ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଇଆଇଟି (ଆଇଏସଏମ) ଧାନବାଦର ଶତବାର୍ଷିକୀ ପ୍ରତିଷ୍ଠା ସପ୍ତାହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର

प्रविष्टि तिथि: 03 DEC 2025 3:08PM by PIB Bhubaneshwar
  • ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ବିକଶିତ ଭାରତ 2047 କୁ ଆଗକୁ ନେବା ପାଇଁ ଆଇଆଇଟି ଧାନବାଦକୁ ଆହ୍ୱାନ କଲେ ଡକ୍ଟର ପି.କେ. ମିଶ୍ର

 

  • ବିଶ୍ୱ ଅସ୍ଥିରତା ମଧ୍ୟରେ ଭାରତର ଆର୍ଥିକ ମୂଳଦୁଆ ଦୃଢ଼ ରହିଛି : ଡକ୍ଟର ପି.କେ. ମିଶ୍ର

 

  • ଅନେକ ଦେଶ, ବିଶେଷକରି ଗ୍ଲୋବାଲ୍‌ ସାଉଥ, ଏବେ ଭାରତକୁ ଏକ ବିଶ୍ୱ ବନ୍ଧୁ ଭାବରେ ଦେଖୁଛନ୍ତି; ଭାରତ ଏକ ବିଶ୍ୱସ୍ତ ସହଯୋଗୀ ଯାହା ଆଧୁନିକ କ୍ଷମତାକୁ ସଭ୍ୟତାଗତ ଜ୍ଞାନ ସହିତ ମିଳାଇଥାଏ: ଡକ୍ଟର ପି.କେ. ମିଶ୍ର

 

  • ଭାରତର ଗୁରୁତ୍ୱପୂର୍ଣ୍ଣ ଖଣିଜ ରଣନୀତିକୁ ଆଗକୁ ବଢ଼ାଇବା ଲାଗି ଆଇଆଇଟି ଧାନବାଦକୁ ନିବେଦନ କଲେ ଡକ୍ଟର ପି.କେ. ମିଶ୍ର

 

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ଧାନବାଦସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଇଣ୍ଡିଆନ୍ ସ୍କୁଲ୍ ଅଫ୍ ମାଇନ୍ସ)ର ଶତବାର୍ଷିକୀ ପ୍ରତିଷ୍ଠା ସପ୍ତାହରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି । ଶିକ୍ଷକ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ଅତିଥିମାନଙ୍କୁ ସମ୍ବୋଧିତ କରି ଡକ୍ଟର ମିଶ୍ର କହିଥିଲେ, 2047 ସୁଦ୍ଧା ଭାରତର ବିକଶିତ ଭାରତ ଲକ୍ଷ୍ୟ ହାସଲ ଯାତ୍ରାରେ ଆଇଆଇଟି ଧାନବାଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଏହି ଅବସରରେ ଆଇଆଇଟି (ଆଇଏସଏମ) ଧାନବାଦ ପକ୍ଷରୁ ଡକ୍ଟର ପି.କେ ମିଶ୍ରଙ୍କୁ ଡକ୍ଟରେଟ୍‌ ଅଫ୍‌ ସାଇନ୍ସ ଉପାଧିରେ ଭୂଷିତ କରାଯାଇଥିଲା।

