ପୋଷ୍ଟ କରାଯିବା ଦିନାଙ୍କ:
23 NOV 2026 1:00PM by PIB Bhubaneswar
ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମେରା ଯୁବା ଭାରତ’ (ମାଇ ଭାରତ) ପକ୍ଷରୁ ସମ୍ବିଧାନ ଦିବସ ଅବସରରେ ୨୦୨୬ ନଭେମ୍ବର ୨୪ରୁ ୨୬ ତାରିଖ ମଧ୍ୟରେ ‘ବିକଶିତ ଭାରତ ଯୁବ ସଂବାଦ’ ଆୟୋଜନ କରାଯିବ। ଦେଶର ୩୦ରୁ ଅଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୦୦ରୁ ଅଧିକ ଜିଲ୍ଲାର ୫୦୦ରୁ ଅଧିକ କଲେଜରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଦେଶବ୍ୟାପୀ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ୧୫ରୁ ୨୯ ବର୍ଷ ବୟସର ଯୁବପିଢ଼ିଙ୍କୁ ଭାରତର ବିକାଶ ଯାତ୍ରା, ଉପଲବ୍ଧି ଏବଂ ଭବିଷ୍ୟତର ଆକାଂକ୍ଷା ସହ ଯୋଡ଼ିବା। ଏଥିସହ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଯୁବପିଢ଼ିଙ୍କୁ ସକ୍ରିୟ ଅଂଶୀଦାର ହେବା ପାଇଁ ପ୍ରେରଣା ଯୋଗାଇବା ଏହି ଅଭିଯାନର ଲକ୍ଷ୍ୟ।

ସମ୍ବିଧାନ ଦିବସର ମହତ୍ତ୍ୱକୁ ଦୃଷ୍ଟିରେ ରଖି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଂଶଗ୍ରହଣକାରୀମାନେ ସାମୂହିକ ଭାବେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରିବେ। ଏହା ମାଧ୍ୟମରେ ସେମାନେ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ସମ୍ବିଧାନରେ ନିହିତ ଆଦର୍ଶ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରିବେ। ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ତରରେ ଯୁବପିଢ଼ିଙ୍କ ସହ ଯୋଡ଼ି ହେବା ପାଇଁ ପାରସ୍ପରିକ ଆଲୋଚନା ଓ ସଚେତନତା ଅଧିବେଶନ ମାଧ୍ୟମରେ ଏକ ମଞ୍ଚ ଯୋଗାଇଦେବ। ଏହା ଯୁବପିଢ଼ିଙ୍କୁ ଭାରତର ପ୍ରଗତି, ଉଦୀୟମାନ ସୁଯୋଗ ଏବଂ ଦେଶର ଭବିଷ୍ୟତ ଗଠନରେ ସେମାନଙ୍କ ଭୂମିକା ସମ୍ପର୍କରେ ଚିନ୍ତନ କରିବାକୁ ଉତ୍ସାହିତ କରିବ।
ଏହି ଦୃଷ୍ଟିକୋଣକୁ ତୃଣମୂଳ ସ୍ତରରେ ସାର୍ଥକ ଅଂଶଗ୍ରହଣରେ ପରିଣତ କରିବା ଲକ୍ଷ୍ୟରେ ବିଭିନ୍ନ ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଶିଷ୍ଟ ଯୁବ ଆଇକନ୍ମାନେ ଅଧିବେଶନର ନେତୃତ୍ୱ ନେବେ। ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ ଭାବେ ପ୍ରତ୍ୟେକ ଯୁବ ଆଇକନ୍ ‘ବିକଶିତ ଭାରତ@୨୦୪୭’ ବିଷୟବସ୍ତୁ ଉପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଉପସ୍ଥାପନା ଦେବେ। ଏଥିରେ ଭାରତର ବିକାଶ ଯାତ୍ରା, ସାମ୍ପ୍ରତିକ ବର୍ଷଗୁଡ଼ିକରେ ହାସଲ କରିଥିବା ସଫଳତା ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାର ଆକାଂକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ଏହି ଉପସ୍ଥାପନାରେ ଦାରିଦ୍ର୍ୟ ହ୍ରାସ ଓ ସାମାଜିକ-ଆର୍ଥିକ ରୂପାନ୍ତରଣ କ୍ଷେତ୍ରରେ ଦେଶର ଅଗ୍ରଗତି ଉପରେ ଆଲୋକପାତ କରାଯିବ। ସମାବେଶୀ ବିକାଶ ଓ ଜନକଲ୍ୟାଣକାରୀ ପଦକ୍ଷେପ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନମାନ ଓ ଜୀବିକାର ସୁଯୋଗରେ ଉନ୍ନତି ଆଣିବା ପାଇଁ କରାଯାଉଥିବା ପ୍ରୟାସଗୁଡ଼ିକୁ ଏଥିରେ ଉପସ୍ଥାପନ କରାଯିବ। ଏଥିସହ ନକ୍ସଲବାଦର ମୁକାବିଲା, ଶାନ୍ତି ପ୍ରତିଷ୍ଠା ଏବଂ ପୂର୍ବରୁ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ମଧ୍ୟ ପ୍ରଦର୍ଶିତ କରାଯିବ। ଏହା ସହିତ ଏକ ସୁସ୍ଥ, ସଶକ୍ତ ଓ ନିଶାମୁକ୍ତ ସମାଜ ଗଠନର ଗୁରୁତ୍ୱ ଉପରେ ଜୋର ଦିଆଯିବ। ନିଶାଦ୍ରବ୍ୟର ଅପବ୍ୟବହାର କିପରି ବ୍ୟକ୍ତିର ସାମର୍ଥ୍ୟ, ପାରିବାରିକ ସୁଖଶାନ୍ତି, ସାମାଜିକ ପ୍ରଗତି ଏବଂ ଜାତୀୟ ଉତ୍ପାଦନଶୀଳତାକୁ କ୍ଷତି ପହଞ୍ଚାଏ, ସେ ସମ୍ପର୍କରେ ମଧ୍ୟ ସଚେତନ କରାଯିବ। ଉପସ୍ଥାପନାରେ ଏହା ସ୍ପଷ୍ଟ କରାଯିବ ଯେ, ‘ବିକଶିତ ଭାରତ@୨୦୪୭’ର ସ୍ୱପ୍ନ ସାକାର କରିବା ପାଇଁ ଏକ ନିଶାମୁକ୍ତ ଭାରତ ଗଠନ ଅପରିହାର୍ଯ୍ୟ। ଏହି ପରିବର୍ତ୍ତନ ଆଣିବାରେ ଯୁବପିଢ଼ି ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।
ଏହି ଆଲୋଚନାଗୁଡ଼ିକୁ ଅଧିକ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ପଦ୍ମ ପୁରସ୍କାର ବିଜେତାମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ। ସେମାନେ ନିଜ ଜୀବନ ଯାତ୍ରା, ବ୍ୟକ୍ତିଗତ ଅନୁଭୂତି ଓ ଅଭିଜ୍ଞତା ବାଣ୍ଟିବା ସହ ଜୀବନରେ ସମ୍ମୁଖୀନ ହୋଇଥିବା ସମସ୍ୟା, ହାସଲ କରିଥିବା ସଫଳତା ଏବଂ ନିଜ ଯାତ୍ରାକୁ ମାର୍ଗଦର୍ଶନ କରିଥିବା ମୂଲ୍ୟବୋଧ ସମ୍ପର୍କରେ ଆଲୋକପାତ କରିବେ। ଏହି ଆଲୋଚନା ମାଧ୍ୟମରେ ଯୁବ ଅଂଶଗ୍ରହଣକାରୀମାନେ ସେମାନଙ୍କ ଅନୁଭୂତିରୁ ପ୍ରେରଣା ଗ୍ରହଣ କରିବା ସହ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ନିଷ୍ଠା, ଦୃଢ଼ ଅଧ୍ୟବସାୟ ଓ ପ୍ରତିବଦ୍ଧତାର ଗୁରୁତ୍ୱ ବୁଝିବାର ସୁଯୋଗ ପାଇବେ।
ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରୁ ପ୍ରେରଣା ଲାଭ କରିଛି। ୧୫ ଅଗଷ୍ଟ ୨୦୨୩ରେ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ସେ ‘ବିକଶିତ ଭାରତ@୨୦୪୭’ର ସ୍ୱପ୍ନ ସାକାର କରିବାରେ ଯୁବଶକ୍ତିଙ୍କୁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ରାଷ୍ଟ୍ର ନିର୍ମାଣରେ ‘ଅମୃତ ପିଢ଼ି’ଙ୍କୁ ଏକ ପ୍ରମୁଖ ଶକ୍ତି ଭାବେ ସ୍ୱୀକୃତି ଦେଇ, ଏହି ଜାତୀୟ ଲକ୍ଷ୍ୟ ହାସଲ କରିବା ଦିଗରେ ଯୁବପିଢ଼ିଙ୍କ ଶକ୍ତି, ଉତ୍ସାହ ଓ ନେତୃତ୍ୱ ଦକ୍ଷତାକୁ ସଠିକ୍ ଦିଗରେ ଉପଯୋଗ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।
ବିକଶିତ ଭାରତ@୨୦୪୭ର ଦୃଷ୍ଟିକୋଣକୁ କାର୍ଯ୍ୟରେ ପରିଣତ କରିବା ଉଦ୍ଦେଶ୍ୟରେ ମାଇ ଭାରତ ପୋର୍ଟାଲ (mybharat.gov.in) ପଞ୍ଜୀକରଣ ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଡିଜିଟାଲ୍ ମଞ୍ଚ ଭାବେ କାର୍ଯ୍ୟ କରିବ। ଏହା ଯୁବପିଢ଼ିଙ୍କ ଅଧିକରୁ ଅଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ମାଇ ଭାରତ ବ୍ୟବସ୍ଥା ସହ ଯୋଡ଼ିବାରେ ସହାୟକ ହେବ। ଶିକ୍ଷାନୁଷ୍ଠାନଗୁଡ଼ିକ ମାଧ୍ୟମରେ ପହଞ୍ଚ ଏବଂ ଡିଜିଟାଲ୍ ଯୋଗାଯୋଗର ସମନ୍ୱୟ ଜରିଆରେ ଏହି ପଦକ୍ଷେପ ଦେଶବ୍ୟାପୀ ଯୁବପିଢ଼ିଙ୍କ ପାଇଁ ଅଂଶଗ୍ରହଣର ସୁଯୋଗକୁ ବ୍ୟାପକ କରିବା ସହ ସେମାନଙ୍କୁ ସ୍ୱେଚ୍ଛାସେବୀ ଭାବେ ବିଭିନ୍ନ ଅର୍ଥପୂର୍ଣ୍ଣ କାର୍ଯ୍ୟକଳାପରେ ଯୋଗଦେବାକୁ ଉତ୍ସାହିତ କରିବ।
ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ଏକ ନିରନ୍ତର ଅନୁଷ୍ଠାନିକ ସମ୍ପର୍କ ସ୍ଥାପନ କରିବ। ଯୁବପିଢ଼ିଙ୍କ ନିରନ୍ତର ସଂପୃକ୍ତିକୁ ସୁଗମ କରିବା, ସ୍ୱେଚ୍ଛାସେବାକୁ ପ୍ରୋତ୍ସାହନ ଦେବା ଏବଂ ଭବିଷ୍ୟତରେ ମାଇ ଭାରତ ପକ୍ଷରୁ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ପଦକ୍ଷେପର କାର୍ଯ୍ୟାନ୍ୱୟନକୁ ସହଯୋଗ କରିବା ପାଇଁ ପରବର୍ତ୍ତୀ ସମୟରେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ମାଇ ଭାରତ ଚାପ୍ଟର’ (ଶାଖା) ସ୍ଥାପନ କରାଯାଇପାରେ। ଏହା ମାଧ୍ୟମରେ ସାମାଜିକ ଦାୟିତ୍ୱବୋଧ ଓ ଉତ୍ସାହରେ ପରିପୂର୍ଣ୍ଣ ଯୁବ ନାଗରିକମାନଙ୍କର ଏକ ନେଟୱର୍କ ଗଠନରେ ସହାୟତା ମିଳିବ। ଏହି ଯୁବପିଢ଼ି କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟ ଅଂଶଗ୍ରହଣ, ନେତୃତ୍ୱ ଓ ସେବା ମନୋଭାବକୁ ଆଗକୁ ବଢ଼ାଇ ନେବେ।
‘ବିକଶିତ ଭାରତ ଯୁବ ସଂବାଦ’ ମାଧ୍ୟମରେ ମାଇ ଭାରତ, ‘ଅମୃତ ପିଢ଼ି’ର ଶକ୍ତି, ଚିନ୍ତାଧାରା ଓ ସାମର୍ଥ୍ୟକୁ ‘ବିକଶିତ ଭାରତ@୨୦୪୭’ର ଜାତୀୟ ଲକ୍ଷ୍ୟ ଦିଗରେ ଉପଯୋଗ କରିବାକୁ ଲକ୍ଷ୍ୟ ରଖିଛି। ଏକ ବିକଶିତ ରାଷ୍ଟ୍ର ଭାବେ ଭାରତର ଅଭ୍ୟୁଦୟ ଯାତ୍ରା ସମାବେଶୀ ଅଭିବୃଦ୍ଧି, ସାମାଜିକ ରୂପାନ୍ତରଣ, ଶାନ୍ତି ଓ ସୁରକ୍ଷା ତଥା ନାଗରିକଙ୍କ ସଶକ୍ତୀକରଣ ଉପରେ ଆଧାରିତ। ଏକ ନିଶାମୁକ୍ତ ଭାରତ କେବଳ ଏକ ସାମାଜିକ ଆକାଂକ୍ଷା ନୁହେଁ, ବରଂ ଏହା ଏକ ଜାତୀୟ ଆବଶ୍ୟକତା, ଯାହା ପାଇଁ ପ୍ରତ୍ୟେକ ଯୁବ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ଅପରିହାର୍ଯ୍ୟ। ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି’ ବାର୍ତ୍ତାକୁ ନେଇ ଏହି କାର୍ଯ୍ୟକ୍ରମ ସଚେତନତାକୁ କାର୍ଯ୍ୟରେ, ଆଲୋଚନାକୁ ଦୃଢ଼ ସଂକଳ୍ପରେ ଏବଂ ଯୁବପିଢ଼ିଙ୍କ ଅଂଶଗ୍ରହଣକୁ ପରିବର୍ତ୍ତନ ପାଇଁ ଏକ ଦେଶବ୍ୟାପୀ ଜନଆନ୍ଦୋଳନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି।
ଏହି ସମ୍ବିଧାନ ଦିବସ ଅବସରରେ ମାଇ ଭାରତ ଭାରତର ଯୁବପିଢ଼ିଙ୍କୁ ଏକତ୍ରିତ ହୋଇ ସାମୂହିକ ଭାବେ ସମ୍ବିଧାନର ପ୍ରସ୍ତାବନା ପାଠ କରିବା, ସମ୍ବିଧାନରେ ନିହିତ ଆଦର୍ଶ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃଦୃଢ଼ କରିବା ଏବଂ ଏକ ସୁସ୍ଥ, ସଶକ୍ତ ଓ ନିଶାମୁକ୍ତ ଭାରତ ପାଇଁ ନିଜର ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ କରୁଛି। ‘ବିକଶିତ ଭାରତ@୨୦୪୭’ ଦିଗରେ ଭାରତର ଯାତ୍ରା କେବଳ ଯୁବପିଢ଼ିଙ୍କ ଆକାଂକ୍ଷା ଦ୍ୱାରା ନୁହେଁ, ବରଂ ଆଜି ସେମାନେ ଗ୍ରହଣ କରୁଥିବା ନିଷ୍ପତ୍ତି ଓ ନେଉଥିବା ପଦକ୍ଷେପ ଦ୍ୱାରା ମଧ୍ୟ ନିର୍ଦ୍ଧାରିତ ହେବ।
ପଞ୍ଜୀକରଣ, କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଅପଡେଟ୍ ଏବଂ ମାଇ ଭାରତ ବିଭିନ୍ନ ପଦକ୍ଷେପରେ ଅଂଶଗ୍ରହଣର ସୁଯୋଗ ପାଇଁ www.mybharat.gov.in ପରିଦର୍ଶନ କରନ୍ତୁ।
*****
MT