ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କେରଳର ଆର୍ଯ୍ୟ ବୈଦ୍ୟ ଶାଳା ଚାରିଟେବଲ୍ ହସ୍ପିଟାଲର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 28 JAN 2026 2:39PM by PIB Bhubaneshwar

 

 

ନମସ୍କାରମ୍!

କେରଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର, ଆର୍ଯ୍ୟ ବୈଦ୍ୟ ଶାଳା ସହିତ ଜଡିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଓ ଭଦ୍ରବ୍ୟକ୍ତିମାନେ,

 

ଆଜିର ଏହି ଗରିମାମୟ ଅବସରରେ, ଆପଣମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା ମୋ ପାଇଁ ଅତ୍ୟନ୍ତ ଆନନ୍ଦର  ବିଷୟ। ଆର୍ଯ୍ୟ ବୈଦ୍ୟ ଶାଳା ଆୟୁର୍ବେଦର ସଂରକ୍ଷଣ, ସୁରକ୍ଷା ଏବଂ ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହାର ୧୨୫ ବର୍ଷର ଯାତ୍ରାରେ, ଏହି ଅନୁଷ୍ଠାନ ଆୟୁର୍ବେଦକୁ ଏକ ସଶକ୍ତ ଚିକିତ୍ସା ପ୍ରଣାଳୀ ଭାବରେ ପ୍ରତିଷ୍ଠିତ କରିଛି। ଆଜିର ଏହି ଅବସରରେ, ମୁଁ ଆର୍ଯ୍ୟ ବୈଦ୍ୟ ଶାଳାର ପ୍ରତିଷ୍ଠାତା ବୈଦ୍ୟରତ୍ନମ୍ ପି.ଏସ୍. ବାରିୟରଙ୍କ ଅବଦାନକୁ ସ୍ମରଣ କରୁଛି। ଆୟୁର୍ବେଦ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ଓ ଲୋକକଳ୍ୟାଣ ପ୍ରତି  ତାଙ୍କର ଅତୁଟ ସମର୍ପଣ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଆସୁଛି।

 

ବନ୍ଧୁଗଣ,

କେରଳର ଆର୍ଯ୍ୟ ବୈଦ୍ୟ ଶାଳା ହେଉଛି ସେହି ଭାରତୀୟ ଚିକିତ୍ସା ପରମ୍ପରାର ଏକ ଜୀବନ୍ତ ପ୍ରତୀକ, ଯାହା ଶତାବ୍ଦୀ ଧରି ମାନବଜାତିର ସେବା କରିଆସୁଛି। ଭାରତରେ, ଆୟୁର୍ବେଦ କେବଳ କୌଣସି ଗୋଟିଏ ସମୟ କିମ୍ବା କୌଣସି ଗୋଟିଏ ଅଞ୍ଚଳରେ ସୀମିତ ହୋଇ ରହିନାହିଁ। ପ୍ରତ୍ୟେକ ଯୁଗରେ, ଏହି ପ୍ରାଚୀନ ଚିକିତ୍ସା ପ୍ରଣାଳୀ ଜୀବନକୁ ବୁଝିବା, ସନ୍ତୁଳନ ସୃଷ୍ଟି କରିବା ଓ ପ୍ରକୃତି ସହିତ ସମନ୍ୱୟ ସ୍ଥାପନ କରିବାର ପଥ ଦେଖାଇଛି। ଆଜି, ଆର୍ଯ୍ୟ ବୈଦ୍ୟ ଶାଳା ୬୦୦ ରୁ ଅଧିକ ଆୟୁର୍ବେଦିକ ଔଷଧ ଉତ୍ପାଦନ କରୁଛି। ଦେଶର ବିଭିନ୍ନ ଅଞ୍ଚଳରେ ଥିବା ଏହି ସଂସ୍ଥାର ହସ୍ପିଟାଲଗୁଡ଼ିକ ଆୟୁର୍ବେଦିକ ପଦ୍ଧତିରେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି, ଯେଉଁଥିରେ ବିଶ୍ୱର ୬୦ ରୁ ଅଧିକ ଦେଶର ରୋଗୀମାନେ ମଧ୍ୟ ଅନ୍ତର୍ଭୁକ୍ତ। ଆର୍ଯ୍ୟ ବୈଦ୍ୟ ଶାଳା ଏହାର କାର୍ଯ୍ୟ ମାଧ୍ୟମରେ ଏହି ଆସ୍ଥା ସୃଷ୍ଟି କରିପାରିଛି। ଯେତେବେଳେ ଲୋକମାନେ ସଙ୍କଟରେ ପଡିଥାଆନ୍ତି, ଆପଣମାନେ ସେମାନଙ୍କ ପାଇଁ ବଡ଼ ଆଶାର କେନ୍ଦ୍ର ହୋଇଉଠନ୍ତି।

