ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁନ 18, 2020 ଦିନ 41ଟି କୋଇଲା ଖଣିର ବ୍ୟବସାୟିକ ଖନନ ନିଲାମୀ ଶୁଭାରମ୍ଭ ଅବସରରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

Posted On: 17 JUN 2020 7:16PM by PIB Bhubaneshwar

1.     କୋଇଲା ସେକ୍ଟରରେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ସକାଶେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଫିକି ସହଯୋଗରେ ଦେଶର 41ଟି କୋଇଲା ଖଣିର ବ୍ୟବସାୟିକ ନିଲାମୀ ଶୁଭାରମ୍ଭ କରାଯାଉଛି । ସିଏମ (ଏସପି) ଆଇନ ଏବଂ ଏମଏମଡ଼ିଆର ଆଇନର ବ୍ୟବସ୍ଥା  ଅନୁସାରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଭଳି ପ୍ରକ୍ରିୟା ଦ୍ୱାରା ଭାରତୀୟ କୋଇଲା ସେକ୍ଟରରେ ବ୍ୟବସାୟିକ ଖନନ ପ୍ରକ୍ରିୟାର ଦ୍ୱାର ଉନ୍ମୁକ୍ତ ହେବ । ଏହା ଦେଶକୁ ଶକ୍ତି ଚାହିଦା ପୂରଣ ଦିଗରେ ଆତ୍ମ ନିର୍ଭର ଲକ୍ଷ୍ୟ ହାସଲ କରାଇପାରିବ ତଥା ଶିଳ୍ପ ବିକାଶ ଦିଗରେ ସହାୟକ ହେବ । କୋଇଲା ଖଣିଗୁଡ଼ିକରେ ନିଲାମୀ ପ୍ରକ୍ରିୟା ଆରମ୍ଭ କରାଯିବା ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ଅନେକ ଗୁଡ଼ିଏ ଘୋଷଣାର ଅଂଶବିଶେଷ, ଯାହାକି ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମ ଜୁନ 18, 2020 ତାରିଖ ଦିନ ପୂର୍ବାହ୍ଣ 11ଟା ବେଳେ ଆୟୋଜନ କରାଯିବଏହା ସମସ୍ତଙ୍କ ଯୋଗଦାନ ପାଇଁ ବିଭିନ୍ନ ଭର୍ଚୁଆଲ୍‌ ନେଟୱାର୍କ ମାଧ୍ୟମରେ ଉନ୍ମୁକ୍ତ ରଖାଯିବ । ଏନଆଇସି, ଏନଇଜିଡ଼ି, ଏମଇଆଇଟିୱାଇ ଏବଂ ଫିକିର ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି ।

 ନିଲାମୀ ପ୍ରକ୍ରିୟାର ଶୁଭାରମ୍ଭ

2.     ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ନିଲାମୀ ପ୍ରକ୍ରିୟାର ଶୁଭାରମ୍ଭ କରି ଉପସ୍ଥିତ ନିଲାମଧାରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିବେ । ଦେଶର ଖଣି କ୍ଷେତ୍ରରେ କିଭଳି ଭାବେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରାଯାଇପାରିବ ସେ ସଂପର୍କରେ ସମସ୍ତଙ୍କୁ ଉଦ୍‌ବୋଧନ ଦେବେ । ଖଣି ସେକ୍ଟର ଶକ୍ତି, ଇସ୍ପାତ, ଆଲୁମିନିୟମ୍‌, ସ୍ପଞ୍ଜ୍‌ ଆଇରନ ଇତ୍ୟାଦି ମୌଳିକ ସକାଶେ ଆବଶ୍ୟକ କଞ୍ଚାମାଲ  ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କେନ୍ଦ୍ର ସରକାରଙ୍କ କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ଅବସରରେ ଉପସ୍ଥିତ ରହିବେ ।