ପ୍ରତିଷ୍ଠାନର 100 ବର୍ଷର ଐତିହ୍ୟ ସମାରୋହରେ ଯୋଗ ଦେବାକୁ ନେଇ ଡକ୍ଟର ମିଶ୍ର ଆନନ୍ଦ ପ୍ରକାଶ କରିଥିଲେ । ଖଣି, ଶକ୍ତି, ଭୂବିଜ୍ଞାନ ଏବଂ ପ୍ରୟୋଗାତ୍ମକ ଇଞ୍ଜିନିୟରିଂରେ ଏହି ପ୍ରତିଷ୍ଠାନର ବିପୁଳ ଅବଦାନ ବିଷୟରେ ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଆଇଆଇଟି ଧାନବାଦ ଏସିଆରେ ଖଣି ଶିକ୍ଷାରେ ଅଗ୍ରଣୀ ରହିଆସିଛି ଏବଂ କୋଲ୍ ଇଣ୍ଡିଆ, ଓଏନଜିସି, ଜିଏସଆଇ, ସିଏମପିଡିଆଇ ଏବଂ ଏନଟିପିସି ଭଳି ଜାତୀୟ ପ୍ରତିଷ୍ଠାନଗୁଡ଼ିକୁ ନିରନ୍ତର ବିଶେଷଜ୍ଞତା ପ୍ରଦାନ କରିଛି। ସେ କହିଛନ୍ତି ଯେ ଏହାର ଗବେଷଣା ଫଳାଫଳ ଖଣି ସୁରକ୍ଷା, କୋଇଲା ଅନୁସନ୍ଧାନ, ତୈଳ ଗ୍ୟାସ ଏବଂ ଖଣିଜ ଉପକାରିତାରେ ଜାତୀୟ ମାନଦଣ୍ଡକୁ ଆକାର ଦେଇଛି। ଶତବାର୍ଷିକୀ କେବଳ ଏକ ମାଇଲଖୁଣ୍ଟ ନୁହେଁ, ବରଂ ଜ୍ଞାନକୁ ସାମାଜିକ ପରିଣାମ ପାଇଁ ଜନକଲ୍ୟାଣ ଲାଗି କିପରି ବ୍ୟବହାର କରାଯାଇପାରିବ ଏବଂ ଲଗାତାର ପ୍ରତିବଦ୍ଧତା ଦ୍ୱାରା କିଭଳି ସଫଳତା ମିଳିପାରିବ ତାହାର ସ୍ମରଣ କରାଇ ଦେଇଥାଏ। ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଲାଗି ଦୀର୍ଘସ୍ଥାୟୀ ସଂକଳ୍ପକୁ ସାକାର କରିବା ଲାଗି ଏହି ପ୍ରତିଷ୍ଠାନ କେଉଁ ଭୂମିକା ନିର୍ବାହ କରିପାରିବ ସେଥିପ୍ରତି ବିଚାର କରିବା ପାଇଁ ଡକ୍ଟର ମିଶ୍ର ଅପିଲ୍‌ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ 2047 ପାଇଁ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ଶ୍ରୀ ମିଶ୍ର କହିଥିଲେ ଯେ, ଏହାର ଲକ୍ଷ୍ୟ ହେଉଛି ପ୍ରକୃତି ଏବଂ ସଂସ୍କୃତିକୁ ସନ୍ତୁଳିତ କରି ଏକ ବିକଶିତ ଦେଶର ମାନ୍ୟତା ହାସଲ କରିବା ଏବଂ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବା। ଭାରତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବ, ମହିଳାମାନେ ବିକାଶର ନେତୃତ୍ୱ ନେବେ, ଅର୍ଥବ୍ୟବସ୍ଥା ସମାବେଶୀ ଏବଂ ନବସୃଜନଶୀଳ ହେବ, ଏବଂ ଜାତୀୟ ଜୀବନରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ରହିବ ନାହିଁ ବୋଲି ସେ ଜୋର୍‌ ଦେଇ କହିଥିଲେ