 

ବନ୍ଧୁଗଣ,

ଆର୍ଯ୍ୟ ବୈଦ୍ୟ ଶାଳା ପାଇଁ, ସେବା କେବଳ ଏକ ଧାରଣା ନୁହେଁ; ଏହି ଭାବନା ସେମାନଙ୍କ କାର୍ଯ୍ୟ, ଆଭିମୁଖ୍ୟ ଓ ଅନୁଷ୍ଠାନଗୁଡ଼ିକରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଅନୁଷ୍ଠାନର ଚାରିଟେବଲ୍ ହସ୍ପିଟାଲ ଗତ ୧୦୦ ବର୍ଷ ଧରି ନିରନ୍ତର ଭାବରେ ଲୋକଙ୍କ ସେବାରେ ନିୟୋଜିତ ରହିଛି - ୧୦୦ ବର୍ଷ କୌଣସି ଛୋଟ ସମୟ ନୁହେଁ। ଏଥିରେ ହସ୍ପିଟାଲ୍ ସହ ସଂପୃକ୍ତ ସମସ୍ତ ଲୋକଙ୍କର ଅବଦାନ ରହିଛି। ମୁଁ ବୈଦ୍ୟ, ଡାକ୍ତର, ନର୍ସିଂ କର୍ମଚାରୀ ଓ ହସ୍ପିଟାଲର ଅନ୍ୟ ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଉଛି। ଚାରିଟେବଲ୍ ହସ୍ପିଟାଲର ୧୨୫ ବର୍ଷର ଯାତ୍ରା ସମାପ୍ତ କରିଥିବାରୁ ଆପଣମାନେ ସମସ୍ତେ ଅଭିନନ୍ଦନର ଯୋଗ୍ୟ। କେରଳର ଲୋକମାନେ ଶତାବ୍ଦୀ ଧରି ଯେଉଁ ଆୟୁର୍ବେଦ ପରମ୍ପରାକୁ ବଜାୟ ରଖିଛନ୍ତି, ଆପଣମାନେ ସେହି ପରମ୍ପରାଗୁଡ଼ିକୁ ମଧ୍ୟ ସଂରକ୍ଷଣ କରୁଛନ୍ତି ଓ ସେଥିରେ ନୂତନ ପ୍ରାଣ ସଞ୍ଚାର କରୁଛନ୍ତି।

 

ବନ୍ଧୁଗଣ,

ଦେଶରେ ଦୀର୍ଘ ସମୟ ଧରି ପ୍ରାଚୀନ ଚିକିତ୍ସା ପ୍ରଣାଳୀଗୁଡ଼ିକୁ ଅଲଗା ଅଲଗା ଭାବେ ଦେଖାଯାଉଥିଲା। ଗତ ୧୦-୧୧ ବର୍ଷ ମଧ୍ୟରେ, ଏହି ଦୃଷ୍ଟିକୋଣରେ ଏକ ବଡ଼ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ସେବାକୁ ଏକ ସର୍ବାଙ୍ଗୀନ ଦୃଷ୍ଟିକୋଣରୁ ଦେଖାଯାଉଛି। ଆୟୁର୍ବେଦ, ୟୁନାନୀ, ହୋମିଓପାଥି, ସିଦ୍ଧ ଏବଂ ଯୋଗ - ଆମେ ଏସବୁକୁ ଗୋଟିଏ ଛତା ତଳକୁ ଆଣିଛୁ ଏବଂ ଏଥିପାଇଁ, ଆୟୁଷ ମନ୍ତ୍ରଣାଳୟକୁ ସ୍ୱତନ୍ତ୍ର ଭାବରେ ସ୍ଥାପନ କରାଯାଇଛି। ଆମେ ନିବାରଣାତ୍ମକ ସ୍ୱାସ୍ଥ୍ୟସେବା ଉପରେ ନିରନ୍ତର ଗୁରୁତ୍ୱ ଦେଇଆସୁଛୁ। ଏହି ଚିନ୍ତାଧାରା ସହିତ, ଜାତୀୟ ଆୟୁଷ ମିଶନ ଆରମ୍ଭ କରାଯାଇଥିଲା। ୧୨ ହଜାରରୁ ଅଧିକ ଆୟୁଷ ସୁସ୍ଥତା କେନ୍ଦ୍ର ଖୋଲାଯାଇଥିଲା। ଏହି କେନ୍ଦ୍ରଗୁଡ଼ିକରେ, ଯୋଗ, ନିବାରଣାତ୍ମକ ଚିକିତ୍ସା, ସାମୁଦାୟିକ ସ୍ୱାସ୍ଥ୍ୟ ସେବା - ଆଦି ଯୋଗାଇ ଦିଆଯାଉଛି। ଆମେ ଦେଶର ଅନ୍ୟ ଡାକ୍ତରଖାନାଗୁଡ଼ିକୁ ମଧ୍ୟ ଆୟୁଷ ସେବା ସହିତ ଯୋଡ଼ିଛୁ ଏବଂ ଆୟୁଷ ଔଷଧର ନିୟମିତ ଯୋଗାଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ। ଏହାର ଉଦ୍ଦେଶ୍ୟ ସ୍ପଷ୍ଟ: ଭାରତର ପାରମ୍ପରିକ ଚିକିତ୍ସା ଜ୍ଞାନର ଲାଭ ଦେଶର ପ୍ରତ୍ୟେକ କୋଣରେ ଥିବା ଲୋକଙ୍କ ପାଖରେ ପହଞ୍ଚୁ।

