ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଏକ ବିକଶିତ ଏବଂ ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ୫ ଟି ନୂତନ ଜିଲ୍ଲା ପ୍ରତିଷ୍ଠା କରିବା ଲାଗି ନେଲା ନିଷ୍ପତ୍ତି
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ୫ଟି ନୂତନ ଜିଲ୍ଲା-ଯଂସ୍କାର, ଦ୍ରାସ, ଶାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗରେ ପ୍ରଶାସନକୁ ସୁଦୃଢ଼ କରିବାର ଐତିହାସିକ ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଦ୍ୱାରଦେଶରେ ସରକାରୀ ଯୋଜନାର ଲାଭ ପାଇବାକୁ ସକ୍ଷମ କରିବ
ମୋଦୀ ସରକାର ଲଦାଖର ଲୋକମାନଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ
ନୂଆ ଜିଲ୍ଲା ସୃଷ୍ଟି ହେବା ସହିତ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା ଲୋକମାନଙ୍କ ନିକଟରେ ସହଜରେ ପହଞ୍ଚିବ ଏବଂ ଅଧିକରୁ ଅଧିକ ଲୋକ ଏଥିରୁ ଉପକୃତ ହେବେ
ଲଦାଖର ସାମଗ୍ରିକ ବିକାଶରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବ
प्रविष्टि तिथि:
26 AUG 2024 1:15PM by PIB Bhubaneshwar
ଏକ ବିକଶିତ ଏବଂ ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ୫ଟି ନୂତନ ଜିଲ୍ଲା ସୃଷ୍ଟି କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି।
ସାମାଜିକ ଗଣମାଧ୍ୟମ ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଏହି ଐତିହାସିକ ନିଷ୍ପତ୍ତି ବିଷୟରେ ସୂଚନା ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ନିଷ୍ପତ୍ତି ୫ ଟି ନୂତନ ଜିଲ୍ଲା-ଯଂସ୍କାର, ଦ୍ରାସ, ଶାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗରେ ପ୍ରଶାସନକୁ ମଜବୁତ କରିବ ଯାହା ଦ୍ୱାରା ସ୍ଥାନୀୟ ଲୋକମାନେ ସେମାନଙ୍କ ଘର ଦ୍ୱାରଦେଶରେ ସରକାରୀ ଯୋଜନାର ଲାଭ ପାଇପାରିବେ। ଏହି ପାଞ୍ଚଟି ଜିଲ୍ଲା ଗଠନ ହେବା ପରେ ଲଦାଖରେ ଏବେ ଲେହ ଏବଂ କାରଗିଲ ସମେତ ମୋଟ ସାତଟି ଜିଲ୍ଲା ରହିବ।
କ୍ଷେତ୍ରଫଳ ଦୃଷ୍ଟିରୁ ଲଦାଖ ଏକ ବହୁତ ବଡ଼ କେନ୍ଦ୍ରଶାସିତ ଅଞ୍ଚଳ। ବର୍ତ୍ତମାନ ଲଦାଖରେ ଦୁଇଟି ଜିଲ୍ଲା ରହିଛି-ଲେହ ଏବଂ କାରଗିଲ। ଏହା ଭାରତର ସବୁଠାରୁ କମ୍ ଜନବହୁଳ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଅତ୍ୟନ୍ତ କଠିନ ଏବଂ ଦୁର୍ଗମ ହୋଇଥିବାରୁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ତୃଣମୂଳ ସ୍ତରରେ ପହଞ୍ଚିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛି। ଏହି ଜିଲ୍ଲାଗୁଡ଼ିକର ଗଠନ ପରେ ଏବେ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରଶାସନର ସମସ୍ତ ଜନହିତକାରୀ ଯୋଜନା ଲୋକମାନଙ୍କ ପାଇଁ ସହଜରେ ଉପଲବ୍ଧ ହେବ ଏବଂ ଅଧିକରୁ ଅଧିକ ଲୋକ ଏହାର ଲାଭ ଉଠାଇ ପାରିବେ। ଗୃହ ମନ୍ତ୍ରଣାଳୟର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଲଦାଖର ସାମଗ୍ରିକ ବିକାଶ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବ।
ପାଞ୍ଚଟି ନୂତନ ଜିଲ୍ଲା ଗଠନ ପାଇଁ ‘‘ନୀତିଗତ ଅନୁମୋଦନ’’ ଦେବା ସହିତ ଗୃହ ମନ୍ତ୍ରଣାଳୟ ଲଦାଖ ପ୍ରଶାସନକୁ ନୂତନ ଜିଲ୍ଲା ଗଠନ ସମ୍ବନ୍ଧୀୟ ବିଭିନ୍ନ ଦିଗ, ଯଥା ଜିଲ୍ଲା ମୁଖ୍ୟାଳୟ, ସୀମା, ଢାଞ୍ଚା, ପଦବୀ ସୃଷ୍ଟି, ଜିଲ୍ଲା ଗଠନ ସମ୍ବନ୍ଧୀୟ ଅନ୍ୟାନ୍ୟ କୌଣସି ଦିଗ ଇତ୍ୟାଦି ଆକଳନ କରିବା ପାଇଁ ଏକ କମିଟି ଗଠନ କରିବାକୁ କହିଛି ଏବଂ ତିନି ମାସ ମଧ୍ୟରେ ଏ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ କହିଛି । ଉକ୍ତ କମିଟିର ରିପୋର୍ଟ ପାଇବା ପରେ, କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏହି ରିପୋର୍ଟ ଆଧାରରେ ନୂତନ ଜିଲ୍ଲା ସୃଷ୍ଟି ସମ୍ବନ୍ଧୀୟ ଚୁଡ଼ାନ୍ତ ପ୍ରସ୍ତାବକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ମନ୍ତ୍ରଣାଳୟକୁ ପଠାଇବ।
କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଲଦାଖର ଲୋକଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।
**********
P.S.
(रिलीज़ आईडी: 2048937)
आगंतुक पटल : 115
इस विज्ञप्ति को इन भाषाओं में पढ़ें:
English
,
Khasi
,
Urdu
,
Nepali
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada