ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂଆଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ପୋଷ୍ଟ କରାଯିବା ଦିନାଙ୍କ:
13 APR 2026 2:40PM by PIB Bhubaneswar
ମଞ୍ଚରେ ଉପସ୍ଥିତ ଥିବା ଦିଲ୍ଲୀର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ଜୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଜୀ, ଶ୍ରୀମତୀ ସାବିତ୍ରୀ ଠାକୁର ଜୀ, ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହତକର ଜୀ। ଆପଣମାନଙ୍କ ମଧ୍ୟରେ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ବସିଛନ୍ତି, ସାଂସଦ ଅଛନ୍ତି, ବିଧାୟକ ଅଛନ୍ତି, ଆମର ପୂର୍ବତନ ଲୋକସଭା ବାଚସ୍ପତି ଆଦରଣୀୟା ମୀରା କୁମାର ଜୀ ମଧ୍ୟ ଯିଏ ଆମ ମଧ୍ୟରେ ଅଛନ୍ତି। ଏଠାରେ ଉପସ୍ଥିତ ଯେଉଁ ମୋର ସମସ୍ତ ସମ୍ମାନୀୟ ଭଉଣୀମାନେ ଅଛନ୍ତି, ଏହି ସମୟରେ ଦେଶ ବୈଶାଖୀ ଉତ୍ସବର ଆନନ୍ଦରେ ପରିପୂର୍ଣ୍ଣ। ଆସନ୍ତାକାଲି, ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ନୂତନ ବର୍ଷ ପାଳନ କରାଯିବ। ଆଜି ମୁଁ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସାହସୀ ସହିଦମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଉଛି।
ବନ୍ଧୁଗଣ,
ଭାରତର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟରେ , ଭାରତ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ନେବାକୁ ଯାଉଛି। ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱର ସହିତ କହୁଛି , ଯେ ଏହା ଏକବିଂଶ ଶତାବ୍ଦୀରେ ନେଇଥିବା ଆମ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହି ନିଷ୍ପତ୍ତି ନାରୀ ଶକ୍ତି ପାଇଁ, ନାରୀ ଶକ୍ତିକୁ ସମ୍ମାନ ଦେବା ପାଇଁ ଉତ୍ସର୍ଗୀକୃତ। ଆମ ଦେଶର ସଂସଦ ନୂତନ ଇତିହାସ ସୃଷ୍ଟି କରିବାର ଦ୍ୱାର ଦେଶରେ ଅଛି । ଏକ ନୂତନ ଏମିତି ଇତିହାସ ଯାହା ଅତୀତର ଆକାଂକ୍ଷାକୁ ପୂରଣ କରିବ, ଭବିଷ୍ୟତର ପ୍ରତିବଦ୍ଧତାକୁ ସାକାର କରିବ। ଏହା ଏକ ଏମିତି ଭାରତର ସଂକଳ୍ପ ଯେଉଁଠି ସମତା ମୂଳକ ଥିବ, ଯେଉଁଠି ସାମାଜିକ ନ୍ୟାୟ କେବଳ ଏକ ସ୍ଲୋଗାନ ନଥିବ , କିନ୍ତୁ ଆମର କାର୍ଯ୍ୟ ସଂସ୍କୃତିର , ଆମର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ଏକ ସ୍ୱାଭାବିକ ଅଂଶ।
ବନ୍ଧୁଗଣ,
ରାଜ୍ୟ ବିଧାନସଭା ଠାରୁ ଆରମ୍ଭକରି ଭାରତର ସଂସଦ ପର୍ଯ୍ୟନ୍ତ, ଦଶନ୍ଧି ଧରି ଚାଲିଥିବା ଅପେକ୍ଷାର ଅନ୍ତ ୧୬, ୧୭ ଏବଂ ୧୮ ତାରିଖରେ ହେବାକୁ ଯାଉଛି। ୨୦୨୩ରେ ଯେତେବେଳେ ନୂତନ ସଂସଦ ଭବନ ଉଦଘାଟନ କରାଯାଇଥିଲା, ସେତେବେଳେ ଆମେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଭାବରେ ପ୍ରଥମ ପଦକ୍ଷେପ ନେଇଥିଲୁ। ଏହାର ସମୟସୀମା ମଧ୍ୟରେ କାର୍ଯ୍ୟକାରୀତା ସୁନିଶ୍ଚିତ କରିବା ଏବଂ ଆମ ଗଣତନ୍ତ୍ରରେ ମହିଳାମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ପାଇଁ ୧୬ ଏପ୍ରିଲରୁ ସଂସଦର ବଜେଟର ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଉଛି। ଏହା ପୂର୍ବରୁ ଆଜିର ଏହି ନାରୀ ଶକ୍ତି ବନ୍ଦନର ଏହି କାର୍ଯ୍ୟକ୍ରମ ଜରିଆରେ ଆମର ଦେଶବ୍ୟାପୀ କୋଟି-କୋଟି ମା' ଏବଂ ଭଉଣୀମାନଙ୍କ ଆଶୀର୍ବାଦ ମିଳୁଛି । ଏବଂ ମୁଁ ଏହି କାର୍ଯ୍ୟକ୍ରମରେ ଆପଣଙ୍କୁ କୌଣସି ଉପଦେଶ ଦେବାକୁ ଆସିନାହିଁ,କିମ୍ବା କୌଣସି ପ୍ରଚାର କରିବାକୁ କିମ୍ବା ଜାଗ୍ରତ କରିବାକୁ ଆସିନାହିଁ । ମୁଁ ଆଜି ଏଠାକୁ ଆସିଛି ଆପଣ ସମସ୍ତଙ୍କର , ଦେଶର କୋଟି-କୋଟି ମା-ଭଉଣୀଙ୍କର ଆଶୀର୍ବାଦ ନେବାକୁ । ଆପଣମାନେ ସମସ୍ତେ ଦେଶର କୋଣ-ଅନୁକୋଣରୁ ଆସିଛନ୍ତି, ଏବଂ ମୁଁ ଆପଣଙ୍କ ଉପସ୍ଥିତି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆପଣ ଯେଉଁ ସମୟ ଦେଇଛନ୍ତି, ତାହାକୁ ସ୍ୱାଗତ କରୁଛି। ମୁଁ ଭାରତର ସମସ୍ତ ମହିଳାମାନଙ୍କୁ ଏକ ନୂତନ ଯୁଗର ଆଗମନକୁ ନେଇ ଅଭିନନ୍ଦନ ମଧ୍ୟ ଜଣାଉଛି।
ବନ୍ଧୁଗଣ,
