ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ଆୟୋଜିତ ପାରମ୍ପରିକ ଔଷଧ ସମ୍ପର୍କିତ ଦ୍ୱିତୀୟ ଡବ୍ଲ୍ୟୁଏଚ୍‌ଓ ବିଶ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 19 DEC 2025 8:10PM by PIB Bhubaneswar

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ, ଆମର ତୁଳସୀ ଭାଇ ଡକ୍ଟର ଟେଡ୍ରୋସ୍; କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୋର ସହଯୋଗୀ, ଜେ. ପି. ନଡ୍ଡା ମହାଶୟ; ଆୟୁଷ ରାଷ୍ଟ୍ରମନ୍ତ୍ରୀ, ପ୍ରତାପରାଓ ଜାଧବ ମହାଶୟ; ଏହି କାର୍ଯ୍ୟକ୍ରମ ସହିତ ଜଡିତ ଅନ୍ୟ ଦେଶର ମନ୍ତ୍ରୀ; ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ; ସମସ୍ତ ପ୍ରତିଷ୍ଠିତ ପ୍ରତିନିଧିଗଣ; ପାରମ୍ପରିକ ଔଷଧ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମ୍ମାନନୀୟ ବିଶେଷଜ୍ଞ; ମହିଳା ଓ ଭଦ୍ରବ୍ୟକ୍ତିଗଣ!

 

ଆଜି ପାରମ୍ପରିକ ଔଷଧ ସମ୍ପର୍କିତ ଦ୍ୱିତୀୟ ଡବ୍ଲ୍ୟୁଏଚ୍‌ଓ ଗ୍ଲୋବାଲ୍ ଶିଖର ସମ୍ମିଳନୀର ଶେଷ ଦିନଗତ ତିନି ଦିନ ଧରି, ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପାରମ୍ପରିକ ଔଷଧ କ୍ଷେତ୍ର ସହିତ ଜଡିତ ବିଶେଷଜ୍ଞମାନେ ଏଠାରେ ଗଭୀର ଏବଂ ଅର୍ଥପୂର୍ଣ୍ଣ ଆଲୋଚନା କରିଛନ୍ତି। ମୁଁ ଖୁସି ଅନୁଭବ କରୁଛି ଯେ, ଭାରତ ଏଥିପାଇଁ ଏକ ଶକ୍ତିଶାଳୀ ମଞ୍ଚ ଭାବରେ କାର୍ଯ୍ୟ କରୁଛି, ଡବ୍ଲ୍ୟୁଏଚ୍‌ଓ ମଧ୍ୟ ଏକ ସକ୍ରିୟ ଭୂମିକା ଗ୍ରହଣ କରୁଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ମୁଁ ଡବ୍ଲ୍ୟୁଏଚ୍‌ଓ, ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓ ଏଠାରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସହୃଦୟତାର ସହିତ କୃତଜ୍ଞତା ଜଣାଉଛି।

 

