏହି ଚର୍ଚ୍ଚର ଅବଦାନ ସ୍ୱୀକୃତ । ମାର୍‌ ଥୋମା ଚର୍ଚ୍ଚ ପୂର୍ବତନ ମେଟ୍ରୋପଲିଟାନ ଫିଲିପୋଜ ମାର୍‌ କ୍ରିସୋସ୍ତମଙ୍କୁ 2018ରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା । ସେ ଅନେକଙ୍କ ପ୍ରେରଣାର ଉତ୍ସ ।

ବନ୍ଧୁଗଣ,

ସମଗ୍ର ବିଶ୍ୱ କରୋନା ମହାମାରୀ ବା କୋଭିଡ-19 ବିରୋଧରେ ଶକ୍ତିଶାଳୀ ଲଢେଇ ଲଢୁଛି । ଏହି ବ୍ୟାଧି କେବଳ ଆମ ଶାରୀରିକ ଅସୁସ୍ଥତା ଏବଂ ଲୋକଙ୍କ ଜୀବନ ପ୍ରତି ବିପଦ ମଧ୍ୟରେ ସୀମିତ ନାହିଁ । ଏହା ମଧ୍ୟ ଅସୁସ୍ଥ ଜୀବନ ଶୈଳୀ ପ୍ରତି ଆମକୁ ସଚେତନତା କରାଉଛି । ଏକ ବୈଶ୍ୱିକ ମହାମାରୀର ଅର୍ଥମିଳିତଭାବେ ଏଥିରେ ଆକ୍ରାନ୍ତ ସମଗ୍ର ମାନବ ଜାତି ଏଥିରୁ ମୁକ୍ତି ଚାହେଁ । ଏହି ପୃଥିବୀରେ ସଦ୍‌ଭାବନା ଓ ଆନନ୍ଦକୁ ଆହୁରି ବଢାଇବା ପାଇଁ ଆସନ୍ତୁ ଯାହା ସମ୍ଭବ ମିଳିମିଶି ତାହା କରିବା ।

ବନ୍ଧୁଗଣ,

ଆପଣମାନେ ଜାଣି ଖୁସୀ ହେବେ ଯେ ଆମ କରୋନା ଯୋଦ୍ଧାଙ୍କ ଶକ୍ତିବଳରେ ଭାରତ ଏହି ମହାମାରୀ ବିରୋଧରେ ଏକ ପ୍ରଭାବଶାଳୀ ଲଢେଇ ଜାରି ରଖିଛି । ଏ ବର୍ଷ ପ୍ରାରମ୍ଭରେ କିଛି ଲୋକଙ୍କର ଆଂଶକା ଥିଲା ଯେ ଭାରତ ଉପରେ ଏହି ମହାମାରୀର ପ୍ରଭାବ ଅତି ଭୟଙ୍କର ହେବ । ତେବେ ସରକାରଙ୍କ ଦ୍ୱାରା ଜାରି ଲକ୍‌ଡାଉନ ଏବଂ ଅନ୍ୟାନ୍ୟ ପଦକ୍ଷେପ ତଥା ଜନସାଧାରଣଙ୍କ ଦ୍ୱାରା ପରିଚାଳିତ ସଂଗ୍ରାମ ଯୋଗୁଁ ଏବେ ଭାରତ ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ବହୁତ ଭଲ ସ୍ଥିତିରେ ଅଛି । ଭାରତରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢିବାରେ ଲାଗିଛି ।

କୋଭିଡ ହେଉ ବା ଅନ୍ୟ କୌଣସି କାରଣ, ଯେକୌଣସି ଜୀବନହାନି ଦୁର୍ଭାଗ୍ୟଜନକ । ତେବେ ସେ ଯାହାହେଉ କରୋନା ମହାମାରୀରେ ଭାରତର ମୃତ୍ୟୁହାର 10ଲକ୍ଷ ଜନସଂଖ୍ୟାରେ 12ରୁ କମ୍‌ । ଏହି ପରିପ୍ରେକ୍ଷୀରେ ଦେଖିଲେ ଇଟାଲୀରେ ଏହି ହାର 574ଆମେରିକା, ବ୍ରିଟେନ, ସ୍ପେନ୍‌ ଓ ଫ୍ରାନ୍ସ ଆଦି ଦେଶରେ ମଧ୍ୟ କରୋନା ଜନିତ ମୃତ୍ୟୁହାର ଭାରତଠାରୁ ବହୁ ଅଧିକ । ଭାରତରେ ଲକ୍ଷ ଲକ୍ଷ ଗ୍ରାମ ଯେଉଁଠି 85କୋଟି ଲୋକ ବସବାସ କରନ୍ତି, ସେସବୁ ଏଯାବତ୍‌ କରୋନା ସଂକ୍ରମଣଠାରୁ ଦୂରରେ ରହିଛି ।

