ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19ର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

• ଲକଡାଉନ ଅବଧି ଆଉ ଦୁଇ ସପ୍ତାହ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରସ୍ତାବ
• ଆଗରୁ ‘ଜାନ ହେ ତୋ ଜାହାଁ ହେ’ ମନ୍ତ୍ର ଥିବା ବେଳେ ବର୍ତ୍ତମାନ ‘ଜାନ ଭି ଜାହାଁ ଭି’ - ପ୍ରଧାନମନ୍ତ୍ରୀ
• ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଆଗାମୀ 3 ରୁ 4 ସପ୍ତାହ ଖୁବ ଗୁରୁତ୍ୱପୂର୍ଣ୍ଣ
• କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ସହ କୃଷିଜାତ ସାମଗ୍ରୀର ବିକ୍ରୟ ପାଇଁ ଏପିଏମସି ଆଇନରେ ସଂଶୋଧନ ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ
• କୋଭିଡ-19ର ମୁକାବିଲା ଲାଗି ‘ଆରୋଗ୍ୟ ସେତୁ’ ଆପର ଭୂମିକା ଅତି ଗୁରୁତ୍ଵପୂର୍ଣ୍ଣ; ଭବିଷ୍ୟତ ଭ୍ରମଣ ପାଇଁ ଏହା ଇ-ପାସର କାର୍ଯ୍ୟ କରିବ - ପ୍ରଧାନମନ୍ତ୍ରୀ
• ସ୍ୱାସ୍ଥ୍ୟ କର୍ମଚାରୀ ତଥା ଉତ୍ତରପୂର୍ବାଞ୍ଚଳ ଓ କଶ୍ମୀର ଛାତ୍ରଛାତ୍ରୀଙ୍କ ଉପରେ ଦୁର୍ବ୍ୟବହାର ନେଇ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା
• ଦେଶରେ ପର୍ଯ୍ୟାପ୍ତ ଔଷଧ ମହଜୁଦ, କଳାବଜାରୀ ଓ ମହଜୁଦକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

Posted On: 11 APR 2020 4:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-19ର ମୁକାବିଲା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି ମାର୍ଚ୍ଚ 20 ଓ ଏପ୍ରିଲ 2 ତାରିଖ ପରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏପରି ମତ ବିନିମୟ କରିଛନ୍ତି

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟା ଯୋଗୁଁ କୋଭିଡ-19ର ମୁକାବିଲା ଦିଗରେ ନିଶ୍ଚିତ ସୁଫଳ ମିଳିଛି, ତେବେ ସଂକ୍ରମଣ ହାର ଦ୍ରୁତ ହୋଇଥିବାରୁ ନିରବଚ୍ଛିନ୍ନ ସତର୍କତା ଏକାନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି । ଆଗାମୀ 3 ରୁ 4 ସପ୍ତାହ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପରିସ୍ଥିତିରେ ସୁଧାର ଆଣିବା ଲାଗି ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଦେଶରେ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ଓ କରୋନା ଯୁଦ୍ଧରେ ସବୁଠୁ ଆଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ନିରାପତ୍ତା ଉପକରଣ ଯୋଗାଇଦେବାର ମଧ୍ୟ ବ୍ୟବସ୍ଥା କରାଯାଉଛି । ସେ ମହଜୁଦକାରୀ ଓ କଳାବଜାରୀମାନଙ୍କୁ କଡା ଚେତାବନୀ ଦେଇଛନ୍ତି ଚିକିତ୍ସକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ଉଦବେଗ ପ୍ରକାଶ କରିବା ସହ ଉତ୍ତରପୂର୍ବାଞ୍ଚଳ ଓ କଶ୍ମୀର ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଘଟଣା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ଲକଡାଉନ ଉଲଂଘନକୁ କଠୋର ଭାବେ ଦମନ କରିବା ସହ ସାମାଜିକ ଦୂରତ୍ଵକୁ ବଜାୟ ରଖିବା ଉପରେ ସେ ଗୁରୁତ୍ଵାରୋପ କରିଛନ୍ତି ।

ଲକଡାଉନ ପ୍ରତ୍ୟାହାର ନେଇ ସେ କହିଛନ୍ତି ଯେ, ଆଉ ଦୁଇ ସପ୍ତାହ ଏହି ଅବଧିକୁ ବଢାଇବା ନିମନ୍ତେ ଅଧିକାଂଶ ରାଜ୍ୟ ସହମତି ପ୍ରକାଶ କରିଛନ୍ତି । ଆଗରୁ ସରକାରଙ୍କ ଥିବା ମନ୍ତ୍ର ‘ଜାନ ହେ ତୋ ଜାହାଁ ହେ’ ଏବେ ‘ଜାନ ଭି ଜାହାଁ ଭି’ରେ ପରିବର୍ତ୍ତିତ ହୋଇଯାଇଛି ।  

ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ଅଧିକ ସୁଦୃଢ କରି ଟେଲିମେଡ଼ିସିନ ଜରିଆରେ ରୋଗୀଙ୍କ ଚିକିତ୍ସା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ଏପିଏମସି ନିୟମରେ ପରିବର୍ତ୍ତନ ଆଣି କୃଷିଜାତ ସାମଗ୍ରୀର ବିକ୍ରୟ ବିନା ମାଣ୍ଡିରେ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏହାଫଳରେ କୃଷକମାନେ ସେମାନଙ୍କ କୃଷିଜାତ ସାମଗ୍ରୀ ଘର ପାଖରେ ବିକ୍ରୟ କରିପାରିବେ ।

ପ୍ରଧାନମନ୍ତ୍ରୀ ‘ଆରୋଗ୍ୟ ସେତୁ’ ଆପର ବହୁଳ ଡାଉନଲୋଡ ଦ୍ଵାରା ଏହାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି । ମତ ବିନିମୟ କାଳରେ କିପରି ଦକ୍ଷିଣ କୋରିଆ ଓ ସିଙ୍ଗାପୁର ସଂକ୍ରମିତ ବ୍ୟକ୍ତିମାନଙ୍କ ଚିହ୍ନଟ କାର୍ଯ୍ୟ ଶୀଘ୍ର କରିପାରିଲେ ସେ ତାହାର ଉଦାହରଣ ଦେଇଥିଲେ । ସେହିସବୁ ଘଟଣାକୁ ଅନୁସରଣ କରି ଭାରତ ନିଜ ଉଦ୍ୟମରେ ମହାମାରୀର ମୁକାବିଲା ପାଇଁ ଏହି ଆପ ବିକଶିତ କରିଛି । ଭବିଷ୍ୟତରେ ଦେଶର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଏହା ଇ-ପାସ ଭାବେ କାର୍ଯ୍ୟ କରିବ ବୋଲି ସେ କହିଥିଲେ ।

ଏଭଳି ପରିସ୍ଥିତିରେ ଆର୍ଥିକ ଆହ୍ଵାନର ଅବତାରଣ କରି ବର୍ତ୍ତମାନର ପରିସ୍ଥିତି ଦେଶକୁ ଆତ୍ମନିର୍ଭରଶୀଳ ହେବାର ଏକ ସୁଯୋଗ ଦେଇଛି ଓ ଦେଶ ପରିସ୍ଥିତିର ମୁକାବିଲା ସହ ଏକ ଆର୍ଥିକ ଶକ୍ତି ଭାବେ ଉଭା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କୋଭିଡ-19ର ମୁକାବିଲା ପାଇଁ ନିଜ ନିଜ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢୀକରଣ, ସାମାଜିକ ଦୂରତ୍ଵ ରକ୍ଷା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନଙ୍କ ଉପରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀମାନେ ଲକଡାଉନର ଅବଧିକୁ ଆଉ ଦୁଇ ସପ୍ତାହ ବଢାଇବାକୁ ପ୍ରସ୍ତାବ ଦେବା ସହ ମହାମାରୀର ମୁକାବିଲା ପାଇଁ ଅଧିକ କେନ୍ଦ୍ରୀୟ ଆର୍ଥିକ ସହାୟତା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ମତ ବିନିମୟ ବେଳେ କେନ୍ଦ୍ର ସ୍ଵରାଷ୍ଟ୍ର, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ ଓ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

**********



(Release ID: 1613363) Visitor Counter : 302