ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Posted On:
21 JUN 2020 7:48AM by PIB Bhubaneshwar
ନମସ୍କାର!!
ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଆନ୍ତର୍ଜାତିକ ଯୋଗ ଦିବସ ହେଉଛି ଏକଜୁଟ ହେବାର ଦିନ । ଏହା ବିଶ୍ୱ ବନ୍ଧୁତ୍ୱର ସଂଦେଶ ବହନ କରିବାର ଦିନ । ଏହା ମାନବିକତାର ଏକତ୍ୱବୋଧକୁ ହୃତୟଙ୍ଗମ କରିବାର ଅବସର । ଯାହା ଆମମାନଙ୍କୁ ସମସ୍ତଙ୍କୁ ଏକତ୍ର ଯୋଡ଼େ, ପରସ୍ପରର ନିକଟତର କରାଏ ତାହାକୁ ହିଁ ତ ଯୋଗ କହନ୍ତି । ଯାହା ଦୂରତ୍ୱକୁ ନିଃଶେଷ କରେ, ତାହା ହିଁ ତ ଯୋଗ ।
କରୋନାର ଏଇ ସଂକଟ ଘଡ଼ିରେ ସମଗ୍ର ବିଶ୍ୱର ଲୋକମାନେ “ମୋ ଜୀବନ- ମୋ ଯୋଗ” (ମାଇଁ ଲାଇଫ୍- ମାଇଁ ଯୋଗ) ଭିଡ଼ିଓ ବ୍ଲଗିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସୂଚୀତ କରେ ଯେ ଯୋଗ ପ୍ରତି ଲୋକମାନଙ୍କ ମନରେ କେତେ ମାତ୍ରାରେ ଉତ୍ସାହ ବୃଦ୍ଧି ପାଇଛି, ଯୋଗ କେତେ ବ୍ୟାପକ ଆକାର ଧାରଣ କରିଛି ।
ସାଥୀଗଣ, ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସର ଶୀର୍ଷକ ରଖା ଯାଇଛି “ଘରେ ଯୋଗ, ପରିବାର ସହିତ ଯୋଗ” (Yoga at home and Yoga with family) । ଆଜି ଆମେମାନେ ସମସ୍ତେ ସାମୂହିକ କାର୍ଯ୍ୟକ୍ରମ ଠାରୁ ଦୂରରେ ରହି, ଘରେ ନିଜ ପରିବାରର ସଦସ୍ୟମାନଙ୍କ ସହିତ ମିଶି ଯୋଗାଭ୍ୟାସ କରୁଛେ । ସେଥିରେ ପିଲାମାନେ ଅଛନ୍ତି, ବୟୋଜ୍ୟେଷ୍ଠମାନେ ଅଛନ୍ତି, ଯୁବକ ଅଛନ୍ତି, ସେତେବେଳେ ପୁରା ଘରେ ଏକ ନୂତନ ଆଲୋକର ସଞ୍ଚାର ହେଉଛି । ତେଣୁ ଚଳିତ ବର୍ଷର ଯୋଗ ଦିବସ, ଯଦି ମୁଁ ଏହାକୁ ଅନ୍ୟ ଭାଷାରେ କହିବି ତେବେ ଏହା ଭାବନାତ୍ମକ ଯୋଗର ଦିନ ବୋଲି ବିବେଚନା କରାଯିବ । ଆମର ପାରିବାରିକ ଓ ପାରସ୍ପରିକ ସଂପର୍କକୁ ବଢ଼ାଇବାର ଏକ ଦିନ ବୋଲି ଏହାକୁ କୁହାଯିବ ।
ସାଥୀଗଣ,
