ରେଳ ମନ୍ତ୍ରଣାଳୟ
azadi ka amrit mahotsav

ଖୁବଶୀଘ୍ର ଚାଲିବ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍‌ ଟ୍ରେନ୍


ଭାରତୀୟ ରେଳବାଇ ଦ୍ବାରା ଅନୁମୋଦିତ ଏହି ୧୦ ଡବା ଓ ୧୨୦୦ କିଲୋଓ୍ବାଟ୍‌ ଇଂଜିନ ବିଶିଷ୍ଟ ରେଳଗାଡ଼ି ଜିନ୍ଦ୍—ସୋନିପତ ସେକ୍ସନରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ଚାଲିବ

ସ୍ବଚ୍ଛ ଓ ସ୍ଥାୟୀ ରେଳ ଚାଳନା ଲାଗି ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ପ୍ରଯୁକ୍ତି ବ୍ୟବହାର କରିବାରେ ବିଶ୍ବର ମୁଷ୍ଟିମେୟ ଦେଶଙ୍କ ମଧ୍ୟରେ ସାମିଲ ହେଲା ଭାରତ

ପୋଷ୍ଟ କରାଯିବା ଦିନାଙ୍କ: 27 MAY 2026 2:20PM by PIB Bhubaneswar

 

ସ୍ବଚ୍ଛ ଓ ସ୍ଥାୟୀ ପରିବହନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ, ଭାରତୀୟ ରେଳ ଏକ ୧୦ ଡବା ବିଶିଷ୍ଟ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଚାଳିତ ରେଳଗାଡ଼ି ଚଳାଇବାକୁ ଅନୁମୋଦନ କରିଛି। ଉତ୍ତର ରେଳବାଇର ଜିନ୍ଦ-ସୋନିପତ୍‌ ସେକ୍ସନରେ ଖୁବଶୀଘ୍ର ଚାଲିବାକୁ ଥିବା ଏହି ରେଳଗାଡ଼ି ଏକ ୧୨୦୦ କିଲୋଓ୍ବାଟ୍‌ ହାଇଡ୍ରୋଜେନ ଫୁଏଲ୍ ସେଲ୍‌ ପ୍ରୋପଲ୍‌ସନ ସିଷ୍ଟମ୍‌ ଦ୍ବାରା ଚାଳିତ ଓ ଏହା ଘଣ୍ଟାପ୍ରତି ସର୍ବାଧିକ ୭୫ କିଲୋମିଟର ବେଗରେ ଗତି କରିପାରିବ।

ହାଇଡ୍ରୋଜେନ୍ ଫୁଏଲ୍‌ ସେଲ୍ ପ୍ରଯୁକ୍ତିବିଦ୍ୟା ଉଦ୍‌ଯାନ ବ୍ୟବହାର କରି ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ କରେ, ଏହି ପ୍ରକ୍ରିୟାରେ କେବଳ ଜଳୀୟ ବାଷ୍ପ ନିର୍ଗତ ହୁଏ। ତେଣୁ, ଏହା ପାରମ୍ପରିକ ଜୀବାଶ୍ମ ଇନ୍ଧନ-ଆଧାରିତ ରେଳ ବ୍ୟବସ୍ଥାର ଏକ ସ୍ୱଚ୍ଛ ବିକଳ୍ପ ଭାବରେ କାର୍ଯ୍ୟ କରେ। ହାଇଡ୍ରୋଜେନ୍-ଆଧାରିତ ରେଳ ବ୍ୟବସ୍ଥା ସ୍ଥାୟୀ ପରିବହନ ପାଇଁ ଏକ ପ୍ରତିଶ୍ରୁତିପୂର୍ଣ୍ଣ ସମାଧାନ ଭାବରେ ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରୁଛି। ଏହି ପଦକ୍ଷେପ ସହିତ, ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରି ବିଶ୍ବର ମୁଷ୍ଟିମେୟ ଦେଶଙ୍କ କ୍ଲବରେ ସାମିଲ ହୋଇଛି ଭାରତ। ଏସବୁ ଦେଶ ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ ବ୍ୟବହାର କରିବାର ସମ୍ଭାବନା ଅନୁସନ୍ଧାନ କରୁଛନ୍ତି। ଏହି ପ୍ରଯୁକ୍ତିବିଦ୍ୟା ବର୍ତ୍ତମାନ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ, କେବଳ ଅଳ୍ପ କିଛି ଦେଶ ଏବେ ଏପରି ପ୍ରଣାଳୀର ପରିଚାଳନା କିମ୍ବା ପରୀକ୍ଷଣ କରୁଛନ୍ତି।

ହରିୟାଣାର ଜିନ୍ଦ-ସୋନିପତ ସେକ୍ସନକୁ ଏହି ରେଳ ଚାଳନା ପାଇଁ ପାଇଲଟ୍ ରୁଟ୍ ଭାବରେ ଚୟନ କରାଯାଇଛି। ଏହାକୁ ସହଜ କରିବା ପାଇଁ, ଜିନ୍ଦରେ ଏକ ସ୍ୱଦେଶୀ ଭାବରେ ବିକଶିତ ହାଇଡ୍ରୋଜେନ୍ ଭଣ୍ଡାରଣ ଏବଂ ଇନ୍ଧନ ପୁନଃଭରଣ କେନ୍ଦ୍ର ପ୍ରତିଷ୍ଠିତ ହୋଇଛି। ପେଟ୍ରୋଲିୟମ୍ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ (ପିଇଏସ୍ଓ) ଏହି ସ୍ଥାନରେ କମ୍ପ୍ରେସ୍‌ଡ ହାଇଡ୍ରୋଜେନ୍ ଗ୍ୟାସର ସଂରକ୍ଷଣ ଏବଂ ବଣ୍ଟନ ପାଇଁ ଆବଶ୍ୟକୀୟ ଲାଇସେନ୍ସ ପ୍ରଦାନ କରିଛି। 

ନିର୍ଭରଯୋଗ୍ୟ ଏବଂ ତ୍ରୁଟିମୁକ୍ତ ଚାଳନା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ବୈଷୟିକ ସହାୟତା ଏବଂ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ସହିତ ଇନ୍ଧନ ପାଇଁ ଏକ ହାଇଡ୍ରୋଜେନ କମ୍ପ୍ରେସର ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଏହା ସହିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ ପୃଥକ କମ୍ପ୍ରେସର ୟୁନିଟକୁ ପ୍ରସ୍ତୁତ ରଖାଯାଇଛି। ଉଦ୍‌ଯାନ ଲିକ୍ ଏବଂ ଅଗ୍ନିକାଣ୍ଡ ଚିହ୍ନଟ କରିବା ପାଇଁ ଉଦ୍‌ଯାନ ଉତ୍ପାଦନ, ସଂରକ୍ଷଣ ଏବଂ ବଣ୍ଟନ କେନ୍ଦ୍ରରେ ସ୍ଥାପିତ ବିଭିନ୍ନ ସୁରକ୍ଷା ସେନ୍ସରଗୁଡ଼ିକର ନିୟମିତ ପରିଦର୍ଶନ କରାଯିବ ଓ ସେଥିରେ ଧୂଳି ଜମାଟକୁ ରୋକିବା ଏବଂ ସୁରକ୍ଷିତ ଚାଳନା ସୁନିଶ୍ଚିତ କରିବା ପାଇଁ ନିୟମିତ ଭାବରେ ଯାଞ୍ଚ ଏବଂ ପରିଷ୍କାର କରାଯିବ।

ଆର୍‌ଡିଏସଓ ଦ୍ୱାରା ଅନୁମୋଦିତ ହାଇଡ୍ରୋଜେନ ଟ୍ରେନ-ସେଟ୍ ଏବଂ ହାଇଡ୍ରୋଜେନ ପ୍ଲାଣ୍ଟ ପାଇଁ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମାନୁଆଲ ମଧ୍ୟ ଉପଲବ୍ଧ କରାଯାଉଛି। ଶାକୁରବସ୍ତିରେ ପ୍ରସ୍ତାବିତ ରକ୍ଷଣାବେକ୍ଷଣ ସୁବିଧା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା, ନିୟମିତ ଅଡିଟ୍ ଏବଂ ମାନକ ପରିଚାଳନା ପ୍ରକ୍ରିୟା (ଏସ୍‌ଓପି)ର ପାଳନ ସୁନିଶ୍ଚିତ କରାଯାଉଛି।

ଏହି ଅନୁମୋଦନ ସହ ହାଇଡ୍ରୋଜେନ ରିଫ୍ୟୁଏଲିଂ ପ୍ରଣାଳୀର ୨୪ ଘଣ୍ଟିଆ ତଦାରଖ, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ଏବଂ ପ୍ରମାଣିତ କର୍ମଚାରୀଙ୍କ ନିୟୋଜନ ଏବଂ ନିୟମିତ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ ସମୟସୂଚୀ କାର୍ଯ୍ୟକାରୀ କରିବା ସମେତ ବ୍ୟାପକ ସୁରକ୍ଷା ଏବଂ କାର୍ଯ୍ୟକ୍ଷମ ପ୍ରୋଟୋକଲର କଠୋର ପାଳନକୁ ବାଧ୍ୟତାମୂଳକ କରାଯାଇଛି। ଏହି କେଳ ଚାଳନାର ପ୍ରାରମ୍ଭିକ ପର୍ଯ୍ୟାୟରେ, ସୁଗମ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ତାଲିମପ୍ରାପ୍ତ ବୈଷୟିକ କର୍ମଚାରୀ ଟ୍ରେନ ସହିତ ରହିବେ।

ଏହି ପ୍ରକଳ୍ପ ଭାରତୀୟ ରେଳବାଇର ନବସୃଜନ, ଶକ୍ତି ଦକ୍ଷତା ଏବଂ ପରିବେଶ ଅନୁକୂଳ ପରିବହନ ପ୍ରତି ବ୍ୟାପକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ଏବଂ ଏହା ମଧ୍ୟ ଭାରତର ଜାତୀୟ ସ୍ୱଚ୍ଛ ଶକ୍ତି ଏବଂ ନେଟ୍-ଶୂନ୍ୟ କାର୍ବନ ନିର୍ଗମନ ଲକ୍ଷ୍ୟ ସହିତ ସମନ୍ୱିତ।

***

TKM


(ରିଲିଜ ଆଡି: 2266047) ପରିଦର୍ଶକ କାଉଣ୍ଟର : 14