ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭୋପାଳରେ ଦେବୀ ଅହଲ୍ୟାବାଈ ମହିଳା ସଶକ୍ତିକରଣ ମହା ସମ୍ମିଳନୀର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Posted On:
31 MAY 2025 4:18PM by PIB Bhubaneshwar
ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ , ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇଥିବା କେନ୍ଦ୍ର ମନ୍ତ୍ରୀମାନେ, ଇନ୍ଦୋରର ଟୋଖାନ ସାହୁ , ଦତିଆରୁ ରାମମୋହନ ନାଇଡୁ , ସତନାରୁ ମୁରଲୀଧର ମୋହୋଲ , ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଦା , ରାଜେନ୍ଦ୍ର ଶୁକ୍ଳା , ଲୋକସଭାରେ ମୋର ସହଯୋଗୀ ଭି ଡି ଶର୍ମା, ଅନ୍ୟାନ୍ୟ ମନ୍ତ୍ରୀ, ଜନପ୍ରତିନିଧି ଏବଂ ଏଠାରେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ।
ସର୍ବପ୍ରଥମେ, ମୁଁ ଭାରତର ମାତୃଶକ୍ତି ମା ଭାରତୀଙ୍କୁ ପ୍ରଣାମ କରୁଛି। ଆଜି ଏତେ ସଂଖ୍ୟାରେ ମା, ଭଉଣୀ ଏବଂ ଝିଅ ଆଶୀର୍ବାଦ ଦେବାକୁ ଆସିଛନ୍ତି। ଆପଣ ସମସ୍ତ ଭଉଣୀମାନଙ୍କ ଦର୍ଶନ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି ।
ଭାଇ ଓ ଭଉଣୀମାନେ,
ଆଜି ଲୋକମାତା ଦେବୀ ଅହଲ୍ୟାବାଈ ହୋଲକରଙ୍କର ୩୦୦ ତମ ଜନ୍ମବାର୍ଷିକୀ ଉତ୍ସବ । ଏହା ୧୪୦ କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଏକ ସୁଯୋଗ, ରାଷ୍ଟ୍ର ନିର୍ମାଣ ପାଇଁ କରାଯାଉଥିବା ମହାନ ପ୍ରୟାସରେ ଯୋଗଦାନ ଦେବାର ଏକ ଅବସର । ଦେବୀ ଅହଲ୍ୟାବାଈ କହୁଥିଲେ ଯେ ଶାସନର ପ୍ରକୃତ ଅର୍ଥ ହେଉଛି ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା। ଆଜିର କାର୍ଯ୍ୟକ୍ରମ ତାଙ୍କ ଚିନ୍ତାଧାରାକୁ ଆଗକୁ ନେଇଯାଉଛି। ଆଜି ଇନ୍ଦୋର ମେଟ୍ରୋର ଶୁଭ ଆରମ୍ଭ ହୋଇଛି। ଦାତିଆ ଏବଂ ସତନା ମଧ୍ୟ ଏବେ ବିମାନ ସେବା ସହିତ ଯୋଡ଼ି ହୋଇଛନ୍ତି। ଏହି ସମସ୍ତ ପ୍ରକଳ୍ପ ମଧ୍ୟପ୍ରଦେଶରେ ସୁବିଧା ବୃଦ୍ଧି କରିବ, ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆଜି, ଏହି ପବିତ୍ର ଦିନରେ, ମୁଁ ଆପଣମାନଙ୍କୁ ଏବଂ ସମଗ୍ର ମଧ୍ୟପ୍ରଦେଶକୁ ଏହି ସମସ୍ତ ବିକାଶମୂଳକ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଲୋକମାତା ଦେବୀ ଅହଲ୍ୟାବାଇ ହୋଲକରଙ୍କ ନାମ ଶୁଣିଲେ ମନରେ ଶ୍ରଦ୍ଧାର ଭାବନା ଜାଗ୍ରତ ହୁଏ । ତାଙ୍କ ମହାନ ବ୍ୟକ୍ତିତ୍ୱ ବିଷୟରେ କହିବାକୁ ଶବ୍ଦ ମଧ୍ୟ କମ୍ ପଡ଼ିଯାଏ। ଦେବୀ ଅହଲ୍ୟାବାଈ ଏକ ପ୍ରତୀକ ଯେ ଯେତେବେଳେ ଇଚ୍ଛାଶକ୍ତି ଏବଂ ଦୃଢ଼ ସଂକଳ୍ପ ଥାଏ, ପରିସ୍ଥିତି ଯେତେ ପ୍ରତିକୂଳ ହେଉ ନା କାହିଁକି, ଫଳାଫଳ ହାସଲ କରାଯାଇପାରିବ।। ଅଢ଼େଇ ଶହ ବର୍ଷ ପୂର୍ବେ, ଯେତେବେଳେ ଦେଶ ଦାସତ୍ୱର ଶୃଙ୍ଖଳରେ ବନ୍ଧା ଥିଲା, ଏପରି ମହାନ କାର୍ଯ୍ୟ କରିଯାଇଛନ୍ତି ଯାହାକୁ ଆଗାମୀ ଅନେକ ପିଢ଼ି ଏହି ବିଷୟରେ କଥାବାର୍ତ୍ତା କରିବେ, କହିବା ସହଜ ଥିଲା, କିନ୍ତୁ କରିବା ସହଜ ନଥିଲା ।
ବନ୍ଧୁଗଣ,
