ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସାମ ଗୋଲାଘାଟରେ ପଲିପ୍ରପଲିନ ପ୍ଲାଂଟ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Posted On:
14 SEP 2025 5:16PM by PIB Bhubaneshwar
ଭାରତ ମାତାଙ୍କର ଜୟ ହେଉ । ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, କେନ୍ଦ୍ର କ୍ୟାବିନେଟ ସହଯୋଗୀ ସର୍ବାନନ୍ଦ ସୋନୱାଲ, ହରଦୀପ ସିଂ ପୁରୀ, ରାଜ୍ୟ ସରକାରଙ୍କ ମନ୍ତ୍ରିବର୍ଗ, ସାଂସଦ, ବିଧାୟକ ବନ୍ଧୁ, ଏଇଠି ଅଧିକ ସଂଖ୍ୟାରେ ସମବେତ ଭାଇ ଓ ଉଭଣୀମାନେ ।
ବନ୍ଧୁଗଣ,
ଗତ ଦୁଇ ଦିନ ହେବ ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ମୁଁ ଥିଲି । ଅଭୂତପୂର୍ବ ଭଲ ପାଇବା ଓ ଆଶୀର୍ବାଦ ମୁଁ ଗ୍ରହଣ କରିପାରିଛି । ବିଶେଷକରି ଆସାମର ଏହି ଅଂଚଳର ଲୋକଙ୍କ ଭଲ ପାଇବା ବାସ୍ତବରେ ଅଭୂତପୂର୍ବ । ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।
ବନ୍ଧୁଗଣ,
ବିକଶିତ ଆସାମ ଓ ବିକଶିତ ଭାରତର ଜୟଯାତ୍ରା ଲାଗି ଆଜିର ଦିନଟି ଗୁରୁତ୍ୱ ବହନ କରେ । ଆଜି ଆସାମ ୧୮ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଛି । କିଛି ସମୟ ପୂର୍ବରୁ ମୁଁ ଦାରଙ୍ଗରେ ଥିଲି । ସେଠାରେ ଯୋଗାଯୋଗ ଓ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡିକର ମୁଁ ଶିଳାନ୍ୟାସ କଲି । ଊର୍ଜ୍ଜା ନିରାପତା ନେଇ ଏବେ ପ୍ରକଳ୍ପ ଲୋକାର୍ପିତ ହୋଇସାରିଛି । ଏପ୍ରକାର ବହୁ ପ୍ରକଳ୍ପ ଆଗାମୀ ଦିନରେ ସାକାର ହୋଇ ଆସାମର କାମରେ ଲାଗିବ ।
ବନ୍ଧୁଗଣ,
ଭାରତର ଊର୍ଜ୍ଜା କ୍ଷେତ୍ରକୁ ବୃଦ୍ଧି କରିପାରୁଥିବା ରାଜ୍ୟ ହେଲା ଆସାମ । ଏଠାରେ ପ୍ରସ୍ତୁତ ହେଉଥିବା ପେଟ୍ରୋଲିୟମ ଉତ୍ପାଦ ସାରା ଦେଶର କାମରେ ଲାଗୁଛି । ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏହାକୁ ଆଗକୁ ନେବେ । ଏହି ମଂଚକୁ ଆସିବା ପୂର୍ବରୁ ପାଖରେ ରହିଥିବା ଆଉ ଏକ ସ୍ଥାନକୁ ମୁଁ ଯାଇଥିଲି । ବାଉଁଶରୁ ତିଆରି ହେଉଥିବା ବାୟୋ ଇଥାନଲ ଏକ ଆଧୁନିକ କାରଖାନା ସେହିସ୍ଥାନରେ ଲୋକାର୍ପିତ ହେଲା । ଏହା ଆସାମ ଲାଗି ଗର୍ବରୁ ବିଷୟ । ଇଥାନଲ ପ୍ଲାଂଟର ଲୋକାର୍ପଣ ପରେ ଏବେ ଏଠାରେ ପଲିପ୍ରପଲିନ ପ୍ଲାଂଟର ଶିଳାନ୍ୟାସ କରାଗଲା । ଏପ୍ରକାର ପ୍ଲାଂଟ ଦ୍ୱାରା ଆସାମର ଶିଳ୍ପ କ୍ଷେତ୍ରରେ ଉନ୍ନତି ହେଲା । ରାଜ୍ୟର ବିକାଶର ଧାରାକୁ ଦ୍ୱିଗୁଣିତ କରିବ । ଚାଷୀ, ଯୁବକ ଓ ଅନ୍ୟମାନଙ୍କ ଲାଗି ଏହା ନୂଆ ସୁଯୋଗ ସୃଷ୍ଟି କରିବ । ଏପ୍ରକାର ପ୍ରକଳ୍ପ ଲାଗି ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।
ବନ୍ଧୁଗଣ,
ଆଜି ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ । ଭାରତ ବିକଶିତ ହେଉଛି । ବିଜୁଳି, ଗ୍ୟାସ, ତେଲ ଲାଗି ଆମର ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି । ଏସବୁ ଜିନିଷ ଲାଗି ଆମେ ବିଦେଶ ଉପରେ ନିର୍ଭର କରୁଛୁ । ଏଥିଲାଗି ପ୍ରତିବର୍ଷ ଭାରତ କୋଟି କୋଟି ଟଙ୍କା ଦେଉଛି । ଆମ ଅର୍ଥ ସେଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ସେଠାରେ ରହୁଥିବା ଲୋକମାନଙ୍କ ରୋଜଗାର ବଢାଉଛି । ଏପ୍ରକାର ଦୃଶ୍ୟପଟ୍ଟର ପରିବର୍ତନ ଲୋଡା । ଊର୍ଜ୍ଜା କ୍ଷେତ୍ରରେ ରହିଥିବା ଆବଶ୍ୟକତାକୁ ପୂରଣ କରିବା ଲାଗି ଆତ୍ମ ନିର୍ଭରଶୀଳ ହେବା ଉଚିତ ।
ବନ୍ଧୁଗଣ,
ଗୋଟିଏ ପକ୍ଷରେ ଅଶୌଧିତ ତେଲ ଓ ଗ୍ୟାସର ଖଣି ନେଇ ଆମେ ଆମ ଦେଶରେ ଆବିଷ୍କାର କରୁଥିବା ବେଳେ ସବୁଜ ଊର୍ଜ୍ଜା ଦକ୍ଷତା ବୃଦ୍ଧି କରୁଛୁ । ଆପଣମାନେ ଲାଲକିଲ୍ଲାରୁ ସମୁଦ୍ର ମନ୍ଥନ କଥା ମୁଁ କହିଥିବା ଆପଣମାନେ ପ୍ରାୟ ଜାଣିଥିବେ । ବିଶାରଦମାନେ କୁହନ୍ତି ଯେ, ଆମ ସମୁଦ୍ର ବକ୍ଷରେ ବି ପ୍ରଚୁର ଗ୍ୟାସ ଓ ତେଲର ଖଣି ଥାଇପାରେ । ଏସବୁ ଖଣିକୁ ଦେଶ ଲାଗି କାର୍ଯ୍ୟକାରୀ ଓ ଆବିଷ୍କାର କରିବାକୁ ଆମେ ଖୁବଶୀଘ୍ର ଜାତୀୟ ଗଭୀର ଜଳ ଆବିଷ୍କାର ମିଶନ (ନେସନାଲ ଡିପ ୱାଟର ଏକ୍ସପ୍ଲୋରେସନ ମିଶନ) ଆରମ୍ଭ କରିବାକୁ ଯାଉଛୁ ।
ବନ୍ଧୁଗଣ,
ଗ୍ରୀନ ଏନର୍ଜି କ୍ଷେତ୍ରରେ ବି ଆମେ ଦ୍ରୁତ ପଦକ୍ଷେପ ନେଉଛୁ । ଗୋଟିଏ ଶତାବ୍ଦୀ ପୂର୍ବରୁ ସୌର ଶକ୍ତି କ୍ଷେତ୍ରରେ ଭାରତ ପଛୁଆ ରହିଥିଲା । କିନ୍ତୁ ଏବେ ଦୃଶ୍ୟପଟ୍ଟରେ ପରିବର୍ତନ ଆସି ସାରା ବିଶ୍ୱରେ ସୌରଶକ୍ତି କ୍ଷେତ୍ରରେ ଭାରତ ଏବେ ପଂଚମ ସ୍ଥାନରେ ରହିଛି ।
ବନ୍ଧୁଗଣ,
ଏହି ପରିବର୍ତନଶୀଳ ସମୟରେ ଗ୍ୟାସ ଓ ତେଲର ବିକଳ୍ପ ଭାବରେ ଭାରତ ଇନ୍ଧନ ଲାଗି ଉଦ୍ୟମ କରିବା ଦରକାର । ଏପରି ଏକ ବିକଳ୍ପ ହେଲା ଇଥାନଲ । ବାଉଁଶରୁ ଇଥାନଲ ତିଆରି କରିବାର ଏକ କାରଖାନାକୁ ଆଜି ଲୋକାର୍ପଣ କରାଗଲା । ଏହା ରାଜ୍ୟର ଚାଷୀ, ଆଦିବାସୀ ଭାଇ ଉଭଣୀମାନଙ୍କୁ ବେଶ ଫଳପ୍ରଦ ହେବ ।
ବନ୍ଧୁଗଣ,
ଏପରି ଇଥାନଲ ପ୍ଲାଂଟରେ ଆବଶ୍ୟକ ପଡିବାକୁ ଥିବା ବାଉଁଶ ପାଇଁ ବି ବ୍ୟବସ୍ଥା କରାଯାଇଛି । ବାଉଁଶ ଚାଷ କରିବାକୁ ଚାଷୀମାନଙ୍କୁ ସରକାର ବି ପ୍ରୋତ୍ସାହିତ କରିବେ । ବାଉଁଶ ଚିରି ପାତିଆ କରିବାକୁ ବି ଛୋଟ ଛୋଟ କେନ୍ଦ୍ର ଖୋଲାଯିବ । ଏହି କ୍ଷେତ୍ରରେ ପ୍ରତିବର୍ଷ ପ୍ରାୟ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଗୋଟିଏ ପ୍ଲାଂଟରୁ ହଜାର ହଜାର ଲୋକ ଉପକୃତ ହେବେ ।
ବନ୍ଧୁଗଣ,
ଆଜି ଆମେ ବାଉଁଶରୁ ଇଥାନେଲ ପ୍ରସ୍ତୁତ କରିବାକୁ ଯାଉଛୁ । କିନ୍ତୁ ଆପଣ ସେହି ସମୟ କଥା ଭୁଲନ୍ତୁ ନାହିଁ ଯେବେ କଂଗ୍ରେସ ସରକାର ବାଉଁଶ କାଟିଲେ ଲୋକଙ୍କୁ ଜେଲରେ ପୂରାଉଥିଲେ । ଆଦିବାସୀମାନଙ୍କର ଦୈନନ୍ଦିନ ଜୀବନ ସହ ସମ୍ପୃକ୍ତ ବାଉଁଶକୁ ଏକଦା କାଟିବାକୁ ବାରଣ କରାଯାଇଥିଲା । ଆମ ସରକାର ଏପ୍ରକାର ବାସନ୍ଦ ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି ଯାହା ଆଜି ଉତର-ପୂର୍ବ ରାଜ୍ୟର ଲୋକଙ୍କୁ ସୁଫଳ ଦେଉଛି ।
