ଅର୍ଥ ମନ୍ତ୍ରଣାଳୟ

ଅନ୍ତରୀଣ ବଜେଟ୍ ୨୦୨୪ - ୨୫ରେ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ଏବଂ କୃଷକ ମାନଙ୍କର ଆୟ ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦିଆଯାଇଛି


ପ୍ରାଥମିକ ଏବଂ ମାଧ୍ୟମିକ ପ୍ରକ୍ରିୟାକରଣ ଏବଂ ବିପଣନ ସମେତ ଅମଳ ପରବର୍ତ୍ତୀ କାର୍ଯ୍ୟକଳାପରେ ଘରୋଇ ଏବଂ ସରକାରୀ ନିବେଶକୁ ଅଧିକ ପ୍ରୋତ୍ସାହନ ଦେବାକୁ ଘୋଷଣା କରାଯାଇଛି

ପିଏମ୍ - କିଷାନ ସମ୍ମାନ ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୪ କୋଟି ଚାଷୀଙ୍କୁ ଫସଲ ବୀମା

ତୈଳବୀଜ ପାଇଁ "ଆତ୍ମନିର୍ଭରତା" ହାସଲ ନିମନ୍ତେ ରଣନୀତି ପ୍ରସ୍ତୁତ କରାଯିବ

ସମସ୍ତ କୃଷି ଜଳବାୟୁ ଅଞ୍ଚଳରେ ବିଭିନ୍ନ ଫସଲ ଉପରେ ନାନୋ ଡିଏପିର ପ୍ରୟୋଗ ବ୍ୟାପକ କରାଯିବ

Posted On: 01 FEB 2024 12:49PM by PIB Bhubaneshwar

୨୦୨୪ - ୨୫ ର ଅନ୍ତରୀଣ ବଜେଟରେ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦିଆଯାଇଛି । କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଅମଳ ପରବର୍ତ୍ତୀ କାର୍ଯ୍ୟକଳାପ ଯଥା ଏକତ୍ରୀକରଣ, ଆଧୁନିକ ଷ୍ଟୋରେଜ୍‌, ଦକ୍ଷ ଯୋଗାଣ ଶୃଙ୍ଖଳା, ପ୍ରାଥମିକ ଏବଂ ମାଧ୍ୟମିକ ପ୍ରକ୍ରିୟାକରଣ ଏବଂ ବିପଣନ ଏବଂ ବ୍ରାଣ୍ଡିଂରେ ଘରୋଇ ଏବଂ ସାର୍ବଜନୀନ ପୁଞ୍ଜି ନିବେଶକୁ ଅଧିକ ପ୍ରୋତ୍ସାହିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 “ଏହି କ୍ଷେତ୍ର ସମନ୍ୱିତ, ସନ୍ତୁଳିତ, ଉଚ୍ଚ ଅଭିବୃଦ୍ଧି ଏବଂ ଉତ୍ପାଦକତା ପାଇଁ ପ୍ରସ୍ତୁତ । କୃଷକ କେନ୍ଦ୍ରିତ ନୀତି, ଆୟ ସହାୟତା, ମୂଲ୍ୟ ଏବଂ ବୀମା ସହାୟତା ମାଧ୍ୟମରେ ବିପଦକୁ ପରିସରଭୁକ୍ତ କରିବା, ଷ୍ଟାର୍ଟ - ଅପ୍ ମାଧ୍ୟମରେ ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାରୁ ଏହା ସହଜ ହୋଇଥାଏ ବୋଲି ଅର୍ଥ ମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ ଯେ , ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଯୋଜନା ୨.୪ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୬୦ ହଜାର ଲୋକଙ୍କୁ କ୍ରେଡିଟ୍ ଲିଙ୍କେଜ୍‌ରେ ସହାୟତା ପ୍ରଦାନ କରିଛି । ଅର୍ଥ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟାନ୍ୟ ଯୋଜନାଗୁଡିକ ଅମଳ ପରବର୍ତ୍ତୀ ସମୟରେ କ୍ଷତିକୁ କମ୍ କରିବା ଏବଂ ଉତ୍ପାଦକତା ଓ ଆୟରେ ସୁଧାର ଆଣିବା ପାଇଁ ପ୍ରୟାସକୁ ସମର୍ଥନ କରୁଛି । ଶ୍ରୀମତୀ ସୀତାରମଣ ଉଲ୍ଲେଖ କରିଥିଲେ ଯେ , ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନାରେ ୩୮ ଲକ୍ଷ କୃଷକ ଉପକୃତ ହୋଇଛନ୍ତି ଏବଂ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି । ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଜାତୀୟ କୃଷି ବଜାର ୧୩୬୧ଟି ମଣ୍ଡିକୁ ଅନ୍ତର୍ଭୁକ୍ତ କରିଛି ଏବଂ ୧.୮ କୋଟି କୃଷକଙ୍କୁ ୩ ଲକ୍ଷ କୋଟି ଟଙ୍କାର କାରବାର ସହିତ ସେବା ପ୍ରଦାନ କରୁଛି ।

ଏସବୁ ଏବଂ ମୌଳିକ ଆବଶ୍ୟକତାର ବ୍ୟବସ୍ଥା ଯୋଗୁଁ ଗ୍ରାମାଞ୍ଚଳରେ ପ୍ରକୃତ ଆୟ ବୃଦ୍ଧି ପାଇଛି । ସେମାନଙ୍କର ଅର୍ଥନୈତିକ ଆବଶ୍ୟକତା ପୂରଣ ହୋଇ ପାରିବ, ଯାହା ଦ୍ୱାରା ଅଭିବୃଦ୍ଧି ଅଧିକ ହେବ ଏବଂ ନିଯୁକ୍ତି ସୃଷ୍ଟି ହେବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି । 

ଆତ୍ମନିର୍ଭର ତୈଳ ବୀଜ ଅଭିଯାନ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ଅନ୍ତରୀଣ ବଜେଟ୍ ୨୦୨୪ - ୨୫ରେ କୁହାଯାଇଛି ଯେ ସୋରିଷ, ଚିନାବାଦାମ, ରାଶି, ସୋୟାବିନ୍ ଏବଂ ସୂର୍ଯ୍ୟମୁଖୀ ଭଳି ତୈଳବୀଜ ପାଇଁ 'ଆତ୍ମନିର୍ଭରତା' ହାସଲ ନିମନ୍ତେ ରଣନୀତି ପ୍ରସ୍ତୁତ କରାଯିବ । ଅର୍ଥ ମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ଯେ , ଏଥିରେ ଅଧିକ ଅମଳକ୍ଷମ କିସମର ଗବେଷଣା, ଆଧୁନିକ ଚାଷ କୌଶଳକୁ ବ୍ୟାପକ ଭାବେ ଗ୍ରହଣ କରିବା, ବଜାର ସଂଯୋଗ, କ୍ରୟ, ମୂଲ୍ୟ ବୃଦ୍ଧି ଏବଂ ଫସଲ ବୀମା ଅନ୍ତର୍ଭୁକ୍ତ ହେବ । 

ନାନୋ ଡିଏପି

ନାନୋ ୟୁରିଆକୁ ସଫଳ ଭାବେ ଗ୍ରହଣ କରାଯିବା ପରେ ବିଭିନ୍ନ ଫସଲରେ ନାନୋ ଡିଏପିର ପ୍ରୟୋଗକୁ ସମସ୍ତ କୃଷି ଜଳବାୟୁ କ୍ଷେତ୍ରରେ ବ୍ୟାପକ କରାଯିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି । 

*****

SSP

 

 



(Release ID: 2002044) Visitor Counter : 49