ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

प्रविष्टि तिथि: 11 JUL 2026 7:59AM by PIB Bhubaneswar

 

 

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍‌ଙ୍କ ନିମନ୍ତ୍ରଣରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ଏବଂ ୧୧ ଜୁଲାଇ ୨୦୨୬ରେ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡକୁ ସରକାରୀ ଗସ୍ତରେ ଯାଇଛନ୍ତି । ୪୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନ୍ୟୁଜିଲ୍ୟାଣ୍ଡକୁ ଏହା ପ୍ରଥମ ଗସ୍ତ, ଯାହା ଏକ ଐତିହାସିକ ମାଇଲଖୁଣ୍ଟ ଏବଂ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ସ୍ଥାୟୀ ବନ୍ଧୁତା ଏବଂ ସହଭାଗୀତାର ଏକ ନୂତନ ଦିଗ ନିର୍ଦ୍ଧାରଣ କରିଛି ।

ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗଭର୍ଣ୍ଣମେଣ୍ଟ ହାଉସ୍‌ରେ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା । ସେ ପ୍ରଧାନମନ୍ତ୍ରୀ ଲକ୍ସନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ, ବାଣିଜ୍ୟ ନେତା ଏବଂ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ ତଥା ନ୍ୟୁଜିଲ୍ୟାଣ୍ଡର କ୍ରୀଡା ସହ ଜଡିତ ନବାଚାରର ପ୍ରଦର୍ଶନ ଦେଖିଥିଲେ ।

ଉଭୟ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୦୨୫ରେ ପ୍ରଧାନମନ୍ତ୍ରୀ ଲକ୍ସନଙ୍କ ଭାରତ ଗସ୍ତକୁ ମନେ ପକାଇଥିଲେ, ଯେଉଁ ସମୟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିଥିଲେ ଏବଂ ପ୍ରତିରକ୍ଷା, ଶିକ୍ଷା, କଷ୍ଟମ, ଉଦ୍ୟାନ କୃଷି, ବନୀକରଣ ଏବଂ କ୍ରୀଡା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । 

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୀର୍ଘସ୍ଥାୟୀ ବନ୍ଧୁତା, ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ, ଲୋକଙ୍କ ମଧ୍ୟରେ ଗଭୀର ସମ୍ପର୍କ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସମାନ ସ୍ୱାର୍ଥକୁ ସ୍ୱୀକୃତି ଦେଇ, ଦୁଇ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କକୁ ‘ରଣନୈତିକ ସହଭାଗୀତା’ ସ୍ତରକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ସେମାନେ ଆଗାମୀ ଚାରି ବର୍ଷ ମଧ୍ୟରେ ମିଳିତ କାର୍ଯ୍ୟକୁ ମାର୍ଗଦର୍ଶନ କରିବା ପାଇଁ ଏକ ଢ଼ାଞ୍ଚା ଭାବରେ ‘ଭାରତ-ନ୍ୟୁଜିଲ୍ୟାଣ୍ଡ ରଣନୈତିକ ସହଭାଗୀତା: ୨୦୩୦ର ରୋଡମ୍ୟାପ’କୁ ଅନୁମୋଦନ କରିଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ ରଣନୈତିକ ସହଭାଗୀତା ପାଇଁ ଏକ ମହତ୍ୱାକାଂକ୍ଷୀ ତଥା ଦୀର୍ଘକାଳୀନ ଦୃଷ୍ଟିକୋଣ ପ୍ରତି ସହମତ ହୋଇଛନ୍ତି । ଏହାର ଉଦ୍ଦେଶ୍ୟ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ସ୍ତରକୁ ନେବା, ବିଦ୍ୟମାନ ସହଯୋଗ ତନ୍ତ୍ରକୁ ମଜବୁତ କରିବା ଏବଂ ଦ୍ୱିପାକ୍ଷିକ ତଥା ବହୁପାକ୍ଷିକ ଭାବରେ ସହଯୋଗକୁ ଗଭୀର କରିବା ପାଇଁ ନୂତନ ମାର୍ଗ ଅନୁସନ୍ଧାନ କରିବା ।

ରାଜନୈତିକ ଏବଂ କୂଟନୈତିକ ସମ୍ପର୍କ

ଦୁଇ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ରାଜନୈତିକ ସମ୍ପର୍କ ବୃଦ୍ଧିକୁ ସ୍ୱାଗତ କରିଛନ୍ତି ଏବଂ ଆଞ୍ଚଳିକ ତଥା ବହୁପାକ୍ଷିକ କାର୍ଯ୍ୟକ୍ରମ ସମୟରେ ମଧ୍ୟ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ମଧ୍ୟରେ ନିୟମିତ ପାରସ୍ପରିକ ଗସ୍ତ ଓ ବୈଠକ କରିବାକୁ ସହମତ ହୋଇଛନ୍ତି ।

ସମ୍ପର୍କକୁ ରଣନୈତିକ ମାର୍ଗଦର୍ଶନ ପ୍ରଦାନ କରିବା ଏବଂ ‘ରୋଡମ୍ୟାପ ୨୦୩୦’ ଅନୁଯାୟୀ ହୋଇଥିବା ପ୍ରଗତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀମାନେ ବୈଦେଶିକ ମନ୍ତ୍ରୀମାନଙ୍କର ଏକ ନିୟମିତ ଆଲୋଚନା ଆରମ୍ଭ କରିବାକୁ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତଥା ନ୍ୟୁଜିଲ୍ୟାଣ୍ଡର ବୈଦେଶିକ ବ୍ୟାପାର ତଥା ବାଣିଜ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକର ଅଭ୍ୟାସକୁ ସୁଦୃଢ଼ କରିବାକୁ ସହମତ ହୋଇଛନ୍ତି ।

