ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ

Posted On: 17 JUN 2020 3:58PM by PIB Bhubaneshwar

ସମସ୍ତଙ୍କୁ ଅଭିନନ୍ଦନ!!

ଅନଲକ-1 ପରେ ଏହା ଆମର ପ୍ରଥମ ବୈଠକ । ଗତକାଲି ମୁଁ ଦେଶର 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଅନଲକ-1 ଅଭିଜ୍ଞତା ସମ୍ପର୍କରେ ସବିଶେଷ ଆଲୋଚନା କରିଛି । ବାସ୍ତବରେ କେତେକ ବଡ଼ ରାଜ୍ୟ ଓ ସହରରେ କରୋନା ଭୂତାଣୁ ସଂକ୍ରମଣ ଅଧିକ ହେବାରେ ଲାଗିଛି । କେତେକ ସହରରେ ଅତ୍ୟଧିକ ଗହଳି, ଛୋଟ ଘର, ଶାରିରୀକ ଦୂରତାର ଅଭାବ ଓ ପ୍ରତିଦିନ ହଜାର ହଜାର ଲୋକଙ୍କ ଯାତାୟାତ କରୋନା ମହାମାରୀ ବିରୋଧୀ ଲଢ଼େଇକୁ ଅଧିକ ଆହ୍ୱାନମୂଳକ କରିଛି ।

ତଥାପି, ଦେଶର ପ୍ରତ୍ୟେକ ନାଗରିକଙ୍କ ଶୃଙ୍ଖଳା, ପ୍ରଶାସନର ପ୍ରସ୍ତୁତି ଏବଂ ଆମର ସମର୍ପିତ କରୋନା ଯୋଦ୍ଧାଙ୍କ କାରଣରୁ ଆମେ ପରିସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ଯିବାକୁ ଦେଇନାହୁଁ । ଉପଯୁକ୍ତ ସମୟରେ ଟ୍ରେସିଂ, ଚିକିତ୍ସା ଓ ରିପୋର୍ଟିଂ କାରଣରୁ ଭୂତାଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଲଗାତର ଭାବେ ବଢ଼ିବାରେ ଲାଗିଛି । ମାତ୍ର ଅଳ୍ପ ସଂଖ୍ୟକ ରୋଗୀଙ୍କ ପାଇଁ ଆଇସିୟୁ ଓ ଭେଣ୍ଟିଲେଟରର ଆବଶ୍ୟକ ପଡ଼ୁଥିବା ଆମ ପାଇଁ ସବୁଠାରୁ ବଡ଼ ଆଶ୍ୱସ୍ତି ।

ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଆମେ ଏହି ବିଶାଳ ବିପଦକୁ ଲଢ଼ିବାରେ ସମର୍ଥ ହୋଇପାରିଛେ । ଲକଡାଉନ ବେଳେ ଦେଶର ଲୋକମାନେ ଦେଖାଇଥିବା ଶୃଙ୍ଖଳା ଭୂତାଣୁର ଅତ୍ୟଧିକ ଅଭିବୃଦ୍ଧିକୁ ରୋକିପାରିଛି । ଚିକିତ୍ସା, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ପ୍ରଶିକ୍ଷିତ ମାନବ ସମ୍ବଳ ଆଦି କ୍ଷେତ୍ରରେ ଆଜି ଆମେ ଅଧିକ ସ୍ଥିର ସ୍ଥିତିରେ ରହିଛେ ।

ଆପଣମାନେ ଜାଣନ୍ତି ଯେ ମାତ୍ର 3 ମାସ ତଳେ କେବଳ ଭାରତ ନୁହେଁ ବରଂ ବିଶ୍ୱର ଅନେକ ରାଷ୍ଟ୍ର ପିପିଇ ଓ ଡାଏଗ୍ନୋଷ୍ଟିକ୍ କିଟ୍ ପାଇଁ ଚିନ୍ତିତ ଥିଲେ । ଭାରତରେ ମଧ୍ୟ ଏସବୁ ସୀମିତ ସଂଖ୍ୟାରେ ଥିଲା, କାରଣ ଆମକୁ ସମ୍ପୂର୍ଣ୍ଣ ଭାବେ ଆମଦାନି ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ଆଜି 1 କୋଟିରୁ ଅଧିକ ପିପିଇ ଓ ସମାନ ସଂଖ୍ୟକ ଏନ୍-95 ମାସ୍କ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଛି । ଆମ ନିକଟରେ ପର୍ଯ୍ୟାପ୍ତ ପରିମାଣର ଡାଏଗ୍ନୋଷ୍ଟିକ୍ କିଟ୍ ରହିଛି ଏବଂ ସେଗୁଡ଼ିକର ଉତ୍ପାଦନ କ୍ଷମତା ବେଶ୍ ବଢ଼ିଛି । ବର୍ତ୍ତମାନ ଭାରତରେ ପିଏମ୍-କେୟାର୍ସ ପାଣ୍ଠି ଅଧୀନରେ ଭେଣ୍ଟିଲେଟର ଯୋଗାଣ ଆରମ୍ଭ ହୋଇଛି ।

