ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ଜନଜାତି କଳାକାର ଓ ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହକାରୀଙ୍କ ଜୀବନଜୀବିକା ସୁରକ୍ଷା ଲାଗି ସରକାରଙ୍କ ତ୍ଵରିତ ପଦକ୍ଷେପ

• କୋଭିଡ-19 ଲକଡାଉନ ଯୋଗୁ ପ୍ରଭାବିତ ସାରା ଦେଶରେ ଜନଜାତି କଳାକାରଙ୍କ ଠାରୁ 23 କୋଟି ଟଙ୍କାର ଉତ୍ପାଦ କିଣିବ ଟ୍ରାଇଫେଡ

प्रविष्टि तिथि: 04 MAY 2020 1:45PM by PIB Bhubaneshwar

କୋଭିଡ-19 ମହାମାରୀ ସଂକ୍ରମଣ କାରଣରୁ ଜନଜାତି କଳାକାରମାନେ ଅପ୍ରତ୍ୟାଶିତ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏଭଳି ସ୍ଥିତିରେ ଜନଜାତି ଦ୍ରବ୍ୟ ସଂଗ୍ରହକାରୀ ଓ କଳାକାରମାନଙ୍କୁ ସହାୟତା  ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ବିଭିନ୍ନ ତ୍ଵରିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ‘ଜନଜାତି ଉତ୍ପାଦର ବିକାଶ ଏବଂ ବିପଣନ ପାଇଁ ସଂସ୍ଥାଗତ ସମର୍ଥନ’ ଯୋଜନା ଅଧୀନରେ ଲଘୁ ଜଙ୍ଗଲଜାତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିସାରିଛନ୍ତି। ଏହି ଯୋଜନା ଅଧୀନରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଟ୍ରାଇଫେଡ 10 ଲକ୍ଷ ଜନଜାତି କଳାକାର ପରିବାର ସହିତ ଯୋଡ଼ି ହୋଇଛି ବିଗତ 30 ଦିନରୁ ଊର୍ଦ୍ଧ୍ବ ସମୟ ଧରି ଦେଶବ୍ୟାପୀ ଲକଡାଉନ ଜାରି ହେବା କାରଣରୁ ବାଣିଜ୍ୟିକ କାର୍ଯ୍ୟକଳାପ ବନ୍ଦ ହେବା ଫଳରେ ଜନଜାତି କଳାକାରମାନଙ୍କର ଜୀବନଜୀବିକା ପ୍ରଭାବିତ ହେବା ସହିତ ସେମାନେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛନ୍ତି। ସେମାନଙ୍କ ପାଖରେ ବହୁ ପରିମାଣରେ ସାମଗ୍ରୀ ରହିଥିବା ବେଳେ ସେଗୁଡ଼ିକ ବିକ୍ରି ହେଉନାହିଁ। ଏସବୁ ସାମଗ୍ରୀ ମଧ୍ୟରେ  ପୋଷାକ, ଉପହାର ଓ ଗୃହ ସଜ୍ଜା ଉପକରଣ, ବନଧନ ପ୍ରାକୃତିକ ସାମଗ୍ରୀ, ଧାତୁ, ଅଳଙ୍କାର, ଜନଜାତି ଚିତ୍ରକଳା, ମାଟିପାତ୍ର, କେନ ଓ ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ ଆଦି ରହିଛି। ଏହାକୁ ଦୃଷ୍ଟିରେ ରଖି ଜନଜାତି ସମୁଦାୟଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନିଆଯାଇଛି:

ଅଧିକାଂଶ ଜନଜାତି କଳାକାର ସେମାନଙ୍କ ଜୀବିକା ନିର୍ବାହ ପାଇଁ ବିଭିନ୍ନ ପ୍ରକାରର ଜଙ୍ଗଲଜାତ ସାମଗ୍ରୀ ଓ ଜନଜାତି ଉପକରଣ ବିକ୍ରୟ କରିଥାନ୍ତି। ମାତ୍ର ଏବେ ଲକଡାଉନ କାରଣରୁ ସେଗୁଡ଼ିକ ବିକ୍ରି ହୋଇନପାରିବା କାରଣରୁ ସେମାନଙ୍କ ଜୀବନ ନିର୍ବାହ ପ୍ରଭାବିତ ହୋଇଛି। ଦେଶବ୍ୟାପୀ ଜନଜାତି କଳାକାରଙ୍କ ଠାରୁ ଟ୍ରାଇଫେଡ ପକ୍ଷରୁ 23 କୋଟି ଟଙ୍କାର ଉତ୍ପାଦ କିଣିବା ଲାଗି ନିଷ୍ପତ୍ତି ନିଆଯାଇଛି।

ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ସହଯୋଗରେ ଟ୍ରାଇଫେଡ ପକ୍ଷରୁ ପ୍ରତ୍ୟେକ ଆଦିବାସୀ ପରିବାରକୁ ଏକ ହଜାର ଟଙ୍କା ମୂଲ୍ୟର ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଉଛି। ଏସବୁ ସାମଗ୍ରୀ ମଧ୍ୟରେ ରହିଛି 5କିଗ୍ରା ଅଟା, 2 କିଗ୍ରା ଡାଲି, 3 କିଗ୍ରା ଚାଉଳ, 500 ମିଲି ଖାଇବା ତେଲ, 100 ଗ୍ରାମ ହଳଦୀ ପାଉଡର, 100 ଗ୍ରାମ ନାଲି ଲଙ୍କା ପାଉଡର, 100 ଗ୍ରାମ ଜିରା, 100 ଗ୍ରାମ କଳା ସୋରିଷ, 100 ଗ୍ରାମ ତରକାରୀ ମସଲା, 2ଟି ସାବୁନ। 

ରିହାତି ଦରରେ ଜନଜାତି କଳାକାରମାନଙ୍କୁ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ଆର୍ଥିକ ସଂସ୍ଥାନ ସହିତ ଟ୍ରାଇଫେଡ ପକ୍ଷରୁ ଆଲୋଚନା କରାଯାଉଛି।

ସେହିପରି ଜନଜାତି କଳାକାର ଓ ଦ୍ରବ୍ୟ ସଂଗ୍ରହକାରୀମାନଙ୍କୁ ଜୀବିକା ନିର୍ବାହରେ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ 1 ନିୟୁତ ମାସ୍କ, ସାବୁନ, ଗ୍ଲୋବ୍ସ ଏବଂ 20 ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ ବଣ୍ଟନ ଲାଗି ଟ୍ରାଇଫେଡ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଏହାଛଡ଼ା ୟୁନିସେଫର ସହଭାଗିତାରେ ଜନଜାତି ସମୁଦାୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ  ଟ୍ରାଇଫେଡ ପକ୍ଷରୁ ଏପ୍ରିଲ 9 ତାରିଖରେ ଏକ ଜାତୀୟ ସ୍ତରର ୱେବିନାର ଆୟୋଜନ କରାଯାଇଥିଲା।

 

**********

 


(रिलीज़ आईडी: 1621003) आगंतुक पटल : 245
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Punjabi , Tamil , Telugu , Kannada , Malayalam