ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମନ କି ବାତ 2.0 (ଏକାଦଶ ଅଧ୍ୟାୟ)ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

• କରୋନା ବିରୋଧରେ ଭାରତର ଲଢ଼େଇ ଜନସାଧାରଣଙ୍କ ଦ୍ଵାରା ପରିଚାଳିତ – ପ୍ରଧାନମନ୍ତ୍ରୀ
• ସାର୍ବଜନୀନ ସ୍ଥାନରେ ଛେପ ପକାଇବା ବଦଭ୍ୟାସକୁ ତ୍ୟାଗ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

Posted On: 26 APR 2020 4:49PM by PIB Bhubaneshwar

ମନ କି ବାତ 2.0ର ଏକାଦଶ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କରୋନା ବିରୋଧରେ ଭାରତର ଲଢେଇ ଜନସାଧାରଣଙ୍କ ଦ୍ଵାରା ପରିଚାଳିତ ଏବଂ  ସରକାର ଓ ପ୍ରଶାସନ ମଧ୍ୟ ଏହି ମହାମାରୀ ଯୁଦ୍ଧରେ ସାମିଲ ଅଛନ୍ତି ସେ କହିଛନ୍ତି ଯେ, ଏହି ଯୁଦ୍ଧରେ ଦେଶର ପ୍ରତ୍ୟେକ ନାଗରିକ ଜଣେ ଜଣେ ସୈନିକ ଏବଂ ସେମାନେ ଏହି ଯୁଦ୍ଧର ନେତୃତ୍ଵ ନେଉଛନ୍ତି । ସେ ଖୁସି ବ୍ୟକ୍ତ କରି କହିଥିଲେ ଯେ, ସବୁ ସ୍ଥାନରେ ଆଜି ଲୋକମାନେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗରିବ ଲୋକଙ୍କ ପାଇଁ ଖାଦ୍ୟପେୟଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀର ବ୍ୟବସ୍ଥା ହେଉ, ଲକଡାଉନ୍ ପାଳନ ହେଉ, ଡାକ୍ତରଖାନା ବ୍ୟବସ୍ଥା ହେଉ ବା ଦେଶରେ ଡାକ୍ତରୀ ସରଞ୍ଜାମ ତିଆରି ହେଉ- ଆଜି ପୁରା ଦେଶ ଗୋଟିଏ ଲକ୍ଷ୍ୟରେ, ଗୋଟିଏ ଦିଗରେ ଏକା ସାଙ୍ଗରେ ଚାଲିଛି । ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଆମେ କେବେହେଲେ ଅତି-ଆତ୍ମବିଶ୍ୱାସରେ ଛନ୍ଦି ହେବାନି, ଏଭଳି କେବେ ହେଲେ ଭାବିବାନି ଯେ ଆମ ସହରରେ, ଆମ ଗାଁରେ, ଆମ ସାହିରେ, ଆମ ଅଫିସରେ ଏଯାଏ କରୋନା ପହଂଚିନି, ତେଣୁ ଏବେ ଆଉ ପହଂଚି ପାରିବନାହିଁଦେଖନ୍ତୁ, ଏଭଳି ଭୁଲ ଧାରଣା କେବେହେଲେ ମୁଣ୍ଡରେ ରଖିବେନି । ସେ ଜୋର ଦେଇ କହିଛନ୍ତି ଯେ, ‘ଦୁଇ ଗଜ ଅଟେ ଜରୁରି’ ଆମର ମନ୍ତ୍ର ହେବା ଦରକାର ତେଣୁ ଲୋକମାନେ ଦୁଇ ଗଜ ଦୂରତା ରକ୍ଷା କରନ୍ତୁ , ନିଜକୁ ସୁସ୍ଥ ରଖନ୍ତୁ ସେ ସୁଚାଇ ଦେଇଥିଲେ ଯେ, ଅତି ଉତ୍ସାହିତ ହୋଇ, ସ୍ଥାନୀୟ ସ୍ତରରେ, କୌଣସି ପ୍ରକାର ଅସାବଧାନତା ଦେଖା ଦେଉ ଏଥିପ୍ରତି ଆମକୁ ସବୁବେଳେ ଦୃଷ୍ଟି ରଖିବାକୁ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ କାମ କରିବାର ଶୈଳୀ ଆମ ଜୀବନଶୈଳୀ ତଥା ଆମ ଅଭ୍ୟାସରେ ସ୍ୱାଭାବିକ ରୂପେ କେତେକ ସକାରାତ୍ମକ ପରିବର୍ତ୍ତନ ଆସିଛି । ଆପଣମାନେ ମଧ୍ୟ ଅନୁଭବ କରିଥିବେ ଏହି ସଂକଟ କିଭଳି ଭିନ୍ନ ଭିନ୍ନ ବିଷୟରେ ଆମ ବିଚାର ଓ ଚେତନାକୁ ଜାଗ୍ରତ କରିଛି ! ଆମ ଆଖପାଖରେ ଏହାର ଯେଉଁ ପ୍ରଭାବ ଦେଖିବାକୁ ମିଳୁଛି ସେଥିରୁ ପ୍ରଥମ ହେଲା-ମାସ୍କ ପିନ୍ଧିବା ଏବଂ ନିଜ ମୁହଁକୁ ଢାଙ୍କି ରଖିବା । କରୋନା କାରଣରୁ ପରିବର୍ତ୍ତିତ ପରିସ୍ଥିତିରେ ମାସ୍କ ମଧ୍ୟ ଆମ ଜୀବନର ଏକ ଅଂଶ ହୋଇଯାଇଛି । ସେ କହିଛନ୍ତି, ମାସ୍କ ଏଣିକି ସଭ୍ୟ ସମାଜର ପ୍ରତୀକ ହୋଇଯିବ । ଯଦି ରୋଗଠାରୁ ନିଜକୁ ଓ ଅନ୍ୟକୁ ରକ୍ଷା କରିବାର ଅଛି, ତାହାହେଲେ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ । ମୋର ଅତି ସରଳ ପରାମର୍ଶ ଗାମୁଛାରେ ମୁହଁ ଢାଙ୍କନ୍ତୁ