ବର୍ତ୍ତମାନ ସାରା ଦେଶରେ ରୋଗୀଙ୍କ ସୁବିଧା ପାଇଁ 900ରୁ ଅଧିକ କରୋନା ଭୂତାଣୁ ପରୀକ୍ଷାଗାର, ଲକ୍ଷ ଲକ୍ଷ କୋଭିଡ ସ୍ୱତନ୍ତ୍ର ବେଡ୍, ହଜାର ହଜାର ଆବଧାଞ୍ଚଳ ଓ ଏକାନ୍ତବାସ କେନ୍ଦ୍ର ରହିଛି । ଲକଡାଉନ ଅବଧିରେ ଲକ୍ଷ ଲକ୍ଷ ମାନବ ସମ୍ବଳକୁ ପ୍ରଶିକ୍ଷିତ କରାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା, ଆଜି ଦେଶର ପ୍ରତି ନାଗରିକ ପୂର୍ବ ତୁଳନାରେ ଏହି ଭୂତାଣୁ ସମ୍ପର୍କରେ ଅଧିକ ସଚେତନ ଅଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗରେ ସ୍ଥାନୀୟ ପ୍ରଶାସନ ଦିନ ଓ ରାତି କାମ କରିବା କାରଣରୁ ଏହା ସମ୍ଭବପର ହୋଇପାରିଛି ।

ବନ୍ଧୁଗଣ,

କରୋନା ମହାମାରୀ ବିରୋଧୀ ଲଢ଼େଇରେ ଆମର ବିଜୟରେ ଏହି ପ୍ରତିଶ୍ରୁତିମୂଳକ ପଦକ୍ଷେପ ମଧ୍ୟରେ ଆମକୁ ସମାନ ଭାବେ ସ୍ୱାସ୍ଥ୍ୟ ଭିତ୍ତିଭୂମି, ସୂଚନା ବ୍ୟବସ୍ଥା, ଆବେଗିକ ସମର୍ଥନ ଓ ପବ୍ଲିକ୍ ସହଭାଗିତାକୁ ମଧ୍ୟ ଚାଲୁ ରଖିବାକୁ ହେବ ।

ବନ୍ଧୁଗଣ,

ବର୍ଦ୍ଧିତ କରୋନା ଭୂତାଣୁ ରୋଗୀ ସଂଖ୍ୟାକୁ ବିଚାରକୁ ନେଇ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମ୍ପ୍ରସାରଣ କରିବା ଏବଂ ପ୍ରତିଟି ଜୀବନକୁ ବଂଚାଇବା ସବୁଠୁ ଅଧିକ ପ୍ରାଥମିକତା ରହିବା ଉଚିତ । ଯେତେବେଳେ ପ୍ରତ୍ୟେକ କରୋନା ରୋଗୀ ଉପଯୁକ୍ତ ଚିକିତ୍ସା ପାଇବେ, ସେତେବେଳେ ହିଁ ଏହା ସମ୍ଭବ ହୋଇପାରିବ । ଏଥିପାଇଁ ଆମକୁ ପରୀକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ, ଫଳରେ ଯଥାସମ୍ଭମ ଆମେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ, ଟ୍ରାକ୍ ଓ ପୃଥକ କରିପାରିବା । ଆମକୁ ଏହା ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ଯେ ଆମର ପୁରୁଣା ପରୀକ୍ଷଣ କ୍ଷମତା ସମ୍ପୂର୍ଣ୍ଣ ବ୍ୟବହାର ହୋଇସାରିଛି ଏବଂ ଆମେ ଲଗାତର ଏହାକୁ ଅପଗ୍ରେଡ ଓ ସମ୍ପ୍ରସାରଣ କରୁଛୁ ।

