ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଜନସାଧାରଣଙ୍କ ଜୀବନ ରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ କୋଭିଡ-19 ଲକଡାଉନ ଅବଧିକୁ ମେ’ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି – ଅମିତ ଶାହ

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତର ଜନସାଧାରଣ ବିଶ୍ଵବାସୀଙ୍କ ଆଗରେ ଏକ ଉଜ୍ଜ୍ଵଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି – ସ୍ଵରାଷ୍ଟ୍ର ମନ୍ତ୍ରୀ
• କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ଵୟ ପ୍ରଶଂସନୀୟ – ଅମିତ ଶାହ
• କୋଭିଡ-19 ବିରୁଦ୍ଧରେ ଅଗ୍ରଣୀ ଭୂମିକା ନେଇଥିବା ପେଷାଦାର ସ୍ୱାସ୍ଥ୍ୟ ଓ ସୁରକ୍ଷା ବଳଙ୍କୁ ଅଭିବାଦନ
• ଦେଶରେ ପର୍ଯ୍ୟାପ୍ତ ଖାଦ୍ୟ, ଔଷଧପତ୍ର ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମହଜୁଦ ଥିବାରୁ ଚିନ୍ତାର କୌଣସି କାରଣ ନାହିଁ, କହିଲେ ଅମିତ ଶାହ

प्रविष्टि तिथि: 14 APR 2020 3:10PM by PIB Bhubaneshwar

ଭାରତ ସରକାର କୋଭିଡ-19 ସଂଗ୍ରାମକୁ ଅଧିକ ଜୋରଦାର କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଅବଧି ମେ’ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏଥିପାଇଁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବା ସହ ଏହି ଅବଧି ବୃଦ୍ଧି ଦେଶବାସୀଙ୍କ ଜୀବନ ସୁରକ୍ଷା କରିପାରିବ ବୋଲି କହିଛନ୍ତି

କରୋନା ସଂକ୍ରମଣକୁ ରୋକିବାରେ ସରକାରଙ୍କ ନିଷ୍ପତ୍ତିର ପ୍ରଶଂସା କରି ଶ୍ରୀ ଶାହ କହିଛନ୍ତି ଯେ, ସମଗ୍ର ବିଶ୍ଵ ଏହି ମହାମାରୀରେ କବଳିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତର ଜନସାଧାରଣ ଏଦିଗରେ ବିଶ୍ଵ ପାଇଁ ଏକ ଜ୍ଵଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ସରକାରଙ୍କ ସମୟୋଚିତ ନିଷ୍ପତ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

ମହାମାରୀର ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେପରି ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିଛନ୍ତି, ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।  ଏହି ସମନ୍ଵୟକୁ ଅଧିକ ଦୃଢୀଭୂତ କରିବା ସହ ଯେପରି ଜନସାଧାରଣ ଲକଡାଉନ ନିୟମକୁ ଠିକ ଭାବେ ଅନୁସରଣ କରନ୍ତି ଓ କୌଣସି ବ୍ୟକ୍ତି ଯେପରି ଅସୁବିଧାରେ ନପଡନ୍ତି, ତାହା ଦେଖିବାକୁ ହେବ ବୋଲି ସେ କହିଛନ୍ତି । କରୋନା ସଂଗ୍ରାମରେ ଆଗରେ ଥିବା ପେଷାଦାର ସ୍ୱାସ୍ଥ୍ୟ କର୍ମଚାରୀ ଓ ସୁରକ୍ଷା ବଳଙ୍କୁ ସେ ଅଭିବାଦନ ଜଣାଇଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ, ଡାକ୍ତର, ସ୍ଵାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ, ପୁଲିସ ଏବଂ ଅନ୍ୟାନ୍ୟ ନିରାପତ୍ତା ଦାୟିତ୍ଵରେ ଥିବା ବ୍ୟକ୍ତିଗଣ ଏଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କ ସାହସ ଓ ଏଭଳି ଘଡିସନ୍ଧି ମୁହୂର୍ତ୍ତର ଉପଲବ୍ଧି ପ୍ରତ୍ୟେକ ଭାରତବାସୀଙ୍କୁ ଅନୁପ୍ରାଣିତ କରିଛି । ସମସ୍ତେ ନିର୍ଦ୍ଦେଶାବଳୀ ଅନୁସରଣ କରି ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ । ଏଭଳି ଜଟିଳ ପରିସ୍ଥିତିରେ ଦେଶବାସୀଙ୍କୁ ଆଶ୍ଵାସନା ଦେବା ସହ ସମସ୍ତେ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଶ୍ରୀ ଶାହା କହିଛନ୍ତି ଯେ, “ଦେଶର ସ୍ଵରାଷ୍ଟ୍ର ମନ୍ତ୍ରୀ ଭାବରେ ମୁଁ ଜନସାଧାରଣଙ୍କୁ ଆଶ୍ଵସ୍ତି କରୁଛି ଯେ, ଦେଶରେ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ, ଔଷଧପତ୍ର ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମହଜୁଦ ରହିଛି । ସେ ଦୃଷ୍ଟିରୁ କୌଣସି ବ୍ୟକ୍ତି ଚିନ୍ତା କରିବାର ଆବଶ୍ୟକ ନାହିଁ । ଏଥିସହିତ ଆର୍ଥିକ ସ୍ଵଚ୍ଛଳବର୍ଗର ଲୋକମାନେ ସେମାନଙ୍କ ପାଖାପାଖି ରହୁଥିବା ଗରିବ ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆସନ୍ତୁ” ।  

 

**********

   


(रिलीज़ आईडी: 1614444) आगंतुक पटल : 209
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Punjabi , Gujarati , Tamil , Telugu , Kannada , Malayalam