ସେ କହିଛନ୍ତି ଯେ, ଆମ ସମାଜରେ ଆଉ ଗୋଟିଏ ବଡ଼ ସଚେତନତା ସୃଷ୍ଟି ହୋଇଛି । ସାର୍ବଜନୀନ ସ୍ଥାନଗୁଡ଼ିକରେ ଛେପ ପକାଇବା ଦ୍ୱାରା କଣ କ୍ଷତି ହୋଇଥାଏ ତାହା ଏବେ ସମସ୍ତେ ବୁଝିଲେଣି ଏଣେତେଣେ, ଯେଉଁଠି ଇଚ୍ଛା ସେଇଠି ଛେପ ପକାଇଦେବା ଗୋଟିଏ ବଦଭ୍ୟାସରେ ପରିଣତ ହୋଇଯାଇଥିଲା । ଏହା ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ପ୍ରତି ଗୋଟିଏ ବଡ଼ ଆହ୍ୱାନ ଥିଲା । ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି ଯେ, ବିଳମ୍ବରେ ହେଉ ପଛେ ଏହି ଛେପ ପକାଇବାର ବଦଭ୍ୟାସକୁ ଏବେ ତ୍ୟାଗ କରିବା ଉଚିତ । ଏକ ପକ୍ଷରେ ଏହା ବେସିକ୍ ହାଇଜିନର ସ୍ତର ବୃଦ୍ଧି କରିବ, ଅପର ପକ୍ଷରେ ଏହାଦ୍ୱାରା କୋରୋନା ସଂକ୍ରମଣ ବ୍ୟାପିବାକୁ ରୋକିବାରେ ସହାୟତା ମଧ୍ୟ ମିଳିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ କଠିନ ପରିସ୍ଥିତି, ପ୍ରତ୍ୟେକ ଲଢ଼େଇ, କିଛି ନା କିଛି ଶିକ୍ଷା ଦିଏ; କିଛି ନା କିଛି ଶିଖାଇଯାଏ । କିଛି ସମ୍ଭାବନାର ବାଟ ତିଆରି କରେ ଆଉ କିଛି ନୂଆ ଲକ୍ଷ୍ୟ ପାଇଁ ଦିଗ ଦେଖାଏ । ଏହି ପରିସ୍ଥିତିରେ ଆପଣ ସମସ୍ତ ଦେଶବାସୀ ଯେଭଳି ସଙ୍କଳ୍ପ ଶକ୍ତି ଦେଖାଇଛନ୍ତି, ସେଥିରୁ ଭାରତରେ ଏକ ନୂଆ ପରିବର୍ତ୍ତନର ଆରମ୍ଭ ବି ହୋଇଛି । ଆମର ବ୍ୟବସାୟ, ଆମର କାର୍ଯ୍ୟାଳୟ, ଆମର ଶିକ୍ଷାନୁଷ୍ଠାନ, ଆମର ଚିକିତ୍ସା କ୍ଷେତ୍ର, ପ୍ରତ୍ୟେକ ଦ୍ରୁତଗତିରେ ନୂଆ ପ୍ରଯୁକ୍ତିଗତ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛନ୍ତି । ପ୍ରଯୁକ୍ତି କଥା ଯଦି ଦେଖିବା, ସତକୁ ସତ ଏପରି ଲାଗୁଛି ଯେ ଦେଶର ପ୍ରତ୍ୟେକ ଉଦ୍ଭାବକ ନୂଆ ପରିସ୍ଥିତି ଅନୁସାରେ କିଛି ନା କିଛି ନୂଆ ତିଆରି କରୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, ଏମାନଙ୍କର ପ୍ରତ୍ୟେକ ବିଭାଗ ଓ ସଂସ୍ଥା ଲୋକଙ୍କ ମଙ୍ଗଳ ପାଇଁ ମିଳିମିଶି ପୂରାଦମରେ କାମ କରୁଛନ୍ତି । ଆମର ବିମାନ ଚଳାଚଳ କ୍ଷେତ୍ରରେ କାମ କରୁଥିବା ଲୋକ ହୁଅନ୍ତୁ, ରେଳବାଇ କର୍ମଚାରୀ ହୁଅନ୍ତୁ, ଏମାନେ ଦିନରାତି ପରିଶ୍ରମ କରୁଛନ୍ତି, ଯେପରିକି ଦେଶବାସୀଙ୍କ ସମସ୍ୟା କମ୍ ହେବ ଆପଣମାନଙ୍କ ଭିତରୁ ହୁଏତ ଅନେକ ଲୋକ ଜାଣିଥିବେ ଯେ ଦେଶର କୋଣଅନୁକୋଣରେ ଔଷଧ ପହଂଚାଇବା ପାଇଁ ଲାଇଫଲାଇନ୍ ଉଡ଼ାନନାମରେ ଏକ ବିଶେଷ ଅଭିଯାନ ଚାଲିଛି । ଆମର ଏଇ ବନ୍ଧୁମାନେ, ଏତେ କମ୍ ସମୟ ମଧ୍ୟରେ, ଦେଶ ଭିତରେ ହିଁ ଆକାଶପଥରେ ତିନିଲକ୍ଷ କିଲୋମିଟର ଯାତ୍ରାକରିଛନ୍ତି ଓ 500 ଟନରୁ ଅଧିକ ଡାକ୍ତରୀ ସାମଗ୍ରୀ, ଦେଶର କୋଣଅନୁକୋଣରେ ପହଂଚାଇଛନ୍ତି ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ, କିଭଳି ରେଳବାଇ ଲକଡାଉନରେ ମଧ୍ୟ ଲଗାତର ପରିଶ୍ରମ କରୁଛି, ଯେପରିକି ଦେଶର ସାଧାରଣ ଲୋକଙ୍କୁ ଜରୁରୀ ଜିନିଷପତ୍ରର ଅଭାବ ରହିବ ନାହିଁ । ଏହି କାମ ପାଇଁ ଭାରତୀୟ ରେଳବାଇ 60ରୁ ଅଧିକ ରେଳମାର୍ଗରେ 100ରୁ ବି ବେଶି ପାର୍ସଲ୍ ଟ୍ରେନ୍ ଚଳାଉଛି । ଶ୍ରୀ ମୋଦୀ କହିଛନ୍ତି ଯେ, ଔଷଧ ଯୋଗାଇବାରେ ଆମ ଡାକ ବିଭାଗର ଲୋକେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଆମର ଏହି ସମସ୍ତ ବନ୍ଧୁ ହିଁ ପ୍ରକୃତ ଅର୍ଥରେ, କରୋନା ଯୋଦ୍ଧା ।

ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ମାଧ୍ୟମରେ ଗରିବଙ୍କ ଖାତାରେ ସିଧାସଳଖ ଟଙ୍କା ଜମା କରିଦିଆଯାଉଛିବାର୍ଦ୍ଧକ୍ୟ ଭତାଦିଆଯାଇଛି । ଗରିବ ଲୋକଙ୍କୁ ତିନି ମାସର ମାଗଣା ଗ୍ୟାସ୍ ସିଲିଣ୍ଡର୍, ରାସନ ଭଳି ସୁବିଧା ଯୋଗାଇ ଦିଆଯାଉଛି । ଏସବୁ କାମରେ, ସରକାରଙ୍କ ଅଲଗା ଅଲଗା ବିଭାଗର ଲୋକ, ବ୍ୟାଙ୍କିଙ୍ଗ କ୍ଷେତ୍ରର ଲୋକ, ଗୋଟିଏ ଟିମ୍ ଭଳି ଦିନରାତି ଲାଗିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମ ଦେଶର ରାଜ୍ୟ ସରକାରମାନଙ୍କୁ ମଧ୍ୟ ଏଥିପାଇଁ ପ୍ରଶଂସା କରିବି ଯେ ସେମାନେ ଏହି ମହାମାରୀକୁ ହରାଇବା ପାଇଁ ଖୁବ ସକ୍ରିୟ ଭୂମିକା ତୁଲାଉଛନ୍ତି । ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର ଯେଉଁ ଦାୟିତ୍ୱ ତୁଲାଉଛନ୍ତି, କରୋନା ବିରୋଧୀ ଲଢ଼େଇରେ ତାର ବହୁତ ବଡ଼ ଭୂମିକା ରହିଛି । ସେମାନଙ୍କର ଏହି ପରିଶ୍ରମ ଖୁବ୍ ପ୍ରଶଂସନୀୟ ।

ଦେଶର କୋଣ ଅନୁକୋଣରୁ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ଜଡିତ ଡାକ୍ତର, ନର୍ସ, ପାରା-ମେଡିକାଲ ଷ୍ଟାଫ, ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଯେଉଁମାନେ ରାତିଦିନ କରୋନା ମୁକ୍ତ ଭାରତ ସୁନିଶ୍ଚିତ କରିବାରେ ଲାଗିଛନ୍ତି ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଗଭୀତ ସମ୍ମାନ ଜଣାଇଥିଲେ  ଆମର ଡାକ୍ତର, ନର୍ସ, ପାରାମେଡିକାଲ୍ ଷ୍ଟାଫ୍, କମ୍ୟୁନିଟି ହେଲ୍ଥ ୱାର୍କର, ଆଉ ଏହି ଶ୍ରେଣୀର ସବୁଲୋକ, ଯେଉଁମାନେ ଦେଶକୁ କରୋନାମୁକ୍ତ କରିବାପାଇଁ ଦିନରାତି ଲାଗିଛନ୍ତି, ସେମାନଙ୍କୁ ସୁରକ୍ଷା ଦେବାପାଇଁ ଏହି ପଦକ୍ଷେପ ବହୁତ ଜରୁରି ଥିଲା ।

