ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ
ଶ୍ରେଷ୍ଠ ଅନ୍ତର୍ଜାତୀୟ ପ୍ରାମାଣିକ ଚଳଚ୍ଚିତ୍ର ରୂପେ ପୋଲାଣ୍ଡ ଚଳଚ୍ଚିତ୍ର ‘ସିଲ୍ଭର’କୁ ମିଳିଲା ସ୍ୱର୍ଣ୍ଣ ଶଙ୍ଖ ପୁରସ୍କାର
କ୍ରିଏଟ୍ ଇନ୍ ଇଣ୍ଡିଆ, କ୍ରିଏଟ୍ ଫର୍ ଦ ୱାର୍ଲ୍ଡ ଦୃଷ୍ଟିକୋଣ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ଆଗେଇ ନେଉଛି: ମହାରାଷ୍ଟ୍ର ରାଜ୍ୟପାଳ
ଉନବିଂଶତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ସମାରୋହରେ ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ର ପ୍ରେମୀ, ଶିଳ୍ପ ପେସାଦାର, ଯୁବ ସୃଜନଶୀଳ ପ୍ରତିଭାମାନେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରାମାଣିକ ଚଳଚ୍ଚିତ୍ର, ଏନିମେସନ ଚଳଚ୍ଚିତ୍ର ଏବଂ କ୍ଷୁଦ୍ର କାଳ୍ପନିକ ଚଳଚ୍ଚିତ୍ର ବର୍ଗରେ ମୋଟ୍ ୧୭ଟି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ।


ପୋଲାଣ୍ଡ ଚଳଚ୍ଚିତ୍ର ‘ସିଲ୍ଭର’କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ପ୍ରାମାଣିକ ଚଳଚ୍ଚିତ୍ର ରୂପେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ସ୍ୱର୍ଣ୍ଣ ଶଙ୍ଖ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଇରାନୀୟ ଚଳଚ୍ଚିତ୍ର ‘ଅଣ୍ଡର ଦ ସ୍ନୋ: ଶ୍ରୀ ଦୀପଙ୍କର ପ୍ରକାଶ’ଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ କାଳ୍ପନିକ ଚଳଚ୍ଚିତ୍ର ବର୍ଗରେ ରୌପ୍ୟ ଶଂଖ ପୁରସ୍କାର ପ୍ରଦାନ କରାଯାଇଥିଲା। ଜର୍ମାନ ଏନିମେସନ ଚଳଚ୍ଚିତ୍ର ‘ମାୟାସ୍ ସଙ୍ଗ୍’କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଏନିମେସନ ଚଳଚ୍ଚିତ୍ର ରୂପେ ରୌପ୍ୟ ଶଙ୍ଖ ପୁରସ୍କାର ଦିଆଯାଇଥିଲା।
ଏହାବ୍ୟତୀତ ଜାତୀୟ ପ୍ରତିଯୋଗିତା ଅଧୀନରେ ଶ୍ରେଷ୍ଠ ଏନିମେସନ ଚଳଚ୍ଚିତ୍ର ଭାବେ ‘ଆର୍ମଷ୍ଟ୍ରଙ୍ଗ ଫ୍ରମ୍ ଅଙ୍ଗାଲମ୍ମାନ ଟେମ୍ପଲ୍ ଷ୍ଟ୍ରିଟ୍’ ଚଳଚ୍ଚିତ୍ରକୁ ରୌପ୍ୟ ଶଙ୍ଖ ଏବଂ ୩ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ମିଳିଥିଲା । ଏଫଟିଆଇଆଇ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ‘ସ୍ମଲ୍ କ୍ଲାଉଡ୍ସ’କୁ ଶ୍ରେଷ୍ଠ ଭାରତୀୟ କ୍ଷୁଦ୍ର କାଳ୍ପନିକ ଚଳଚ୍ଚିତ୍ର ବର୍ଗରେ ରୌପ୍ୟ ଶଙ୍ଖ ଓ ୩ ଲକ୍ଷ ଟଙ୍କାର ପୁରସ୍କାର ମିଳିଥିଲା। ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି ‘ୱାଇ’। ‘‘ବିକଶିତ ଭାରତ/ବନ୍ଦେ ମାତରମର ୧୫୦ ବର୍ଷ/ଭାରତଆଟ୍୨୦୨୬’’ ବିଷୟବସ୍ତୁ ଉପରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘‘ଲାଷ୍ଟ ଶେଲ୍ଟର୍’’ ପୁରସ୍କୃତ ହୋଇଛି । ଏହାବ୍ୟତୀତ ଅନ୍ୟାନ୍ୟ ବର୍ଗରେ ମଧ୍ୟ ପୁରସ୍କାର ବିତରଣ କରାଯାଇଛି ।
ଉଦଯାପନୀ ସମାରୋହରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଥିଲେ, ଚଳଚ୍ଚିତ୍ର ଉଦ୍ୟୋଗ ଦେଶର ସୃଜନଶୀଳ ବା ଅରେଞ୍ଜ ଇକୋନୋମିର ସବୁଠୁ ଦୃଢ଼ ସ୍ତମ୍ଭ । କ୍ରିଏଟ୍ ଇନ୍ ଇଣ୍ଡିଆ, କ୍ରିଏଟ୍ ଫର୍ ଦ ୱାର୍ଲ୍ଡ ଦୃଷ୍ଟିକୋଣ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ଆଗେଇ ନେଉଛି ବୋଲି ରାଜ୍ୟପାଳ କହିଥିଲେ ।
ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଧୀରେନ୍ଦ୍ର ଓଝା, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ପ୍ରଭାତ, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ଆଶୁତୋଷ ଗୋୱାରିକର, ଏନଏଫଡିସିର ମହୋତ୍ସବ ନିର୍ଦ୍ଦେଶକ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ମଗଦୁମ ପ୍ରମୁଖ ଉପସ୍ଥିତ ଥିଲେ ।
******
PS/Swadhin/ Manoj
रिलीज़ आईडी:
2276392
| Visitor Counter:
4