ଦୁଇ ପ୍ରଧାନମନ୍ତ୍ରୀ ଭାରତ-ନ୍ୟୁଜିଲ୍ୟାଣ୍ଡ ସମ୍ପର୍କର ଗଣତାନ୍ତ୍ରିକ ଭିତ୍ତିଭୂମିକୁ ଗଭୀର ତଥା ମଜବୁତ କରିବା ପାଇଁ ସଂସଦୀୟ ଆଦାନପ୍ରଦାନର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିଛନ୍ତି । ସେମାନେ ଉଭୟ ଦେଶର ସଂସଦ ମଧ୍ୟରେ ନିୟମିତ ସମ୍ପର୍କକୁ ଉତ୍ସାହିତ କରିଛନ୍ତି, ଯେଉଁଥିରେ ଭାରତୀୟ ସଂସଦରେ ନ୍ୟୁଜିଲ୍ୟାଣ୍ଡ ପାଇଁ ସମ୍ପ୍ରତି ଗଠିତ ସଂସଦୀୟ ବନ୍ଧୁତା ଗୋଷ୍ଠୀ ଏବଂ ସାଂସଦମାନଙ୍କର ଗସ୍ତ ଅନ୍ତର୍ଭୁକ୍ତ ।

ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ

ଉଭୟ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗରେ ହୋଇଥିବା ପ୍ରଗତିକୁ ସ୍ୱାଗତ କରିଛନ୍ତି, ଯେଉଁଥିରେ ପ୍ରତିରକ୍ଷା ସହଯୋଗ ଉପରେ ୨୦୨୫ର ଭାରତ-ନ୍ୟୁଜିଲ୍ୟାଣ୍ଡ ବୁଝାମଣାପତ୍ର କାର୍ଯ୍ୟକାରୀ କରିବା ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀମାନେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସେନା ସ୍ତରରେ ନିୟମିତ ତଥା ସରଞ୍ଚିତ ସମ୍ପର୍କ ବଜାୟ ରଖିବାକୁ ସହମତ ହୋଇଛନ୍ତି । ସେମାନେ ୨୦୨୫ରେ କମ୍ବାଇଣ୍ଡ ଟାସ୍କ ଫୋର୍ସ ୧୫୦ (ସିଟିଏଫ୍-୧୫୦) ଅଧୀନରେ ସହଯୋଗ ଉପରେ ଆଲୋକପାତ କରିଛନ୍ତି, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ କମାଣ୍ଡର ଏବଂ ଭାରତ ଡେପୁଟି କମାଣ୍ଡର ଭାବରେ ମଧ୍ୟପ୍ରାଚ୍ୟ ଏବଂ ପଶ୍ଚିମ ଭାରତ ମହାସାଗରରେ ନିଶାଦ୍ରବ୍ୟ ଚୋରାଚାଲାଣ, ଆତଙ୍କବାଦ ତଥା ଅବୈଧ ସାମୁଦ୍ରିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରୟାସକୁ ସମର୍ଥନ କରୁଛି ।

ପ୍ରଧାନମନ୍ତ୍ରୀମାନେ ଉଲ୍ଲେଖ କରିଛନ୍ତି ଯେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ, ସାମୁଦ୍ରିକ ରାଷ୍ଟ୍ର ଭାବରେ, ଏକ ସ୍ୱତନ୍ତ୍ର, ଖୋଲା, ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଆଗ୍ରହ ପ୍ରଦର୍ଶନ କରିଛନ୍ତି । ତେଣୁ ସେମାନେ ନିକଟରେ ସମାପ୍ତ ହୋଇଥିବା ସାମୁଦ୍ରିକ ସହଯୋଗ ବ୍ୟବସ୍ଥା (ଏମ୍‌ସିଏ), ହାଇଡ୍ରୋଗ୍ରାଫି ଏବଂ ନଟିକାଲ୍ କାର୍ଟୋଗ୍ରାଫି ବିଷୟରେ ସହଯୋଗ ଉପରେ ଏକ କାର୍ଯ୍ୟକାରୀ ବ୍ୟବସ୍ଥା ଏବଂ ସାମୁଦ୍ରିକ କ୍ଷେତ୍ର ଉପରେ କେନ୍ଦ୍ରିତ ଏକ ପାରସ୍ପରିକ ଲଜିଷ୍ଟିକ୍ ସମର୍ଥନ ବ୍ୟବସ୍ଥା ମାଧ୍ୟମରେ ସାମୁଦ୍ରିକ ସହଯୋଗକୁ ମଜବୁତ କରିବାକୁ ରାଜି ହୋଇଛନ୍ତି । ସେମାନେ ଏମସିଏର ଅଂଶ ଭାବରେ ଦ୍ୱିପାକ୍ଷିକ ନୌସେନା ଅଭ୍ୟାସ ସମେତ ନୌସେନା କାର୍ଯ୍ୟକଳାପକୁ ମଧ୍ୟ ସ୍ୱାଗତ କରିଛନ୍ତି ।

ହିନ୍ଦ-ପ୍ରଶାନ୍ତ ମହାସାଗର ପଦକ୍ଷେପ ଅଧୀନରେ ସାମୁଦ୍ରିକ ସୁରକ୍ଷାକୁ ନିଜର ପ୍ରାଥମିକତା ସ୍ତମ୍ଭ ଭାବରେ ମନୋନୀତ କରିବା ପାଇଁ ନ୍ୟୁଜିଲ୍ୟାଣ୍ଡର ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି ଏବଂ ଉଭୟ ପକ୍ଷ ଏହି ସ୍ତମ୍ଭ ଅଧୀନରେ ନିର୍ଦ୍ଦିଷ୍ଟ ସହଯୋଗ କାର୍ଯ୍ୟକଳାପ କରିବାକୁ ସହମତ ହୋଇଛନ୍ତି । ସହଯୋଗ, ସମନ୍ୱୟ ଏବଂ ସୂଚନା ଆଦାନପ୍ରଦାନକୁ ସୁଦୃଢ଼ କରିବା ପାଇଁ ଏକ ବାର୍ଷିକ ସାମୁଦ୍ରିକ ସୁରକ୍ଷା ଆଲୋଚନା ସ୍ଥାପନ କରିବାକୁ ମଧ୍ୟ ସେମାନେ ସହମତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀମାନେ ଆତଙ୍କବାଦ ବିରୋଧୀ, ସାଇବର ସୁରକ୍ଷା ଏବଂ ସୁରକ୍ଷା ସମ୍ବନ୍ଧିତ ଆହ୍ୱାନ ଉପରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ପୁନଃଦୋହରାଇଛନ୍ତି । ସେମାନେ ଅନ୍ତର୍ଜାତୀୟ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ପ୍ରାସଙ୍ଗିକ ଆଞ୍ଚଳିକ ଏବଂ ବହୁପାକ୍ଷିକ ମଞ୍ଚରେ ଆଲୋଚନା ତଥା ସହଯୋଗ ମାଧ୍ୟମରେ ଘନିଷ୍ଠ ସମ୍ପର୍କ ପାଇଁ ସୁଯୋଗ ଅନୁସନ୍ଧାନ କରିବାକୁ ସହମତ ହୋଇଛନ୍ତି ।