ବନ୍ଧୁମାନେ,

ଭାରତ ପାଇଁ ଏହା ଗର୍ବର ବିଷୟ ଯେ, ଡବ୍ଲ୍ୟୁଏଚ୍‌ଓ ଗ୍ଲୋବାଲ୍ ସେଣ୍ଟର୍ ଫର୍ ଟ୍ରାଡିସନାଲ୍ ମେଡିସିନ୍ ଜାମନଗରରେ ସ୍ଥାପିତ ହୋଇଛି। ୨୦୨୨ ମସିହାରେ ପ୍ରଥମ ପାରମ୍ପରିକ ଔଷଧ ସମ୍ମିଳନୀରେ ବିଶ୍ୱ ଆମକୁ ବଡ଼ ଆତ୍ମବିଶ୍ୱାସର ସହିତ ଏହି ଦାୟିତ୍ୱ ପ୍ରଦାନ କରିଥିଲା। ଆମ ସମସ୍ତଙ୍କ ପାଇଁ ଏହା ଖୁସିର ବିଷୟ ଯେ, ଏହି ବିଶ୍ୱସ୍ତରୀୟ କେନ୍ଦ୍ରର ଖ୍ୟାତି ଓ ପ୍ରଭାବ ସ୍ଥାନୀୟ ସ୍ତରରୁ ବିଶ୍ୱ ସ୍ତର ପର୍ଯ୍ୟନ୍ତ ବିସ୍ତାରିତ ହେଉଛି। ଏହି ସମ୍ମିଳନୀର ସଫଳତା ଏହାର ସବୁଠାରୁ ବଡ଼ ଉଦାହରଣ। ଏହି ସମ୍ମିଳନୀରେ ପାରମ୍ପରିକ ଜ୍ଞାନ ଏବଂ ଆଧୁନିକ ପ୍ରୟୋଗର ସମନ୍ୱୟ ଦୃଶ୍ୟମାନ ହେଉଛି। ଦେଖାଯାଉଛି। ଏଠାରେ ଅନେକ ନୂତନ ପଦକ୍ଷେପ ମଧ୍ୟ ଆରମ୍ଭ କରାଯାଇଛି, ଯାହା ଚିକିତ୍ସା ବିଜ୍ଞାନ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟର ଭବିଷ୍ୟତକୁ ପରିବର୍ତ୍ତନ କରିବାର ସମ୍ଭାବନା ରଖେ। ବିଭିନ୍ନ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ମଧ୍ୟ ହୋଇଛି। ଏହି ଆଲୋଚନା ମିଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା, ନିୟମାବଳୀକୁ ସରଳ କରିବା ଏବଂ ତାଲିମ ଓ ଜ୍ଞାନ ବଣ୍ଟନକୁ ବିସ୍ତାର କରିବା ପାଇଁ ନୂତନ ଦ୍ୱାର ଖୋଲିଛି। ଆଗାମୀ ସମୟରେ ପାରମ୍ପରିକ ଔଷଧକୁ ସୁରକ୍ଷିତ ଓ ଅଧିକ ନିର୍ଭରଯୋଗ୍ୟ କରିବାରେ ଏପରି ସହଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

 

ବନ୍ଧୁଗଣ,

ଏହି ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ହାସଲ କରିବା ଆମର ଦୃଢ଼ ସହଭାଗୀତାକୁ ପ୍ରତିଫଳିତ କରୁଛିଗବେଷଣାକୁ ସୁଦୃଢ଼ ​​କରିବା, ପାରମ୍ପରିକ ଔଷଧ କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି କରିବା ଓ ବିଶ୍ୱବ୍ୟାପୀ ବିଶ୍ୱାସଯୋଗ୍ୟ ନିୟାମକ ଢାଞ୍ଚା ବିକଶିତ କରିବା ଭଳି ପ୍ରସଙ୍ଗ ପାରମ୍ପରିକ ଔଷଧକୁ ବହୁଳ ଭାବରେ ସଶକ୍ତ କରିବ। ଏଠାରେ ଆୟୋଜିତ ପ୍ରଦର୍ଶନୀରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଏଆଇ-ଆଧାରିତ ଉପକରଣ, ଗବେଷଣା ନବସୃଜନ ଏବଂ ଆଧୁନିକ ସୁସ୍ଥତା ଢାଞ୍ଚା ମାଧ୍ୟମରେ ଆମେ ପାରମ୍ପରିକତା ଓ ପ୍ରଯୁକ୍ତିର ଏକ ନୂତନ ସମନ୍ୱୟ ମଧ୍ୟ ଦେଖିଛୁ ଯେତେବେଳେ ଏଗୁଡ଼ିକ ଏକାଠି ହୁଏ, ସେତେବେଳେ ବିଶ୍ୱ ସ୍ୱାସ୍ଥ୍ୟକୁ ଅଧିକ ପ୍ରଭାବଶାଳୀ କରିବାର ସମ୍ଭାବନା ଅନେକ ଗୁଣ ବୃଦ୍ଧି ପାଏ। ତେଣୁ, ବିଶ୍ୱ ଦୃଷ୍ଟିକୋଣରୁ ଏହି ଶିଖର ସମ୍ମିଳନୀର ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

 

ବନ୍ଧୁଗଣ,

ଯୋଗ ମଧ୍ୟ ପାରମ୍ପରିକ ଚିକିତ୍ସା ପ୍ରଣାଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯୋଗ ସମଗ୍ର ବିଶ୍ୱକୁ ସ୍ୱାସ୍ଥ୍ୟ, ସନ୍ତୁଳନ ଏବଂ ସମନ୍ୱୟର ପଥ ଦେଖାଇଛି। ଭାରତର ପ୍ରୟାସ ଏବଂ ୧୭୫ ରୁ ଅଧିକ ଦେଶର ସମର୍ଥନରେ ମିଳିତ ଜାତିସଂଘ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରିଥିଲା। ବର୍ଷ ବର୍ଷ ଧରି, ଆମେ ବିଶ୍ୱର ପ୍ରତ୍ୟେକ କୋଣରେ ଯୋଗ ପହଞ୍ଚିବାର ଦେଖିଛୁ। ଯୋଗର ପ୍ରଚାର ଏବଂ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଆଜି, କିଛି ମନୋନୀତ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଏକ କଠୋର ଚୟନ ପ୍ରକ୍ରିୟା ମାଧ୍ୟମରେ ବିଶିଷ୍ଟ ଜୁରିଙ୍କ ଦ୍ୱାରା ପୁରସ୍କାରପ୍ରାପ୍ତମାନଙ୍କୁ ବଛାଯାଇଛି। ଏହି ସମସ୍ତ ପୁରସ୍କାରପ୍ରାପ୍ତମାନେ ଯୋଗ ପ୍ରତି ସମର୍ପଣ, ଶିଷ୍ଟାଚାର ଓ ଜୀବନବ୍ୟାପୀ ପ୍ରତିବଦ୍ଧତାର ପ୍ରତୀକ। ସେମାନଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣା। ମୁଁ ସମସ୍ତ ସମ୍ମାନିତ ପୁରସ୍କାରପ୍ରାପ୍ତଙ୍କୁ ମୋର ସହୃଦୟତାର ସହିତ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।

 

ବନ୍ଧୁଗଣ,

ମୁଁ ଏହା ଜାଣି ଖୁସି ଅନୁଭବ କରୁଛି ଯେ, ଏହି ଶିଖର ସମ୍ମିଳନୀର ଫଳାଫଳର ସ୍ଥାୟୀ ପ୍ରଭାବ ସୁନିଶ୍ଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।  “ଟ୍ରାଡିସନାଲ୍ ମେଡିସିନ୍ ଗ୍ଲୋବାଲ୍ ଲାଇବ୍ରେରୀ” ନାମରେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଆରମ୍ଭ କରାଯାଇଛି, ଯେଉଁଠାରେ ପାରମ୍ପରିକ ଔଷଧ ସହିତ ଜଡିତ ବୈଜ୍ଞାନିକ ତଥ୍ୟ ଏବଂ ନୀତିଗତ ଦସ୍ତାବିଜଗୁଡ଼ିକୁ ଗୋଟିଏ ସ୍ଥାନରେ ସଂରକ୍ଷଣ କରାଯିବଏହାଦ୍ୱାରା ମୂଲ୍ୟବାନ ସୂଚନାଗୁଡ଼ିକୁ ସମସ୍ତ ଦେଶରେ ସମାନ ଭାବରେ ପହଞ୍ଚାଇବାକୁ ସହଜ କରିବ। ଏହି ପାଠାଗାରର ଘୋଷଣା ପ୍ରଥମ ଡବ୍ଲ୍ୟୁଏଚ୍‌ଓ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ କରାଯାଇଥିଲା। ଆଜି, ସେହି ସଂକଳ୍ପ ପୂରଣ ହୋଇଛି।

 

ବନ୍ଧୁଗଣ,

ବିଭିନ୍ନ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ଏଠାରେ ବିଶ୍ୱସ୍ତରୀୟ ସହଭାଗୀତାର ଏକ ଉତ୍କୃଷ୍ଟ ଉଦାହରଣ ଉପସ୍ଥାପନ କରିଛନ୍ତି। ସହଭାଗୀ ଭାବରେ, ଆପଣ ମାନଦଣ୍ଡ, ସୁରକ୍ଷା ଏବଂ ପୁଞ୍ଜିନିବେଶ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରୁ ବାହାରିଥିବା “ଦିଲ୍ଲୀ ଘୋଷଣାନାମା” ଆଗାମୀ ବର୍ଷଗୁଡ଼ିକ ପାଇଁ ଏକ ସାମୁହିକ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ। ମୁଁ ଏହି ମିଳିତ ପ୍ରୟାସ ପାଇଁ ବିଭିନ୍ନ ଦେଶର ମାନନୀୟ ମନ୍ତ୍ରୀମାନଙ୍କୁ ପ୍ରଶଂସା କରୁଛି ଏବଂ ସେମାନଙ୍କ ସହଯୋଗ ପାଇଁ ମୋର କୃତଜ୍ଞତା ପ୍ରକାଶ କରୁଛି।

 

 

