ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୨ରେ ବିହାର ଓ ପଶ୍ଚିମ ବଙ୍ଗ ଗସ୍ତରେ ଯିବେ
Posted On:
20 AUG 2025 3:02PM by PIB Bhubaneshwar
-ପ୍ରଧାନମନ୍ତ୍ରୀ ଗୟାଠାରେ ୧୩ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
-ପ୍ରକଳ୍ପ ଗୁଡ଼ିକରେ ଅଛି ଶକ୍ତି, ସଡ଼କ, ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ ଏବଂ ଜଳ ଯୋଗାଣ
-ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀରେ ଅଉଣ୍ଟା-ସିମାରିଆ ପୋଲ ପ୍ରକଳ୍ପର ଉଦଘାଟନ କରିବେ, ଯାହାକି ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯାତୟାତ ସୁଗମ କରିବ
-ନୂତନ ପୋଲ ଭାରୀ ଯାନଙ୍କ ଯାତାୟାତ ପାଇଁ ପ୍ରାୟ ୧୦୦ କିଲୋମିଟର ଦୂରତ୍ୱ ହ୍ରାସ କରିବ ଏବଂ ସିମାରିଆ ଧାମରେ ପହଞ୍ଚିବା ସହଜ ହେବ
-ପ୍ରଧାନମନ୍ତ୍ରୀ ଗୟା-ଦିଲ୍ଲୀ ଅମ୍ରିତ ଭାରତ ଏକ୍ସପ୍ରେସ ଏବଂ ବୈଶାଳୀ ଏବଂ କୋଡେର୍ମା ମଧ୍ୟରେ ବୁଦ୍ଧିଷ୍ଟ ସର୍କିଟ ଟ୍ରେନର ଶୁଭାରମ୍ଭ କରିବେ
-ପ୍ରଧାନମନ୍ତ୍ରୀ କୋଲକାତାରେ ୫,୨୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ
-ପ୍ରଧାନମନ୍ତ୍ରୀ କୋଲକାତାର ନୂତନ ନିର୍ମାଣାଧୀନ ସେକ୍ସନରେ ମେଟ୍ରୋ ଟ୍ରେନ ସେବାକୁ ଶୁଭାରମ୍ଭ କରିବେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୨ ତାରିଖରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ସେ ବିହାରର ଗୟାଠାରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ୧୩ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ମଧ୍ୟ ଦୁଇଟି ଟ୍ରେନର ଶୁଭାରମ୍ଭ କରିବେ ଏବଂ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପରେ ସେ ଗଙ୍ଗା ନଦୀରେ ଅଉଣ୍ଟା-ସିମାରିଆ ପୋଲ ପ୍ରକଳ୍ପର ଉଦଘାଟନ କରିବାକୁ ସେଠାକୁ ଗସ୍ତ କରିବେ ।
ପ୍ରଧାନମନ୍ତ୍ରୀ ଅପରାହ୍ଣ ପ୍ରାୟ ୪ଟା ୧୫ରେ କୋଲକାତାର ନୂତନ ନିର୍ମାଣାଧୀନ ସେକ୍ସନରେ ମେଟ୍ରୋ ଟ୍ରେନ ସେବାର ଶୁଭାରମ୍ଭ କରିବେ । ଏଥିସହ ସେ ଜେସୋର ରୋଡ ମେଟ୍ରୋ ଷ୍ଟେସନରୁ ଜୟହିନ୍ଦ ବିମାନବନ୍ଦର ପର୍ଯ୍ୟନ୍ତ ମେଟ୍ରୋରେ ଯାଇ ପ୍ରତ୍ୟାବର୍ତ୍ତନ କରିବେ । ଏହାପରେ ସେ କୋଲକାତାରେ ୫,୨୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।
