ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅନ୍ତରୀଣ ବଜେଟ୍ ୨୦୨୪ ଉପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ମୂଳପାଠ

Posted On: 01 FEB 2024 1:52PM by PIB Bhubaneshwar

ମୋର ପ୍ରିୟ ଦେଶବାସୀଗଣ, ଆଜିର ଏହି ବଜେଟ୍‌, ଅବଶ୍ୟ ଅନ୍ତରୀଣ ବଜେଟ୍‌, କିନ୍ତୁ ଏହି ବଜେଟ୍ ସମାବେଶୀ ଏବଂ ନବସୃଜନାତ୍ମକ ବଜେଟ୍ ଅଟେ । ଏହି ବଜେଟ୍‌ରେ ନିରନ୍ତରତାର ଏକ ଭରସା ରହିଛି । ଏହି ବଜେଟ୍ ବିକଶିତ ଭାରତର ଚାରିସ୍ତମ୍ଭ-ଯୁବା, ଗରିବ, ମହିଳା, ଏବଂ କୃଷକ ସମସ୍ତଙ୍କୁ ସଶକ୍ତ କରିବ । ନିର୍ମଳାଜୀଙ୍କ ଏହି ବଜେଟ୍‌, ଦେଶର ଭବ୍ୟଷତର ନିର୍ମାଣର ବଜେଟ୍ ଅଟେ । ଏହି ବଜେଟ୍‌ରେ ୨୦୪୭ର ବିକଶିତ ଭାରତର ମୁଳଦୂଆକୁ ସଦୃଢ କରିବାର ଗ୍ୟାରେନ୍ଟି ରହିଛି । ମୁଁ ନିର୍ମାଳୀଜୀ ଏବଂ ତାଙ୍କ ଟିମ୍‌କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,
ଏହି ବଜେଟ୍‌ରେ, ଯୁବା ଭାରତର ଯୁବା ଆକାଂକ୍ଷା, ଭାରତର ଯୁବା ଆକାଂକ୍ଷା ଗୁଡିକର ପ୍ରତିଫଳନ ଅଟେ । ବଜେଟ୍‌ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଗବେଷଣା ଏବଂ ନବସୃଜନ ଉପରେ ଏକ ଲକ୍ଷ କୋଟି ଟଙ୍କାର ପାଂଠି ଗଠନର ଘୋଷଣା କରାଯାଇଛି । ବଜେଟ୍‌ରେ ସ୍ଟାର୍ଟ୍‌ଅପ୍ସ୍ ଗୁଡିକୁ ମିଳିବାକୁ ଥିବା ରିହାତିସୀମା ବୃଦ୍ଧିର ଘୋଷଣା ମଧ୍ୟ କରାଯାଇଛି ।

ବନ୍ଧୁଗଣ,
ଏହି ବଜେଟ୍‌ରେ ଆର୍ଥିକ ନିଅଂଟକୁ ନିୟନ୍ତ୍ରଣରେ ରଖି ପୁଂଜି ବ୍ୟୟଅଟକଳକୁ ୧୧ଲକ୍ଷ ୧୧ହଜାର ୧୧୧ କୋଟି ଟଙ୍କାର ଐତିହାସିକ ଶିଖରରେ ପହଁଚାଯାଇଛି । ଅର୍ଥଶାସ୍ତ୍ରୀମାନଙ୍କ ଭାଷାରେ ଯଦି ଆମେ କହିବା ତାହେଲେ ଏହା ଏକପ୍ରକାର ସ୍ୱିଟ୍‌ସ୍ପଟ୍ ଅଟେ । ଏହାଦ୍ୱାରା ଭାରତରେ ଏକବିଂଶ ଶବ୍ଦାଦୀର ଆଧୁନିକ ଭିତିଭୂମିର ନିର୍ମାଣ ସହିତ ଯୁବବର୍ଗ ନିମନ୍ତେ ଅଗଣିତ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ । ବଜେଟ୍‌ରେ ବନ୍ଦେ ଭାରତ ଶ୍ରେଣୀର ୪୦ହଜାର ଆଧୁନିକ ବଗି ନିର୍ମାଣ କରି, ସେସବୁକୁ ସାଧାରଣ ଯାତ୍ରୀ ଟ୍ରେନ୍‌ରେ ସଂଯୋଗ କରିବାର ଘୋଷଣ କରାଯାଇଛି । ଏହାଦ୍ୱାରା ଦେଶର ଭିନ୍ନ ଭିନ୍ନ ରେଳ ରୁଟ୍‌ରେ କୋଟି କୋଟି ଯାତ୍ରୀମାନଙ୍କ ମଧ୍ୟରେ ଆରାମଦାୟକ ଯାତ୍ରାର ଅନୁଭବ ବୃଦ୍ଧି ପାଇବ ।

ବନ୍ଧୁଗଣ,
ଆମେ ଗୋଟିଏ ବୃହତ ଲକ୍ଷ୍ୟ ସ୍ଥିର କରିଥାଉ, ଏହାକୁ ହାସଲ କରିଥାଉ ଏବଂ ପୁଣି ତାଠାରୁ ମଧ୍ୟ ବଡ ଲକ୍ଷ୍ୟ ନିଜ ପାଇଁ ସ୍ଥିର କରିଥାଉ । ଗରିବମାନଙ୍କ ପାଇଁ ଆମେ ଗାଁ ଏବଂ ସହରରେ ୪କୋଟିରୁ ଅଧିକ ବାସଗୃହ ନିର୍ମାଣ କରିଛୁ । ଏବେ ଆମେ ଆହୁରି ୨କୋଟି ନୂଆ ବାସଗୃହ ନିର୍ମାଣର ଲକ୍ଷ୍ୟ ସ୍ଥିର କରିଛୁ । ଆମେ ୨କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଇବା ପାଇଁ ଲକ୍ଷ୍ୟ ରଖିଥିଲୁ । ଏବେ ଏହି ଲକ୍ଷ୍ୟକୁ ବୃଦ୍ଧି କରି ୩କୋଟି ଲକ୍ଷପତି ଦିଦି କରାଇବା ପାଇଁ ଲକ୍ଷ୍ୟ ସ୍ଥିର କରିଦେଇଛୁ । ଆୟୁଷ୍ମାନ ଭାରତ ଯୋଜନା ଗରିବମାନଙ୍କର ବହୁତ ସହାୟତା କରିଛି । ଏବେ ଅଙ୍ଗନବାଡି ଏବଂ ଆଶାକର୍ମୀ, ସେହି ସମସ୍ତଙ୍କୁ ଏହି ଯୋଜନାର ଲାଭ ମିଳିବ ।

ବନ୍ଧୁଗଣ,
ଏହି ବଜେଟ୍‌ରେ ଗରିବ ଏବଂ ମଧ୍ୟମବର୍ଗକୁ ସଶକ୍ତ କରିବା ଏବଂ ସେମାନଙ୍କ ନିମନ୍ତେ ଆୟର ନୂଆ ସୁଯୋଗ ସୃଷ୍ଟି ଉପରେ ମଧ୍ୟ ବେଶ୍ ଗୁରୁତ୍ୱ ଦିଆଯାଇଛି । ଛାତ ଉପର ସୌରଶକ୍ତି ଅଭିଯାନରେ ଏକ କୋଟି ପରିବାରଙ୍କୁ ସୌର ରୁଫ୍ ଟପ୍ ମାଧ୍ୟମରେ ନିଶୁଳ୍କ ବିଦ୍ୟୁତ ଶକ୍ତି ମିଳିବ । କେବଳ ଏତିକି ନୁହେଁ, ସରକାରଙ୍କୁ ବଳକା ବିଦ୍ୟୁତଶକ୍ତି ବିକ୍ରି କରି ଲୋକମାନଙ୍କ ବାର୍ଷିକ ୧୫ରୁ ୨୦ହଜାର ଟଙ୍କାର ଆୟ ମଧ୍ୟ ହେବ ଏବଂ ଏହା ପ୍ରତ୍ୟେକ ପରିବାରକୁ ହେବ ।

ବନ୍ଧୁଗଣ,
ଆଜି ଯେଉଁ ଆୟକର ଛାଡ ଯୋଜନାର ଘୋଷଣା କରାଯାଇଛି, ତାହାଦ୍ୱାରା ମଧ୍ୟମବର୍ଗର ପ୍ରାୟ ଏକ କୋଟି ଲୋକଙ୍କୁ ବଡ ଆଶ୍ୱସ୍ତି ମିଳିବ । ବିଗତ ସରକାରମାନେ ଜନସାଧାରଣଙ୍କ ମୁଣ୍ଡ ଉପରେ ଦଶନ୍ଧି ଦଶନ୍ଧି ଧରି ବହୁତ ବଡ ଖଣ୍ଡା ଝୁଲାଇ ରଖିଥିଲେ । ଆଜି ଏହି ବଜେଟ୍‌ରେ କୃଷକମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତି ନିଆଯାଇଛି । ନାନୋ ଡିଏପିର ଉପଯୋଗ ହେଉ, ପ୍ରାଣୀମାନଙ୍କ ପାଇଁ ନୂଆ ଯୋଜନା ହେଉ, ପିଏମ୍ ମତ୍ସ୍ୟସଂପଦ ଯୋଜନାର ବିସ୍ତାର ହେଉ, ଏବଂ ଆତ୍ମନିର୍ଭର ତୈଳବୀଜ ଅଭିଯାନ ହେଉ, ଏହାଦ୍ୱାରା କୃଷକମାନଙ୍କର ଆୟ ବୃଦ୍ଧି ଘଟିବ ଏବଂ ବ୍ୟୟ ହ୍ରାସ ପାଇବ । ମୁଁ ପୁଣିଥରେ ସମସ୍ତ ଦେଶବାସୀଙ୍କୁ ଏହି ଐତିହାସିକ ବେଜଟ୍ ନିମନ୍ତେ ଶୁଭକାମନା ଦେଉଛି । ବହୁତ ବହୁତ ଧନ୍ୟବାଦ ।

JP



(Release ID: 2001737) Visitor Counter : 63