କ୍ୟାବିନେଟ
ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଅନ୍ତରାଷ୍ଟ୍ରୀୟ ମହାକାଶ କେନ୍ଦ୍ରରୁ ସଫଳ ପ୍ରତ୍ୟାବର୍ତ୍ତନ ପରେ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ
Posted On:
16 JUL 2025 3:02PM by PIB Bhubaneshwar
ସଫଳ ମହାକାଶ ଯାତ୍ରା କରି ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ସୁରକ୍ଷିତ ଭାବରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି , ଯାହା ଭାରତର ଅସୀମ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରିଥିଲା । ଏହା ସମଗ୍ର ଦେଶ ପାଇଁ ଏକ ଗର୍ବ, ଗୌରବ ଏବଂ ଖୁସିର ଅବସର । ପୃଥିବୀ ପୃଷ୍ଠକୁ ସଫଳ ପ୍ରତ୍ୟାବର୍ତ୍ତନ କରିବା ପରେ ଆଜି କେନ୍ଦ୍ର କ୍ୟାବିନେଟ୍ ଦେଶବାସୀଙ୍କ ସହିତ ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରଠାରେ ସେ ଦୀର୍ଘ ୧୮ ଦିନ ଅବସ୍ଥାନ କରି ଏହି ଐତିହାସିକ ଅଭିଯାନ ଶେଷ କରିଛନ୍ତି । ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଏହି ମହାକାଶ ଅଭିଯାନରେ ମିଶନ ପାଇଲଟ ଭାବରେ ସାମିଲ ହୋଇ ଜୁନ ୨୫ ତାରିଖ ୨୦୨୫ ମସିହାରେ ମହାକାଶକୁ ଯାତ୍ରା ଆରମ୍ଭ କରିଥିଲେ । ଏହି ଅଭିଯାନ ମାଧ୍ୟମରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପ୍ରେରଣ କରାଯାଇଥିଲା । ଭାରତର ମହାକାଶ କାର୍ଯ୍ୟକ୍ରମରେ ଏହା ଏକ ନୂଆ ଅଧ୍ୟାୟ ଯୋଡ଼ିଛି । ଏହା ମହାକାଶରେ ଭାରତର ଏକ ପ୍ରମୁଖ ଯାତ୍ରା ଏବଂ ଏହା ଭାରତର ମହାକାଶ କାର୍ଯ୍ୟକ୍ରମର ଭବିଷ୍ୟତର ଏକ ସ୍ୱର୍ଣ୍ଣିମ ଝଲକ ପ୍ରଦାନ କରିଛି ।
ଏହି ଐତିହାସିକ ସଫଳତା ନିମନ୍ତେ କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହିତ ସମସ୍ତ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ସମଗ୍ର ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କର ନିଷ୍ଠା, ଶ୍ରମ ଓ ସାଧନା ଯୋଗୁ ଏହି ସ୍ୱପ୍ନ ସାକାର ହୋଇପାରିଛି ।