ବନ୍ଧୁଗଣ,

ଜନତାଙ୍କ ଦ୍ୱାରା ପରିଚାଳିତ ଲଢେଇ ଏଯାବତ୍‌ ଭଲ ଫଳ ଦେଇଛି । ତେଣୁ ଆମେ କଣ ଆମର ସେହି ପ୍ରହରୀମାନଙ୍କୁ ଉପେକ୍ଷା କରିପାରିବା ? ଆଦୌ ନୁହେଁ । ପ୍ରକୃତରେ ଆମକୁ ଏବେ ଆହୁରି ଅଧିକ ସତର୍କ ରହିବାକୁ ପଡିବ । ନିୟମିତଭାବେ ମାସ୍କ ପିନ୍ଧିବା, ଦୁଇ ଗଜର ଦୂରତ୍ୱ ରକ୍ଷା ପୂର୍ବକ ସାମାଜିକ ବ୍ୟବଧାନକୁ ଗୁରୁତ୍ୱ ଦେବା । ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ସହ  ନିୟମିତଭାବେ ହାତ ଧୋଇବା । ଏହି ରୋଗ ବିରୋଧୀ ଲଢେଇର ଏହା କେତେକ ସର୍ବନିମ୍ନ ପ୍ରତିକାର ବ୍ୟବସ୍ଥା ।

ସ୍ୱାସ୍ଥ୍ୟରକ୍ଷା ନିୟମ ମାନିବା ସହିତ ଆମକୁ ଦେଶର 130 କୋଟି ଲୋକଙ୍କ ସମୃଦ୍ଧି ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ  ଦେବାକୁ ପଡିବ । ବେପାର ବଣିଜର ଚକ ଗଡ଼ିବାକୁ ହେବ । କୃଷିର ବିକାଶ କରିବାକୁ ପଡିବ । ଗତ କେଇ ସପ୍ତାହରେ ଭାରତ ସରକାର ଅର୍ଥନୀତିର ଉଭୟ କ୍ଷୁଦ୍ର ଓ ଦୀର୍ଘମିଆଦୀ ପ୍ରସଙ୍ଗଗୁଡିକ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସାଗରରୁ ମହାକାଶ, କୃଷି  କ୍ଷେତ୍ରରୁ କଳକାରଖାନା, ସର୍ବତ୍ର ଲୋକାନୁକୂଳ ଅଭିବୃଦ୍ଧି ସର୍ବସ୍ୱ ନିଷ୍ପତ୍ତି ମାନ ଗ୍ରହଣ କରାଯାଇଛି ।

