ରେଳ ମନ୍ତ୍ରଣାଳୟ
azadi ka amrit mahotsav

ରେଳ ମନ୍ତ୍ରଣାଳୟ : ବର୍ଷାନ୍ତ ସମୀକ୍ଷା 2025

प्रविष्टि तिथि: 28 DEC 2025 3:30PM by PIB Bhubaneshwar

 

  • ଭବିଷ୍ୟତ ପାଇଁ ପ୍ରସ୍ତୁତ ନେଟୱାର୍କ ନିର୍ମାଣ: ଭାରତୀୟ ରେଳବାଇର 2025 ମାଇଲଖୁଣ୍ଟ 2026 ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି
  • ପୁନଃବିକଶିତ ଷ୍ଟେସନଗୁଡ଼ିକରେ ନବସୃଜନ, ସ୍ୱଦେଶୀକରଣ, ଟ୍ରାକ୍ ନବୀକରଣ ଏବଂ ବିମାନବନ୍ଦର ଭଳି ସୁବିଧା ଭାରତରେ ରେଳ ଯାତ୍ରାକୁ ପୁନଃପରିଭାଷିତ କରୁଛି
  • ଟ୍ରାକ୍ ନବୀକରଣ ଦ୍ରୁତ, ସୁରକ୍ଷିତ ଏବଂ ଆରାମଦାୟକ ଟ୍ରେନ୍ ଯାତ୍ରା ସୁନିଶ୍ଚିତ କରିଛି
  • କବଚ, ସୁରକ୍ଷା ଏବଂ ସତର୍କତାରେ ଏଆଇର ବ୍ୟବହାର ଫଳରେ ଟ୍ରେନ ଦୁର୍ଘଟଣାକୁ ଐତିହାସିକ ସ୍ତରରେ ହ୍ରାସ କରାଯାଇଛି 
  • ପ୍ରଥମ ବନ୍ଦେ ଭାରତ ସ୍ଲିପର ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି; ଯାତ୍ରୀଙ୍କ ଗତିଶୀଳତା ବୃଦ୍ଧି ପାଇଁ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ
  • ସାଧାରଣ ଲୋକଙ୍କ ପାଇଁ ଆରାମଦାୟକ ଯାତ୍ରାରେ ସୁଧାର ; 2025ରେ ଦେଶବ୍ୟାପୀ 13ଟି ନୂତନ ଅମୃତ ଭାରତ ଟ୍ରେନ ସହିତ ମୋଟ ସଂଖ୍ୟା 30ରେ ପହଞ୍ଚିଲା
  • ନିୟମିତ ସେବା ବ୍ୟତୀତ, ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ 2025ରେ ରେଳବାଇ 43,000ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିଲା; ମହାକୁମ୍ଭ ପାଇଁ 17,000ରୁ ଅଧିକ ଟ୍ରେନ ଯାତ୍ରା
  • ଉନ୍ନତ ଶୌଚାଳୟ, ଲିଫ୍ଟ/ଏସ୍କେଲେଟର, ଫୁଡ୍ କୋର୍ଟ, ଆଧୁନିକ ପ୍ରତୀକ୍ଷାଳୟ ଭଳି ସୁବିଧା ସହିତ, 155 ଟି ସମ୍ପୂର୍ଣ୍ଣ ଆଧୁନିକୀକରଣ ଷ୍ଟେସନ ରେଳ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ଅଭିଜ୍ଞତା ପ୍ରଦାନ କରେ; ବାକି 1182ଟି ଅମୃତ ଭାରତ ଷ୍ଟେସନ ଆଧୁନିକୀକରଣ କରାଯାଉଛି
  • 2025ରେ 25,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର 42ଟି ପ୍ରକଳ୍ପ ଲୋକାର୍ପଣ କରାଯାଇଛି
  • ଗତି ଶକ୍ତି କାର୍ଗୋ ଟର୍ମିନାଲ ଏବଂ ୱାଗନର ରେକର୍ଡ ଉତ୍ପାଦନ ମାଲ ପରିବହନକୁ ତ୍ୱରାନ୍ୱିତ କରିଛି; ପ୍ରତିଦିନ 400 ରୁ ଅଧିକ ଟ୍ରେନ ଚଳାଚଳ କରୁଥିବା ସମର୍ପିତ ମାଲ ପରିବହନ କରିଡର


ଲକ୍ଷ୍ୟବଦ୍ଧ ପ୍ରୟାସ, ନବସୃଜନ ଏବଂ ସ୍ୱଦେଶୀକରଣ ବଳରେ ଭାରତୀୟ ରେଳବାଇ ବିଶ୍ୱସ୍ତରୀୟ ରେଳ ନେଟୱର୍କରେ ପରିଣତ ହୋଇଛି।  2025 ବର୍ଷରେ ଭାରତୀୟ ରେଳବାଇ ଅନେକ ମହତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଏହା ରେଳ ଯାତ୍ରା ଅନୁଭୂତିକୁ ଅଧିକ ସୁବିଧାଯୁକ୍ତ ଏବଂ ଆରାମଦାୟକ କରିଛି।  ନୂଆବର୍ଷ 2026ରେ ରେଳବାଇ ଅନେକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସହିତ ଆଗକୁ ବଢ଼ୁଛି। 
2025 ବର୍ଷରେ ରେଳବାଇ 15ଟି ନୂଆ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ କରିଥିଲା। ଏଥିସହିତ ଦେଶବ୍ୟାପୀ ମୋଟ୍‌ ବନ୍ଦେ ଭାରତ ଟ୍ରେନ ସଂଖ୍ୟା 164ରେ ପହଞ୍ଚିଛି ଯାହା ଯାତ୍ରୀଙ୍କୁ ସୁରକ୍ଷିତ, ସୁଲଭ ଏବଂ ଆରାମଦାୟକ ଯାତ୍ରା ଅନୁଭୂତି ପ୍ରଦାନ କରୁଛି । ସେହିପରି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ 13ଟି ଅମୃତ ଭାରତ ଟ୍ରେନ ଚଳାଚଳ କରିଛି, ଫଳରେ ଏବେ ଅମୃତ ଭାରତ ଟ୍ରେନ ସଂଖ୍ୟା 30ରେ ପହଞ୍ଚିଛି । ଭୁଜ - ଅହମ୍ମଦାବାଦ ଏବଂ ଜୟନଗର - ପାଟନା ମଧ୍ୟରେ 2ଟି ନମୋ ଭାରତ ରାପିଡ୍ ରେଳ ସେବା କାର୍ଯ୍ୟକ୍ଷମ ହୋଇଛି। ନିୟମିତ ସେବା ବ୍ୟତୀତ, ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ 2025ରେ ରେଳବାଇ 43,000ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିଲା। ମହାକୁମ୍ଭ ପାଇଁ 17,340ରୁ ଅଧିକ ଟ୍ରେନ ଯାତ୍ରା କରିଥିଲା। ଏହାବ୍ୟତୀତ 1114 ହୋଲି ସ୍ପେଶାଲ, 12,417 ଗ୍ରୀଷ୍ମ ସ୍ୱତନ୍ତ୍ର, 12,383 ଛଟ୍‌ ପୂଜା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିଲା।
1 ଏପ୍ରିଲରୁ 30 ନଭେମ୍ବର 2025 ମଧ୍ୟରେ 900 କିଲୋମିଟର ନୂଆ ରେଳଲାଇନ୍‌ କାର୍ଯ୍ୟକ୍ଷମ ହୋଇଥିଲା। ସେହିପରି 6880 ଟ୍ରାକ୍‌ କିମି ରେଳର ନବୀକରଣ କରାଯାଇଥିଲା। 7051 ଟ୍ରାକ୍‌ କିମି ଟ୍ରେନ ଲାଇନ ନବୀକରଣ କରାଯାଇଥିଲା। 2014–25 ଅବଧି ମଧ୍ୟରେ, ଭାରତୀୟ ରେଳବାଇରେ ପ୍ରତିଦିନ ହାରାହାରି 8.57 କିଲୋମିଟର ବେଗରେ ମୋଟ ୩୪,୪୨୮ କିଲୋମିଟର ନୂତନ ଟ୍ରାକ୍ ବିଛାଯାଇଥିଲା, ଯାହା 2009–14  ଅବଧିରେ ପ୍ରତିଦିନ ହାରାହାରି କମିଶନିଂ (4.2 କିଲୋମିଟର/ଦିନ) ତୁଳନାରେ ଦୁଇଗୁଣରୁ ଅଧିକ। ଏହାବ୍ୟତୀତ 599 ଟ୍ରାକ୍‌ କିମିରେ ସେକ୍ସନ ଗତିକୁ ଘଣ୍ଟାପ୍ରତି 130 କିମି ଏବଂ 4069 ଟ୍ରାକ୍‌ କିମିରେ ଘଣ୍ଟାପ୍ରତି ବେଗକୁ 110 କିମିକୁ ବୃଦ୍ଧି କରାଯାଇଥିଲା। 
ଏବେ ସୁଦ୍ଧା ଦେଶର 99.2% ବ୍ରଡ ଗଜ୍‌ ରେଳ ନେଟୱର୍କର ବିଦ୍ୟୁତିକରଣ କରାଯାଇଛି। ଏହା ବ୍ରିଟେନ, ରୁଷ ଓ ଚୀନ ଭଳି ଦେଶଠାରୁ ଅଧିକ। ମୋଟ୍‌ 14ଟି ରେଳ ଜୋନ୍‌ ଏବଂ 25ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଶତପ୍ରତିଶତ ବିଦ୍ୟୁତିକରଣ କରାଯାଇଛି। 2025ରେ ଭାରତୀୟ ରେଳବାଇ 1,161 ରୋଡ୍‌ ଓଭର ବ୍ରିଜ୍‌ ଏବଂ ରୋଡ୍‌ ଅଣ୍ଡର ବ୍ରିଜ୍‌ ନିର୍ମାଣ କରିଥିଲା। ଗତ 11 ବର୍ଷ ମଧ୍ୟରେ ମୋଟ୍‌ 13,000 ବ୍ରିଜ୍‌ ନିର୍ମାଣ କରାଯାଇଛି। 2025-2ରେ 4,224ଟି ଏଲଏଚବି କୋଚ୍‌ ଉତ୍ପାଦନ ହୋଇଥିଲା। ଗତ ଦଶନ୍ଧିରେ ଏଲଏଚବି କୋଚ୍‌ ଉତ୍ପାଦନ ପରିମାଣ ପୂର୍ବ ଦଶନ୍ଧି ତୁଳନାରେ 18 ଗୁଣ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ମୋଟ୍‌ 42,600 ଏଲଏଚବି କୋଚ୍‌ ନିର୍ମାଣ କରାଯାଇଛି ।
ସୂଚନାଯୋଗ୍ୟ, 2025 ବର୍ଷରେ ଭାରତ ପମ୍ବନରେ ଏହାର ପ୍ରଥମ ଭୂଲମ୍ବ-ଲିଫ୍ଟ ରେଳ ସେତୁ ଖୋଲିଥିଲା ଏବଂ ସବୁଦିନିଆ ରେଳ ସଂଯୋଗ (ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁ ସମେତ) ସହିତ କାଶ୍ମୀରରେ ଯୋଗାଯୋଗ ସୁଦୃଢ଼ କରିଥିଲା। ଏହା ସହିତ ଭାରତ ନୂତନ ବୈରାବି-ସାଇରାଙ୍ଗ ଲାଇନ ସହିତ ଉତ୍ତର-ପୂର୍ବକୁ ରେଳ ସଂଯୋଗ ବିସ୍ତାର କରିଥିଲା। ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍‌ ରେଳ ପ୍ରକଳ୍ପର 55.63% ନିର୍ମାଣ କାର୍ଯ୍ୟ ଅଗ୍ରଗତି କରିସାରିଛି । 2025-26 ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ 42ଟି ରେଳପ୍ରକଳ୍ପ ଲୋକାର୍ପଣ କରିଥିଲେ। 
ଭାରତୀୟ ରେଳବାଇ ସୁରକ୍ଷା କାର୍ଯ୍ୟଦକ୍ଷତାରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ପରିଣାମସ୍ୱରୂପ 2004-14 ମଧ୍ୟରେ 1711 (ବାର୍ଷିକ ହାରାହାରି 171) ଟ୍ରେନ୍ ଦୁର୍ଘଟଣା ଘଟିଥିଲା ବେଳେ 2024-25 ରେ ଏହା 31କୁ ହ୍ରାସ ପାଇଛି ଏବଂ 2025-26 ରେ (ନଭେମ୍ବର, 2025 ପର୍ଯ୍ୟନ୍ତ) 11କୁ ହ୍ରାସ ପାଇଛି। ସୁରକ୍ଷା ବଜେଟ୍ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି, ଯାହା 2013-14 ଆର୍ଥିକ ବର୍ଷରେ 39,463 କୋଟି ଟଙ୍କାରୁ ବୃଦ୍ଧି ପାଇ ଚଳିତ ଆର୍ଥିକ ବର୍ଷରେ 1,16,470 କୋଟି ଟଙ୍କାରେ ପହଞ୍ଚିଛି। କୁହୁଡ଼ି ସୁରକ୍ଷା ଉପକରଣ 2014 ରେ 90ରୁ ବୃଦ୍ଧି ପାଇ 2025ରେ 25,939ରେ ପହଞ୍ଚିଛି। କେବଳ ଗତ ଚାରି ମାସରେ, 21ଟି ଷ୍ଟେସନରେ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ଏବଂ ଟ୍ରାକ୍ ସର୍କିଟିଂ ସମ୍ପୂର୍ଣ୍ଣ ହୋଇଛି।
ସ୍ୱଦେଶୀ ସୁରକ୍ଷା ପ୍ରଣାଳୀ କବଚ ତୁରନ୍ତ ଟ୍ରେନରେ ବ୍ରେକ୍‌ ଲଗାଇ ଆକସ୍ମିକ ରେଳ ଦୁର୍ଘଟଣାକୁ ରୋକିପାରିଛି। ଏହାର ଚତୁର୍ଥ ସଂସ୍କରଣକୁ ଦେଶର ବିଭିନ୍ନ ରେଳ ନେଟୱର୍କରେ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା 738 ବର୍ଗ କିମିରେ ଏହା କାର୍ଯ୍ୟକ୍ଷମ ହୋଇଛି। 1,731 ଷ୍ଟେସନ ଏବଂ 11,953 କୋଚ୍‌ରେ ସିସିଟିଭି କ୍ୟାମେରା ଲଗାଯାଇଛି। 1,337 ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ରୂପେ ପୁନଃବିକଶିତ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା 155ଟି ଷ୍ଟେସନର ଆଧୁନିକୀକରଣ କରାଯାଉଛି। ଦେଶବ୍ୟାପୀ 2626 ରେଳ ଷ୍ଟେସନକୁ ରେଳବାଇ ସୌରଶକ୍ତି ଚାଳିତ ଷ୍ଟେସନ ରୂପେ ବିକଶିତ କରିଛି। 6117 ଷ୍ଟେସନରେ ଭାରତୀୟ ରେଳବାଇ ୱାଇଫାଇ ସେବା ଯୋଗାଇ ଦେଇଛି। ରେଲ୍‌ ୱାନ୍‌ ଆପ୍‌ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ଯାତ୍ରୀ ସେବା ଯୋଗାଇ ଦେଉଛି। ଭାରତୀୟ ରେଳବାଇ ଆଧାର ଆଧାରିତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ଏଆଇ ଭଳି ଆଧୁନିକ ପ୍ରଯୁକ୍ତି ଉପଯୋଗ କରି ରେଳବାଇ ସୁରକ୍ଷା ବ୍ୟବସ୍ଥାରେ ଅଧିକ ସୁଧାର ଆଣିଛି।
ଗତି ଶକ୍ତି କାର୍ଗୋ ଟର୍ମିନାଲ ଏବଂ ୱାଗନର ରେକର୍ଡ ଉତ୍ପାଦନ ମାଲ ପରିବହନକୁ ତ୍ୱରାନ୍ୱିତ କରିଛି । ସମର୍ପିତ ମାଲ ପରିବହନ କରିଡରରେ ପ୍ରତିଦିନ 400 ରୁ ଅଧିକ ଟ୍ରେନ ଚଳାଚଳ କରୁଛି । ଆର୍ଥିକ ବର୍ଷ 2025-26 ରେ, ଭାରତୀୟ ରେଳବାଇ 1 ବିଲିୟନ ଟନ୍ ମାଲ ପରିବହନର ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି, ଯାହାର ଦୈନିକ ଲୋଡିଂ 4.4 ନିୟୁତ ଟନ୍ ଛୁଇଁଛି । କୋଇଲା, ଲୁହାପଥର, ସିମେଣ୍ଟ ଏବଂ କଣ୍ଟେନର ଟ୍ରାଫିକର ପ୍ରବଳ ଚାହିଦା ଯୋଗୁଁ ଏଥିରେ ଅଭିବୃଦ୍ଧି ଦେଖା ଦେଇଛି । 1 ଜାନୁଆରୀରୁ30 ନଭେମ୍ବର 2025 ମଧ୍ୟରେ, ଭାରତୀୟ ରେଳବାଇ 1542ଟି ବୈଦ୍ୟୁତିକ ଲୋକୋମୋଟିଭ୍ ଉତ୍ପାଦନ କରିଥିଲା।
ବାର୍ଷିକ କ୍ୟାଲେଣ୍ଡର 2024 ଏବଂ 2025 ଅନୁଯାୟୀ, ଭାରତୀୟ ରେଳବାଇରେ ଜୋନାଲ ରେଳବାଇ ଏବଂ ଉତ୍ପାଦନ ୟୁନିଟ୍ ସମେତ 1,20,579 ପଦବୀରେ ନିଯୁକ୍ତି ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ରେଳବାଇ ସୁରକ୍ଷା ବଳ (ଆରପିଏଫ)ରେ ନିଯୁକ୍ତି ନିରନ୍ତର ଭାବରେ ଅଗ୍ରଗତି କରୁଛି । 452ଟି ସବ-ଇନ୍ସପେକ୍ଟର (କାର୍ଯ୍ୟନିର୍ବାହୀ) ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହୋଇଥିବାବେଳେ 4,208 ଟି କନଷ୍ଟେବଲ ପଦବୀ ପାଇଁ ନିଯୁକ୍ତି ବର୍ତ୍ତମାନ ଚାଲିଛି।

*****
PS


(रिलीज़ आईडी: 2209294) आगंतुक पटल : 20
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Tamil