ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜସ୍ଥାନ ବଂଶୱାରାରେ ବିଭିନ୍ନ ବିକାଶମୂଳକ କାମର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
प्रविष्टि तिथि:
25 SEP 2025 6:11PM by PIB Bhubaneshwar
ମା ତ୍ରିପୁରା ସୁନ୍ଦରୀ କି ଜୟ, ବେଣେଶ୍ୱର ଧାମ କି ଜୟ । ମନଗଡ ଧାମ କି ଜୟ । ଆପଣମାନଙ୍କୁ ସମସ୍ତଙ୍କୁ ଜୟଗୁରୁ । ରାମ ରାମ । ମହାମହିମ ରାଜ୍ୟପାଳ ହରିଭାଉ ବାଗାଡେ ଜି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉଭଣୀ ବସୁନ୍ଧରା ରାଜେ ଜୀ, ମୋର କ୍ୟାବିନେଟ ବନ୍ଧୁ ପ୍ରହ୍ଲାଦ ଯୋଶୀ ଜୀ, ଗଜେନ୍ଦ୍ର ସିଂ ଶେଖାୱତ ଜୀ, ଯୋଧପୁରରୁ ଅଶ୍ୱିନୀ ବୈଷ୍ଣବ ଜୀ, ବିକାନେରରୁ ଅର୍ଜୁନ ରାମ ମେଘୱାଲ ଜୀ, ଉପ ମୁଖ୍ୟମନ୍ତ୍ରୀ ପ୍ରେମଚନ୍ଦ ବଇରୱା ଜୀ, ଦୀୟା କୁମାରୀ ଜୀ, ବିଜେପି ରାଜ୍ୟ ସଭାପତି ମଦନ ରାଠୋରଜୀ, ରାଜସ୍ଥାନର ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ଅନ୍ୟ ମାନ୍ୟ ଗଣ୍ୟ ଉପସ୍ଥିତ ବରେଣ୍ୟ ବ୍ୟକ୍ତିବୃନ୍ଦ ଓ ଭାଇ ଓ ଉଭଣୀମାନେ ।
ନବରାତ୍ରର ଏହି ଚତୁର୍ଥ ଦିନରେ ମୋର ସୌଭାଗ୍ୟ ଯେ ବଂଶୱାରା ଆସିବାରେ ମା ତ୍ରିପୁରା ସୁନ୍ଦରୀ ମୋ ପ୍ରତି ସଦୟ ହୋଇଛନ୍ତି । ମା ମାହି ଯିଏ କଂଥାନ ଓ ଭାଗଡର ମା ଗଙ୍ଗା ଦେବୀ ରୂପେ ପୂଜା ପାଆନ୍ତି ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋତେ ବି ମିଳିଛି । ମାହି ନଦୀର ପାଣି ବି ଆମ ଆଦିବାସୀ ଭାଇ ଉଭଣୀମାନଙ୍କ ସଂଘର୍ଷର କାହାଣୀ କହିଥାଏ । ମହାନ ସାଧକ ଗୋବିନ୍ଦ ଗୁରୁଜୀଙ୍କର ପ୍ରେରଣାଦାୟୀ କାହାଣୀ ମନ ଭିତରେ ଦେଶପ୍ରେମ ଜାଗ୍ରତ କରେ । ମାହି ନଦୀର ଜଳ ବି ସେହି ମହାନ ଗାଥାକୁ ସୂଚାଇଥାଏ । ଅତ୍ୟନ୍ତ ବିନମ୍ର ସହକାରେ ମୁଁ ମାଆ ତ୍ରିପୁରା ସୁନ୍ଦରୀ ଓ ମାଆ ମାହିଙ୍କୁ ପ୍ରଣାମ କରୁଛି ।
ବନ୍ଧୁଗଣ,
ଭକ୍ତି ଓ ଶୌର୍ଯ୍ୟର ଏହି ଭୂମିରୁ ମୁଁ ମହାରଣା ପ୍ରତାପ ଓ ରାଜା ବଂଶୀୟ ଭିଲଙ୍କୁ ପ୍ରଣାମ କରୁଛି ।
ବନ୍ଧୁଗଣ,