ଆତ୍ମନିର୍ଭର ଭାରତ ଆହ୍ୱାନ ଦେଶର ଆର୍ଥିକ ଶକ୍ତିକୁ ନିଶ୍ଚିତ କରିବା ସହ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମୃଦ୍ଧି ଆଣିବ । ମାସକ ଆଗରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ମତ୍ସ୍ୟସମ୍ପଦ ଯୋଜନାକୁ ଅନୁମୋଦନ କରିଥିଲା । ଏହି ଯୋଜନା ଆମ ମତ୍ସ୍ୟ ଉଦ୍ୟୋଗକୁ ସଂପୂର୍ଣ୍ଣ ବଦଳାଇ ଦେବ । 20 ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଏହି ଯୋଜନା ମତ୍ସ୍ୟ ଉଦ୍ୟୋଗରେ  ପରିବର୍ତ୍ତନ ଆଣିବ ଏବଂ ଏହାଦ୍ୱାରା ଏଥିସହ ଜଡିତ ଲୋକଙ୍କ ଜୀବନ ଜୀବିକାରେ ସକାରାତ୍ମକ ପରିବର୍ତ୍ତନ ଘଟିବ । ଆହୁରି ମଧ୍ୟ ଏହି ଯୋଜନାରେ ଆମର ରପ୍ତାନୀ ଜନିତ ଆୟ ବୃଦ୍ଧି ସହିତ ଏ କ୍ଷେତ୍ରରେ 55 ଲକ୍ଷରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ମତ୍ସ୍ୟ ଉଦ୍ୟୋଗରେ ଅତ୍ୟାଧୁନିକ ଟେକ୍‌ନୋଲଜିର ଉପଯୋଗ, ଭିତ୍ତିଭୂମିର ଉନ୍ନତି ତଥା ସୁଦୃଢ ଭ୍ୟାଲୁଚେନ ନିଶ୍ଚିତ କରିବା ଆମର ଲକ୍ଷ୍ୟ । ମୋର ଦୃଢ ବିଶ୍ୱାସ କେରଳର ମୋର ମତ୍ସ୍ୟଜୀବୀ ଭାଇ ଓ ଭଉଣୀମାନେ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ ।

ବନ୍ଧୁଗଣ,

ମହାକାଶ କ୍ଷେତ୍ରରେ ମଧ୍ୟ ଆମେ ଅନେକ ସଂସ୍କାର କାର୍ଯ୍ୟକାରୀ କରିଛୁ । ତଦନୁସାରେ ମହାକାଶ ସମ୍ବଳର ଅଧିକ ଉପଯୋଗ କରି ଏହାର କାର୍ଯ୍ୟ ପରିସର ବଢାଇବାକୁ ଚାହୁଁଛୁ । ଏହା ଫଳରେ ଡେଟା ଓ ଟେକ୍‌ନୋଲଜି ପାଇବାର ସୁଯୋଗ ବଢିବ । ମୁଁ ଦେଖୁଛି କେରଳର ବହୁ ଯୁବକ ଯୁବତୀ ବିଶେଷକରି ଦକ୍ଷିଣ ଭାରତର ଯୁବବର୍ଗ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ବିଶେଷ ଆଗ୍ରହୀ । ସେମାନେ ଏହି ସଂସ୍କାର ଦ୍ୱାରା ଉପକୃତ ହେବେ ।

ବନ୍ଧୁଗଣ,

ଆମ ସରକାର ସର୍ବଦା ସମ୍ବେଦନଶୀଳ ନୀତିରେ ପରିଚାଳିତ  ହୋଇ ଭାରତକୁ ଏକ ଅଭିବୃଦ୍ଧି ଇଂଜିନରେ ପରିଣତ କରିବା ପାଇଁ ଦୀର୍ଘମିଆଦୀ ଲକ୍ଷ୍ୟରେ କାର୍ଯ୍ୟ କରୁଛି । ଆମେ ଦିଲ୍ଲୀରେ ଆରାମଦାୟକ ସରକାରୀ ଦପ୍ତରରେ ବସି ନିଷ୍ପତ୍ତି ଗ୍ରହଣ କରୁନାହୁଁ । ଲୋକଙ୍କଠାରୁ ତୃଣମୂଳସ୍ତରରେ ବିଭିନ୍ନ ତଥ୍ୟ ଓ ଖବର ସଂଗ୍ରହ କରି ସେହି ଆଧାରରେ ଆମେ ନିଷ୍ପତ୍ତି ଗ୍ରହଣ କରୁଛି । ଏହି ଭାବନାରେ ହୋଇଥିବା କାର୍ଯ୍ୟ ଯୋଗୁଁ ଏବେ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ଆଠ କୋଟିରୁ ଅଧିକ ପରିବାରଙ୍କୁ ଧୂମମୁକ୍ତ ରୋଷେଇ ସୁବିଧା ଯୋଗାଇ ଦିଆଯାଇଛି । ଦେଢ କୋଟିରୁ ଅଧିକ ନିରାଶ୍ରୟ ପରିବାରଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାୟୀ ଘର ପ୍ରଦାନ କରାଯାଇଛି ।

