ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶିକ୍ଷା କ୍ଷେତ୍ରରେ ସଂସ୍କାର ସଂପର୍କୀତ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Posted On: 01 MAY 2020 9:45PM by PIB Bhubaneshwar

ଦେଶର ଶିକ୍ଷା କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ତଥା ଆବଶ୍ୟକ ସଂସ୍କାର ସଂପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଜାତୀୟ ଶିକ୍ଷା ନୀତି (ଏନଇପି) ସମେତ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ବିଦ୍ୟାର୍ଥୀମାନେ କିଭଳି ଉତ୍ତମ ରୂପେ ବିଦ୍ୟାଧ୍ୟୟନ କରିପାରିବେ ଓ ଏହାକୁ ସହଜରେ ଗ୍ରହଣ କରିପାରିବେ ସେ ସଂର୍ପକରେ ଏହି ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ସେଥି ମଧ୍ୟରେ ଅନ୍‌ ଲାଇନ୍‌ କ୍ଲାସ୍‌, ଶିକ୍ଷା ପୋର୍ଟାଲର ବିକାଶ, ସମର୍ପିତ ଶିକ୍ଷା ଚାନେଲଗୁଡ଼ିକରେ ଶ୍ରେଣୀ ଭିତ୍ତିକ ବ୍ରଡ଼କାଷ୍ଟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ଏହି ସମୀକ୍ଷା ବୈଠକରେ ଶିକ୍ଷା କ୍ଷେତ୍ରରେ ସମାନତାର ବାତାବରଣ ସୃଷ୍ଟି ଏବଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ସୁଯୋଗ ଉପଲବ୍ଧ କରାଇବା, ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଏକ ନୂତନ ଜାତୀୟ ପାଠ୍ୟକ୍ରମ ଢ଼ାଞ୍ଚା ଜରିଆରେ ବହୁଭାଷିକ, ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିପାରିବା ଭଳି ଶିକ୍ଷାଦାନ ବ୍ୟବସ୍ଥା, କ୍ରୀଡ଼ା ଓ କଳାର ସମନ୍ୱୟ, ପର୍ଯ୍ୟାବରଣ ପ୍ରସଙ୍ଗ ଆଦି କିଭଳି ପାଠ୍ୟକ୍ରମର ଅଂଶବିଶେଷ ଭାବେ ସାମିଲ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଦାନ କରାଯାଉଥିବା ଶିକ୍ଷାଦାନର ବିଭିନ୍ନ ମୋଡ଼ରେ ପ୍ରଯୁକ୍ତିର ବ୍ୟବହାର ଏବଂ ଏହାର ଉନ୍ନତିକରଣ - ଯଥା, ଅନଲାଇନ୍‌ ମୋଡ଼, ଟେଲିଭିଜନ ଚାନେଲ, ରେଡ଼ିଓ, ପୋଡକାଷ୍ଟ ଇତ୍ୟାଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଘଟାଇ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱର ଅନ୍ୟ ଯେକୌଣସି ରାଷ୍ଟ୍ରର ଉଚ୍ଚଶିକ୍ଷା ବ୍ୟବସ୍ଥା ସହ ସମାନ ସ୍ତରକୁ ଆଣିବା ଏବଂ ଶିକ୍ଷାକୁ ଅଧିକ ସକ୍ଷମ, ସମାବେଶୀ ତଥା ଭାରତୀୟ ସଂସ୍କୃତି ଓ ଭାବଧାରାର ମୂଳଭିତ୍ତି ଓ ସମସାମୟିକ ଆବଶ୍ୟକତାକୁ ସମନ୍ୱିତ କରିବା ଉପରେ ବିଚାରବିମର୍ଷ କରାଯାଇଥିଲା । ସାମଗ୍ରିକ ଭାବେ, ଶୈଶବାବସ୍ଥାରେ ପିଲାମାନଙ୍କର କିଭଳି ଭାବେ ଅଧିକ ଯତ୍ନ ନିଆଯାଇପାରିବ ଏବଂ ସେମାନଙ୍କୁ କିଭଳି ଶିକ୍ଷା ପ୍ରତି ଆକୃଷ୍ଟ କରିହେବ, ସେମାନଙ୍କର ମୂଳଦୁଆକୁ ସୁଦୃଢ଼ କରିବା ଲାଗି ସାକ୍ଷରତା ଓ ମୌଳିକ ସାଂଖି୍ୟକ ପଠନ, ସମସାମୟିକ ପେଡ଼ାଗୋଜି ସହ ନିଜକୁ ସାମିଲ କରିବା, ଭାରତର ଭାଷାଭିତ୍ତିକ ଓ ସାଂସ୍କୃତିକ ବିବିଧତାର ସୁରକ୍ଷା ଉପରେ ପ୍ରାଥମିକ ସ୍ତରରୁ ଅଧିକ ଗୁରୁତ୍ୱ ଆରୋପ କରାଯିବା ଉପରେ ଜୋର ଦିଆଯାଇଥିଲା

ଏକ ସକ୍ରିୟ ଓ ଚଳଚଞ୍ଚଳ ଜ୍ଞାନାଧାରିତ ସମାଜ ସୃଷ୍ଟି କରିବା ନିମନ୍ତେ ଶିକ୍ଷା ସଂସ୍କାର ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।  ତେଣୁ ଉଚ୍ଚତର ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରି ଭାରତକୁ ଶିକ୍ଷା କ୍ଷେତ୍ରରେ ଏକ ବୈଶ୍ୱିକ ଜ୍ଞାନ ମହାଶକ୍ତିରେ ପରିଣତ କରିବା ପାଇଁ ପ୍ରତିବଦ୍ଧତା ପ୍ରକଟ କରାଯାଇଥିଲା ।

ଏହିସବୁ ଲକ୍ଷ୍ୟ ହାସଲ ତଥା ସକ୍ରିୟ ଶୈକ୍ଷିକ ଗଭର୍ଣ୍ଣାନ୍ସକୁ ସୁନିଶ୍ଚିତ କରିବା, ପ୍ରଯୁକ୍ତିର ଅଧିକ ଉପଯୋଗ ଏବଂ କୃତ୍ରିମ ପ୍ରଜ୍ଞାକୁ ପ୍ରୋତ୍ସାହନ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

 

**********



(Release ID: 1620328) Visitor Counter : 177