ନବରାତ୍ରରେ ଶକ୍ତିର ନଅ ରୂପକୁ ଆମେ ଆରାଧନା କରିଥାଉ । ଊର୍ଜ୍ଜା ଶକ୍ତି ପରାକାଷ୍ଠାର ଆଜି ଏକ କାର୍ଯ୍ୟକ୍ରମ ହେଉଛି । ତାହା ହେଉଛି ବିଜୁଳି ଉତ୍ପାଦନ । ଭାରତୀୟ ଊର୍ଜ୍ଜା ଶକ୍ତିର ଏକ ନୂଆ ଅଧ୍ୟାୟ ଆଜିଠାରୁ ଲେଖା ହେବ । ୯୦ ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଶକ୍ତି ପ୍ରକଳ୍ପ ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ଆଜି ଲୋକାର୍ପିତ ହୋଇଛି । ୯୦ ହଜାର କୋଟି ଊର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ଶକ୍ତି ପ୍ରକଳ୍ପର ଲୋକାର୍ପଣ ସୂଚାଉଛି ଯେ, ଶକ୍ତିର ବେଗରେ ଭାରତବର୍ଷ ଅଗ୍ରଗତି କରୁଛି । ପ୍ରତିଟି ରାଜ୍ୟକୁ ସମାନ ଗୁରୁତ୍ୱ ଦିଆଯାଉଛି । ରାଜସ୍ଥାନରେ ବି ସ୍ୱଚ୍ଛ ଇନ୍ଧନ ଶକ୍ତି ପ୍ରକଳ୍ପର ମୂଳଦୁଆ ପଡିଛି ଓ ଟ୍ରାନ୍ସମିଶନ ଲାଇନ ବି ବିଛାଯାଇଛି । ବଂଶୱାରାରେ ବି ରାଜସ୍ଥାନ ଆଣବିକ ଶକ୍ତି ପ୍ରକଳ୍ପ ଉଦଘାଟିତ ହୋଇଛି । ଗୋଟିଏ ସୌର ଶକ୍ତି ପ୍ରକଳ୍ପ ବି ଉଦଘାଟିତ ହୋଇଛି । ଏହା ସୂଚାଉଛି ଯେ, ଆମ ଦେଶ ଊର୍ଜ୍ଜା କ୍ଷେତ୍ରରେ ଦି ପାଦ ଆଗେଇପାରିଛି । ସୌର ଶକ୍ତିରୁ ଆମେ ଆଣବିକ ଶକ୍ତି ପର୍ଯ୍ୟାୟକୁ ଉନ୍ନୀତ ହୋଇଛେ ।
ବନ୍ଧୁଗଣ,
ଯାନ୍ତ୍ରିକ ବିଦ୍ୟା ଓ ଶିଳ୍ପର ଯୁଗରେ ବିକାଶର ଚକା କେବଳ ବିଜୁଳି ଉପରେ ନିର୍ଭର କରେ । ଆଉ ଯେଉଁଠି ବିଜୁଳି ସେଇଠି ଆଲୁଅ । ଯଦି ବିଜୁଳି ରହିଛି ତେବେ ବିକାଶ ଅଛି । ବିଜୁଳି ଥିଲେ ଦୂରତା କମିଥାଏ । ଯଦି ଆଲୁଅ ଅଛି ତେବେ ସାରା ଦୁନିଆ ଆମ ହାତ ମୁଠାରେ ରହିଛି ।
କିନ୍ତୁ ମୋର ଭାଇ ଉଭଣୀମାନେ
କଂଗ୍ରେସ ସରକାର କେବେ ବି ନିଜ ଶାସନ କାଳରେ ବିଜୁଳିକୁ ଏତେଟା ଗୁରୁତ୍ୱ ଦେଇନଥିଲା । ଯେବେ ଆପଣ ମୋତେ ସେବା କରିବାକୁ ସୁଯୋଗ ଦେଲେ ୨୦୧୪ରେ ମୁଁ ଦାୟିତ୍ୱ ନେଲି । ସେତେବେଳେ ଅଢେଇ କୋଟି ଲୋକଙ୍କ ଘରେ ବିଜୁଳି ନଥିଲା । ଏପରିକି ସ୍ୱାଧୀନତାର ୭୦ ବର୍ଷ ପରେ ବି ପ୍ରାୟ ୧୮ ହଜାର ଗାଁରେ ବିଜୁଳି ଖୁଂଟି ହିଁ ନାହିଁ । ବଡ ବଡ ସହରରେ ଘଂଟାଧିକ କାଳ ବିଜୁଳି ସରବରାହ ବନ୍ଦ ରୁହେ । ଗ୍ରାମାଂଚଳରେ ୪/୫ ଘଂଟା ବିଜୁଳି ସେବା ପାଇବା ବଡ କଥା । ସେତେବେଳେ ଲୋକେ ଥଟ୍ଟା କରୁଥିଲେ ଯେ କେବେ ବିଜୁଳି ଗଲା ତାହା ନ୍ୟୁଜ ନୁହେଁ ବରଂ କେତେବେଳେ ଆସିଲା ତାହା ହିଁ ନ୍ୟୁଜ । ଯଦି ଘଂଟାଟେ ଲାଗି ବିଜୁଳି ରହିଲା ତେବେ ଲୋକେ ପରସ୍ପରକୁ କୃତଜ୍ଞତା ଜ୍ଞାପନ କରୁଥିଲେ । ସେତେବେଳେ ତାହା ହିଁ ଅବସ୍ଥା ଥିଲା । ବିଜୁଳି ବିନା ଫ୍ୟାକ୍ଟ୍ରି ଚାଲିପାରୁନଥିଲା । ନୂଆ ନବୀନ ଶିଳ୍ପ ବି ପ୍ରତିଷ୍ଠା ହେଉନଥିଲା । ରାଜସ୍ଥାନର ସେତେବେଳେ ଏହା ଅବସ୍ଥା ଥିଲା । ତାହା ଅନ୍ୟ ଜାଗାରେ ବି ଦେଖିବାକୁ ମିଳୁଥିଲା ।
ଭାଇ ଓ ଭଉଣୀ ମାନେ,
୨୦୧୪ରେ ଆମ ସରକାର ଏଭଳି ଚିତ୍ର ପରିବର୍ତନ କରିବାକୁ ବଦ୍ଧ ପରିକର ହେଲା । ଦେଶର ପ୍ରାୟ ଗ୍ରାମରେ ଆମେ ବିଜୁଳି ଆଣିପାରିବାରେ ସମର୍ଥ ହେଲୁ । ଅଡେଇ କୋଟି ଲୋକଙ୍କ ଘରକୁ ଆମେ ମାଗଣା ବିଜୁଳି ସଂଯୋଗ କରିପାରିଛୁ । ଯେଉଁ ଯାଏ ତାର ବିଚ୍ଛୁରିତ ହୋଇ ପଡିଲା ସେଠି ବିଜୁଳି ପହଂଚିଲା । ଜୀବନ ସହଳ ହେଇଗଲା । ନୂଆ ଶିଳ୍ପ ଆସିଲା ।
ବନ୍ଧୁଗଣ,
ଏକବିଂଶ ଶତାବ୍ଦୀରେ ଯେକୌଣସି ଦେଶ ବିକାଶ କରିବାକୁ ଚାହେଁ ତେବେ ତାକୁ ବିଜୁଳି ଉତ୍ପାଦନ ବଢାଇବାକୁ ପଡିବ । ସ୍ୱଚ୍ଛ ଶକ୍ତି ଲାଗି ବିଶେଷ ଭାବେ ଖ୍ୟାତ ଦେଶଗୁଡିକ ଏବେ ଉପକୃତ ହେବେ । ସେଥିପାଇଁ ଆମ ସରକାର ସ୍ୱଚ୍ଛ ଶକ୍ତି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରେଇପାରିଛନ୍ତି । ଆମେ ପିଏମ ସୂର୍ଯ୍ୟ ଘର ମୁଫତ ବିଜଲି ଯୋଜନା ଆମେ ଶୁଭାରମ୍ଭ କରିଛୁ । ଏହି ଯୋଜନା ଅଧୀନରେ ସହର ଓ ଗ୍ରାମାଂଚଳରେ ସୋଲାର ପ୍ୟାନେଲ ବସାଯାଉଛି । ପିଏମ କୁସୁମ ଯୋଜନା ଅଧୀନରେ ଚାଷୀର ଅମଳ ଜାଗାରେ ସୋଲାର ପମ୍ପ ବସାଯାଉଛି ।
ଅନେକ ରାଜ୍ୟରେ ବିଭିନ୍ନ ସୋଲାର ପ୍ରକଳ୍ପ ଉଦଘାଟିତ ହୋଇଛି । ଏହା ସିଧା ସିଧା ଲକ୍ଷାଧିକ ଚାଷୀଙ୍କୁ ଫାଇଦା ଦେବ । ପିଏମ ସୂର୍ଯ୍ୟ ଘର ଯୋଜନା ଅଦୀନରେ ଘରକୁ ମାଗଣା ବିଜୁଳି ଓ ପିଏମ କୁସୁମ ଯୋଜନାରେ ଖେତକୁ ମାଗଣା ବିଜୁଳି ଯୋଗାଣ କରାଯିବ । ନିକଟରେ ପିଏମ କୁସୁମ ଯୋଜନାର କିଛି ହିତାଧିକାରୀଙ୍କ ସହ ମୁଁ କଥା ହୋଇଥିଲି । ମହାରାଷ୍ଟ୍ରର କିଛି ହିତାଧିକାରୀଙ୍କ ଅନୁଭୂତି ବାସ୍ତବିକ ପ୍ରଶଂସନୀୟ । ସୌର ଶକ୍ତିରୁ ମାଗଣାରେ ବିଜୁଳି ପ୍ରାପ୍ତି ସେମାନଙ୍କ ଲାଗି ଏକ ବିରାଟ ଆଶୀର୍ବାଦ ।
ବନ୍ଧୁଗଣ,
ବିକଶିତ ହେବାରେ ଭାରତ ଦ୍ରୁତ ଅଗ୍ରଗତି କରୁଛି । ଏଥିରେ ରାଜସ୍ଥାନର ବଡ ଦାୟିତ୍ୱ ରହିଛି । ରାଜସ୍ଥାନ ଲୋକଙ୍କ ଲାଗି ଆଜି ୩୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ ହୋଇଛି । ଜଳ, ବିଜୁଳି ଓ ସ୍ୱାସ୍ଥ୍ୟ ପରି ବିଭିନ୍ନ କ୍ଷେତ୍ରରେ ଆପଣମାନଙ୍କ ଲାଗି ସୁବିଧା ହୋଇଛି । ବନ୍ଦେ ଭାରତକୁ ମିଶାଇ ତିନିଟି ଟ୍ରେନର ଶୁଭାରମ୍ଭ ମୁଁ କରିଛି । ସାରା ଦେଶରେ ଏବେ ନିଯୁକ୍ତି ସୁଯୋଗର ହାୱା ଚାଲିଛି । ଏହି କ୍ରମରେ ରାଜସ୍ଥାନରେ ଆଜି ପ୍ରାୟ ୧୫ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ନିଜ ନିଜ ଜୀବନର ଏହି ସୋପାନ ପାଇଁ ସମସ୍ତଙ୍କୁ ଅଭିବାଦନ ଜ୍ଞାପନ କରୁଛି । ଏସବୁ ବିକାଶମୂଳକ କାର୍ଯ୍ୟକ୍ରମ ଲାଗି ମୁଁ ରାଜସ୍ଥାନର ନାଗରିକମାନଙ୍କୁ ଧନ୍ୟବାଦ ଜଣାଉଛି ।
ବନ୍ଧୁଗଣ,
ରାଜ୍ୟର ସ୍ୱାର୍ଥ ସିଦ୍ଧି ଲାଗି ସାଧୁତା ଓ ସଚ୍ଚୋଟତାର ସହ ରାଜ୍ୟ ସରକାର କାମ କରୁଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି । କଂଗ୍ରେସ ଶାସନ କାଳରେ ଯେଉଁ ଲୁଟ ରୂପକ କ୍ଷତ ହୋଇଥିଲା ତାକୁ ବିଜେପି ରାଜ୍ୟ ସରକାର ଭଲ କରୁଛନ୍ତି । କଂଗ୍ରେସ ଶାସନ ସମୟରେ ରାଜସ୍ଥାନ ପେପର ଲିକ ରାଜ୍ୟ ଭାବେ ପରିଗଣିତ ହେଉଥିଲା । ଦୁର୍ନୀତି ପାଇଁ କେନ୍ଦ୍ର ଜଳ ଜୀବନ ମିଶନ ବି ଫେର ମାରିଲା । ମହିଳାଙ୍କ ଲାଗି ହିଂସା ଚରମ ସୀମାରେ ପହଂଚିଥିଲା । ବଳାତ୍କାରୀମାନେ ପୋଷା ଯାଉଥିଲେ । ବଂଶୱାରା, ଡୁଙ୍ଗରାପୁର, ପ୍ରତାପଗଡ ପରି ଅଂଚଳରେ ଦିନକୁ ଦିନ କଂଗ୍ରେସ ଶାସନ ସମୟରେ ହିଂସା ଓ ଚୋରା ମଦ କାରବାର ହେଉଥିଲା । ଆଉ ଯେବେ ଆପଣମାନେ ବିଜେପିକୁ ଶାସନ ଭାର ଦେଲେ ସେବେ ଆଇନ ଶୃଙ୍ଖଳା ପରିସ୍ଥିତି ସଜଡାଗଲା । ଭଲ ଭଲ ପ୍ରକଳ୍ପ ହାତକୁ ନିଆଯାଇ ଶୁଭାରମ୍ଭ କରାଗଲା । ଏବେ ସାରା ରାଜ୍ୟରେ ଏକ୍ସପ୍ରେସ ୱେ ଓ ହାଇ ୱେ ବିଛାଡି ହେଇ ପଡିଛି । ବିକାଶ ପଥରେ ଏବେ ଦକ୍ଷିଣ ରାଜସ୍ଥାନ ଦ୍ରୁତ ଗତିରେ ଆଗେଇ ଚାଲିଛି ।
ବନ୍ଧୁଗଣ,
ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କର ଆଜି ଜନ୍ମ ଦିନ । ଅନ୍ତୋଦୟ ମିଶନର ସେ ହେଉଛନ୍ତି ଉଦଗାତା । ସମାଜର ଶେଷ ଧାଡିରେ ଛିଡା ହୋଇଥିବା ମଣିଷର ଉତଥାନ ହେଉଛି ଅନ୍ତୋଦୟ ମିଶନ । ତାଙ୍କର ଅନ୍ତର୍ଦୃଷ୍ଟି ଆଜି ଆମର ଆଦର୍ଶରେ ପରିଣତ ହୋଇପାରିଛି । ଗରିବ, ଦଳିତ, ପଛୁଆ ବର୍ଗ, ଆଦିବାସୀଙ୍କ ଲାଗି ସେବା ମନୋଭାବ ନେଇ ଆମେ କାମ କରୁଛୁ । ସବକା ସାଥ ସବକା ବିକାଶ ମନ୍ତ୍ରରେ ଆମେ ଅଗ୍ରସର ହେଉଛୁ ।
ବନ୍ଧୁଗଣ,
ଆବଶ୍ୟକତାକୁ ଅଣଦେଖା କରି ଆଦିବାସୀ ସମ୍ପ୍ରଦାୟକୁ କଂଗ୍ରେସ ସବୁବେଳେ ଉପେକ୍ଷା କରିଆସୁଥିଲା । କେବଳ ବିଜେପି ସରକାର ଏମାନଙ୍କୁ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଖୋଲି ଏମାନଙ୍କ ସେବା କରିବା ଆରମ୍ଭ କରିଥିଲା । ଅଟଳଜୀଙ୍କ ସରକାର ଆସିବା ପରେ ଆଦିବାସୀ ମନ୍ତ୍ରଣାଳୟ ଖୋଲିଲା । ଏହା ପୂର୍ବରୁ କେତେ ନେତା ଯାଇଛନ୍ତି । ହେଲେ ଆଦିବାସୀଙ୍କ କଥା କେହି ଚିନ୍ତା କରିନଥିଲେ । କଂଗ୍ରେସ ଜମାନା ବେଳେ ଆଦିବାସୀ ଅଂଚଳରେ ଏସବୁ ପ୍ରକଳ୍ପ କଥା ଚିନ୍ତା କରାଯାଉନଥିଲା । କିନ୍ତୁ ବିଜେପି ସରକାର ଆସିବା ପରେ ଧୀରେ ଧୀରେ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏସବୁ ଉନ୍ନତିମୂଳକ କାମ ହେବା ଆରମ୍ଭ କଲା । ମଧ୍ୟପ୍ରଦେଶର ଧର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏବେ ଏବେ ଆମେ ପିଏମ ମିତ୍ର ପାର୍କ ଉଦଘାଟନ କରିଛୁ । ଏହି ପାର୍କ ପାଇଁ କଟନ ଚାଷୀ ବିଶେଷ ଭାବେ ଉପକୃତ ହୋଇପାରିବେ ।
ବନ୍ଧୁଗଣ,
କେବଳ ବିଜେପିର ଉଦ୍ୟମରେ ଦେଶର ଜଣେ ଆଦିବାସୀ ମହିଳା ସମ୍ମାନନୀୟା ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଆସନରେ ବସିପାରିଛନ୍ତି । ଆଦିବାସୀ ଅନୁନ୍ନତ ବର୍ଗର ଲୋକଙ୍କ ମଙ୍ଗଳ ଲାଗି ରାଷ୍ଟ୍ରପତି ମୁର୍ମୁ ହିଁ ଚିନ୍ତା କରିଥିଲେ । ତାଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଆମେ ପିଏମ ଜନମନ ଯୋଜନା ଆରମ୍ଭ କରିଥିଲୁ । ଏହି ଯୋଜନା ଅଧୀନରେ ସବୁଠାରୁ ଅଧିକା ଅଧ୍ୟୁଷିତ ଆଦିବାସୀମାନେ ବି ଫାଇଦା ପାଇଛନ୍ତି । ଧରତି ଅବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ମାଧ୍ୟମରେ ଆଦିବାସୀ ଗାଁଗୁଡିକର ଆଧୁନିକୀକରଣ କରାଯାଉଛି । ଲୋକେ ବିର୍ସା ମୁଣ୍ଡାଙ୍କୁ ଧରତି ଆବା ନାଁରେ ଜାଣିଛନ୍ତି । ଏହିି ଅଭିଯାନ ଦ୍ୱାରା ପ୍ରାୟ ୫ କୋଟି ଆଦିବାସୀ ଲୋକେ ଉପକୃତ ହୋଇପାରିବେ । ସାରା ଦେଶରେ ଶହ ଶହ ଏକଲବ୍ୟ ମଡେଲ ଆବାସିକ ସ୍କୁଲ ଖୋଲିପାରିଛି । ଜଙ୍ଗଲବାସୀ ତଥା ଅନୁନ୍ନତ ବର୍ଗର ଲୋକମାନଙ୍କ ଜଙ୍ଗଲ ଅଧିକାର ନେଇ ଆମେ ସଚେତନ ।
ବନ୍ଧୁଗଣ,