ଗତ ୧୧ ବର୍ଷ ମଧ୍ୟରେ ଭାରତର ଆର୍ଥିକ ବିକାଶଧାରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନବସୃଜନ ଏବଂ ପୁନଃନିର୍ମାଣର ଆଧାର ରୂପେ ବର୍ଣ୍ଣନା କରିଥିଲେ। ସେ ଏହି ଆଭିମୁଖ୍ୟର ଚାରୋଟି ସ୍ତମ୍ଭକୁ ଉଲ୍ଲେଖ କରିଥିଲେ: ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହିତ କରିବା, ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବା, ବିଶ୍ୱ ଆହ୍ୱାନର ମୁକାବିଲା କରିବା ଏବଂ ଅନ୍ତିମ ସୋପାନରେ ସେବା ଯୋଗାଣ ସୁନିଶ୍ଚିତ କରିବା। ମହାମାରୀ, ବାଣିଜ୍ୟ ଯୁଦ୍ଧ, ଭୂରାଜନୈତିକ ଉତ୍ତେଜନା, ଜଳବାୟୁ ପରିବର୍ତ୍ତନ ଏବଂ ଯୋଗାଣ ଶୃଙ୍ଖଳ ବାଧା ଯୋଗୁଁ ବିଶ୍ୱ ଅର୍ଥବ୍ୟବସ୍ଥାରେ ଲାଗି ରହିଥିବା ଅସ୍ଥିରତାକୁ ସେ ସ୍ୱୀକାର କରିଥିଲେ। ଏସବୁ ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ୮.୨ ପ୍ରତିଶତର ଦୃଢ଼ ଜିଡିପି ଅଭିବୃଦ୍ଧିକୁ ଉଲ୍ଲେଖ କରି ସେ ଭାରତର ସ୍ଥିରତା ବିଷୟରେ କହିଥିଲେ। ଅନିଶ୍ଚିତତା ସତ୍ତ୍ୱେ ଭାରତ ଅମୃତ କାଳରେ ସାହସ ଏବଂ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ୁଛି ବୋଲି ସେ କହିଥିଲେ।

ଡକ୍ଟର ମିଶ୍ର ଭବିଷ୍ୟତ ଗଠନରେ ପ୍ରଯୁକ୍ତିବିଦ୍ୟାର ପରିବର୍ତ୍ତନକାରୀ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ମାର୍ଟଫୋନ୍ ଏବଂ ବିଗ୍‌ ଡାଟା ଠାରୁ ଆରମ୍ଭ କରି ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପର୍ଯ୍ୟନ୍ତ, ବାଧା ସବୁଠି ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଭାରତ 100 ରୁ ଅଧିକ ୟୁନିକର୍ଣ୍ଣ ଏବଂ ଦୁଇ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଏକ ବିଶ୍ୱସ୍ତରୀୟ ନବସୃଜନ ଶକ୍ତିକେନ୍ଦ୍ର ଭାବରେ ଉଭା ହୋଇଛି, ଯାହା ଦେଶକୁ ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ କରିଛି। ସେ ନବସୃଜନ ବ୍ୟବଧାନ ପୂରଣ କରିବା ପାଇଁ ସରକାରୀ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ମୌଳିକ ଗବେଷଣା ଏବଂ ପ୍ରୋଟୋଟାଇପ୍ ପାଇଁ 1 ଲକ୍ଷ କୋଟି ଟଙ୍କାର ଅନୁସନ୍ଧାନ ଜାତୀୟ ଗବେଷଣା ପାଣ୍ଠି, ଏଆଇ କ୍ଷେତ୍ରରେ ନେତୃତ୍ୱ ନିର୍ମାଣ ସକାଶେ ଇଣ୍ଡିଆଏଆଇ ମିଶନ ଏବଂ ପରିବର୍ତ୍ତନକାରୀ ଷ୍ଟାର୍ଟଅପ୍ ସମର୍ଥନ ଲାଗି ଏକ ଉତ୍ସର୍ଗୀକୃତ ଡିପ୍ ଟେକ୍ ଫଣ୍ଡ ଅଫ୍ ଫଣ୍ଡ ଅନ୍ତର୍ଭୁକ୍ତ। ଏଗୁଡ଼ିକ ଭବିଷ୍ୟତ ପାଇଁ ପ୍ରସ୍ତୁତ ନବସୃଜନ ଇକୋସିଷ୍ଟମ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ପଦକ୍ଷେପ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ "ଫୋର୍‌-ଏସ୍‌" ମନ୍ତ୍ର - ସ୍କୋପ୍‌ (ସୁଯୋଗ), ସ୍କେଲ (ବ୍ୟାପକତା), ସ୍ପିଡ୍‌(ଗତି) ଏବଂ ସ୍କିଲ୍‌ (ଦକ୍ଷତା)କୁ ଶାସନର ମାର୍ଗଦର୍ଶୀ ନୀତି ଭାବରେ ଅଭିହିତ କରି ଡକ୍ଟର ମିଶ୍ର ଆୟୁଷ୍ମାନ ଭାରତ, ଡିଜିଟାଲ ଇଣ୍ଡିଆ, ୟୁପିଆଇ ଏବଂ ମିଶନ କର୍ମଯୋଗୀ ଭଳି ପ୍ରମୁଖ ପଦକ୍ଷେପଗୁଡ଼ିକୁ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ପ୍ରଯୁକ୍ତିବିଦ୍ୟା ଏବଂ ମୂଲ୍ୟବୋଧ କିପରି ସମାବେଶୀ ତଥା ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନକୁ ସକ୍ଷମ କରୁଛି ଏସବୁ ତାହାର ଉଦାହରଣଡକ୍ଟର ମିଶ୍ର କହିଥିଲେ, ଦକ୍ଷତା କିପରି ଅନ୍ତର୍ଭୁକ୍ତିକରଣ ସହିତ ସହାବସ୍ଥାନ କରିପାରିବ ତାହା ଆଧାର, କୋୱିନ୍‌ ଏବଂ ଜାତୀୟ ଡିଜିଟାଲ ଶିକ୍ଷା ସ୍ଥାପତ୍ୟ ଭଳି ପ୍ଲାଟଫର୍ମଗୁଡ଼ିକ ପ୍ରଦର୍ଶନ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆହୁରି କହିଥିଲେ, ଅନେକ ଦେଶ, ବିଶେଷକରି ଗ୍ଲୋବାଲ ସାଉଥ୍‌ ବର୍ତ୍ତମାନ ଭାରତକୁ ଏକ ବିଶ୍ୱବନ୍ଧୁ ଭାବରେ ଦେଖୁଛନ୍ତି । ଭାରତ ଏକ ବିଶ୍ୱସ୍ତ ଅଂଶୀଦାର ଯାହା ଆଧୁନିକ କ୍ଷମତାକୁ ସଭ୍ୟତାଗତ ଜ୍ଞାନ ସହିତ ମିଳାଉଛି । ଏହି ଅବସରରେ ସେ ଜାତୀୟ କ୍ୱାଣ୍ଟମ୍ ମିଶନ, ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ-ଏଲ୍‌1 ଭଳି ମହାକାଶ ମିଶନର ସଫଳତା, ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ସହିତ ଅକ୍ଷୟ ଶକ୍ତି କ୍ଷମତା 200 ଗିଗାୱାଟ୍‌ ଅତିକ୍ରମ କରିବା ଏବଂ ବୈଜ୍ଞାନିକ ଗବେଷଣା ପାଇଁ ସ୍ୱଦେଶୀ ବୁଡ଼ାଜାହାଜ ବିକଶିତ କରିବା ଭଳି ଅଗ୍ରଣୀ କ୍ଷେତ୍ରଗୁଡ଼ିକରେ ହୋଇଥିବା ପ୍ରଗତି ବିଷୟରେ ମଧ୍ୟ କହିଥିଲେ।