ବନ୍ଧୁଗଣ,

ସର୍ବାଧିକ ସଂଖ୍ୟକ ଆବଧାଞ୍ଚଳ ଓ ଏକାନ୍ତବାସ କେନ୍ଦ୍ର ଗତ 2-3 ମାସ ମଧ୍ୟରେ ସ୍ଥାପନ ହୋଇଛି । ଆମକୁ ଏହାର ବେଗକୁ ବଢ଼ାଇବାକୁ ପଡ଼ିବ, ଫଳରେ ଯେଭଳି ରୋଗୀମାନେ କୌଣସି ସ୍ଥାନରେ ବେଡର ଅଭାବ ସାମ୍ନା କରିବେ ନାହିଁ । କରୋନା ମହାମାରୀ ଯୋଗୁ ଟେଲିମେଡିସିନର ଗୁରୁତ୍ୱ ମଧ୍ୟ ବଢ଼ିଛି । ଯେପରି ପ୍ରତ୍ୟେକ, ଘରେ ଆବଧାଞ୍ଚଳ କିମ୍ବା ଏକାନ୍ତବାସରେ ଥିବା ଲୋକ ହେଉ ଅଥବା ଅନ୍ୟ କୌଣସି ରୋଗରେ ପଡ଼ିଥିବା ବ୍ୟକ୍ତି, ସଭିଏଁ ଯେପରି ଟେଲିମେଡିସିନର ସୁଫଳ ପାଇବେ, ତାହା ସୁନିଶ୍ଚିତ କରିବାକୁ ଆମକୁ ପଦକ୍ଷେପ ଗ୍ରହଣ କରିବାକୁ ହେବ ।

ବନ୍ଧୁଗଣ,

ଆପଣମାନେ ସଭିଏଁ ଜାଣନ୍ତି ଯେ କୌଣସି ମହାମାରୀର ମୁକାବିଲା କରିବା ସମୟରେ ଠିକ୍ ସମୟରେ ଠିକ୍ ସୂଚନା ବେଶ୍ ଗୁରୁତ୍ୱ ବହନ କରିଥାଏ । ଏଣୁ ଆମକୁ ଦେଖିବାକୁ ପଡ଼ିବ ଯେ ଆମର ହେଲ୍ପଲାଇନଗୁଡ଼ିକ ସହାୟକ ହେଉଛନ୍ତି, ଅସହାୟ ନୁହେଁ । ଯେହେତୁ କେବଳ ଆମର ମେଡିକାଲ ଓ ପାରାମେଡିକାଲ କର୍ମଚାରୀମାନେ କରୋନା ବିରୋଧରେ ଲଢ଼େଇ କରୁଛନ୍ତି, ଆମକୁ ଟେଲିମେଡିସିନ୍ ଜରିଆରେ ରୁଗଣ ଲୋକଙ୍କୁ ଉପଯୁକ୍ତ ସୂଚନା ମାଧ୍ୟମରେ ମାର୍ଗଦର୍ଶନ କରିବାକୁ ବରିଷ୍ଠ ଡାକ୍ତରଙ୍କ ଟିମ୍ ସୃଷ୍ଟି କରିବାକୁ ହେବ । ଏହାବ୍ୟତୀତ ଜନସାଧାରଣଙ୍କ ପାଇଁ ଦକ୍ଷ ଭାବେ ହେଲ୍ପଲାଇନର ପରିଚାଳନା ପାଇଁ ଆମକୁ ଯୁବ ସ୍ୱେଚ୍ଛାସେବୀଙ୍କ ସେନା ବଢ଼ାଇବାକୁ ପଡ଼ିବ ।

ଅଧିକ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ ହୋଇଥିବା ରାଜ୍ୟରେ ବେଶ ସକାରାତ୍ମକ ଫଳ ଦେଖିବାକୁ ମିଳିଛି । ଆମକୁ ଲଗାତର ଭାବେ ଆରୋଗ୍ୟ ସେତୁ ଆପ୍ର ପହଂଚ ବଢ଼ାଇବା ପାଇଁ ଚେଷ୍ଟା କରିବାକୁ ହେବ, ଫଳରେ ଅଧିକରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିପାରିବେ । ଆମକୁ ମନେ ରଖିବାକୁ ହେବ ଯେ ଏବେ ମୌସୁମୀ ଦେଶରେ ଆଗେଇବାରେ ଲାଗିଛି । ଏହି ଋତୁରେ ଆସୁଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟଥା ଏହା ମଧ୍ୟ ଏକ ବଡ଼ ଆହ୍ୱାନରେ ପରିଣତ ହେବ ।

