ଅର୍ଥ ମନ୍ତ୍ରଣାଳୟ
୭ଟି ରଣନୈତିକ ଓ ଭବିଷ୍ୟତ କ୍ଷେତ୍ରର ଉତ୍ପାଦନ ବୃଦ୍ଧି ଉପରେ କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଗୁରୁତ୍ବ
ପୋଷ୍ଟ କରାଯିବା ଦିନାଙ୍କ:
01 FEB 2026 1:05PM by PIB Bhubaneshwar
- ଭାରତକୁ ଏକ ବିଶ୍ୱ ବାୟୋଫାର୍ମା ଉତ୍ପାଦନ ହବ୍ ଭାବରେ ବିକଶିତ କରିବା ପାଇଁ, ବଜେଟରେ ୧୦,୦୦୦ କୋଟିର ବ୍ୟୟବରାଦ ସହ ‘ବାୟୋଫାର୍ମା ଶକ୍ତି’ର ପ୍ରସ୍ତାବ ଦିଆଯାଇଛି
- ଭାରତ ସେମିକଣ୍ଡକ୍ଟର ମିଶନ ୨.୦ ଘୋଷଣା
- ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟସ୍ ଉତ୍ପାଦନ ଯୋଜନା ପାଇଁ ବ୍ୟୟବରାଦ ୪୦,୦୦୦ କୋଟିକୁ ବୃଦ୍ଧି କରାଯାଇଛି
୭ଟି ରଣନୈତିକ ଓ ଭବିଷ୍ୟତର କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ଉପରେ କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଗୁରୁତ୍ବ ଦିଆଯାଇଛି। ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ କହିଛନ୍ତି ଯେ ପ୍ରସ୍ତାବିତ ପଦକ୍ଷେପଗୁଡ଼ିକ ବଜେଟରେ କୁହାଯାଇଥିବା ପ୍ରଥମ କର୍ତ୍ତବ୍ୟ ଅଧିନସ୍ଥ ୬ଟି କ୍ଷେତ୍ରର ଅଂଶ।

ଭାରତକୁ ଏକ ବାୟୋଫାର୍ମା ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ବଜେଟରେ ବାୟୋଫାର୍ମା ଶକ୍ତିର ପ୍ରସ୍ତାବ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଆସନ୍ତା ୫ ବର୍ଷରେ ୧୦,୦୦୦ କୋଟି ବ୍ୟୟ କରାଯିବ। ଏହା ଦେଶମଧ୍ୟରେ ବାୟୋଲଜିକ୍ସ ଓ ବାୟୋସିମିଲାର୍ସ ଉତ୍ପାଦନ ଲାଗି ଏକ ଇକୋସିଷ୍ଟମର ନିର୍ମାଣ କରିବ। ଏହି ଯୋଜନା ଅଧିନରେ ତିନୋଟି ନୂତନ ଜାତୀୟ ଔଷଧ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ସହିତ ଏକ ବାୟୋଫାର୍ମା-କେନ୍ଦ୍ରିତ ନେଟୱାର୍କ ଏବଂ ସାତଟି ବିଦ୍ୟମାନ ପ୍ରତିଷ୍ଠାନର ଅପଗ୍ରେଡିଙ୍ଗ୍ ଅନ୍ତର୍ଭୁକ୍ତ। ଏହା ୧୦୦୦ରୁ ଅଧିକ ସ୍ୱୀକୃତିପ୍ରାପ୍ତ ଭାରତ କ୍ଲିନିକାଲ୍ ପରୀକ୍ଷଣ କେନ୍ଦ୍ରର ଏକ ନେଟୱାର୍କ ସୃଷ୍ଟି କରିବ। କେନ୍ଦ୍ରୀୟ ବଜେଟ୍ ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରିବା ଏବଂ ଏକ ଉତ୍ସର୍ଗୀକୃତ ବୈଜ୍ଞାନିକ ସମୀକ୍ଷା କ୍ୟାଡର ଏବଂ ବିଶେଷଜ୍ଞଙ୍କ ମାଧ୍ୟମରେ ସମୟୋଚିତ ଅନୁମୋଦନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନକୁ ସୁଦୃଢ଼ କରିବାର ପ୍ରସ୍ତାବ ମଧ୍ୟ ରଖିଛି।

ଦେଶର ସେମିକଣ୍ଡକ୍ଟର କ୍ଷେତ୍ର କ୍ଷମତାକୁ ବିସ୍ତାର କରିବା ଲାଗି କେନ୍ଦ୍ର ବଜେଟରେ ଉପକରଣ ଏବଂ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବା, ଭାରତୀୟ ଆଇପିକୁ ସମ୍ପୂର୍ଣ୍ଣ ଡିଜାଇନ୍ କରିବା ଏବଂ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ଭାରତ ସେମିକଣ୍ଡକ୍ଟର ମିଶନ (୨.୦) ଆରମ୍ଭ କରିବାର ପ୍ରସ୍ତାବ ଦିଆଯାଇଛି। ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ସରକାର ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷ କର୍ମଚାରୀ ବିକାଶ ପାଇଁ ଶିଳ୍ପ-ନେତୃତ୍ୱାଧୀନ ଗବେଷଣା ଏବଂ ତାଲିମ କେନ୍ଦ୍ର ଉପରେ ଧ୍ୟାନ ଦେବେ।
ଏପ୍ରିଲ ୨୦୨୫ରେ ଆରମ୍ଭ ହୋଇଥିବା ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ଉତ୍ପାଦନ ଯୋଜନାର ବ୍ୟୟବରାଦ ୨୨,୯୧୯ କୋଟି ଟଙ୍କା ଥିଲା। ଏହି ପରିମାଣକୁ ୨୦୨୬-୨୭ ବଜେଟରେ ୪୦,୦୦୦ କୋଟିକୁ ବୃଦ୍ଧି କରାଯିବାର ପ୍ରସ୍ତାବ ଅଛି।
କେନ୍ଦ୍ର ବଜେଟରେ ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ସମର୍ପିତ ବିରଳ ଖଣିଜ କରିଡର ପ୍ରତିଷ୍ଠାକୁ ସମର୍ଥନ କରାଯିବାର ପ୍ରସ୍ତାବ ଦିଆଯାଇଛି। ଏହା ଖଣି, ପ୍ରକ୍ରିୟାକରଣ, ଗବେଷଣା ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି।
ଦେଶରେ ରାସାୟନିକ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ପାଇଁ, କେନ୍ଦ୍ର ବଜେଟରେ ଚ୍ୟାଲେଞ୍ଜ ରୁଟ୍ ମାଧ୍ୟମରେ ତିନୋଟି ରାସାୟନିକ ପାର୍କ ସ୍ଥାପନ କରିବାରେ ରାଜ୍ୟଗୁଡ଼ିକୁ ସହାୟତା କରିବା ପାଇଁ ଏକ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି।
ତାଙ୍କ ବଜେଟ ଭାଷଣରେ, ଶ୍ରୀମତୀ ନିର୍ମଳା ସୀତାରମଣ କହିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ଉତ୍ପାଦକତା ଏବଂ ଗୁଣବତ୍ତାର ଏକ ନିର୍ଣ୍ଣାୟକ ହେଉଛି ଦୃଢ଼ ପୁଞ୍ଜି ସାମଗ୍ରୀ ସୁଲଭତା। କେନ୍ଦ୍ର ବଜେଟରେ ଦୁଇଟି ସ୍ଥାନରେ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ସଂପନ୍ନ ଟୁଲ୍ ରୁମ୍ ପ୍ରତିଷ୍ଠା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଗୁଡ଼ିକୁ ସିପିଏସଇ ଦ୍ୱାରା ଡିଜିଟାଲ୍ ଭାବରେ ସକ୍ଷମ ସ୍ୱୟଂଚାଳିତ ସେବା ବ୍ୟୁରୋ ଭାବରେ ପ୍ରତିଷ୍ଠା କରାଯିବ, ଯାହା ସ୍ଥାନୀୟ ସ୍ତରରେ ଏବଂ କମ ମୂଲ୍ୟରେ ଉଚ୍ଚ-ସଠିକତା ଉପାଦାନ ଡିଜାଇନ୍, ପରୀକ୍ଷା ଏବଂ ନିର୍ମାଣ କରିବ। ନିର୍ମାଣ ଏବଂ ଭିତ୍ତିଭୂମି ଉପକରଣ (ସିଆଇଇ)କୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନା ଆରମ୍ଭ କରାଯିବ। ଏହି ଯୋଜନାର ଲକ୍ଷ୍ୟ ଉଚ୍ଚ ଘରୋଇ ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ସ୍ତର ସହିତ ଉନ୍ନତ ସିଆଇଇଗୁଡ଼ିକୁ ମଜବୁତ କରିବା। ଏହା ବହୁମହଲା କୋଠାରେ ଲିଫ୍ଟ, ବଡ଼ ଏବଂ ଛୋଟ ଅଗ୍ନି ନିର୍ବାପକ ଉପକରଣ ଠାରୁ ଆରମ୍ଭ କରି ଉଚ୍ଚ ରାସ୍ତା ପାଇଁ ମେଟ୍ରୋ ଏବଂ ଟନେଲ୍ ଉପକରଣ ପର୍ଯ୍ୟନ୍ତ ହୋଇପାରେ। ବଜେଟରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କଣ୍ଟେନର ଉତ୍ପାଦନ ଇକୋସିଷ୍ଟମ ସୃଷ୍ଟି କରିବାର ଯୋଜନା ପ୍ରସ୍ତାବିତ କରାଯାଇଛି। ଏଥିପାଇଁ, ପାଞ୍ଚ ବର୍ଷ ଅବଧିରେ ୧୦,୦୦୦ କୋଟି ଟଙ୍କାର ବଜେଟ ଆବଣ୍ଟନ କରାଯାଇଛି।
ଶ୍ରମ-କୈନ୍ଦ୍ରୀକ ବୟନ ଶିଳ୍ପ କ୍ଷେତ୍ର ପାଇଁ, ବଜେଟରେ ପାଞ୍ଚଟି ଉପ-ଉପାଦାନ ସହିତ ଏକ ସମନ୍ୱିତ କାର୍ଯ୍ୟକ୍ରମ ପ୍ରସ୍ତାବ ଦିଆଯାଇଛି। ପ୍ରଥମତଃ, ରେଶମ, ପଶମ ଏବଂ ଝୋଟ ଭଳି ପ୍ରାକୃତିକ ତନ୍ତୁ, ମାନବ ନିର୍ମିତ ତନ୍ତୁ ଏବଂ ଆଧୁନିକ ତନ୍ତୁରେ ଆତ୍ମନିର୍ଭରତା ପାଇଁ ଜାତୀୟ ତନ୍ତୁ ଯୋଜନା; ଦ୍ୱିତୀୟତଃ, ଯନ୍ତ୍ରପାତି ପ୍ରଯୁକ୍ତିବିଦ୍ୟା ଉନ୍ନତିକରଣ ଏବଂ ସାଧାରଣ ପରୀକ୍ଷଣ ଏବଂ ପ୍ରମାଣୀକରଣ କେନ୍ଦ୍ର ପାଇଁ ପୁଞ୍ଜି ସହାୟତା ସହିତ ପାରମ୍ପରିକ କ୍ଲଷ୍ଟରଗୁଡ଼ିକୁ ଆଧୁନିକୀକରଣ ପାଇଁ ବୟନ ସମ୍ପ୍ରସାରଣ ଏବଂ ନିଯୁକ୍ତି ଯୋଜନା; ତୃତୀୟତଃ, ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ କାର୍ଯ୍ୟକ୍ରମ ବିଦ୍ୟମାନ ଯୋଜନାଗୁଡ଼ିକୁ ଏକୀକୃତ ଏବଂ ସୁଦୃଢ଼ କରିବା ଏବଂ ବୁଣାକାର ଏବଂ କାରିଗରମାନଙ୍କ ପାଇଁ ଲକ୍ଷ୍ୟଭିତ୍ତିକ ସମର୍ଥନ ନିଶ୍ଚିତ କରିବା; ଚତୁର୍ଥତଃ, ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଏବଂ ସ୍ଥାୟୀ ବୟନ ଏବଂ ପୋଷାକକୁ ପ୍ରୋତ୍ସାହିତ କରିବା ପାଇଁ ଟିକସ ଇକୋ ପଦକ୍ଷେପ; ପଞ୍ଚମ, ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ସହିତ ସହଯୋଗରେ ବୟନ ଦକ୍ଷତା ଇକୋସିଷ୍ଟମକୁ ଆଧୁନିକୀକରଣ ଏବଂ ଅପଗ୍ରେଡ୍ କରିବା ପାଇଁ ସମର୍ଥ ୨.୦ କାର୍ଯ୍ୟକ୍ରମ।
ପ୍ରାଯୁକ୍ତିକ ବସ୍ତ୍ରରେ ମୂଲ୍ୟ ସଂଯୁକ୍ତି ଲାଗି ବଜେଟରେ ମେଗା ବୟନଶିଳ୍ପ ପାର୍କ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି।
ଏହା ସହିତ, ଖଦି ହସ୍ତତନ୍ତ ଏବଂ ହସ୍ତଶିଳ୍ପକୁ ସୁଦୃଢ଼ କରିବା ପାଇଁ ବଜେଟରେ ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ ଯୋଜନାର ପ୍ରସ୍ତାବ ଦିଆଯାଇଛି। ଏହା ବିଶ୍ୱ ବଜାର ପ୍ରବେଶରେ ସୁଗମତା ଏବଂ ବ୍ରାଣ୍ଡିଂରେ ସାହାଯ୍ୟ କରିବ। ଏହା ମଧ୍ୟ ତାଲିମ, ଦକ୍ଷତା, ପ୍ରକ୍ରିୟା ଏବଂ ଉତ୍ପାଦନ ଗୁଣବତ୍ତା ସୁଗମ ଏବଂ ସମର୍ଥନ କରିବ। ଏହି ପଦକ୍ଷେପ ଆମର ବୁଣାକାର, ଗ୍ରାମୀଣ ଶିଳ୍ପ, ଏକ ଜିଲ୍ଲା ଏକ ପ୍ରୟାସ ଏବଂ ଗ୍ରାମୀଣ ଯୁବପିଢ଼ିଙ୍କୁ ଲାଭ ପହଞ୍ଚାଇବ ବୋଲି ବଜେଟରେ କୁହାଯାଇଛି।
ବଜେଟ୍ ଉପସ୍ଥାପନ କରିବା ସମୟରେ, ଶ୍ରୀମତୀ ସୀତାରମଣ କହିଥିଲେ ଯେ ଭାରତ ଉଚ୍ଚମାନର, ସୁଲଭ କ୍ରୀଡା ସାମଗ୍ରୀ ନିମନ୍ତେ ଏକ ବିଶ୍ୱବ୍ୟାପୀ କେନ୍ଦ୍ର ଭାବରେ ଉଭା ହେବାର ସମ୍ଭାବନା ରଖିଛି। ବଜେଟରେ କ୍ରୀଡା ସାମଗ୍ରୀ ପାଇଁ ଏକ ଉତ୍ସର୍ଗୀକୃତ ପଦକ୍ଷେପ ପ୍ରସ୍ତାବ ଦିଆଯାଇଛି ଯାହା ଉତ୍ପାଦନ ଏବଂ ଉପକରଣ ଡିଜାଇନ ଓ ସାମଗ୍ରୀ ବିଜ୍ଞାନ କ୍ଷେତ୍ରରେ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହିତ କରିବ।
TKM
(ରିଲିଜ ଆଡି: 2222466)
ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ :
English
,
Kannada
,
Tamil
,
Telugu
,
Bengali
,
Bengali-TR
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Malayalam