ଡକ୍ଟର ମିଶ୍ର ଜୋର ଦେଇ କହିଥିଲେ, ଏଭଳି ପରିସ୍ଥିତିରେ ଆଇଆଇଟି ଧନବାଦର ବିଶେଷ ଦାୟିତ୍ୱ ରହିଛି । ଆଧୁନିକ ପରୀକ୍ଷାଗାର, ସୁପରକମ୍ପ୍ୟୁଟିଂ କ୍ଲଷ୍ଟର, ଭୂକମ୍ପ ପର୍ଯ୍ୟବେକ୍ଷଣାଗାର ଏବଂ ଏକ ବିସ୍ତାରିତ ଇନକ୍ୟୁବେସନ ଇକୋସିଷ୍ଟମ ସହିତ ଏହି ପ୍ରତିଷ୍ଠାନ ଜାତୀୟ ପ୍ରାଥମିକତାରେ ଯୋଗଦାନ ଦେବା ପାଇଁ ଭଲ ଭାବରେ ଅବସ୍ଥିତ। ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ ଅଧୀନରେ ଉତ୍କର୍ଷ କେନ୍ଦ୍ର ଭାବରେ ଏହି ପ୍ରତିଷ୍ଠାନକୁ ମାନ୍ୟତା ମିଳିବାଣ ଭାରତର ଗୁରୁତ୍ୱପୂର୍ଣ୍ଣ ଖଣିଜ ରଣନୀତିକୁ ଗଠନ କରିବାର କ୍ଷମତାରେ ଜାତୀୟ ବିଶ୍ୱାସକୁ ପ୍ରତିଫଳିତ କରେ ବୋଲି ସେ କହିଥିଲେ ପ୍ରମୁଖ ସଚିବ ଏହି ପ୍ରତିଷ୍ଠାନକୁ ଜନସ୍ୱାର୍ଥରେ ଗବେଷଣାକୁ ଉପଯୋଗ କରିବା ସହିତ ଜଳବାୟୁ, ଖଣିଜ ପଦାର୍ଥ, ଶକ୍ତି ପରିବର୍ତ୍ତନ, ସାମଗ୍ରୀ ଏବଂ ଉନ୍ନତ ଉତ୍ପାଦନ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ଯାନ୍ତ୍ରିକ ଦକ୍ଷତା ଆବଶ୍ୟକ କିନ୍ତୁ ଯଥେଷ୍ଟ ନୁହେଁ। ଇଚ୍ଛାଶକ୍ତି, ଦଳଗତ କାର୍ଯ୍ୟ, ନମ୍ରତା ଏବଂ ନୈତିକତା ଅନୁରୂପ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ। ଜାତୀୟ ଲକ୍ଷ୍ୟ ହାସଲ ପାଇଁ ସାମୂହିକ ପ୍ରୟାସ, ସ୍ୱଚ୍ଛତା ଏବଂ ସମ୍ମାନ ଜରୁରୀ ବୋଲି ସେ କହିଥିଲେ

ଡକ୍ଟର ମିଶ୍ର ଶେଷରେ କହିଥିଲେ, ଭାରତ ପାଖରେ ଏକ ସ୍ପଷ୍ଟ ଦୀର୍ଘକାଳୀନ ମାର୍ଗଦର୍ଶିକା ଏବଂ ଏହାକୁ ଅନୁସରଣ କରିବା ପାଇଁ ଢାଞ୍ଚା ରହିଥିବା ସମୟରେ ଆଇଆଇଟି ଧନବାଦ ଦ୍ୱିତୀୟ ଶତାବ୍ଦୀରେ ପ୍ରବେଶ କରୁଛି ବିକଶିତ ଭାରତ 2047ଢାଞ୍ଚାଗତ ଶକ୍ତି ଏବଂ ଜାତୀୟ ଲକ୍ଷ୍ୟ ମଧ୍ୟରେ ସମନ୍ୱୟ ସ୍ପଷ୍ଟ। ଆଗାମୀ 25 ବର୍ଷ ଭାରତ ଅଧିକ ସକ୍ଷମ, ଗର୍ବିତ ଏବଂ ସମାନତାପୂର୍ଣ୍ଣ ରାଷ୍ଟ୍ର ଗଠନ ପାଇଁ କିପରି ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମାନବ ପୁଞ୍ଜିକୁ ବ୍ୟବହାର କରିବ ତାହା ଏହି ଲକ୍ଷ୍ୟକୁ ସାକାର ରୂପ ଦେବ ବୋଲି ସେ କହିଥିଲେସମାବେଶକୁ ସମ୍ବୋଧିତ କରିବାର ସୁଯୋଗ ଦେବା ପାଇଁ ସେ ନିର୍ଦ୍ଦେଶକ ପ୍ରଫେସର ସୁକୁମାର ମିଶ୍ର ଏବଂ ଆୟୋଜକ ଦଳକୁ ଧନ୍ୟବାଦ ଜଣାଇଥିଲେ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରମାନଙ୍କୁ ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଡକ୍ଟର ମିଶ୍ର ଶୁଭକାମନା ଜଣାଇଥିଲେ।

 

*********

PS/Swadhin/Manoj


(रिलीज़ आईडी: 2198241) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Gujarati , Malayalam