 

ବନ୍ଧୁଗଣ,

ଆଜି, ଦିଲ୍ଲୀରେ ଡବ୍ଲ୍ୟୁଏଚ୍‌ଓ ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ରୀୟ କାର୍ଯ୍ୟାଳୟର ଉଦଘାଟନ ମଧ୍ୟ ହୋଇଛି। ଏହା ଭାରତର ଏକ ବିନମ୍ର ଅବଦାନ। ଏହା ଗବେଷଣା, ନିୟନ୍ତ୍ରଣ ଓ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।

 

ବନ୍ଧୁଗଣ,

ଭାରତ ସମଗ୍ର ବିଶ୍ୱରେ ଚିକିତ୍ସା କ୍ଷେତ୍ରରେ ସହଭାଗୀତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ମୁଁ ଆପଣଙ୍କ ସହିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହଯୋଗ ବିଷୟରେ ଅଂଶୀଦାର କରିବାକୁ ଚାହେଁ। ପ୍ରଥମତଃ, ଆମେ ବିମ୍‌ଷ୍ଟେକ୍‌ (BIMSTEC) ଦେଶଗୁଡ଼ିକ ନିମନ୍ତେ, ଅର୍ଥାତ୍ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଆମର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ‘ଉତ୍କର୍ଷତା କେନ୍ଦ୍ର’ ପ୍ରତିଷ୍ଠା କରୁଛୁ। ଦ୍ୱିତୀୟତଃ, ଆମେ ଜାପାନ ସହିତ ଏକ ସହଯୋଗ ଆରମ୍ଭ କରିଛୁ। ଏହି ପ୍ରୟାସ ବିଜ୍ଞାନ, ପାରମ୍ପରିକ ପ୍ରଚଳନ ଏବଂ ସ୍ୱାସ୍ଥ୍ୟସେବାକୁ ଏକତ୍ରିତ କରିବାକୁ ଉଦ୍ଦିଷ୍ଟ

 

ବନ୍ଧୁଗଣ,

ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି "ସନ୍ତୁଳନ ପୁନଃସ୍ଥାପନ: ସ୍ୱାସ୍ଥ୍ୟ ଏବଂ ସୁସ୍ଥତାର ବିଜ୍ଞାନ ଓ ପ୍ରୟୋଗ" ସନ୍ତୁଳନ ପୁନଃସ୍ଥାପନ କରିବା ସର୍ବଦା ସାମଗ୍ରିକ ସ୍ୱାସ୍ଥ୍ୟର ଏକ ମୂଳ ଧାରଣା ହୋଇଆସିଛି। ଉପସ୍ଥିତ ସମସ୍ତ ବିଶେଷଜ୍ଞମାନେ ଏହାକୁ ଭଲ ଭାବରେ ବୁଝନ୍ତି ଯେ, ଆୟୁର୍ବେଦ ସ୍ୱାସ୍ଥ୍ୟର ମୂଳ ସ୍ୱରୂପ ଭାବରେ ସନ୍ତୁଳନକୁ ବର୍ଣ୍ଣନା  କରେ। ଯେଉଁ ବ୍ୟକ୍ତି ମଧ୍ୟରେ ଏହି ସନ୍ତୁଳନ ବଜାୟ ରଖାଯାଏ ସେ ପ୍ରକୃତରେ ସୁସ୍ଥ। ଆଜି, ଆମେ ଦେଖୁଛୁ ଯେ, ଜୀବନଶୈଳୀ ସମ୍ବନ୍ଧୀୟ କାରଣ ତଥା ବିଭିନ୍ନ ଅସନ୍ତୁଳନ ମଧୁମେହ, ହୃଦଘାତ ଓ ଅବସାଦ ଠାରୁ କର୍କଟ ପର୍ଯ୍ୟନ୍ତ ଅଧିକାଂଶ ରୋଗର ପ୍ରମୁଖ ଅନ୍ତର୍ନିହିତ କାରଣ ଭାବରେ ଉଭା ହେଉଛି। କର୍ମମୟ-ଜୀବନରେ ଅସନ୍ତୁଳନ, ଖାଦ୍ୟରେ ଅସନ୍ତୁଳନ, ନିଦ୍ରାରେ ଅସନ୍ତୁଳନ, ଅନ୍ତନଳୀ ମାଇକ୍ରୋବାୟୋମ୍ ଅସନ୍ତୁଳନ, କ୍ୟାଲୋରୀ ଅସନ୍ତୁଳନ ଏବଂ ଭାବପ୍ରବଣ ଅସନ୍ତୁଳନ ଭଳି ଅନେକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଏହି ଅସମତା ଦ୍ୱାରା ଉତ୍ପନ୍ନ ହେଉଛି। ଅନୁସନ୍ଧାନ ଦ୍ୱାରା ଏହା ସ୍ପଷ୍ଟ ଏବଂ ତଥ୍ୟଗୁଡ଼ିକ ଏହାକୁ ସମର୍ଥନ କରେ। ଆପଣମାନେ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବରେ, ଏହି ବାସ୍ତବତାକୁ ବହୁତ ଭଲ ଭାବରେ ବୁଝନ୍ତି। ତଥାପି, ମୁଁ ଏହା ଉଲ୍ଲେଖ କରିବାକୁ ଚାହେଁ ଯେ, ଆଜି ସନ୍ତୁଳନ ପୁନଃସ୍ଥାପନ କେବଳ ଏକ ବିଶ୍ୱସ୍ତରୀୟ ଲକ୍ଷ୍ୟ ନୁହେଁ, ଏହା ଏକ ବିଶ୍ୱସ୍ତରୀୟ ଆବଶ୍ୟକତା ହୋଇପଡ଼ିଛି। ଏହି ସମସ୍ୟାର ସମାଧାନ ପାଇଁ ଆମକୁ ବହୁତ ଅଧିକ ଦ୍ରୁତଗତିରେ ଏବଂ ଦୃଢ଼ ନିଷ୍ପତ୍ତି ସହିତ କାର୍ଯ୍ୟ କରିବାକୁ ପଡିବ।

 

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଏହି ପର୍ଯ୍ୟାୟରେ, ଜୀବନରେ ସନ୍ତୁଳନ ବଜାୟ ରଖିବାର ଚ୍ୟାଲେଞ୍ଜ ଆହୁରି ଜଟିଳ ହେବାକୁ ଯାଉଛି। ଏଆଇ ଏବଂ ରୋବୋଟିକ୍ସ ଦ୍ୱାରା ଚିହ୍ନିତ ଏକ ନୂତନ ପ୍ରଯୁକ୍ତିବିଦ୍ୟା ଯୁଗର ଆଗମନ ସହିତ, ମାନବ ଇତିହାସର ସର୍ବବୃହତ ପରିବର୍ତ୍ତନ ଘଟିବାକୁ ଯାଉଛି। ଆଗାମୀ ବର୍ଷଗୁଡ଼ିକରେ, ଆମର ଜୀବନଯାପନ କରିବାର ଶୈଳୀ ଅଭୂତପୂର୍ବ ଭାବରେ ପରିବର୍ତ୍ତନ ହେବ। ତେଣୁ, ଆମକୁ ସଚେତନ ରହିବାକୁ ପଡିବ ଯେ, ଏପରି ଦ୍ରୁତ ଜୀବନଶୈଳୀ ପରିବର୍ତ୍ତନ ଯେଉଁଠାରେ ସୁବିଧା ବଢ଼ିବ କିନ୍ତୁ ଶାରୀରିକ ପରିଶ୍ରମ କମିବ,ମାନବ ଶରୀର ପାଇଁ ଅନୁମାନ କରିନଥିବା ସମସ୍ୟା ସୃଷ୍ଟି କରିପାରେ। ତେଣୁ, ଆମେ କେବଳ ପାରମ୍ପରିକ ସ୍ୱାସ୍ଥ୍ୟସେବାରେ ବର୍ତ୍ତମାନର ଆବଶ୍ୟକତା ଉପରେ ଧ୍ୟାନ ଦେବା ଉଚିତ୍ ନୁହେଁ; ଭବିଷ୍ୟତ ପ୍ରତି ମଧ୍ୟ ଆମର ଉତ୍ତରଦାୟିତ୍ୱ ରହିଛି।

 