ଆମ ଘରେ କାମଦାମ କରୁଥିବା ଲୋକ ହୁଅନ୍ତୁ କି ଆମ ଜରୁରି କାମକୁ ପୂରା କରିବାର ଲୋକ ହୁଅନ୍ତୁ ବା ପଡ଼ୋଶୀ ଦୋକାନରେ କାମ କରୁଥିବା ଲୋକ ହୁଅନ୍ତୁ ଏମାନଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏମାନଙ୍କର କେତେ ଯେ ବଡ଼ ଭୂମିକା ଏସବୁ ଆମର ଅନୁଭବ ହେଲାଣି । ଏହିଭଳି ଜରୁରି ସେବା ପ୍ରଦାନକାରୀ ଲୋକ, ହାଟବଜାରରେ କାମ କରୁଥିବା ଆମ ଶ୍ରମିକ ଭାଇଭଉଣୀ, ପଡ଼ୋଶୀ ଅଟୋଚାଳକ, ରିକ୍ସାଚାଳକଙ୍କ ସେବା ଓ ସାହାଯ୍ୟ ବିନା ଆମ ଜୀବନ କେତେ କଠିନ ହୋଇଥାଆନ୍ତା ତାହା ଆମେ ଅନୁଭବ କରୁଛୁଆଜିକାଲି ସାମାଜିକ ଗଣମାଧ୍ୟମ (Social Media)ରେ ଆମେ ଲଗାତର ଦେଖୁଛୁ ଯେ ଲକଡାଉନ୍ (Lockdown) ଚାଲିଥିବା ସମୟରେ ଲୋକେ ଏହି ସାହାଯ୍ୟକାରୀ ସାଥୀମାନଙ୍କୁ କେବଳ ମନେ ପକାଉନାହାନ୍ତି ବରଂ ସେମାନଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେଉଛନ୍ତି, ପୁଣି ସେମାନଙ୍କ ସମ୍ପର୍କରେ ସମ୍ମାନର ସହ ଲେଖୁଛନ୍ତି । ଆଜି ଦେଶର କୋଣ ଅନୁକୋଣରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯେ ସଫେଇ-କର୍ମଚାରୀଙ୍କ ଉପରେ ଲୋକେ ପୁଷ୍ପବୃଷ୍ଟି କରୁଛନ୍ତି । ପ୍ରଥମେ ଏମାନଙ୍କ କାମ ଆମ ନଜର ଏଡେଇ ଯାଉଥିଲା । ସମ୍ଭବତଃ ଆପଣ ମଧ୍ୟ ଏସବୁ ପ୍ରତି ଦୃଷ୍ଟି ଦେଉନଥିଲେ । ଡାକ୍ତର ହୁଅନ୍ତୁ କି ସଫେଇ କର୍ମଚାରୀ ହୁଅନ୍ତୁ, କିମ୍ବା ଅନ୍ୟାନ୍ୟ ସେବା ପ୍ରଦାନକାରୀ ବ୍ୟକ୍ତି ହୁଅନ୍ତୁ - କେବଳ ଏତିକି ନୁହେଁ ଆମର ପୁଲିସ ବ୍ୟବସ୍ଥାକୁ ନେଇ ସାଧାରଣ ଜନତାଙ୍କ ଭାବନାରେ ଅନେକ ପରିବର୍ତ୍ତନ ଆସିଛି । ପ୍ରଥମେ ପୁଲିସ୍ ପ୍ରସଙ୍ଗ ଉଠିଲେ ଆମ ମନକୁ ନକାରାତ୍ମକ ଭାବନା ବ୍ୟତୀତ ଅନ୍ୟ କିଛି କଥା ଆସୁନଥିଲା । ଆଜି ଆମ ପୁଲିସ କର୍ମଚାରୀ ଗରିବ, ଅସହାୟ ଓ ଭୋକିଲା ଲୋକଙ୍କ ନିକଟରେ ଖାଦ୍ୟ ପହଂଚାଇ ଦେଉଛନ୍ତି, ଔଷଧ ପହଂଚାଇ ଦେଉଛନ୍ତି । ଏବେ ପୁଲିସ କଥା ଭାବିବା ବେଳକୁ ମୋ ଆଗରେ ଯେଉଁଭଳି ଭାବେ ପ୍ରତିଟି ସହାୟତା ପାଇଁ ପୁଲିସ ଆଗେଇ ଆସୁଛନ୍ତି ତାହା POLICING ବା ପୁଲିସ ସେବାର ମାନବୀୟ ଓ ସମ୍ବେଦନଶୀଳ ଗୁଣକୁ ଉଜ୍ଜୀବିତ କରୁଛି, ଆମ ମନକୁ ଆନ୍ଦୋଳିତ କରିଛି, ଆମ ହୃଦୟକୁ ସେମାନଙ୍କର ଏହି ମହନୀୟତା ଛୁଇଁଯାଇଛି ।

ଶ୍ରୀ ମୋଦୀ କହିଛନ୍ତି ଯେ, ସରକାର ଏକ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହି ପ୍ଲାଟଫର୍ମ ହେଉଛି - covidwarriors.gov.inମୁଁ ପୁଣିଥରେ କହୁଛି- covidwarriors.gov.inସରକାର ଏହି ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ସାମାଜିକ ସଂଗଠନର ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି ଆଉ ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ ଯୋଡ଼ିଦେଇଛନ୍ତି । ବହୁତ କମ୍ ସମୟରେ ଏହି ପୋର୍ଟାଲରେ ଏକ କୋଟି ପଚିଶ ଲକ୍ଷ ଲୋକ ଯୋଡ଼ି ହୋଇସାରିଛନ୍ତି । ଏମାନଙ୍କ ଭିତରେ ଡାକ୍ତର, ନର୍ସଙ୍କଠାରୁ ଆରମ୍ଭକରି ଆମର ଆଶାକର୍ମୀ, ଏଏନଏମ୍ ଭଉଣୀ, ଆମର ଏନସିସି, ଏନଏସଏସର ସାଥୀ, ଭିନ୍ନ ଭିନ୍ନ କ୍ଷେତ୍ରର ପେସାଦାର, ସେମାନେ ସମସ୍ତେ ଏହାକୁ ନିଜର ପ୍ଲାଟଫର୍ମ କରିସାରିଛନ୍ତି । ଏମାନେ ସ୍ଥାନୀୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ତିଆରି ଓ ତାକୁ କାର୍ଯ୍ୟକାରୀ କରିବାରେ ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି । ଆପଣ ମଧ୍ୟ covidwarriors.gov.in ସହିତ ଯୋଡ଼ିହୋଇ ଦେଶର ସେବା କରିପାରିବେ, କୋଭିଡ ଯୋଦ୍ଧା ହୋଇପାରିବେ ।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ, ଭାରତ ମାନବିକତାର ରକ୍ଷା ପାଇଁ ଏହି ସଙ୍କଟ ବେଳରେ, ସାରା ବିଶ୍ୱର ଆବଶ୍ୟକ କରୁଥିବା ଦେଶମାନଙ୍କୁ ଔଷଧ ଯୋଗାଉଛି ସେ କହିଛନ୍ତି, ଏବେ ସାରା ଦୁନିଆରେ ଭାରତର ଆୟୁର୍ବେଦ ଓ ଯୋଗର ମହତ୍ୱକୁ ମଧ୍ୟ ଲୋକ ବହୁତ ଗୁରୁତ୍ୱ ଦେଉଛନ୍ତି । ସୋସିଆଲ ମିଡିଆରେ ଦେଖନ୍ତୁ, ସବୁଆଡ଼େ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କିପରି ଭାରତର ଆୟୁର୍ବେଦ ଓ ଯୋଗର ଚର୍ଚ୍ଚା ମଧ୍ୟ ହେଉଛି । କରୋନା ଦୃଷ୍ଟିକୋଣରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଯେଉଁ ପ୍ରୋଟୋକଲ ଦେଇଥିଲା, ମୋର ବିଶ୍ୱାସ ଆପଣମାନେ ନିଶ୍ଚିତ ଭାବେ ତାର ପ୍ରୟୋଗ କରୁଥିବେ । ଉଷୁମ ପାଣି, କାଢ଼ା ଏବଂ ଅନ୍ୟ ଯେଉଁ ପରାମର୍ଶ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଛି, ତାହାକୁ ଆପଣ ନିଜ ଦିନଚର୍ଯ୍ୟାରେ ଅଭ୍ୟାସ କଲେ ବହୁତ ଲାଭହେବ ।

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପରିବେଶ, ଜଙ୍ଗଲ, ନଦୀ ଏବଂ ସଂପୂର୍ଣ୍ଣ ଜୈବ ପ୍ରଣାଳୀକୁ ସୁରକ୍ଷିତ ରଖିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯଦି ଆମେ ଅକ୍ଷୟ ରହିବାକୁ ଚାହୁଁ, ତାହେଲେ ଆମକୁ ଏ କଥା ମଧ୍ୟ ସୁନିଶ୍ଚିତ କରିବାକୁ ହେବ ଯେ, ଆମ ଧରିତ୍ରୀ ଅକ୍ଷୟ ରହୁ । ଶ୍ରୀ ମୋଦୀ କହିଛନ୍ତି ଯେ, ଅକ୍ଷୟ ତୃତୀୟାର ଏହି ପର୍ବ, ଦାନ ଶକ୍ତି ଅର୍ଥାତ ପାୱାର ଅଫ୍ ଗିଭିଙ୍ଗର ମଧ୍ୟ ଗୋଟିଏ ଅବସର ହୋଇଥାଏ । ଆମେ ହୃଦୟର ଭାବନା ସହ ଯାହା କିଛି ଦାନ କରିଥାଉଁ, ପ୍ରକୃତରେ ତାହାର ହିଁ ମହତ୍ୱ ଅଧିକ । ଏ କଥା ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ, ଆମେ କଣ ଦେଉଛୁ, କେତେ ଦେଉଛୁ । ଏହି ସଙ୍କଟ କାଳରେ ଆମର ଛୋଟିଆ ପ୍ରଚେଷ୍ଟା ମଧ୍ୟ ଆମ ଆଖ-ପାଖର ବହୁତ ଲୋକଙ୍କ ପାଇଁ ବହୁତ ବଡ଼ ସମ୍ବଳ ପ୍ରମାଣିତ ହୋଇପାରେ । ବନ୍ଧୁଗଣ, ଜୈନ ପରମ୍ପରାରେ ମଧ୍ୟ ଏହାକୁ ଅତି ପବିତ୍ର ଦିନ ଭାବେ ପରିଗଣିତ କରାଯାଏ, କାରଣ ଏହା  ପ୍ରଥମ ତୀର୍ଥଙ୍କର ଭଗବାନ ଋଷଭ ଦେବଙ୍କ ଜୀବନର ଏକ ମହତ୍ୱପୂର୍ଣ୍ଣ ଦିନ  । ସେ ଆହୁରି କହିଛନ୍ତି ଯେ, ରମଜାନର ପବିତ୍ର ମାସ ମଧ୍ୟ ଆରମ୍ଭ ହୋଇସାରିଛି  ଏବଂ ଏଥର ଆମେ ପୂର୍ବାପେକ୍ଷା ଅଧିକ ପ୍ରାର୍ଥନା କରିବା ଯେମିତିକି ଇଦ୍ ପାଳନ ପୂର୍ବରୁ ବିଶ୍ୱ କରୋନା ମୁକ୍ତ ହୋଇଯିବ ଆଉ ଆମେ ପୂର୍ବ ଭଳି ଆନନ୍ଦ ଓ ଉଲ୍ଲାସର ସହ ଇଦ୍ ପାଳନ କରିପାରିବା

ଶ୍ରୀ ମୋଦୀ ନିବେଦନ କରି କହିଛନ୍ତି ଯେ, ରମଜାନ ସମୟରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିୟମଗୁଡ଼ିକୁ ପାଳନ କରିବା ସହ କୋରୋନା ବିରୁଦ୍ଧରେ ଚାଲିଥିବା ଏହି ସଂଗ୍ରାମକୁ ଆମେ ଆହୁରି ସୁଦୃଢ଼ କରିବା ବୋଲି ମୋର ବିଶ୍ୱାସ । ରାସ୍ତାଘାଟରେ, ବଜାରରେ, ସାହିବସ୍ତିରେ ସାମାଜିକ ଦୂରତାର ନିୟମ ପାଳନ ଏବେ ନିହାତି ଜରୁରି । ସେ ସମସ୍ତ ଗୋଷ୍ଠୀ ନେତୃବୃନ୍ଦ ଯେଉଁମାନେ ଦୁଇ ଗଜର ଦୂରତା ବଜାୟ ରଖିବା ସହିତ ଘର ବାହାରକୁ ନଯିବାକୁ ଲୋକଙ୍କୁ ସଚେତନ କରୁଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଭାରତ ସମେତ ସମଗ୍ର ବିଶ୍ୱରେ ପର୍ବପର୍ବାଣୀ ପାଳନ କରିବାର ଶୈଳୀ ବଦଳାଇ ଦେଇଛି ଏବଂ ଏହା ପାଳନ କରିବାର ପଦ୍ଧତିକୁ ବଦଳାଇ ଦେଇଛି

 

**********

 


(Release ID: 1618492)