ଆମର ଗଣତାନ୍ତ୍ରିକ ଢାଞ୍ଚାରେ ମହିଳା ସଂରକ୍ଷଣର ଆବଶ୍ୟକତା ଦଶନ୍ଧି ଧରି କେହି ଅନୁଭବ କରୁଥିଲେ, ଏବଂ ଆଲୋଚନା ମଧ୍ୟ ହଉଥିଲା । ଏହି ବିତର୍କ ପ୍ରାୟ ଚାରି ଦଶନ୍ଧି ବିତିଗଲା, ୪୦ ବର୍ଷ ବିତିଗଲା । ସମସ୍ତ ଦଳ ଏବଂ ପିଢ଼ିର ପ୍ରୟାସ ଏଥିରେ ସାମିଲ ରହିଛି। ପ୍ରତ୍ୟେକ ଦଳ ଏହି ଧାରଣାକୁ ନିଜ ନିଜ ଢଙ୍ଗରେ ଆଗକୁ ବଢାଇଲେ । ୨୦୨୩ ମସିହାରେ ଯେତେବେଳେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରଚଳନ କରାଯାଇଥିଲା, ସମସ୍ତ ଦଳ ଏହାକୁ ସର୍ବସମ୍ମତିକ୍ରମେ ପାସ୍ କରିଥିଲେ। ସେତେବେଳେ, ସର୍ବସମ୍ମତିକ୍ରମେ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ଯେ ଏହାକୁ ୨୦୨୯ ସୁଦ୍ଧା କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ସମସ୍ତେ ଏକମତ ହୋଇଥିଲେ ଯେ ଏହାକୁ କାର୍ଯ୍ୟକାରୀ ନକରି ଏକ ଆଇନ ପାସ୍ କରିବା ଗ୍ରହଣୀୟ ନୁହେଁ। ବିଶେଷକରି, ବିରୋଧୀ ଦଳର ଆମର ସହକର୍ମୀମାନେ ଦୃଢ଼ ଭାବରେ ଜୋର୍ ଦେଇଥିଲେ ଯେ ଏହାକୁ ୨୦୨୯ ସୁଦ୍ଧା କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ଏହି ସମୟସୀମାକୁ ଧ୍ୟାନରେ ରଖି ସରକାର ବିରୋଧୀଙ୍କ କଥାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଆମ ପାଇଁ ବିରୋଧିଙ୍କ କଥା ମଧ୍ୟ ସେତିକି ଗୁରୁତ୍ବ ରଖୁଛି ସେଥଇପାଇଁ ଆମେ ଆଲୋଚନା ଜାରି ରଖିଛୁ, ନୂତନ ପଥ ଅନୁସନ୍ଧାନ କରିଛୁ ଏବଂ ସାମ୍ବିଧାନିକ ବିଶେଷଜ୍ଞଙ୍କଠାରୁ ପରାମର୍ଶ ଲୋଡ଼ିଛୁ। ୧୬ ଏପ୍ରିଲରୁ ସଂସଦ ଏହି ବିଷୟ ଉପରେ ଏକ ବ୍ୟାପକ ଆଲୋଚନା ହେବାକୁ ଯାଉଛି ।
ବନ୍ଧୁଗଣ,
ଆମର ପ୍ରୟାସ ଏବଂ ଆମର ପ୍ରାଥମିକତା ମଧ୍ୟ ରହିଛି ଯେ ,ଏହି ସଂପର୍କରେ ,ଏହି କାର୍ଯ୍ୟର ଆଲୋଚନା, ସହଯୋଗ ଏବଂ ଅଂଶଗ୍ରହଣ ମାଧ୍ୟମରେ ସମ୍ପାଦିତ ହେବା ଉଚିତ। ମୁଁ ନିଶ୍ଚିତ ଯେ ଯେପରି ଏହି ଆଇନ ପାସ ହେବା ଦ୍ୱାରା ସଂସଦର ମର୍ଯ୍ୟାଦା ବୃଦ୍ଧି ପାଇଛି, ଏଥର ମଧ୍ୟ ସାମୂହିକ ପ୍ରୟାସ ମାଧ୍ୟମରେ ସଂସଦର ସମ୍ମାନ ନୂତନ ଶିଖରକୁ ଛୁଇଁବ । ଦେଶର ପ୍ରତ୍ୟେକ ମହିଳା ଗର୍ବ ଅନୁଭବ କରିବେ ଯେ ସମସ୍ତ ଦଳ ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ନିଜ ସ୍ୱାର୍ଥ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି. କାମ କରିଛନ୍ତି । ଗତ କିଛି ଦିନ ମଧ୍ୟରେ ମୁଁ ସାରା ଦେଶରେ ମହିଳାମାନଙ୍କୁ ଏହି ପ୍ରସଙ୍ଗରେ ଦୃଢ଼ ଭାବରେ କହିବାର ଦେଖୁଛି। ଏକ ବ୍ୟାପକ ଭାବରେ ବିତର୍କ ଚାଲିଛି, ଏବଂ ଏହା ଗଣତନ୍ତ୍ରର ଏକ ମହାନ ଶକ୍ତି। ବିଧାନସଭା ଏବଂ ସଂସଦରେ ପହଞ୍ଚିବାକୁ ସେମାନଙ୍କର ସ୍ୱପ୍ନ ନୂତନ ଦିଗ ପାଇବାକୁ ଯାଉଛି। ମୁଁ ଅନୁଭବ କରୁଛି ଯେ ସମଗ୍ର ଦେଶରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହେଉଛି।
ବନ୍ଧୁଗଣ,
ସ୍ୱାଧୀନତା ସଂଗ୍ରାମରୁ ସମ୍ବିଧାନ ସଭାର ନିଷ୍ପତ୍ତି ପର୍ଯ୍ୟନ୍ତ, ସ୍ୱାଧୀନ ଭାରତର ମୂଳଦୁଆ ସ୍ଥାପନ କରିବାରେ ନାରୀ ଶକ୍ତିର ଅପାର ଅବଦାନ ରହିଛି, ଇତିହାସ ସାକ୍ଷୀ ରହିଛି। ସ୍ୱାଧୀନତା ପରେ ମଧ୍ୟ ପ୍ରତିନିଧିତ୍ୱ ପାଇଁ ସୁଯୋଗ ପାଇଥିବା ମହିଳାମାନେ ଦେଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ରାଷ୍ଟ୍ରପତିଙ୍କଠାରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଯେଉଁଠାରେ ମହିଳାମାନେ ସେବା କରିଛନ୍ତି ସେଠାରେ ସେମାନେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରିଛନ୍ତି। ଆଜି ମଧ୍ୟ ଆମ ଦେଶରେ ରାଷ୍ଟ୍ରପତିଙ୍କଠାରୁ ଅର୍ଥମନ୍ତ୍ରୀ ପର୍ଯ୍ୟନ୍ତ, ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମହିଳାମାନେ ଅଛନ୍ତି। ସେମାନେ ଦେଶର ମର୍ଯ୍ୟାଦା ଏବଂ ଗୌରବ, ଉଭୟକୁ ବୃଦ୍ଧି କରିଛନ୍ତି।
ବନ୍ଧୁଗଣ,
ଆମର ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକ ମହିଳାମାନଙ୍କ ନେତୃତ୍ୱର ଆଉ ଏକ ଉତ୍କୃଷ୍ଟ ଉଦାହରଣ। ଆଜି, ଭାରତରେ ସ୍ଥାନୀୟ ସରକାରୀ ସଂସ୍ଥାଗୁଡ଼ିକରେ ୧୪ ଲକ୍ଷରୁ ଅଧିକ ମହିଳା ସଫଳତାର ସହିତ କାର୍ଯ୍ୟ କରୁଛନ୍ତି। ପ୍ରାୟ ୨୧ଟି ରାଜ୍ୟରେ, ପଞ୍ଚାୟତରେ ସେମାନଙ୍କର ଅଂଶଗ୍ରହଣ ପ୍ରାୟ ୫୦ ପ୍ରତିଶତରେ ପହଞ୍ଚିଛି। ଯେତେବେଳେ ମୁଁ ବିଦେଶୀ ଅତିଥିମାନଙ୍କ ସହିତ ଏହି ସଂଖ୍ୟା ପ୍ରତିଶତକୁ ନେଇ ଆଲୋଚନା କରିଥାଏ, ସେମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି, ଆଶ୍ଚର୍ଯ୍ୟରେ ସେମାନଙ୍କର ମୁହଁ ଖୋଲା ରହିଯାଇଥାଏ, ଆଶ୍ଚର୍ଯ୍ୟ ହୋଇଥାନ୍ତି।
