ରସାୟନ ଓ ସାର ମନ୍ତ୍ରଣାଳୟ

ଲକଡାଉନ ଅବଧି ଏପ୍ରିଲ ମାସରେ ଜନୌଷଧି କେନ୍ଦ୍ରସମୂହର ରେକର୍ଡ 52 କୋଟି ଟଙ୍କାର କାରବାର

Posted On: 03 MAY 2020 1:48PM by PIB Bhubaneshwar

ଲକଡାଉନ କାଳରେ ଜିନିଷପତ୍ର ସଂଗ୍ରହ ଓ ବିକ୍ରିବଟାରେ ସମସ୍ୟା ସତ୍ୱେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ସମୂହ ( ପିଏମବିଜେଏକେ) ଏପ୍ରିଲ ମାସରେ ରେକର୍ଡ 52 କୋଟି ଟଙ୍କାର ଔଷଧପତ୍ର ବିକ୍ରି କରିବାରେ ସଫଳ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ବିକ୍ରି ପରିମାଣ ଥିଲା 42 କୋଟି ଟଙ୍କା । 2019 ଏପ୍ରିଲରେ ଏହା ମାତ୍ର  17 କୋଟି ଟଙ୍କା ଥିଲା ।

ଲକଡାଉନ କାଳରେ ସାରାଦେଶରେ କରୋନା ସମସ୍ୟାର ମୁକାବିଲା ପାଇଁ ଗୁରୁତ୍ୱର ଆହ୍ୱାନ ରହିଛି । ଏହି ସମୟରେ ଲୋକଙ୍କ ମଧ୍ୟରେ ଔଷଧପତ୍ର ଓ ଡାକ୍ତରୀ ସାମଗ୍ରୀର ଚାହିଦା ଯଥେଷ୍ଟ ବଢିଛି । ସେହି ଆବଶ୍ୟକତା ପୂରଣ କରିବା ପାଇଁ ଜନୌଷଧି କେନ୍ଦ୍ରଗୁଡକ ପକ୍ଷରୁ ସତପରୋନାସ୍ତି ଚେଷ୍ଟା କରାଯାଉଛି । ଏହି ସମୟରେ କେବଳ ଏପ୍ରିଲ ମାସରେ ଏସବୁ କେନ୍ଦ୍ର ଦ୍ୱାରା 52 କୋଟି ଟଙ୍କାର ଔଷଧ ଓ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ବିକ୍ରି କରାଯାଇଛି ।  ଯାହା ଏକ ରେକର୍ଡ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସବୁ କେନ୍ଦ୍ରରୁ ଲୋକଙ୍କୁ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି ।

ଖୋଲାବଜାରରେ ଉପଲବ୍ଧ ଔଷଧ ତୁଳନାରେ ଜନୌଷଧି ଔଷଧପତ୍ରର ମୂଲ୍ୟ ହାରାହାରି 50 ରୁ 90 ଶତାଂଶ କମ୍ । ଏହା ଫଳରେ ଗୋଟିଏ ମାସରେ ଦେଶର ସାଧାରଣ ଔଷଧ କ୍ରେତା ପ୍ରାୟ 300 କୋଟି ଟଙ୍କା ବଂଚାଇ ପାରିଛନ୍ତି ।

କେନ୍ଦ୍ର ରାସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା ଓ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସଫଳତା ପାଇଁ ଜନୌଷଧି ଷ୍ଟୋର ପରିଚାଳକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନେ ପ୍ରତିକୂଳ ପରିସ୍ଥିତି ସତ୍ୱେ ନିରଚ୍ଛିନ୍ନଭାବେ ଲୋକଙ୍କୁ ସେବା ଯୋଗାଇଥିବାରୁ ଦୁଇ ମନ୍ତ୍ରୀ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

କରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତ ସରକାର ଜନୌଷଧି କାର୍ଯ୍ୟକ୍ରମ ପ୍ରତି ବିଭିନ୍ନ ଅଭିନବ ବ୍ୟବସ୍ଥାରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ  ମାନ ଆଣିବାକୁ ଉଦ୍ୟମରତ । ଜନୌଷଧି ଯୋଜନାରେ 900 ପ୍ରକାରର ଜେନେରିକ ଔଷଧ ଓ ଡାକ୍ତରୀ ସାମଗ୍ରୀ ଦେଶର ପ୍ରତ୍ୟେକ ନାଗରିଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ ।

ବ୍ୟୁରୋ ଅଫ୍ ଫାର୍ମ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସଚିନ କୁମାର ସିଂହ କହିଛନ୍ତି ବିପିପିଆଇ ପକ୍ଷରୁ ସୁବିଧା ନିମନ୍ତେ ଜନୌଷଧି ସୁଗମ ଆପ୍ ବିକଶିତ କରାଯାଇଛି । ଏହା ମାଧ୍ୟମରେ ଲୋକେ ନିକଟବର୍ତ୍ତୀ ଜନୌଷଧି କେନ୍ଦ୍ର ସୁବିଧାରେ ଠାବ କରିପାରିବ । ଏହାଛଡା ଏସବୁ କେନ୍ଦ୍ରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ଔଷଧପତ୍ର ଏବଂ ଡାକ୍ତରୀ ସାମଗ୍ରୀର ତଥା ସେସବୁର ମୂଲ୍ୟ ଜାଣିପାରିବେ । 32,500ରୁ ଅଧିକ ଲୋକ ଏବେ ଏହି ଆପ ବ୍ୟବହାର କରୁଛନ୍ତି । ଗୁଗୁଲ ମ୍ୟାପ୍ ସାହାଯ୍ୟରେ ଜନୌଷଧି କେନ୍ଦ୍ରର ଅବସ୍ଥିତି ଓ ଅନ୍ୟାନ୍ୟ ସୁବିଧା ବିଷୟରେ  ତଥ୍ୟ ଏହି ଆପରେ ଯୋଗାଇ ଦିଆଯାଉଛି ।

ଦେଶର 726  ଜିଲ୍ଲାରେ ଏବେ 6300ରୁ ଅଧିକ ଜନୌଷଧି କେନ୍ଦ୍ର କାର୍ଯ୍ୟ କରୁଛି । ଲକଡାଉନ କାଳରେ ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ କରିବା ପାଇଁ ଏହି କେନ୍ଦ୍ର ସମୂହ ସୋସିଆଲ ମିଡିଆରେ ସୂଚନାତ୍ମକ ତଥ୍ୟମାନ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି ।

 

**********

 



(Release ID: 1620731) Visitor Counter : 199