ଲୋକମାତା ଅହଲ୍ୟାବାଇ କେବେବି ଈଶ୍ୱରଙ୍କ ସେବା ଏବଂ ଲୋକଙ୍କ ସେବାକୁ ଭିନ୍ନ ବୋଲି ଭାବୁନଥିଲେ। କୁହାଯାଏ ଯେ ସେ ସର୍ବଦା ଏକ ଶିବଲିଙ୍ଗକୁ ନିଜ ସହିତ ବହନ କରୁଥିଲେ। ସେହି ସମୟରେ ଏକ ରାଜ୍ୟକୁ ନେତୃତ୍ୱ ଦେବା କଣ୍ଟାର ମୁକୁଟ ପିନ୍ଧିବା ଭଳି ଥିଲା, କେହି କଳ୍ପନା କରିପାରିବେ ଯେ କାମଟି କଣ୍ଟାର ମୁକୁଟ ପିନ୍ଧିବା ଭଳି ଥିଲା, କିନ୍ତୁ ଲୋକମାତା ଅହଲ୍ୟାବାଇ ତାଙ୍କ ରାଜ୍ୟର ସମୃଦ୍ଧିକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ। ସେ ଗରିବରୁ ଅତି ଗରିବ ଲୋକଙ୍କୁ ସକ୍ଷମ କରିବା ପାଇଁ କାର୍ଯ୍ୟ କରିଥିଲେ। ଦେବୀ ଅହଲ୍ୟାବାଇ ଭାରତର ଐତିହ୍ୟର ଜଣେ ମହାନ ରକ୍ଷକ ଥିଲେ। ଯେତେବେଳେ ଦେଶର ସଂସ୍କୃତି, ଆମର ମନ୍ଦିର, ଆମର ତୀର୍ଥସ୍ଥଳ ଉପରେ ଆକ୍ରମଣ ହେଉଥିଲା, ଲୋକମାତା ସେଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଇଥିଲେ, ସେ କାଶୀ ବିଶ୍ୱନାଥ ସମେତ ସାରା ଦେଶରେ ଆମର ବହୁତ ଗୁଡିଏ ମନ୍ଦିର, ଆମର ତୀର୍ଥସ୍ଥଳ ପୁନଃନିର୍ମାଣ କରିଥିଲେ। ଏହା ମୋର ସୌଭାଗ୍ୟ ଯେ ଯେଉଁ କାଶୀରେ ଲୋକମାତା ଅହଲ୍ୟାବାଈ ଏତେ ବିକାଶମୂଳକ କାର୍ଯ୍ୟ କରିଥିଲେ, ସେହି କାଶୀ ମୋତେ ମଧ୍ୟ ସେବା କରିବାର ସୁଯୋଗ ଦେଇଛି। ଆଜି, ଯଦି ଆପଣ କାଶୀ ବିଶ୍ୱନାଥ ମହାଦେବଙ୍କୁ ଦର୍ଶନ କରିବାକୁ ଯାଆନ୍ତି, ତେବେ ସେଠାରେ ଆପଣ ଦେବୀ ଅହଲ୍ୟାବାଈଙ୍କ ପ୍ରତିମା ମଧ୍ୟ ଦେଖିବାକୁ ପାଇବେ।
ବନ୍ଧୁଗଣ,
ମାତା ଅହଲ୍ୟାବାଈ ଶାସନର ଏପରି ଏକ ଉତ୍କୃଷ୍ଟ ମଡେଲ ଗ୍ରହଣ କରିଥିଲେ ଯେଉଁଥିରେ ଗରିବ ଏବଂ ବଞ୍ଚିତ ଲୋକଙ୍କୁ ସର୍ବାଧିକ ପ୍ରାଥମିକତା ଦିଆଯାଉଥିଲା। ସେ ନିଯୁକ୍ତି ଏବଂ ଉଦ୍ୟୋଗ ବୃଦ୍ଧି ପାଇଁ ଅନେକ ଯୋଜନା ଆରମ୍ଭ କରିଥିଲେ। ସେ କୃଷି ଏବଂ ବନଜାତ ଦ୍ରବ୍ୟ ଆଧାରିତ କୁଟୀର ଶିଳ୍ପ ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିଥିଲେ। କୃଷିକୁ ପ୍ରୋତ୍ସାହିତ କରିବା ପାଇଁ, ସେ ଛୋଟ କେନାଲର ଏକ ସଂଯୋଗୀକରଣ କରାଇଥିଲେ ଏବଂ ଏହାକୁ ବିକଶିତ କରିଥିଲେ, ୩୦୦ ବର୍ଷ ପୂର୍ବର ସେହି ଯୁଗ ବିଷୟରେ ଚିନ୍ତା କରନ୍ତୁ। ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ, ସେ ଏତେ ପୋଖରୀ ନିର୍ମାଣ କରିଥିଲେ ଏବଂ ଆଜି ଆମେ ମଧ୍ୟ ନିରନ୍ତର କହୁଛୁ, ବର୍ଷା ପାଣିକୁ ସଂଗ୍ରହ ଓ ପାଣିର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କର। ଦେବୀ ଅହଲ୍ୟା ୨୦୫-୩୦୦ ବର୍ଷ ପୂର୍ବରୁ ଏହି କାର୍ଯ୍ୟ ବିଷୟରେ ଆମକୁ କହିଥିଲେ। କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ, ସେ କପା ଏବଂ ମସଲା ଚାଷକୁ ପ୍ରୋତ୍ସାହିତ କରିଥିଲେ। ଆଜି, ୨୫୦-୩୦୦ ବର୍ଷ ପରେ ମଧ୍ୟ, ଆମକୁ ଚାଷୀମାନଙ୍କୁ ବାରମ୍ବାର କହିବାକୁ ପଡିବ ଯେ ଫସଲର ବିବିଧତା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମେ କେବଳ ଧାନ କିମ୍ବା ଆଖୁ ଚାଷ କରି ରହିପାରିବୁ ନାହିଁ, ଆମକୁ ବିବିଧତା ଏବଂ ଦେଶକୁ ଆବଶ୍ୟକ ସମସ୍ତ ଜିନିଷ ଉତ୍ପାଦନ କରିବା ଉଚିତ। ସେ ଆଦିବାସୀ ସମାଜ ଏବଂ ଯାଯାବର ଗୋଷ୍ଠୀ ପାଇଁ ଖାଲି ଜମିରେ ଚାଷ ପାଇଁ ଏକ ଯୋଜନା କରିଥିଲେ। ଏହା ମୋର ସୌଭାଗ୍ୟ ଯେ ମୁଁ ଜଣେ ଆଦିବାସୀ ଝିଅଙ୍କ ମାର୍ଗଦର୍ଶନରେ ମୋର ଆଦିବାସୀ ଭାଇଭଉଣୀମାନଙ୍କର ସେବା କରିବାର ସୁଯୋଗ ପାଇଛି, ଯିଏ ଆଜି ଭାରତର ରାଷ୍ଟ୍ରପତି। ଦେବୀ ଅହଲ୍ୟା ବିଶ୍ୱ ପ୍ରସିଦ୍ଧ ମାହେଶ୍ୱରୀ ଶାଢ଼ି ପାଇଁ ନୂତନ ଶିଳ୍ପ ସ୍ଥାପନ କରିଥିଲେ ଏବଂ ବହୁତ କମ୍ ଲୋକ ଜାଣିଥିବେ ଯେ ଦେବୀ ଅହଲ୍ୟା ଦକ୍ଷତାର ବିଶେଷଜ୍ଞ ଥିଲେ ଏବଂ ସେ ଗୁଜରାଟର ଜୁନାଗଡ଼ରୁ କିଛି ପରିବାରକୁ ମହେଶ୍ୱର ଆଣିଥିଲେ ଏବଂ ସେମାନଙ୍କୁ ଏକାଠି କରି, ସେ ୨୫୦ -୩୦୦ବର୍ଷ ପୂର୍ବେ ମାହେଶ୍ୱରୀ ଶାଢ଼ିର କାମକୁ ଆଗକୁ ବଢ଼ାଇଥିଲେ, ଯାହା ଆଜି ମଧ୍ୟ ଅନେକ ପରିବାରର ମଣି ପାଲଟିଛି ଏବଂ ଯାହା ଆମର ବୁଣାକାରମାନଙ୍କୁ ବହୁତ ଲାଭ ମଧ୍ୟ ଦେଇଛି।
ବନ୍ଧୁଗଣ,
ଦେବୀ ଅହଲ୍ୟାବାଈଙ୍କୁ ସବୁବେଳେ ଅନେକ ବଡ଼ ସାମାଜିକ ସଂସ୍କାର ପାଇଁ ସ୍ମରଣ କରାଯିବ । ଯଦି ଆମେ ଆଜି ଝିଅମାନଙ୍କ ବିବାହ ବୟସ ବିଷୟରେ କଥା ହେବା, ତେବେ ଆମ ଦେଶର କିଛି ଲୋକ ଧର୍ମନିରପେକ୍ଷତାକୁ ବିପଦରେ ଦେଖନ୍ତି, ସେମାନେ ଭାବନ୍ତି ଯେ ଏହା ଆମ ଧର୍ମ ବିରୁଦ୍ଧରେ। ଏହି ଦେବୀ ଅହଲ୍ୟାଙ୍କୁ ଦେଖନ୍ତୁ, ମାତୃଶକ୍ତିର ଗର୍ବ ପାଇଁ, ସେ ସେହି ସମୟରେ ଝିଅମାନଙ୍କ ବିବାହ ବୟସ ବିଷୟରେ ଚିନ୍ତା କରୁଥିଲେ। ସେ ନିଜେ କମ୍ ବୟସରେ ବିବାହ କରିଥିଲେ, କିନ୍ତୁ ସେ ସବୁକିଛି ଜାଣିଥିଲେ, ଝିଅମାନଙ୍କ ବିକାଶର ପଥ କ'ଣ ହେବା ଉଚିତ। ଏଦେବୀ ଅହଲ୍ୟା ଥିଲେ, ଯିଏ କହିଥିଲେ ଯେ ମହିଳାମାନଙ୍କର ସମ୍ପତ୍ତିରେ ଅଧିକାର ରହିବା ଉଚିତ, ଯେଉଁ ମହିଳାମାନଙ୍କର ସ୍ୱାମୀ ଅକାଳରେ ମୃତ୍ୟୁବରଣ କରିଛନ୍ତି, ସେମାନେ ପୁନଃବିବାହ କରିପାରିବେ, ସେହି ସମୟରେ ଏହି ବିଷୟରେ କଥାବାର୍ତ୍ତା କରିବା ମଧ୍ୟ ବହୁତ କଷ୍ଟକର ଥିଲା। କିନ୍ତୁ ଦେବୀ ଅହଲ୍ୟାବାଈ ଏହି ସାମାଜିକ ସଂସ୍କାରକୁ ପୂର୍ଣ୍ଣ ସମର୍ଥନ କରିଥିଲେ। ସେ ମାଲୱାର ସେନାରେ ମହିଳାମାନଙ୍କର ଏକ ବିଶେଷ ଦଳ ମଧ୍ୟ ଗଠନ କରିଥିଲେ। ପଶ୍ଚିମ ଜଗତର ଲୋକମାନେ ଏହା ଜାଣନ୍ତି ନାହିଁ। ସେମାନେ ଆମକୁ ଅଭିଶାପ ଦେଇ ଚାଲିଥାନ୍ତି, ସେମାନେ ଆମ ମା' ଏବଂ ଭଉଣୀମାନଙ୍କ ଅଧିକାର ନାମରେ ଆମକୁ ଅପମାନିତ କରିବାକୁ ଚେଷ୍ଟା କରନ୍ତି। ୨୫୦-୩୦୦ ବର୍ଷ ପୂର୍ବେ ଆମ ଦେଶର ସେନାରେ ମହିଳାମାନେ ଥିଲେ।ବନ୍ଧୁଗଣ, ମହିଳାମାନଙ୍କ ସୁରକ୍ଷା ପାଇଁ, ସେ ଗାଁରେ ନାରୀ ସୁରକ୍ଷା ଗୋଷ୍ଠି ଗଠନ ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ। ଅର୍ଥାତ୍, ମାତା ଅହଲ୍ୟାବାଈ ରାଷ୍ଟ୍ର ନିର୍ମାଣରେ ଆମର ମହିଳା ଶକ୍ତିର ଅମୂଲ୍ୟ ଅବଦାନର ପ୍ରତୀକ ଅଟନ୍ତି । ଆଜି, ମୁଁ ଦେବୀ ଅହଲ୍ୟାଙ୍କୁ ଶ୍ରଦ୍ଧାରେ ପ୍ରଣାମ କରୁଛି, ଯିଏ ସମାଜରେ ଏତେ ବଡ଼ ପରିବର୍ତ୍ତନ ଆଣିଥିଲେ, ମୁଁ ତାଙ୍କ ପାଦ ତଳେ ପ୍ରଣାମ କରୁଛି ଏବଂ ମୁଁ ତାଙ୍କୁ ପ୍ରାର୍ଥନା କରୁଛି ଯେ ସେ ଯେଉଁଠାରେ ଥାଆନ୍ତୁ , ସେ ଆମ ସମସ୍ତଙ୍କ ଉପରେ ତାଙ୍କର ଆଶୀର୍ବାଦ କରୁଥାନ୍ତୁ ।
ବନ୍ଧୁଗଣ,
ଦେବୀ ଅହଲ୍ୟାଙ୍କର ଏକ ପ୍ରେରଣାଦାୟକ ଉକ୍ତି ଅଛି, ଯାହାକୁ ଆମେ କେବେ ଭୁଲିପାରିବୁ ନାହିଁ। ଯଦି ମୁଁ ସେହି ଉକ୍ତିକୁ ବ୍ୟାପକ ଭାବରେ କହୁଛି, ତେବେ ଏହାର ଅର୍ଥ ଥିଲା ଯେ ଆମେ ଯାହା ପାଇଛୁ ତାହା ଜନସାଧାରଣଙ୍କ ଦ୍ୱାରା ପ୍ରଦତ୍ତ ଋଣ, ଯାହା ଆମକୁ ପରିଶୋଧ କରିବାକୁ ପଡିବ। ଆଜି, ଆମର ସରକାର ଲୋକମାତା ଅହଲ୍ୟାବାଈଙ୍କ ଏହି ମୂଲ୍ୟବୋଧକୁ ଅନୁସରଣ କରି କାମ କରୁଛି। ନାଗରିକ ଦେବୋ ଭବଃ: - ଏହା ଆଜି ଶାସନର ମନ୍ତ୍ର ଅଟେ ।ଆମ ସରକାର ମହିଳାମାନଙ୍କ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣକୁ ବିକାଶର କେନ୍ଦ୍ରବିନ୍ଦୁ କରିଛି । ସରକାରଙ୍କ ପ୍ରତ୍ୟେକ ପ୍ରମୁଖ ଯୋଜନାର କେନ୍ଦ୍ରରେ ମାତା, ଭଉଣୀ ଏବଂ ଝିଅମାନେ ଅଛନ୍ତି। ଆପଣମାନେ ଏହା ମଧ୍ୟ ଜାଣନ୍ତି ଯେ ଗରିବଙ୍କ ପାଇଁ ୪ କୋଟି ଘର ନିର୍ମାଣ କରାଯାଇଛି ଏବଂ ଏଥିମଧ୍ୟରୁ ଅଧିକାଂଶ ଘର ଆମର ମା' ଏବଂ ଭଉଣୀମାନଙ୍କ ନାମରେ ଅଛି, ମାଲିକାନାର ଅଧିକାର ମୋର ମା' ଏବଂ ଭଉଣୀମାନଙ୍କୁ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଅଛନ୍ତି ଯାହାଙ୍କ ନାମରେ ପ୍ରଥମ ଥର ପାଇଁ ସମ୍ପତ୍ତି ପଞ୍ଜୀକୃତ ହୋଇଛି। ଏହାର ଅର୍ଥ ହେଉଛି ଦେଶର କୋଟି କୋଟି ଭଉଣୀ ପ୍ରଥମ ଥର ପାଇଁ ଘରର ମାଲିକ ହୋଇଛନ୍ତି।
ବନ୍ଧୁଗଣ,
ଆଜି ସରକାର ପ୍ରତ୍ୟେକ ଘରକୁ ନଳକୂପ ପାଣି ଯୋଗାଇ ଦେଉଛନ୍ତି ଯାହା ଦ୍ୱାରା ଆମର ମା’ ଭଉଣୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ ଏବଂ ଝିଅମାନେ ନିଜ ପାଠପଢ଼ାରେ ଧ୍ୟାନ ଦେଇପାରିବେ। ପୂର୍ବରୁ କୋଟି କୋଟି ଭଉଣୀଙ୍କ ପାଖରେ ବିଦ୍ୟୁତ୍, ଏଲପିଜି ଗ୍ୟାସ୍ ଏବଂ ଶୌଚାଳୟ ଭଳି ସୁବିଧା ନଥିଲା। ଆମ ସରକାର ଏହି ସୁବିଧା ମଧ୍ୟ ଯୋଗାଇ ଦେଇଛନ୍ତି ଏବଂ ଏହା କେବଳ ସୁବିଧା ନୁହେଁ, ଏହା ଆମ ପକ୍ଷରୁ ମା’ ଭଉଣୀମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିନମ୍ର ପ୍ରୟାସ। ଏହା ଗାଁ ଗହଳିର ଗରିବ ପରିବାରର ମା’ ଭଉଣୀ ମାନଙ୍କ ଜୀବନରୁ ଅନେକ କଷ୍ଟକୁ ହ୍ରାସ କରିଛି।
ବନ୍ଧୁଗଣ,
ପୂର୍ବରୁ, ମା’ ଭଉଣୀମାନଙ୍କୁ ସେମାନଙ୍କର ରୋଗ ଲୁଚାଇବାକୁ ବାଧ୍ୟ କରାଯାଉଥିଲା। ସେମାନେ ଗର୍ଭଧାରଣ ସମୟରେ ଡାକ୍ତରଖାନା ଯିବାକୁ ବାରଣ କରାଯାଉ ଥିଲା । ସେମାନେ ଭାବୁଥିଲେ ଯେ ଏହା ପରିବାର ଉପରେ ବୋଝ ପକାଇବ ଏବଂ ତେଣୁ ସେମାନେ ଯନ୍ତ୍ରଣା ସହ୍ୟ କରୁଥିଲେ କିନ୍ତୁ ପରିବାରରେ କାହାକୁ କହୁ ନ ଥିଲେ। ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସେମାନଙ୍କର ଏହି ଚିନ୍ତାକୁ ମଧ୍ୟ ଦୂର କରିଛି। ଏବେ ସେମାନେ ମଧ୍ୟ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ।
ବନ୍ଧୁଗଣ,
ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସହିତ, ମହିଳାମାନଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋଜଗାର। ଯେତେବେଳେ ଜଣେ ମହିଳା ନିଜସ୍ୱ ରୋଜଗାର କରେ , ଘରେ ତାର ଆତ୍ମସମ୍ମାନ ବୃଦ୍ଧି ପାଏ, ପରିବାର ନିଷ୍ପତ୍ତିରେ ତାଙ୍କର ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଏ। ଗତ ୧୧ ବର୍ଷ ମଧ୍ୟରେ, ଆମ ସରକାର ଦେଶର ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଛି। ଆପଣ କଳ୍ପନା କରନ୍ତୁ , ୨୦୧୪ ପୂର୍ବରୁ, ଆପଣ ମୋତେ ସେବା କରିବାର ସୁଯୋଗ ଦେବା ପୂର୍ବରୁ, ୩୦ କୋଟିରୁ ଅଧିକ ଭଉଣୀ ଥିଲେ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନଥିଲା। ଆମ ସରକାର ସେ ସମସ୍ତଙ୍କ ପାଇଁ ବ୍ୟାଙ୍କରେ ଜନଧନ ଆକାଉଣ୍ଟ ଖୋଲିଥିଲେ, ଏହି ଆକାଉଣ୍ଟଗୁଡ଼ିକରେ ସରକାର ଏବେ ବିଭିନ୍ନ ଯୋଜନାର ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ପଠାଉଛନ୍ତି। ଏବେ, ସେମାନେ ଗାଁରେ ଥାଆନ୍ତୁ କିମ୍ବା ସହରରେ, ସେମାନେ ନିଜେ କିଛି କାମ କରୁଛନ୍ତି, ଟଙ୍କା ରୋଜଗାର କରୁଛନ୍ତି, ଆତ୍ମନିଯୁକ୍ତି କରୁଛନ୍ତି। ମୁଦ୍ରା ଯୋଜନାରେ ସେମାନଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ମିଳୁଛି। ମୁଦ୍ରା ଯୋଜନାର ୭୫ ପ୍ରତିଶତରୁ ଅଧିକ ହିତାଧିକାରୀ ଆମର ମା'-ଭଉଣୀ-ଝିଅମାନେ ଅଟନ୍ତି ।
ବନ୍ଧୁଗଣ,
ଆଜି ଦେଶର ୧୦ କୋଟି ଭଉଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ, ଯେଉଁମାନେ କିଛି ନା କିଛି ଆର୍ଥିକ କାର୍ଯ୍ୟକଳାପ କରନ୍ତି। ସରକାର ଏହି ଭଉଣୀମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ସାହାଯ୍ୟ କରୁଛନ୍ତି ଯାହା ଦ୍ୱାରା ସେମାନେ ରୋଜଗାରର ନୂତନ ଉପାୟ ସୃଷ୍ଟି କରିପାରିବେ। ଆମେ ଏପରି ୩ କୋଟି ଭଉଣୀଙ୍କୁ ଲଖପତି ଦିଦି କରିବାକୁ ପ୍ରତିଜ୍ଞା କରିଛୁ। ମୁଁ ସନ୍ତୁଷ୍ଟ ଯେ ଏପର୍ଯ୍ୟନ୍ତ ୧.୫ କୋଟିରୁ ଅଧିକ ଭଉଣୀ ଲଖପତି ଦିଦି ହୋଇସାରିଛନ୍ତି। ଏବେ ପ୍ରତ୍ୟେକ ଗାଁରେ ବ୍ୟାଙ୍କ ସଖୀମାନେ ଲୋକଙ୍କୁ ବ୍ୟାଙ୍କିଙ୍ଗ ସହିତ ଯୋଡୁଛନ୍ତି। ସରକାର ବୀମା ସଖୀ କରିବା ପାଇଁ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ଆମର ଭଉଣୀ ଏବଂ ଝିଅମାନେ ଏବେ ଦେଶକୁ ବୀମା ସୁରକ୍ଷା ଦେବାରେ ବହୁତ ବଡ଼ ଭୂମିକା ଗ୍ରହଣ କରୁଛନ୍ତି।
ବନ୍ଧୁଗଣ,
ଗୋଟିଏ ସମୟ ଥିଲା ଯେତେବେଳେ ନୂତନ ପ୍ରଯୁକ୍ତିବିଦ୍ୟା ଆସିଥିଲା, ମହିଳାମାନଙ୍କୁ ଏଥିରୁ ଦୂରରେ ରଖାଯାଉଥିଲା। ଆଜି ଆମ ଦେଶ ସେହି ଯୁଗକୁ ପଛରେ ପକାଇ ଦେଉଛି। ଆଜି ସରକାର ଚେଷ୍ଟା କରୁଛନ୍ତି ଯେ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ମଧ୍ୟ ଆମର ଭଉଣୀ ଏବଂ ଝିଅମାନେ ଆଗକୁ ଆସି ନେତୃତ୍ୱ ନିଅନ୍ତୁ। ଆଜି କୃଷିରେ ଡ୍ରୋନ୍ ବିପ୍ଳବ ଆସିଛି। ଆମର ଗାଁ ଭଉଣୀମାନେ ହିଁ ଏହାକୁ ନେତୃତ୍ୱ ନେଉଛନ୍ତି। ନମୋ ଡ୍ରୋନ୍ ଦିଦି ଅଭିଯାନ ଗାଁ ଭଉଣୀମାନଙ୍କୁ ଉତ୍ସାହିତ କରୁଛି, ସେମାନଙ୍କର ଆୟ ବୃଦ୍ଧି ପାଉଛି ଏବଂ ସେମାନେ ଗାଁରେ ଏକ ନୂତନ ପରିଚୟ ପାଉଛନ୍ତି।
ବନ୍ଧୁଗଣ,
ଆଜି ଆମର ବହୁ ସଂଖ୍ୟକ ଝିଅ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର ଏବଂ ପାଇଲଟ୍ ହେଉଛନ୍ତି। ବିଜ୍ଞାନ ଏବଂ ଗଣିତ ପଢ଼ୁଥିବା ଝିଅଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଆଜି, ଆମର ସମସ୍ତ ପ୍ରମୁଖ ମହାକାଶ ମିଶନରେ, ଆମର ବହୁ ସଂଖ୍ୟକ ମା, ଭଉଣୀ ଏବଂ ଝିଅ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଛନ୍ତି। ସମଗ୍ର ଦେଶ ଚନ୍ଦ୍ରାୟଣ-୩ ମିଶନକୁ ନେଇ ଗର୍ବିତ। ଚନ୍ଦ୍ରାୟଣ-୩ ମିଶନରେ ୧୦୦ ରୁ ଅଧିକ ମହିଳା ବୈଜ୍ଞାନିକ ଏବଂ ଇଞ୍ଜିନିୟର ଅଂଶଗ୍ରହଣ କରିଥିଲେ । ସେହିପରି, ଏହା ଷ୍ଟାର୍ଟ-ଅପ୍ ର ଯୁଗ, ଆମର ଝିଅମାନେ ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ମଧ୍ୟ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଛନ୍ତି। ଦେଶର ପ୍ରାୟ ପଇଁଚାଳିଶ ପ୍ରତିଶତ ଷ୍ଟାର୍ଟ-ଅପ୍ରେ, ଅତି କମରେ ଜଣେ ନିର୍ଦ୍ଦେଶକ ଆମର ଭଉଣୀମାନଙ୍କ ମଧ୍ୟରୁ ଜଣେ, ଆମର ଝିଅମାନଙ୍କ ମଧ୍ୟରୁ ଜଣେ, ଜଣେ ମହିଳା ଏବଂ ଏହି ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି।
ବନ୍ଧୁଗଣ,
ନୀତି ନିର୍ଦ୍ଧାରଣରେ ଝିଅମାନଙ୍କର ଅଂଶଗ୍ରହଣକୁ ନିରନ୍ତର ବୃଦ୍ଧି କରିବା ପାଇଁ ଆମର ପ୍ରୟାସ। ଗତ ଦଶନ୍ଧିରେ, ଏଥିପାଇଁ ଗୋଟିଏ ପରେ ଗୋଟିଏ ଅନେକ ପଦକ୍ଷେପ ନିଆଯାଇଛି। ଆମ ସରକାରରେ ପ୍ରଥମ ଥର ପାଇଁ, ଜଣେ ପୂର୍ଣ୍ଣକାଳୀନ ମହିଳା ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ପ୍ରଥମ ଥର ପାଇଁ, ଜଣେ ମହିଳା ଦେଶର ଅର୍ଥମନ୍ତ୍ରୀ ହୋଇଥିଲେ। ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ, ମହିଳାଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଏଥର ୭୫ ଜଣ ସାଂସଦ ମହିଳା। କିନ୍ତୁ ଆମର ପ୍ରୟାସ ଏହି ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବା। ନାରୀ ଶକ୍ତି ବନ୍ଦନା ଆଇନ ପଛରେ ମଧ୍ୟ ସମାନ ଭାବନା ରହିଛି। ଏହି ଆଇନ ବର୍ଷ ବର୍ଷ ଧରି ବନ୍ଦ ଥିଲା, କିନ୍ତୁ ଆମ ସରକାର ଏହାକୁ ପାସ୍ କରିଛି। ବର୍ତ୍ତମାନ ସଂସଦ ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ନିଶ୍ଚିତ ହୋଇଛି। ଏହାର ଅର୍ଥ ହେଉଛି ବିଜେପି ସରକାର ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ କ୍ଷେତ୍ରରେ ଭଉଣୀ ଏବଂ ଝିଅମାନଙ୍କୁ ସଶକ୍ତ କରୁଛି।
ବନ୍ଧୁଗଣ,
ଭାରତ ଏକ ସଂସ୍କୃତି ଏବଂ ବହୁ ମୂଲ୍ୟବୋଧର ଦେଶ । ସିନ୍ଦୂର ଆମର ପରମ୍ପରାରେ ମହିଳା ଶକ୍ତିର ପ୍ରତୀକ। ରାମ ଭକ୍ତିରେ ବୁଡ଼ି ରହିଥିବା ହନୁମାନ ମଧ୍ୟ ସିନ୍ଦୂର ପିନ୍ଧନ୍ତି। ଆମେ ଶକ୍ତି ପୂଜାରେ ସିନ୍ଦୂର ଅର୍ପଣ କରୁ ଏବଂ ଏହି ସିନ୍ଦୂର ଏବେ ଭାରତର ସାହସର ପ୍ରତୀକ ପାଲଟିଛି।
ବନ୍ଧୁଗଣ,
ପହଲଗାମରେ, ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନାହାନ୍ତି, ସେମାନେ ଆମ ସଂସ୍କୃତି ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ସେମାନେ ଆମ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରିଛନ୍ତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଆହ୍ୱାନ କରିଛନ୍ତି। ଏହି ଆହ୍ୱାନ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଛି। ଅପରେସନ୍ ସିନ୍ଦୂର ହେଉଛି ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତର ଇତିହାସର ସବୁଠାରୁ ବଡ଼ ଏବଂ ସଫଳ ଅପରେସନ୍। ଯେଉଁଠାରେ ପାକିସ୍ତାନୀ ସେନା ଏହା କେବେ ମଧ୍ୟ ଭାବି ନଥିଲେ, ଆମର ସେନା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଥିଲେ। ସେମାନେ ଶହ ଶହ କିଲୋମିଟର ଭିତରକୁ ପ୍ରବେଶ କରି ସେମାନଙ୍କୁ ଧ୍ୱଂସ କରିଥିଲେ। ଅପରେସନ୍ ସିନ୍ଦୂର ସ୍ପଷ୍ଟ ଭାବରେ କହିଛି ଯେ ଆତଙ୍କବାଦୀଙ୍କ ମାଧ୍ୟମରେ ପ୍ରକ୍ସି ଯୁଦ୍ଧ କାମ କରିବ ନାହିଁ। ଏବେ ଆମେ ଘରେ ପ୍ରବେଶ କରି ମଧ୍ୟ ହତ୍ୟା କରିବୁ ଏବଂ ଯିଏ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବ ତାଙ୍କୁ ମଧ୍ୟ ଏହାର ଭାରୀ ମୂଲ୍ୟ ଦେବାକୁ ପଡ଼ିବ। ଏବେ ଭାରତର ପ୍ରତ୍ୟେକ ନାଗରିକ କହୁଛନ୍ତି, ୧୪୦ କୋଟି ଦେଶବାସୀଙ୍କ ଉଚ୍ଚ ସ୍ୱର କହୁଛି - ଯଦି ତୁମେ ଗୁଳି ଫୁଟାଇବ, ତେବେ ବିଶ୍ୱାସ କର ଯେ ଗୁଳିର ଜବାବ ସେଲ୍ରେ ଦିଆଯିବ।
ବନ୍ଧୁଗଣ,
ଅପରେସନ୍ ସିନ୍ଦୂର ମଧ୍ୟ ଆମର ନାରୀ ଶକ୍ତିର ପ୍ରତୀକ ପାଲଟିଛି। ଆମେ ସମସ୍ତେ ଜାଣୁ ଯେ ଏହି ଅପରେସନରେ ବିଏସଏଫ କେତେ ବଡ଼ ଭୂମିକା ଗ୍ରହଣ କରିଛି। ଜମ୍ମୁରୁ ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସୀମା ପର୍ଯ୍ୟନ୍ତ, ଆମର ବହୁ ସଂଖ୍ୟକ ବିଏସଏଫ ଝିଅମାନେ ସାମ୍ନାରେ ଥିଲେ,ସମସ୍ୟାକୁ ସମ୍ଭାଳିଥିଲେ। ସେମାନେ ସୀମା ପାରରୁ ଗୁଳିଚାଳନା ପାଇଁ ଉପଯୁକ୍ତ ଜବାବ ଦେଇଥିଲେ। କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରଠାରୁ ଆରମ୍ଭ କରି ଶତ୍ରୁ ପୋଷ୍ଟଗୁଡ଼ିକୁ ଧ୍ୱଂସ କରିବା ପର୍ଯ୍ୟନ୍ତ, ବିଏସଏଫର ସାହସୀ ଝିଅମାନେ ଆଶ୍ଚର୍ଯ୍ୟଜନକ ସାହସିକତା ପ୍ରଦର୍ଶନ କରିଛନ୍ତି।
ବନ୍ଧୁଗଣ,
ଆଜି ବିଶ୍ୱ ଜାତୀୟ ପ୍ରତିରକ୍ଷାରେ ଭାରତର ଝିଅମାନଙ୍କର ଶକ୍ତି ଦେଖୁଛି। ଏଥିପାଇଁ ମଧ୍ୟ ସରକାର ଗତ ଦଶନ୍ଧିରେ ଅନେକ ପଦକ୍ଷେପ ନେଇଛନ୍ତି। ସ୍କୁଲରୁ ଯୁଦ୍ଧକ୍ଷେତ୍ର ପର୍ଯ୍ୟନ୍ତ, ଆଜି ଦେଶ ତାର ଝିଅମାନଙ୍କ ସାହସିକତାରେ ଅଭୂତପୂର୍ବ ବିଶ୍ୱାସ ରଖିଛି। ପ୍ରଥମ ଥର ପାଇଁ, ଆମର ସେନା ଝିଅମାନଙ୍କ ପାଇଁ ସୈନିକ ସ୍କୁଲର ଦ୍ୱାର ଖୋଲିଛି। ୨୦୧୪ ପୂର୍ବରୁ, ଏନସିସିରେ କେବଳ ୨୫ ପ୍ରତିଶତ କ୍ୟାଡେଟ୍ ଝିଅ ଥିଲେ, ଆଜି ସେମାନଙ୍କ ସଂଖ୍ୟା ୫୦ ପ୍ରତିଶତ ଆଡ଼କୁ ବୃଦ୍ଧି କରୁଛି। ଗତକାଲି, ଦେଶରେ ଆଉ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। ଆପଣ ଆଜି ଖବରକାଗଜରେ ଦେଖିଥିବେ ଯେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ ) ରୁ ମହିଳା କ୍ୟାଡେଟ୍ ମାନଙ୍କର ପ୍ରଥମ ବ୍ୟାଚ୍ ପାସ୍ ଆଉଟ୍ ହୋଇଛି। ଆଜି, ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ମହିଳାମାନଙ୍କୁ ଆଗ ଧାଡ଼ିରେ ନିୟୋଜିତ କରାଯାଉଛି। ଆଜି, ଲଢ଼ୁଆ ବିମାନଠାରୁ ଆରମ୍ଭ କରି ଏଏନଏସ ବିକ୍ରାନ୍ତ ଯୁଦ୍ଧଜାହାଜ ପର୍ଯ୍ୟନ୍ତ, ମହିଳା ଅଧିକାରୀମାନେ ସେମାନଙ୍କର ସାହସିକତା ପଦର୍ଶନ କରୁଛନ୍ତି।
ବନ୍ଧୁଗଣ,
ଦେଶ ନିକଟରେ ଆମର ନୌସେନାର ସାହସୀ ଝିଅମାନଙ୍କ ସାହସର ଏକ ନୂତନ ଉଦାହରଣ ଅଛି। ମୁଁ ଆପଣଙ୍କୁ ନାଭିକା ସାଗର ପରିକ୍ରମା ବିଷୟରେ କହିବାକୁ ଚାହୁଁଛି। ନୌସେନାର ଦୁଇ ସାହସୀ ଝିଅ ପ୍ରାୟ ୨୫୦ ଦିନର ସମୁଦ୍ର ଯାତ୍ରା ସମାପ୍ତ କରିଛନ୍ତି, ପୃଥିବୀ ପରିକ୍ରମା କରିଛନ୍ତି। ସେମାନେ ଏକ ଡଙ୍ଗାରେ ହଜାର ହଜାର କିଲୋମିଟରର ଏହି ଯାତ୍ରା କରିଛନ୍ତି ଯାହା ମୋଟରରେ ନୁହେଁ ବରଂ ଆକାଶରେ ଚାଲିଥାଏ। କଳ୍ପନା କରନ୍ତୁ, ସମୁଦ୍ରରେ ୨୫୦ ଦିନ, ଏତେ ଦିନ ସମୁଦ୍ରରେ ରହି, ଅନେକ ସପ୍ତାହ ପର୍ଯ୍ୟନ୍ତ ସ୍ଥଳ ମଧ୍ୟ ଦେଖି ନଥିଲେ ଏବଂ ତା ଉପରେ ସମୁଦ୍ରରେ ଝଡ଼ କେତେ ଶକ୍ତିଶାଳୀ, ଆମେ ଜାଣୁ, ଖରାପ ପାଗ, ଭୟଙ୍କର ଝଡ଼, ସେହି ଦୁଇ ଝିଅ, ସେମାନେ ପ୍ରତ୍ୟେକ କଷ୍ଟକୁ ପରାସ୍ତ କରିଛନ୍ତି। ଏହା ଦର୍ଶାଉଛି ଯେ ସମସ୍ୟା ଯେତେ ବଡ଼ ହେଉ ନ କାହିଁକି , ଭାରତର ଝିଅମାନେ ଏହାକୁ ପରାସ୍ତ କରିପାରିବେ।
ବନ୍ଧୁଗଣ,
