ପୋଷ୍ଟ କରାଯିବା ଦିନାଙ୍କ:
24 OCT 2026 1:56PM by PIB Bhubaneswar
ଦେଶର କୃଷି କ୍ଷେତ୍ରରେ ଏକ ନୂଆ ଡିଜିଟାଲ୍ ଯୁଗର ଶୁଭାରମ୍ଭ କରି କେନ୍ଦ୍ର ସରକାର ଧାର୍ଯ୍ୟ ସମୟର ପାଞ୍ଚ ମାସ ପୂର୍ବରୁ ୧୧ କୋଟି ‘ଫାର୍ମର ଆଇଡି’ (କୃଷକଙ୍କ ସ୍ୱତନ୍ତ୍ର ଡିଜିଟାଲ୍ ପରିଚୟ) ପ୍ରସ୍ତୁତ କରିବାର ଐତିହାସିକ ଲକ୍ଷ୍ୟ ହାସଲ କରିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ-ସମୃଦ୍ଧ କୃଷକ’ ଦୃଷ୍ଟିକୋଣର ଏକ ଐତିହାସିକ ବିଜୟ ବୋଲି ଅଭିହିତ କରିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ‘ଡିଜିଟାଲ୍ କୃଷି ମିଶନ’ ଅଧୀନରେ ହାସଲ ହୋଇଥିବା ଏହି ସଫଳତା ଦେଶର ଅନ୍ନଦାତାମାନଙ୍କୁ ସରକାରୀ ଯୋଜନା, ବ୍ୟାଙ୍କ ଋଣ, ଫସଲ ବୀମା ଓ ବିପର୍ଯ୍ୟୟ ସହାୟତା ଆଦି ସ୍ୱଚ୍ଛ ଓ ତ୍ୱରିତ ଢଙ୍ଗରେ ସିଧାସଳଖ ପ୍ରଦାନ କରିବାର ପଥ ପ୍ରଶସ୍ତ କରିଛି। ଏହାଦ୍ୱାରା କାଗଜପତ୍ର ସଂଗ୍ରହ ଓ ଦାଖଲ ପାଇଁ କୃଷକମାନଙ୍କୁ ଆଉ ଅଯଥା ଦୌଡ଼ାଦୌଡ଼ି କରିବାକୁ ପଡ଼ିବ ନାହିଁ।
ଧାର୍ଯ୍ୟ ସମୟର ୫ ମାସ ପୂର୍ବରୁ ଇତିହାସ ସୃଷ୍ଟି
କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଅକ୍ଟୋବର ୨୩ ତାରିଖ ରାତି ସୁଦ୍ଧା ଦେଶରେ ୧୧ କୋଟି ଫାର୍ମର ଆଇଡି ପ୍ରସ୍ତୁତ କରିବା କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଏହି କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୭ ମାର୍ଚ୍ଚ ୩୧ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରିଥିଲେ। କିନ୍ତୁ କୃଷି ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସମନ୍ୱିତ ଉଦ୍ୟମ ଯୋଗୁଁ ଧାର୍ଯ୍ୟ ସମୟର ପାଞ୍ଚ ମାସ ପୂର୍ବରୁ ଏହି ଲକ୍ଷ୍ୟ ହାସଲ ହୋଇଛି।
ଶ୍ରୀ ଚୌହାନ କହିଛନ୍ତି, “ଆଜି ହେଉଛି ଭାରତୀୟ କୃଷି ଓ କୃଷକଙ୍କ ପାଇଁ ଐତିହାସିକ ଦିନ। ଏକ ସ୍ୱପ୍ନ ସାକାର ହୋଇଛି ଏବଂ ଏକ ସଂକଳ୍ପ ପୂରଣ ହୋଇଛି। ବିକଶିତ ଭାରତ ଗଠନ ପାଇଁ କୃଷିର ବିକାଶ ଓ କୃଷକଙ୍କ ସମୃଦ୍ଧି ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ରହିଛି। ଏଥିପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ହେଉଛି ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ।”
କାଗଜପତ୍ର ସମସ୍ୟାରୁ ମୁକ୍ତି, ସ୍ୱଚ୍ଛ ବ୍ୟବସ୍ଥାର ଶୁଭାରମ୍ଭ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ସ୍ପଷ୍ଟ କରିଛନ୍ତି ଯେ, ଫାର୍ମର ଆଇଡି ପ୍ରସ୍ତୁତ ହେବା ପରେ କୃଷକମାନଙ୍କୁ ଆଉ ବାରମ୍ବାର ସରକାରୀ କାର୍ଯ୍ୟାଳୟ କିମ୍ବା ବ୍ୟାଙ୍କକୁ ଦୌଡ଼ିବାକୁ ପଡ଼ିବ ନାହିଁ। ପୂର୍ବରୁ ବିଭିନ୍ନ ଛୋଟବଡ଼ ସରକାରୀ ଯୋଜନାର ସୁବିଧା ପାଇବା ପାଇଁ କୃଷକମାନଙ୍କୁ ବାରମ୍ବାର କାଗଜପତ୍ର ଦାଖଲ କରିବାକୁ ପଡ଼ୁଥିଲା। ଫଳରେ ସେମାନଙ୍କର ଉଭୟ ସମୟ ଓ ଅର୍ଥ ନଷ୍ଟ ହେଉଥିଲା।
ସେ କହିଛନ୍ତି ଯେ, ଫାର୍ମର ଆଇଡି ମାଧ୍ୟମରେ କୃଷକମାନେ ବିଭିନ୍ନ ଦିଗରୁ ଉପକୃତ ହେବେ। ବ୍ୟାଙ୍କ ଋଣ ଓ କିଷାନ କ୍ରେଡିଟ୍ କାର୍ଡ (କେସିସି): ଋଣ ପ୍ରଦାନ ପ୍ରକ୍ରିୟା ସରଳ ହେବ ଏବଂ ବାରମ୍ବାର କାଗଜପତ୍ର ଯାଞ୍ଚର ଆବଶ୍ୟକତା ପଡ଼ିବ ନାହିଁ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଫସଲ କ୍ଷତି ହେଲେ କ୍ଷତିର ଆକଳନ ଓ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ସ୍ୱଚ୍ଛ ହେବ। କ୍ଷତିପୂରଣ ଅର୍ଥ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ଯିବ। ବିପର୍ଯ୍ୟୟ ସହାୟତା: ବିପର୍ଯ୍ୟୟ ସମୟରେ ପ୍ରକୃତ ଓ ଯୋଗ୍ୟ କୃଷକଙ୍କ ନିକଟରେ ତୁରନ୍ତ ସହାୟତା ରାଶି ପହଞ୍ଚିପାରିବ। ଫସଲ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ କ୍ରୟ: ଏମ୍ଏସ୍ପିରେ ଫସଲ ବିକ୍ରି ପ୍ରକ୍ରିୟାରେ ମଧ୍ୟସ୍ଥିଙ୍କ ଭୂମିକା ଦୂର ହେବ ଏବଂ କୃଷକମାନେ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ।
ପୂର୍ବରୁ ୬ କୋଟିରୁ ଅଧିକ କୃଷକଙ୍କ ନିକଟରେ ପହଞ୍ଚିସାରିଛି ଲାଭ
୨ ସେପ୍ଟେମ୍ବର ୨୦୨୪ରେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ପରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ‘ଡିଜିଟାଲ୍ କୃଷି ମିଶନ’ ଅଧୀନରେ ପ୍ରସ୍ତୁତ କରାଯାଉଥିବା ‘ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି’ (ଡିପିଆଇ)ର ପ୍ରଭାବ ଏବେ ତୃଣମୂଳ ସ୍ତରରେ ଦେଖିବାକୁ ମିଳୁଛି। ଫାର୍ମର ଆଇଡି ଆଧାରିତ ସେବା ପ୍ରଦାନ ବ୍ୟବସ୍ଥା ଜରିଆରେ ଏଯାବତ୍ ଦେଶର ୬ କୋଟିରୁ ଅଧିକ କୃଷକଙ୍କୁ ବିଭିନ୍ନ ଯୋଜନାର ସିଧାସଳଖ ଲାଭ ପ୍ରଦାନ କରାଯାଇଛି। ସତ୍ୟାପିତ କୃଷକ ତଥ୍ୟଭଣ୍ଡାରକୁ କୃଷି ସେବା ସହ ଯୋଡ଼ାଯିବା ଫଳରେ ଜାଲିଆତି ଏବଂ ବାରମ୍ବାର ଯାଞ୍ଚର ସମସ୍ୟା ଦୂର ହେଉଛି। ଏହାଦ୍ୱାରା କେବଳ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ ହୋଇନାହିଁ, ବରଂ ନୀତି ନିର୍ଦ୍ଧାରଣ ଏବଂ ଯୋଜନାଗୁଡ଼ିକର ବାସ୍ତବ କାର୍ଯ୍ୟକାରିତା ତଦାରଖ କରିବାରେ ମଧ୍ୟ ଉନ୍ନତି ଆସିଛି।
ସହଯୋଗୀ ସଂଘୀୟ ବ୍ୟବସ୍ଥାର ଅନନ୍ୟ ଉଦାହରଣ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏହି ସଫଳତାର ଶ୍ରେୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମକୁ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ସଫଳତା ‘ସହଯୋଗୀ ସଂଘୀୟ ବ୍ୟବସ୍ଥା’ର ଏକ ଉତ୍କୃଷ୍ଟ ଉଦାହରଣ। ଏଥିପାଇଁ ସେ କେନ୍ଦ୍ର ସରକାରଙ୍କ ଅଧିକାରୀ, ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ, ଜିଲ୍ଲାସ୍ତରୀୟ ଦଳ ଏବଂ ଗାଁ ଗାଁରେ କାର୍ଯ୍ୟ କରୁଥିବା କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପକ୍ଷରୁ ଭାଗଚାଷୀ ଏବଂ ପ୍ରକୃତ ଜମି ଚାଷ କରୁଥିବା କୃଷକଙ୍କୁ ମଧ୍ୟ ନିୟମ ଅନୁଯାୟୀ ଏହି ଡିଜିଟାଲ୍ ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି, ଯେପରିକି କୌଣସି ଯୋଗ୍ୟ କୃଷକ ସରକାରୀ ଯୋଜନାର ଲାଭରୁ ବଞ୍ଚିତ ନହେବେ।
ଆଧୁନିକ ଜ୍ଞାନକୌଶଳ ବଦଳାଇବ କୃଷିର ଚିତ୍ର
‘ସର୍ବନିମ୍ନ ସରକାର, ସର୍ବାଧିକ ଶାସନ’ (Minimum Government, Maximum Governance) ନୀତି ଅନୁସରଣ କରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କୃଷକ ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ। ଫାର୍ମର ଆଇଡି କେବଳ ଏକ ପରିଚୟପତ୍ର ନୁହେଁ, ବରଂ ଏହା ଏକ ସ୍ୱଚ୍ଛ, ଉତ୍ତରଦାୟୀ ଓ କୃଷକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଉଥିବା ପ୍ରଶାସନିକ ବ୍ୟବସ୍ଥାର ଏକ ସୁଦୃଢ଼ ମୂଳଦୁଆ। କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଦେଶର ସମସ୍ତ କୃଷକ ଭାଇଭଉଣୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆଧୁନିକ ଜ୍ଞାନକୌଶଳ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ସେମାନେ ବିନା ସମସ୍ୟାରେ ସରକାରୀ ଯୋଜନାଗୁଡ଼ିକର ଲାଭ ଉଠାଇବା ସହ ଭାରତୀୟ କୃଷିକୁ ନୂଆ ଉଚ୍ଚତାକୁ ନେବାରେ ସହଭାଗୀ ହୋଇପାରିବେ।
***
TKM