 3. ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ଦେଶର ଘରୋଇ ସେକ୍ଟର ଖଣି ଖନନ କ୍ଷେତ୍ରରେ ଅଂଶଗ୍ରହଣର ସୁଯୋଗ ପାଇପାରିବେ ଏବଂ ତାହା ଖଣିଜ ସଂପଦର ଉତ୍ପାଦନ ବୃଦ୍ଧି କରିବା ସହ ପ୍ରତିଯୋଗୀତାକୁ ପ୍ରୋତ୍ସାହିତ କରିବ । ଏହା ଉତ୍ପାଦିକା ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ ହେବ । ଘରୋଇ କମ୍ପାନୀମାନେ ଖଣି ଖନନ କାର୍ଯ୍ୟରେ ଅତ୍ୟାଧୁନିକ ଯନ୍ତ୍ରପାତି, ପ୍ରଯୁକ୍ତି ତଥା ସେବା ଅଧିକ ନିବେଶ ମାଧ୍ୟମରେ କରିପାରିବେ । ଏହା ଖନନ ପ୍ରକ୍ରିୟାକୁ ଅଧିକ ପୋଷଣୀୟ କରିବା ସହ ଦେଶର ଅନଗ୍ରସର କ୍ଷେତ୍ରଗୁଡ଼ିକରେ ଅଧିକ ନିଯୁକ୍ତି ପାଇଁ ସୁଯୋଗ ଉନ୍ମୁକ୍ତ କରିବ । ଦେଶରେ ବ୍ୟବସାୟିକ ଭିତ୍ତିରେ ଖନନ କାର୍ଯ୍ୟ ଆରମ୍ଭ ହେବା ଦ୍ୱାରା କୋଇଲା କ୍ଷେତ୍ରରେ ଥିବା ପର୍ଯ୍ୟାପ୍ତ ସୁଯୋଗକୁ ସରକାର ଘରୋଇ ସଂସ୍ଥାମାନଙ୍କ ସକାଶେ ଉନ୍ମୁକ୍ତ କରିଛନ୍ତି । ନିବେଶକାରୀମାନେ ଖଣି ଖନନ, ଶକ୍ତି ଓ ସ୍ୱଚ୍ଛ କୋଇଲା ସେକ୍ଟରରେ ଏଣିକି ଅଧିକ ପୁଂଜି ବିନିଯୋଗ ନିମନ୍ତେ ଆକର୍ଷିତ ହୋଇପାରିବେ ।

4. ଫିକି ଅଧ୍ୟକ୍ଷ ଶ୍ରୀ ଡକ୍ଟର ସଙ୍ଗୀଥା ରେଡ୍ଡୀ, ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ, ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ଏନ ଚନ୍ଦ୍ରଶେଖରନ ଏହି ଅବସରରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

5. ଏହି କାର୍ଯ୍ୟକ୍ରମକୁ ୱେବ ମାଧ୍ୟମରେ ସିଧାସଳଖ ଭାବେ ପ୍ରସାରଣ କରାଯିବ ଏବଂ ଏଥିରେ ଦେଶର ପ୍ରମୁଖ ଶିଳ୍ପପତି, ବ୍ୟବସାୟୀ, ବ୍ୟାଙ୍କିଙ୍ଗ ପ୍ରଫେସନାଲ, ଖନନ ଶିଳ୍ପ ସହ ଜଡ଼ିତ ଉଦ୍ୟୋଗୀ, କୂଟନୀତିଜ୍ଞ, ବୈଦେଶିକ ପ୍ରତିନିଧିମାନେ ଅଂଶଗ୍ରହଣ କରିବାର ଆଶା କରାଯାଏ ।

ନିଲାମୀ ପ୍ରକ୍ରିୟାର ପ୍ରମୁଖ ସର୍ତ୍ତାବଳୀ

6. ନିଲାମଧାରୀମାନଙ୍କୁ କୋଇଲା ଖଣି ଆବଣ୍ଟନ ନିମନ୍ତେ ଏକ ଦୁଇ ପର୍ଯ୍ୟାୟ ବିଶିଷ୍ଟ ଇଲେକ୍ଟ୍ରୋନିକ୍‌ ନିଲାମୀ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ନିଲାମୀ ପଦ୍ଧତିର ବିସ୍ତୃତ ବିବରଣୀ ଯେଉଁଥିରେ କି ମଡ଼େଲ ରାଜିନାମା ସହିତ ନିଲାମୀ ନଥିପତ୍ର, ନିଲାମୀ ପ୍ରକ୍ରିୟାର ବିସ୍ତୃତ ସମୟସୂଚୀ, ନିଲାମ କରାଯାଉଥିବା କୋଇଲା ଖଣିମାନଙ୍କ ନାମ ସଂପର୍କୀତ ସୂଚନାକୁ   http://cma.mstcauction.com/auctionhome/coalblock/index.jsp ରେ ଆକସେସ୍‌ କରାଯାଇପାରିବ ଏବଂ ତାହା ନିଲାମ ପ୍ଲାଟଫର୍ମ ଯୋଗାଣକାରୀ ସଂସ୍ଥା ଏମଏସଟିସି ଲିମିଟେଡ଼ ଦ୍ୱାରା ବିକଶିତ କରାଯାଇଛି  ।