ଉଭୟ ନେତା ସୀମାପାର ଏବଂ ସଂଗଠିତ ଅପରାଧକୁ ରୋକିବା ପାଇଁ ଆଇନ ଲାଗୁ କରୁଥିବା ଏଜେନ୍ସି ମଧ୍ୟରେ ବ୍ୟବହାରିକ ସହଯୋଗକୁ ମଜବୁତ କରିବାକୁ ସହମତ ହୋଇଛନ୍ତି । ଏହି ଅପରାଧଗୁଡିକ ମଧ୍ୟରେ ଅବୈଧ ନିଶା କାରବାର, ଆର୍ଥିକ ଅପରାଧ, ସାଇବର ଅପରାଧ, ଆତଙ୍କବାଦ-ସମ୍ବନ୍ଧୀୟ ଅପରାଧ, ମାନବ ଚାଲାଣ ଅନ୍ତର୍ଭୁକ୍ତ । ସେମାନେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ସମ୍ପୃକ୍ତ ଏଜେନ୍ସି ମଧ୍ୟରେ ନିଶା ନିବାରଣ ସହଯୋଗ ଏବଂ ଆଇନ ପ୍ରବର୍ତ୍ତନ ସହଯୋଗ ସହିତ ସମ୍ପୃକ୍ତ ବ୍ୟବସ୍ଥାକୁ ଶୀଘ୍ର ଔପଚାରିକ ରୂପ ଦେବା ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି ।

ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ

ପ୍ରଧାନମନ୍ତ୍ରୀମାନେ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କରେ ଆସିଥିବା ଅଗ୍ରଗତିକୁ ସ୍ୱାଗତ କରିଥିଲେ ଏବଂ ଅଭିବୃଦ୍ଧି ପାଇଁ ଏବେ ବି ସୁଯୋଗ ରହିଛି ବୋଲି ସ୍ୱୀକାର କରିଥିଲେ । ସେମାନେ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୭ ବିଲିୟନ ନ୍ୟୁଜିଲ୍ୟାଣ୍ଡ ଡଲାର କିମ୍ବା ପ୍ରାୟ ୩୫ ହଜାର କୋଟି ଟଙ୍କାକୁ ଦ୍ୱିଗୁଣିତ କରିବାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ । ସେମାନେ ବ୍ୟବସାୟଗୁଡିକର ଦ୍ୱିପାକ୍ଷିକ ସମ୍ପକର୍କୁ ଆହୁରି ଗଭୀର କରିବା, ନୂତନ ସୁଯୋଗ ଅନୁସନ୍ଧାନ କରିବା ଏବଂ ଦୁଇ ଅର୍ଥନୀତି ମଧ୍ୟରେ ପରିପୂରକ କ୍ଷମତାର ଲାଭ ଉଠାଇବା ପାଇଁ ଉତ୍ସାହିତ କରିଥିଲେ ।

ପ୍ରଧାନମନ୍ତ୍ରୀମାନେ ଏକ ସନ୍ତୁଳିତ, ବ୍ୟାପକ ଏବଂ ପାରସ୍ପରିକ ଲାଭଦାୟକ ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ)ର ନିଷ୍କର୍ଷ ଏବଂ ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ । ଏହାର ଶୀଘ୍ର କାର୍ଯ୍ୟକାରିତା ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ଏକାଠି କାମ କରିବାକୁ ସହମତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀମାନେ ଦ୍ୱିପାକ୍ଷିକ ଅର୍ଥନୈତିକ ସହଭାଗୀତାକୁ ସୁଦୃଢ଼ କରିବାରେ ଏଫଟିଏର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଥିଲେ, ଯେଉଁଥିରେ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା, ସହଯୋଗ ବୃଦ୍ଧି କରିବା ଏବଂ ଭାରତରେ ନ୍ୟୁଜିଲ୍ୟାଣ୍ଡର ନିବେଶକୁ ପ୍ରୋତ୍ସାହିତ କରିବା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀମାନେ ଉଲ୍ଲେଖ କରିଛନ୍ତି ଯେ, ନ୍ୟୁଜିଲ୍ୟାଣ୍ଡ ବାଣିଜ୍ୟ, କୃଷି, ଦକ୍ଷତା, ନବାଚାର, ସ୍ୱଚ୍ଛ ଶକ୍ତି, କ୍ରୀଡା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ମାଧ୍ୟମରେ ୨୦୪୭ ସୁଦ୍ଧା ଭାରତର ବିକଶିତ ଦେଶ ହେବା ଲକ୍ଷ୍ୟକୁ ସମର୍ଥନ କରିପାରିବ ।

ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାଂସ୍କୃତିକ ବୁଝାମଣା ସୃଷ୍ଟି କରିବାରେ ପର୍ଯ୍ୟଟନର ସକାରାତ୍ମକ ଭୂମିକାକୁ ସ୍ୱୀକାର କରି, ସେମାନେ ପର୍ଯ୍ୟଟନ ଉପରେ ଏକ ବ୍ୟବସ୍ଥା ସ୍ମାରକପତ୍ର ସ୍ୱାକ୍ଷାରକୁ ସ୍ୱାଗତ କରିଛନ୍ତି । ସେମାନେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିଧାସଳଖ ନନ୍‌ଷ୍ଟପ୍ ବିମାନ ସେବା ଆରମ୍ଭ କରିବାକୁ ବିମାନ କମ୍ପାନୀଗୁଡିକୁ ପୁଣିଥରେ ଉତ୍ସାହିତ କରିଛନ୍ତି ।