 

ବନ୍ଧୁଗଣ,

ସରକାରଙ୍କ ନୀତିର ସ୍ପଷ୍ଟ ପ୍ରଭାବ ଆୟୁଷ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଆୟୁଷ ଉତ୍ପାଦନ କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ିଛି ଏବଂ ବିସ୍ତାରିତ ହୋଇଛି। ଭାରତୀୟ ପାରମ୍ପରିକ ସୁସ୍ଥତା ପ୍ରଣାଳୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା ପାଇଁ, ସରକାର ଆୟୁଷ ରପ୍ତାନୀ ପ୍ରୋତ୍ସାହନ ପରିଷଦ ସ୍ଥାପନ କରିଛନ୍ତି। ଆମର ପ୍ରୟାସ ହେଉଛି, ଆୟୁଷ ଉତ୍ପାଦ ଓ ସେବାଗୁଡ଼ିକୁ ଅନ୍ତର୍ଜାତୀୟ ବଜାରରେ ପ୍ରୋତ୍ସାହିତ କରିବା। ଏହାର ଏକ ଅତ୍ୟନ୍ତ ସକାରାତ୍ମକ ପ୍ରଭାବ ମଧ୍ୟ ଆମେ ଦେଖୁଛୁ। ୨୦୧୪ ମସିହାରେ, ଭାରତରୁ ପ୍ରାୟ ୩ ହଜାର କୋଟି ଟଙ୍କା ମୂଲ୍ୟର ଆୟୁଷ ଓ ହର୍ବାଲ୍ ଉତ୍ପାଦ ରପ୍ତାନୀ କରାଯାଉଥିଲା। କିନ୍ତୁ ବର୍ତ୍ତମାନ, ଭାରତରୁ ୬୫୦୦କୋଟି ଟଙ୍କା ମୂଲ୍ୟର ଆୟୁଷ ଓ ହର୍ବାଲ୍ ଉତ୍ପାଦ ରପ୍ତାନୀ ହେବା ଆରମ୍ଭ ହୋଇଛି। ଏହା ଦେଶର ଚାଷୀମାନଙ୍କୁ ମଧ୍ୟ ଏକ ବହୁତ ବଡ଼ ଲାଭ ପ୍ରଦାନ କରୁଛି।

 

ବନ୍ଧୁଗଣ,

ଆଜି ଭାରତ ଆୟୁଷ-ଆଧାରିତ ମେଡିକାଲ୍ ଭ୍ୟାଲ୍ୟୁ ଟ୍ରାଭେଲ୍ ପାଇଁ ଏକ ନିର୍ଭରଯୋଗ୍ୟ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେଉଛି। ତେଣୁ, ଆମେ ଆୟୁଷ ଭିସା ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରିଛୁ। ଏହା ମାଧ୍ୟମରେ ବିଦେଶରୁ ଆସୁଥିବା ଲୋକମାନେ ଆୟୁଷ ଚିକିତ୍ସା ପାଇଁ ଉତ୍ତମ ସୁବିଧା ପାଉଛନ୍ତି।

 

ବନ୍ଧୁଗଣ,

ଆୟୁର୍ବେଦ ଭଳି ଏକ ପ୍ରାଚୀନ ଚିକିତ୍ସା ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ, ସରକାର ପ୍ରତ୍ୟେକ ବଡ଼ ମଞ୍ଚରେ ଗର୍ବର ସହିତ ଏହାକୁ ଆଗକୁ ନେଉଛନ୍ତି। ବ୍ରିକ୍ସ ଦେଶମାନଙ୍କର ଶିଖର ସମ୍ମିଳନୀ ହେଉ କିମ୍ବା ଜି-୨୦ ଦେଶଗୁଡ଼ିକର ବୈଠକ, ଯେଉଁଠାରେ ସୁଯୋଗ ମିଳିଛି, ମୁଁ ଆୟୁର୍ବେଦକୁ ସାମଗ୍ରିକ ସ୍ୱାସ୍ଥ୍ୟର ମାଧ୍ୟମ ଭାବରେ ଉପସ୍ଥାପନ କରିଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଗ୍ଲୋବାଲ ପାରମ୍ପରିକ ଔଷଧ କେନ୍ଦ୍ର ମଧ୍ୟ ଗୁଜରାଟର ଜାମନଗରରେ ପ୍ରତିଷ୍ଠିତ ହେଉଛି। ସେହି ଜାମନଗରରେ ହିଁ, ଆୟୁର୍ବେଦରେ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ କାମ କରିବା ଆରମ୍ଭ କରିଛି। ଆୟୁର୍ବେଦିକ ଔଷଧର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ, ଗଙ୍ଗା ନଦୀ କୂଳରେ ଔଷଧୀୟ କୃଷିକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି।

 

ବନ୍ଧୁଗଣ,

ଆଜି ମୁଁ ଦେଶର ଆଉ ଏକ ସଫଳତା ଆପଣମାନଙ୍କ ସହିତ ବାଣ୍ଟିବାକୁ ଚାହୁଁଛି। ଆପଣମାନେ ସମସ୍ତେ ଜାଣନ୍ତି ଯେ, ଏବେ ୟୁରୋପୀୟ ସଂଘ ସହିତ ଏକ ବାଣିଜ୍ୟ ଚୁକ୍ତି ଘୋଷଣା କରାଯାଇଛି। ମୁଁ ଆପଣଙ୍କୁ ଏହା ଜଣାଇ ଆନନ୍ଦ ଅନୁଭବ କରୁଛି ଯେ, ଏହି ବାଣିଜ୍ୟ ଚୁକ୍ତିନାମା ଭାରତୀୟ ପାରମ୍ପରିକ ଚିକିତ୍ସା ସେବା ଓ ଅଭ୍ୟାସକାରୀଙ୍କୁ ଏକ ବଡ଼ ପ୍ରୋତ୍ସାହନ ଦେବ। ଯେଉଁ ୟୁରୋପିୟନ୍‌ ୟୁନିୟନ୍‌ ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ନିୟମାବଳୀ ଉପଲବ୍ଧ ନାହିଁ, ସେଠାରେ ଆମର ଆୟୁଷ ଚିକିତ୍ସକମାନେ ଭାରତରୁ ପ୍ରାପ୍ତ ସେମାନଙ୍କର ବୃତ୍ତିଗତ ଯୋଗ୍ୟତା ଆଧାରରେ ସେମାନଙ୍କର ସେବା ପ୍ରଦାନ କରିପାରିବେ। ଏହା ଆୟୁର୍ବେଦ ଓ ଯୋଗ ସହିତ ଜଡିତ ଆମର ଯୁବପିଢ଼ି ପାଇଁ ବହୁତ ଲାଭଦାୟକ ହେବ। ଏହି ଚୁକ୍ତିନାମା ୟୁରୋପରେ ଆୟୁଷ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିବାରେ ମଧ୍ୟ ସାହାଯ୍ୟ କରିବ। ଏହି ଚୁକ୍ତିନାମା ପାଇଁ ମୁଁ ଆୟୁର୍ବେଦ-ଆୟୁଷ ସହିତ ଜଡିତ ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

ଆୟୁର୍ବେଦ ମାଧ୍ୟମରେ, ଭାରତରେ ଶତାବ୍ଦୀଧରି ଚିକିତ୍ସା କାର୍ଯ୍ୟ ଚାଲିଆସୁଛି। କିନ୍ତୁ ଏହା ମଧ୍ୟ ଏକ ଦୁର୍ଭାଗ୍ୟ ଯେ, ଆମକୁ ଦେଶରେ ଓ ବିଶେଷକରି ବିଦେଶରେ ଲୋକଙ୍କୁ ଆୟୁର୍ବେଦର ଗୁରୁତ୍ୱ ବୁଝାଇବାକୁ ପଡ଼ୁଛି। ଏହାର ଏକ ବଡ଼ କାରଣ ହେଉଛି ପ୍ରମାଣ-ଆଧାରିତ ଗବେଷଣାର ଅଭାବ ଓ ଗବେଷଣା ପତ୍ରର ଅଭାବ। ଯେତେବେଳେ ଆୟୁର୍ବେଦ ପ୍ରଣାଳୀକୁ ବୈଜ୍ଞାନିକ ସିଦ୍ଧାନ୍ତର ଆଧାରରେ ପରୀକ୍ଷା କରାଯାଏ, ସେତେବେଳେ ଲୋକମାନଙ୍କର ଆସ୍ଥା ଆହୁରି ଦୃଢ଼ ହୁଏ। ସେଥିପାଇଁ ମୋତେ ଖୁସି ଲାଗୁଛି ଯେ, ଆର୍ଯ୍ୟ ବୈଦ୍ୟ ଶାଳା ନିରନ୍ତର ଭାବେ ବିଜ୍ଞାନ ଓ ଗବେଷଣାର ମାପଦଣ୍ଡରେ ଆୟୁର୍ବେଦକୁ ପରୀକ୍ଷା କରୁଛି। ଏହା ସିଏସ୍‌ଆଇଆର ଏବଂ ଆଇ.ଆଇ.ଟି ଭଳି ପ୍ରତିଷ୍ଠାନ ସହିତ ମିଳିତ ଭାବେ କାମ କରୁଛି। ଆପଣଙ୍କର ଗୁରୁତ୍ୱ ଡ୍ରଗ୍‌ ଗବେଷଣା, କ୍ଲିନିକାଲ୍ ଗବେଷଣା ଓ କର୍କଟ ଚିକିତ୍ସା ଉପରେ ମଧ୍ୟ ରହିଛି। ଆୟୁଷ ମନ୍ତ୍ରଣାଳୟର ସହଯୋଗରେ କର୍କଟ ଗବେଷଣା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

 

ବନ୍ଧୁଗଣ,

ବର୍ତ୍ତମାନ ଆମକୁ ପରିବର୍ତ୍ତନଶୀଳ ସମୟ ଅନୁସାରେ ଆୟୁର୍ବେଦରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ଶକ୍ତିର ବ୍ୟବହାର ମଧ୍ୟ ବୃଦ୍ଧି କରିବା ଉଚିତ। ରୋଗର ସମ୍ଭାବନା ଖୋଜିବା ଓ ବିଭିନ୍ନ ପଦ୍ଧତି ମାଧ୍ୟମରେ ଚିକିତ୍ସା ପାଇଁ, ଅନେକ କିଛି ଅଭିନବ କରାଯାଇପାରିବ।

 

ବନ୍ଧୁଗଣ,

ଆର୍ଯ୍ୟ ବୈଦ୍ୟ ଶାଳା ପ୍ରମାଣ କରିଛି ଯେ, ପାରମ୍ପରିକତା ଓ ଆଧୁନିକତା ସହଯାତ୍ରୀ ହୋଇପାରେ ଏବଂ ସ୍ୱାସ୍ଥ୍ୟ ସେବା ଲୋକଙ୍କ ଜୀବନରେ ବିଶ୍ୱାସର ଆଧାର ହୋଇପାରେ। ଆୟୁର୍ବେଦର ପୁରାତନ ଧାରଣାକୁ ବଜାୟ ରଖି, ଏହି ଅନୁଷ୍ଠାନ ଆଧୁନିକ ଆବଶ୍ୟକତାକୁ ମଧ୍ୟ ଗ୍ରହଣ କରିଛି। ଚିକିତ୍ସା ପ୍ରଣାଳୀକୁ ସୁସଂଗଠିତ କରାଯାଇଛି ଏବଂ ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଇଛି। ଏହି ପ୍ରେରଣାଦାୟକ ଯାତ୍ରା ପାଇଁ ମୁଁ ଆର୍ଯ୍ୟ ବୈଦ୍ୟ ଶାଳାକୁ ପୁଣି ଥରେ ଅଭିନନ୍ଦନ ଜଣାଉଛି। ମୋର କାମନା ଯେ, ଏହି ଅନୁଷ୍ଠାନ ଆଗାମୀ ବର୍ଷଗୁଡ଼ିକରେ ଏହି ସମାନ ସମର୍ପଣ ଓ ସେବା ମନୋଭାବ ସହିତ ଲୋକଙ୍କ ଜୀବନକୁ ଉନ୍ନତ କରିଚାଲିବ। ଅନେକ, ଅନେକ ଧନ୍ୟବାଦ।

 

ନମସ୍କାରମ୍।

** ***

MT


(ରିଲିଜ ଆଡି: 2232577) ପରିଦର୍ଶକ କାଉଣ୍ଟର : 21