ବନ୍ଧୁଗଣ,

କରୋନା ବିରୋଧୀ ଲଢ଼େଇରେ ଏକ ଆବେଗିକ ଦିଗ ମଧ୍ୟ ରହିଛି । ନାଗରିକଙ୍କ ମନରେ ଭୂତାଣୁ ପ୍ରତି ରହିଥିବା ଭୟକୁ ଦୂର କରିବା ପାଇଁ ମଧ୍ୟ ଆମକୁ ବାଟ ବାହାର କରିବାକୁ ହେବ । ଆମକୁ ଆମର ଲୋକମାନଙ୍କୁ ସୁନିଶ୍ଚିତ କରିବାକୁ ହେବ ଯେ କରୋନା ଭୂତାଣୁକୁ ହରାଉଥିବା ଲୋକଙ୍କ ସଂଖ୍ୟା ଢେର୍ ଅଧିକ ଓ ଏହାର ବହୁତ ଶୀଘ୍ର ବଢ଼ିଚାଲିଛି । ତେଣୁ ଯଦି କେହି କରୋନା ଦ୍ୱାରା ଆକ୍ରାନ୍ତ ହେଉଛି, ତାହାହେଲେ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି କରୋନା ଯୋଦ୍ଧାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଓ ସେମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବା ଆମର ପ୍ରାଥମିକତା ହେବା ଉଚିତ । ପ୍ରତିଟି ସ୍ତରରେ ସେମାନଙ୍କର ଯତ୍ନ ନେବା ଆମ ସମସ୍ତଙ୍କର, ସାରା ଦେଶର ଦାୟିତ୍ୱ ।

ବନ୍ଧୁଗଣ,

କରୋନା ମହାମାରୀ ବିରୋଧୀ ଲଢ଼େଇରେ ଆମକୁ ଲଗାତର ଭାବେ ନାଗରିକ ସମାଜ ତଥା ସମାଜର ପ୍ରତିଟି କ୍ଷେତ୍ରର ଲୋକମାନଙ୍କୁ ପ୍ରେରଣା ଦେବାକୁ ପଡ଼ିବ । ଏହି ସମ୍ପୂର୍ଣ୍ଣ ଲଢ଼େଇରେ ସେମାନେ ଏକ ପ୍ରଶଂସନୀୟ ଭୂମିକା ତୁଲାଇଛନ୍ତି । ଆମକୁ ବାରମ୍ବାର ଲୋକମାନଙ୍କୁ ସର୍ବସାଧାରଣ ସ୍ଥାନ ଓ ଅଫିସରେ ମାସ୍କ ଦ୍ୱାରା ମୁହଁ ଘୋଡ଼ାଇବା, ସାମାଜିକ ଦୂରତା ରଖିବା ଏବଂ ସାନିଟାଇଜେସନ ପ୍ରକ୍ରିୟା ପାଇଁ ମନେ ପକାଇବାକୁ ହେବ । ଏହି ଦିଗରେ କାହାକୁ ବେଖାତିର କରିବା ପାଇଁ ଅନୁମତି ମିଳିବା ଅନୁଚିତ ।

ବନ୍ଧୁଗଣ,

ବହୁ ରାଜ୍ୟ କରୋନା ମହାମାରୀ ଲଢ଼େଇରେ ୟେଓମାନ ସେବା କରୁଛନ୍ତି । ଏହି ରାଜ୍ୟଗୁଡ଼ିକର ଉତ୍ତମ ଅଭ୍ୟାସ ସେୟାର ହେବା ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ । ମୋର ବିଶ୍ୱାସ ରହିଛି ଯେ ପ୍ରତ୍ୟେକ ରାଜ୍ୟ ସେମାନଙ୍କ ଅଭିଜ୍ଞତା ଓ ପରାମର୍ଶକୁ ଖୋଲା ମନରେ ରଖିବେ । ଏହା ଆଗାମୀ ଦିନରେ ଏକ ଉତ୍ତମ ରଣନୀତି ପ୍ରସ୍ତୁତିରେ ଆମକୁ ସହାୟକ ହେବ । ସ୍ୱରାଷ୍ଟ୍ର ମନ୍ତ୍ରୀ ଏବେ ଆଲୋଚନାକୁ ଆଗକୁ ବଢ଼ାନ୍ତୁ ବୋଲି ମୁଁ  ଅନୁରୋଧ କରୁଛି ।

 

**********



(Release ID: 1632394) Visitor Counter : 194