ହଜାର ହଜାର ବର୍ଷ ଧରି ଆମ ଆଦିବାସୀ ଭାଇ ଓ ଉଭଣୀମାନେ ଜଙ୍ଗଲ ସମ୍ପତିକୁ ବ୍ୟବହାର କରିଆସୁଛନ୍ତି । ଏହି ଜଙ୍ଗଲ ସମ୍ପତି ସେମାନଙ୍କର ବଂଚିବାର ମାଧ୍ୟମରେ ପରିଣତ ହେବାର ଲକ୍ଷ୍ୟ ରଖି ଆମେ ବନ ଧନ ଯୋଜନା ବି ଆରମ୍ଭ କରିଛୁ । ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆମେ ଏମଏସପି ବି ଧାର୍ଯ୍ୟ କରିଛୁ । ଜଙ୍ଗଲଜାତ ଦ୍ରବ୍ୟର ବଜାର ପ୍ରବେଶ ବି ଆମେ କରାଇଛୁ । ଫଳରେ ସାରା ଦେଶର ରେକର୍ଡ ସଂଖ୍ୟକ ଜଙ୍ଗଲଜାତ ଦ୍ରବ୍ୟ ଏବେ ବଜାରରେ ଉପଲବ୍ଧ ।
ବନ୍ଧୁଗଣ,
ଗର୍ବର ସହ ବଂଚିବାର ଅଧିକାର ଆମେ ଆମ ଆଦିବାସୀ ଭାଇ ଉଭଣୀମାନଙ୍କୁ ଦେଇଛୁ । ସେମାନଙ୍କର ବିଶ୍ୱାସ ଓ ଆତ୍ମ ସମ୍ମାନକୁ ଗୁରୁତ୍ୱ ଦେଇ ଆମେ ସେମାନଙ୍କ ସଂସ୍କୃତିକୁ ସୁରକ୍ଷା ଦେଇଛୁ ।
ବନ୍ଧୁଗଣ,
ଯେବେ ସାଧାରଣ ଆଦିବାସୀର ଜୀବନ ଶୈଳୀ ସରଳ ହୋଇଯାଏ ସେବେ ଦେଶର ବିକାଶର ଗତିର ନେତୃତ୍ୱ ନେବାକୁ ସେ ନିଜେ ପ୍ରସ୍ତୁତ ହୋଇଥାଏ । କଂଗ୍ରେସ ସମୟରେ ଏଗାର ବର୍ଷ ତଳେ ପରିସ୍ଥିତି ଖରାପ ଥିଲା । କାହିଁକି ଏପରି ଥିଲା । କାରଣ ଏହି ଦେଶର ଲୋକଙ୍କୁ ଶୋଷଣ କରିବାକୁ କଂଗ୍ରେସ ଶାସନ ଚାହୁଁଥିଲା । ସେହି ସମୟରେ ମୁଦ୍ରାସ୍ଫୀତି ଓ ଟିକସ ଆକାଶଛୁଆଁ ରହିଥିଲା । ଯେବେ ଆପଣ ମୋଦୀକୁ ଆଶୀର୍ବାଦ କଲେ ସେବେ ଦେଶକୁ କଂଗ୍ରେସ ଲୁଟରୁ ବିଜେପି ମୁକ୍ତ କରିପାରିଲା ।
ବନ୍ଧୁଗଣ,
ଆଉ ଏହି କାରଣରୁ ଆଜିକାଲି ସେମାନେ ମୋ ଉପରେ ଅତ୍ୟନ୍ତ ରାଗିଛନ୍ତି ।
ବନ୍ଧୁଗଣ,
୨୦୧୭ରେ ଜିଏଟି ପ୍ରବର୍ତନ କରି ଆମେ ଦେଶକୁ ଟିକସ ଓ ଟୋଲରୁ ମୁକୁଳାଇ ପାରିଲୁ । ନବରାତ୍ରର ପ୍ରଥମ ଦିନରୁ ହିଁ ଜିଏସଟିରେ ସଂସ୍କାର ଆସିପାରିଛି । ଫଳରେ ଆଜି ସାରା ଦେଶ ଜିଏସଟି ବଚତ ଉତ୍ସବ ପାଳନ କରିପାରୁଛି । ପ୍ରତିଦିନ ଘରେ ବ୍ୟବହାର ଉପଯୋଗୀ ବିଭିନ୍ନ ଦ୍ରବ୍ୟ ଆଜି ଶସ୍ତା ହୋଇପାରିଛି । ମୁଁ ଆସିବା ବେଳେ ଏଠାରେ ଉପସ୍ଥିତ ଥିବା ମା, ଉଭଣୀମାନେ ମୋତେ ହାତ ହଲେଇ ଆଶୀର୍ବାଦ କଲେ ।
ବନ୍ଧୁଗଣ,
୨୦୧୪ ପୂର୍ବରୁ ଆପଣ ଶହେ ଟଙ୍କାର ସାବୁନ, ସାମ୍ପୋ, ଟୁଥପେଷ୍ଟ କିମ୍ବା ଟୁଥ ପାଉଡର କିଣିଲେ ପ୍ରକୃତ ପକ୍ଷେ ଆପଣଙ୍କୁ ୧୩୧ ଟଙ୍କା ଦେବାକୁ ପଡୁଥିଲା । ୨୦୧୪ ପୂର୍ବରୁ ଏପରି ଅବସ୍ଥା ଥିଲା । କଂଗ୍ରେସ ଶାସନ ସମୟରେ ଶହେ ଟଙ୍କା କ୍ରୟରେ ୩୧ ଟଙ୍କା ଟିକସ ଦେବାକୁ ପଡୁଥିଲା । ୨୦୧୭ରେ ଆମେ ଯେବେ ଜିଏସଟି ପ୍ରଚଳନ କରିଲୁ ସେବେ ସେହି ସମାନ ଶହେ ଟଙ୍କାର ଜିନିଷକୁ ଆପଣଙ୍କୁ ୧୧୮ ଟଙ୍କା ଦେବାକୁ ପଡିଲା । ବିଜେପି ସରକାର ଅମଳରେ ଲୋକେ ଶହେ ଟଙ୍କା କ୍ରୟରେ ୧୩ ଟଙ୍କା ସଂଚୟ କରିପାରିଲେ । ୨୨ ସେପ୍ଟେମ୍ବରରେ ଜିଏସଟି ସରଳୀକରଣ ପରେ ଶହେ ଟଙ୍କାର ଜିନିଷ ଯାହା ଆଗରୁ ୧୩୧ ଟଙ୍କା ପଡୁଥିଲା ତାହା ଏବେ ପରିବର୍ତିତ ହୋଇ ମାତ୍ର ୧୦୫ ଟଙ୍କା ପଡିଲା । ମାତ୍ର ପାଂଚ ଟଙ୍କାର ଟିକସ ଦେବାକୁ ପଡିଲା । ୩୧ ଟଙ୍କାର ଟିକସରୁ ଏବେ ୫ ଟଙ୍କାର ମାତ୍ର ଟିକସ ଦେବାକୁ ପଡିଲା । କଂଗ୍ରେସ ଶାସନ ଅବସ୍ଥାକୁ ତୁଳନା କଲେ ବିଜେପି ଶାସନ ଅମଳରେ ଶହେ ଟଙ୍କାର ଜିନିଷ କ୍ରୟରେ ଲୋକେ ମାତ୍ର ୨୬ ଟଙ୍କା ସଂଚୟ କରିପାରୁଛନ୍ତି ।
ବନ୍ଧୁଗଣ,
ପାଦର ଚପଲ ସମସ୍ତଙ୍କର ଦରକାର । କଂଗ୍ରେସ ଶାସନ ସମୟରେ ଆପଣ ୫୦୦ ଟଙ୍କାର ଜୋତା କିଣିଲେ ଆପଣଙ୍କୁ ପ୍ରକୃତ ପକ୍ଷେ ୫୭୫ ଟଙ୍କା ଦେବାକୁ ପଡୁଥିଲା । ୫୦୦ ଟଙ୍କାର କାରବାରରେ କଂଗ୍ରେସ ସରକାର ୭୫ ଟଙ୍କା ଟିକସ ଗ୍ରହଣ କରୁଥିଲେ । ଜିଏଟି ପ୍ରଚଳନ ପରେ ଏହି ଟିକସ ୧୫ ଟଙ୍କା କମିଗଲା । ଆଉ ଜିଏଟି ସରଳୀକରଣ ପରେ ଏହି ଟକସ ଖସି ଖସି ମାତ୍ର ୫୦ ଟଙ୍କାରେ ସୀମିତ ରହିଲା । ଟିକସ ସ୍ଲାବରେ ପରିବର୍ତନ କରାଗଲା । ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ସ୍ଲାବରେ ପରିବର୍ତନ ଆସି ଏହା ୨୫୦୦କୁ ବଢିଲା ।
ବନ୍ଧୁଗଣ,
ସାଧାରଣ ପରିବାର ସ୍କୁଟର କିମ୍ବା ମୋଟର ସାଇକେଲ କିଣିବାର ସ୍ୱପ୍ନ ଦେଖେ । କଂଗ୍ରେସ ସମୟରେ ସ୍ୱପ୍ନରେ ସୁଦ୍ଧା ଭାବିବା ଏହା ସମ୍ଭବ ନଥିଲା । ୬୦ ହଜାର ଟଙ୍କିଆ ବାଇକ କିଣିଲେ ୧୯ ହଜାର ଟଙ୍କା କଂଗ୍ରେସ ଚାର୍ଜ କରୁଥିଲା । ୨୦୧୭ରେ ଆମେ ଯେବେ ଜିଏସଟି ପ୍ରଚଳନ କରିଲୁ ସେବେ ଟିକସ ଦୁଇ ହଜାରରୁ ଅଢେଇ ହଜାର ଟଙ୍କା ହ୍ରାସ ଘଟିଲା । ଆଉ ୨୨ ସେପ୍ଟେମ୍ବର ପରଠାରୁ ଆରମ୍ଭ ହୋଇଥିବା ସରଳୀକରଣ ପରେ ୬୦ ହଜାର ଟଙ୍କାରେ ମାତ୍ର ଆପଣଙ୍କୁ ୧୦ ହଜାର ଟଙ୍କା ଟିକସ ଦେବାକୁ ପଡୁଛି । ୨୦୧୪ ଅବସ୍ଥାକୁ ତୁଳନା କଲେ ବ୍ୟକ୍ତିଟିଏ ଏବେ ନଅ ହଜାର ଟଙ୍କାର ଫାଇଦା ପାଉଛି ।
ବନ୍ଧୁଗଣ,
କଂଗ୍ରେସ ଶାସନ ସମୟରେ ଘରଟିଏ ତୋଳିବା କାଠିକର ଥିଲା । ୩୦୦ ଟଙ୍କିଆ ସିମେଂଟ ବ୍ୟାଗରେ କଂଗ୍ରେସ ସରକାର ୯୦ ଟଙ୍କାରୁ ଅଧିକ ଟିକସ ନେଉଥିଲା । ୨୦୧୭ରେ ଜିଏସଟି ଆସିବା ପରେ ଟିକସରେ ୧୦ ଟଙ୍କା ହ୍ରାସ ପାଇଲା । ଆଉ ୨୨ ସେପ୍ଟେମ୍ବର ସଂସ୍କାର ପରେ ସେହି ସମାନ ବ୍ୟାଗରେ ଆମକୁ ୫୦ ପ୍ରତିଶତ ଟିକସ କମ ମିଳୁଛି । ୨୦୧୪ ତୁଳନାରେ ଏବେ ଆମେ ପ୍ରତି ବ୍ୟାଗରେ ୪୦ ଟଙ୍କା ସଂଚୟ କରିପାରୁଛେ । ଏହାର ଅର୍ଥ ହେଲା କଂଗ୍ରେସ ଶାସନ ସମୟରେ ଲୁଟ ଚାଲୁଥିବା ବେଳେ ବିଜେପି ଅମଳରେ କେବଳ ସଂଚୟ ହୋଇପାରୁଛି । ଆଉ ସେଥିପାଇଁ ସାରା ଦେଶ ଏବେ ଜିଏସଟି ସଂଚୟ ଉତ୍ସବ ପାଳନ କରୁଛି ।
କିନ୍ତୁ ଭାଇ ଓ ଉଭଣୀମାନେ,
ଯେବେ ଜିଏସଟି ସଂଚୟ ଉତ୍ସବ ଚାଲୁଛି ସେବେ ଆମେ ଆତ୍ମ ନିର୍ଭର ଭାରତ କଥା ମନେ ରଖିବାକୁ ପଡିବ । ଅନ୍ୟ ଉପରେ ନିର୍ଭରଶୀଳ ହେବା ପ୍ରବୃତି ଆମେ ଛାଡିବା ଉଚିତ । ଏଥିରେ ସ୍ୱଦେଶୀ ମନ୍ତ୍ର ସଂଗୋପିତ ରହିଛି । ରାଜସ୍ଥାନ ସମେତ ମୋତେ ଶୁଣୁଥିବା ଦେଶବାସୀଙ୍କୁ ମୁଁ କହିବାକୁ ଚାହେଁ ଯେ, ଆମେ ସ୍ୱଦେଶୀ ବିକ୍ରୟ କରିବା କଥା । ମୁଁ ଦେଶର ନାଗରିକମାନଙ୍କୁ ବି କହିବାକୁ ଚାହେଁ ଯେ ସେମାନେ ବି ସ୍ୱଦେଶୀ ଜିନିଷ କିଣିବା ଉଚିତ । ମୋ ମତରେ ସ୍ୱଦେଶୀର ସଂଜ୍ଞା ବହୁତ ସରଳ । କମ୍ପାନୀ ଓ ବ୍ରାଣ୍ଡ ଅଲଗା ଦେଶର ହୋଇପାରେ କିନ୍ତୁ ଏହା ଆମ ସ୍ୱଦେଶରେ ତିଆରି ହୋଇଥିବା ଆବଶ୍ୟକ । ସେଥିପାଇଁ ପ୍ରାୟ ଦୋକାନୀଙ୍କୁ ନିଜ ଦୋକାନ ଆଗରେ ସ୍ୱଦେଶୀ ବୋର୍ଡଟିଏ ଲଗାଇବା ଦରକାର ବୋଲି ମୁଁ କହେ । ଆପଣ ସ୍ୱଦେଶୀ ଜିନିଷ କିଣିଲେ ସେହି ଅର୍ଥ ଆମ କାରିଗର, ବ୍ୟବସାୟୀଙ୍କ ପାଖକୁ ଯାଇଥାଏ । ସେହି ପଇସା ବିଦେଶ ଯାଇନପାରି ଆମ ଦେଶରେ ଖର୍ଚ୍ଚ ହୋଇଥାଏ । ସ୍ୱଦେଶୀ ଜିନିଷର ପଇସାରେ ରାସ୍ତାଘାଟ, ସ୍କୁଲ, ହସ୍ପିଟାଲ, ଗରିବ ଲୋକଙ୍କ ପାଇଁ ଘର ତୋଳା ହୁଏ । ତେବେ ଏହି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱଦେଶୀ ଜିନିଷ କ୍ରୟ କରିବାକୁ ମୁଁ ଆହ୍ୱାନ କରୁଛି । ବିକାଶ ଓ ନିଯୁକ୍ତି ସମ୍ବନ୍ଧିତ ଅନେକ ପ୍ରକଳ୍ପ ଲାଗି ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି । ବହୁତ ବହୁତ ଧନ୍ୟବାଦ । ଦୃଢ କଣ୍ଠରେ ମୋ ସହ କୁହନ୍ତୁ – ଭାରତ ମାତାଙ୍କର ଜୟ ହେଉ । ଭାରତ ମାତା କୀ ଜୟ । ଭାରତ ମାତା କୀ ଜୟ । ଭାରତ ମାତା କୀ ଜୟ । ବହୁତ ବହୁତ ଧନ୍ୟବାଦ ।
PBD
(रिलीज़ आईडी: 2185342)
आगंतुक पटल : 25
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam