ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

'କୋଭିଡ-19 ମହାମାରୀ ସମୟରେ ନିରାପଦ ଅନଲାଇନ ଅଧ୍ୟୟନ' ପୁସ୍ତିକା ଉନ୍ମୋଚିତ

• ଏନସିଆରଟି ଓ ୟୁନେସ୍କୋ ନୂଆଦିଲ୍ଲୀ କାର୍ଯ୍ୟାଳୟ ଦ୍ୱାରା ଏହି ପୁସ୍ତିକା ପ୍ରସ୍ତୁତ

Posted On: 05 JUN 2020 3:51PM by PIB Bhubaneshwar

କୋଭିଡ-19 ମହାମାରୀ ସମୟରେ ନିରାପଦ ଅନଲାଇନ ଶିକ୍ଷାଦାନକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏକ ତଥ୍ୟଭିତ୍ତିକ ପୁସ୍ତିକା ଉନ୍ମୋଚନ କରିଛନ୍ତି ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚିତ ଏହି ପୁସ୍ତିକା ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ମଧ୍ୟରେ ନିରାପଦ ଶିକ୍ଷାଦାନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ । ଏନସିଆରଟି ଏବଂ ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟ ପକ୍ଷରୁ ଏହି ପୁସ୍ତିକା ଉନ୍ମୋଚନ କରାଯାଇଛି । ଏହି ପୁସ୍ତିକା ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ଶିକ୍ଷାଦାନ ସହ ଇଣ୍ଟରନେଟର ନିରାପଦ ଶିକ୍ଷାଦାନ ଉପରେ ଦିଗଦର୍ଶନ ଦେବ । ଏହି ପୁସ୍ତକ ଉନ୍ମୋଚନ କରି ଶ୍ରୀ ପୋଖରିଆଲ କହିଛନ୍ତି ଯେ, କୋଭିଡ-19 ପରିସ୍ଥିତି ଦୃଷ୍ଟିରୁ ଅନଲାଇନ ଓ ଦୂର ନିରନ୍ତର ଶିକ୍ଷାଦାନର ମହତ୍ଵ ବୃଦ୍ଧି ପାଇଛି । ଅନଲାଇନ ପ୍ଲାଟଫର୍ମର ବ୍ୟବହାର କରି ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀ ଏହାର ଉପଯୋଗ କରୁଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଏନସିଆରଟି ଅନଲାଇନ ଜରିଆରେ ଯେପରି ଶିକ୍ଷାର୍ଥୀ ନିରାପଦରେ ଶିକ୍ଷା ଲାଭ କରିପାରିବେ ସେଥିପାଇଁ ଅଙ୍ଗୀକାରବଦ୍ଧ । ସାଇବର ଠକାମିର ଶିକାର ହେଉଥିବା ଶିକ୍ଷାର୍ଥୀମାନେ ଏ ସମ୍ପର୍କରେ ସୂଚନା ଦେଇ  ସହାୟତା ପାଇପାରିବେ । ସେ କହିଛନ୍ତି ଯେ, ଏନସିଆରଟି ଓ ୟୁନେସ୍କୋ ମିଳିତଭାବେ ଏଭଳି ଏକ ପୁସ୍ତିକା ବିକଶିତ କରିଥିବାରୁ ସେ ଅତ୍ୟନ୍ତ ଖୁସି । ଏହି ପୁସ୍ତିକା ଶିକ୍ଷକ ଓ ଛାତ୍ରାଛାତ୍ରୀଙ୍କୁ ସଚେତନ କରିବା ସହ ସାଇବର ଠକାମି ବିରୁଦ୍ଧରେ ସମୟୋଚିତ ପଦକ୍ଷେପ ନିଆଯାଇ ପାରିବକୋଭିଡ-19 ବୈଶ୍ଵିକ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମାର୍ଚ୍ଚ 20ରୁ ବନ୍ଦ ରହିଛି । ଏହା ଶିକ୍ଷାଦାନ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିବା ବେଳେ ଶତକଡା 90 ଭାଗ ଛାତ୍ରଛାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଯେପରି ଶିକ୍ଷାଦାନ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ସମ୍ପାଦିତ ହେବ ସେଥିପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ରାଜ୍ୟ ଶିକ୍ଷା ବିଭାଗଗୁଡିକ ଅହରହ ପ୍ରୟାସ ଜାରି ରଖିଛନ୍ତି । ମାତ୍ର କିଶୋର କିଶୋରୀମାନଙ୍କ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ସହ ଯୋଡିହେବା ଯୋଗୁଁ ସାଇବର ଅପବ୍ୟବହାରର ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି ।