ଦେଶରେ କାର୍ଯ୍ୟକାରୀ ହେଉଥିବା ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟ ଯୋଜନା । ଏହି ଯୋଜନା ଅଧୀନରେ 1 କୋଟିରୁ ଅଧିକ ଲୋକ ଉତ୍ତମ ମାନର ଚିକିତ୍ସା ପାଇଛନ୍ତି । ଗରିବଙ୍କ ପାଇଁ ଆମେ ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ ଯୋଜନା ଆଣୁଛୁ । ଏହାଦ୍ୱାରା ସେମାନେ ଉପକୃତ ହେବେ । ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଆମେ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛୁ । ଏହାଦ୍ୱାରା ସେମାନଙ୍କ ଜୀବନଧାରଣ ସହଜ ହେବ । କୃଷକଙ୍କ ପାଇଁ ଆମେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛୁ । ଏହି କ୍ଷେତ୍ର ଯେପରି ଦଲାଲଙ୍କ ପ୍ରଭାବରୁ ମୁକ୍ତ ରହିବ ଏବଂ ଚାଷୀ ଉପଯୁକ୍ତ ମୂଲ୍ୟ ପାଇବେ ତାହା ଆମେ ନିଶ୍ଚିତ କରିଛୁ ।

ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନିଶ୍ଚିତ କରାଯାଇଛି । ମାତୃତ୍ୱକାଳୀନ ଛୁଟିର ମିଆଦ ବଢାଇ କର୍ମଜୀବୀ ମହିଳାଙ୍କୁ ଅଧିକ ସୁବିଧା ପ୍ରଦାନ କରିଛୁ । ଭାରତ ସରକାର ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ ଓ ଆଞ୍ଚଳିକତା ବିଚାରରୁ ଊଦ୍ଧ୍ୱର୍ରେ ରହି ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । 130 କୋଟି ଭାରତୀୟଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ଆମେ ଭାରତୀୟ ସମ୍ବିଧାନର ନୀତି ଓ ଆଦର୍ଶରେ କାମ କରୁଛୁ ।

ବନ୍ଧୁଗଣ,

ପବିତ୍ର ବାଇବଲ ସମାବେଶିତା ଓ ଏକତା ଉପରେ ଗୁରୁତ୍ୱ ଦିଏ । ଏବେ ରାଷ୍ଟ୍ରର ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାର ସମୟ ଆସିଛି । ଆମର କାର୍ଯ୍ୟ ଜାତୀୟ ବିକାଶ ପାଇଁ କିପରି ସହାୟକ ହେବ ସେ ବିଷୟରେ ଆପଣମାନେ ଟିକେ ବିଚାର କରନ୍ତୁ । ଆଜି ଭାରତ କହୁଛି- ଆମେ ସ୍ଥାନୀୟଭାବେ ଉତ୍ପାଦିତ କରିବୁ ଏବଂ ସ୍ଥାନୀୟ ଦ୍ରବ୍ୟ କିଣିବୁ ।ଏହାଦ୍ୱାରା ଅନେକ ଲୋକଙ୍କ ଘରେ ସମୃଦ୍ଧିର ପ୍ରଦୀପ ଜଳିବ । ଆମ ରାଷ୍ଟ୍ରକୁ ସୁଦୃଢ କରିବା ପାଇଁ ଅନେକ ଉପାୟ ରହିଛି । ମାର୍‌ ଥୋମା ଚର୍ଚ୍ଚ ଏହାର ମୂଲ୍ୟବୋଧ ଅନୁସାରେ ଏ କ୍ଷେତ୍ରରେ କାମ କରି ଭାରତୀୟ ବିକାଶ ପ୍ରକ୍ରିୟାରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ମୋର ଆଶା ଓ ବିଶ୍ୱାସ ।

ପୁଣି ଥରେ ମୁଁ ସମ୍ମାନନୀୟ ରେଭେରେଣ୍ଡ ଡଃ ଯୋଜେଫ ମାର୍‌ ଥୋମା ମେଟ୍ରୋପଲିଟାନଙ୍କୁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ।

 

**********

 



(Release ID: 1634819) Visitor Counter : 186