7. ଦେଶ ପାଇଁ ହିତକାରୀ ବ୍ୟବସ୍ଥା

•        ଯେତେବେଳେ ଶୀର୍ଷ ହାରର କ୍ଷମତା ସହ 225 ଏମଟି କୋଇଲା ଉତ୍ପାଦନ ଲକ୍ଷ୍ୟ ହାସଲ ହେବ, ସେହିସବୁ ଖଣିଗୁଡ଼ିକ 2025-26 ସୁଦ୍ଧା ଦେଶର ଆକଳିତ ମୋଟ କୋଇଲା ଉତ୍ପାଦନକୁ 15% ପର୍ଯ୍ୟନ୍ତ ଯୋଗାଇ ପାରିବ ।

•        2.8 ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ: ପ୍ରତ୍ୟକ୍ଷ ଭାବେ ପ୍ରାୟ 75,000 ହଜାର ଲୋକ ନିଯୁକ୍ତି ପାଇବେ ଏବଂ ଅପ୍ରତ୍ୟକ୍ଷ ଭାବେ ପ୍ରାୟ 2,10,000 ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

•        ଆଗାମୀ 5-7 ବର୍ଷ ମଧ୍ୟରେ ଦେଶରେ ପ୍ରାୟ 33,000 କୋଟି ଟଙ୍କାର ପୁଞ୍ଜି ନିବେଶ ହେବାର ଆଶା ରଖାଯାଇଛି ।

•        ସେହିସବୁ ଖଣି ରାଜ୍ୟ ସରକାରମାନଙ୍କୁ ବର୍ଷକୁ ପ୍ରାୟ 20,000 କୋଟି ଟଙ୍କାର ରାଜସ୍ୱ ପ୍ରଦାନ କରିବ ।

•        ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଚଳିତ ବ୍ୟବସ୍ଥା ମାଧ୍ୟମରେ 100 ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶର ସମ୍ଭାବନା ରହିଛି ଓ ଏଥିସହ ସର୍ବାଧୁନିକ ପ୍ରଯୁକ୍ତି ଓ ଖନନ କାର୍ଯ୍ୟରେ ଅଧିକ ଯାନ୍ତ୍ରିକରଣର ସୁବିଧା ଉପଲବ୍ଧ ହେବ ।

•        ଅଧିକ ଆତ୍ମ ନିର୍ଭରଶୀଳତା ହାସଲ କରାଯାଇପାରିବ ଏବଂ ସ୍ୱାଧୀନ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକ ଓ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ଗୁଡ଼ିକ ବିଦେଶରୁ ଆମଦାନିର ବିକଳ୍ପ ପାଇପାରିବେ ଯଦ୍ୱାରା ବୈଦେଶିକ ମୁଦ୍ରା ସଞ୍ଚୟ କରାଯାଇପାରିବ ।

•        ଏହା ଉଭୟ ନିୟନ୍ତ୍ରିତ ଏବଂ ଅଣ ନିୟନ୍ତ୍ରିତ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇବ ଏବଂ ଶିଳ୍ପସଂସ୍ଥାମାନଙ୍କ ନିକଟରେ ନିର୍ଭରଯୋଗ୍ୟ ଭାବେ ଅଧିକ କୋଇଲା ଗଚ୍ଛିତ ରଖିବା ସୁନିଶ୍ଚିତ ହୋଇପାରିବ ।

•        ଦେଶ ଏବେ ଏକ ମୁକ୍ତ ବଜାର ଢାଂଚା ଦିଗରେ ଅଗ୍ରସର ହେଉଛି ଏବଂ ଜାତୀୟ କୋଇଲା ସୂଚୀ ପ୍ରବର୍ତ୍ତନ କରାଯାଉଛି ।

•        ସ୍ୱଚ୍ଛ ଶକ୍ତି ସକ୍ରିୟତାର ସହ ଉପଯୋଗ କରିବାର ବ୍ୟବସ୍ଥା ପାଇଁ ସରକାର ପ୍ରୋତ୍ସାହିତ କରୁଛନ୍ତି ଏବଂ ପର୍ଯ୍ୟାବରଣ ପ୍ରଦୂଷଣର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ବ୍ୟାପକ ଭାବେ କୋଇଲା ବାଷ୍ପୀକରଣ ଓ ତରଳୀକରଣ ଦିଗରେ କାର୍ଯ୍ୟ ଜାରି ରହିଛି ।

 

**********

 



(Release ID: 1632396) Visitor Counter : 297