କରୋନା ବୈଶ୍ୱିକ ମହାମାରୀ କାରଣ ଯୋଗୁ ଆଜି ସମଗ୍ର ବିଶ୍ୱ ଯୋଗର ଆବଶ୍ୟକତାକୁ ପୂର୍ବାପେକ୍ଷା ଅଧିକ ଗମ୍ଭୀରତାର ସହ ଅନୁଭବ କରିବା ଆରମ୍ଭ କରିଛି । ଯଦି ଆମ ଶରୀରରେ ରୋଗ ପ୍ରତିରୋଧୀ ଶକ୍ତି ସୁଦୃଢ଼ ରହିବ ତେବେ ଆମେମାନେ ଏହି ମହାମାରୀକୁ ହରାଇବାରେ ଅଧିକ ସହଯୋଗ ପାଇପାରିବା । ରୋଗ ପ୍ରତିରୋଧୀ ଶକ୍ତିକୁ ବୃଦ୍ଧି କରିବା ନିମନ୍ତେ ଯୋଗର ଅନେକ ବିଧି ରହିଛି, ଅନେକ ପ୍ରକାର ଆସନ ରହିଛି । ସେହିସବୁ ଆସନ ଏଭଳି ଯାହା ଆମର ଶରୀରର ଶକ୍ତି ବଢ଼ାଇବା ସହିତ ଆମର ମେଟାବୋଲିଜମ୍କୁ ମଧ୍ୟ ଶକ୍ତିଶାଳୀ କରିଥାଏ ।
କିନ୍ତୁ କୋଭିଡ଼ 19 ଭୂତାଣୁ ବିଶେଷ କରି ଆମର ଶ୍ୱସନ ତନ୍ତ୍ର, ଅର୍ଥାତ୍ ଆମ ଶରୀରରେ ଶ୍ୱାସକ୍ରିୟା ର ଯେଉଁ ବ୍ୟବସ୍ଥା ରହିଛି ତାହା ଉପରେ ପ୍ରଥମେ ଆକ୍ରମଣ କରିଥାଏ । ଆମର ଶ୍ୱାସକ୍ରିୟାକୁ ସୁଦୃଢ଼ କରିବା ନିମନ୍ତେ ଯାହାଠାରୁ ସର୍ବାଧିକ ସହାୟତା ମିଳିଥାଏ ତାହା ହେଉଛି ପ୍ରାଣାୟାମ ଅର୍ଥାତ୍, ନିଶ୍ୱାସପ୍ରଶ୍ୱାସ ନେବାର ଅଭ୍ୟାସ । ସାଧାରଣ ଭାବେ ଅନୁଲୋମ ବିଲୋମ ପ୍ରାଣାୟାମ ହିଁ ଅଧିକ ଲୋକପ୍ରିୟ ଅଟେ । ଏହା ବେଶ୍ ପ୍ରଭାବୀ ମଧ୍ୟ । ତେବେ ପ୍ରାଣାୟାମ ଅନେକ ପ୍ରକାରର । ସେଥିରେ ଶୀତଳୀ, କପାଳଭାରତି, ଭ୍ରାମରୀ, ଭସ୍ତ୍ରିକା ଏହି ସବୁ ମଧ୍ୟ ଥାଏ । ଏମିତି ଏମିତି ଆହୁରି ଅନେକ ପ୍ରକାରର ପ୍ରାଣାୟାମ ରହିଛି ।
ଯୋଗର ଏହି ସବୁ ବିଧି, ଏହି ସବୁ ଟେକନିକ୍, ଆମର ଶ୍ୱାସକ୍ରିୟା ବ୍ୟବସ୍ଥା ଏବଂ ରୋଗ ପ୍ରତିରୋଧୀ ବ୍ୟବସ୍ଥା ଉଭୟକୁ ମଜଭୁତ କରିବାରେ ବିଶେଷ ସହାୟକ ହୋଇଥାଏ । ସେଥିପାଇଁ ଆପଣମାନଙ୍କୁ ମୋର ବିଶେଷ ନିବେଦନ ଯେ ଆପଣମାନେ ପ୍ରାଣାୟାମକୁ ନିଜର ଦୈନିକ ଅଭ୍ୟାସରେ ନିଶ୍ଚିତ ଭାବେ ସାମିଲ କରନ୍ତୁ । ଏବଂ ଅନୁଲୋକ ବିଲୋମ ସହିତ ଆହୁରି ଅନେକ ପ୍ରାଣାୟାମର ଟେକନିକ୍ ବି ଶିଖନ୍ତୁ, ଏହାକୁ ସିଦ୍ଧ କରନ୍ତୁ । ଯୋଗର ଏତିକି ପଦ୍ଧତିର ଲାଭ ଢ଼େର୍ ମାତ୍ରାରେ ଆଜି ପୁରା ସଂସାରରୁ କୋଭିଡ଼ 19 ରୋଗୀମାନେ ନେଇ ପାରୁଛନ୍ତି । ଯୋଗର ଶକ୍ତି ଦ୍ୱାରା ସେମାନଙ୍କୁ ଏହି ବେମାରୀକୁ ହରାଇବାର ଶକ୍ତି ମିଳିପାରୁଛି ।