ବନ୍ଧୁଗଣ,

ଯେତେବେଳେ ପାରମ୍ପରିକ ଔଷଧ ବିଷୟରେ ଆଲୋଚନା କରାଯାଏ, ସୁରକ୍ଷା ଓ ବୈଜ୍ଞାନିକ ବୈଧତା ସମ୍ପର୍କରେ ଏକ ସ୍ୱାଭାବିକ ପ୍ରଶ୍ନ ଉଠେ। ଭାରତ ମଧ୍ୟ ଏହି ଦିଗରେ ନିରନ୍ତର ଭାବରେ କାମ କରୁଛି। ଆପଣମାନେ ସମସ୍ତେ ଏହି ଶିଖର ସମ୍ମିଳନୀରେ ଅଶ୍ୱଗନ୍ଧାର ଉଦାହରଣ ଦେଖିଛନ୍ତି। ଏହା ଶତାବ୍ଦୀଧରି ଆମ ପାରମ୍ପରିକ ଚିକିତ୍ସା ପ୍ରଣାଳୀରେ ବ୍ୟବହୃତ ହୋଇଆସୁଛି। କୋଭିଡ୍‌-୧୯ ମହାମାରୀ ସମୟରେ ଏହାର ଚାହିଦା ବିଶ୍ୱସ୍ତରରେ ବୃଦ୍ଧି ପାଇଥିଲା ଏବଂ ଅନେକ ଦେଶରେ ଏହା ବ୍ୟବହୃତ ହେବା ଆରମ୍ଭ ହୋଇଥିଲା। ଭାରତ କଠୋର ଗବେଷଣା ଏବଂ ପ୍ରମାଣଭିତ୍ତିକ ପ୍ରମାଣିକତା ମାଧ୍ୟମରେ ବିଶ୍ୱସନୀୟ ଓ ବୈଜ୍ଞାନିକ ଉପାୟରେ ଅଶ୍ୱଗନ୍ଧାକୁ ଆଗକୁ ବଢ଼ାଉଛି। ଏହି ଶିଖର ସମ୍ମିଳନୀରେ ଅଶ୍ୱଗନ୍ଧା ଉପରେ ଏକ ବିଶେଷ ବିଶ୍ୱସ୍ତରୀୟ ଆଲୋଚନା ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଏହାର ସୁରକ୍ଷା, ଗୁଣବତ୍ତା ଏବଂ ପ୍ରୟୋଗ ଉପରେ ଗଭୀର ଆଲୋଚନା କରିଥିଲେ। ଭାରତ ଏହି ପ୍ରକାରର ସମୟ-ପରୀକ୍ଷିତ ଔଷଧଗୁଡ଼ିକୁ ବିଶ୍ୱସ୍ତରୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ଢାଞ୍ଚାରେ ସମନ୍ୱିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

 

ବନ୍ଧୁଗଣ,

ପୂର୍ବରୁ ଏକ ଧାରଣା ଥିଲା ଯେ, ପାରମ୍ପରିକ ଔଷଧ କେବଳ ସୁସ୍ଥତା କିମ୍ବା ଜୀବନଶୈଳୀ ପରିଚାଳନା ପର୍ଯ୍ୟନ୍ତ ସୀମିତ କିନ୍ତୁ ଏବେ ସେହି ଧାରଣା ଦ୍ରୁତ ଭାବେ ପରିବର୍ତ୍ତିତ ହେଉଛି। ପାରମ୍ପରିକ ଔଷଧ ଜଟିଳ ପରିସ୍ଥିତିରେ ମଧ୍ୟ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରିବ। ଏହି ଦୃଷ୍ଟିକୋଣ ସହିତ, ଭାରତ ଏହି କ୍ଷେତ୍ରରେ ଆଗକୁ ବଢ଼ୁଛି। ମୁଁ ଖୁସି ଅନୁଭବ କରୁଛି ଯେ, ଆୟୁଷ ମନ୍ତ୍ରଣାଳୟ ଏବଂ ଡବ୍ଲ୍ୟୁଏଚ୍‌ଓ ଗ୍ଲୋବାଲ୍ ସେଣ୍ଟର ଫର ଟ୍ରାଡିସନାଲ୍ ମେଡିସିନ୍ ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। ସେମାନେ ମିଶି ଭାରତରେ ସମନ୍ୱିତ କର୍କଟ ଚିକିତ୍ସା ପ୍ରଣାଳୀକୁ ଶକ୍ତିଶାଳୀ ​​କରିବା ପାଇଁ ଏକ ମିଳିତ ପ୍ରୟାସ କରୁଛନ୍ତି। ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାକୁ ଆଧୁନିକ କର୍କଟ ଚିକିତ୍ସା ସହିତ ମିଶ୍ରଣ କରିବା ଏବଂ ପ୍ରମାଣ-ଆଧାରିତ ନିର୍ଦ୍ଦେଶାବଳୀ ବିକାଶ କରିବାରେ ସାହାଯ୍ୟ କରିବା ଏହି ପ୍ରୟାସର ପ୍ରମୁଖ ଉଦ୍ଦେଶ୍ୟ। ଭାରତରେ ଅନେକ ଅଗ୍ରଣୀ ପ୍ରତିଷ୍ଠାନ ରକ୍ତହୀନତା, ଆର୍ଥରାଇଟିସ୍ ଏବଂ ମଧୁମେହ ସମେତ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପରେ କ୍ଲିନିକାଲ୍ ଅଧ୍ୟୟନ କରୁଛନ୍ତି। ଭାରତରେ ଏହି କ୍ଷେତ୍ରରେ ଅନେକ ଷ୍ଟାର୍ଟ-ଅପ୍ ମଧ୍ୟ ଉଭା ହେଉଛି। ଯୁବଶକ୍ତି ପ୍ରାଚୀନ ପାରମ୍ପରିକତା ସହିତ ସଂଯୋଗ ହେଉଛି। ଏହି ସମସ୍ତ ପ୍ରୟାସ ମାଧ୍ୟମରେ ପାରମ୍ପରିକ ଔଷଧ ସ୍ପଷ୍ଟ ଭାବରେ ଏକ ନୂତନ ଏବଂ ଉଚ୍ଚ ସ୍ତର ଆଡକୁ ଅଗ୍ରଗତି କରୁଛି।