ପ୍ରଧାନମନ୍ତ୍ରୀମାନେ ଉଦ୍ୟାନ କୃଷି, ବନୀକରଣ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ସମେତ ପ୍ରାଥମିକ ଶିଳ୍ପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବଢ଼ୁଥିବା ସହଭାଗୀତାକୁ ସ୍ୱାଗତ କରିଛନ୍ତି । ସମୋନେ ଉଲ୍ଲେଖ କରିଛନ୍ତି ଯେ ଏହି ସହଯୋଗ ଉତ୍ପାଦକତା, ଖାଦ୍ୟ ସୁରକ୍ଷା, ସ୍ଥିରତା, ଅମଳ ପରବର୍ତ୍ତୀ ବ୍ୟବସ୍ଥା ଏବଂ ମୂଲ୍ୟ ଶୃଙ୍ଖଳା ବିକାଶରେ ନ୍ୟୁଜିଲ୍ୟାଣ୍ଡର ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ବିଶେଷଜ୍ଞତା ଉପରେ ଆଧାରିତ ଏବଂ ସ୍ଥାୟୀ କୃଷି ଅଭିବୃଦ୍ଧି ପାଇଁ ଭାରତର ପ୍ରାଥମିକତାକୁ ସମର୍ଥନ କରେ ।

ଉଭୟ ପ୍ରଧାନମନ୍ତ୍ରୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅଧୀନରେ କୃଷି ଉତ୍ପାଦକତା ସହଭାଗୀତାକୁ ସ୍ୱାଗତ କରିଛନ୍ତି । ଏହି ବ୍ୟବହାରିକ ସହଯୋଗ ପାଇଁ ଏକ ଏକ ପ୍ରମୁଖ ମଞ୍ଚ । ଯେଉଁଥିରେ କିୱି ଫଳ, ସେଓ ଏବଂ ମହୁ ଉତ୍ପାଦକତା ବୃଦ୍ଧିରେ ସାହାଯ୍ୟ କରିବାକୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆକ୍ସନ ପ୍ଲାନ୍‌ରେ କାର୍ଯ୍ୟ କରିବା ଅନ୍ତର୍ଭୁକ୍ତ ରହିଛି । ସେମାନେ ଭାରତରେ କିୱି ଫଳର ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ନ୍ୟୁଜିଲ୍ୟାଣ୍ଡର ସମର୍ଥନର ଉଲ୍ଲେଖ କରିଛନ୍ତି ଏବଂ କୃଷି ନବାଚାର, ଦକ୍ଷତା ବିକାଶ ତଥା ଦୃଢ଼ ଶିଳ୍ପ ସଂଯୋଗକୁ ସମର୍ଥନ କରୁଥିବା ଶିକ୍ଷା ଏବଂ ସଂସ୍ଥାଗତ ସହଯୋଗକୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀମାନେ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ଉପରେ ସହଯୋଗ ବୁଝାମଣାପତ୍ର ସମାପ୍ତିକୁ ମଧ୍ୟ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀମାନେ ନାବିକମାନଙ୍କର ଦକ୍ଷତା ପ୍ରମାଣପତ୍ରର ସ୍ୱୀକୃତିକୁ ସୁଦୃଢ଼ କରିବା ପାଇଁ ସୁଯୋଗ ଉପରେ ଭାରତର ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ, ବନ୍ଦର, ଜାହାଜ ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ଏବଂ ମେରିଟାଇମ୍ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ନିରନ୍ତର ଆଲୋଚନାକୁ ସ୍ୱାଗତ କରିଛନ୍ତି । ସେମାନେ ଉଲ୍ଲେଖ କରିଥିଲେ ଯେ, ନାବିକ ଦକ୍ଷତା ପ୍ରମାଣପତ୍ରର ବର୍ଦ୍ଧିତ ସ୍ୱୀକୃତି ନାବିକ ଗତିଶୀଳତାକୁ ସମର୍ଥନ କରିବ, ସାମୁଦ୍ରିକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସହଯୋଗକୁ ମଜବୁତ କରିବ ଏବଂ ଉଭୟ ଦେଶର ସାମୁଦ୍ରିକ ଶିଳ୍ପର ସ୍ଥିରତା ଏବଂ କ୍ଷମତାରେ ଯୋଗଦାନ ଦେବ ।

ଲୋକ ସଂସ୍କୃତି ଏବଂ କ୍ରୀଡା

ପ୍ରଧାନମନ୍ତ୍ରୀମାନେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଲୋକଙ୍କ ମଧ୍ୟରେ ମଜବୁତ ସମ୍ପର୍କକୁ ପ୍ରଶଂସା କରିଥିଲେ। ସେମାନେ ସ୍ୱୀକାର କରିଥିଲେ ଯେ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ସମ୍ପ୍ରଦାୟ ନ୍ୟୁଜିଲ୍ୟାଣ୍ଡର ବିବିଧ ସମାଜର ଏକ ଅବିଚ୍ଛେଦ୍ୟ ଏବଂ ମୂଲ୍ୟବାନ ଅଂଶ ଏବଂ ଦୁଇ ଦେଶ ମଧ୍ୟରେ ଏକ ଜୀବନ୍ତ ସେତୁ । ସେମାନେ ନ୍ୟୁଜିଲ୍ୟାଣ୍ଡର ଅର୍ଥନୀତି, ସମାଜ, ସଂସ୍କୃତି, ସାଧାରଣ ତଥା କ୍ରୀଡା ଜୀବନରେ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀମାନେ ୨୦୨୬ରେ କ୍ରୀଡା ମାଧ୍ୟମରେ ୧୦୦ ବର୍ଷର ଏକତାର ଉତ୍ସବ ପାଳନ କରିବାକୁ ସ୍ୱାଗତ କରିଥିଲେ । ସେମାନେ ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ କାର୍ଯ୍ୟ ଯୋଜନାକୁ ମଧ୍ୟ ସ୍ୱାଗତ କରିଥିଲେ, ଯାହା ଦ୍ୱିପାକ୍ଷିକ କ୍ରୀଡା ସମ୍ପର୍କକୁ ମଜବୁତ କରିବା ପାଇଁ ଏକ ବ୍ୟବହାରିକ ଢ଼ାଞ୍ଚା ପ୍ରଦାନ କରେ, ଯେଉଁଥିରେ ଉଚ୍ଚସ୍ତରୀୟ କ୍ରୀଡା ପ୍ରଦର୍ଶନ, ପ୍ରଶିକ୍ଷଣ, କ୍ରୀଡା ବିଜ୍ଞାନ, ଅଂଶଗ୍ରହଣ, କ୍ରୀଡା ବ୍ୟବସାୟ ଏବଂ ଜାତୀୟ କ୍ରୀଡା ସଂଗଠନ ମଧ୍ୟରେ ଆଦାନପ୍ରଦାନ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀମାନେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସାଂସ୍କୃତିକ ସହଯୋଗର ନିରନ୍ତର ଗଭୀରତାକୁ ସ୍ୱାଗତ କରିଥିଲେ । ସେଥିରେ ପାରମ୍ପରିକ ଚିକିତ୍ସା ଉପରେ ସହଯୋଗ, ସାଂସ୍କୃତିକ ସହଯୋଗର ଆରମ୍ଭ ତଥା ଭାରତର ଲୋଥାଲ ସ୍ଥିତ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସ ଏବଂ ନ୍ୟୁଜିଲ୍ୟାଣ୍ଡ ସାମୁଦ୍ରିକ ସଂଗ୍ରହାଳୟ ମଧ୍ୟରେ ସ୍ମାରକପତ୍ର ଅନ୍ତର୍ଭୁକ୍ତ । ସେମାନେ ଉଲ୍ଲେଖ କରିଥିଲେ ଯେ, ଏହି ପଦକ୍ଷେପଗୁଡିକ ଲୋକସମ୍ପର୍କକୁ ସୁଦୃଢ଼ କରିବା, ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସହିତ କରିବା ଏବଂ ଉଭୟ ଦେଶ ମଧ୍ୟରେ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସମସାମୟିକ ସୃଜନଶୀଳତା ଏବଂ ଦୀର୍ଘକାଳୀନ ସାମୁଦ୍ରିକ ସଂଯୋଗକୁ ପାଳନ କରିବାର ସୁଯୋଗ ପ୍ରଦାନ କରେ।

ଶିକ୍ଷା, ଗବେଷଣା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ତଥା ବିପର୍ଯ୍ୟୟ ପରିଚାଳନା

ପ୍ରଧାନମନ୍ତ୍ରୀମାନେ ସ୍ୱୀକାର କରିଛନ୍ତି ଯେ, ଶିକ୍ଷା, ଗବେଷଣା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ତଥା ନବାଚାର ଦ୍ୱିପାକ୍ଷିକ ସମ୍ପର୍କର ପ୍ରମୁଖ ଦିଗ । ସେମାନେ ସରକାରୀ ଅଧିକାରୀ, ପ୍ରତିଷ୍ଠାନ ଏବଂ ଶିଳ୍ପକୁ କୃଷି, ଜଳବାୟୁ, ଡିଜିଟାଲ ପରିବର୍ତ୍ତନ, ବିଜ୍ଞାନ, ନବାଚାର ଏବଂ ନୂତନ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ସହଭାଗୀତାରେ ସୁଯୋଗ ସନ୍ଧାନ କରିବାକୁ ଉତ୍ସାହିତ କରିଛନ୍ତି ।

ପ୍ରଧାନମନ୍ତ୍ରୀମାନେ ଶିକ୍ଷାକୁ ସମ୍ପର୍କର ଏକ ମୁଖ୍ୟ ଆଧାର ସ୍ତମ୍ଭ ଭାବରେ ସ୍ୱୀକାର କରିଛନ୍ତି, ଯାହା ଲୋକମାନଙ୍କ ମଧ୍ୟରେ ସମ୍ପର୍କ, ଦକ୍ଷତା ବିକାଶ, ଗବେଷଣା ସହଯୋଗ ଏବଂ ଦୀର୍ଘକାଳୀନ ଆର୍ଥିକ ସହଭାଗୀତାକୁ ମଜବୁତ କରିଥାଏ । ସେମାନେ ଉଭୟ ଦେଶର ଶିକ୍ଷା, ପ୍ରତିଷ୍ଠାନ ମଧ୍ୟରେ ବଢ଼ୁଥିବା ସଂଯୋଗକୁ ସ୍ୱାଗତ କରିଛନ୍ତି ଏବଂ ଛାତ୍ର ଗତିଶୀଳତା, ସଂସ୍ଥାଗତ ସହଭାଗୀତା, ନବାଚାର ତଥା ପାରସ୍ପରିକ ବୁଝାମଣାକୁ ସମର୍ଥନ ମିଳିବ । ସେମାନେ ୨୦୨୫ ଶିକ୍ଷା ସହଯୋଗ ବୁଝାମଣାକୁ କାର୍ଯ୍ୟକାରୀ କରିବାରେ ହୋଇଥିବା ପ୍ରଗତି ଉପରେ ଆଲୋଚନା କରିଛନ୍ତି ଏବଂ ବୁଝାମଣା ସ୍ୱାକ୍ଷରିତ ହେବା ପରଠାରୁ ବିକଶିତ ହୋଇଥିବା ସମ୍ପର୍କ ତଥା ନୂତନ ସଂସ୍ଥାଗତ ସହଭାଗୀତାକୁ ସ୍ୱୀକାର କରିଛନ୍ତି ।

ପ୍ରଧାନମନ୍ତ୍ରୀମାନେ ଜଳବାୟୁ ପରିବର୍ତ୍ତନର ଏବଂ କମ-ନିର୍ଗମନ ତଥା ଜଳବାୟୁ-ଅନୁକୁଳ ଅର୍ଥନୀତି ଦିଗରେ ମିଳିତ ଆହ୍ୱାନକୁ ସ୍ୱୀକାର କରିଛନ୍ତି । ସେମାନେ ଇଣ୍ଟରନ୍ୟାଶନାଲ ସୋଲାର ଆଲାଏନ୍ସ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ ମାଧ୍ୟମରେ ସହଯୋଗକୁ ଆହୁରି ଗଭୀର କରିବାକୁ ସହମତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁଜିଲ୍ୟାଣ୍ଡର ଗ୍ଲୋବାଲ ବାୟୋଫୁଏଲ୍ସ ଆଲାଏନ୍ସରେ ଯୋଗଦାନକୁ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀମାନେ ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ନ୍ୟୁଜିଲ୍ୟାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥା ମଧ୍ୟରେ ଏକ ସହଯୋଗ ବୁଝାମଣାପତ୍ର (ଏମ୍‌ଓସି) ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି । ସେମାନେ ଉଭୟ ଦେଶର ସମ୍ପ୍ରଦାୟ, ଭିତ୍ତିଭୂମି ଏବଂ ପ୍ରତିଷ୍ଠାନଗୁଡିକର ସ୍ଥିରତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ବିପର୍ଯ୍ୟୟ ବିପଦ ହ୍ରାସ, ପ୍ରସ୍ତୁତି, ପ୍ରତିକ୍ରିୟା, ପୁନରୁଦ୍ଧାର ଏବଂ ସ୍ଥିରତା ନିର୍ମାଣରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ପୁନଃଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀମାନେ ଅଧିକ ସ୍ଥାୟୀ, ଉତ୍ପାଦକ ଏବଂ ଜଳବାୟୁ-ଅନୁକୁଳ କୃଷି ଏବଂ ଖାଦ୍ୟ ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ଗବେଷଣା, ନବାଚାର ଏବଂ ବ୍ୟବହାରିକ ସମାଧାନକୁ ଆଗକୁ ବଢ଼ାଇବାକୁ ଆଶା ପ୍ରକାଶ କରିଛନ୍ତି ।

ଆଞ୍ଚଳିକ ଏବଂ ବହୁପାକ୍ଷିକ ସହଯୋଗ

ପ୍ରଧାନମନ୍ତ୍ରୀମାନେ ଭାରତ ପ୍ରଶାନ୍ତ ମହାସାଗର ପ୍ରତି ନିଜର ଆଭିମୁଖ୍ୟ ଉପରେ ମତ ବିନିମୟ କରିଥିଲେ ଏବଂ ଏକ ସ୍ୱାଧୀନ, ଖୋଲା, ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲେ, ଯେଉଁଠାରେ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ କରାଯାଏ ଏବଂ ନିମୟ-ଭିତ୍ତିକ ଅନ୍ତର୍ଜାତୀୟ କ୍ରମକୁ ବଜାୟ ରଖାଯାଏ ।

ସେମାନେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ, ବିଶେଷକରି ୧୯୮୨ ର ସମୁଦ୍ର ଆଇନ ଉପରେ ମିଳିତ ଜାତିସଂଘର ସମ୍ମିଳନୀ ଅନୁଯାୟୀ ନୌଚାଳନା ଏବଂ ଉଡ଼ାଣର ସ୍ୱାଧୀନତା ଏବଂ ସମୁଦ୍ରର ଅନ୍ୟାନ୍ୟ ଆଇନଗତ ବ୍ୟବହାରକୁ ପୁନଃସ୍ଥାପିତ କରିଥିଲେ । ଉଭୟ ପକ୍ଷ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ, ବିଶେଷକରି ଅନ୍‌କ୍ଲୋଜ୍ ଅନୁଯାୟୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପୁନଃସ୍ଥାପିତ କରିଥିଲେ । ସେମାନେ ଭାରତ-ପ୍ରଶାନ୍ତ ମହାସାଗରରେ ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଏକାଠି କାମ କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।

ନେତାମାନେ ପୂର୍ବ ଏସିଆ ଶିଖର ସମ୍ମିଳନୀ, ଆସିଆନ ଆଞ୍ଚଳିକ ଫୋରାମ ଏବଂ ଆସିଆନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ସମେତ ଆସିଆନ ନେତୃତ୍ୱାଧୀନ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ମଞ୍ଚରେ ସହଯୋଗର ଗୁରୁତ୍ୱ ଉଲ୍ଲେଖ କରିଥିଲେ । ସେମାନେ ଆସିଆନର କେନ୍ଦ୍ରୀୟ ସ୍ଥିତି ଏବଂ ଭାରତ-ପ୍ରଶାନ୍ତ ମହାସାଗର ଉପରେ ଆସିଆନ ଦୃଷ୍ଟିକୋଣର ଗୁରୁତ୍ୱକୁ ପୁନଃସ୍ଥାପିତ କରିଥିଲେ ।

ପ୍ରଧାନମନ୍ତ୍ରୀମାନେ ମିଳିତ ଜାତିସଂଘ ଉପରେ କେନ୍ଦ୍ରିତ ଏକ ପ୍ରଭାବଶାଳୀ ବହୁପାକ୍ଷିକ ବ୍ୟବସ୍ଥାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେମାନେ ସାହସିକ ଏବଂ ପ୍ରଭାବଶାଳୀ ଜାତିସଂଘ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସମସାମୟିକ ଭୂରାଜନୈତିକ ବାସ୍ତବତାକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ସ୍ଥାୟୀ ଏବଂ ଅସ୍ଥାୟୀ ଉଭୟ ବର୍ଗରେ ସୁରକ୍ଷା ପରିଷଦର ବିସ୍ତାର ନିମନ୍ତେ ସେମାନଙ୍କର ସମର୍ଥନକୁ ଦୃଢ଼ କରିଥିଲେ । ଏହି ପରିପ୍ରେକ୍ଷୀରେ, ନ୍ୟୁଜିଲ୍ୟାଣ୍ଡ ଏକ ସଂସ୍କାରିତ ଏବଂ ବିସ୍ତାରିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ନିଜର ସମର୍ଥନ ପୁନଃ ଦୋହରାଇଥିଲା ।