ବନ୍ଧୁଗଣ,
ଏହା କୌଣସି ସାଧାରଣ କଥା ନୁହେଁ। ରାଜନୀତି ଏବଂ ସାମାଜିକ ଜୀବନରେ ଲକ୍ଷ-ଲକ୍ଷ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ ବିଶ୍ୱର ମହାନ ନେତା ଏବଂ ରାଜନୈତିକ ବିଶେଷଜ୍ଞମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥାଏ । ଏବଂ ଏହା ସମଗ୍ର ଭାରତର ଗୌରବକୁ ମଧ୍ୟ ବହୁ ପରିମାଣରେ ବୃଦ୍ଧି କରିଥାଏ।
ବନ୍ଧୁଗଣ,
ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଯେତେବେଳେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇଲା, ସେତେବେଳେ ବ୍ୟବସ୍ଥାରେ ସମ୍ବେଦନଶୀଳତା ମଧ୍ୟ ଆସିଲା। ଏବଂ ଏହା ଏକ ବହୁତ ବଡ଼ ଶକ୍ତି ,ଏବଂ ଏହାର ପରିଣାମ ସ୍ୱରୂପ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିସାର ଭଳି ଅନେକ ବିଷୟରେ ଅଧିକ ସମର୍ପଣଭାବ , ଅଧିକ ସମ୍ବେଦନଶୀଳ ଏବଂ ପ୍ରଭାବଶାଳୀ କାର୍ଯ୍ୟ ହୋଇଛି। ମୁଁ ବିଶ୍ୱାସ କରେ ଯେ ଜଳ ଜୀବନ ମିଶନ ଏହାର ସର୍ବୋତ୍ତମ ଉଦାହରଣ, ଯେଉଁଥିରେ ପଞ୍ଚାୟତ ସ୍ତରରେ ମହିଳାମାନଙ୍କର ଅଂଶଗ୍ରହଣ ଏକ ବହୁତ ବଡ଼ ଭୂମିକା ଗ୍ରହଣ କରିଛି।
ବନ୍ଧୁଗଣ,
ଆମର ସ୍ଥାନୀୟ ସଂସ୍ଥା ଏବଂ ପ୍ରତିଷ୍ଠାନରେ ଏତେ ବର୍ଷ ଧରି ଯେଉଁ ଲକ୍ଷ-ଲକ୍ଷ ମହିଳା କାମ କରୁଛନ୍ତି, ଯେଉଁମାନେ ନେତୃତ୍ୱ ନେଉଛନ୍ତି, ସେମାନଙ୍କର ତୃଣମୂଳ ସ୍ତରରେ ବହୁତ ସମୃଦ୍ଧ ଏବଂ ଦୀର୍ଘ ଅଭିଜ୍ଞତା ରହିଛି। ସେମାନେ ଏବେ ଏକ ବଡ଼ ଭୂମିକା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ତତ୍ପର ଅଛନ୍ତି । ମୁଁ ଆପଣଙ୍କୁ ମୋର ଏକ ବ୍ୟକ୍ତିଗତ ଅଭିଜ୍ଞତା କହିବି। ଏହି କ୍ଷମତାର ଅର୍ଥ କ'ଣ , ମୁଁ ୨୦୦୧ ରେ ନୂତନ ଭାବେ ମୁଖ୍ୟମନ୍ତ୍ରୀ ହେଲି, ମୋର ସରକାର ଚଳାଇବାର, ଶାସନ ବ୍ୟବସ୍ଥାର କୌଣସି ମହାନ ଅଭିଜ୍ଞତା ନଥିଲା, ଏକ ପ୍ରକାରରେ ମୁଁ ଜଣେ ନୂତନ ବ୍ୟକ୍ତି ଥିଲି। ହୁଏତ ଏହା ୨୦୦୨ କିମ୍ବା ୨୦୦୩ ର ଏକ ଘଟଣା , ଆମର ଜଣେ ବିଧାୟକ ମୋ ପାଖକୁ ଆସିଥିଲେ। ସେ କହିଲେ ଯେ ତାଙ୍କ ଅଞ୍ଚଳରେ ଏକ ଗ୍ରାମ ପଞ୍ଚାୟତର କିଛି ଭଉଣୀମାନେ ମୋତେ ଭେଟିବାକୁ ଚାହୁଁଛନ୍ତି। ଏହା ଖେଡା ଜିଲ୍ଲା, ଆନନ୍ଦ ଜିଲ୍ଲା ଅଞ୍ଚଳର ଥିଲା, ଯେଉଁଠାରେ ସର୍ଦ୍ଦାର ସାହେବଙ୍କ ଜନ୍ମ ହୋଇଥିଲା। ତେଣୁ ମୁଁ କହିଲି, ଯଦି ସେମାନଙ୍କର କିଛି ପଞ୍ଚାୟତ କାମ ଅଛି, ତେବେ ସେମାନଙ୍କୁ ପଞ୍ଚାୟତି ରାଜ ମନ୍ତ୍ରୀଙ୍କୁ ଭେଟିବାକୁ ଦିଅ। ସେ କହିଲେ, ନା ମହାଶୟ, ସେମାନେ ଆପଣଙ୍କୁ ଭେଟିବାକୁ ଚାହାଁନ୍ତି। ମୁଁ ପଚାରିଲି କାହିଁକି? ସେ କହିଲେ, ପଞ୍ଚାୟତରେ ସମସ୍ତ ସଦସ୍ୟ ମହିଳା, ଆମ ପଞ୍ଚାୟତରେ ଜଣେ ବି ପୁରୁଷ ସଦସ୍ୟ ନାହାନ୍ତି। ମୁଁ କହିଲି, ଏହା କିପରି ସମ୍ଭବ? ସେ କହିଲେ ଯେ ଗାଁ ଲୋକମାନେ ନିଷ୍ପତ୍ତି ନେଇଥିଲେ ଯେ ଏଥର ମୁଖ୍ୟ ଜଣେ ମହିଳା ହେବେ, ତେଣୁ ସମସ୍ତ ସଦସ୍ୟ ମଧ୍ୟ ମହିଳା ହେବେ, ତେଣୁ କୌଣସି ପୁରୁଷ ନିର୍ବାଚନ ଲଢ଼ି ନଥିଲେ। ସ୍ୱାଭାବିକ ଭାବରେ ମୋର ଧ୍ୟାନ ଏହା ଆଡ଼କୁ ଗଲା, ମୁଁ କହିଲି ଯେ ମୁଁ ନିଶ୍ଚିତ ଭାବରେ ସେମାନଙ୍କୁ ଭେଟିବି। ଏହା ଏକ ଛୋଟ ଗ୍ରାମ ଥିଲା, ହୁଏତ ୧୩ ଜଣ ସଦସ୍ୟଙ୍କ ପଞ୍ଚାୟତ ଥିଲା, ତେଣୁ ମୁଁ ସେମାନଙ୍କୁ ସମୟ ଦେଲି, ସେମାନେ ସମସ୍ତେ ମୋତେ ଭେଟିବାକୁ ଆସିଥିଲେ। ୧୩ ଜଣ ଭଉଣୀ ଥିଲେ, ଯେଉଁମାନେ ଗାଁର ମୁଖ୍ୟ ହୋଇଥିଲେ, ସେମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲେ। ବାକି ଅନ୍ୟ ଭଉଣୀମାନେ, ଜଣେ କିମ୍ବା ଦୁଇଜଣ ମୁହଁ ଘୋଡ଼ାଇ ରହିଥିଲେ। ଅନେକ ହୁଏତ କେବେ ସ୍କୁଲ ଦେଖି ନ’ଥିଲେ। ତେଣୁ ସେମାନେ ସମସ୍ତେ ଆସିଲେ, ମୁଁ ଭାବିଲି ହୁଏତ କିଛି ବଡ଼ ଲୋକ ସେମାନଙ୍କୁ ସଦସ୍ୟ ଭାବରେ ରଖିଛନ୍ତି, ହୁଏତ ସେମାନେ କିଛି ଦାବି ଆଣିଛନ୍ତି, ଯେପରିକି ମୋ ଗାଁରେ ଏହା କର, ମୋ ଗାଁରେ ତାହା କର। ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ସେମାନଙ୍କ ହାତରେ କୌଣସି କାଗଜପତ୍ର ନଥିଲା। ତେଣୁ ସେମାନେ ବସି ପଡ଼ିଲେ, ମୁଁ ମୋର ପରିଚୟ ଦେଲି। ମୁଁ ପଚାରିଲି, ତୁମେମାନେ ସମୟ ମାଗିଥିଲ, କାମ କ'ଣ? ସେମାନେ କହିଲେ, କାମ ନାହିଁ, ଆମେ କେବଳ ନିର୍ବାଚିତ ହୋଇଥିବାରୁ ଆସିଥିଲୁ, ତେଣୁ ଆମେ ଆପଣଙ୍କୁ ଭେଟିବାକୁ ଆସିଥିଲୁ। ମୋ ପାଇଁ ଏହି କଥା ବଡ଼ ଆଶ୍ଚର୍ଯ୍ୟ ଥିଲା, ନଚେତ୍ ନେତାମାନେ କେବଳ ସ୍ମାରକପତ୍ର ନେଇ ଆସନ୍ତି। ତା'ପରେ ମୁଁ ସେମାନଙ୍କୁ ପଚାରିଲି, ମୋତେ କୁହ, ତୁମକୁ ୫ ବର୍ଷ ପାଇଁ ଏତେ ବଡ଼ ଦାୟିତ୍ୱ ମିଳିଛି, ତୁମେ ଭଉଣୀମାନେ ଗାଁ ପରିଚାଳନା କରିବାକୁ ଯାଉଛ, ତୁମର ସ୍ୱପ୍ନ କ'ଣ, ତୁମେ ୫ ବର୍ଷରେ କ'ଣ କରିବ, ତୁମେ ଗାଁକୁ କିପରି କରିବ? ସାଧାରଣତଃ କ'ଣ ଉତ୍ତର ଦିଆଯିବ, ଯେଉଁମାନେ ବଡ଼ ଦେଖାଯାଉଛନ୍ତି, କ'ଣ ଉତ୍ତର ଦେବୁ , ସ୍କୁଲ ତିଆରି କର, ହସ୍ପିଟାଲ ତିଆରି କର, ରାସ୍ତା ତିଆରି କର, ଏପରି ଉତ୍ତର। ସେଦିନ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିବା ମୁଖ୍ୟ ଏବଂ ତାଙ୍କ ସହିତ ଆସିଥିବା ମହିଳା ସଦସ୍ୟମାନେ ମୋତେ ଏକ ଉତ୍ତର ଦେଲେ ଯାହା ହୁଏତ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତିଜ୍ଞ ଦେଇପାରିବେ ନାହିଁ। ଏବଂ ସେହି ଉତ୍ତର ଏବେ ବି ମୋ ପାଇଁ ଏକ ଶିକ୍ଷା ପରି। ମୁଁ ମୁଖ୍ୟମନ୍ତ୍ରୀ ହେଲି, ମୁଁ ପ୍ରଧାନମନ୍ତ୍ରୀ ହେଲି, କିନ୍ତୁ ପଞ୍ଚାୟତର ସେହି ମହିଳାମାନଙ୍କର ସେହି ବକ୍ତବ୍ୟ ଏବେ ବି ମୋ ପାଇଁ ଏକ ମାର୍ଗଦର୍ଶିକା। ଆପଣ ଆଶ୍ଚର୍ଯ୍ୟ ହେବେ, ସେମାନେ କ’ଣ ଉତ୍ତର ଦେଲେ। ଯେତେବେଳେ ମୁଁ ସେମାନଙ୍କୁ ପଚାରିଲି, ତୁମେ କ’ଣ କରିବ, ତୁମ ପାଖରେ ୫ ବର୍ଷ ଅଛି, ଗାଁ ତୁମକୁ ବାଛିଛି, ସେତେବେଳେ ସେମାନେ ମୋତେ ଉତ୍ତର ଦେଲେ, ମହାଶୟ ଆମର କେବଳ ଗୋଟିଏ ଇଚ୍ଛା ଅଛି। ମୁଁ ପଚାରିଲି, କ’ଣ? ଏବଂ ସେହି ଉତ୍ତର ଏବେ ବି ମୋ କାନରେ ପ୍ରତିଧ୍ୱନିତ ହୁଏ। ସେମାନେ କହିଲେ, ଆମର ଇଚ୍ଛା ହେଉଛି ଆମ ଗାଁରେ କେହି ଗରିବ ନ ରୁହନ୍ତୁ। ସବୁଠାରୁ ବଡ଼ ଅର୍ଥନୀତିଜ୍ଞଙ୍କ ପାଇଁ ମଧ୍ୟ ଏହାଠାରୁ ବଡ଼ ବାର୍ତ୍ତା ଆଉ କିଛି ହୋଇପାରିବ ନାହିଁ। ଏହା ମୋ ପାଇଁ ଏକ ସୁଖଦ ଅଭିଜ୍ଞତା ଥିଲା, ଏବଂ ସେହି ଶବ୍ଦଗୁଡ଼ିକ ଏବେ ବି ମୋ କାନରେ ପ୍ରତିଧ୍ୱନିତ ହୁଏ। ତେଣୁ ଭୂମି ସହିତ ଜଡିତ ଅଭିଜ୍ଞତାରୁ ଆସୁଥିବା ଭାଷଣ ଏକ ବୈଦିକ ବକ୍ତବ୍ୟ ପରି ହୋଇଯାଏ।
ଏବଂ ସେଥିପାଇଁ ବନ୍ଧୁଗଣ,
ନାରୀ ଶକ୍ତି ବନ୍ଦନ ଅଧିନିୟମ କାର୍ଯ୍ୟକାରୀ କରିବା ଏପରି ସମସ୍ତ ମହିଳାଙ୍କ ଜୀବନରେ ଏକ ବହୁତ ବଡ଼ ସୁଯୋଗ ହେବାକୁ ଯାଉଛି। ଏବେ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ସେମାନଙ୍କର ଯାତ୍ରା ସହଜ ହେବାକୁ ଯାଉଛି।
ବନ୍ଧୁଗଣ,
ଆଜି, ଏକ ବିକଶିତ ଭାରତର ଯାତ୍ରାରେ,ଆମର ମହିଳାମାନଙ୍କର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ମୁଁ ସନ୍ତୁଷ୍ଟ ଯେ ୨୦୧୪ ରେ, ଆପଣମାନେ ସମସ୍ତେ ଆମର ଦେଶବାସୀ, ଆମକୁ ଏଠାରେ ସେବା କରିବାକୁ ସୁଯୋଗ ଦେଇଥିଲେ, ଏବଂ ସେହିଦିନଠାରୁ, ଆମ ସରକାର ମହିଳାମାନଙ୍କ ଜୀବନଚକ୍ରର ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ସେଗୁଡ଼ିକୁ ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି। ଆଜି, ପ୍ରଥମ ନିଶ୍ୱାସରୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆମ ସରକାର ଭାରତର ଭଉଣୀ ଏବଂ ଝିଅମାନଙ୍କ ସେବାରେ କୌଣସି ନା କୌଣସି ଯୋଜନା ସହିତ ଉପସ୍ଥିତ ଅଛନ୍ତି। ଝିଅମାନଙ୍କୁ ଗର୍ଭରେ ହତ୍ୟା ନ କରାଯିବା ପାଇଁ, ଆମେ 'ବେଟି ବଚାଓ-ବେଟି ପଢ଼ାଓ' ଅଭିଯାନ ଆରମ୍ଭ କରିଛୁ। ଗର୍ଭାବସ୍ଥାରେ ମା'ମାନଙ୍କୁ ଉପଯୁକ୍ତ ପୁଷ୍ଟିସାର ମିଳୁ ତାହା ସୁନିଶ୍ଚିତ କରିବା ପାଇଁ, ପ୍ରତ୍ୟେକ ଗର୍ଭବତୀ ମାଆଙ୍କୁ 'ମାତୃ ବନ୍ଦନା ଯୋଜନା' ଅଧୀନରେ ୫,000 ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିଲା। ଜନ୍ମ ପରେ ଝିଅମାନଙ୍କୁ ପାଠପଢ଼ାରେ ଅସୁବିଧା ନହେବା ପାଇଁ ଆମେ ଅଧିକ ସୁଧ ଲାଭ ସହିତ 'ସୁକନ୍ୟା ସମୃଦ୍ଧି ଯୋଜନା' ଆରମ୍ଭ କରିଛୁ। ଝିଅମାନଙ୍କୁ ଗମ୍ଭୀର ରୋଗରୁ ରକ୍ଷା କରିବା ପାଇଁ, ଶୈଶବରେ ସମୟାନୁସାରେ ଟୀକାକରଣ ସୁନିଶ୍ଚିତ କରିବା ପାଇଁ, ଆମେ 'ମିଶନ ଇନ୍ଦ୍ରଧନୁଷ' ଆରମ୍ଭ କରିଛୁ। ସ୍କୁଲରେ ଝିଅମାନଙ୍କୁ ଶୌଚାଳୟ ସମସ୍ୟାର ସମ୍ମୁଖୀନ ନହେବା ପାଇଁ, 'ସ୍ୱଚ୍ଛ ଭାରତ ଅଭିଯାନ' ଅଧୀନରେ, ଦେଶରେ କୋଟି-କୋଟି ଶୌଚାଳୟ ନିର୍ମାଣ କରାଯାଇଥିଲା। ମାସିକ ଋତୁସ୍ରାବ ସମୟରେ ଝିଅମାନଙ୍କୁ ସମସ୍ୟାର ସମ୍ମୁଖୀନ ନହେବା ପାଇଁ, ପ୍ରାୟ ମାଗଣାରେ ସାନିଟାରୀ ନାପକିନ୍ ଯୋଗାଇବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ଯଦି ଝିଅମାନେ କ୍ରୀଡାରେ ଆଗକୁ ବଢ଼ିବାକୁ ଚାହାଁନ୍ତି, ତେବେ 'ଖେଲୋ ଇଣ୍ଡିଆ' ଅଭିଯାନ ଅଧୀନରେ, ସେମାନଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯାଉଛି। ଯଦି ଝିଅମାନେ ବଡ଼ ହୋଇ ଭବିଷ୍ୟତରେ ସେନାରେ ଯୋଗ ଦେବାକୁ ଚାହାଁନ୍ତି, ତେବେ ସରକାର ସୈନିକ ସ୍କୁଲରେ ପ୍ରବେଶ ପାଇଁ ଦ୍ୱାର ଖୋଲି ଦେଇଛନ୍ତି ଏବଂ ଜାତୀୟ ପ୍ରତିରକ୍ଷା ଏକାଡେମୀ ପାଇଁ ପଥ ଖୋଲି ଦେଇଛନ୍ତି। ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ, ଝିଅମାନେ ରୋଷେଇ ଘରେ ଧୂଆଁର ଶିକାର ନ ହୁଅନ୍ତୁ ତାହାକୁ ନିଶ୍ଚିତ କରିବା ପାଇଁ, ଆମେ 'ଉଜ୍ଜ୍ୱଳା ଯୋଜନା' ଆରମ୍ଭ କରି କୋଟି-କୋଟି ମା-ଭଉଣୀମାନଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେଇଛୁ। ଝିଅମାନଙ୍କୁ ମାଇଲ-ମାଇଲ ପର୍ଯ୍ୟନ୍ତ ମୁଣ୍ଡରେ ପାଣି ବୋହିବାକୁ ନ’ପଡ଼ୁ ସେଥିପାଇଁ, ଆମେ 'ହର ଘର ନଲ୍ ସେ ଜଳ' ଅଭିଯାନ ଆରମ୍ଭ କରିଛୁ। ଝିଅମାନଙ୍କୁ ପରିବାର ପାଇଁ ରାସନ୍ ବିଷୟରେ ଚିନ୍ତା କରିବାକୁ ନପଡ଼ିବା ପାଇଁ, ଏକ ମାଗଣା ରାସନ ଯୋଜନା ଆରମ୍ଭ କରାଯାଇଥିଲା। ପାରିବାରିକ ଜୀବନରେ ଝିଅମାନଙ୍କୁ ଚିକିତ୍ସା ବିଷୟରେ ଚିନ୍ତା ନ’କରିବାକୁ ସେମାନଙ୍କୁ ଆୟୁଷ୍ମାନ ଯୋଜନା ମାଧ୍ୟମରେ ସହାୟତା ଦିଆଯାଇଥିଲା, ଯାହା ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ କରିଥାଏ । ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ସହିତ ଶସ୍ତା ଔଷଧ ପାଇଁ, ଜନ ଔଷଧି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା, ଏବଂ ଏହି ସମସ୍ତ ସୁବିଧା ଆମର ଭଉଣୀ ଏବଂ ଝିଅମାନଙ୍କ ପାଖରେ ସର୍ବାଧିକ ମାତ୍ରରେ ପହଞ୍ଚିପାରୁଛି।
ବନ୍ଧୁଗଣ,
ଆପଣମାନେ ସମସ୍ତେ ଭଲ ଭାବରେ ଜାଣନ୍ତି ଯେ ଭାରତରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ, ସେମାନଙ୍କର ଆର୍ଥିକ ଅଂଶଗ୍ରହଣକୁ ବୃଦ୍ଧି କରିବା ଆବଶ୍ୟକ। ତେଣୁ, ଆମ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିରେ, ପ୍ରତ୍ୟେକ ଯୋଜନାରେ, ଆମେ ଏହି ଦିଗକୁ ଧ୍ୟାନରେ ରଖିଛୁ। ପୂର୍ବରୁ ପାରିବାରିକ ସମ୍ପତ୍ତି ମୁଖ୍ୟତଃ ପୁରୁଷମାନଙ୍କ ନାମରେ ଥିଲା। ଯଦି ଘର ଥିଲା, ତାହା ପୁରୁଷଙ୍କ ନାମରେ ଥିଲା, ଯଦି ଜମି ଥିଲା, ତାହା ପୁରୁଷଙ୍କ ନାମରେ ଥିଲା, ଯଦି ଦୋକାନ ଥିଲା, ତାହା ପୁରୁଷଙ୍କ ନାମରେ ଥିଲା, ଯଦି ଗାଡ଼ି ଥିଲା, ତାହା
ପୁରୁଷଙ୍କ ନାମରେ ଥିଲା, ଏପରିକି ଏକ ସ୍କୁଟର ମଧ୍ୟ ପୁରୁଷଙ୍କ ନାମରେ ଥିଲା, ଏବଂ ଏହାକୁ ସ୍ୱାଭାବିକ ଭାବରେ ଗ୍ରହଣ କରାଯାଇଥିଲା। 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା'ରେ, ଆମେ ମୁଖ୍ୟତଃ ପରିବାରର ମହିଳାଙ୍କ ନାମରେ ଘର ପଞ୍ଜୀକରଣ କରିବା ଆରମ୍ଭ କରିଥିଲୁ। ଯେତେବେଳେ ପିଲାମାନେ ସ୍କୁଲ ଯାଆନ୍ତି, ସ୍ୱାଭାବିକ ଭାବରେ ପିତାଙ୍କ ନାମ ଲେଖାଯାଏ, ତେଣୁ ଆମେ ଆରମ୍ଭ କରିଥିଲୁ ଯେ ମା'ଙ୍କ ନାମ ମଧ୍ୟ ଲେଖାଯିବ। ଗତ ୧୧ ବର୍ଷ ମଧ୍ୟରେ, ଏହି ନିଷ୍ପତ୍ତିରୁ ୩ କୋଟିରୁ ଅଧିକ ମହିଳା ଉପକୃତ ହୋଇଛନ୍ତି, ନିଜ ନିଜ ଘରର ମାଲିକାଣୀ ହୋଇଛନ୍ତି। ଏହା ମହିଳାମାନଙ୍କୁ ପରିବାରରେ ଆର୍ଥିକ ଭାବରେ ସଶକ୍ତ କରିଛି। ସାଧାରଣତଃ, ପିତା ଏବଂ ପୁଅ କୌଣସି ବ୍ୟବସାୟ ବିଷୟରେ କଥାବାର୍ତ୍ତା କରନ୍ତି, ଏବଂ ଯଦି ମା' ଚା ଆଣନ୍ତି ଏବଂ କିଛି ସମୟ ପାଇଁ ଠିଆ ହୋଇଯାଆନ୍ତି, ତେବେ ସେମାନେ କୁହନ୍ତି, ଯାଅ, ରୋଷେଇ ଘରକୁ ଯାଅ, ଆମେ କଥା ହେଉଛୁ। ମୁଁ ଗୃହକର୍ତ୍ତା ନୁହେଁ, କିନ୍ତୁ ମୁଁ ବହୁତ କିଛି ଜାଣେ। କିନ୍ତୁ ଏବେ, ଯେତେବେଳେ ସେମାନେ ଆର୍ଥିକ ଭାବରେ ସଶକ୍ତ ହୋଇଗଲେ, ପୁଅ ମଧ୍ୟ କହୁଛି, ଦୟାକରି ମା'ଙ୍କୁ ଆଲୋଚନାରେ ଯୋଗଦେବାକୁ ଡାକନ୍ତୁ, ତାଙ୍କୁ ଡାକନ୍ତୁ।
