ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ବେକାରୀ ହାର ୨୦୧୮-୧୯ ରେ ୫.୮% ରୁ ହ୍ରାସ ପାଇ ୨୦୨୦ - ୨୧ ରେ ୪.୨ % ହୋଇଛି


ଗ୍ରାମୀଣ ମହିଳା ଶ୍ରମ ଶକ୍ତି ଭାଗିଦାରୀର ହାର ୨୦୧୮-୧୯ ରେ ରହିଥିବା ୧୯.୭% ରୁ ୨୦୨୦-୨୧ ରେ ୨୭.୭% କୁ ବୃଦ୍ଧି ପାଇଛି

ମହିଳା ମାନଙ୍କ ପାଇଁ ମାପ କାର୍ଯ୍ୟର ଦିଗ୍‌ବଳୟକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି

ଇ-ଶ୍ରମ ପୋର୍ଟାଲ୍‌ରେ ୨୮.୫ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କର ପଞ୍ଜିକରଣ

ଆତ୍ମ-ନିୟୋଜନର ଅଂଶରେ ବୃଦ୍ଧି ଘଟିଛି ଏବଂ ନିୟମିତ ବେତନ / ବେତନଭୋଗୀ ଶ୍ରମିକ ମାନଙ୍କ ଭାଗିଦାରୀ ୨୦୧୯ - ୨୦ ତୁଳନାରେ ୨୦୨୦ - ୨୧ରେ ହ୍ରାସ ପାଇଛି

ଇପିଏଫ୍‌ଓ ଅଧୀନରେ ଯୋଡି ହୋଇଥିବା ଶୁଦ୍ଧ ହାରାହାରି ମାସିକ ଗ୍ରାହକଙ୍କ ସଂଖ୍ୟା ଏପ୍ରିଲ୍ - ନଭେମ୍ବର ୨୦୨୧ରେ ୮.୮ ଲକ୍ଷ ଥିବାବେଳେ ଏହା ୨୦୨୨ ଏପ୍ରିଲ୍ - ନଭେମ୍ବରରେ ୧୩.୨ ଲକ୍ଷରେ ପହଂଚିଛି

Posted On: 31 JAN 2023 1:38PM by PIB Bhubaneshwar

ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ୨୦୨୨- ୨୩ ରିପୋର୍ଟ ଉପସ୍ଥାପିତ କରିଛନ୍ତି । ଏଥିରେ ଉଲ୍ଲେଖ କରା ଯାଇଛି ଯେ ମହାମାରୀ ଯେତେବେଳେ ଉଭୟ ଶ୍ରମ ବଜାର ଏବଂ ରୋଜଗାର ଅନୁପାତ ଗୁଡ଼ିକ ଉପରେ ପ୍ରଭାବ ପକାଇଥିଲା, ଏବେ ଗତ କିଛି ବର୍ଷ ମଧ୍ୟରେ ନିରନ୍ତର ଉଦ୍ୟମ ସହିତ ଏହି କ୍ଷେତ୍ରରେ ମହାମାରୀ ପରେ ତ୍ୱରିତ ପ୍ରତିକ୍ରିୟା ସଙ୍ଗେ ମିଶି ଭାରତରେ କରା ଯାଇଥିବା ବିଶ୍ୱର ସର୍ବ ବୃହତ ଟୀକାକରଣ ଅଭିଯାନ ପରେ ଉଭୟ ସହରାଂଚଳ ଏବଂ ଗ୍ରାମାଂଚଳରେ ଶ୍ରମ ବଜାର କୋଭିଡ୍ ପୂର୍ବ ସ୍ତରଠାରୁ ଅଧିକ ଆଗକୁ ଯାଇ ପାରିଛି, ଯାହା କି ଯୋଗାଣ - ପକ୍ଷ ଏବଂ ଚାହିଦା - ପକ୍ଷର ନିଯୁକ୍ତି ତଥ୍ୟରେ ଦର୍ଶା ଯାଇଛି ।

ପ୍ରଗତିଶୀଳ ଶ୍ରମ ସଂସ୍କାର ପଦକ୍ଷେପ ସମୂହ

୨୦୧୯ ଏବଂ ୨୦୨୦ ରେ, ୨୯ ଟି କେନ୍ଦ୍ରୀୟ ଶ୍ରମ ଆଇନ ଚାରୋଟି ଶ୍ରମ ସଂହିତାରେ ସମ୍ମିଳିତ, ଯୁକ୍ତିସଙ୍ଗତ ଏବଂ ସରଳୀକୃତ କରା ଯାଇଥିଲା , ଯଥା, ବେତନ ସଂହିତା, ୨୦୧୯ (ଅଗଷ୍ଟ ୨୦୧୯), ଉଦ୍ୟୋଗ ସମ୍ପର୍କ ସଂହିତା, ୨୦୨୦, ସାମାଜିକ ସୁରକ୍ଷା ସଂହିତା, ୨୦୨୦, ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ କରିବାର ସ୍ଥିତି ସଂହିତା, ୨୦୨୦ (ସେପ୍ଟେମ୍ବର ୨୦୨୦) ।

ସର୍ବେକ୍ଷଣ ଅନୁଯାୟୀ, ସଂହିତା ଗୁଡିକ ଅନୁସାରେ ପ୍ରସ୍ତୁତ ହୋଇଥିବା ନିୟମ ଗୁଡିକୁ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଉପଯୁକ୍ତ ସ୍ତରରେ ଦାୟିଦ୍ୱ ଦିଆଯାଇଛି । ୧୩ ଡିସେମ୍ବର ୨୦୨୨ ସୁଦ୍ଧା, ୩୧ ଟି ରାଜ୍ୟ ବେତନ ସଂହିତା ଅନୁସାରେ, ୨୮ ଟି ରାଜ୍ୟ ଉଦ୍ୟୋଗ ସମ୍ପର୍କ ସଂହିତା ଅନୁଯାୟୀ, ସାମାଜିକ ସୁରକ୍ଷା ସଂହିତା ଅନୁଯାୟୀ ୨୮ଟି ରାଜ୍ୟ ଏବଂ ବୃତ୍ତିଗତ ସୁରକ୍ଷା ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ସର୍ତ୍ତାବଳୀ ସଂହିତା ଅନୁଯାୟୀ ୨୬ ଟି ରାଜ୍ୟ ଚିଠା ନିୟମର ପ୍ରାକ୍ - ପ୍ରକାଶନ କରିଛନ୍ତି ।

ନିଯୁକ୍ତି ଧାରା ଗୁଡିକରେ ଉନ୍ନତି 

ଉଭୟ ସହରାଂଚଳ ଏବଂ ଗ୍ରାମାଂଚଳରେ ଶ୍ରମ ବଜାର ଗୁଡିକ କ୍ଷେତ୍ରରେ ପ୍ରାକ୍ - କୋଭିଡ୍ ସ୍ତର ଠାରୁ ଅଧିକ ପୁନରୁଦ୍ଧାର ଘଟିଛି ଏବଂ ବେକାରୀ ହାର ୨୦୧୮ - ୧୯ ରେ ୫.୮ ପ୍ରତିଶତ ଥିବା ବେଳେ ୨୦୨୦ - ୨୧ ରେ ଏହା ୪.୨ ପ୍ରତିଶତକୁ ଖସି ଆସିଛି ।

ପର୍ଯ୍ୟାୟଭିତ୍ତିକ ଶ୍ରମ ଶକ୍ତି ସର୍ବେକ୍ଷଣ (ପିଏଲ୍‌ଏଫ୍‌ଏସ୍‌) ର ସାଧାରଣ ସ୍ଥିତି ଅନୁଯାୟୀ, ୨୦୨୦ - ୨୧ (ଜୁଲାଇ - ଜୁନ୍‌) ରେ ଶ୍ରମ ଶକ୍ତି ଭାଗିଦାରୀ ହାର (ଏଲ୍‌ଏଫ୍‌ପିଆର୍‌), ଶ୍ରମିକ ଜନସଂଖ୍ୟା ଅନୁପାତ (ଡବ୍ଲ୍ୟୁପିଆର୍‌) ଏବଂ ବେକାରୀ ହାର (ୟୁଆର୍‌)ରେ ଉଭୟ ପୁରୁଷ ଏବଂ ମହିଳା ମାନଙ୍କ କ୍ଷେତ୍ରରେ ୨୦୧୯ - ୨୦ ଏବଂ ୨୦୧୮ - ୧୯ ତୁଳନାରେ ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳରେ ଉନ୍ନତି ଦେଖା ଦେଇଛି । 

ପୁରୁଷଙ୍କ ପାଇଁ ଶ୍ରମ ଶକ୍ତି ଭାଗିଦାରୀ ହାର ୨୦୧୮ - ୧୯ ରେ ରହିଥିବା ୫୫.୬% ତୁଳନାରେ ୨୦୨୦ - ୨୧ ରେ ୫୭.୫% କୁ ବୃଦ୍ଧି ପାଇଛି । ମହିଳା ଶ୍ରମିକ ଶକ୍ତିର ଭାଗିଦାରୀ ହାର ୨୦୨୦ - ୨୧ ରେ ୨୫.୧% କୁ ବୃଦ୍ଧି ପାଇଛି, ଯାହା ୨୦୧୮ - ୧୯ ରେ ୧୮.୬% ଥିଲା । ଗ୍ରାମୀଣ ମହିଳା ଶ୍ରମ ବଳ ଭାଗିଦାରୀ ହାର ୨୦୧୮ - ୧୯ ରେ ୧୯.୭% ରହିଥିବା ବେଳେ ୨୦୨୦ - ୨୧ ରେ ସେଥିରେ ୨୭.୭% କୁ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।

ରୋଜଗାରର ବ୍ୟାପକ ସ୍ଥିତି ଅନୁଯାୟୀ, ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳରେ ଆତ୍ମ - ନିୟୋଜନ ବୃଦ୍ଧି ପାଇଛି , ଯାହା ଫଳରେ ୨୦୨୦ - ୨୧ ରେ ନିୟମିତ ମଜୁରୀ / ବେତନ ପ୍ରାପ୍ତ ଶ୍ରମିକଙ୍କ ସଂଖ୍ୟା ୨୦୧୯ - ୨୦ ତୁଳନାରେ ହ୍ରାସ ପାଇଛି । ଗ୍ରାମାଂଚଳରେ ସାମୟିକ ଶ୍ରମର ଅଂଶ ସାମାନ୍ୟ ହ୍ରାସ ପାଇଛି । ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ, କାର୍ଯ୍ୟର ଉଦ୍ୟୋଗ ଉପରେ ଆଧାର କରି କୃଷି ସହ ଜଡିତ ଶ୍ରମିକଙ୍କ ଅଂଶ ୨୦୧୯ - ୨୧ ରେ ୪୫.୬ ପ୍ରତିଶତ ରହିଥିବା ବେଳେ ୨୦୨୦ - ୨୧ ରେ ଏହା ୪୬.୫ ପ୍ରତିଶତକୁ ବୃଦ୍ଧି ପାଇଛି, ଉତ୍ପାଦନର ଅଂଶ ୧୧.୨ ପ୍ରତିଶତରୁ ୧୦.୯ ପ୍ରତିଶତକୁ ସାମାନ୍ୟ ପରିମାଣରେ ହ୍ରାସ ପାଇଛି । ନିର୍ମାଣର ଅଂଶ ୧୧.୬ ପ୍ରତିଶତରୁ ୧୨.୧ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଏହି ଅବଧିରେ ବାଣିଜ୍ୟ, ହୋଟେଲ ଏବଂ ରେଷ୍ଟୁରାଂଟ ଗୁଡ଼ିକର ଅଂଶ ୧୩.୨ ପ୍ରତିଶତରୁ ୧୨.୨ ପ୍ରତିଶତକୁ ହ୍ରାସ ପାଇଥିଲା ।

ମହିଳା ଶ୍ରମ ଶକ୍ତି ଭାଗିଦାରୀ ହାର : ପରିମାପ ପ୍ରସଙ୍ଗ ସମୂହ 

ଅର୍ଥନୈତିକ ସର୍ବେକ୍ଷଣରେ ମହିଳା ଶ୍ରମ ଶକ୍ତିର ଭାଗିଦାରୀ ହାର ହିସାବ କରିବା ବେଳେ ଏହା ମାପଜନିତ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋକପାତ କରିଥାଏ । ଭାରତୀୟ ମହିଳା ମାନଙ୍କର ନିମ୍ନ ଏଲଏଫପିଆର୍‌ର ସାଧାରଣ କାହାଣୀ ଘର ଏବଂ ଦେଶର ଅର୍ଥ ବ୍ୟବସ୍ଥାରେ ଅବିଚ୍ଛେଦ୍ୟ ଭାବେ କାର୍ଯ୍ୟ କରୁଥିବା ନାରୀ ମାନଙ୍କର ବାସ୍ତବତାକୁ ଭୁଲି ଯାଇଥାଏ । ସର୍ବେକ୍ଷଣ ଡିଜାଇନ୍ ଏବଂ ବିଷୟ ବସ୍ତୁ ମାଧ୍ୟମରେ ରୋଜଗାରର ମାପ ଚୂଡ଼ାନ୍ତ ଏଲଏଫପିଆର ତୁଳନାରେ ଏକ ମହତ୍ତ୍ୱପୂର୍ଣ୍ଣ ପାର୍ଥକ୍ୟ ଆଣିପାରେ, ଏବଂ ପୁରୁଷ ଏଲଏଫପିଆର୍ ଅପେକ୍ଷା ମହିଳା ଏଲଏଫପିଆର ମାପିବା ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ।

ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ମାପ କାର୍ଯ୍ୟର ଦିଗବଳୟକୁ ଅଧିକ ବିସ୍ତୃତ କରିବାର ଆବଶ୍ୟକତା ରହିଛି, ଯାହା ବିଶେଷ କରି ମହିଳା ମାନଙ୍କ ପାଇଁ ରୋଜଗାର ସହିତ ଉତ୍ପାଦନକାରୀ କାର୍ଯ୍ୟକଳାପର ସମଗ୍ର ବିଶ୍ୱକୁ ନେଇ ଗଠିତ । ସର୍ବଶେଷ ଆଇଏଲ୍‌ଓ ମାନାଙ୍କ ଅନୁଯାୟୀ, ଉତ୍ପାଦନକାରୀ କାର୍ଯ୍ୟକୁ ଶ୍ରମ ଶକ୍ତିର ଭାଗିଦାରୀ ପର୍ଯ୍ୟନ୍ତ ସୀମିତ କରିବା ସଂକୀର୍ଣ୍ଣ ଅଟେ ଏବଂ କେବଳ ମାପ କରିବାର କାର୍ଯ୍ୟ ହିଁ ଏକ ବଜାର ଉତ୍ପାଦ ଭାବରେ କାର୍ଯ୍ୟ କରିଥାଏ । ଏଥିରେ ମହିଳା ମାନଙ୍କ ଅବୈତନିକ ଘରୋଇ କାର୍ଯ୍ୟର ମୂଲ୍ୟ ଅନ୍ତର୍ଭୁକ୍ତ ହୁଏ ନାହିଁ, ଯାହା ଖର୍ଚ୍ଚ - ବଂଚାଇବା କାର୍ଯ୍ୟ ଭାବରେ ଦେଖା ଯାଇପାରେ ଯେପରିକି ଜାଳେଣି କାଠ ସଂଗ୍ରହ କରିବା, ରୋଷେଇ କରିବା, ପିଲା ମାନଙ୍କର ଦେଖାରଖା କରିବା ଇତ୍ୟାଦି ଏବଂ ଏସବୁ କାମ ଘରର ଜୀବନ ଶୈଳୀ ପ୍ରତି ଯଥେଷ୍ଟ ଅବଦାନ ରଖିଥାଏ ।

ସର୍ବେକ୍ଷଣ ସୁପାରିସ କରିଛି ଯେ, "କାର୍ଯ୍ୟ’ ର ଏକ ସାମଗ୍ରିକ ପରିମାପ ପୁନଃ ଡିଜାଇନ୍ ମାଧ୍ୟମରେ କରା ଯାଇଥିବା ସର୍ବେକ୍ଷଣ ହୁଏତ ଉନ୍ନତ ପରିମାଣକରଣ ଆବଶ୍ୟକ କରିପାରେ । ଏହା କହିଥାଏ ଯେ, ଶ୍ରମ ବଜାରରେ ସାମିଲ୍ ହେବା ପାଇଁ ମହିଳାଙ୍କ ସ୍ୱତନ୍ତ୍ର ପସନ୍ଦକୁ ସକ୍ଷମ କରାଇବା ନିମନ୍ତେ ଲିଙ୍ଗ ଭିତ୍ତିକ ଅସୁବିଧା ଗୁଡ଼ିକୁ ଦୂର କରିବାକୁ ଆହୁରି ଉଲ୍ଲେଖନୀୟ ପରିସର ଗୁଡ଼ିକ ରହିଛି । ସୁଲଭ କ୍ରେଚ, କ୍ୟାରିୟର କାଉନସେଲିଂ / ହ୍ୟାଣ୍ଡହୋଲ୍ଡିଂ, ଗୃହ ଏବଂ ପରିବହନ ଇତ୍ୟାଦି ସହିତ ପାରିବେଶିକ ବ୍ୟବସ୍ଥା ସେବା ସମାବେଶୀ ଏବଂ ବ୍ୟାପକ ଆଧାରିତ ଅଭିବୃଦ୍ଧି ପାଇଁ ଲୈଙ୍ଗିକ ଲାଭାଂଶକୁ ଉନ୍ମୋଚନ କରିବାରେ ସାହାଯ୍ୟ କରି ପାରେ ।

ସହରାଂଚଳ ପାଇଁ ତ୍ରୈମାସିକ ପିଏଲ୍‌ଏଫ୍‌‌ଏସ୍‌

 ଏମ୍‌ଓଏସ୍‌ପିଆଇ ଦ୍ୱାରା ସହରାଂଚଳ ପାଇଁ ତ୍ରୈମାସିକ ସ୍ତରରେ ସମ୍ପାଦିତ ପିଏଲ୍‌ଏଫ୍‌ଏସ୍ ଜୁଲାଇ - ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ । ଡାଟା ସେପ୍ଟେମ୍ବର ୨୦୨୨ରେ ସମାପ୍ତ ତ୍ରୈମାସିକରେ ସାମ୍ପ୍ରତିକ ସାପ୍ତାହିକ ସ୍ଥିତି ଅନୁଯାୟୀ ସମସ୍ତ ପ୍ରମୁଖ ଶ୍ରମ ବଜାର ସୂଚକାଙ୍କ ଗୁଡ଼ିକରେ କ୍ରମିକ ରୂପରେ ଏବଂ ଗତ ବର୍ଷ ତୁଳନାରେ ସୁଧାର ପ୍ରଦର୍ଶନ କରିଛି । ଶ୍ରମ - ଭାଗିଦାରୀ ହାର ଜୁଲାଇ - ସେପ୍ଟେମ୍ବର ୨୦୨୨ ରେ ଏକ ବର୍ଷ ପୂର୍ବେ ରହିଥିବା ୪୬.୯ ପ୍ରତିଶତରୁ ୪୭.୯ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଶ୍ରମିକ - ଜନସଂଖ୍ୟା ଅନୁପାତ ୪୨.୩ ପ୍ରତିଶତରୁ ୪୪.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ଧାରା କୋଭିଡ୍‌ର ପ୍ରଭାବରୁ ଶ୍ରମ ବଜାର ଗୁଡ଼ିକର ପୁନରୁଦ୍ଧାର ଘଟିଥିବା ଉପରେ ଆଲୋକପାତ କରିଛି । 

କର୍ମନିଯୁକ୍ତି ତ୍ରୈମାସିକ କର୍ମନିଯୁକ୍ତି ସର୍ଭେ (ପ୍ରଶ୍ନ) ର ଚାହିଦା ପକ୍ଷ

ଶ୍ରମ ବ୍ୟୁରୋ ଦ୍ୱାରା ପରିଚାଳିତ କ୍ୟୁଇଏସ୍‌, ଦଶ କିମ୍ବା ଅଧିକ କର୍ମଚାରୀ ରହିଥିବା ନଅଟି ପ୍ରମୁଖ କ୍ଷେତ୍ର ଗୁଡିକରେ ଥିବା ପ୍ରତିଷ୍ଠାନ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ ଯଥା - ଉତ୍ପାଦନ, ନିର୍ମାଣ, ବାଣିଜ୍ୟ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ଏବଂ ରେଷ୍ଟୁରାଂଟ, ଆଇଟି / ବିପିଓ ଏବଂ ଆର୍ଥିକ ସେବା ଇତ୍ୟାଦି । ଏ ପର୍ଯ୍ୟନ୍ତ, କ୍ୟୁଇଏସ୍‌ର ଚାରିଗୋଟି ପର୍ଯ୍ୟାୟର ପରିଣତି ପ୍ରକାଶ କରାଯାଇଛି ଯାହା ଆର୍ଥିକ ବର୍ଷ ୨୨ ର ଚାରି ଗୋଟି ତ୍ରୈମାସିକୀକୁ ପରିସରଭୁକ୍ତ କରିଛି । କ୍ୟୁଇଏସ୍‌ର ଚତୁର୍ଥ ପର୍ଯ୍ୟାୟ (ଜାନୁଆରୀରୁ ମାର୍ଚ୍ଚ ୨୦୨୨) ଅନୁଯାୟୀ ମନୋନୀତ ନଅଟି କ୍ଷେତ୍ରର ଆନୁମାନିକ ମୋଟ ନିଯୁକ୍ତି ୩.୨ କୋଟିରେ ପହଂଚି ଥିଲା, ଯାହା କ୍ୟୁଇଏସ୍‌ର ପ୍ରଥମ ପର୍ଯ୍ୟାୟ (ଏପ୍ରିଲ୍ - ଜୁନ୍ ୨୦୨୧) ର ଆନୁମାନିକ ନିଯୁକ୍ତି ଠାରୁ ପ୍ରାୟ ଦଶ ଲକ୍ଷ ଅଧିକ । ଆର୍ଥିକ ବର୍ଷ ୨୨ର ପ୍ରଥମ ତ୍ରୈମାସିକରୁ ଆର୍ଥିକ ବର୍ଷ ୨୨ର ୪ର୍ଥ ତ୍ରୈମାସିକ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କର ଆକଳନରେ ଆଇଟି / ବିପିଓ (୧୭.୬ ଲକ୍ଷ), ସ୍ୱାସ୍ଥ୍ୟ (୭.୮ ଲକ୍ଷ), ଏବଂ ଶିକ୍ଷା (୧.୭ ଲକ୍ଷ) ପରି କ୍ଷେତ୍ରରେ ସେବା କ୍ଷେତ୍ରର ଡିଜିଟାଲୀକରଣ ଏବଂ ପୁନଃ ଉତ୍ପାଦନ ହେତୁ ନିଯୁକ୍ତି ବୃଦ୍ଧି ପାଇଲା । 

ନିଯୁକ୍ତିର ସର୍ତ୍ତାବଳୀ ବିଷୟରେ କହିଲେ, ନିୟମିତ କର୍ମଚାରୀମାନେ ଆର୍ଥିକ ବର୍ଷ ୨୨ର ୪ର୍ଥ ତ୍ରୈମାସିକରେ ସମୁଦାୟ ଶ୍ରମ ଶକ୍ତିରେ ୮୬.୪ ପ୍ରତିଶତ ଅଂଶଧନ ସହିତ, ସମସ୍ତ କ୍ଷେତ୍ର ଗୁଡିକରେ ଶ୍ରମିକ ମାନଙ୍କର ଅଧିକ ଭାଗ ଗଠନ କରିଥିଲେ । ଅଧିକନ୍ତୁ, କ୍ୟୁଇଏସ୍‌ର ଚତୁର୍ଥ ପର୍ଯ୍ୟାୟରେ ନିୟୋଜିତ ମୋଟ କର୍ମଚାରୀ ମାନଙ୍କ ମଧ୍ୟରୁ ୯୮.୦ ପ୍ରତିଶତ କର୍ମଚାରୀ ଥିବାବେଳେ ୧.୯ ପ୍ରତିଶତ ଆତ୍ମନିର୍ଭରଶୀଳ ଅଛନ୍ତି । ଲିଙ୍ଗ ଅନୁଯାୟୀ, ସମୁଦାୟ ଆନୁମାନିକ ନିଯୁକ୍ତିର ୩୧.୮ ପ୍ରତିଶତ ମହିଳା ଏବଂ ୬୮.୨ ପ୍ରତିଶତ ପୁରୁଷ । ପରିସରଭୁକ୍ତ କରାଯାଇଥିବା କ୍ଷେତ୍ର ଗୁଡିକ ମଧ୍ୟରେ ଉତ୍ପାଦନ କ୍ଷେତ୍ର ସର୍ବାଧିକ ସଂଖ୍ୟକ ଶ୍ରମିକଙ୍କୁ ନିୟୋଜିତ କରିଥାଏ ।

ଉଦ୍ୟୋଗ ବାର୍ଷିକ ସର୍ବେକ୍ଷଣ (ଏଏସ୍‌ଆଇ) ୨୦୧୯-୨୦ 

ଅତ୍ୟାଧୁନିକ ଏଏସ୍‌ଆଇ ଆର୍ଥିକ ବର୍ଷ ୨୦ ଅନୁଯାୟୀ, ସଂଗଠିତ ଉତ୍ପାଦନ କ୍ଷେତ୍ରରେ କର୍ମନିଯୁକ୍ତି ସମୟ ସହିତ ଏକ ସ୍ଥିର ଊର୍ଦ୍ଧ୍ୱ ଧାରା ବଜାୟ ରଖିଛି ଏବଂ କାରଖାନା ପ୍ରତି ନିଯୁକ୍ତି ଧୀରେ ଧୀରେ ବୃଦ୍ଧି ପାଉଛି । ରୋଜଗାରର ଅଂଶ (ନିୟୋଜିତ ବ୍ୟକ୍ତି ବିଶେଷ) ସନ୍ଦର୍ଭରେ, ଖାଦ୍ୟ ପଦାର୍ଥ ଶିଳ୍ପ (୧୧.୧ ପ୍ରତିଶତ) ସର୍ବବୃହତ ନିଯୁକ୍ତିଦାତା ରହିଛି, ଏହା ପରେ ପରିଧାନ କ୍ଷେତ୍ର (୭.୬ ପ୍ରତିଶତ), ମୌଳିକ ଧାତୁ (୭.୩ ପ୍ରତିଶତ), ଏବଂ ମୋଟର ଯାନ, ଟ୍ରେଲର, ଏବଂ ସେମି ଟ୍ରେଲରଗୁଡିକ (୬.୫ ପ୍ରତିଶତ) ରହିଛନ୍ତି । ରାଜ୍ୟ ଅନୁସାରେ ତାମିଲନାଡୁରେ କାରଖାନାରେ ନିୟୋଜିତ ବ୍ୟକ୍ତିଙ୍କ ସଂଖ୍ୟା (୨୬.୬ ଲକ୍ଷ) ସର୍ବାଧିକ, ତା'ପରେ ଗୁଜରାଟ (୨୦.୭ ଲକ୍ଷ), ମହାରାଷ୍ଟ୍ର (୨୦.୪ ଲକ୍ଷ), ଉତ୍ତର ପ୍ରଦେଶ (୧୧.୩ ଲକ୍ଷ) ଏବଂ କର୍ଣ୍ଣାଟକ (୧୦.୮ ଲକ୍ଷ)ର ସ୍ଥାନ ରହିଛି ।

ସମୟ ସହିତ, ୧୦୦ ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରୁଥିବା ବୃହତ କାରଖାନା ପ୍ରତି ଏକ ସ୍ପଷ୍ଟ ଧାରା ଦେଖାଦେଇଛି, ସେମାନଙ୍କ ସଂଖ୍ୟା ଆର୍ଥିକ ବର୍ଷ ୧୭ ରୁ ଆର୍ôଥକ ବର୍ଷ ୨୦ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଛୋଟ କାରଖାନା ତୁଳନାରେ ୧୨.୭ ପ୍ରତିଶତ ବୃଦ୍ଧି ପାଇଛି । ଆର୍ଥିକ ବର୍ଷ ୧୭ ରୁ ଆର୍ଥିକ ବର୍ଷ ୨୦ ମଧ୍ୟରେ, ବୃହତ କାରଖାନା ଗୁଡ଼ିକରେ ନିୟୋଜିତ ମୋଟ ବ୍ୟକ୍ତି ମାନଙ୍କ ସଂଖ୍ୟାରେ ୧୩.୭ ପ୍ରତିଶତ ବୃଦ୍ଧି ଘଟିଛି, ଯେତେବେଳେ କି ଏହା ଛୋଟ କାରଖାନା ଗୁଡ଼ିକରେ ୪.୬ ପ୍ରତିଶତ ଥିଲା । ଫଳ ସ୍ୱରୂପ, ମୋଟ କାରଖାନା ସଂଖ୍ୟାରେ ବୃହତ କାରଖାନାର ଅଂଶ ଆର୍ଥିକ ବର୍ଷ ୧୭ ରେ ୧୮ ପ୍ରତିଶତରୁ ଆର୍ଥିକ ବର୍ଷ ୨୦ ରେ ୧୯.୮ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ସଂଖ୍ୟା ଆର୍ଥିକ ବର୍ଷ ୧୭ ରେ ୭୫.୮ ପ୍ରତିଶତରୁ ଆର୍ଥିକ ବର୍ଷ ୨୦ ରେ ୭୭.୩ ପ୍ରତିଶତକୁ ବୃଦ୍ଧି ପାଇଛି । ଏହିପରି, ସମ୍ପୃକ୍ତ ସମୁଦାୟ ବ୍ୟକ୍ତିଙ୍କ ଦୃଷ୍ଟିରୁ, ଛୋଟ କାରଖାନା ଅପେକ୍ଷା ବୃହତ କାରଖାନା ଗୁଡ଼ିକରେ (୧୦୦ ରୁ ଅଧିକ ଶ୍ରମିକ ନିଯୁକ୍ତି) ରୋଜଗାର ବୃଦ୍ଧି ପାଉଛି, ଯାହା ଉତ୍ପାଦନ ୟୁନିଟ୍ ଗୁଡ଼ିକର ବୃଦ୍ଧି କରିବାକୁ ପରାମର୍ଶ ପ୍ରଦାନ କରିଛି ।

ଔପଚାରିକ ଚାକିରି

କର୍ମନିଯୁକ୍ତି ଯୋଗ୍ୟତାର ଉନ୍ନତି ସହିତ କର୍ମନିଯୁକ୍ତି ସୃଜନ ସରକାରଙ୍କ ପ୍ରାଥମିକତା ଅଟେ । ଆର୍ଥିକ ବର୍ଷ ୨୨ ସମୟରେ ଇପିଏଫ୍ ଉପଭୋକ୍ତା ମାନଙ୍କ ସଂଖ୍ୟାରେ ଶୁଦ୍ଧ ବୃଦ୍ଧି ଆର୍ଥିକ ବର୍ଷ ୨୧ ତୁଳନାରେ ୫୮.୭ ପ୍ରତିଶତ ଅଧିକ ଥିଲା ଏବଂ ପ୍ରାକ୍ - ମହାମାରୀ ବର୍ଷ ୨୦୧୯ ତୁଳନାରେ ୫୫.୭ ପ୍ରତିଶତ ଅଧିକ ଥିଲା । ଆର୍ଥିକ ବର୍ଷ ୨୩ରେ ଇପିଏଫଓ ଅଧୀନରେ ଶୁଦ୍ଧ ହାରାହାରି ମାସିକ ଉପଭୋକ୍ତା ମାନଙ୍କ ସଂଖ୍ୟା ଏପ୍ରିଲ - ନଭେମ୍ବର ୨୦୨୧ରେ ୮.୮ ଲକ୍ଷରୁ ଏପ୍ରିଲ - ନଭେମ୍ବର ୨୦୨୨ ରେ ୧୩.୨ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଆନୁଷ୍ଠାନିକ କ୍ଷେତ୍ରର ଦ୍ରୁତ ବେତନ ପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟାର ଯୋଗ ଦେବା କ୍ଷେତ୍ରରେ ପୁନରୁତ୍‌ଥାନ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ, କୋଭିଡ୍ - ୧୯ ପୁନରୁଦ୍ଧାର ପର୍ଯ୍ୟାୟରେ କର୍ମନିଯୁକ୍ତି ସୃଷ୍ଟିକୁ ବୃଦ୍ଧି କରିବା ପାଇଁ ଏବଂ ସାମାଜିକ ସୁରକ୍ଷା ସୁବିଧା ଗୁଡ଼ିକ ସହିତ ମହାମାରୀ ସମୟରେ କର୍ମନିଯୁକ୍ତି ହାନିର ପୁନରୁଦ୍ଧାର କରିବା ପାଇଁ ୨୦୨୦ ଅକ୍ଟେବାରରେ ଆରମ୍ଭ କରା ଯାଇଥିବା ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆରୱାଇ)କୁ ଶ୍ରେୟ ଦିଆ ଯାଇପାରେ ।

ଇ - ଶ୍ରମ ପୋର୍ଟାଲ୍ 

ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ (ଏମ୍‌ଓଏଲ୍‌ଇ) ଅସଂଗଠିତ ଶ୍ରମିକ ମାନଙ୍କର ଏକ ଜାତୀୟ ଡାଟାବେସ୍ ତିଆରି ପାଇଁ ଇ-ଶ୍ରମ ପୋର୍ଟାଲ ବିକଶିତ କରିଛନ୍ତି, ଯାହାକୁ ଆଧାର ସହିତ ମିଳାଇ ଯାଂଚ କରାଯାଇଛି । ଏହା ଶ୍ରମିକ ମାନଙ୍କ ନିଯୁକ୍ତିର ସର୍ବୋତ୍କୃଷ୍ଟ ହୃଦୟଙ୍ଗମତା ପାଇଁ ଏବଂ ସେମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାର ଲାଭ ବୃଦ୍ଧି କରିବା ନିମନ୍ତେ ଉଦ୍ଦିଷ୍ଟ । ଏହା ଶ୍ରମିକ ମାନଙ୍କ ନାମ, ବୃତ୍ତି, ଠିକଣା, ବୃତ୍ତିର ପ୍ରକାର, ଶିକ୍ଷାଗତ ଯୋଗ୍ୟତା, ଏବଂ ଦକ୍ଷତାର ପ୍ରକାର ଇତ୍ୟାଦି ବିବରଣୀ ଗୁଡ଼ିକୁ ଧାରଣ କରିଥାଏ । ଏହା ଅସଂଗଠିତ ଶ୍ରମିକ ମାନଙ୍କର ସର୍ବପ୍ରଥମ ଜାତୀୟ ଡାଟାବେସ୍ ଅଟେ, ଯେଉଁଥିରେ ପ୍ରବାସୀ ଶ୍ରମିକ, ନିର୍ମାଣ ଶ୍ରମିକ, ଗିଗ୍ ଏବଂ ପ୍ଲାଟଫର୍ମ କର୍ମଚାରୀ ଇତ୍ୟାଦି ଅଛନ୍ତି । ବର୍ତ୍ତମାନ, ସହଜ ସୁବିଧା ନିମନ୍ତେ ଇ-ଶ୍ରମ ପୋର୍ଟାଲ୍‌କୁ ଏନ୍‌ସିଏସ୍ ପୋର୍ଟାଲ୍ ଏବଂ ଏଏସ୍‌ଇଇଏମ୍ ପୋର୍ଟାଲ୍ ସହିତ ଯୋଡା ଯାଇଛି ।

୩୧ ଡିସେମ୍ବର ୨୦୨୨ ସୁଦ୍ଧା, ଇ - ଶ୍ରମ ପୋର୍ଟାଲରେ ମୋଟ ୨୮.୫ କୋଟିରୁ ଅଧିକ ଅସଂଗଠିତ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ମହିଳା ପଞ୍ଜିକରଣ ସମୁଦାୟର ୫୨.୮ ପ୍ରତିଶତ ଏବଂ ମୋଟ ପଞ୍ଜିକରଣର ୬୧.୭ ପ୍ରତିଶତ ୧୮ - ୪୦ ବର୍ଷ ବୟସ ବର୍ଗର ଥିଲା । ରାଜ୍ୟ ଅନୁସାରେ, ଉତ୍ତର ପ୍ରଦେଶ (୨୯ .୧ ପ୍ରତିଶତ), ବିହାର (୧୦.୦ ପ୍ରତିଶତ) ଏବଂ ପଶ୍ଚିମବଙ୍ଗ (୯.୦ ପ୍ରତିଶତ) ମୋଟ ପଞ୍ଜିକରଣର ପ୍ରାୟ ଅଧା ଅଂଶ ଥିଲା । କୃଷି କ୍ଷେତ୍ରର କର୍ମଚାରୀମାନେ ମୋଟ ପଞ୍ଜିକରଣର ୫୨.୪ ପ୍ରତିଶତ ଯୋଗଦାନ ଦେଇଛନ୍ତି, ତା'ପରେ ଘରୋଇ ଏବଂ ଘରୋଇ ଶ୍ରମିକ (୯.୮ ପ୍ରତିଶତ) ଏବଂ ନିର୍ମାଣ ଶ୍ରମିକ (୯.୧ ପ୍ରତିଶତ) ରହିଛନ୍ତି ।

*****

SSP/BS


(Release ID: 1895223) Visitor Counter : 268