ରସାୟନ ଓ ସାର ମନ୍ତ୍ରଣାଳୟ

କୋଭିଡ-19 ମହାମାରୀ ସମୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଉଛି ଜନୌଷଧି କେନ୍ଦ୍ର : ମନସୁଖ ମାଣ୍ଡଭିୟ

• ପ୍ରତିଦିନ 10 ଲକ୍ଷ ଲୋକ ଜନୌଷଧି କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣୁଛନ୍ତି

Posted On: 04 MAY 2020 5:44PM by PIB Bhubaneshwar

କୋଭିଡ-19 ମହାମାରୀ ସମୟରେ ଦେଶରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଶ୍ରୀ ମନସୁଖ ମାଣ୍ଡଭିୟ ସାରା ଦେଶରେ ପ୍ରତିଦିନ ପ୍ରାୟ 10 ଲକ୍ଷ ଲୋକ 6 ହଜାର ଜନୌଷଧି କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣୁଛନ୍ତି ଏହି କେନ୍ଦ୍ରଗୁଡ଼ିକ ହାଇଡ୍ରକ୍ସି କ୍ଳୋରୋକୁଇନ ମଧ୍ୟ ବିକ୍ରୟ କରୁଛନ୍ତି । ଶ୍ରୀ ମାଣ୍ଡଭିୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଫାର୍ମାସ୍ୟୁଟିକାଲ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ଉଚ୍ଚ ଗୁଣବତ୍ତାଯୁକ୍ତ ଔଷଧଗୁଡିକୁ ସୁଲଭ ମୂଲ୍ୟରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ପ୍ରଧାନମନ୍ତ୍ରୀଙ୍କ ଯେଉଁ ସ୍ଵପ୍ନ ଥିଲା ତାହା ଜନୌଷଧି କେନ୍ଦ୍ର ମାଧ୍ୟମରେ ବାସ୍ତବ ରୂପ ନେଇଛି । ଏହି ଯୋଜନା ଆରମ୍ଭ ହେବାର 5.5 ବର୍ଷ ମଧ୍ୟରେ ସାରା ଦେଶରେ ପ୍ରାୟ 6 ହଜାର ଜନୌଷଧି କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରମାନଙ୍କରେ ଉଚ୍ଚ ଗୁଣବତ୍ତାଯୁକ୍ତ ଔଷଧଗୁଡିକୁ ବଜାର ଦର ଠାରୁ ପ୍ରାୟ 50 ରୁ 90 ପ୍ରତିଶତ କମ ମୂଲ୍ୟରେ ଯୋଗାଇ ଦିଆଯାଉଛି । ଲକଡାଉନ କାଳରେ ଔଷଧ ଛଡା ଏହି ଜନୌଷଧି କେନ୍ଦ୍ରଗୁଡ଼ିକ ରାସନ କିଟ, ରନ୍ଧା ଖାଦ୍ୟ ଓ ନିଃଶୁଳ୍କ ଔଷଧ ମଧ୍ୟ ବିତରଣ କରିଛନ୍ତି । କୋଭିଡ-19 ମହାମାରୀ କାଳରେ ଏହି ଜନୌଷଧି କେନ୍ଦ୍ରଗୁଡ଼ିକ ଜନସାଧାରଣଙ୍କ ସେବା ଲାଗି ଅହୋରାତ୍ର କାର୍ଯ୍ୟ କରୁଛନ୍ତି । ଏପ୍ରିଲ ମାସରେ ସାରା ଦେଶରେ ପ୍ରାୟ 52 କୋଟି ଟଙ୍କା ମୂଲ୍ୟର ଔଷଧ ଯୋଗାଇ ଦିଆଯାଇଛି । ଏହି ଜନୌଷଧି କେନ୍ଦ୍ରଗୁଡ଼ିକ ଔଷଧ ଛଡା ହାଇଡ୍ରକ୍ସି କ୍ଳୋରୋକୁଇନ (ଏଚସିକ୍ୟୁ), ଏନ-95 ମାସ୍କ, ତ୍ରିସ୍ତରୀୟ ସ୍ଵତନ୍ତ୍ର ମାସ୍କ ଓ ହସ୍ତ ବିଶୋଧକ ଆଦି ସୁଲଭ ମୂଲ୍ୟରେ ବିକ୍ରୟ କରୁଛନ୍ତି । ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ କୋଭିଡ-19 ସଂକ୍ରମଣ କାଳରେ ଜନୌଷଧି କେନ୍ଦ୍ରଗୁଡ଼ିକର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

**********



(Release ID: 1620977) Visitor Counter : 213