ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସ୍‌ସିଓ ସମ୍ମିଳନୀରେ ମିଆଁମାରର ରାଜ୍ୟ ସୁରକ୍ଷା ଏବଂ ଶାନ୍ତି କମିଶନର ଅଧ୍ୟକ୍ଷ ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

Posted On: 31 AUG 2025 4:50PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତିୟାନଜିନରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ମିଆଁମାରର ରାଜ୍ୟ ସୁରକ୍ଷା ଏବଂ ଶାନ୍ତି କମିଶନର ଅଧ୍ୟକ୍ଷ ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଭାରତ ଏହାର ପଡୋଶୀ ପ୍ରଥମ, ଆକ୍ଟ ଇଷ୍ଟ ଏବଂ ହିନ୍ଦ-ପ୍ରଶାନ୍ତ ମହାସାଗର ନୀତିର ଅଂଶ ଭାବରେ ମିଆଁମାର  ସହିତ ସମ୍ପର୍କକୁ ଗୁରୁତ୍ୱ ଦିଏ । ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଛନ୍ତି ଏବଂ ବିକାଶ ସହଭାଗୀତା, ପ୍ରତିରକ୍ଷା ତଥା ସୁରକ୍ଷା, ସୀମା ପରିଚାଳନା ଏବଂ ସୀମା ବାଣିଜ୍ୟ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ଦିଗ ଉପରେ ଆଗକୁ ବଢ଼ିବା ବିଷୟରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଚାଲୁଥିବା ସଂଯୋଗ ପ୍ରକଳ୍ପଗୁଡିକର ଅଗ୍ରଗତି ଦୁଇ ଦେଶର ଲୋକଙ୍କ ମଧ୍ୟରେ ଉତ୍ତମ ପାରସ୍ପରିକ ସମ୍ପର୍କକୁ ପ୍ରୋତ୍ସାହିତ କରିବ, ସେହିପରି ଭାରତର ଆକ୍ଟ ଇଷ୍ଟ ନୀତି ଅନୁଯାୟୀ କ୍ଷେତ୍ରୀୟ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ମିଆଁମାରରେ ଆଗାମୀ ନିର୍ବାଚନ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ଏକ ନିରପେକ୍ଷ ଏବଂ ସମାବେଶୀ ଉପାୟରେ ଅନୁଷ୍ଠିତ ହେବ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତ ମିଆଁମାର ନେତୃତ୍ୱାଧୀନ ଏବଂ ମିଆଁମାର ମାଲିକାନାଧୀନ ଶାନ୍ତି ପ୍ରକ୍ରିୟାକୁ ସମର୍ଥନ କରେ, ଯାହା ପାଇଁ ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ ପରାମର୍ଶ ହେଉଛି ଏକମାତ୍ର ଉପାୟ ।

ପ୍ରଧାନମନ୍ତ୍ରୀ ମିଆଁମାରର ବିକାଶମୂଳକ ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ଭାରତର ତତ୍ପରତାକୁ ପୁନର୍ବାର ଦୋହରାଇଛନ୍ତି ।

 

SR


(Release ID: 2162559) Visitor Counter : 2