ବିହାରରେ ପ୍ରଧାନମନ୍ତ୍ରୀ
ଯୋଗାଯୋଗ ବ୍ୟବସ୍ଥାର ବିକାଶ ପାଇଁ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଏନଏଚ-୩୧ରେ ୮.୧୫ ମିଲୋମିଟର ଦୈର୍ଘ୍ୟର ଅଉଣ୍ଟା-ସିମାରିଆ ପୋଲ ପ୍ରକଳ୍ପ ଏବଂ ଗଙ୍ଗାରେ ୧.୮୬ କିମିର ୬ ଲେନ ବିଶିଷ୍ଟ ପୋଲର ଲୋକାର୍ପଣ କରିବେ । ୧୮୭୦ କୋଟିରୁ ଅଧିକ ଟଙ୍କାରେ ଏହା ନିର୍ମିତ ହୋଇଛି । ଏହା ପାଟନାର ମୋକମା ଠାରୁ ବେଗୁସରାଇକୁ ସିଧାସଳଖ ଯାତାୟାତ ସୁବିଧା କରିବ ।
ଏହି ପୋଲ ପୁରୁଣା କାଳରୁ ଖରାପ ଅବସ୍ଥାରେ ଥିବା ରେଳ ସହ ସଡ଼କ ପୋଲ ‘ରାଜେନ୍ଦ୍ର ସେତୁ’ର ସମାନ୍ତରାଳରେ ନିର୍ମିତ ହୋଇଛି । ଏହାର ଅବସ୍ଥା ଖରାପ ଥିବାରୁ ଭାରୀ ଯାନ ଗୁଡ଼ିକ ବାଟ ବଦଳାଇ ଅନ୍ୟ ରାସ୍ତାରେ ଯାଉଥିଲେ । ନୂତନ ଉତ୍ତର ବିହାର (ବେଗୁସରାଇ, ସୁପୌଲ, ମଧୁବନୀ, ପୂର୍ଣ୍ଣିୟା, ଅରରିୟା) ସହ ଦକ୍ଷିଣ ବିହାର (ଶେଖପୁରା, ନୱାଡା,ଲଖୀସରାଇ ଆଦି) ମଧ୍ୟରେ ଯାତାୟାତକୁ ସୁଗମ କରିବ । ଭାରୀ ଯାନ ଗୁଡ଼ିକ ପାଇଁ ପ୍ରାୟ ୧୦୦ କିଲୋମିଟରର ଦୂରତ୍ୱ ମଧ୍ୟ ହ୍ରାସ ପାଇବ । ଭାରୀ ଯାନ ଗୁଡ଼ିକ ଏହି ରାସ୍ତା ଛାଡ଼ି ଅନ୍ୟ ରାସ୍ତାରେ ଯାଉଥିବାରୁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ମଧ୍ୟ ଦୂର ହୋଇପାରିବ ।
ଏହାର ଆଖପାଖ ଅଞ୍ଚଳ, ବିଶେଷ କରି ଉତ୍ତର ବିହାରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ । ଯେଉଁ ଅଞ୍ଚଳ ଆବଶ୍ୟକ କଞ୍ଚାମାଲ ପାଇଁ ଦକ୍ଷିଣ ବିହାର ଓ ଝାଡ଼ଖଣ୍ଡ ଉପରେ ନିର୍ଭରଶୀଳ । ଏଥିସହ ପ୍ରସିଦ୍ଧ ତୀର୍ଥସ୍ଥଳ ସିମରିୟା ଧାମ ପର୍ଯ୍ୟନ୍ତ ଯାତାୟାତ ସୁବିଧା ହୋଇପାରିବ, ଯାହାକି ପ୍ରସିଦ୍ଧ କବି ସ୍ୱର୍ଗତ ଶ୍ରୀ ରାମଧାରୀ ସିଂ ଦିନକରଙ୍କ ଜନ୍ମସ୍ଥଳ ।
ପ୍ରଧାନମନ୍ତ୍ରୀ ମଧ୍ୟ ୧୯୦୦ କୋଟି ଟଙ୍କାରେ ନିର୍ମିତ ଏନଏଚ-୩୧ର ବଖତିୟାରପୁରରୁ ମୋକା ସେକ୍ସନ ପର୍ଯ୍ୟନ୍ତ ଚାରିଲେନ ସଡ଼କର ଲୋକାର୍ପଣ କରିବେ । ଏହା ଭିଡ଼ ହ୍ରାସ କରିବା ସହ, ଯାତାୟାତ ସମୟ କମାଇବ, ଯାତ୍ରୀ ଚଳପ୍ରଚଳ ଓ ମାଲ ପରିବହନ ବୃଦ୍ଧି କରିବ । ବିହାରର ଏନଏଚ-୧୨୦ରେ ବିକ୍ରମଗଞ୍ଜ-ଦୱାତ-ନୱାନଗର-ଦୁମରାଓ ସେକ୍ସନର ଦୁଇ ଲେନ ବିଶିଷ୍ଟ ସଡ଼କରେ ଫୁଟପାଥ ସହ ବିକାଶ ଗ୍ରାମାଞ୍ଚଳକୁ ଯୋଗାଯୋଗ ସୁଦୃଢ଼ କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ନୂତନ ଆର୍ଥିକ କାରବାରର ବାଟ ଖୋଲିବ ।
ବିହାରରେ ବିଜୁଳି କ୍ଷେତ୍ରରେ ମୌଳିକ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ପ୍ରଧାନମନ୍ତ୍ରୀ ପ୍ରାୟ ୬,୮୦୦ କୋଟି ଟଙ୍କାର ନିର୍ମିତ ବକ୍ସର ପାୱାର ପ୍ଲାଣ୍ଟ (୬୦୦୦ ଗୁଣନ ୧ ମେଗାୱାଟ)ର ଉଦଘାଟନ କରିବେ । ଏହାଦ୍ୱାରା ବିଜୁଳି ଉତ୍ପାଦନ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ହେବ, ଶକ୍ତି ସୁରକ୍ଷା ବୃଦ୍ଧି ପାଇବ ଏବଂ ଅଞ୍ଚଳରେ ବିଜୁଳିର ବର୍ଦ୍ଧିତ ଆବଶ୍ୟକତା ପୂରଣ ହୋଇପାରିବ ।
ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ମୁଜାଫରପୁରରେ ହୋମି ଭାବା କ୍ୟାନ୍ସର ହସପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର ଉଦଘାଟନ କରିବେ । ଏହି କେନ୍ଦ୍ରରେ ଉନ୍ନତ ଅଙ୍କୋଲୋଜି ଓପିଡି, ଆଇପିଡଇ ୱାର୍ଡ, ଅପରେସନ ଥିଏଟର, ଆଧୁନିକ ପ୍ରୟୋଗଶାଳା, ବ୍ଲଡ ବ୍ୟାଙ୍କ ଏବଂ ୨୪ ଶଯ୍ୟା ବିଶିଷ୍ଟ ଆଇସିୟୁ (ଇଣ୍ଟେନସିଭ୍ କେୟାର ୟୁନିଟ) ଏବଂ ଏଚଡିୟୁ (ହାଇ ଡିପେଣ୍ଡେନ୍ସି ୟୁନିଟ) ଅଛି । ଏହି ଅତ୍ୟାଧୁନିକ ସୁବିଧା ବିହାର ଏବଂ ପଡ଼ୋଶୀ ରାଜ୍ୟର ରୋଗୀଙ୍କୁ ଉପନ୍ନତ ଏବଂ ସହଜଲବ୍ଧ କ୍ୟାନ୍ସର ଚିକିତ୍ସା ସୁବିଧା ପ୍ରଦାନ କରିବ । ଯାହାଦ୍ୱାରା କି ଚିକିତ୍ସା ପାଇଁ ଦୂରଦୂରନ୍ତର ସହରକୁ ଯିବାର ଆବଶ୍ୟକତା ହ୍ରାସ ପାଇବ ।
ସ୍ୱଚ୍ଛ ଭାରତ ଦୃଷ୍ଟିକୋଣକୁ ଆଗେଇ ନେବା ଉଦେ୍ଦଶ୍ୟରେ ଗଙ୍ଗା ନଦୀରେ ଅବିରଳ ଓ ନିର୍ମଳ ଧାରାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନମାମୀ ଗଙ୍ଗେ ଯୋଜନାରେ ୫୨୦ କୋଟି ଟଙ୍କାରେ ମୁଙ୍ଗେରଠାରେ ନିର୍ମିତ ସିୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ଏବଂ ସିୱେରେଜ ନେଟୱର୍କର ଉଦଘାଟନ କରିବେ । ଏହା ଗଙ୍ଗାରେ ପ୍ରଦୂଷଣ ହ୍ରାସ କରିବା ସହିତ ସ୍ୱଚ୍ଛତା ସୁବିଧାକୁ ସୁଧାର କରିବାରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ପ୍ରାୟ ୧୨୬୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ସହରାଞ୍ଚଳ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ଗୁଡ଼ିକ ପାଇଁ ଶିଳାନ୍ୟାସ କରିବେ । ଏହା ମଧ୍ୟରେ ରହିଛି ଔରଙ୍ଗାବାଦର ଦାଉଦନଗର ଓ ଜେହନାବାଦରେ ଏସଟିପି ଏବଂ ସିୱେରେଜ ନେଟୱର୍କ ପ୍ରତିଷ୍ଠା, ଲଖୀସରାଇ ଏବଂ ଜାମ୍ମୁଇର ବରହିୟାରେ ଏସଟିପି ଓ ଇଣ୍ଟରସ୍ପେସନ ଡାଇଭର୍ସନ କାମ । ଅମୃତ ୨.୦ ଯୋଜନାରେ ଔରଙ୍ଗାବାଦ, ବୋଧଗୟା ଏବଂ ଜେହନାବାଦରେ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ସ୍ୱଚ୍ଛ ପାନୀୟ ଜଳ, ଆଧୁନିକ ସ୍ୱିରେଜ ପ୍ରଣାଳୀ ଏବଂ ଉତ୍ତମ ସ୍ୱଚ୍ଛତା ପ୍ରଦାନ କରିବ, ଯାହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମାନାଙ୍କ ଏବଂ ଜୀବନସ୍ତରରେ ସୁଧାର ଆସିବ ।
ଅଞ୍ଚଳରେ ରେଳ ଯୋଗାଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଦୁଇଟି ଟ୍ରେନର ଶୁଭାରମ୍ଭ କରିବେ । ଗୟା ଓ ଦିଲ୍ଲୀ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ଆଧୁନିକ ସୁବିଧା, ଆରାମ ଓ ସୁରକ୍ଷା ସହିତ ଯାତ୍ରୀ ସୁବିଧାରେ ସୁଧାର ଆଣିବ । ଏଥିସହ ବୈଶାଳୀ ଓ କୋଡେରମା ମଧ୍ୟରେ ବୌଦ୍ଧସର୍କିଟ ଟ୍ରେନ, ଅଞ୍ଚଳର ପ୍ରମୁଖ ବୌଦ୍ଧପୀଠରେ ପର୍ଯ୍ୟଟନ ଓ ଧାର୍ମିକ ଯାତ୍ରାକୁ ବୃଦ୍ଧି କରିବ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅନ୍ତର୍ଗତ ୧୨୦୦ ଗ୍ରାମୀଣ ହିତାଧିକାରୀଙ୍କ ଗୃହପ୍ରବେଶ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ଅନ୍ତର୍ଗତ ୪,୨୬୦ ହିତାଧିକାରୀଙ୍କ ଗୃହପ୍ରବେଶ ସମାରୋହ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ପ୍ରତୀକାତ୍ମକ ଭାବେ କେତେକ ହିତାଧିକାରୀଙ୍କୁ ଚାବି ବଣ୍ଟନ କରିବେ, ଯାହାଦ୍ୱାରା ସହସ୍ରାଧିକ ପରିବାରର ନିଜ ଆବାସ ସ୍ୱପ୍ନ ସାକାର ହୋଇପାରିବ ।
ପଶ୍ଚିମ ବଙ୍ଗରେ ପ୍ରଧାନମନ୍ତ୍ରୀ
ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମି ଏବଂ ବିକଶିତ ସହରାଞ୍ଚଳ ଯୋଗାଯୋଗ ପାଇଁ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ କୋଲକାତାରେ ମେଟ୍ରୋ ରେଳ ପ୍ରକଳ୍ପକୁ ଉଦଘାଟନ କରିବେ । ଏହି ରୁଟରେ ନବନିର୍ମିତ ୧୩.୬୧ କି.ମି. ଦୈର୍ଘ୍ୟର ନୂତନ ମେଟ୍ରୋ ନେଟୱର୍କ ଏବଂ ମେଟ୍ରୋ ସେବାର ଶୁଭାରମ୍ଭ ହେବ । ସେ ଜେସୋର ରୋଡ ମେଟ୍ରୋ ଷ୍ଟେସନ ଗସ୍ତ କରିବେ ଏବଂ ସେଠାରେ ସେ ନୋଆପାଡା-ଜୟହିନ୍ଦ ବିମାନବନ୍ଦର ମେଟୋ ସର୍ଭିସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏଥିସହ ଭିଡିଓ କନଫରେନ୍ସିଙ୍ଗରେ ପ୍ରଧାନମନ୍ତ୍ରୀ ସିଆଲଦା-ଏସପ୍ଲାନେଡ ମେଟ୍ରୋ ସର୍ଭିସ ବେଲେଘାଟା-ହେମନ୍ତ ମୁଖୋପାଧ୍ୟାୟ ମେଟ୍ରୋ ସର୍ଭିସର ଶୁଭାରମ୍ଭ କରିବେ । ଏଥିସହ ସେ ଜେସୋର ରୋଡ ମେଟ୍ରୋ ଷ୍ଟେସନରୁ ଜୟହିନ୍ଦ ବିମାନବନ୍ଦର ପର୍ଯ୍ୟନ୍ତ ମେଟ୍ରୋରେ ଯାଇ ପ୍ରତ୍ୟାବର୍ତ୍ତନ କରିବେ ।
ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଏହି ମେଟ୍ରୋ ସେକ୍ସନ ଏବଂ ହାଓଡ଼ା ମେଟ୍ରୋ ଷ୍ଟେସନର ଏକ ନବନିର୍ମିତ ସବ୍ୱେକୁ ଉଦଘାଟନ କରିବେ । ନୋଆପାଡ଼ା-ଜୟହିନ୍ଦ ବିମାନବନ୍ଦର ମେଟ୍ରୋ ସେମାରେ ବିମାନବନ୍ଦରରେ ପହଞ୍ଚିବା ଅତ୍ୟନ୍ତ ସୁବିଧା ହେବ । ସିଆଲଦା-ଏସପ୍ଲାନେଡ ମେଟ୍ରୋ ଦୁଇଟିଯାକ ସ୍ଥାନ ମଧ୍ୟରେ ଯାତ୍ରା ସମୟ ୪୦ ମିନିଟରୁ ୧୧ ମିନିଟକୁ ହ୍ରାସ କରିବ । ବେଲେଘାଟା-ହେମନ୍ତ ମୁଖୋପାଧ୍ୟାୟ ମେଟ୍ରୋ ସେକ୍ସେନ ଆଇଟି ହବ୍ ସହ ଯୋଗାଯୋଗ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଏହି ମେଟ୍ରୋ ରୁଟ କୋଲକାତାର ସବୁଠାରୁ ବ୍ୟସ୍ତବହୁଳ କେତେକ ଅଞ୍ଚଳକୁ ଯୋଡ଼ିବ, ଯାତ୍ରା ସମୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ଏବଂ ବହୁମୁଖୀ ଯୋଗାଯୋଗକୁ ମଜବୁତ କରିବ, ଯେଉଁଥିରେ ଦୈନିକ ଲକ୍ଷାଧିକ ଯାତ୍ରୀଙ୍କୁ ସୁବିଧା ମିଳିବ ।
ଅଞ୍ଚଳରେ ସଡ଼କ ଭିତ୍ତଭୂମିକୁ ସୁଦୃଢ଼ କରିବା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ୧୨୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ହେବାକୁ ଥିବା ୭.୨ କିଲୋମିଟର ଦୈର୍ଘ୍ୟର ଛଅ ଲେନ ବିଶିଷ୍ଟ ଏଲିଭେଟେଡ କୋନା ଏକ୍ସପ୍ରେସ୍ ୱେ ର ଶିଳାନ୍ୟାସ କରିବେ । ଏହା ହାଓଡ଼ା, ଆଖପାଖ ଗ୍ରାମାଞ୍ଚଳ ଏବଂ କୋଲକାତା ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବ, ଯାହାଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବ ଏବଂ ଅଞ୍ଚଳରେ କାରବାର, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ମହତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିବ ।
SR
(Release ID: 2158575)
Read this release in:
Assamese
,
Bengali
,
English
,
Urdu
,
Marathi
,
Hindi
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam