ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ନୂତନ ସଂସଦ ଗୃହର ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ଗୃହରେ ଐତିହାସିକ ତଥା ପବିତ୍ର "ସେଙ୍ଗୋଲ" ପ୍ରତିଷ୍ଠା କରିବେ


ଏହି ପବିତ୍ର "ସେଙ୍ଗୋଲ" ହେଉଛି ଇଂରେଜ ମାନଙ୍କର ଭାରତକୁ ଶାସନ ହସ୍ତାନ୍ତରର ପ୍ରତୀକ - ଶ୍ରୀ ଶାହା

ଏହି ଐତିହାସିକ “ସେଙ୍ଗୋଲ” ପାଇଁ ସଂସଦ ଗୃହ ହେଉଛି ସବୁଠାରୁ ଉପଯୁକ୍ତ ଏବଂ ପବିତ୍ର ସ୍ଥାନ - ଶ୍ରୀ ଅମିତ ଶାହା

ଏହା ଅମୃତ କାଳର ପ୍ରତିବିମ୍ବ ହେବ, ଯାହା ନୂତନ ଭାରତକୁ ବିଶ୍ୱରେ ନିଜର ଯଥୋଚିତ ସ୍ଥାନ ଗ୍ରହଣ କରିବାର ଗୌରବଶାଳୀ ମୁହୂର୍ତ୍ତର ସାକ୍ଷୀ ହେବ

Posted On: 24 MAY 2023 2:56PM by PIB Bhubaneshwar

ରବିବାର ଦିନ ଇତିହାସର ପୁନରାବୃତ୍ତି ହେବ , ଯେତେବେଳେ ନୂତନ ସଂସଦ ଭବନ ଦେଶ ପାଇଁ ଉତ୍ସର୍ଗୀକୃତ ହେବ । ଏହି ଦିନ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନ୍ୟାୟପୂର୍ଣ୍ଣ ଏବଂ ନିଷ୍ପକ୍ଷ ଶାସନର ପବିତ୍ର ପ୍ରତୀକ ସେଙ୍ଗୋଲକୁ ଗ୍ରହଣ କରିବେ ଏବଂ ଏହାକୁ ନୂତନ ସଂସଦ ଭବନରେ ସ୍ଥାପନ କରିବେ । ଏହା ହେଉଛି ସେହି ସମାନ ସେଙ୍ଗୋଲ ଯାହାକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ ନେହରୁ ୧୪ ଅଗଷ୍ଟ ୧୯୪୭ ରାତିରେ ତାଙ୍କ ବାସଭବନ ଠାରେ ଅନେକ ନେତାଙ୍କ ଉପସ୍ଥିତିରେ ଗ୍ରହଣ କରିଥିଲେ ।

ଭାରତର ସ୍ୱାଧୀନତା ଅବସରରେ ଘଟିଥିବା ସମଗ୍ର ଘଟଣାକୁ ସ୍ମରଣ କରି ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି, “ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜି ବି ଭାରତର ଅଧିକାଂଶ ଲୋକ ଏହି ଘଟଣା ବିଷୟରେ ଅବଗତ ନୁହଁନ୍ତି , ଯେଉଁଥିରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ସେଙ୍ଗୋଲକୁ ପ୍ରଦାନ କରି ଭାରତର କ୍ଷମତା ହସ୍ତାନ୍ତର ହୋଇଥିଲା । ଅଗଷ୍ଟ ୧୪, ୧୯୪୭ ର ରାତିରେ ଏହା ଏକ ସ୍ୱତନ୍ତ୍ର ଉତ୍ସବ ଥିଲା, ଯେଉଁଠାରେ ଭାରତର ସ୍ୱାଧୀନତାକୁ ପାଳନ କରା ଯାଉଥିଲା । ଏହି ରାତିରେ ଜବାହରଲାଲ ନେହରୁ ତାମିଲନାଡୁର ଥିରୁବଦୁୁଥୁରାଇ ଆଧୀନାମ (ମଠ) ରୁ ବିଶେଷ ରୂପରେ ଉପସ୍ଥିତ ଆଧୀନାମ (ପୁରୋହିତ) ଙ୍କ ଠାରୁ 'ସେଙ୍ଗୋଲ' ଗ୍ରହଣ କରିଥିଲେ, ଯେଉଁମାନେ ଏହି ଉତ୍ସବ ପାଇଁ ସ୍ୱତନ୍ତ୍ର ଭାବେ ପହଞ୍ଚିଥିଲେ । ବ୍ରିଟିଶମାନେ ଭାରତୀୟଙ୍କ ହାତରେ ଯେଉଁ ସମୟରେ କ୍ଷମତା ହସ୍ତାନ୍ତର କରିଥିଲେ ଠିକ୍ ସେହି ମୁହୂର୍ତ୍ତରେ ପଣ୍ଡିତ ନେହରୁଙ୍କୁ ସେଙ୍ଗୋଲ ପ୍ରଦାନ କରା ଯାଇଥିଲା । ଆମେ ସ୍ୱାଧୀନତା ଭାବରେ ଯାହା ପାଳନ କରୁଛୁ, ତାହା ପ୍ରକୃତରେ 'ସେଙ୍ଗୋଲ୍‌' ହସ୍ତାନ୍ତର କରିବାର କ୍ଷଣ ଦ୍ୱାରା ଚିହ୍ନିତ ।”

ମାନ୍ୟବର ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ଅମୃତ କାଳର ଜାତୀୟ ପ୍ରତୀକ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସଂସଦର ନୂତନ ଭବନ ମଧ୍ୟ ସମାନ ଘଟଣାର ସାକ୍ଷୀ ରହିବ, ଯେଉଁଠାରେ ଆଧୀନାମ ମାନେ (ପୁରୋହିତ) ସେହି ସମାରୋହର ପୁନରାବୃତ୍ତି କରିବେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ୍ ପ୍ରଦାନ କରିବେ । 

କେନ୍ଦ୍ର ଗୃହ ମନ୍ତ୍ରୀ ସେଙ୍ଗୋଲ ଉପରେ ଅଧିକ ବର୍ଣ୍ଣନା କରି କହିଛନ୍ତି, “ସେଙ୍ଗୋଲର ଅର୍ଥ ବହୁତ ଗଭୀର ଅଟେ, ଯାହା ତାମିଲ ଶବ୍ଦ “ସେମାଇ ”ରୁ ସୃଷ୍ଟି ହୋଇଛି, ଯାହାର ଅର୍ଥ “ନୀତିପରାୟଣତା” । ତାମିଲନାଡୁର ଏକ ଅଗ୍ରଣୀ ଧର୍ମ ମଠର ଆଧୀନାମ (ପୁରୋହିତ) ମାନଙ୍କ ଦ୍ୱାରା ଏହା ଆଶୀର୍ବାଦ ପ୍ରାପ୍ତ ହୋଇଛି । ଏହାର ଶୀର୍ଷ ଦେଶରେ ହାତରେ ଖୋଦେଇ ହୋଇଥିବା ନନ୍ଦୀ ‘ନ୍ୟାୟ’ର ଦର୍ଶକ ଭାବରେ ଅପଲକ ନୟନରେ ଚାହିଁ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଙ୍ଗୋଲର ପ୍ରାପ୍ତକର୍ତ୍ତାଙ୍କୁ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ଶାସନ କରିବାକୁ “ଆଦେଶ” (ତାମିଲରେ “ଅନାଇ”) ରହିଛି । ଏହା ସବୁଠାରୁ ଆକର୍ଷକ ଅଟେ, ଯେଉଁମାନେ ଲୋକଙ୍କର ସେବା କରିବାକୁ ମନୋନୀତ ହୋଇଛନ୍ତି ସେମାନେ ଏହାକୁ କେବେ ବି ଭୁଲିବା ଉଚିତ୍ ନୁହେଁ ।” 

୧୯୪୭ ର ସେହି ସେଙ୍ଗୋଲ୍‌କୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକସଭାରେ ସ୍ଥାପନ କରାଯିବ, , ଯାହା ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ଅବସ୍ଥିତ । ଏହାକୁ ସମଗ୍ର ରାଷ୍ଟ ଦେଖିବା ପାଇଁ ପ୍ରଦର୍ଶିତ କରାଯିବ ଏବଂ ବିଶେଷ ଉତ୍ସବରେ ଏହାକୁ ବାହାରକୁ ନିଆଯିବ ।

ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ ଐତିହାସିକ "ସେଙ୍ଗୋଲ" ସ୍ଥାପନ ପାଇଁ ସଂସଦ ଭବନ ହେଉଛି ସବୁଠାରୁ ଉପଯୁକ୍ତ ଏବଂ ପବିତ୍ର ସ୍ଥାନ ।

"ସେଙ୍ଗୋଲ” ର ପ୍ରତିଷ୍ଠା, ୧୫ ଅଗଷ୍ଟ ୧୯୪୭ ର ଭାବନାକୁ ଅବିସ୍ମରଣୀୟ କରିଥାଏ । ଏହା ସୀମାହୀନ ଆଶା, ସୀମାହୀନ ସମ୍ଭାବନା ଏବଂ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପର ପ୍ରତୀକ ଅଟେ । ଏହା ଅମୃତ କାଳର ପ୍ରତିବିମ୍ବ ହେବ, ଯାହା ନୂତନ ଭାରତକୁ ବିଶ୍ୱରେ ନିଜର ଯଥୋଚିତ ସ୍ଥାନ ଗ୍ରହଣ କରିବାର ଗୌରବମୟ କ୍ଷଣର ସାକ୍ଷୀ ହେବ ।

ତାମିଲନାଡୁ ସରକାର ୨୦୨୧ - ୨୨ ର ହିନ୍ଦୁ ଧାର୍ମିକ ଏବଂ ଧର୍ମାର୍ଥ ବନ୍ଦୋବସ୍ତ ବିଭାଗ (ଏଚ୍‌ଆର୍ ଆଣ୍ଡ ସିଇ) ପଲିସି ନୋଟରେ ରାଜ୍ୟର ମଠ ମାନଙ୍କ ଦ୍ୱାରା ନିର୍ବାହ କରାଯାଇଥିବା ଭୂମିକାକୁ ଗର୍ବର ସହିତ ପ୍ରକାଶ କରିଛନ୍ତି । ଏହି ଦସ୍ତାବିଜର ପାରା ୨୪ ସ୍ପଷ୍ଟ ଭାବରେ ରୟାଲ୍ କାଉନ୍‌ସିଲ୍ ଭାବରେ ମଠ ଦ୍ୱାରା ନିର୍ବାହ କରାଯାଉଥିବା ଭୂମିକାକୁ ସ୍ପଷ୍ଟ ଭାବରେ ଦର୍ଶାଏ ।

ଏହି ଐତିହାସିକ ଯୋଜନା ଆଧୀନାମର ଅଧ୍ୟକ୍ଷ ମାନଙ୍କ ସହିତ ବିଚାର ବିମର୍ଶ କରି ପ୍ରସ୍ତୁତ ହୋଇଛି । ଏହି ପବିତ୍ର ରୀତିନୀତିର ସ୍ମରଣରେ ସେମାନଙ୍କର ଆଶୀର୍ବାଦ ପ୍ରଦାନ କରିବା ପାଇଁ ସମସ୍ତ ୨୦ ଟି ଆଧୀନାମର ଅଧ୍ୟକ୍ଷ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ । ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି । ମୁଁ ଖୁସି ଯେ ଏହାର ନିର୍ମାଣ ସହିତ ଜଡିତ ୯୬ ବର୍ଷୀୟ ଶ୍ରୀ ୱିମ୍ମିଦିି ବଙ୍ଗାରୁ ଚେଟ୍ଟି ଜୀ ମଧ୍ୟ ଏହି ପବିତ୍ର ସମାରୋହରେ ଅଂଶଗ୍ରହଣ କରିବେ । ମୁଁ ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ।

ସେଙ୍ଗୋଲ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ଏବଂ ଡାଉନଲୋଡ୍ କରିବା ଯୋଗ୍ୟ ଭିଡିଓ ସହିତ ଏକ ସ୍ୱତନ୍ତ୍ର ୱେବସାଇଟ୍ (sengol1947.ignca.gov.in) ଆଜି ଏହି କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ସେ କହିଛନ୍ତି, “ଆମେ ଚାହୁଁ ଭାରତର ଲୋକମାନେ ଏହାକୁ ଦେଖନ୍ତୁ ଏବଂ ଏହି ଐତିହାସିକ ଘଟଣା ବିଷୟରେ ଜାଣନ୍ତୁ । ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ । ”

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ, ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଏବଂ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଶ୍ରୀ ଗୋବିନ୍ଦ ମୋହନ ମଧ୍ୟ ଉପସ୍ଥିତ ଥିଲେ ।

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସାମ୍ବାଦିକ ସମ୍ମିଳନୀ ସମୟର ଭିଡିଓକୁ ଦେଖିବାକୁ କ୍ଲିକ୍ କରନ୍ତୁ -

******

SSP

 

 



(Release ID: 1926994) Visitor Counter : 180