ଆଇ.ଏସ.ଏସ.ଠାରେ ଅବସ୍ଥାନ କାଳରେ ଗ୍ରୁପ୍ କ୍ୟାପ୍ଟେନ ଶୁଭ୍ରାଂଶୁ ଶୁକ୍ଳା ଆକ୍ସିୟମ- ୪କୁ ଏବଂ ଅଭିଯାନ ୭୩ର ସଦସ୍ୟମାନଙ୍କ ସହିତ ଅନେକ ପରୀକ୍ଷଣ ସଂପାଦନ କରିଥିଲେ । ଏହା ଅନ୍ତର୍ଜାତୀୟ ମହାକାଶ ସହଯୋଗରେ ଭାରତର ବର୍ଦ୍ଧିଷ୍ଣୁ ନେତୃତ୍ୱର ଭୂମିକାକୁ ପ୍ରମାଣସିଦ୍ଧ କରେ । ଶ୍ରୀ ଶୁକ୍ଳା ମାଇକ୍ରୋ ଗ୍ରାଭିଟି ସମ୍ପର୍କୀତ ଅନେକ ବୈଜ୍ଞାନିକ ପରୀକ୍ଷଣ ସଫଳତାର ସହିତ ସଂପାଦନ କରିଥିଲେ । ଏଥିରେ ମଣିଷ ଶରୀରର ମାଂସପେଶୀର ପୁନରୁଦ୍ଧାର, ଶୈବାଳ ଓ ଅଣୁଜୀବର ବୃଦ୍ଧି ଏବଂ ମହାକାଶରେ ଫସଲର କ୍ଷମତା ସମ୍ପର୍କୀତ ବୈଜ୍ଞାନିକ ଗବେଷଣାକୁ ସାମିଲ କରାଯାଇଥିଲା । ଏହି ଅଭିଯାନରେ ଜୀବାଣୁମାନଙ୍କ ମହାଶୂନ୍ୟରେ ଜୀବନ ସମ୍ଭାବନା ଏବଂ ମଣିଷର ଚିନ୍ତନ କ୍ଷମତା ଉପରେ ମହାକାଶର ପ୍ରଭାବ ସମ୍ପର୍କରେ ଅଧ୍ୟୟନ କରାଯାଇଥିଲା । ସାଇନୋ ବ୍ୟାକ୍ଟେରିଆ ଭଳି ଅଣୁଜୀବମାନଙ୍କ ଆଚରଣ ଭଳି ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଗବେଷଣା ସଂପାଦନ କରାଯାଇଥିଲା । ଏହି ପରୀକ୍ଷଣ ମହାକାଶରେ ମାନବ ଜୀବନର ଅଧ୍ୟୟନକୁ ଅଧିକ ଗଭୀର କରିବ ଏବଂ ଆମେ ମାଇକ୍ରୋ ଗ୍ରାଭିଟି ବିଜ୍ଞାନ ଗବେଷଣା ଓ ଅଧ୍ୟୟନ ଦିଗରେ ଆଗକୁ ବଢ଼ିପାରିବା ।
ଆଗାମୀ ଦିଗରେ ଗଗନାୟନ ମିଶନ ଜରିଆରେ ଭାରତ ଆହୁରି ଅନେକ ବଡ଼ ବଡ଼ ଲକ୍ଷ୍ୟ ହାସଲ କରିବାର ଲକ୍ଷ୍ୟ ନିର୍ଦ୍ଧାରଣ କରିଛି । ଆମେ ଏକ ଭାରତୀୟ ମହାକାଶ ଷ୍ଟେସନ ସ୍ଥାପନ କରିବାକୁ ସଂକଳ୍ପ ନେଇଛୁ । ଶୁଭ୍ରାଂଶୁ ଶୁକ୍ଳାଙ୍କ ମିଶନର ଏହି ସଫଳତା ଭାରତକୁ ଏହି ଲକ୍ଷ୍ୟ ଦିଗରେ ଆଉ ଏକ ପାଦ ନିକଟତର କରାଇଛି । ଭାରତ ବର୍ତ୍ତମାନ ମାନବଯୁକ୍ତ ମହାକାଶ ଅଭିଯାନର ଅନ୍ୟତମ ପ୍ରମୁଖ ଶକ୍ତି ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ଏବଂ ନିର୍ଣ୍ଣାୟକ ନେତୃତ୍ୱକୁ କ୍ୟାବିନେଟ୍ ଉଚ୍ଚ ପ୍ରଶଂସା କରିଛି । ତାଙ୍କର ଦୂରଦୃଷ୍ଟି ଭାରତର ମହାକାଶ ସାମର୍ଥ୍ୟ ଉପରେ ତାଙ୍କର ଅତୁଟ ବିଶ୍ୱାସ ଏବଂ ତାଙ୍କ ମାର୍ଗଦର୍ଶନ ଭାରତକୁ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇଛି ।
ବିଗତ କିଛି ବର୍ଷ ମଧ୍ୟରେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଅନେକ ଐତିହାସିକ ସଫଳତା ହାସଲ କରିଥିବାରୁ ସରକାର ତଥା ଦେଶବାସୀ ଗର୍ବ ଅନୁଭବ କରନ୍ତି । ଅଗଷ୍ଟ ୨୩ ତାରିଖ, ୨୦୨୫ ମସିହା ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁଠାରେ ଐତିହାସିକ ସଫଳ ଅବତରଣ କରିଥିଲା । ଏହି ଦିନକୁ ଏବେ ଜାତୀୟ ମହାକାଶ ଦିବସ ଭାବରେ ପାଳନ କରାଯାଏ । ସେହିପରି ଆଦିତ୍ୟ-ଏଲ-୧ ମିଶନ ସୂର୍ଯ୍ୟଙ୍କ ରହସ୍ୟ ସମ୍ପର୍କରେ ଅଧିକ ଜ୍ଞାନ ପ୍ରାପ୍ତ ହେବା ଦିଗରେ ଏକ ନୂଆ ଦିଗ ସୂଚାଇଛି । ଏହି ସଫଳତା ଭାରତର ବୈଜ୍ଞାନିକ ପ୍ରତିଭା ଏବଂ ଆତ୍ମନିର୍ଭରଶୀଳତାର ବଳିଷ୍ଠ ପ୍ରମାଣ ।
ମହାକାଶ ଗବେଷଣା ଏବଂ ଅଭିଯାନ କ୍ଷେତ୍ରରେ ସରକାର ଯେଉଁ ସଂସ୍କାର ଆଣିଛନ୍ତି ତାହା ଭାରତର ଅର୍ଥବ୍ୟବସ୍ଥାକୁ ଅଭୂତପୂର୍ବ ପ୍ରୋତ୍ସାହନ ଯୋଗାଇଛି । ଏହି କ୍ଷେତ୍ରରେ ପ୍ରାୟ ୩୦୦ ନୂଆ ଷ୍ଟାର୍ଟ ଅପ୍ ଏବେ ଦେଶରେ ମୁଣ୍ଡ ଟେକିଛନ୍ତି । ଫଳରେ ବ୍ୟାପକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି । ଏଥି ସହିତ ଉଦ୍ଭାବନ, ଉଦ୍ୟୋଗ ଏବଂ ପ୍ରଯୁକ୍ତି ଭିତ୍ତିକ ବିକାଶର ଏକ ନୂଆ ବାତାବରଣ ଦେଶରେ ସୃଷ୍ଟି ହୋଇଛି । ଗ୍ରୁପ୍ କ୍ୟାପ୍ଟେନ ଶୁଭ୍ରାଂଶୁ ଶୁକ୍ଳାଙ୍କ ମିଶନ କେବା ଜଣେ ବ୍ୟକ୍ତିର ସଫଳତା ନୁହେଁ, ଏହା ଭାରତର ଯୁବପିଢ଼ିଙ୍କ ନିମନ୍ତେ ପ୍ରେରଣାର ଉତ୍ସ ଓ ଉଦାହରଣ । ଏହା ଫଳରେ ଆମର ସନ୍ତାନ ଓ ଯୁବପିଢ଼ିଙ୍କ ମଧ୍ୟରେ ମହାକାଶ ପ୍ରତି ଉତ୍ସୁକତା ବୃଦ୍ଧି ପାଇବ ଏବଂ ବୈଜ୍ଞାନିକ ମନୋଭାବର ବିକାଶ ଘଟିବ । ଏହାଦ୍ୱାରା ପ୍ରଭାବିତ ହୋଇ ଅନେକ ସଂଖ୍ୟକ ଯୁବକ ଯୁବତୀ ବିଜ୍ଞାନ ଓ ଉଦ୍ଭାବନକୁ ନିଜ ଜୀବନର ପେସା ଭାବରେ ଗ୍ରହଣ କରିବେ । ଏହି ମିଶନ ବିକଶିତ ଭାରତର ସଂକଳ୍ପକୁ ନୂତନ ଶକ୍ତି ଯୋଗାଇବ ବୋଲି କ୍ୟାବିନେଟ୍ ଦୃଢ଼ ଭାବରେ ବିଶ୍ୱାସ କରେ । ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ଏହା ଫଳରେ ନୂତନ ଶକ୍ତି ପାଇବ
**********
(Release ID: 2160291)
Visitor Counter : 5
Read this release in:
Hindi
,
English
,
Urdu
,
Marathi
,
Assamese
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam