ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ବିବୃତ୍ତି

Posted On: 20 MAR 2023 1:58PM by PIB Bhubaneshwar

ମହାମହିମ ପ୍ରଧାନମନ୍ତ୍ରୀ, କିଶିଦା 

ଉଭୟ ଦେଶର ପ୍ରତିନିଧିଗଣ 

ଗଣମାଧ୍ୟମ ବନ୍ଧୁଗଣ,

ନମସ୍କାର !

ପ୍ରଥମେ ମୁଁ ପ୍ରଧାନମନ୍ତ୍ରୀ କିଶିଦା ଓ ତାଙ୍କ ସହ ଭାରତକୁ ଆସିଥିବା ପ୍ରତିନିଧିଗଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଗତବର୍ଷକ ମଧ୍ୟରେ ପ୍ରଧାନମନ୍ତ୍ରୀ କିଶିଦା ଓ ମୁଁ ଅନେକ ଥର ଭେଟାଭେଟି ହୋଇଛୁ । ଆଉ ପ୍ରତିଥର ତାଙ୍କର ଭାରତ-ଜାପାନ ସମ୍ପର୍କରେ ଅଙ୍ଗୀକାରବଦ୍ଧତା ଓ ସକାରାତ୍ମକ ମନୋଭାବ ଥିବା ମୁଁ ଅନୁଭବ କରିଛି । ସେ ଦୃଷ୍ଟିରୁ ତାଙ୍କର ଆଜିର ଗସ୍ତ ଆମ ସହଯୋଗକୁ ଅଧିକ ଗତି ଦେବାରେ ଖୁବ୍ ଉପାଦେୟ ହେବ । 

ବନ୍ଧୁଗଣ, 

ଅନ୍ୟ ଏକ କାରଣ ନିମନ୍ତେ ମଧ୍ୟ ଆମର ଆଜିର ସାକ୍ଷାତ କିଛିଟା ସ୍ୱତନ୍ତ୍ର । ଚଳିତବର୍ଷ ଭାରତ ଜି-୨୦ରେ ଅଧ୍ୟକ୍ଷତା କରୁଥିବା ବେଳେ, ଜାପାନ ଜି-୭ର ଅଧ୍ୟକ୍ଷତା କରୁଛି । ସେ ଦୃଷ୍ଟିରୁ ଏ ହେଉଛି ପ୍ରକୃତ ସୁଯୋଗ ଯେତେବେଳେ ଆମେ ନିଜସ୍ୱ ସ୍ୱାର୍ଥ ଓ ମୁଖ୍ୟ ସମସ୍ୟା ପ୍ରତି ଅଗ୍ରାଧିକାର ଦେବା । ଭାରତର ଜି-୨୦ ଅଧ୍ୟକ୍ଷତା ଅଗ୍ରାଧିକାର ବିଷୟ ଗୁଡିକ ସମ୍ପର୍କରେ ଆଜି ମୁଁ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ବୁଝାଇ ଦେଇଛି । ଆମ ଜି-୨୦ ଅଧ୍ୟକ୍ଷତାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ଦକ୍ଷିଣ ଗୋଲାର୍ଦ୍ଧର ପ୍ରାଥମିକତା । ସମସ୍ତଙ୍କୁ ସାଙ୍ଗରେ ଧରି ଚାଲିବା ତଥା “ବସୁଧୈବ କୁଟୁମ୍ବକମ୍‌”ର ସଂସ୍କୃତିରେ ଆମେ ବିଶ୍ୱାସ କରୁଥିବାରୁ ଆମେ ଏହି ପଦକ୍ଷେପ ନେଇଛୁ । 

ବନ୍ଧୁଗଣ, 

ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଓ ବୈଶ୍ୱିକ ବନ୍ଧୁତ୍ୱ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଭାଗିଦାରିତା ଓ ଆନ୍ତର୍ଜାତିକ କ୍ଷେତ୍ରରେ ଆଇନର ଶାସନ ଉପରେ ପର୍ଯ୍ୟବସିତ । ଏହି ଭାଗିଦାରିତା କେବଳ ଦୁଇ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ଆଣିବା ପାଇଁ ଉଦ୍ଦିଷ୍ଟ । ଆମର ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆମେ ହୋଇଥିବା ପ୍ରଗତି ଉପରେ ସମୀକ୍ଷା କରିଛୁ । ଆମେ ପ୍ରତିରକ୍ଷା ଉପକରଣ ଓ ପ୍ରଯୁକ୍ତିଗତ ସହଯୋଗ, ବାଣିଜ୍ୟ, ସ୍ୱାସ୍ଥ୍ୟ ଓ ଡିଜିଟାଲ ଅଂଶୀଦାରିତା ଉପରେ ମତ ବିନିମୟ କରିଛୁ । ଆମେ ମଧ୍ୟ ସେମି କଣ୍ଡକ୍ଟର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବିଷୟବସ୍ତୁର ନିର୍ଭରଯୋଗ୍ୟ ଯୋଗାଣ ବ୍ୟବସ୍ଥା ନେଇ ମଧ୍ୟ ଫଳପ୍ରଦ ଆଲୋଚନା କରିଛୁ । ଗତବର୍ଷ ଆମେ ଆଗାମୀ ପାଞ୍ଚ ବର୍ଷ ପାଇଁ ଭାରତରେ ପାଞ୍ଚ ଟ୍ରିଲିୟନ ୟେନ ତଥା ତିନିଲକ୍ଷ କୋଡିଏ ହଜାର କୋଟି ଟଙ୍କାର ଜାପାନୀ ପୁଞ୍ଜିନିବେଶ ଲକ୍ଷ୍ୟ ରଖିଥିଲୁ । ଖୁସିର ବିଷୟ ଯେ ଏ ଦିଗରେ ଖୁବ୍ ଭଲ ପ୍ରଗତି ହୋଇଛି । 

୨୦୧୯ରେ ଆମେ ଭାରତ-ଜାପାନୀ ଶିଳ୍ପ ପ୍ରତିଯୋଗୀ ଅଂଶିଦାରିତା ଆରମ୍ଭ କରିଥିଲୁ । ଏହାର ଅଧୀନରେ ଆମେ ଭାରତୀୟ ଶିଳ୍ପର ଲଜିଷ୍ଟିକ୍ସ ଖାଦ୍ୟ ପ୍ରକ୍ରିୟାକରଣ, ଏମଏସଏମ୍‌ଇ, ବୟନ, ଯନ୍ତ୍ରପାତି ଓ ଇସ୍ପାତ କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି କରୁଛୁ । ଆଜି ଆମେ ଆମ ଭାଗିଦାରିତାର ସକ୍ରିୟତା ନେଇ ସନ୍ତୋଷ ବ୍ୟକ୍ତ କରିଛୁ । ଆମେ ମଧ୍ୟ ମୁମ୍ବାଇ ଅହମ୍ମଦାବାଦ ଉଚ୍ଚ ଗତି ସମ୍ପନ୍ନ ରେଳ ଚଳାଚଳ ଉପରେ ଦ୍ରୁତଗତିରେ ଆଗେଇଛୁ। ମୁଁ ଖୁସି ଯେ ଆମେ ୨୦୨୩କୁ ପର୍ଯ୍ୟଟନ ବିନିମୟ ବର୍ଷ ଭାବେ ପାଳନ କରୁଛୁ । ଆଉ ସେଇଥି ପାଇଁ ଆମେ “ହିମାଳୟ ସହ ମାଉଂଟ ଫୁଞ୍ଜିର ସଂଯୋଗୀକରଣ” ରଖିଛୁ । 

ବନ୍ଧୁଗଣ, 

ଆଗାମୀ ମେ ମାସରେ ହିରୋସୀମାରେ ହେବାକୁ ଥିବା ଜି-୭ ଶିଖର ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ କିଶିଦା ମୋତେ ନିୟନ୍ତ୍ରଣ କରିଛନ୍ତି । ମୋ ଅନ୍ତରର ନିବୃତ କୋଣରୁ ତାଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଉଛି । ଜି-୨୦ ନେତାଙ୍କ ସମ୍ମିଳନୀରେ ଆଉ କିଛି ମାସ ପରେ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ଏଥିରେ ଯୋଗଦେବା ପାଇଁ ମୁଁ ଭାରତକୁ ଆସିବାକୁ ସ୍ୱାଗତ ଜଣାଇବି । ଆମର କଥାବାର୍ତ୍ତା ଓ ଯୋଗାଯୋଗ ଏହିପରି ଚାଲିଥାଉ ଓ ଭାରତ-ଜାପାନ ସମ୍ପର୍କ ନୂତନ ଶିଖର ଛୁଉଁ । ଏହି କାମନା ସହ ମୁଁ ମୋର ବକ୍ତବ୍ୟ ଶେଷ କରୁଛି ।

 ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

*****

SM/SLP



(Release ID: 1908964) Visitor Counter : 100