ଉଭୟ ପକ୍ଷ ବିଶ୍ୱ ଶାନ୍ତି ଏବଂ ସୁରକ୍ଷା, ସାର୍ବଜନୀନ, ଭେଦଭାବ ହୀନ ତଥା ଯାଞ୍ଚଯୋଗ୍ୟ ପରମାଣୁ ନିରସ୍ତ୍ରିକରଣ ଏବଂ ବିଶ୍ୱ ଅପ୍ରସାର ସ୍ଥପାତ୍ୟକୁ ବଜାୟ ରଖିବା ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଭାରତର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ଏବଂ ଏହାର ଅପ୍ରସାର ପ୍ରମାଣପତ୍ର ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀମାନେ ପୁନର୍ବାର ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ଯୋଗଦାନର ମୂଲ୍ୟକୁ ସ୍ୱୀକାର କରିଛନ୍ତି ।

ପ୍ରଧାନମନ୍ତ୍ରୀମାନେ ମଧ୍ୟପ୍ରାଚ୍ୟରେ ପୁନର୍ବାର ଉତ୍ତେଜନ ବୃଦ୍ଧି ପାଇବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ସମସ୍ତ ପକ୍ଷଙ୍କୁ ସଂଯମତା ଅବଲମ୍ବନ କରିବା, ଉତ୍ତେଜନା ହ୍ରାସ କରିବା ଏବଂ ନାଗରିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆହ୍ୱାନ କରିଛନ୍ତି । ସେମାନେ ଜାହାଜ ଚଳାଚଳ ଉପରେ ଯେକୌଣସି ପ୍ରତିବନ୍ଧକକୁ ବିରୋଧ କରିବା ସହିତ ହର୍ମୁଜ ପ୍ରଣାଳୀ ମାଧ୍ୟମରେ ନୌଚାଳନା ସ୍ୱାଧୀନତା ଏବଂ ବିଶ୍ୱ ବାଣିଜ୍ୟ ପ୍ରବାହର ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ଆହ୍ୱାନ କରିଛନ୍ତି । ସେମାନେ ସଂଘର୍ଷର ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ହାସଲ କରିବାକୁ ଆଲୋଚନା ଏବଂ କୁଟନୀତିର ଗୁରୁତ୍ୱ ଏବଂ ଅନ୍ତର୍ଜାତୀୟ ଆଇନର ପାଳନକୁ ପୁନର୍ବାର ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀମାନେ ସ୍ଥିର, ସ୍ୱଚ୍ଛ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳାର ଗୁରୁତ୍ୱ ବିଷୟରେ ଆଲୋଚନା କରିଛନ୍ତି । ସେମାନେ ଅନ୍ତର୍ଜାତୀୟ ଶକ୍ତି ଯୋଗାଣ ଶୃଙ୍ଖଳାରେ ଏବଂ ବିଶ୍ୱ ଶକ୍ତି ନେଟୱାର୍କରେ ସ୍ଥିରତାକୁ ସୁଦୃଢ଼ କରିବାରେ ଭାରତ ନିର୍ବାହ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଛନ୍ତି । ସେମାନେ ଭାରତ ପ୍ରଶାନ୍ତ ମହାସାଗରରେ ବ୍ୟବଧାନର ପ୍ରଭାବ ବିଷୟରେ ଗଭୀର ଚିନ୍ତା ପ୍ରକାଶ କରି ଉଲ୍ଲେଖ କରିଛନ୍ତି ଯେ ବିଶ୍ୱ ଯୋଗାଣ ମାର୍ଗର ସ୍ଥିରତା ଏହି ଅଞ୍ଚଳ ପାଇଁ ଅତ୍ୟନ୍ତ ଜରୁରୀ । ସେମାନେ ଉଲ୍ଲେଖ କରିଛନ୍ତି ଯେ, ଏହା ବିଶେଷ ଭାବରେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶଗୁଡିକ ପାଇଁ ତୀବ୍ର, ଯେଉଁଠାରେ ଅର୍ଥନୀତିଗୁଡିକ ଅଧିକ ପ୍ରଭାବିତ ହୋଇଛି ଏବଂ ତୈଳର ଉଚ୍ଚ ମୂଲ୍ୟ ବିଦ୍ୟୁତ ଉତ୍ପାଦନ, ଜାହାଜ ଚଳାଚଳ, ପରିବହନ, କୃଷି ଏବଂ ମତ୍ସ୍ୟଚାଷ ଖର୍ଚ୍ଚ ବୃଦ୍ଧି କରୁଛି, ଯାହା ସାମାଜିକ କଲ୍ୟାଣ ଏବଂ ଆର୍ଥିକ ସ୍ଥିରତା ଉପରେ ଗୁରୁତ୍ୱପୂର୍ଣ୍ଣ ଚାପ ସୃଷ୍ଟି କରୁଛି । ୟୁକ୍ରେନ ବିଷୟରେ ନେତାମାନେ ଚାଲିଥିବା ଯୁଦ୍ଧ ନେଇ ଚିନ୍ତା ପ୍ରକାଶ କରିଛନ୍ତି, ଯାହା ଫଳରେ ଲୋକମାନଙ୍କୁ ବହୁ ଦୁଃଖ ଏବଂ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଏବଂ ସମଗ୍ର ବିଶ୍ୱକୁ ଏହାର ପରିଣାମ ଭୋଗିବାକୁ ପଡୁଛି । ସେମାନେ ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନର ସିଦ୍ଧାନ୍ତ ଉପରେ ଆଧାରିତ ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ହାସଲ ପାଇଁ ପ୍ରୟାସକୁ ସମର୍ଥନ କରିବା ଜାରି ରଖିବେ । 

ଉଭୟ ନେତା ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାରର ଆତଙ୍କବାଦର ସମ୍ପୂର୍ଣ୍ଣ ନିନ୍ଦା କରିଛନ୍ତି । ଉଭୟ ନେତା ୨୨ ଅପ୍ରେଲ ୨୦୨୫ରେ ଭାରତର ଜମ୍ମୁ ଓ କାଶ୍ମୀରର ପହଲଗାମ୍‌ରେ ହୋଇଥବା ଆତଙ୍କବାଦୀ ଆକ୍ରମଣ ଏବଂ ୧୦ ନଭେମ୍ବର ୨୦୨୫ରେ ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଆତଙ୍କବାଦୀ ଘଟଣାର କଡା ନିନ୍ଦା କରିଛନ୍ତି ଏବଂ ଆକ୍ରମଣରେ ସାମିଲ ବ୍ୟକ୍ତିମାନଙ୍କୁ ଦାୟୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେମାନେ ଆତଙ୍କବାଦ ପ୍ରତି ଶୂନ୍ୟ ସହିଷ୍ଣୁତା ଏବଂ ସ୍ଥିର ଆଭିମୁଖ୍ୟ ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି ଏବଂ ଆତଙ୍କବାଦ ପାଣ୍ଠି ଯୋଗାଣ ନେଟୱାର୍କ ତଥା ନିରାପଦ ଆଶ୍ରୟସ୍ଥଳଗୁଡିକୁ ବାଧା ଦେବା, ଅନଲାଇନ ସମେତ ଆତଙ୍କବାଦ ଭିତ୍ତିଭୂମିକୁ ଭାଙ୍ଗିବା ଏବଂ ଆତଙ୍କବାଦର ଅପରାଧିୀମାନଙ୍କୁ ଶୀଘ୍ର ନ୍ୟାୟିକ ବ୍ୟବସ୍ଥା ସମ୍ମୁଖକୁ ଆଣିବା ପାଇଁ ଆହ୍ୱାନ କରିଛନ୍ତି । ଆତଙ୍କବାଦ ଏବଂ ହିଂସାତ୍ମକ ଉଗ୍ରବାଦ ମୁକାବିଲାରେ ସହଯୋଗକୁ ମଜବୁତ କରିବାକୁ ଦୁଇ ନେତା ସହମତ ହୋଇଛନ୍ତି । ଆତଙ୍କବାଦ ବିରୋଧୀ ମିଳିତ କାର୍ଯ୍ୟଗୋଷ୍ଠୀ (ଜେଡବ୍ଲ୍ୟୁଜି) ପ୍ରତିଷ୍ଠା ପାଇଁ ଏମ୍‌ଓଏ ସ୍ୱାକ୍ଷରକୁ ନେତାମାନେ ସ୍ୱାଗତ କରିଛନ୍ତି ଯାହା ସୂଚନା ଏବଂ ଜ୍ଞାନ ବଣ୍ଟନ ପାଇଁ ଏକ ଢ଼ାଞ୍ଚା ପ୍ରଦାନ କରିବ ।  

ଉଭୟ ନେତା ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟବାହିନୀ (ଏଫ୍‌ଏଟିଏଫ) ସମେତ ବହୁପକ୍ଷିକ ମଞ୍ଚରେ ସହଯୋଗକୁ ମଜବୁତ କରିବା ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛନ୍ତି । ଦୁଇ ନେତା ମିଳିତ ଜାତିସଂଘ ଦ୍ୱାରା ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ତୁରନ୍ତ, ସ୍ଥାୟୀ, ସମନ୍ୱିତ ଏବଂ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ, ଯାହା ସମସ୍ତ ଜାତିସଂଘ ଦ୍ୱାରା ପ୍ରବନ୍ଧିତ, ଯେଉଁଥିରେ ୟୁଏନ୍‌ଏସ୍‌ସି ୧୨୬୭ ପ୍ରତିବନ୍ଧକ କମିଟିରେ ତାଲିକାଭୁକ୍ତ ଏବଂ ସେମାନଙ୍କର ସହଯୋଗୀ, ପ୍ରକ୍ସି, ପ୍ରାୟୋଜକ, ଆର୍ଥିକ ସହାୟତା ପ୍ରଦାନକାରୀ ଏବଂ ସମର୍ଥକମାନେ ସାମିଲ ଅଛନ୍ତି ।

ନିଷ୍କର୍ଷ

ପ୍ରଧାନମନ୍ତ୍ରୀମାନେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଘନିଷ୍ଠ ସମ୍ପର୍କ ବଜାୟ ରଖିବା ଏବଂ ୨୦୩୦ ରୋଡମ୍ୟାପରେ ଉଲ୍ଲେଖ ପଦକ୍ଷେପଗୁଡିକର ସମୟାନୁବର୍ତ୍ତୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେମାନେ ସହମତ ହୋଇଥିଲେ ଯେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ନିୟମିତ ଭାବରେ ପ୍ରଗତି ସମୀକ୍ଷା କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଲକ୍ସନ ତଥା ନ୍ୟୁଜିଲ୍ୟାଣ୍ଡ ସରକାର ଏବଂ ଜନତାଙ୍କୁ ତାଙ୍କୁ ଓ ତାଙ୍କ ପ୍ରତିନିଧିମଣ୍ଡଳକୁ ପ୍ରଦାନ କରାଯାଇଥିବା ଭବ୍ୟ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ । ଉଚ୍ଚସ୍ତରୀୟ ଆଦାନପ୍ରଦାନର ଗତି ବଜାୟ ରଖିବା ଏବଂ ଭାରତ-ନ୍ୟୁଜିଲ୍ୟାଣ୍ଡ ରଣନୈତିକ ସହଭାଗୀତାର ପୂର୍ଣ୍ଣ ସମ୍ଭାବନାକୁ ସାକାର କରିବା ପାଇଁ ଦୁଇ ନେତା ସହମତ ହୋଇଥିଲେ ।

 

SR


(रिलीज़ आईडी: 2283791) आगंतुक पटल : 8
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Gujarati , Tamil , Telugu , Kannada , Malayalam