ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
azadi ka amrit mahotsav

୧୦ମ ସ୍ବଚ୍ଛତା ସର୍ବେକ୍ଷଣ ୨୦୨୫-୨୬ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି


ଦେଶର ସ୍ୱଚ୍ଛତମ ସହରଗୁଡ଼ିକୁ କରାଯିବ ସମ୍ମାନିତ

‘ସ୍ୱଚ୍ଛ ସହର ଯୋଡ଼ି’ର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ କରାଯିବ ସମ୍ମାନିତ

ପୋଷ୍ଟ କରାଯିବା ଦିନାଙ୍କ: 09 NOV 2026 1:15PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ୧୧ ନଭେମ୍ବରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ହେବାକୁ ଥିବା ସ୍ବତନ୍ତ୍ର ସମାରୋହରେ ସ୍ବଚ୍ଛତା ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ ପ୍ରଦାନ କରିବେ।

ସ୍ୱଚ୍ଛତା ସର୍ବେକ୍ଷଣର ଦଶମ ସଂସ୍କରଣ ‘ସ୍ୱଚ୍ଛତା କି ନୟୀ ପହଲ୍- ବଢାଏଁ ହାଥ, କରେଁ ସଫାଇ ସାଥ୍’ ବିଷୟବସ୍ତୁକୁ ନେଇ ସଫଳତାର ସହ ଶେଷ ହୋଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ଭାରତର ସବୁଠାରୁ ସ୍ୱଚ୍ଛ ସହରଗୁଡ଼ିକୁ ସମ୍ମାନିତ କରାଯିବ। ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ ଅଭିଯାନରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନକୁ ଏହି ପୁରସ୍କାର ମାଧ୍ୟମରେ ସ୍ୱୀକୃତି ଦିଆଯିବ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ତଥା ଶକ୍ତି ମନ୍ତ୍ରୀ ମନୋହର ଲାଲ ଏବଂ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଉପସ୍ଥିତ ରହିବେ।

ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ ଗତ ଏକ ଦଶନ୍ଧି ମଧ୍ୟରେ ସହର ଓ ରାଜ୍ୟଗୁଡ଼ିକର ସାମୂହିକ ସଫଳତାକୁ ପାଳନ କରିବା ସହ ଏହି ସଫଳତାକୁ ନିରନ୍ତର ବଜାୟ ରଖିବା ପାଇଁ ନୂଆ ସଂକଳ୍ପକୁ ପ୍ରତିଫଳିତ କରୁଛି।

ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳର ପ୍ରମୁଖ ସ୍ୱଚ୍ଛତା ମୂଲ୍ୟାଙ୍କନ କାର୍ଯ୍ୟକ୍ରମ, ସ୍ୱଚ୍ଛତା ସର୍ବେକ୍ଷଣର ପରିସର ୨୦୧୬ରେ ୭୩ଟି ପୌରାଞ୍ଚଳରୁ ବୃଦ୍ଧି ପାଇ ବର୍ତ୍ତମାନ ୪,୭୫୧ରୁ ଅଧିକ ସହରରେ ପହଞ୍ଚିଛି। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬ରେ ଏକାଧିକ ନୂଆ ବ୍ୟବସ୍ଥା ସାମିଲ କରାଯାଇଛି। ଏଥିରେ ନାଗରିକଙ୍କ ମତାମତକୁ ଅଧିକ ଗୁରୁତ୍ୱ, ସହରାଞ୍ଚଳ ନଦୀତଟ, ଉପକୂଳ ଅଞ୍ଚଳ ଓ ଜଳାଶୟଗୁଡ଼ିକର ବ୍ୟାପକ ମୂଲ୍ୟାଙ୍କନ ସହ ଖୋଲାରେ ମଳତ୍ୟାଗ ଓ ପରିସ୍ରା ରୋକିବା, ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟସ୍ଥଳଗୁଡ଼ିକର ସ୍ୱଚ୍ଛତା ଏବଂ ବିଦ୍ୟାଳୟଗୁଡ଼ିକରେ ଆଚରଣ ପରିବର୍ତ୍ତନ ସମ୍ପର୍କିତ ପଦକ୍ଷେପ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି।

ସ୍ୱଚ୍ଛ ସର୍ବେକ୍ଷଣର ଦଶମ ସଂସ୍କରଣରେ ୧୦ଟି ପ୍ରମୁଖ ମୂଲ୍ୟାଙ୍କନ କ୍ଷେତ୍ରର ୪୩ଟି ସୂଚକ ଆଧାରରେ ପୌରସଂସ୍ଥା (ୟୁଏଲବି)ଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି। ଏହି ୧୦ଟି କ୍ଷେତ୍ର ମଧ୍ୟରେ ରହିଛି ଆବର୍ଜନା ପୃଥକୀକରଣ, ସଂଗ୍ରହ ଓ ପରିବହନ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଦୃଶ୍ୟମାନ ସ୍ୱଚ୍ଛତା, ପରିମଳ ସୁବିଧାର ଉପଲବ୍ଧତା, ମଳ ନିଷ୍କାସନ ସେବାର ଯାନ୍ତ୍ରିକୀକରଣ, ପରିବେଶ ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ଅନୁଷ୍ଠାନଗତ ମାନଦଣ୍ଡ, ବ୍ୟବହୃତ ଜଳ ପରିଚାଳନା, ସ୍ୱଚ୍ଛତା ସମ୍ପର୍କିତ ସଚେତନତା ପ୍ରସାର, ପରିମଳ କର୍ମଚାରୀଙ୍କ ସାମଗ୍ରିକ କଲ୍ୟାଣ ଏବଂ ନାଗରିକଙ୍କ ମତାମତ ଓ ଅଭିଯୋଗର ସମାଧାନ।

ଦେଶବ୍ୟାପୀ ଏହି ମୂଲ୍ୟାଙ୍କନ ପ୍ରକ୍ରିୟାରେ ୩,୦୦୦ରୁ ଅଧିକ ପ୍ରଶିକ୍ଷିତ ମୂଲ୍ୟାଙ୍କନକାରୀ ନିୟୋଜିତ ହୋଇଥିଲେ। ଜିପିଏସ୍ ଆଧାରିତ ରିଅଲ୍ ଟାଇମ୍ ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ସେମାନେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷେତ୍ରୀୟ ମୂଲ୍ୟାଙ୍କନ କରିଥିଲେ। ପ୍ରମାଣପତ୍ର ଦାଖଲଠାରୁ ଆରମ୍ଭ କରି ଯାଞ୍ଚ ପର୍ଯ୍ୟନ୍ତ ସମଗ୍ର ମୂଲ୍ୟାଙ୍କନ ପ୍ରକ୍ରିୟାକୁ ଡିଜିଟାଲ୍ ମାଧ୍ୟମରେ ସମ୍ପନ୍ନ କରାଯାଇଥିଲା। ଏହାକୁ ସ୍ୱଚ୍ଛ ଓ ପାରଦର୍ଶୀ ରଖିବା ସହ ପ୍ରତ୍ୟେକ ପର୍ଯ୍ୟାୟରେ କଠୋର ଗୁଣବତ୍ତା ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା।

ଦେଶର ସର୍ବୋତ୍ତମ ସ୍ୱଚ୍ଛ ସହରଗୁଡ଼ିକ ସହିତ ଚଳିତ ବର୍ଷର ପୁରସ୍କାରରେ ‘ସ୍ୱଚ୍ଛ ସହର ଯୋଡ଼ି’ ପଦକ୍ଷେପର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ମଧ୍ୟ ସ୍ୱୀକୃତି ଦିଆଯିବ। ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନାକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଅଧୀନରେ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୦ଟି ମାର୍ଗଦର୍ଶକ ସହର ଏବଂ ୧୯୧ଟି ପ୍ରଶିକ୍ଷାର୍ଥୀ ସହର ମଧ୍ୟରେ ଅଭିଜ୍ଞତା ଓ ଜ୍ଞାନର ଆଦାନପ୍ରଦାନକୁ ପ୍ରୋତ୍ସାହିତ କରାଯାଇଛି।

୨୦୨୫ ସେପ୍ଟେମ୍ବର ୨୭ ତାରିଖରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଏହି ‘ସ୍ୱଚ୍ଛ ସହର ଯୋଡ଼ି’ ପଦକ୍ଷେପର ଶୁଭାରମ୍ଭ କରିଥିଲେ। ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏହା ଦେଶର ପ୍ରଥମ ମାର୍ଗଦର୍ଶନ ଓ ପାରସ୍ପରିକ ଶିକ୍ଷଣ କାର୍ଯ୍ୟକ୍ରମ। ଏହାର ଶୁଭାରମ୍ଭ ଅବସରରେ ସମସ୍ତ ମାର୍ଗଦର୍ଶକ ଓ ପ୍ରଶିକ୍ଷାର୍ଥୀ ସହର ମଧ୍ୟରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଥିଲା।

‘ସ୍ୱଚ୍ଛ ସହର ଯୋଡ଼ି’ କାର୍ଯ୍ୟକ୍ରମରେ ସାମିଲ ପ୍ରଶିକ୍ଷାର୍ଥୀ ସହରଗୁଡ଼ିକର ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ଦେଖିବାକୁ ମିଳିଛି। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ ଓ ୨୦୨୫ ମଧ୍ୟରେ ଏହି ସହରଗୁଡ଼ିକର ସ୍ୱଚ୍ଛତା ସମ୍ପର୍କିତ ପ୍ରମୁଖ ମାନଦଣ୍ଡଗୁଡ଼ିକରେ ଏହି ଉନ୍ନତି ପରିଲକ୍ଷିତ ହୋଇଛି। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬ର ସଦ୍ୟତମ ସଂସ୍କରଣରେ ମଧ୍ୟ ଏହି ଧାରା ଜାରି ରହିଛି। ‘ଦୃଶ୍ୟମାନ ସ୍ୱଚ୍ଛତା’ ମାନଦଣ୍ଡରେ ପ୍ରଶିକ୍ଷାର୍ଥୀ ସହରଗୁଡ଼ିକର ପ୍ରଦର୍ଶନ ୨୦୨୪ରେ ୪୮ ପ୍ରତିଶତ ଥିବାବେଳେ ୨୦୨୫ରେ ଏହା ବୃଦ୍ଧି ପାଇ ୭୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଘରକୁ ଘର ଆବର୍ଜନା ସଂଗ୍ରହ କ୍ଷେତ୍ରରେ ପ୍ରଦର୍ଶନ ୫୨ ପ୍ରତିଶତରୁ ବୃଦ୍ଧି ପାଇ ୭୪ ପ୍ରତିଶତ ହୋଇଛି। ଅନ୍ୟ ପ୍ରମୁଖ ମାନଦଣ୍ଡଗୁଡ଼ିକରେ ମଧ୍ୟ ଉନ୍ନତି ହୋଇଛି। ସଂଗ୍ରହସ୍ଥଳୀରେ ଆବର୍ଜନା ପୃଥକୀକରଣ ୧୬ ପ୍ରତିଶତରୁ ୩୦ ପ୍ରତିଶତ, ପରିମଳ ସୁବିଧାର ଉପଲବ୍ଧତା ୧୧ ପ୍ରତିଶତରୁ ୩୮ ପ୍ରତିଶତ, ବ୍ୟବହୃତ ଜଳ ପରିଚାଳନା ୩୨ ପ୍ରତିଶତରୁ ୫୩ ପ୍ରତିଶତ ଏବଂ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ପ୍ରସାର ୪୮ ପ୍ରତିଶତରୁ ବୃଦ୍ଧି ପାଇ ୬୬ ପ୍ରତିଶତରେ ପହଞ୍ଚିଛି। ଉଚ୍ଚ ପ୍ରଦର୍ଶନକାରୀ ସହରଗୁଡ଼ିକର ମାର୍ଗଦର୍ଶନ ଓ ନିରନ୍ତର ସହଯୋଗ ଫଳରେ ପରିମଳ ବ୍ୟବସ୍ଥା ସୁଦୃଢ଼ ହେବା ସହ ସେବା ପ୍ରଦାନରେ ଉନ୍ନତି ହୋଇଥିବା ଏହି ତଥ୍ୟରୁ ଜଣାପଡ଼ିଛି।

ଏକ ବର୍ଷର ନିରନ୍ତର ପ୍ରୟାସ, ସୁସ୍ଥ ପ୍ରତିଯୋଗିତା ଓ ସ୍ୱଚ୍ଛତା ପ୍ରତି ଦୃଢ଼ ପ୍ରତିବଦ୍ଧତା ପରେ ଦେଶର ସହରଗୁଡ଼ିକ ଏବେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬ ପୁରସ୍କାର ବିଜେତାଙ୍କ ନାମ ଘୋଷଣାକୁ ଅପେକ୍ଷା କରିଛନ୍ତି। ୨୦୨୬ ନଭେମ୍ବର ୧୧ ତାରିଖରେ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ।

***

TKM


(ରିଲିଜ ଆଡି: 2334484) ପରିଦର୍ଶକ କାଉଣ୍ଟର : 13