ବନ୍ଧୁଗଣ,
୨୦୧୪ ମସିହାରେ ଆମ ଦେଶରେ କୋଟି- କୋଟି ମହିଳା ଏମିତି ଥିଲେ ଯେଉଁମାନେ କେବେ ବ୍ୟାଙ୍କର ଦ୍ୱାର ଦେଖି ନଥିଲେ। ମହିଳାମାନେ ବ୍ୟାଙ୍କିଂ କ୍ଷେତ୍ର ସହିତ ଜଡିତ ନଥିଲେ, ତେଣୁ ସେମାନେ ବ୍ୟାଙ୍କିଂର ଲାଭ କିପରି ପାଇପାରିବେ? ସେତେବେଳେ ଆମେ ଜନଧନ ଯୋଜନା ଆରମ୍ଭ କରିଥିଲୁ, ଏବଂ ସେହି ସମୟରେ ଦେଶରେ ୩୨ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଇଥିଲା। ଯେତେବେଳେ ମୁଁ ଗୁଜରାଟରେ ଥିଲି, ଆରମ୍ଭରେ ଗୋଟିଏ ନିଷ୍ପତ୍ତି ମୋ ପାଇଁ ବହୁତ କଷ୍ଟକର ହେଉଥିଲା। ଗୁଜରାଟରେ ଏକ ବଡ଼ ସମବାୟ ଡାଏରୀ ସାମ୍ରାଜ୍ୟ ଅଛି, ଏକ ବହୁତ ବଡ଼ କାର୍ଯ୍ୟ, ଏବଂ ପଶୁପାଳନର ଅଧିକାଂଶ କାମ ଆମର ମା' ଏବଂ ଭଉଣୀମାନେ କରନ୍ତି। ସେମାନେ କ୍ଷୀର ଜମା କରିବାକୁ ଯାଆନ୍ତି, ଏବଂ ତା'ପରେ ଗୋଟିଏ ସପ୍ତାହ ପରେ ସେମାନଙ୍କୁ ଟଙ୍କା ଦିଆଯାଏ, କିନ୍ତୁ ଟଙ୍କା ପୁରୁଷମାନଙ୍କୁ ଦିଆଯାଏ। ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେଲି, ମୁଁ କହିଥିଲି ଯେ ମୁଁ ପୁରୁଷମାନଙ୍କୁ ଟଙ୍କା ଦେବି ନାହିଁ। ସେତେବେଳେ, ମୁଁ ଡାଏରୀରେ କ୍ଷୀର ଜମା କରିବାକୁ ଆସୁଥିବା ଭଉଣୀମାନଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲି, ଏବଂ ତା'ପରେ କ୍ଷୀର ପାଇଁ ଟଙ୍କା ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବା ଆରମ୍ଭ କଲା।
ବନ୍ଧୁଗଣ,
ଆଜି ଆମର ଝିଅମାନେ ନୂତନ ବ୍ୟବସାୟରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି। ମୁଦ୍ରା ଯୋଜନାରେ, ୬୦ ପ୍ରତିଶତରୁ ଅଧିକ ଋଣ ମହିଳାମାନେ ନେଇଛନ୍ତି। ମହିଳାମାନେ ମଧ୍ୟ ଦେଶର ଷ୍ଟାର୍ଟଅପ୍ ବିପ୍ଳବର ନେତୃତ୍ୱ ନେଉଛନ୍ତି। ଆଜି ପଞ୍ଜିକୃତ ଷ୍ଟାର୍ଟଅପ୍ ମଧ୍ୟରୁ ୪୨ ପ୍ରତିଶତରୁ ଅଧିକରେ ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ ଅଛନ୍ତି। ମହିଳାଙ୍କ କ୍ୟାରିଅର ପ୍ରଭାବିତ ନହେବା ପାଇଁ ଆମେ ମାତୃତ୍ୱ ଛୁଟିକୁ ୨୬ ସପ୍ତାହକୁ ବୃଦ୍ଧି କରିଛୁ। ବିଶ୍ୱର ଧନୀ ଦେଶଗୁଡ଼ିକରେ ମଧ୍ୟ ଏହା ନାହିଁ। ଯେତେବେଳେ ମୁଁ ସେମାନଙ୍କୁ କୁହେ, ସେମାନଙ୍କର ଆଖି ଆଶ୍ଚର୍ଯ୍ୟରେ ବିସ୍ତାରିତ ହୋଇଯାଏ।
ବନ୍ଧୁଗଣ,
ଆପଣମାନଙ୍କର ମନେ ଥିବ, କିଛି ବର୍ଷ ପୂର୍ବରୁ ଦେଶ 'ସ୍କିଲ୍ ଇଣ୍ଡିଆ ମିଶନ' ଆରମ୍ଭ କରିଥିଲା। ଆମେ ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ। ଆଜି ଆମେ ହଜାର-ହଜାର ଡ୍ରୋନ୍ ଦିଦିଙ୍କ ମାଧ୍ୟମରେ କୃଷି ବିପ୍ଳବ ରୂପରେ ଏହାର ଫଳାଫଳ ଦେଖୁଛୁ। ଥରେ ମୁଁ ଭିଡିଓ କନଫରେନ୍ସରେ ଏହି ଡ୍ରୋନ୍ ଦିଦିଙ୍କ ସହିତ କଥା ହେଉଥିଲି। ସେମାନେ ଗାଁର ଝିଅ, କିଛି ବୋହୂ, ଡ୍ରୋନ୍ ଉଡ଼ାଇ ସେମାନେ ମୋତେ କହିଥିଲେ ଯେ ଏପର୍ଯ୍ୟନ୍ତ ଗାଁରେ କେହି ଆମକୁ କିଛି ଡାକି ନଥିଲେ, ଏବେ ସେମାନେ ଆମକୁ ପାଇଲଟ୍ ବୋଲି ଡାକୁଛନ୍ତି। ଆମର ଗାଁରେ ଆମର ପରିଚୟ ତିଆରି ହୋଇଛି, ଆମେ ପାଇଲଟ୍। ଏହାର ଅର୍ଥ ହେଉଛି ଗୋଟିଏ ଛୋଟ ନିଷ୍ପତ୍ତି, କେତେ ଶୀଘ୍ର ଏତେ ବଡ଼ ପରିବର୍ତ୍ତନ ଆଣିପାରେ । ମହିଳାମାନେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆଧୁନିକ କୃଷି ଶିଖୁଛନ୍ତି। ଆପଣମାନେ ଜାଣି ଖୁସି ହେବେ ଯେ ଗତ ୧୧ ବର୍ଷ ମଧ୍ୟରେ ପ୍ରାୟ ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ସରକାର ଗ୍ରାମୀଣ ଅର୍ଥନୀତିକୁ ଚଲାଉଥିବା୬ କୋଟି ଭଉଣୀଙ୍କୁ ଲଖପତି ଦିଦିରେ ପରିଣତ କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିମଧ୍ୟରୁ ୩ କୋଟିରୁ ଅଧିକ ଗ୍ରାମୀଣ ମହିଳା ଲଖପତି ଦିଦି ହୋଇସାରିଛନ୍ତି। ଏବଂ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କାମ ପାଇଁ ବ୍ୟାଙ୍କରୁ ଟଙ୍କା ମିଳିଥାଏ। ଏବଂ ଆପଣମାନେ ଜାଣି ଖୁସି ହେବେ, ଯଦି ସେମାନଙ୍କୁ ବୁଧବାର ଦିନ ଟଙ୍କା ଜମା କରିବାକୁ ପଡ଼େ, ତେବେ ସେମାନେ ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଦିନ ଜମା କରିଥାନ୍ତି। ଭଉଣୀମାନଙ୍କର ଆଚରଣ ଏପରି ଯେ ସେମାନଙ୍କର କୌଣସି ଏନ୍ ପି ଏ ନାହିଁ, ସମସ୍ତ ଟଙ୍କା ବ୍ୟାଙ୍କରୁ ଯାଇଥାଏ । ଏବଂ ମୁଁ ଦେଖିଛି, ଶାସନରେ ଆସିବା ପରେ, ମୁଁ ବ୍ୟାଙ୍କ ବ୍ୟବସାୟରେ ଗରିବଙ୍କ ଧନୀତ୍ୱ ଏବଂ ଧନୀମାନଙ୍କ ଦାରିଦ୍ର୍ୟ ମଧ୍ୟ ଦେଖିଛି।