ଭାରତରେ ଆନୁମାନିକ 5 ରୁ 11 ବର୍ଷ ମଧ୍ୟରେ 71 ନିୟୁତ ଛାତ୍ରଛାତ୍ରୀ ତାଙ୍କ ଘର ବା ପରିବାରର ଇଣ୍ଟରନେଟ ବ୍ୟବହାର କରିଥାନ୍ତି । ଦେଶରେ ଦୁଇ ତୃତୀୟାଂଶ ଇଣ୍ଟରନେଟ ବ୍ୟବହାର କରୁଥିବା ପିଲାଙ୍କ ବୟସ 12 ରୁ 29 ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ବିଭିନ୍ନ ପରିସଂଖ୍ୟାନ ଓ ତଥ୍ୟରୁ ଜଣାପଡିଛି ଯେ, ଲକଡାଉନ ପରବର୍ତ୍ତୀ ସମୟରେ ଏହି ଇଣ୍ଟରନେଟ ଅପବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । ଏହାକୁ ହୃଦୟଙ୍ଗମ କରି ଏନସିଆରଟି ଏବଂ ୟୁନେସ୍କୋର ନୂଆଦିଲ୍ଲୀ କାର୍ଯ୍ୟାଳୟ ଏହି ତଥ୍ୟ ଭିତ୍ତିକ ପୁସ୍ତକର ପରିକଳ୍ପନା କରିଛନ୍ତି ।

ନୂଆଦିଲ୍ଲୀସ୍ଥିତ ୟୁନେସ୍କୋ କାର୍ଯ୍ୟାଳୟର ପ୍ରତିନିଧି ଏରିକ ଫାଲ୍ଟ କହିଛନ୍ତି ଯେ, ସବୁ ପିଲାଙ୍କ ନିରାପଦ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ୟୁନେସ୍କୋ ସଙ୍କଳ୍ପବଦ୍ଧ । ଏକଥା ସତ୍ୟ ଯେ, ୱେବସାଇଟ, ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକ ସାଇବର ନିର୍ଯାତନା ମୁକ୍ତ । ତେବେ  ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇଁ ଆଗ୍ରହୀ ହେବା ଆବଶ୍ୟକ । ଏହି ପୁସ୍ତିକା ସାଇବର ନିର୍ଯାତନାର କୁପରିଣାମ ଉପରେ ଆଲୋକପାତ କରିବା ସହ ଏହାକୁ କିପରି ପ୍ରତିରୋଧ କରିହେବ ସେ ସମ୍ପର୍କରେ ସମାଧାନର ସୂତ୍ର ପ୍ରଦାନ କରିଛି । ଏକ ନିରାପଦ ଅନଲାଇନ ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ୟୁନେସ୍କୋ ଏବଂ ଏନସିଆରଟି ଏଥିରେ ସବୁ ପ୍ରକାର ପ୍ରଚେଷ୍ଟା କରିଛନ୍ତି ।

ଏନସିଆରଟିର ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି କହିଛନ୍ତି ଯେ, ଅନଲାଇନ ନିରାପତ୍ତା ଓ ସାଇବର ନିର୍ଯାତନାର ନିରାକରଣ ବିନା ଆମର ଶିକ୍ଷା ପଦ୍ଧତିରେ କରାଯାଇଥିବା ଆର୍ଥିକ ବିନିଯୋଗର କୌଣସି ମୂଲ୍ୟ ରହିବ ନାହିଁ । ବିପଦପୂର୍ଣ୍ଣ ଶିକ୍ଷା ପରିବେଶ ଗୁଣାତ୍ମକ ମାନ ହ୍ରାସ କରିବା ସହ ପିଲାମାନଙ୍କ ଭବିଷ୍ୟତ ଓ କର୍ମସଂସ୍ଥାନ ସୁଯୋଗକୁ ନଷ୍ଟ କରିଦେବ । ଏନସିଆରଟି ଅନଲାଇନ ଅପବ୍ୟବହାରକୁ ରୋକିବା ତଥା ଯୁବ ସମାଜର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି । 

Click here to see PDF on Safe to learn in English

Click here to see PDF on Safe to learn in Hindi

 

**********

    

 



(Release ID: 1629702) Visitor Counter : 273