ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଦେଶ ଓ ଭାରତରେ ଫସି ରହିଥିବା ଲୋକଙ୍କ ଯାତ୍ରା ପାଇଁ ଏସଓପି ଜାରି

Posted On: 24 MAY 2020 8:40PM by PIB Bhubaneshwar

ଦେଶ ଭିତରେ ଓ ବିଦେଶରେ ଫସି ରହିଥିବା ଲୋକଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାନକ ପରିଚାଳନା ନିୟମ (ଏସଓପି) ଜାରି କରାଯାଇଛି। ଭାରତୀୟ ନାଗରିକ ଯେଉଁମାନେ ବିଦେଶରେ ଫସି ରହିଛନ୍ତି ଏବଂ ସ୍ଵଦେଶ ଫେରିବା ଲାଗି ଚାହୁଁଛନ୍ତି ସେମାନେ ଏହି ଏସଓପିକୁ ପାଳନ କରିବେ। ସେହିପରି ଭାରତରେ ଅଟକିଥିବା ଲୋକ ଯେଉଁମାନେ ଜରୁରି କାରଣରୁ ବିଦେଶ ଯାତ୍ରା ଲାଗି ଚାହୁଁଛନ୍ତି ସେମାନଙ୍କୁ ମଧ୍ୟ ଏହି ନିୟମ ପାଳନ କରିବାକୁ ହେବ। ଗତ 5.5.2020ରେଜାରି ଗୃହ ମନ୍ତ୍ରଣାଳୟର ଆଦେଶ ଉପରେ ଏହି ଆଦେଶ ଲାଗୁ ହେବ। ସେହିପରି ଭୂସୀମା ଦେଇ ପ୍ରବେଶ କରୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ଏହି ଏସଓପି ଲାଗୁ ହେବ

କୋଭିଡ-19 ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଯାତ୍ରୀଙ୍କ ଅନ୍ତର୍ଜାତୀୟ ଯାତ୍ରାକୁ ଲକଡାଉନ ପଦକ୍ଷେପ ଅଧୀନରେ ନିଷିଦ୍ଧ କରାଯାଇଛି ସୂଚନା ଅନୁଯାୟୀ ଲକଡାଉନ ପୂର୍ବରୁ ନିଯୁକ୍ତି, ଅଧ୍ୟୟନ, ପର୍ଯ୍ୟଟନ, ବ୍ୟବସାୟ ଆଦି ବିଭିନ୍ନ କାରଣରୁ ବିଦେଶ ଯାତ୍ରା କରିଥିବା ଭାରତୀୟମାନେ ସେଠାରେ ଅଟକି ରହିଯାଇଛନ୍ତି ଦୀର୍ଘଦିନ ଧରି ବିଦେଶରେ ରହିବା ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ତୁରନ୍ତ ଭାରତ ଫେରିବା ଲାଗି ଇଚ୍ଛୁକ ଅଛନ୍ତି। ଏହାଛଡ଼ା ବିଦେଶରେ ଆହୁରି କିଛି ଭାରତୀୟ ନାଗରିକମାନେ ଅଛନ୍ତି ଯେଉଁମାନେ ଜରୁରିକାଳୀନ ଚିକିତ୍ସା କିମ୍ବା ଆତ୍ମୀୟଙ୍କ ଦେହାନ୍ତ କାରଣରୁ ଭାରତକୁ ଫେରିବା ଲାଗି ଚାହୁଁଛନ୍ତି। ଏହାଛଡ଼ା ଭାରତରେ ମଧ୍ୟ ଏପରି କିଛି ଲୋକ ଫସି ରହିଛନ୍ତି, ଯେଉଁମାନେ ବିଭିନ୍ନ କାରଣରୁ ବିଦେଶ ଯାତ୍ରା କରିବା ଲାଗି ଚାହୁଁଛନ୍ତି।

ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କ ପାଇଁ, ଦୁଃଖକଷ୍ଟରେ ଥିବା ଭାରତୀୟ ନାଗରିକମାନଙ୍କୁ ଅଧିକ ଅଗ୍ରାଧିକାର ଦିଆଯିବ। ଛଟେଇ ହୋଇଥିବା ପ୍ରବାସୀ ଶ୍ରମିକ/କର୍ମଚାରୀ,  ସ୍ଵଳ୍ପ ଅବଧି ଭିସା ଧାରୀ ଯେଉଁମାନଙ୍କ ଭିସା ଅବଧି ଶେଷ ହୋଇସାରିଛି, ଜରୁରି ଚିକିତ୍ସା ଚାହୁଁଥିବା ବ୍ୟକ୍ତି/ଗର୍ଭବତୀ ମହିଳା/ବୟସ୍କ, ଆତ୍ମୀୟସ୍ଵଜନଙ୍କ ଦେହାନ୍ତ ଯୋଗୁ ଭାରତ ଫେରିବା ଲାଗି ଚାହୁଁଥିବା ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀଙ୍କୁ ଫେରିବା ଲାଗି ପ୍ରାଥମିକ ଅନୁମତି ଦିଆଯିବ।

ଏଭଳି ବ୍ୟକ୍ତିବିଶେଷ ଯେଉଁ ଦେଶରେ ଫସି ରହିଛନ୍ତି, ସେହି ଦେଶରେ ଥିବା ଭାରତୀୟ ଦୂତାବାସରେ ନିଜକୁ ପଞ୍ଜିକୃତ କରିବେ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ସୂଚନା ପ୍ରଦାନ କରିବେ ସେମାନେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ଵାରା ଅନୁମତିପ୍ରାପ୍ତ ଅଣଅନୁସୂଚିତ ବାଣିଜ୍ୟିକ ବିମାନ ଏବଂ ସାମରିକ ବ୍ୟାପାର ବିଭାଗ/ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ଜାହାଜରେ ଭାରତ ଫେରିବେ ଯାତ୍ରୀଙ୍କୁ ଯାତ୍ରା ଖର୍ଚ୍ଚ ଦେବାକୁ ପଡ଼ିବ। ଆହୁରି, ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ନଥିବ ସେମାନଙ୍କୁ ଭାରତ ଫେରିବା ଲାଗି ଅନୁମତି ମିଳିବ।

ସମସ୍ତ ତଥ୍ୟ ସହିତ ଏଭଳି ସମସ୍ତ ଯାତ୍ରୀଙ୍କ ବିମାନ/ଜାହାଜ ଡାଟାବେସ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯିବ ଏବଂ ଏହାକୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପ୍ରଦାନ କରାଯିବ। ଆହୁରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ଯେଉଁମାନେ ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସହିତ ଏ ପ୍ରସଙ୍ଗରେ ସମନ୍ଵୟ ରକ୍ଷା କରିବେ। ଜାହାଜ ଓ ବିମାନ ପହଞ୍ଚିବାର ତାରିଖ, ସ୍ଥାନ ଓ ପହଞ୍ଚିବାର ସମୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନଲାଇନ ଡିଜିଟାଲ ପ୍ଲାଟଫର୍ମରେ ଅତିକମରେ ଦୁଇ ଦିନ ପୂର୍ବରୁ ପ୍ରଦର୍ଶିତ କରାଯିବ।

ଗୃହ ମନ୍ତ୍ରଣାଳୟର ଏସଓପି ସମେତ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଙ୍ଗରୋଧ ବ୍ୟବସ୍ଥା ଏବଂ ଅନ୍ତର୍ଜାତୀୟ ଆଗମନ ପାଇଁ ଗାଇଡଲାଇନ ନିମ୍ନ ଲିଙ୍କରେ ଦିଆଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ଯାତ୍ରା ଆରମ୍ଭ କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ ଯେ ସେମାନେ 14 ଦିନ ପାଇଁ ସଙ୍ଗରୋଧରେ ରହିବେ। 7 ଦିନ ସରକାରୀ ସଙ୍ଗରୋଧ ଏବଂ 7 ଦିନ ଘରୋଇ ସଙ୍ଗରୋଧରେ ରହିବେ।

ଭାରତରେ ଅଟକି ରହିଥିବା ଏବଂ ବିଦେଶ ଯାତ୍ରା ଲାଗି ଆଗ୍ରହୀ ଲୋକମାନଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କିମ୍ବା ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ସଂସ୍ଥା ନିକଟରେ ସମସ୍ତ ଜରୁରି ବିବରଣୀ, ପ୍ରସ୍ଥାନ ଓ ଆଗମନ ସୂଚନା ଦାଖଲ କରିବାକୁ ପଡ଼ିବ।  ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଆଣିବା ଲାଗି ଯାଉଥିବା ଅଣ ଅନୁସୂଚିତ ବିମାନରେ ସେମାନଙ୍କୁ ଭାରତରୁ ଯାତ୍ରା ଲାଗି ଅନୁମତି ମିଳିବ। ଯାତ୍ରୀମାନଙ୍କୁ ହିଁ ଯାତ୍ରା ଖର୍ଚ୍ଚ ବହନ କରିବାକୁ ହେବ।

ଗନ୍ତବ୍ୟ ରାଷ୍ଟ୍ରଗୁଡ଼ିକୁ ଯାତ୍ରା  କରିବା ଲାଗି କେବଳ ସେହିମାନଙ୍କୁ ଅନୁମତି ଦିଆଯିବ ଯେଉଁମାନେ ସେହି ଦେଶର ନାଗରିକ ହୋଇଥିବେ; ଯେଉଁମାନଙ୍କ ନିକଟରେ ସେହି ଦେଶର ପାଖାପାଖି ଗୋଟିଏ ବର୍ଷର ଭିସା ରହିଥିବ ଏବଂ ଗ୍ରୀନ କାର୍ଡ ଏବଂ ଓସିଆଇ କାର୍ଡଧାରୀ ହୋଇଥିବେ। ଜରୁରି ଚିକିତ୍ସା କିମ୍ବା ଆତ୍ମୀୟଙ୍କ ବିୟୋଗ କ୍ଷେତ୍ରରେ 6 ମାସର ଭିସା ଥିବା ଭାରତୀୟ ନାଗରିକମାନଙ୍କୁ ଅନୁମତି ଦିଆଯିବ। ଏପରି ଯାତ୍ରୀଙ୍କ ଟିକେଟ ସୁନିଶ୍ଚିତ ହେବା ପୂର୍ବରୁ ସେମାନଙ୍କୁ ଗନ୍ତବ୍ୟ ରାଷ୍ଟ୍ରରେ ପ୍ରବେଶ କରିବା ଲାଗି ଅନୁମତି ମିଳିବ କି ନାହିଁ ତାହା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୁନିଶ୍ଚିତ କରାଯିବ।

ଭାରତୀୟ ନାବିକ/ଜାହାଜ କର୍ମଚାରୀ ଯେଉଁମାନେ ବିଦେଶୀ ଜାହାଜରେ କାମ କରିବା ଲାଗି ଚୁକ୍ତି କରିଛନ୍ତି ସେମାନେ ମଧ୍ୟ ବନ୍ଦେ ଭାରତ ଅଭିଯାନ ଅଧୀନରେ ଭାରତରୁ ଯାତ୍ରା କରୁଥିବା ଅଣ ଅନୁସୂଚିତ ବାଣିଜ୍ୟିକ ବିମାନ କିମ୍ବା ସେମାନଙ୍କ ନିଯୁକ୍ତିଦାତାଙ୍କ ଦ୍ଵାରା ବ୍ୟବସ୍ଥା କରାଯାଇଥିବା ବିମାନରେ ବାହାରକୁ ଯାତ୍ରା କରିପାରିବେ। ଅବଶ୍ୟ ଏଥିପାଇଁ ସେମାନଙ୍କୁ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡ଼ିବ।

ବିମାନରେ ଯାତ୍ରା କରିବା ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଯାତ୍ରୀଙ୍କର ସ୍ଵାସ୍ଥ୍ୟ ବ୍ୟବସ୍ଥା ଅନୁଯାୟୀ ତାପମାତ୍ରା ଯାଞ୍ଚ କରାଯିବ କେବଳ ଲକ୍ଷଣ ନଥିବା ଯାତ୍ରୀଙ୍କୁ ହିଁ ବିମାନରେ ଯାତ୍ରା ନିମନ୍ତେ ସୁଯୋଗ ମିଳିବ। ବିମାନ ଭିତରେ ସମସ୍ତ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା, ପରିବେଶକୁ ସ୍ଵଚ୍ଛ ରଖିବା, ଶ୍ଵାସକ୍ରିୟାକୁ ସ୍ଵଚ୍ଛ ରଖିବା ଏବଂ ହାତ ସଫା ରଖିବା ଭଳି ନିୟମ ମାନିବାକୁ ପଡ଼ିବ

 

********

 



(Release ID: 1626665) Visitor Counter : 364