ନକ୍ସଲବାଦୀଙ୍କ ବିରୁଦ୍ଧରେ ଅଭିଯାନ ହେଉ କିମ୍ବା ସୀମାପାର ଆତଙ୍କବାଦ, ଆଜି ଆମର ଝିଅମାନେ ଭାରତର ସୁରକ୍ଷାର କବଚ ହୋଇ ଠିଆହୋଇଛନ୍ତି । ଆଜି, ଦେବୀ ଅହଲ୍ୟାଙ୍କ ଏହି ପବିତ୍ର ଭୂମିରୁ, ମୁଁ ପୁଣି ଥରେ ଦେଶର ମହିଳା ଶକ୍ତିକୁ ପ୍ରଣାମ କରୁଛି।
ବନ୍ଧୁଗଣ,
ଦେବୀ ଅହଲ୍ୟା ତାଙ୍କ ରାଜତ୍ୱ କାଳରେ କେବଳ ବିକାଶମୂଳକ କାର୍ଯ୍ୟ କରିନଥିଲେ ବରଂ ଐତିହ୍ୟକୁ ସଂରକ୍ଷଣ ମଧ୍ୟ କରିଥିଲେ। ଆଜିର ଭାରତ ବିକାଶ ଏବଂ ଐତିହ୍ୟ ଉଭୟକୁ ଆଗକୁ ବଢ଼ାଉଛି। ଆଜିର କାର୍ଯ୍ୟକ୍ରମ ହେଉଛି ଦେଶଗୁଡ଼ିକ ଆଧୁନିକ ଭିତ୍ତିଭୂମି ନିର୍ମାଣକୁ କିପରି ତ୍ୱରାନ୍ୱିତ କରୁଛନ୍ତି ତାହାର ଏକ ଉଦାହରଣ। ଆଜି, ମଧ୍ୟପ୍ରଦେଶକୁ ଏହାର ପ୍ରଥମ ମେଟ୍ରୋ ସୁବିଧା ମିଳିଛି। ଇନ୍ଦୋର ସ୍ୱଚ୍ଛତା ପାଇଁ ବିଶ୍ୱରେ ନିଜର ଛାପ ସୃଷ୍ଟି କରିସାରିଛି। ଏବେ ଇନ୍ଦୋର ମଧ୍ୟ ଏହାର ମେଟ୍ରୋ ପାଇଁ ଜଣାଶୁଣା ହେବାକୁ ଯାଉଛି। ଭୋପାଳରେ ମଧ୍ୟ ମେଟ୍ରୋ କାମ ଦ୍ରୁତ ଗତିରେ ଚାଲିଛି। ମଧ୍ୟପ୍ରଦେଶରେ, ରେଳ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରାଯାଉଛି। କିଛି ଦିନ ପୂର୍ବରୁ, କେନ୍ଦ୍ର ସରକାର ରତଲାମ-ନାଗଡା ରୁଟକୁ ଚାରି ଲାଇନରେ ପରିବର୍ତ୍ତନ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅଞ୍ଚଳରେ ଅଧିକ ଟ୍ରେନ ଚାଲିପାରିବ ଏବଂ ଭିଡ଼ ହ୍ରାସ ମଧ୍ୟ କରିବ। କେନ୍ଦ୍ର ସରକାର ଇନ୍ଦୋର-ମନମାଡ ରେଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି।
ବନ୍ଧୁଗଣ,
ଆଜି ମଧ୍ୟ ପ୍ରଦେଶର ଦାତିଆ ଏବଂ ସତନା ମଧ୍ୟ ବିମାନ ଯାତ୍ରା ନେଟୱାର୍କ ସହିତ ଯୋଡ଼ି ହୋଇଛି। ଏହି ଦୁଇଟି ବିମାନବନ୍ଦର ସହିତ ବୁନ୍ଦେଲଖଣ୍ଡ ଏବଂ ବିନ୍ଧ୍ୟ କ୍ଷେତ୍ରରେ ବିମାନ ସଂଯୋଗର ଉନ୍ନତ ହେବ। ଏବେ ମା ପିତାମ୍ବର, ମା ଶାରଦା ଦେବୀ ଏବଂ ପବିତ୍ର ଚିତ୍ରକୂଟ ଧାମଙ୍କୁ ଦର୍ଶନ କରିବା ସହଜ ହୋଇଯିବ।
ବନ୍ଧୁଗଣ,
ଆଜି ଭାରତ ଇତିହାସର ସେହି ମୋଡ଼ରେ ଅଛି ଯେଉଁଠାରେ ଆମକୁ ପ୍ରତ୍ୟେକ ସ୍ତରରେ ଆମର ସୁରକ୍ଷା, ଆମର ଶକ୍ତି ଏବଂ ଆମର ସଂସ୍କୃତି ଉପରେ କାମ କରିବାକୁ ପଡିବ। ଆମକୁ ଆମର କଠିନ ପରିଶ୍ରମକୁ ବୃଦ୍ଧି କରିବାକୁ ପଡିବ। ଏଥିରେ ଆମର ମାତୃଶକ୍ତି, ଆମର ମାତା-ଭଉଣୀ-ଝିଅଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ । ଆମ ସମ୍ମୁଖରେ ଲୋକମାତା ଦେବୀ ଅହଲ୍ୟାବାଈଙ୍କ ପ୍ରେରଣା ଅଛି। ରାଣୀ ଲକ୍ଷ୍ମୀବାଈ, ରାଣୀ ଦୁର୍ଗାବତୀ, ରାଣୀ କମଳାପତି, ଅବନ୍ତିବାଇ ଲୋଧି, କିତ୍ତୁରର ରାଣୀ ଚେନ୍ନମ୍ମା, ରାଣୀ ଗୈଦିନଲିଉ, ଭେଲୁ ନାଚିୟାର, ସାବିତ୍ରୀ ବାଇ ଫୁଲେ, ଏପରି ପ୍ରତ୍ୟେକ ନାମ ଆମକୁ ଗର୍ବରେ ଭରିଦିଏ। ଲୋକମାତା ଅହଲ୍ୟାବାଈଙ୍କ ଏହି ୩୦୦ ତମ ଜନ୍ମବାର୍ଷିକୀ ଆମକୁ ପ୍ରେରଣା ଦେଉ, ଆମେ ଆଗାମୀ ଶତାବ୍ଦୀ ପାଇଁ ଏକ ଶକ୍ତିଶାଳୀ ଭାରତର ମୂଳଦୁଆକୁ ମଜବୁତ କରୁ, ଏହି କାମନା ସହିତ ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆପଣଙ୍କର ତ୍ରିରଙ୍ଗା ଉଠାନ୍ତୁ ଏବଂ ମୋ ସହିତ ମିଶି କହିବେ -
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
****
SPD
(Release ID: 2159626)
Visitor Counter : 6
Read this release in:
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam