ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଭିଡ-19ର ମୁକାବିଲା ଦିଗରେ ପ୍ରତିରକ୍ଷା ଉଦ୍ୟୋଗ ଓ ଗୋଳାବାରୁଦ ବୋର୍ଡର କାର୍ଯ୍ୟ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମୀକ୍ଷା

Posted On: 28 APR 2020 3:17PM by PIB Bhubaneshwar

କରୋନା ମହାମାରୀର ମୁକାବିଲାରେ ଦେଶର ପ୍ରତିରକ୍ଷା ଉଦ୍ୟୋଗ ଓ ଗୋଳାବାରୁଦ କାରଖାନା ବୋର୍ଡର କାର୍ଯ୍ୟ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଭିଡିଓ କନଫରେନ୍ସି ବ୍ୟବସ୍ଥାରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ମଧ୍ୟ ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗ ସମୂହ ଓ ଗୋଳାବାରୁଦ କାରଖାନାଗୁଡିକର କାର୍ଯ୍ୟ ଓ ପ୍ରଦର୍ଶନ ସମ୍ପର୍କରେ ଆଲୋଚନା କରିଛନ୍ତି  ।

ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା ଉଦ୍ୟୋଗ (ଡିପିଏସୟୁ) କରୋନାର ଚିକିତ୍ସା ଓ ପ୍ରତିରୋଧ ପାଇଁ କେତେକ ସ୍ୱତନ୍ତ୍ର ପ୍ରକାରର ସାମଗ୍ରୀ ଉତ୍ପାଦନ କରିଥିବାରୁ ଏହି କୌଶଳ ଓ ଦକ୍ଷତା ପାଇଁ ଶ୍ରୀ ସିଂହ ଉଦ୍ୟୋଗର କର୍ମଚାରୀ ଓ ଅଧିକାରୀମାନଙ୍କୁ  ସାଧୁବାଦ ଜଣାଇଥିଲେ । ଏହି  ଦୁର୍ଦ୍ଦିନରେ ସଂପୃକ୍ତ ଉଦ୍ୟୋଗ ସମୂହ  ସ୍ଥାନୀୟ ପ୍ରଶାସନକୁ ନାନା ପ୍ରକାର ସହାୟତା ଯୋଗାଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।

ଲକଡାଉନ ଉଠିଯିବା ପରେ ପୁଣି ନିଜନିଜର କାର୍ଯ୍ୟ ପ୍ରାୟ ଠିକ୍ ଭାବେ ସଂପାଦନ କରିବାକୁ କଂଟିଜେନ୍ସି ତିଆରି କରିବାକୁ ସେ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଲକଡାଉନ ପ୍ରଭାବ ଯୋଗୁଁ ଉଦ୍ୟୋଗର ଯେଉଁ ନଷ୍ଟ ସମୟ ହୋଇଛି ତାହାକୁ ଭରଣା କରିବାକୁ ସେ କହିଥିଲେ । ଲକଡାଉନ ପରେ ଦେଶର ଅର୍ଥନୀତି ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନକୁ ସାକାର କରିବା ସହ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟାରେ ସରକାରୀ ଓ ବେସରକାରୀ ପ୍ରତିରକ୍ଷା ଉଦ୍ୟୋଗ ଗୁଡିକ ପୂର୍ଣ୍ଣପ୍ରାଣରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । 

ପ୍ରତିରକ୍ଷା ଉତ୍ପାଦନ ବିଭାଗ ପକ୍ଷରୁ ପିଏମ କେୟାର୍ସ ପାଣ୍ଠିକୁ 77 କୋଟି ଟଙ୍କା ଦାନ ଆକାରରେ ଦିଆଯାଇଥିବାରୁ ଶ୍ରୀ ସିଂହ ଖୁସି ବ୍ୟକ୍ତ କରିବା ସହ ଏଥିରେ କର୍ମଚାରୀମାନଙ୍କର ଗୋଟିଏ ଦିନର ବେତନ ଓ ସିଏମଆର ପାଣ୍ଠିର ସହାୟତା ଅନ୍ତର୍ଭୁକ୍ତ । ଚଳିତ ମାସରେ ଡିପିଏସୟୁ ପକ୍ଷରୁ ଆହୁରି ଅଧିକ ଅର୍ଥ ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷାମନ୍ତ୍ରୀଙ୍କୁ ଏହି ଅବସରରେ  ଅବଗତ କରାଯାଇଥିଲା ।

ଏହି ସମ୍ମିଳନୀ ଅବସରରେ ଗୋଳାବାରୁଦ କାରଖାନା ବୋର୍ଡ (ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଏହାର 41ଟି କାରାଖାନାରେ ଜଣେ ହେଲେ ବି କରୋନାରେ ସଂକ୍ରମିତ ହୋଇ ନାହାନ୍ତି । କରୋନା ସଂକ୍ରମଣ ସମୟରେ ଏହି ସଂସ୍ଥାର କର୍ମଚାରୀମାନେ 100ରୁ ଅଧିକ ଭେଂଟିଲେଟର, ମରାମତି କରିବା ସହ ଚିକିତ୍ସାରେ ବ୍ୟବହୃତ ହେଉଥିବା 12,800 ସ୍ୱତନ୍ତ୍ର ପୋଷାକ, ଏହି ସ୍ୱତନ୍ତ୍ର ପୋଷାକର ମାନ ପରଖିବା ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ମେସିନ ତିଆରି କରିଛନ୍ତି । ଏହାଛଡା ବୋର୍ଡ ପକ୍ଷରୁ 6.35 ଲକ୍ଷ ମାସ୍କ ତିଆରି କରି ସ୍ଥାନୀୟ ପ୍ରଶାସନକୁ ବିଭିନ୍ନ ସ୍ଥାନରେ ଯୋଗାଇ ଦିଆଯାଉଛି । ଆହୁରି ମଧ୍ୟ ବୋର୍ଡ ପକ୍ଷରୁ ଅରୁଣାଚଳ ପ୍ରଦେଶରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 340 ସ୍ୱତନ୍ତ୍ରଧରଣର ଟେଣ୍ଟ ନିର୍ମାଣ କରାଯିବା ସହ ଏକ ଲକ୍ଷ ଲିଟର ସାନିଟାଇଜର ବିଭିନ୍ନ ସ୍ଥାନରେ ବଂଟନ କରାଯାଇଛି । ଏହା ବିଭିନ୍ନ ହସପିଟାଲରେ 250 ଆଇସୋଲେସନ ବେଡ କରୋନା ସଂକ୍ରମିତଙ୍କ ପାଇଁ ପ୍ରସ୍ତୁତ କରି ରଖାଯାଇଛି । ଏହାଛଡା ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ କୋଭିଡ ଆକ୍ରାନ୍ତଙ୍କ ପାଇଁ ବେଙ୍ଗାଲୁରୁରେ 93ଟି  ଆଇସୋଲେସନ ବେଡ ପ୍ରସ୍ତୁତ କରିଛି ।

ଭାରତ ଇଲେକଟ୍ରୋନିକ୍ସ ଲିମିଟେଡ ଆସନ୍ତା ମେ ମାସରେ 12 ହଜାର ଭେଂଟିଲେଟର ତିଆରି କରିବାର ବ୍ୟବସ୍ଥା କରିଛି । ଜୁନରେ ଆଉ 1800 ଭେଂଟିଲେଟର ମଧ୍ୟ ତିଆରି କରିବାକୁ କାମ ଚାଲିଛି । ଏହି ଭେଂଟିଲେଟର ସବୁକୁ ଚଳାଇବା ପାଇଁ ସ୍ୱାସ୍ଥ୍ୟ ସେବକ ଓ ସେମାନଙ୍କୁ ତାଲିମ ଦେବାକୁ 3000 ଇଂଜିନିୟର ନିୟୋଜିତ ହୋଇଛନ୍ତି ।

ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ (ହାଲ) 300 ଏରୋସଲ କ୍ୟାବିନେଟ ତିଆରି କରି ବିଭିନ୍ନ ହସପିଟାଲକୁ ପଠାଇଛି । ଏହି ସଂସ୍ଥା ମଧ୍ୟ 56 ହଜାର ମାସ୍କ  ବିଭିନ୍ନ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ବାଂଟିବା ସହ ସେମାନଙ୍କୁ ସହାୟତା ଯୋଗାଇଛି । ନିଜର ବେଙ୍ଗାଲୁରୁ ଫ୍ୟାକ୍ଟ୍ରି ପରିସରରେ କରୋନା ରୋଗୀଙ୍କ ପାଇଁ 93 ଆଇସୋଲେସନ ବେଡର ବ୍ୟବସ୍ଥା କରିଛି ।  ଏହି ସଂସ୍ଥାର କୌଣସି କର୍ମଚାରୀ କରୋନା ଦ୍ୱାରା ଏ ଯାଏ ଆକ୍ରାନ୍ତ ହୋଇନଥିବା ଅଧିକାରୀମାନେ ଜଣାଇଥିଲେ ।

ସେହିପରି ଭାରତ ଡାଇନାମିକ୍ସ ଲିମିଟେଡ ଭେଂଟିଲେଟର ଡିଜାଇନ ଓ ମଡେଲ ତିଆରି ଚୂଡାନ୍ତ କରିବାରେ ବିଶିଷ୍ଟ ବୈଜ୍ଞାନିକମାନଙ୍କ ସହ ଯୋଗଦେଇ କାମ କରୁଛି । ମାଜିମାଓଁ  ଡକ୍ ସିପବିଲଟର୍ସ ଲିମିଟେଡ (ଏମଡିଏଲ) ମୁମ୍ବାଇସ୍ଥିତ ନାରାଲ କ୍ୱାରାନ୍ଟାଇନ ସେଂଟରକୁ ପାଞ୍ଚ ଲକ୍ଷ ଟଙ୍କାର ଔଷଧ ଓ ପିପିଇ ପଠାଇଛି ଏହାଛଡା ଏହି ସଂସ୍ଥା ପକ୍ଷରୁ 400 ଲିଟର ସାନିଟାଇଜର ବଂଟାଯାଇଛି ।

ଦେଶର ଅଣ ସଂକ୍ରମିତ ଅଂଚଳରେ ଥିବା ପ୍ରତିରକ୍ଷା ଉଦ୍ୟୋଗ ଓ କାରାଖାନାଗୁଡିକରୁ ଉତ୍ପାଦନ ଆରମ୍ଭ ହୋଇଥିବା ଏହି ସମୀକ୍ଷା ବୈଠକରୁ ଜଣାପଡିଛି । ସରକାରଙ୍କ ଦ୍ୱାରା ନିର୍ଦ୍ଦାରିତ ନିୟମ ପାଳନ କରି କର୍ମଚାରିମାନେ କାମ କରୁଛନ୍ତି । ସ୍ୱାସ୍ଥ୍ୟ ରକ୍ଷା ନିୟମ ଓ ବ୍ୟକ୍ତିଗତ ନିରାପତ୍ତା ଉପରେ ବିଶେଷ  ଗୁରୁତ୍ୱ ଦିଆଯାଉଛି ।  ଲକଡାଉନ ଉଠିବାପରେ ସବୁ ୟୁନିଟରେ  ସ୍ୱାଭାବିକ କାମ ଆରମ୍ଭ ହେବ ।

ଏହି ସମୀକ୍ଷା ବୈଠକରେ ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜକୁମାର, ବିଭାଗର ବରିଷ୍ଠ ଅଧିକାରୀଗଣ, ଡିପିଏସୟୁ ଓ ଓଏଫବି ତଥା ଅନ୍ୟ ସାମରିକ ଉଦ୍ୟୋଗର ବରିଷ୍ଠ ଅଧିକାରୀ ଓ କର୍ମୀ ଯୋଗ ଦେଇଥିଲେ ।

 

**********

 

 



(Release ID: 1619080) Visitor Counter : 152