କେବଳ ଏତିକି ନୁହେଁ ବନ୍ଧୁଗଣ,
ଆମର ମାଆ ଏବଂ ଭଉଣୀମାନେ - 'ଭୋକାଲ୍ ଫର୍ ଲୋକାଲ'ର ବ୍ରାଣ୍ଡ ଆମ୍ବାସାଡର ହେଉଛନ୍ତି। ଭଉଣୀମାନେ ମହିଳା ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣର ବଡ଼ ସଫଳତା ହେଉଛି ଯେ ଏହା ମହିଳାମାନଙ୍କ ବିଷୟରେ ପୁରୁଣା ଚିନ୍ତାଧାରାକୁ ଆହ୍ବାନ କରିଛି। ଯେତେବେଳେ ଜି- ୨୦ ଶିଖର ସମ୍ମିଳନୀ ଚାଲିଥିଲା, ଆମେ ଅଧ୍ୟକ୍ଷତା କରୁଥିଲୁ, ମୋତେ ବିଶ୍ୱର ଦେଶଗୁଡ଼ିକୁ ବୁଝାଇବାକୁ ପଡିଲା ଯେ ମହିଳା ବିକାଶ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି । ବିଶ୍ୱର ଏକ ବଡ଼ ଅଂଶ ମହିଳା ବିକାଶ ପାଇଁ ସହମତ ହୋଇଥିଲା, କିନ୍ତୁ ମହିଳା ନେତୃତ୍ୱାଧୀନ ବିକାଶ ପାଇଁ ମୋତେ ପ୍ରୟାସ କରିବାକୁ ପଡିଲା, ଏବଂ ଆମେ ସଫଳ ହେଲୁ। ଏହି ଚିନ୍ତାଧାରାର ପରିଣାମ ହେଉଛି ଯେ ଆଜି ମହିଳାମାନେ ସେହି କ୍ଷେତ୍ରଗୁଡ଼ିକରେ ମଧ୍ୟ ଶିଖରରେ ପହଞ୍ଚିଛନ୍ତି ଯେଉଁଠାରେ ପୁରୁଷମାନଙ୍କର ଏକାଧିକ ଅଧିକାର ବୋଲି ବିଚାର କରାଯାଉଥିଲା। ଆଜି ଆମର ଝିଅମାନେ ଫାଇଟର ପାଇଲଟ୍ ହୋଇ ଆକାଶର ଉଚ୍ଚତାକୁ ସ୍ପର୍ଶ କରୁଛନ୍ତି। ଆଜି ଭାରତରେ, ବିଶ୍ୱର ଯେକୌଣସି ଦେଶ ତୁଳନାରେ, ଏହି ସଂଖ୍ୟା ଆପଣଙ୍କୁ ମଧ୍ୟ ଖୁସି କରିବ, ବିଶ୍ୱର ଯେକୌଣସି ଦେଶ ତୁଳନାରେ, ମହିଳା ପାଇଲଟଙ୍କ ପ୍ରତିଶତ ଭାରତରେ ସର୍ବାଧିକ। ଆଜି, ପିଏଚଡିରେ ନାମ ଲେଖାଇଥିବା ଝିଅଙ୍କ ସଂଖ୍ୟା ୨୦୧୪ ତୁଳନାରେ ଦୁଇଗୁଣ ହୋଇଛି। ଉଚ୍ଚଶିକ୍ଷା ଏବଂ ଗବେଷଣାରେ, ପ୍ରାୟ ଅଧା ଅଂଶଗ୍ରହଣ ଆମର ଝିଅମାନଙ୍କର। ଗଣିତ ଏବଂ ବିଜ୍ଞାନ ଅଧ୍ୟୟନରେ, ଏସ୍ ଟି ଇମ୍ ଶିକ୍ଷାରେ, ଝିଅଙ୍କ ସଂଖ୍ୟା ପ୍ରାୟ ୪୩ ପ୍ରତିଶତରେ ପହଞ୍ଚିଛି। ମୁଁ ମନେ ରଖିଛି ଥରେ ମୁଁ ବିଶ୍ୱର ଏକ ଧନୀ ଦେଶକୁ ଯାଇଥିଲି, ସେଠାରେ ଶିକ୍ଷା ମନ୍ତ୍ରୀ ମୋ ସହିତ ଲିଫ୍ଟରେ ଥିଲେ, ସେ ମୋତେ ପଚାରିଲେ ଭାରତରେ ମହିଳା ଶିକ୍ଷା କିପରି? ମୁଁ କହିଲି ବହୁତ ଭଲ, ଅଧିକ, କିଛି ସ୍ଥାନରେ ପୁରୁଷମାନଙ୍କ ଅପେକ୍ଷା ମଧ୍ୟ ଅଧିକ। ତା'ପରେ ସେ ବହୁତ କୌତୁହଳର ସହିତ ପଚାରିଲେ, ଏସ୍ ଟି ଇମ୍ ଶିକ୍ଷାରେ ମହିଳାଙ୍କ ଅଂଶ କେତେ? ମୁଁ କହିଲି ୫୦ ପ୍ରତିଶତ ଅଂଶ ସେମାନଙ୍କର। ତାଙ୍କ ପାଇଁ ଏହା ଥିଲା ଏକ ଆଶ୍ଚର୍ଯ୍ୟଜନକ କଥା। ମୁଁ ବିଶ୍ୱର ଏକ ଧନୀ ଦେଶର ଶିକ୍ଷା ମନ୍ତ୍ରୀଙ୍କ ବିଷୟରେ କହୁଛି।
ବନ୍ଧୁଗଣ,
ଆମ ସମାଜରେ, ମହିଳା ସୁରକ୍ଷା ବିଷୟରେ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ରହିଛି। ଶତାବ୍ଦୀ ଧରି, ମହିଳାମାନଙ୍କୁ ନିଜ ସୁରକ୍ଷା ପାଇଁ ଚୁପ୍ ରହିବାକୁ ପଡୁଥିଲା। ଆମ ସରକାର ଏହି ଦିଗରେ ଦୃଢ଼ ପଦକ୍ଷେପ ନେଇଛନ୍ତି। ନ୍ୟାୟ ବ୍ୟବସ୍ଥାକୁ ଅଧିକ ସମ୍ବେଦନଶୀଳ କରିବା ପାଇଁ, ନିଷ୍ପତ୍ତି ଗ୍ରହଣକୁ ଦ୍ରୁତ କରିବା ପାଇଁ, ଆମେ ଆଇନଗତ ପରିବର୍ତ୍ତନ କରିଛୁ, ଏବଂ ଫାଷ୍ଟ-ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ମଧ୍ୟ ସ୍ଥାପନ କରିଛୁ। ଭାରତୀୟ ନ୍ୟାୟ ସଂହିତାରେ, ମହିଳା ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏଫଆଇଆର ଦାଖଲ କରିବାର ପ୍ରକ୍ରିୟାକୁ ସରଳ କରାଯାଇଛି,ଏବେ ଯେକୌଣସି ସ୍ଥାନରୁ ଇ-ଏଫଆଇଆର କିମ୍ବା ଶୂନ୍ୟ-ଏଫଆଇଆର ଦାଖଲ କରାଯାଇପାରିବ। ଅଡିଓ-ଭିଡିଓ ମାଧ୍ୟମରେ ପୀଡିତାଙ୍କ ବୟାନ ରେକର୍ଡ କରିବା ଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏପରି ଅନେକ ପଦକ୍ଷେପ ଅଛି ଯାହା ମାଧ୍ୟମରେ ଆମେ ଏକ ପ୍ରଗତିଶୀଳ ସମାଜର ଅବଧାରଣାକୁ ସାକାର କରୁଛୁ।
ବନ୍ଧୁଗଣ,
ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ, ପ୍ରତ୍ୟେକ ଚିନ୍ତା, ସୁଖ-ଦୁଃଖରେ, ପ୍ରତ୍ୟେକ ଅବସରରେ, ପ୍ରତ୍ୟେକ ପରିସ୍ଥିତିରେ, ଧ୍ୟାନ ଦେଇ, ଆମ ସରକାର ଅନେକ ଛୋଟ - ବଡ଼ ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିଛନ୍ତି। ଏହାର ଫଳସ୍ୱରୂପ, ଦେଶ ଏବେ ଏହାର ଗଣତନ୍ତ୍ରକୁ ନୂତନ ଶିଖରକୁ ନେଇଯିବା ପାଇଁ ପ୍ରସ୍ତୁତ।
