ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାଇବର, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳା ଉପରେ ଅଷ୍ଟ୍ରେଲିଆ-ଭାରତ ଭାଗିଦାରୀ (ପିଏସିଟିଏସ୍‌)

ପୋଷ୍ଟ କରାଯିବା ଦିନାଙ୍କ: 09 JUL 2026 11:04AM by PIB Bhubaneswar

ଅଷ୍ଟ୍ରେଲିଆ ଏବଂ ଭାରତ ବ୍ୟାପକ ରଣନୈତିକ ସହଭାଗିତା, ସାଇବର ଏବଂ ସାଇବର ସକ୍ଷମ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ୨୦୨୦ ଫ୍ରେମୱାର୍କ ବ୍ୟବସ୍ଥା (୨୦୨୦ ଫ୍ରେମୱାର୍କ) ଏବଂ ଦୁଇ ଦଶନ୍ଧିର ସହଯୋଗୀ ଗବେଷଣା, ପରିଚାଳନ ସମନ୍ୱୟ ତଥା ନୀତିଗତ ସମ୍ପୃକ୍ତି ଦ୍ୱାରା ଆଧାରିତ ସାଇବର ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାରେ ଏକ ସ୍ଥାୟୀ ସହଭାଗିତା ଗଠନ କରିଛନ୍ତି ।

ଯୋଗାଣ ଶୃଙ୍ଖଳ, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଏବଂ ସାଇବର ସୁରକ୍ଷା ଅର୍ଥନୈତିକ ଅଭିବୃଦ୍ଧିକୁ ଚାଳିତ କରିବା ସହ ଜାତୀୟ ସୁରକ୍ଷାର କେନ୍ଦ୍ରବିନ୍ଦୁ ଏବଂ ମୂଲ୍ୟବୋଧ ତଥା ବିଶ୍ୱ ମାନଦଣ୍ଡକୁ ଆକାର ଦେବା ପାଇଁ ବ୍ୟବହାର କରାଯାଇପାରିବ ବୋଲି ସ୍ୱୀକାର କରି, ଅଷ୍ଟ୍ରେଲିଆ ଏବଂ ଭାରତ ନିଜର ପୂର୍ବ-ବିଦ୍ୟମାନ ଭିତ୍ତିଭୂମି ଉପରେ ନିର୍ମାଣ କରିବେ ଏବଂ ‘ସାଇବର, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳ (ପିଏସିଟିଏସ୍‌) ଉପରେ ଅଷ୍ଟ୍ରେଲିଆ-ଭାରତ ସହଭାଗିତା’ ଅଧୀନରେ ଆମର ଦ୍ୱିପାକ୍ଷିକ ମହତ୍ୱାକାଂକ୍ଷାକୁ ଅଧିକ ତ୍ୱରାନ୍ୱିତ କରିବେ ଏବଂ ଏହା ୨୦୨୦ ଫ୍ରେମୱାର୍କକୁ ସଫଳ ତଥା ପ୍ରତିସ୍ଥାପିତ କରିବେ ।

ଜାତୀୟ ଏବଂ ଆଞ୍ଚଳିକ ସୁରକ୍ଷାରେ ଆମର ସହଭାଗୀ ସ୍ୱାର୍ଥକୁ ସମର୍ଥନ କରିବା, ଅଧିକ ଡିଜିଟାଲ ବିକଳ୍ପ ସହିତ ଆମର ଅଂଶୀଦାରମାନଙ୍କୁ ସଶକ୍ତ କରିବା, ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ଅଧିକ ସ୍ଥିର କରିବା ଏବଂ ବିଶ୍ୱ ସାଇବର ସ୍ଥିତିକୁ ସୁଦୃଢ଼ କରିବା ପିଏସିଟିଏସ୍‌ର ଉଦ୍ଦେଶ୍ୟ । ସୁରକ୍ଷା, ନିରାପତ୍ତା, ସ୍ଥିରତା, ସମସ୍ତଙ୍କ ପାଇଁ ସମାବେଶୀ ଏବଂ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସହଭାଗିତା ଅଧୀନରେ ଆମର ପ୍ରୟାସର ପ୍ରତ୍ୟେକ ପର୍ଯ୍ୟାୟରେ ସାମିଲ କରାଯିବ, ଯାହା ଦାୟିତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ମୁଖ୍ୟ ଭାବରେ ଆମ ଦେଶଗୁଡିକର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଏକ ସାମଗ୍ରିକ ଏକୀକୃତ ରଣନୈତିକ ଦୃଷ୍ଟିକୋଣ ଅଧୀନରେ ଏହି ପ୍ରୟାସଗୁଡିକୁ ସୁଗମ କରିବା ଦ୍ୱାରା ଆମକୁ ସହଯୋଗର ପାଞ୍ଚଟି ସ୍ତମ୍ଭ ଅଧୀନରେ ଲକ୍ଷ୍ୟଭିତ୍ତିକ କାର୍ଯ୍ୟକଳାପକୁ ଆଗେଇ ନେବା ପାଇଁ ସହଯୋଗ ମିଳିବ ।

ସହଯୋଗର ସ୍ତମ୍ଭ

ପରସ୍ପର ସହ ଜଡ଼ିତ ପ୍ରତ୍ୟେକ କ୍ଷେତ୍ର ବା ସ୍ତମ୍ଭ ଅଧୀନରେ, ଭାରତ ଏବଂ ଅଷ୍ଟ୍ରେଲିଆ ଘରୋଇ କ୍ଷେତ୍ର, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଏବଂ ସରକାରୀ ସଂସ୍ଥାଗୁଡିକ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ସୁଯୋଗ ଓ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଚିହ୍ନଟ କରିବେ । ଏହା ସରକାର-ସ୍ତରୀୟ ସହଯୋଗକୁ ସୁଦୃଢ଼ ତଥା ସମ୍ପ୍ରସାରିତ କରିବ, ନୂତନ ପ୍ରଯୁକ୍ତିବିଦ୍ୟାରେ ଉଭୟ ଦେଶ ମଧ୍ୟରେ ନିବେଶ ବୃଦ୍ଧି କରିବ ଏବଂ ବୌଦ୍ଧିକ ସମ୍ପତ୍ତିକୁ ଆର୍ଥିକ ଅଭିବୃଦ୍ଧି ପ୍ରଦାନ କରୁଥିବା ଉତ୍ପାଦରେ ପରିଣତ କରିବାରେ ସହାୟତା କରିବ ।

ସ୍ତମ୍ଭ ୧: ଯୋଗାଣ ଶୃଙ୍ଖଳାରେ ସୁଦୃଢ଼ତା ଏବଂ ବିବିଧକରଣ 

ଅଷ୍ଟ୍ରେଲିଆ ଏବଂ ଭାରତ ନିଜର ବର୍ଦ୍ଧିତ ବୈଷୟିକ ଶିଳ୍ପଗୁଡିକୁ ସମର୍ଥନ କରିବା ପାଇଁ ସୁରକ୍ଷିତ, ସୁଦୃଢ଼ ଏବଂ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳା ଗଠନ ଦିଗରେ କାର୍ଯ୍ୟ କରିବେ । ଏଥିପାଇଁ ଡିଜାଇନ ଦ୍ୱାରା ସୁରକ୍ଷା (ସିକ୍ୟୁରିଟି ବାଇ ଡିଜାଇନ୍‌) ଓ ସୁରକ୍ଷାମୂଳକ ନିୟାମକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ନିୟମ-ଆଧାରିତ ଦ୍ୱିପାକ୍ଷିକ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟ ତଥା ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ ।

. ବିଶ୍ୱସ୍ତ ବିକ୍ରେତା ବ୍ୟବସ୍ଥା ଉପରେ ସହଯୋଗ ପାଇଁ ଏକ ଦ୍ୱିପାକ୍ଷିକ ପ୍ରକ୍ରିୟା ବିକାଶ କରିବା ।

. ଇଣ୍ଡୋ-ପାସିଫିକ ଅଞ୍ଚଳରେ ସୁରକ୍ଷିତ, ବିଶ୍ୱସ୍ତ, ନିର୍ଭରଯୋଗ୍ୟ ଏବଂ ସୁଦୃଢ଼ ସମୁଦ୍ର-ତଳ କେବୁଲ ସଂଯୋଗକୁ ସମର୍ଥନ କରିବା ପାଇଁ କେବୁଲ ସଂଯୋଗ ଏବଂ ସୁଦୃଢ଼ତା ପାଇଁ କ୍ୱାଡ ଭାଗୀଦାରୀ ସମେତ ଭାରତ ଅଷ୍ଟ୍ରେଲିଆ ସହଯୋଗକୁ ପ୍ରୋତ୍ସାହିତ କରିବା । ଉତ୍ତମ କାର୍ଯ୍ୟଶୈଳୀର ଆଦାନପ୍ରଦାନ, ସୂଚନା ଆଦାନପ୍ରଦାନ ଏବଂ ସମନ୍ୱୟ ବୃଦ୍ଧି ତଥା ସମୁଦ୍ର-ତଳ କେବୁଲ ଭିତ୍ତଭୂମି ପ୍ରତି ଥିବା ବିପଦ (ଯେପରିକି ଧମକ ଓ ଭଙ୍ଗାରୁଜା ବା ସାବୋଟାଜ୍‌)ର ମୁକାବିଲା ପାଇଁ ସହଯୋଗକୁ ସୁଦୃଢ଼ କରିବା ।

. ଅର୍ଦ୍ଧ-ପରିବାହୀ ଯୋଗାଣ ଶୃଙ୍ଖଳକୁ ସୁରକ୍ଷା ଦେବା ଉପରେ କେନ୍ଦ୍ରିତ ଅଷ୍ଟ୍ରେଲିଆ ଏବଂ ଭାରତୀୟ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ବିକାଶ କରିବା ଏବଂ ସେମାନଙ୍କ ପ୍ରୟାସକୁ ବୃଦ୍ଧି କରିବା ପାଇଁ ସହ-ବିକାଶ ତଥା ଗବେଷଣାକୁ ପ୍ରୋତ୍ସାହିତ କରିବା ।

. ସମନ୍ୱିତ ନିବେଶ, ନିୟାମକ ସଂଯୋଜନା ଏବଂ ପୁନଃଚକ୍ରଣ ତଥା ପୁନରୁଦ୍ଧାର ମାଧ୍ୟମରେ ସୁରକ୍ଷିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ଯୋଗାଣ ଶୃଙ୍ଖଳର ବିକାଶରେ ସହଯୋଗ କରିବା ।

. ଅଷ୍ଟ୍ରେଲୀୟ ଏବଂ ଭାରତୀୟ ବ୍ୟବସାୟ ମଧ୍ୟରେ ବାଣିଜ୍ୟିକ ସହଯୋଗ ଏବଂ ବାଣିଜ୍ୟ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ଏହି ସ୍ତମ୍ଭ ସହିତ ବିଦ୍ୟମାନ ପଦକ୍ଷେପଗୁଡିକୁ ସଂଯୋଜିତ କରିବା ସମେତ ପ୍ରାସଙ୍ଗିକ ଶୀର୍ଷ ସଂସ୍ଥାଗୁଡିକ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ।

ସ୍ତମ୍ଭ ୨: ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା

ଅଷ୍ଟ୍ରେଲିଆ ଏବଂ ଭାରତ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାଗୁଡିକର ସୁରକ୍ଷା, ସ୍ଥିରତା ଏବଂ ଅଖଣ୍ଡତାକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ । ଏଥିସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ମହାକାଶ ପ୍ରଯୁକ୍ତିବିଦ୍ୟା, ଦୂରସଞ୍ଚାର, ଜୈବ-ପ୍ରଯୁକ୍ତିବିଦ୍ୟା ଏବଂ ଉନ୍ନତ ସାମଗ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟାର ଉଦ୍ଭାବନ ପାଇଁ ମଧ୍ୟ କାର୍ଯ୍ୟ କରିବେ । ଇଣ୍ଡୋ-ପାସିଫିକ ଅଞ୍ଚଳରେ ଦୀର୍ଘକାଳୀନ ଅର୍ଥନୈତିକ ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତାକୁ ସମର୍ଥନ କରିବା ଲକ୍ଷ୍ୟରେ ଆମେ ଅତ୍ୟାବଶ୍ୟକ ଡିଜିଟାଲ ଓ ଭୌତିକ ଭିତ୍ତିଭୂମିର ସୁରକ୍ଷା, ଉଦ୍ଭାବନ ଏବଂ ଗବେଷଣାର ତ୍ୱରାନ୍ୱିତକରଣ ଏବଂ ପରସ୍ପର ସହ କାର୍ଯ୍ୟକ୍ଷମ ତଥା ସର୍ବସମ୍ମତି-ଭିତ୍ତିକ ଅନ୍ତର୍ଜାତୀୟ ମାନକ ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦେବୁ ।

. ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ ସର୍ବସମ୍ମତି-ଭିତ୍ତିକ ଓ ବହୁ-ଅଂଶୀଦାର ଢ଼ାଞ୍ଚା ବିକାଶ କରି ବିଶ୍ୱସ୍ତ ଓ ସୁରକ୍ଷିତ ଏଆଇ ପାଇଁ ଅନ୍ତର୍ଜାତୀୟ ମାନକ ତଥା ମାପଦଣ୍ଡକୁ ଆଗକୁ ବଢ଼ାଇବା ନିମନ୍ତେ ବିଶ୍ୱସ୍ତରୀୟ ପ୍ରୟାସର ଉପଯୋଗ କରିବା । ଏଥିରେ ଭାରତୀୟ ଏବଂ ଅଷ୍ଟ୍ରେଲିଆର ଶିକ୍ଷାନୁଷ୍ଠାନ ତଥା ଘରୋଇ କ୍ଷେତ୍ର ମଧ୍ୟରେ ଥିବା ପଦକ୍ଷେପଗୁଡିକୁ ସମର୍ଥନ କରିବା ଅନ୍ତର୍ଭୁକ୍ତ, ଯାହା ନାଗରିକମାନଙ୍କ ପାଇଁ ଲାଭଦାୟକ ହେବ ଏବଂ ଏଆଇ ଗବେଷକ, ବ୍ୟବହାରକାରୀ, ନୀତି ନିର୍ଦ୍ଧାରକ ଓ ବୃତ୍ତିଗତ ବ୍ୟକ୍ତିବିଶେଷଙ୍କୁ ଏଆଇ ପ୍ରଯୁକ୍ତିବିଦ୍ୟାର ସୁରକ୍ଷିତ ବିକାଶ ଓ ପ୍ରୟୋଗ କ୍ଷେତ୍ରରେ ସମନ୍ୱିତ ନୀତି ଓ ଉତ୍ତମ ଅଭ୍ୟାସ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ପ୍ରଦାନ କରିବ; ଏଥିସହିତ କମ୍ପ୍ୟୁଟ, ବୃହତ ଭାଷା ମଡେଲ, ଏଆଇ ଏବଂ ଏଆଇ ସମ୍ପର୍କିତ ଭିତ୍ତିଭୂମି ପର୍ଯ୍ୟନ୍ତ ସୁରକ୍ଷିତ ପ୍ରବେଶାଧିକାର ସୁନିଶ୍ଚିତ କରିବା ଦିଗରେ ଦୃଷ୍ଟିକୋଣର ଆଦାନ ପ୍ରଦାନ କରାଯାଇପାରିବ ।

. ଉନ୍ନତ ସାମଗ୍ରୀ, ଦୂରସଞ୍ଚାର ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ସମେତ ପ୍ରାଥମିକତାକୁ ଲକ୍ଷ୍ୟ କରିବା ପାଇଁ ଅଷ୍ଟ୍ରେଲିଆ-ଭାରତ ଗବେଷଣା, ନବାଚାର ଏବଂ ନିବେଶ ସହଭାଗିତାକୁ ପୁନଃ କେନ୍ଦ୍ରିତ ଓ ତ୍ୱରାନ୍ୱିତ କରିବା, ଯେଉଁଥିରେ ଦ୍ୱିପାକ୍ଷିକ ଏବଂ ବ୍ୟାପକ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ବାସ୍ତବ ଲାଭ ପ୍ରଦାନ କରୁଥିବା ଗବେଷଣା ପ୍ରକଳ୍ପଗୁଡିକୁ ପାଣ୍ଠି ଯୋଗାଇବା ନିମନ୍ତେ ବିଦ୍ୟମାନ ବ୍ୟବସ୍ଥାଗୁଡିକ ମଧ୍ୟରେ ପ୍ରତିଷ୍ଠିତ କାର୍ଯ୍ୟକ୍ରମଗୁଡିକୁ ପୁନଃ ବ୍ୟବସ୍ଥିତ କରିବା ସାମିଲ ରହିଛି ।

. ଉଭୟ ଦେଶର ମହାକାଶ କ୍ଷେତ୍ରର ଦୃତ ବିକାଶ ଏବଂ ପରିପକ୍ୱ ମହାକାଶ ସହଭାଗିତା ଉପରେ ଆଧାରିତ ମିଳିତ ବାଣିଜ୍ୟିକ ଏବଂ ସରକାରୀ ନେତୃତ୍ୱାଧିନ ମହାକାଶ କ୍ଷେତ୍ରରେ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ସହଯୋଗ ଅନୁସନ୍ଧାନ କରିବା । 

ସ୍ତମ୍ଭ ୩: ସାଇବର ସୁରକ୍ଷା

ଡିଜିଟାଲ କ୍ଷେତ୍ରର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅଷ୍ଟ୍ରେଲିଆ ଏବଂ ଭାରତ ଏକାଠି କାମ କରିବେ। ଏଥିରେ ସାଇବର ଅପରାଧର ମୁକାବିଲା, କ୍ଷତିକାରକ ସାଇବର କାର୍ଯ୍ୟକଳାପକୁ ରୋକିବା, ସାଇବର ଏବଂ ପ୍ରଯୁକ୍ତିବିଦ୍ୟା ସୁରକ୍ଷା ମାନଦଣ୍ଡ ସହିତ ଜଡିତ ଜ୍ଞାନ ଏବଂ ଅଭିଜ୍ଞତା ଆଦାନପ୍ରଦାନ ଏବଂ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଭିତ୍ତିଭୂମିକୁ ସୁରକ୍ଷା ପ୍ରଦାନ ଅନ୍ତର୍ଭୁକ୍ତ ।

. ସାଇବର ଏବଂ ଆଇସିଟି କ୍ଷେତ୍ରରେ କ୍ଷମତା ନିର୍ମାଣ ପଦକ୍ଷେପ, ଆଞ୍ଚଳିକ ଏବଂ ବହୁପାକ୍ଷିକ ସହଯୋଗ ଅବସରକୁ ସୁଗମ କରିବା ପାଇଁ ଏକ ସମନ୍ୱିତ ଏବଂ ଯୁକ୍ତିଯୁକ୍ତ ଦ୍ୱିପାକ୍ଷିକ ତନ୍ତ୍ର ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରିବା ସହ ନୀତିଗତ ସମନ୍ୱୟ ସୁନିଶ୍ଚିତ କରିବା ଏବଂ ବହୁବିଧ କାର୍ଯ୍ୟ ଚ୍ୟାନେଲରେ ଡୁପ୍ଲିକେଶିକରୁ ରକ୍ଷା ପାଇବା ।

. ଜାତିସଂଘ ଦ୍ୱାରା ନିର୍ଦ୍ଦେଶିତ ସାଇବର ସମ୍ବନ୍ଧୀୟ ପ୍ରକ୍ରିୟାଗୁଡିକରେ ସହଯୋଗକୁ ସୁଦୃଢ଼ କରିବା ଏବଂ ଟେଲିଯୋଗାଯୋଗ କ୍ଷେତ୍ରରେ ସାଇବର ସୁରକ୍ଷାର ମୁକାବିଲା କରିବା ପାଇଁ ଡାଟା ଗଭର୍ଣ୍ଣାନ୍ସ ଆର୍କିଟେକ୍‌ଚର ଏବଂ ଅନ୍ତର୍ଜାତୀୟ ସହଯୋଗ ଉପରେ ଆଲୋଚନା ବୃଦ୍ଧି କରିବା ।

. ସାଇବର ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ଉପରେ ଅଷ୍ଟ୍ରେଲିଆ ଏବଂ ଭାରତୀୟ ବ୍ୟବସାୟ ମଧ୍ୟରେ ପ୍ରବେଶ ଏବଂ ବର୍ଦ୍ଧିତ ବାଣିଜ୍ୟ ତଥା ନିବେଶ ପାଇଁ ସୁଯୋଗ ବୃଦ୍ଧି କରିବା ।

. ସାଇବର ସୁରକ୍ଷା କ୍ଷେତ୍ରରେ ଅଷ୍ଟ୍ରେଲିଆ ଏବଂ ଭାରତୀୟ ସରକାରୀ ଏଜେନ୍ସି ତଥା ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଏକତ୍ର କରିବା ପାଇଁ ବ୍ୟବହାରିକ ମିଳିତ କର୍ମଶାଳା ଆୟୋଜନ କରିବା ।

. ଗୁରୁତ୍ୱପୂର୍ଣ୍ଣ ଦକ୍ଷତାର ଅଭିବୃଦ୍ଧି ଏବଂ ଆଦାନପ୍ରଦାନ ପାଇଁ ଏକ ସାଇବର ଟେକ୍ ସ୍କିଲ ଇନ୍‌କ୍ୟୁବେଟର ହବ୍ ସୃଷ୍ଟି କରିବା ।

ସ୍ତମ୍ଭ ୪: ଡିଜିଟାଲ ଅନୁକୂଳତା

ଅଷ୍ଟ୍ରେଲିଆ ଏବଂ ଭାରତ ସମଗ୍ର ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅର୍ଥନୀତିର ଡିଜିଟାଲାଇଜେନ୍‌କୁ ସମର୍ଥନ କରିବା ପାଇଁ ବିଶ୍ୱସ୍ତ ଏବଂ ସ୍କେଲେବଲ ପ୍ରଯୁକ୍ତିବିଦ୍ୟା ସମାଧାନ ପ୍ରଦାନ କରିବାକୁ ଚେଷ୍ଟା କରିବେ । ଆମେ ଆଞ୍ଚଳିକ କ୍ଷତାକୁ ସୁଦୃଢ଼ କରୁଥିବା ନିର୍ଦ୍ଦିଷ୍ଟ ପ୍ରକଳ୍ପଗୁଡିକୁ ଚିହ୍ନଟ କରି ବିକାଶ ଆହ୍ୱାନଗୁଡିକର ସମାଧାନ କରୁଥିବା ସମାଧାନ କରିବା ପାଇଁ ଏକତ୍ର କାମ କରିବୁ ।

. ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ନୀତି ଉପରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶଗୁଡିକ ସହିତ ନୂତନ ସହଭାଗୀତା ଆଦାନପ୍ରଦାନକୁ ସମର୍ଥନ କରିବା ।

. ସ୍ୱଚ୍ଛ ଏବଂ ନବୀକରଣୀୟ ଶକ୍ତି, ସ୍ଥିର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି, ସଂଯୋଗ, ଡିଜିଟାଲ ପରିବର୍ତ୍ତନ, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ଦକ୍ଷତା ବିକାଶ, ଶିକ୍ଷା ଏବଂ ଗବେଷଣା ଭଳି କ୍ଷେତ୍ରଗୁଡିକ ସମେତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁଲଭ ଡିପିଆଇ ସମାଧାନଗୁଡିକୁ ବିସ୍ତାର ଓ ପ୍ରସାର କରିବା ।

. ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଦୃଢ଼ ଡିପିଆଇ ବ୍ୟବହାର ମାମଲାଗୁଡିକର ବିସ୍ତାର କରି ଡିଜିଟାଲ ଅନୁକୂଳତା ଉପରେ ଭାରତୀୟ ଏବଂ ଅଷ୍ଟ୍ରେଲୀୟ ବିଶେଷଜ୍ଞତାକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଭାବରେ ଅନୁକୂଳଯୋଗ୍ୟ ଡିଜିଟାଲ ଇକୋସିଷ୍ଟମ ନିର୍ମାଣ ପାଇଁ ମିଳିତ ପ୍ରକଳ୍ପ ସମେତ ବିଭିନ୍ନ କ୍ଷମତା ନିର୍ମାଣ ପଦକ୍ଷେପ ମାଧ୍ୟମରେ ମୌଳିକ ଡିଜିଟାଲ ସମାଧାନ ଉପରେ ଧ୍ୟାନ କେନ୍ଦ୍ରିତ କରି ଭାରତ-ପ୍ରଶାନ୍ତ ମହାସାଗରୀୟ ପାଇଲଟ ପ୍ରକଳ୍ପଗୁଡିକୁ ସହଜ କରିବା।

ସ୍ତମ୍ଭ ୫: ପ୍ରତିରକ୍ଷା ଗବେଷଣା ସହଯୋଗ

ବହୁ-କ୍ଷେତ୍ରୀୟ ପ୍ରତିରକ୍ଷା ଆହ୍ୱାନ ଏବଂ କ୍ଷମତାର ଏକ ସମାନ ବୁଝାମଣାକୁ ଆଗକୁ ବଢ଼ାଇବା ପାଇଁ ଅଷ୍ଟ୍ରେଲିଆ ଏବଂ ଭାରତ ପ୍ରତିରକ୍ଷା ଗବେଷଣା ସହଭାଗିତାକୁ ବ୍ୟବହାର କରିବା ନିମନ୍ତେ ଏକତ୍ର କାମ କରିବେ । ଆମେ ପୂର୍ବ ମିଳିତ ଗବେଷଣା ଉପରେ ଆଗକୁ ବଢ଼ିବୁ, ଆମର ସମାନ ସ୍ୱାର୍ଥ ଅନୁଯାୟୀ ଭବିଷ୍ୟତ ପ୍ରକଳ୍ପର ଡିଜାଇନ୍ କରିବୁ ଏବଂ ପ୍ରଯୁକ୍ତିବିଦ୍ୟାରେ ସହଯୋଗ ସମ୍ପର୍କିତ କାର୍ଯ୍ୟକାରୀ ବ୍ୟବସ୍ଥା ଅଧୀନରେ ପ୍ରତିରକ୍ଷା ସହଯୋଗ ଉପରେ ବୁଝାମଣାପତ୍ରରେ ଆମର ପ୍ରତିରକ୍ଷା ବିଜ୍ଞାନ ସଂଗଠନଗୁଡିକ ମଧ୍ୟରେ ଆଦାନପ୍ରଦାନ ବୃଦ୍ଧି କରିବୁ ।

. ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ଆଲୋଚନା, ପ୍ରତିରକ୍ଷା ନୀତି ଏବଂ ପ୍ରତିରକ୍ଷା ଶିଳ୍ପ, ଗବେଷଣା ଏବଂ ସାମଗ୍ରୀ ଉପରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ମାଧ୍ୟମରେ ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରାଥମିକତା ଉପରେ ଆମର ଆଲୋଚନାକୁ ସୁଦୃଢ଼ କରିବା ।

. ଅଷ୍ଟ୍ରେଲିଆର ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗୋଷ୍ଠୀ ଏବଂ ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ମଧ୍ୟରେ ସଂସ୍ଥାଗତ ସଂଯୋଗ ନିର୍ମାଣ କରିବା ଏବଂ ଗବେଷଣା ସହଯୋଗକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟକାରୀ ସ୍ତରୀୟ ଆଦାନପ୍ରଦାନକୁ ନିୟମିତ କରିବା ।

. ବ୍ୟବସାୟିକ ସ୍ତରରେ ସହଯୋଗ ସହିତ ସମ୍ପୃକ୍ତ ପ୍ରତିରକ୍ଷା ନବାଚାର ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ମଧ୍ୟରେ ଗଭୀର ସମ୍ପର୍କକୁ ସୁଗମ କରିବା ।

. ପ୍ରତିରକ୍ଷା ଅନୁପ୍ରୟୋଗ ପାଇଁ ଅଭିନବ ସାମୁଦ୍ରିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷମତା (ସାମୁଦ୍ରିକ ନିରୀକ୍ଷଣ, ଉନ୍ନତ ସାମଗ୍ରୀ ସମେତ) ଉପରେ ସହଯୋଗକୁ ଗୁରୁତ୍ୱ ଦେବା ।

ସ୍ଥାପତ୍ୟ ଏବଂ ଶାସନ

ଦ୍ୱିପାକ୍ଷିକ ସମୀକ୍ଷା:

ଏହି ସହଭାଗିତାର ଅଧ୍ୟକ୍ଷତା ଏକ ବରିଷ୍ଠ ସ୍ତରରେ ଅଷ୍ଟ୍ରେଲୀୟ ଉପସଚିବ ଅନ୍ତର୍ଜାତୀୟ ଏବଂ ସୁରକ୍ଷା ଗୋଷ୍ଠୀ, ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ୍ ବିଭାଗ ଏବଂ ଭାରତୀୟ ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦ୍ୱାରା କରାଯିବ । ଅଧ୍ୟକ୍ଷମାନେ ପ୍ରାଥମିକତା କ୍ଷେତ୍ରର ନିର୍ଦ୍ଧାରଣ କରିବେ ଏବଂ ସାଇବର ତଥା ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାରେ ପାରସ୍ପରିକ ଲାଭଦାୟକ ସହଯୋଗ ପାଇଁ ସୁଯୋଗ ଚିହ୍ନଟ କରିବେ ।

ବରିଷ୍ଠ ଅଧିକାରୀମାନଙ୍କ ବୈଠକ (ବାର୍ଷିକ): ଦାୟିତ୍ୱବାନ ବରିଷ୍ଠ ଅଧିକାରୀମାନେ ପ୍ରତ୍ୟେକ ସ୍ତମ୍ଭ ଅନ୍ତର୍ଗତ ସମନ୍ୱୟ ସ୍ଥାପନ କରିବେ ଏବଂ ଅଧ୍ୟକ୍ଷମାନଙ୍କୁ ରିପୋର୍ଟ କରିବେ ତଥା ପ୍ରାଥମିକତା ସମ୍ପର୍କରେ ସମୀକ୍ଷା କରିବେ, ବର୍ତ୍ତମାନ ସୁଦ୍ଧା ପ୍ରଗତିର ଆକଳନ କରିବେ, ସାଇବର ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ପରିଦୃଶ୍ୟ ପାଇଁ ନୂତନ ଏବଂ ଉଦୀୟମାନ ବିପଦର ମୂଲ୍ୟାଙ୍କନ କରିବେ ଏବଂ ସହଯୋଗର ପ୍ରତ୍ୟେକ ସ୍ତମ୍ଭ ଅଧୀନରେ ନିର୍ଦ୍ଦିଷ୍ଟ ପ୍ରକଳ୍ପଗୁଡିକର ପାରସ୍ପରିକ ଚିହ୍ନଟ ଦିଗରେ କାର୍ଯ୍ୟ କରିବେ ।

 

SR


(ରିଲିଜ ଆଡି: 2304445) ପରିଦର୍ଶକ କାଉଣ୍ଟର : 3