ବନ୍ଧୁଗଣ,
ଆଜିକାଲି ଆପଣମାନେ ପ୍ଲାଷ୍ଟିକର ପ୍ରାୟ ଜିନିଷ ବ୍ୟବହାର କରୁଛନ୍ତି । ପ୍ଲାଷ୍ଟିକ ବକେଟ, ମଗ, ବଲ, ଚେୟାର, ଟେବୁଲ, ପ୍ୟାକେଜିଂ ସାମଗ୍ରୀ ପରି ବିଭିନ୍ନ ପ୍ଲାଷ୍ଟିକଜାତ ସାମଗ୍ରୀ ଆମେ ପ୍ରତିଦିନ ବ୍ୟବହାର କରୁଛେ । ଆପଣମାନେ ଜାଣିଛନ୍ତି ଏପରି ପ୍ଲାଷ୍ଟିକ ସାମଗ୍ରୀ ଲାଗି ପଲି-ପ୍ରପଲିନର ଆବଶ୍ୟକତା ରହିଛି । ଆଜିକାଲିର ଜୀବନ ପଲି-ପ୍ରପଲିନ ବିନା ବଂଚିହେବ ନାହିଁ । କାର୍ପେଟ, ରୋପ, ବ୍ୟାଗ, ଫାଇବର, ମାସ୍କ, ମେଡିକାଲ କିଟ, ଟେକ୍ସଟାଇଲ ପରି ବିଭିନ୍ନ ଜିନିଷ ଏହି ପଲି-ପ୍ରପଲିନରୁ ଜନ୍ମିତ । ଏହା ଗାଡିରେ ବ୍ୟବହୃତ ହୋଇଥାଏ । ସ୍ୱାସ୍ଥ୍ୟ ଓ କୃଷି ଉପକରଣ ଲାଗି ଏହାକୁ ବ୍ୟବହାର କରାଯାଏ । ଆଜି ଆସାମରେ ଏପ୍ରକାର ପଲି-ପ୍ରପଲିନ ପ୍ଲାଂଟ ଆରମ୍ଭ ହେଲା । ଏହି ପ୍ଲାଂଟ ଦ୍ୱାରା ମେକ ଇନ ଆସାମ, ମେକ ଇନ ଇଣ୍ଡିଆର ମୂଳଦୁଆ ମଜବୁତ ହେବାକୁ ଯାଉଛି ।
ବନ୍ଧୁବର୍ଗ,
ଗୋମୋଷା, ଏରି, ମୁଗା ସିଲ୍କ ଲାଗି ଆସାମ ସୁପରିଚିତ । ସେହିପରି ପଲି-ପ୍ରପଲିନରୁ ପ୍ରସ୍ତୁତ ଟେକ୍ସଟାଇଲ କ୍ଷେତ୍ରରେ ବି ଆସାମ ତାର ପରିଚିତି ସୃଷ୍ଟି କରିବାକୁ ଯାଉଛି ।
ବନ୍ଧୁବର୍ଗ,
ଆତ୍ମ ନିର୍ଭରଶୀଳ ଭାରତ ଲାଗି ଦେଶ ଏବେ କଠିନ ପରିଶ୍ରମ କରୁଛି । ତେବେ ଏହି ଅଭିଯାନରେ ଆସାମ ସର୍ବାଗ୍ରେ ରହିଛି । ଆସାମର ଦକ୍ଷତା ଉପରେ ମୋର ଅଖଣ୍ଡ ବିଶ୍ୱାସ ରହିଛି । ଏକ ବଡ ମିଶନ ଲାଗି ଆମେ ଆସାମକୁ ଚୟନ କରିଛୁ । ଏହି ଅଭିଯାନ ହେଉଛି ସେମି କଣ୍ଡକ୍ଟର ମିଶନ । ଆସାମ ପ୍ରତି ରହିଥିବା ଏତେଟା ବିଶ୍ୱାସ ପଛରେ ବି ଏକ କାରଣ ରହିଛି । ଦାସତ୍ୱ ସମୟରେ ଆସାମ ଚା ଏତେଟା ଲୋକପ୍ରିୟ ହୋଇ ପାରିନଥିଲା । କିନ୍ତୁ ପରେ ସ୍ୱଳ୍ପ ସମୟ ଭିତରେ ଆସାମ ଲୋକେ ଏହାକୁ ନେଇ ସାରା ବିଶ୍ୱରେ ପରିଚୟ ସୃଷ୍ଟି କରିପାରିଲେ । ବର୍ତମାନ ଏକ ନୂଆପ୍ରକାର ଯୁଗ ଆରମ୍ଭ ହେଇଛି । ଆତ୍ମ ନିର୍ଭରଶୀଳ ହେବା ଲାଗି ଭାରତ ଏବେ ଦୁଇଟି ଜିନିଷ ଆବଶ୍ୟକ କରେ । ଗୋଟିଏ ହେଉଛିି ସେମି କଣ୍ଡକ୍ଟର ଓ ଆରଟି ହେଉଛି ଊର୍ଜ୍ଜା । ଏସବୁ କ୍ଷେତ୍ରରେ ଆସାମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରୁଛି ।
ବନ୍ଧୁଗଣ,
ଆଜି ପ୍ରତିଟି ଇଲେକ୍ଟ୍ରୋନିକ୍ସ ଜିନିଷ, ବ୍ୟାଙ୍କ କାର୍ଡରୁ ମୋବାଇଲ ଫୋନ, କାର, ଏୟାରପ୍ଲେନ, ସ୍ପେଶ ମିଶନ ସବୁଥିରେ ଗୋଟିଏ ଚିପରେ ସବୁ ଜିନିଷ ରହିପାରୁଛି । ଆମକୁ ଏସବୁ ଜିନିଷ ସ୍ୱଦେଶରେ କରିବାକୁ ପଡିବ । ଫଳରେ ଚିପ୍ସ ଆମର ବି ହେବ । ଯାହାଫଳରେ ଭାରତ ଏବେ ସେମି କଣ୍ଡକ୍ଟର ମିଶନ ଆରମ୍ଭ କରିଛି । ଆସାମକୁ ଏହାର ପ୍ରତିଷ୍ଠିତ କେନ୍ଦ୍ର ଭାବରେ ଛିଡା କରେଇପାରିଛି । ମୋରିଗାଓଁରେ ସେମି କଣ୍ଡକ୍ଟର ଫ୍ୟାକ୍ଟ୍ରି ଦ୍ରୁତ ଗତିରେ ଆଗେଇ ଚାଲିଛି । ଏବାବଦକୁ ୨୭ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯାହା ଆସାମ ଲାଗି ଏକ ଗର୍ବର କଥା ।
ବନ୍ଧୁଗଣ,
ଏହି ଦେଶକୁ କଂଗ୍ରେସ ବହୁ ସମୟ ଧରି ଶାସନ କରିଛି । ଏଠାରେ ଆସାମରେ ବି କଂଗ୍ରେସ ବହୁ ବର୍ଷ ଧରି ଶାସନ କରିଛି । କିନ୍ତୁ ଯେତେ ଦିନ ଯାଏ କଂଗ୍ରେସ ଶାସନ କରୁଥିଲା ସେତେଦିନ ଯାଏ ବିକାଶର ଧାରା ଧିମେଇ ଯାଇଥିଲା । ଐତିହ୍ୟ ବି ସଂକଟ ଦେଇ ଗତି କରୁଥିଲା । ବିଜେପିର ଡବଲ ଇଞ୍ଜିନ ସରକାର ଏବେ ରାଜ୍ୟର ସେହି ପୁରୁଣା ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଚାହୁଁଛନ୍ତି । ଆସାମ ଓ ଉତର-ପୂର୍ବ ରାଜ୍ୟକୁ କଂଗ୍ରେସ ବିଚ୍ଛିନ୍ନତାବାଦ, ହିଂସା, ବିବାଦ ଦେଇଛି । ବିକାଶ ଓ ଐତିହ୍ୟର ଧାରାକୁ ଅକ୍ଷୁଣ୍ଣ ରଖି ନୂଆ ବିଜେପି ସରକାର ଏବେ କାମ କରୁଛନ୍ତି । ଆମ ସରକାର ହିଁ ଆସାମ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇଛନ୍ତି । ନୂଆ ଶିକ୍ଷା ନୀତିକୁ ବିଜେପି ରାଜ୍ୟ ସରକାର ଲାଗୁ କରୁଥିବା ଜାଣି ମୁଁ ଅତ୍ୟନ୍ତ ଖୁସି । ଆଂଚଳିକ ଭାଷାରେ ଶିକ୍ଷାଦାନକୁ ବିଜେପି ସରକାର ପ୍ରୋତ୍ସାହନ ଦେଉଛନ୍ତି ।
ବନ୍ଧୁଗଣ,
ଉତର-ପୂର୍ବ ଓ ଆସାମର ମହାପୁରୁଷମାନଙ୍କୁ କଂଗ୍ରେସ ଶାସନ ସମୟରେ କେବେବି ଗୁରୁତ୍ୱ ଦିଆଯାଉନଥିଲା । ବୀର ଲସିତ ବରଫୁକାନଙ୍କ ପରି ମହାନୁଭବଙ୍କୁ କଂଗ୍ରେସ ଶାସନ ସମୟରେ ଗୁରୁତ୍ୱ ଦିଆଯାଉନଥିଲା । ଆମ ସରକାର ତାଙ୍କୁ ପୂଜ୍ୟପୂଜା କରି ସମ୍ମାନ ଦେଇଛି । ଜାତୀୟସ୍ତରରେ ଲସିତଙ୍କ ୪୦୦ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରାଯାଇଛି । ୨୩ଟି ଆଂଚଳିକ ଭାଷାରେ ପୁସ୍ତକ ପ୍ରକାଶିତ କରାଯାଇଛି । ଜୋରହାଟରେ ଆମେ ତାଙ୍କର ଏକ ବିଶାଳ ପ୍ରତିମୂର୍ତି ଅନାବରଣ କରିଛୁ । କଂଗ୍ରେସ ସମୟରେ ଯାହା ଅପାଙକ୍ତେୟ ଥିଲା ତାକୁ ବିଜେପି ସରକାର ଆଗକୁ ନେଇପାରିଛନ୍ତି ।
ବନ୍ଧୁଗଣ,
ଶିବସାଗରର ଐତିହାସିକ ରଙ୍ଗାହାର ଅନେକ ଦିନ ଧରି ଅବହେଳିତ ଅବସ୍ଥାରେ ପଡି ରହିଥିଲା । ଆମ ସରକାର ଏହାକୁ ପୁନରୁଦ୍ଧାର କରିଛନ୍ତି । ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ବତାଦ୍ରାବ ଅଂଚଳକୁ ବିଶ୍ୱସ୍ତରୀୟ କରିବା ଲାଗି ଆମ ସରକାର ଚେଷ୍ଟା କରୁଛନ୍ତି । ବାରଣାସୀର କାଶୀ ବିଶ୍ୱନାଥ ଧାମ, ଉଜ୍ଜୟିନୀର ମହାକାଳ ମହାଲୋକ ପରି ଆମ ସରକାର ଆସାମରେ କାମାକ୍ଷା କରିଡର କରୁଛି ।
ବନ୍ଧୁଗଣ,
ଆସାମରେ ଏମିତି ବହୁ ସ୍ଥାନ ରହିଛି ଯେଉଁସ୍ଥାନକୁ ପରବର୍ତୀ ପିଢି ଲାଗି ବିଜେପି ସରକାର ପୁନରୁଦ୍ଧାର କରିବାରେ ଲାଗିଛି । ଏହା କେବଳ ଆସାମର ଐତିହ୍ୟ ଲାଗି ଶୁଭଙ୍କର ନୁହେଁ ବରଂ ରାଜ୍ୟ ପର୍ଯ୍ୟଟନର ବିକାଶ ଲାଗି ଏହା ଅଭିପ୍ରେତ । ରାଜ୍ୟରେ ପର୍ଯ୍ୟଟନର ଯେତେ ବିକାଶ ହୋଇପାରିବ ଯୁବ ଗୋଷ୍ଠୀ ଏହାଦ୍ୱାରା ସେତେ ସୁଫଳ ପାଇପାରିବେ ।
ବନ୍ଧୁଗଣ,
ଏସବୁ ଉନ୍ନତି ବ୍ୟତିରେକ ଆସାମରେ ଆଉ ଏକ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି । ତାହା ହେଉଛି ଅନୁପ୍ରବେଶ । କଂଗ୍ରେସ ଶାସନ ସମୟରେ ଏହି ଅନୁପ୍ରବେଶ ଶିଖର ଛୁଇଁଥିଲା । ସେତେବେଳର ସରକାର ଏମାନଙ୍କୁ ସୁରକ୍ଷା ଦେଉଥିଲା । ଭୋଟ ବ୍ୟାଙ୍କ ଲୋଭରେ କଂଗ୍ରେସ ସରକାର ରାଜ୍ୟର ସାମ୍ୟତାକୁ ବିଗାଡି ଦେଇଥିଲା । ଏବେ ବିଜେପି ସରକାର ଏପ୍ରକାର ସମସ୍ୟାକୁ ମୁକାବିଲା କରୁଛି । ଅନୁପ୍ରବେଶକାରୀଙ୍କ କବଳରୁ ଲୋକମାନଙ୍କ ଜାଗାକୁ ବିଜେପି ସରକାର ମୁକୁଳାଉଛନ୍ତି । ଭୂମିହୀନ ଆଦିବାସୀମାନଙ୍କୁ ଆମ ସରକାର ଜାଗା ଯୋଗାଇ ଦେଉଛନ୍ତି । ବସୁନ୍ଧରା ମିଶନ ଲାଗି ମୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଏହା ଅଧୀନରେ ଲକ୍ଷ ଲକ୍ଷ ଆଦିବାସୀ ପରିବାରକୁ ଜମି ଲିଜ ପ୍ରଦାନ କରାଯାଉଛି । ଭୂମି ଅଧିକାର ଲାଗି ଅହୋମ, କୋଚ ରାଜବୋଙ୍ଗସି, ଗୋର୍ଖା ସମୁଦାୟଙ୍କୁ ଚିହ୍ନିତ କରାଯାଇଛି । ଏହି ଭୂମିହୀନମାନଙ୍କୁ ଜାଗା ଦେବା ପାଇଁ ନୂଆ ସରକାର ପ୍ରତିଶ୍ରୁତିବଦ୍ଧ ।
ବନ୍ଧୁଗଣ,
ନାଗରିକମାନେ ଦେବତା ସମାନ ବୋଲି ବିଜେପି ବିଶ୍ୱାସ କରେ । ଆଉ ଏହି ମନ୍ତ୍ରରେ ବିଶ୍ୱାସ ରଖେ । ଛୋଟିଆ ଛୋଟିଆ ଆବଶ୍ୟକତା ଲାଗି ଏହି ଦେଶର ନାଗରିକମାନେ ଏଣେ ତେଣେ ଯିବା ଅନାବଶ୍ୟକ । କଂଗ୍ରେସ ଶାସନ ସମୟରେ ଗରିବମାନେ ବହୁ ନିର୍ଯାତନା ସହ୍ୟ କରୁଥିଲେ । ଗୋଟିଏ ଶ୍ରେଣୀକୁ ଖୁସି କରିବାକୁ କଂଗ୍ରେସ ସବୁବେଳେ ଚେଷ୍ଟା କରୁଥିଲା । କିନ୍ତୁ ବିଜେପି ସରକାର ସନ୍ତୁଷ୍ଟିକରଣ ନୁହେଁ ବରଂ ସନ୍ତୋଷ ବିଧାନରେ ବିଶ୍ୱାସ କରେ । କୌଣସି ଗରିବ ଯେପରି ଛାଡ ନପାଆନ୍ତି ସେଥିପ୍ରତି ଆମ ସରକାର ନଜର ରଖିଛି । ଆଜି ଆସାମରେ ଗରିବ ଲୋକର ପକ୍କା ଘର କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆସାମରେ ଗରିବ ଲୋକମାନଙ୍କୁ ଏଯାଏ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପକ୍କା ଘର ଯୋଗାଇ ଦିଆଗଲାଣି । ଟ୍ୟାପ ଯୋଗେ ପିଇବା ପାଣି ଯୋଗାଣ କାମ ବି ଦ୍ରୁତ ଗତିରେ ଅଗ୍ରସର ହେଉଛି ।
ବନ୍ଧୁଗଣ,
ଚା ବଗିଚାରେ କାମ କରୁଥିବା ଲୋକେ ବି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପାଇଁ ଉପକୃତ ହେଉଛନ୍ତି । ଏମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ବିଜେପି ସରକାରଙ୍କ ପ୍ରାଥମିକତା । ଚା ବଗିଚାରେ କାମ କରୁଥିବା ମହିଳା ଓ ଶିଶୁଙ୍କ ପାଇଁ ସରକାର କାମ କରୁଛନ୍ତି । ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ଶିଶୁମାନଙ୍କ ଶିକ୍ଷା ଲାଗି ଆମ ସରକାର ପ୍ରତିଶ୍ରୁତିବଦ୍ଧ । ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର କମାଇବା ଲାଗି ରାଜ୍ୟ ସରକାର ବି ଉଦ୍ୟମ କରୁଛନ୍ତି । କଂଗ୍ରେସ ଶାସନ ସମୟରେ ଚା କମ୍ପାନୀର ଦୟାରେ ଶ୍ରମିକମାନେ ପରିଚାଳିତ ହେଉଥିଲେ । ମାତ୍ର ବିଜେପି ସରକାର ସେମାନଙ୍କ ଗୃହ, ବିଜୁଳି, ପାଣି, ସ୍ୱାସ୍ଥ୍ୟ ସମ୍ପର୍କରେ ସଜାଗ ଓ ସଚେତନ ରହି କାମ କରୁଛି । ଏସବୁ ଯୋଜନା ଲାଗି କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି ।
ବନ୍ଧୁଗଣ,
ଆସାମ ବିକାଶର ଏକ ନୂଆ ଫର୍ଦ୍ଦ ଆରମ୍ଭ ହୋଇଛି । ବାଣିଜ୍ୟ ଓ ପର୍ଯ୍ୟଟନର ବିକାଶ ଲାଗି ଆସାମ ପ୍ରମୁଖ ଭୂମିକା ନିର୍ବାହ କରିବ । ମିଳିତ ଭାବରେ ଆମେ ଏକ ବିକଶିତ ଆସାମ ଓ ବିକଶିତ ଭାରତ ଗଠନ କରିବା । ଆଉଥରେ ଆପଣମାନଙ୍କୁ ଏସବୁ ଉନ୍ନତିମୂଳକ କାମ ପାଇଁ ଶୁଭେଚ୍ଛା । ମୋ ସହ କୁହନ୍ତୁ – ଭାରତ ମାତାଙ୍କର ଜୟ ହେଉ । ହାତ ଉଠାନ୍ତୁ । ଆଉଥରେ ସାହାସର ସହ କୁହନ୍ତୁ ଭାରତ ମାତାଙ୍କର ଜୟ । ଭାରତ ମାତାଙ୍କର ଜୟ । ଭାରତ ମାତାଙ୍କର ଜୟ । ଧନ୍ୟବାଦ ।
PBD
(Release ID: 2167624)
Read this release in:
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Telugu
,
Kannada
,
Malayalam