ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଉଚ୍ଚସ୍ତରୀୟ ବୈଠକରେ ବର୍ତ୍ତମାନର କୋଭିଡ-୧୯ ସ୍ଥିତି ଓ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

प्रविष्टि तिथि: 21 AUG 2023 8:27PM by PIB Bhubaneshwar

ବିଶ୍ୱସ୍ତରରେ କରୋନା ଭୂତାଣୁର କେତେକ ନୂଆ ପ୍ରତିରୂପ ଚିହ୍ନଟ ହେବାକୁ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ବିଶ୍ୱସ୍ତରରେ ଏବଂ ଭାରତରେ ବର୍ତ୍ତମାନର କୋଭିଡ ସ୍ଥିତି, ସଂକ୍ରମିତ ହେଉଥିବା ନୂଆ କରୋନା ଭୂତାଣୁ ପ୍ରତିରୂପ ଏବଂ ଜନ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଆଦି ବିଷୟ ଏହି ବୈଠକରେ ସମୀକ୍ଷା କରାଯାଇଛି ।

ଉଚ୍ଚ ସ୍ତରୀୟ ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଶ୍ରୀ ଅମିତ ଖାରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଶ୍ରୀ ସୁଧାଂଶୁ ପନ୍ତ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଆଇସିଏମଆର ମହାନିର୍ଦ୍ଦେଶକ ଶ୍ରୀ ରାଜୀବ ବେହଲ, ବାୟୋଟେକ୍ନୋଲୋଜି ବିଭାଗ ସଚିବ ରାଜେଶ ଏସ. ଗୋଖଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ସୁଶ୍ରୀ ପୂଣ୍ୟ ସଲିଳା ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇଥିଲେ ।

ବିଶ୍ୱସ୍ତରରେ ସାର୍ସ-କୋଭ-୨ ଭୂତାଣୁର ନୂଆ ପ୍ରତିରୂପ ବିଏ.2.86 (ପିରୋଲା) ଏବଂ ଇଜି.5 (ଏରିସ)ର ସଂକ୍ରମଣ ସମେତ ବିଶ୍ୱରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ତଥ୍ୟ ପ୍ରଦାନ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁଯାୟୀ, ୫୦ରୁ ଅଧିକ ଦେଶରେ ଇଜି.5 (ଏରିସ) ଚିହ୍ନଟ ହୋଇଛି ଏବଂ ବିଏ.2.86 (ପିରୋଲା) ଚାରିଟି ଦେଶରେ ଚିହ୍ନଟ କରାଯାଇଛି ।

ବୈଠକରେ ସୂଚନା ଦିଆଯାଇଥିଲା ଗତ ୭ ଦିନ ମଧ୍ୟରେ ବିଶ୍ୱସ୍ତରରେ ୨,୯୬,୨୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ରହୁଥିବା ଭାରତରେ ଗତ ଏକ ସପ୍ତାହ ମଧ୍ୟରେ ମାତ୍ର ୨୨୩ ଜଣ ସଂକ୍ରମିତ (ବିଶ୍ୱରେ ନୂଆ ସଂକ୍ରମିତଙ୍କ ୦.୦୭୫%) ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ସଚିବ କହିଥିଲେ, ଦେଶବ୍ୟାପୀ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହେବାର ଦୈନିକ ହାରାହାରୀ ସଂଖ୍ୟାକୁ ୫୦ ତଳେ ରଖିବାରେ ସଫଳତା ମିଳିଛି । ସେହିପରି ସାପ୍ତାହିକ ସଂକ୍ରମଣ ହାରକୁ ୦.୨% ସ୍ତରରେ ରଖିବାରେ ଭାରତ ସଫଳ ହୋଇଛି । ଭାରତରେ ପ୍ରସାରିତ ହେଉଥିବା ବିଭିନ୍ନ କରୋନା ଭୂତାଣୁ ପ୍ରତିରୂପ ଜିନ୍‌ ଅନୁଶୀଳନ ବା ଜିନୋମ୍‌ ସିକୁଏନ୍ସିଂ ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା।

ସବିଶେଷ ଆଲୋଚନା ଓ ସମୀକ୍ଷା ପରେ ଡକ୍ଟର ପି.କେ. ମିଶ୍ର କହିଥିଲେ ଯେ, ଦେଶରେ କୋଭିଡ-୧୯ ସ୍ଥିତି ସ୍ଥିର ରହିଛି ଏବଂ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି । ତେବେ ରାଜ୍ୟମାନେ ଆଇଏଲଆଇ/ଏସଏଆରଆଇ (ଥଣ୍ଡା, ସର୍ଦ୍ଦି, ଶ୍ୱାସରୋଗ ଜନିତ ଅସୁସ୍ଥତା) ପୀଡ଼ିତ ଲୋକଙ୍କ ଉପରେ ଧ୍ୟାନ ଦେବା, କୋଭିଡ-୧୯ ପରୀକ୍ଷା ପାଇଁ ଯଥେଷ୍ଟ ନମୁନା ପଠାଇବା ସହିତ ସମ୍ପୂର୍ଣ୍ଣ ଜିନ ଅନୁଶୀଳନ ଏବଂ ବିଶ୍ୱସ୍ତରରେ ନୂଆ କରୋନା ଭୂତାଣୁ ପ୍ରତିରୂପ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

 

*****

P.S.


(रिलीज़ आईडी: 1950931) आगंतुक पटल : 204
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Assamese , Punjabi , Gujarati , Tamil , Kannada , Malayalam