ବନ୍ଧୁଗଣ,
ଦେଶର ନାରୀ ଶକ୍ତି ସେମାନଙ୍କର କଠିନ ପରିଶ୍ରମ, ସାହସ ଏବଂ ଆତ୍ମବିଶ୍ୱାସ ସହିତ ନୂତନ ଶିଖର ଛୁଇଁଛି। ଏବେ ଆମକୁ ମିଳିତ ଭାବରେ ଏହି ଶକ୍ତିକୁ ନୂତନ ଶକ୍ତି ଦେବାକୁ ପଡିବ, ଏଥିପାଇଁ ସୁଯୋଗକୁ ବିସ୍ତାର କରିବାକୁ ପଡିବ। ଆଜି ଏହି ପର୍ଯ୍ୟାୟରୁ ମୁଁ ଦେଶର ପ୍ରତ୍ୟେକ ମା, ଭଉଣୀ, ଝିଅଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ଯେ ଦେଶ ସେମାନଙ୍କର ଆକାଂକ୍ଷାକୁ ବୁଝେ ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେଉଛି।
ବନ୍ଧୁଗଣ,
ସଂସଦରେ ଆଲୋଚନା ପୂର୍ବରୁ, ମୁଁ ଦେଶର ନାରୀ ଶକ୍ତିକୁ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ବଜାୟ ରଖିବାକୁ ମଧ୍ୟ ନିବେଦନ କରୁଛି। ଆପଣମାନେ ମଧ୍ୟ ନିଜ- ନିଜ ଅଞ୍ଚଳର ସାଂସଦମାନଙ୍କୁ ଭେଟିବା ଉଚିତ। ଦେଶର ମହିଳାମାନେ ସେମାନଙ୍କ ସାଂସଦମାନଙ୍କୁ ସେମାନଙ୍କର ପକ୍ଷ ଉପସ୍ଥାପନ କରିବା ଉଚିତ, ସେମାନଙ୍କୁ ସେମାନଙ୍କର ଆଶା କହିବା ଉଚିତ। ଏବଂ ଯେଉଁଦିନ ସେମାନେ ଗୃହକୁ ଆସିବାକୁ ଯିବେ, ସେମାନଙ୍କୁ ଫୁଲ ଏବଂ ମାଳ ଦେଇ ବିଦାୟ ଦିଅନ୍ତୁ। ତେଣୁ ଯେତେବେଳେ ସାଂସଦମାନେ ମା’ ଭଉଣୀମାନଙ୍କ ଆଶୀର୍ବାଦ ନେଇ ବିଦାୟ ନେବେ, ସେତେବେଳେ ସେମାନେ ଅନ୍ୟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଯାହା ଦ୍ୱାରା ମୋର ସାଥୀ ସାଂସଦମାନେ ସଠିକ୍ ନିଷ୍ପତ୍ତି ନିଅନ୍ତି, ମହିଳାଙ୍କ ହିତରେ ନିଷ୍ପତ୍ତି ନିଅନ୍ତି, ସହମତି ସହିତ ନିଷ୍ପତ୍ତି ନିଅନ୍ତି।
ବନ୍ଧୁଗଣ,
ମୋର ଆପଣଙ୍କୁ ଆଉ ଗୋଟିଏ ଅନୁରୋଧ। ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ହେଉଥିବା ଆଲୋଚନାକୁ ଦେଶର ଗାଁ-ଗାଁ ପର୍ଯ୍ୟନ୍ତ ପହଞ୍ଚାନ୍ତୁ। ବ୍ୟକ୍ତିଗତ ବୈଠକ ମାଧ୍ୟମରେ, ସାମାଜିକ ଗଣମାଧ୍ୟମ ମାଧ୍ୟମରେ, ଯୋଗାଯୋଗର ଅନ୍ୟାନ୍ୟ ମାଧ୍ୟମ ଜରିଆରେ , ଆମକୁ ଦେଶର ପ୍ରତ୍ୟେକ ମହିଳାଙ୍କ ନିକଟରେ ଦେଶର ଏହି ବଡ଼ ନିଷ୍ପତ୍ତି ପହଞ୍ଚାଇବାକୁ ପଡିବ। ଆମକୁ ସେମାନଙ୍କୁ ସଚେତନ କରିବାକୁ ପଡିବ, ଯାହା ଦ୍ୱାରା ସେମାନେ ଏହି ବଡ଼ ନିଷ୍ପତ୍ତିର ଶକ୍ତିକୁ ବୁଝିପାରିବେ, ଯାହା ଦ୍ୱାରା ସେମାନେ ସେମାନଙ୍କର ଭୂମିକାକୁ ବୁଝିପାରିବେ, ଏବଂ ଖୋଲାଖୋଲି ସ୍ୱପ୍ନ ଦେଖିପାରିବେ ଯେ ଆଗାମୀ ଦିନରେ, ରାଜ୍ୟଠାରୁ ଦେଶର ସଂସଦ ପର୍ଯ୍ୟନ୍ତ, ସେମାନେ ସେମାନଙ୍କର ଉପସ୍ଥିତିକୁ ଚିହ୍ନିତ କରିପାରିବେ। ଆସନ୍ତୁ, ଆମେ ସମସ୍ତେ ମିଶି ଏହି ସଂକଳ୍ପ ନେବା, ଯେ ମହିଳା ଶକ୍ତିର ଅଧିକାର ରହିବ, ଏବଂ ସେମାନେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମଧ୍ୟ ପୂର୍ଣ୍ଣ ଅଂଶଗ୍ରହଣକାରୀ ହେବେ। ଏହା ଆମର ଉଜ୍ଜ୍ୱଳ ଭବିଷ୍ୟତର ସବୁଠାରୁ ବଡ଼ ଗ୍ୟାରେଣ୍ଟି। ମୁଁ ଏହା ମଧ୍ୟ କହିବି ଯେ ୧୬, ୧୭, ୧୮ ତାରିଖରେ - ଯଦିଓ ଏହା ବାଚସ୍ପତିଙ୍କ ଅଧିକାର - କିନ୍ତୁ ମୁଁ ଚାହିଁବି ଯେ ସେହି ସମୟରେ ପରିଦର୍ଶକ ଗ୍ୟାଲେରୀ କେବଳ ମହିଳାମାନଙ୍କ ଦ୍ୱାରା ପୂରଣ ହେଉ। ସମଗ୍ର ଦେଶରେ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି ହେବ। ଏବଂ ଏହା ଏହି ଦଳ କିମ୍ବା ସେହି ଦଳର ବିଷୟ ରହିବ ନାହିଁ, କିଏ ଜିତିଲା, କିଏ ହାରିଲା, କିଏ କଲା, କାହାରି ନୁହେଁ, ସମସ୍ତ ଶ୍ରେୟ ଦେଶର ମାତୃଶକ୍ତିର , ସମସ୍ତ ଶ୍ରେୟ ଦେଶର ସଂସଦକୁ, ସମସ୍ତ ଶ୍ରେୟ ଭାରତର ସମସ୍ତ ରାଜନୈତିକ ଦଳକୁ, ସମସ୍ତ ଶ୍ରେୟ ସେମାନଙ୍କୁ ଯେଉଁମାନେ ଗତ ୩-୪ ଦଶନ୍ଧି ଧରି ନିରନ୍ତର କାମ କରୁଛନ୍ତି। ଏହା ସମସ୍ତଙ୍କର, ଏହା ସମସ୍ତଙ୍କ ସହଯୋଗରେ, ଏବଂ ଏହା ସମସ୍ତଙ୍କ କଲ୍ୟାଣ ପାଇଁ। ଏହି ବିଶ୍ୱାସ ସହିତ, ଆପଣ ସମସ୍ତେ ଏତେ ସମୟ ବାହାର କଲେ, ଏତେ ଉତ୍ସାହ ଏବଂ ଉଦ୍ଦିପନାର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ଏବଂ ମୁଁ ମୋର କୃତଜ୍ଞତା ପ୍ରକାଶ କରୁଛି।
ଆପଣମାନଙ୍କୁ ବହୁତ- ବହୁତ ଧନ୍ୟବାଦ।
(ରିଲିଜ ଆଡି: 2254743)
ପରିଦର୍ଶକ କାଉଣ୍ଟର : 17
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam