ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କରିଛନ୍ତି ଶ୍ରୀ ଅମିତ ଶାହ
ସାଇବର ଅପରାଧ ପୀଡ଼ିତଙ୍କୁ ତୁରନ୍ତ ଆଶ୍ୱସ୍ତି ଦେବା ପାଇଁ ନାଗରିକ-କେନ୍ଦ୍ରିକ ବ୍ୟବସ୍ଥା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା
ଏଆଇ ପ୍ରଯୁକ୍ତି ସହ ୧୯୩୦ ହେଲ୍ପଲାଇନ୍ର ରୂପାନ୍ତର; ସାଇବର ଅପରାଧ ପୀଡ଼ିତଙ୍କୁ ମିଳିବ ତ୍ୱରିତ ସହାୟତା
ସୁରକ୍ଷିତ ଡିଜିଟାଲ୍ ଭାରତ ପାଇଁ ପ୍ରଯୁକ୍ତିନିର୍ଭର ସାଇବର ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥା ଗଠନରେ ସରକାରଙ୍କ ଗୁରୁତ୍ୱ
प्रविष्टि तिथि:
17 JUN 2026 8:04PM by PIB Bhubaneswar
କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କରିଥିଲେ ଏବଂ ଏହି ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ସାଇବର ଅପରାଧ, ବିଶେଷ କରି ସାଇବର ଆର୍ଥିକ ଠକେଇରୁ ନାଗରିକମାନଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ସ୍ଥାପିତ ବିଭିନ୍ନ ନାଗରିକ କୈନ୍ଦ୍ରିକ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ ଉଭା ହୋଇଛି ଯାହା ନାଗରିକମାନଙ୍କୁ ସାଇବର ଅପରାଧ ସମ୍ବନ୍ଧୀୟ ଅଭିଯୋଗ ପଞ୍ଜିକରଣ କରିବାରେ ସକ୍ଷମ କରିଛି, ଏକ ସରଳ ଏବଂ ତ୍ୱରିତ ଢଙ୍ଗରେ, ବିଶେଷ କରି ଆର୍ଥିକ ସାଇବର ଠକେଇ କ୍ଷେତ୍ରରେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ହେଲ୍ପଲାଇନ୍ ମାଧ୍ୟମରେ ସହାୟତା ଚାହୁଁଥିବା ପ୍ରତ୍ୟେକ ନାଗରିକଙ୍କୁ ସମୟୋଚିତ ସହାୟତା ମିଳିବା ଉଚିତ ଏବଂ କୌଣସି ଅଭିଯୋଗ ଅଣଦେଖା କିମ୍ବା ବିଚାରାଧୀନ ରହିବା ଉଚିତ ନୁହେଁ।
ଶ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି ଯେ ୧୯୩୦ ହେଲ୍ପଲାଇନ୍ ବ୍ୟବସ୍ଥାର ଦକ୍ଷତା, ପ୍ରତିକ୍ରିୟା କ୍ଷମତା ଏବଂ ସେବା ବିତରଣରେ ଆହୁରି ଉନ୍ନତି ଆଣିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏ. ଆଇ.) ସମେତ ଉନ୍ନତ ପ୍ରଯୁକ୍ତିବିଦ୍ୟା ଗ୍ରହଣ ମାଧ୍ୟମରେ ବ୍ୟାପକ ଆଧୁନିକୀକରଣ ଏବଂ ଉନ୍ନତିକରଣ କରାଯିବ। ସେ କହିଥିଲେ ଯେ ଉନ୍ନତିକୃତ ବ୍ୟବସ୍ଥା ଦ୍ୱାରା ଅଭିଯୋଗ ପଞ୍ଜିକରଣ ତ୍ୱରାନ୍ୱିତ ହେବା, କଲର ଉତ୍ସ ଏବଂ ନାଗରିକ ଅଭିଯୋଗଗୁଡ଼ିକର ପ୍ରଭାବୀ ପରିଚାଳନା ସମ୍ଭବ ହେବା ଉଚିତ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ମୋଦୀ ସରକାର ଏକ ସୁରକ୍ଷିତ, ପ୍ରଯୁକ୍ତିବିଦ୍ୟା ପରିଚାଳିତ ଏବଂ ନାଗରିକ କୈନ୍ଦ୍ରିକ ସାଇବର ଅପରାଧ ପ୍ରତିରୋଧ ଏବଂ ପ୍ରତିକ୍ରିୟା ପ୍ରଣାଳୀ ନିର୍ମାଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟ କରୁଥିବା ୧୯୩୦ କଲ୍ ସେଣ୍ଟରକୁ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ଦୃଷ୍ଟିରୁ ଆହୁରି ମଜବୁତ କରାଯିବା ଉଚିତ। ଗୃହ ମନ୍ତ୍ରଣାଳୟ ହାର୍ଡୱେର୍ ଏବଂ ବୈଷୟିକ ଉନ୍ନତିକରଣ ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିବ, ଯେତେବେଳେ କି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଅଭିଯୋଗଗୁଡ଼ିକର ସମୟୋଚିତ ସମାଧାନ ପାଇଁ ଏହି କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ମାନବ ସମ୍ବଳ ସୁନିଶ୍ଚିତ କରିବାକୁ ଅନୁରୋଧ କରାଯିବ।
ଶ୍ରୀ ଅମିତ ଶାହ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ରାଜ୍ୟ ସ୍ତରୀୟ ୧୯୩୦ କଲ୍ ସେଣ୍ଟରକୁ ଶକ୍ତିଶାଳୀ ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ (ଆଇଭିଆର) ସିଷ୍ଟମ ସହିତ ନବୀକରଣ କରାଯିବ ଯାହା ଦକ୍ଷ କଲ୍ ପରିଚାଳନା ଏବଂ ଉପଯୁକ୍ତ ସ୍ତରକୁ କଲଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ପଠାଇବା ନିଶ୍ଚିତ କରିବ।
ଜାତୀୟ ସାଇବର ଅପରାଧ ପ୍ରତିକ୍ରିୟା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶ୍ରୀ ଅମିତ ଶାହ ପର୍ଯ୍ୟାପ୍ତ ମାନବ ସମ୍ବଳ ଏବଂ କଲ୍ ପରିଚାଳନା କ୍ଷମତା ସହିତ ଏକ ଜାତୀୟ ସ୍ତରୀୟ ୧୯୩୦ କଲ୍ ସେଣ୍ଟର ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜାତୀୟ କଲ୍ ସେଣ୍ଟର ରାଜ୍ୟ ସ୍ତରରେ ଉତ୍ତରହୀନ ଥିବା କଲଗୁଡ଼ିକୁ ପରିଚାଳନା କରିବ ଏବଂ ପ୍ରତ୍ୟେକ ପୀଡ଼ିତଙ୍କୁ ସମୟୋଚିତ ସହାୟତା ଏବଂ ଅଭିଯୋଗଗୁଡିକର ତ୍ୱରିତ ପଞ୍ଜୀକରଣ ସୁନିଶ୍ଚିତ କରିବ।
ଏହି ବୈଠକରେ ସାଇବର ଆର୍ଥିକ ଠକେଇର ମୁକାବିଲା ପାଇଁ ଗୃହ ମନ୍ତ୍ରଣାଳୟର ଏକ ପ୍ରମୁଖ ପଦକ୍ଷେପ ନାଗରିକ ଆର୍ଥିକ ସାଇବର ଠକେଇ ରିପୋର୍ଟିଂ ଏବଂ ମ୍ୟାନେଜମେଣ୍ଟ ସିଷ୍ଟମ (ସି. ଏଫ୍. ସି. ଏଫ୍. ଆର୍. ଏମ୍. ଏସ୍.) ର କାର୍ଯ୍ୟଦକ୍ଷତାର ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ବ୍ୟବସ୍ଥା ବ୍ୟାଙ୍କିଙ୍ଗ ନେଟୱାର୍କ ମାଧ୍ୟମରେ ଜାଲିଆତି ଆର୍ଥିକ କାରବାରକୁ ତୁରନ୍ତ ରୋକିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ପୀଡ଼ିତମାନଙ୍କୁ ପାଣ୍ଠି ସୁରକ୍ଷିତ ଏବଂ ପୁନରୁଦ୍ଧାର କରିବାର ସମ୍ଭାବନା ବୃଦ୍ଧି ପାଇଥାଏ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ସମାଧାନ ପାଇଁ ଗୃହ ମନ୍ତ୍ରଣାଳୟ ଜାନୁଆରୀ ୨୦୨୬ ରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର (ଏସ୍ଓପି) ଜାରି କରିଛି। ଏହି ଏସ୍. ଓ. ପି. ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିଥାଏ, ଯାହାଦ୍ୱାରା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ମଧ୍ୟରେ ଅଟକି ରହିଥିବା ପାଣ୍ଠିକୁ ଯଥାଶୀଘ୍ର ପୀଡ଼ିତ ନାଗରିକମାନଙ୍କୁ ଫେରାଇ ଦିଆଯାଇପାରିବ। ଏହି ଏସ୍. ଓ. ପି. ର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସମୀକ୍ଷା ବୈଠକରେ ଶ୍ରୀ ଅମିତ ଶାହ ସି. ଏଫ୍. ସି. ଏଫ୍. ଆର୍. ଏମ୍. ଏସ୍. ଅଧୀନରେ ବିକଶିତ ଅର୍ଥ ପୁନରୁଦ୍ଧାର ମଡ୍ୟୁଲ୍ (ଏମ୍. ଆର୍. ଏମ୍.) ଏବଂ ଅଭିଯୋଗ ସମାଧାନ ମଡ୍ୟୁଲ୍ (ଜି. ଆର୍. ଏମ୍.) ର ନିୟମିତ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଅଭିଯୋଗଗୁଡ଼ିକର ସମୟୋଚିତ ସମାଧାନ ଏବଂ ପୀଡ଼ିତମାନଙ୍କୁ ତୁରନ୍ତ ପାଣ୍ଠି ଫେରସ୍ତ ସୁନିଶ୍ଚିତ କରିବା ଲାଗି ରାଜ୍ୟ ସ୍ତରରେ ଏହି ମଡ୍ୟୁଲଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ନିୟମିତ ଭାବେ ନଜର ରଖିବା ଉଚିତ। ଶ୍ରୀ ଶାହ କହିଥିଲେ ଯେ ଅନାବଶ୍ୟକ ଭାବେ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବା ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ଏଭଳି ପ୍ରସଙ୍ଗରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଉଚିତ। ଏପର୍ଯ୍ୟନ୍ତ ପ୍ରାୟ ଏକ ଲକ୍ଷ ନାଗରିକ ଅର୍ଥ ଫେରାଇଆଣିବା ଏବଂ ଅଭିଯୋଗ ସମାଧାନ ବ୍ୟବସ୍ଥାରୁ ଉପକୃତ ହୋଇଛନ୍ତି।
ଅଧିକାରୀମାନେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ଏସ୍. ଓ. ପି. ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୯୪ ଲକ୍ଷ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ଫେରସ୍ତ ଏବଂ ଅଭିଯୋଗ ସମାଧାନ ଢାଞ୍ଚା ଅଧୀନରେ ଅପଲୋଡ କରାଯାଇଛି, ଯେଉଁଥିରୁ ସମ୍ଭାବ୍ୟ ଭାବେ ପାଣ୍ଠି ପୁନରୁଦ୍ଧାର କରାଯାଇପାରିବ।
ଆର୍ଥିକ ଠକେଇରେ ସାଇବର ଅପରାଧୀଙ୍କ ଦ୍ୱାରା ବ୍ୟବହୃତ ଅଜଣା ବ୍ୟାଙ୍କ ଆକାଉଣ୍ଟ ସମସ୍ୟାର ସମାଧାନ ପାଇଁ ଅଧିକ ପ୍ରଭାବଶାଳୀ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଗୃହ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା, ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଅଧୀନରେ ଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ର ସମନ୍ୱିତ ପ୍ରୟାସ ମାଧ୍ୟମରେ ଆମେ ସାଇବର ଅପରାଧର ଶିକାର ହୋଇଥିବା ଲୋକମାନଙ୍କୁ ତ୍ୱରିତ ଏବଂ ପ୍ରଭାବୀ ସହାୟତା ସୁନିଶ୍ଚିତ କରିବା ସହିତ ଆମର ସାଇବର ସୁରକ୍ଷା ଢାଞ୍ଚାକୁ ଆହୁରି ସୁଦୃଢ଼ କରିବୁ।
HS
(रिलीज़ आईडी: 2274342)
आगंतुक पटल : 5