 

ବନ୍ଧୁଗଣ,

ଆଜି, ପାରମ୍ପରିକ ଔଷଧ ଏକ ନିର୍ଣ୍ଣାୟକ ମୋଡ଼ରେ ଦଣ୍ଡାୟମାନ। ବିଶ୍ୱ ଜନସଂଖ୍ୟାର ଏକ ବୃହତ୍‌ ଅଂଶ ଦୀର୍ଘ ସମୟ ଧରି ଏହା ଉପରେ ନିର୍ଭର କରିଆସୁଛନ୍ତି। ତଥାପି, ଏହାର ବିପୁଳ ସମ୍ଭାବନା ସତ୍ତ୍ୱେ,ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ଯଥୋଚିତ ସ୍ୱୀକୃତି ମିଳିନାହିଁ। ତେଣୁ, ଆମେ ବିଜ୍ଞାନ ମାଧ୍ୟମରେ ବିଶ୍ୱାସ ଅର୍ଜନ କରିବା ଆବଶ୍ୟକ। ଆମକୁ ଏହାର ପରିସରକୁ ଆହୁରି ବିସ୍ତାର କରିବାକୁ ପଡିବ। ଏହି ଦାୟିତ୍ୱ କେବଳ କୌଣସି ଗୋଟିଏ ଦେଶର ନୁହେଁ; ଏହା ଆମ ସମସ୍ତଙ୍କର ଏକ ମିଳିତ କର୍ତ୍ତବ୍ୟ। ଏହି ଶିଖର ସମ୍ମିଳନୀରେ ଗତ ତିନି ଦିନ ଧରି ଦେଖାଯାଇଥିବା ଅଂଶଗ୍ରହଣ, ଆଲୋଚନା ଏବଂ ପ୍ରତିବଦ୍ଧତା ଏହି ବିଶ୍ୱାସକୁ ଆହୁରି ଶକ୍ତିଶାଳୀ କରିଛି ଯେ, ବିଶ୍ୱ ଏହି ଦିଗରେ ଏକାଠି ଆଗକୁ ବଢ଼ିବାକୁ ପ୍ରସ୍ତୁତ। ଆସନ୍ତୁ ଆମେ ପ୍ରତିଜ୍ଞା କରିବା ଯେ, ଆମେ ମିଳିତ ଭାବରେ ବିଶ୍ୱାସ, ସମ୍ମାନ ଏବଂ ଦାୟିତ୍ୱ ସହିତ ପାରମ୍ପରିକ ଔଷଧକୁ ଆଗକୁ ବଢ଼ାଇବୁ। ପୁଣିଥରେ, ମୁଁ ଏହି ଶିଖର ସମ୍ମିଳନୀରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ସହୃଦୟତାର ସହିତ ଅଭିନନ୍ଦନ ଜଣାଉଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

*****

MT

 

 


(ରିଲିଜ ଆଡି: 2245578) ପରିଦର୍ଶକ କାଉଣ୍ଟର : 21