ସାଥୀଗଣ,
ଯୋଗରୁ ଆମକୁ ସେଇ ଆତ୍ମବିଶ୍ୱାସ ଏବଂ ମନୋବଳ ମିଳିଥାଏ ଯାହା ଦ୍ୱାରା ଆମେମାନେ ସବୁ ପ୍ରକାରର ସଂକଟ ସହ ସଂଘର୍ଷ କରିପାରିବା, ଜିତି ମଧ୍ୟ ପାରିବା । ଯୋଗ ଦ୍ୱାରା ଆମକୁ ମାନସିକ ଶାନ୍ତି ମଧ୍ୟ ମିଳିବ, ସଂଯମ ଏବଂ ସହନଶୀଳତା ବି ପ୍ରାପ୍ତ ହେବ । ସ୍ୱାମୀ ବିବେକାନନ୍ଦ କହିଥିଲେ- “ଜଣେ ଆଦର୍ଶ ବ୍ୟକ୍ତି ବୋଲି ତାଙ୍କୁ ବିବେଚନା କରାଯିବ ଯିଏ ନିତାନ୍ତ ନିର୍ଜନ ସ୍ଥାନରେ ସୁଦ୍ଧା କ୍ରିୟାଶୀଳ ରହିଥାଏ ଏବଂ ଅତ୍ୟଧିକ ଗତିଶୀଳତାରେ ସୁଦ୍ଧା ସଂପୂର୍ଣ୍ଣ ଶାନ୍ତି ଅନୁଭବ କରିଥାଏ” ।
ଯେକୌଣସି ବ୍ୟକ୍ତି ସକାଶେ ଏହା ଏକ ବହୁତ ବଡ଼ କ୍ଷମତା ହୋଇଥାଏ । ଯେତେବେଳେ ମଣିଷ ଘୋର ପ୍ରତିକୂଳ ପରିସ୍ଥିତିରେ ଥାଏ ସେତେବେଳେ ନିଜକୁ ସକ୍ରିୟ ରଖିବା, ଥକିପଡ଼ି ହାର ନମାନିବା, ମାନସିକ ଓ ଶାରୀରିକ ସ୍ତରରେ ସନ୍ତୁଳିତ ରହିବା, ଏ ସବୁ କଥା ଯୋଗ ମାଧ୍ୟମରେ ହିଁ ଆମ ଜୀବନରେ ସ୍ଥାନ ପ୍ରାପ୍ତ ହୋଇଥାଏ । ଆମ ଜୀବନକୁ ଶକ୍ତି ଯୋଗାଇଥାଏ । ସେଥିପାଇଁ, ଆପଣମାନେ ସମସ୍ତେ ଲକ୍ଷ୍ୟ କରିଥିବେ, ଅନୁଭବ ମଧ୍ୟ କରିଥିବେ, ଜଣେ ଯୋଗ ସାଧକ କେତେବେଳେ ହେଲେ ସଂକଟର ଘଡ଼ିରେ ଧୈର୍ଯ୍ୟହରା ହୋଇ ନଥାନ୍ତି ।
ଯୋଗର ଅର୍ଥ ହେଉଛି- “ସମତ୍ୱମ୍ ଯୋଗ ଉଚ୍ୟତେ”, ଅର୍ଥାତ୍, ଅନୁକୂଳତା-ପ୍ରତିକୂଳତା, ସଫଳତା-ବିଫଳତା, ସୁଖ-ଦୁଃଖ, ପ୍ରତ୍ୟେକ ପରିସ୍ଥିତିରେ ସମଭାବାପନ୍ନ ରହିବା, ଅତୁଟ ରହିବାର ନାମ ହେଉଛି ଯୋଗ ।
ବନ୍ଧୁଗଣ,
ଏକ ସୁସ୍ଥ ବିଶ୍ୱ ଖୋଜିବା ପ୍ରୟାସରେ ଯୋଗ ଆମକୁ ସହାୟତା କରିଥାଏ । ଏହା ଏକତାର ଏକ ମହାଶକ୍ତି ରୂପେ ଉଭା ହୋଇଛି ଯାହା ମାନବ ସମାଜକୁ ଏକତା ସୂତ୍ରରେ ଯୋଡ଼ି ରଖିବାର ସବୁଠାରୁ ବଡ଼ ଶକ୍ତି । ଯୋଗ ପରସ୍ପର ମଧ୍ୟରେ କୌଣସି ପ୍ରକାର ବୈଷମ୍ୟ ସୃଷ୍ଟି କରିବାର ଚିନ୍ତା ଉଦ୍ରେକ କରିନଥାଏ । ଏହା ଜାତି, ଧର୍ମ, ବର୍ଣ୍ଣ, ଆସ୍ଥା ଓ ରାଷ୍ଟ୍ରର ସୀମା ଲଙ୍ଘି ଆଗକୁ ଅଗ୍ରସର ହୋଇଥାଏ ।
ଯେକୌଣସି ବ୍ୟକ୍ତି ଯୋଗକୁ ଆପଣାଇ ପାରିବ । ଏଥିପାଇଁ କେବଳ ଆପଣମାନଙ୍କୁ କିଛି ସମୟ ବାହାର କରିବାକୁ ପଡ଼ିବ ଏବଂ କିଛି ମୁକ୍ତ ସ୍ଥାନ । ଯୋଗ ଆମକୁ କେବଳ ଶାରୀରିକ ସାମର୍ଥ୍ୟ ଯୋଗାଇ ନଥାଏ ଅପରନ୍ତୁ ମାନସିକ ସନ୍ତୁଳନ ଏବଂ ଆବେଗିକ ସ୍ଥିରତା ପ୍ରଦାନ କରିବା ସହ ଆମ ସମ୍ମୁଖରେ ଥିବା ସକଳ ପ୍ରକାର ସମସ୍ୟାକୁ ଦୃଢ଼ ଆତ୍ମବିଶ୍ୱାସର ସହ ମୁକାବିଲା କରିବାର ସାମର୍ଥ୍ୟ ପ୍ରଦାନ କରିଥାଏ ।
ବନ୍ଧୁଗଣ,
ଆମେମାନେ ଯଦି ଆମର ସ୍ୱାସ୍ଥ୍ୟ ଓ ଆଶାର ସୂତ୍ରକୁ ସୁଚିନ୍ତିତ ଭାବେ ସକ୍ରିୟ କରିପାରିବା, ତେବେ ସେଦିନ ଆଉ ବେଶୀ ଦୂର ନୁହେଁ ଯେତେବେଳେ ସମଗ୍ର ବିଶ୍ୱ ଏକ ସଫଳ, ସୁସ୍ଥ ଏବଂ ସୁନ୍ଦର ମାନବସମାଜକୁ ନିଜ ଆଖି ଆଗରେ ଦେଖିପାରିବ । ଯୋଗ ଆମକୁ ଏଭଳି କାର୍ଯ୍ୟ ସଫଳ ହେବାରେ ଅବଶ୍ୟ ସହାୟକ ହେବ ।
ସାଥୀଗଣ,
ଯେତେବେଳେ ଆମେ ଯୋଗ ମାଧ୍ୟମରେ ସମସ୍ୟାଗୁଡ଼ିକର ସମାଧାନ କରାଯିବାର କଥା କହୁଛେ, ସେତେବେଳେ ବିଶ୍ୱ କଲ୍ୟାଣର କଥା ହିଁ ଆମ କଣ୍ଠରୁ ବାହାରୁଛି । ସେଇଥିପାଇଁ ଯୋଗେଶ୍ୱର କୃଷ୍ଣଙ୍କ କର୍ମଯୋଗ ସଂପର୍କରେ ମୁଁ ଆପଣମାନଙ୍କୁ ପୁଣି ଥରେ ସ୍ମରଣ କରାଇ ଦେବାକୁ ଚାହୁଁଛି । ଗୀତାରେ ଭଗବାନ କୃଷ୍ଣ ଯୋଗର ବ୍ୟାଖ୍ୟା କରିବାକୁ ଯାଇ କହିଛନ୍ତି- “ଯୋଗଃ କର୍ମସୁ କୌଶଳମ୍” ଅଥାତ୍, କର୍ମର କୁଶଳତା ହିଁ ଯୋଗ । Efficiency in Action is Yoga । ଏହି ମନ୍ତ୍ର ସଦାସର୍ବଦା ଆମକୁ ଶିଖାଇଥାଏ ଯେ ଯୋଗ ଦ୍ୱାରା ଜୀବନରେ ଅଧିକ ଯୋଗ୍ୟ ହେବାର କ୍ଷମତା ସୃଷ୍ଟି ହୋଇଥାଏ । ଯଦି ଆମେ ଆମର ସମସ୍ତ କାର୍ଯ୍ୟ ଅନୁଶାସନ ଅନୁସାରେ କରିବା, ନିଜ ନିଜ ଦାୟିତ୍ୱ ସମ୍ପାଦନ କରିବା ତେବେ ତାହା ମଧ୍ୟ ଏକ ପ୍ରକାର ଯୋଗ ପଦବାଚ୍ୟ ।
ସାଥୀଗଣ,
କର୍ମଯୋଗର ଏହା ଏକ ବିସ୍ତାରଣ ବୋଲି ବିବେଚନା କରାଯିବ । ଆମର ଏଠାରେ କୁହାଯାଏ-
“ଯୁକ୍ତ ଆହାର ବିହାରସ୍ୟ, ଯୁକ୍ତ ଚେଷ୍ଟସ୍ୟ କର୍ମସୁ ।
ଯୁକ୍ତ ସ୍ୱପ୍ନା-ବ-ବୋଧସ୍ୟ, ଯୋଗୋ ଭବତି ଦୁଃଖହା । ।
ଅର୍ଥାତ୍, ଉଚିତ ଖାଦ୍ୟ ଓ ପେୟ, ଉଚିତ ଢ଼ଙ୍ଗରେ ଖେଳକୁଦ, ଶୋଇବା- ଜାଗ୍ରତ ହେବାର ଉଚିତ ଅଭ୍ୟାସ, ଏବଂ ନିଜର କାର୍ଯ୍ୟ, ନିଜର କର୍ତ୍ତବ୍ୟକୁ ଉଚିତ ଢ଼ଙ୍ଗରେ କରିବା ତ ଯୋଗ । ଏହି କର୍ମଯୋଗରୁ ହିଁ ତ ଆମମାନଙ୍କୁ ସମସ୍ତଙ୍କୁ ସବୁ ପ୍ରକାର ସଂକଟ ଓ ସମସ୍ୟାର ସମାଧାନର ସୂତ୍ର ମିଳିଥାଏ । କେବଳ ସେତିକି ନୁହେଁ, ଆମର ଏଠାରେ ନିଷ୍କାମ କର୍ମକୁ, କୌଣସି ସ୍ୱାର୍ଥ ବିନା ସମସ୍ତଙ୍କର ଉପକାର କରିବା ଭଳି ଭାବନାକୁ ମଧ୍ୟ କର୍ମଯୋଗ ବୋଲି କୁହାଯାଏ । କର୍ମଯୋଗୀର ଏଭଳି ଚିନ୍ତନ, ଭାରତର ଧମନୀରେ ପ୍ରବାହିତ । ଯେତେବେଳେ ଆବଶ୍ୟକ ପଡ଼ିଛି, ଭାରତର ଏଭଳି ନିଃସ୍ୱାର୍ଥ ଭାବକୁ ସମଗ୍ର ବିଶ୍ୱ ଅନୁଭବ କରିଛି ।
ସାଥୀଗଣ,
ଯେତେବେଳେ ଆମେମାନେ ଯୋଗ ଦ୍ୱାରା ପରିଚାଳିତ, କର୍ମଯୋଗର ଭାବନାରେ ଆଗକୁ ଅଗ୍ରସର ହେଉଛେ, ସେତେବେଳେ ବ୍ୟକ୍ତି ଭାବେ, ସମାଜିକ ସ୍ତରରେ, ଦେଶ ସ୍ତରରେ ଆମର ଶକ୍ତି ଢ଼େର୍ ଗୁଣରେ ବଢ଼ିଯାଇଥାଏ । ଆଜି ଆମେ ଏହି ଭାବନାର ସଂକଳ୍ପ ନେବାର ଅଛି- ଆମେମାନେ ଆମର ସ୍ୱାସ୍ଥ୍ୟ ନିମନ୍ତେ, ନିଜର ସୁସ୍ଥତା ସକାଶେ ସବୁ ପ୍ରକାର ପ୍ରୟାସ କରିବୁ । ଏକ ସଜାଗ ନାଗରିକ ଭାବେ ଆମେ ପରିବାର ଓ ସାମାଜିକ ସ୍ତରରେ ଏକଜୁଟ ହୋଇ ଆଗକୁ ଅଗ୍ରସର ହେବୁ ।
ଆମେ ସବୁ ପ୍ରକାର ପ୍ରୟାସ କରିବା ଯେ “ଘରେ ଯୋଗ ଏବଂ ପରିବାର ସହିତ ଯୋଗ” (Yoga at home and Yoga with family)କୁ ନିଜ ଜୀବନର ଏକ ଅଂଶରେ ପରିଣତ କରିବା । ଯଦି ଆମେମାନେ ଏହା କରିବା, ତେବେ ଆମକୁ ସଫଳତା ନିଶ୍ଚୟ ମିଳିପାରିବ, ଆମେ ନିଶ୍ଚୟ ବିଜୟୀ ହୋଇପାରିବା । ଏହି ବିଶ୍ୱାସର ସହ, ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ଯୋଗ ଦିବସର ଶୁଭକାମନା ଜଣାଉଛି ।
ଲୋକାଃ ସମସ୍ତାଃ ସୁଖିନୋ ଭବନ୍ତୁ । ।
ଓମ୍!!
**********
(Release ID: 1633138)
Visitor Counter : 309
Read this release in:
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam