ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଜି-୨୦ଇଣ୍ଡିଆ ହେଲ୍‌ଥ ଟ୍ରାକ୍


କେରଳର ତିରୁଅନନ୍ତପୁରମ୍ ଠାରେ ଆୟୋଜିତ ପ୍ରଥମ ଜି-୨୦ ସ୍ୱାସ୍ଥ୍ୟ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପୱାର ଓ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏସ୍‌.ଭି. ମୁରଲୀଧରନ୍‌ଙ୍କ ଉଦ୍‌ବୋଧନ

ମହାମାରୀ ନୀତି ଆମ ସ୍ୱାସ୍ଥ୍ୟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେବା ଉଚିତ; କାରଣ ଏବେ ଯେକୌଣସି ସ୍ୱାସ୍ଥ୍ୟ ସଙ୍କଟ ଆନ୍ତଃ ସଂଯୋଜିତ ବିଶ୍ୱ ପାଇଁ ଅର୍ଥନୀତିକ ସଙ୍କଟ ସୃଷ୍ଟି କରିପାରେ: ଡକ୍ଟର ଭାରତୀ ପ୍ରବୀଣ ପୱାର

“ମହାମାରୀର ଶିକ୍ଷା ଓ ଅଭିଜ୍ଞତା ଆମ ଭବିଷ୍ୟତ କାର୍ଯ୍ୟସୂଚୀ ଓ ପ୍ରସ୍ତୁତିରେ ନିଶ୍ଚିତ ସ୍ଥାନ ପାଇବା ଉଚିତ । ଆମେ ଆମ ଦକ୍ଷତାକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିବା ସହିତ ଯେକୌଣସି ସ୍ୱାସ୍ଥ୍ୟ ସଂକଟର ମିଳିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ”

Posted On: 18 JAN 2023 11:47AM by PIB Bhubaneshwar

 

ଭାରତ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ କେରଳର ତିରୁଅନନ୍ତପୁରମ୍‌ଠାରେ ଏହି ସଂଗଠନର ସ୍ୱାସ୍ଥ୍ୟ କାର୍ଯ୍ୟକାରୀ  ଗୋଷ୍ଠୀର ପ୍ରଥମ ବୈଠକ ଆୟୋଜିତ ହୋଇଛି । ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପୱାର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏସ୍‌.ଭି ମୁରଲୀଧରନ୍ ଏବଂ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ. ପଲ୍ ଯୋଗଦେଇଥିଲେ । ମନ୍ତ୍ରୀ ଡକ୍ଟର ଭାରତୀ ପୱାର ତାଙ୍କ ଉଦ୍‌ବୋଧନରେ କହିଛନ୍ତି ଯେ ମହାମାରୀ ନୀତି ଆମ ସ୍ୱାସ୍ଥ୍ୟ ନୀତିରେ ଏକ ଗୁରୁ୍‌ତ୍ୱପୂର୍ଣ୍ଣ ଅଂଶ ହେବା ଆବଶ୍ୟକ । ଏବେ ଯେକୌଣସି ସ୍ୱାସ୍ଥ୍ୟ ସଙ୍କଟ ଏକ ଆନ୍ତଃ ସଂଯୋଜିତ ବିଶ୍ୱରେ ଅର୍ଥନୀତିକ ସଙ୍କଟ ସୃଷ୍ଟି କରିବାର ସମ୍ଭାବନା ରହିଥିବାରୁ ଏଥିପ୍ରତି ସତର୍କ ରହିବାକୁ ପଡିବ ।

ସେ ଆହୁରି କହିଛନ୍ତି ଯେ ମହାମାରୀ ଦୂରୀକରଣ, ପ୍ରସ୍ତୁତି ଓ ମୁକାବିଲା ବିବିଧ ବହୁପାକ୍ଷିକ ସମନ୍ୱୟ ଲୋଡେ । ଭବିଷ୍ୟତର ସ୍ୱାସ୍ଥ୍ୟ ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ ଗୋଷ୍ଠୀ ଏବଂ ସମୁଦାୟଙ୍କୁ ସଶକ୍ତ କରି ସ୍ଥିତିସ୍ଥାପକ ଅବସ୍ଥାରେ ରଖିବାକୁ ପଡିବ ।  କୋଭିଡ-୧୯ ବିଶ୍ୱର ଶେଷ ମହାମାରୀ ନୁହେଁ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଏଥିରେ ଆମେ ଯାହା ଶିକ୍ଷାଲାଭ କଲୁ ଓ ଅନୁଭୂତି ଅର୍ଜିଲୁ ତାହା ଆମର ଭବିଷ୍ୟତର ମହାମାରୀ ପ୍ରସ୍ତୁତି ଏବଂ କାର୍ଯ୍ୟକ୍ରମରେ ସ୍ଥାନ ପାଇବା ଉଚିତ । ଆମକୁ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତ ଓ ସମର୍ଥ ହେବାକୁ ପଡିବ ଏବଂ ଯେକୌଣସି ଗୁରୁତର ସ୍ୱାସ୍ଥ୍ୟ ସମ୍ପଦର ମୁକାବିଲା କରିବାକୁ ଆମେ ଆମକୁ ତିଆରିବାକୁ ହେବ ।

ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୃଢ ଏବଂ ସ୍ଥିତିସ୍ଥାପକ କରିବା ସହିତ ଜୀବନ ରକ୍ଷାକାରୀ ଟିକା ଓ ଔଷଧ ପ୍ରସ୍ତୁତି ସହିତ ରୋଗର କାରଣ ନିର୍ଦ୍ଧାରଣ କାମରେ ଅଧିକ ଅର୍ଥ ନିବେଶ କରିବାକୁ ପଡିବ ବୋଲି ସେ କହିଛନ୍ତି ।

 ଭାରତୀୟ ଚିକିତ୍ସା ସେବାର ଦୃଢ ସଂସ୍କୃତି ଏବଂ ସୃଜନାତ୍ମକ ଦିଗ ସମ୍ପର୍କରେ ଉଲ୍ଲେଖ କରି ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏସ.ଭି. ମୁରଲୀଧରନ କହିଥିଲେ ଯେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ “ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ଆହ୍ୱାନ ବାସ୍ତବରେ ପୃଥିବୀର ମଙ୍ଗଳ ପାଇଁ ଉଦ୍ଦିଷ୍ଟ । ପ୍ରକୃତି ସହିତ ଭାରସାମ୍ୟ ରକ୍ଷା କରି ଚଳିଲେ ଭବିଷ୍ୟତରେ ଅନେକ ବିପଦ/ସଙ୍କଟକୁ ଟାଳି ଦେଇ ହେବ  ।

 ଯେକୌଣସି ସମ୍ଭାବ୍ୟ ସ୍ୱାସ୍ଥ୍ୟଗତ ଜରୁରୀ ସ୍ଥିତିର ମୁକାବିଲା କ୍ଷେତ୍ରରେ ସମସ୍ତେ ମିଳିମିଶି କାମ କରିବାକୁ ସେ ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହି ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଭାରତ ଜି-୨୦ର ଅଧ୍ୟକ୍ଷ ପଦରେ ଥିବାରୁ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ସାମୁହିକ ପ୍ରୟାସକୁ ଗୁରୁତ୍ୱ ଦେଉଥିବାରୁ ସେ ତିିନିଟି ଅଗ୍ରାଧିକାର କ୍ଷେତ୍ର ଜି-୨୦ର ହେଲଥ ଟ୍ରାକ ପାଇଁ ଉପସ୍ଥାପିତ କରିଥିଲେ । ସେ ତିନିଟି ହେଲା ସ୍ୱାସ୍ଥ୍ୟ ଜରୁରୀ ଅବସ୍ଥାର ୧)ଦୂରୀକରଣ, ପ୍ରସ୍ତୁତି ଓ ମୁକାବିଲା (ଏଏମ୍‌ଆର ଏବଂ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ) (୨) ଔଷଧ କ୍ଷେତ୍ରକୁ ସୁଦୃଢ କରିବା ସହିତ ସମସ୍ତଙ୍କୁ ଉଚିତ ମୂଲ୍ୟରେ ଉତ୍ତମ ମାନର ଔଷଧ ଯୋଗାଣକୁ ଗୁରୁତ୍ୱ ଦେବା ଏବଂ (୩)  ଡିଜିଟାଲ ହେଲଥ ଇନୋଭେସନ ଓ ସଲ୍ୟୁସନ୍ସକୁ  ଗୁରୁତ୍ୱ ଦେଇ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଣ ଓ ଉନ୍ନତମାନର ଚିକିତ୍ସା ସେବା ପ୍ରଦାନ ।

ଭାରତର ଏହି ପ୍ରୟାସକୁ ଇଣ୍ଡୋନେସିଆ ଓ ବ୍ରାଜିଲ ପ୍ରଶଂସା କରିଥିଲେ । ମହାମାରୀ ବିଶ୍ୱର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ କରିବାକୁ ସୁଯୋଗ ଦେଇଥିବାରୁ ଏ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଏହି ଦୁଇ ଦେଶର ପ୍ରତିନିଧି କହିଥିଲେ ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଗବେଷଣା ସଚିବ ଡକ୍ଟର ରାଜୀବ ବହଲ,  ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଲବ ଅଗ୍ରୱାଲ, ବୈଦେଶିକ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଅଭୟ ଠାକୁର, ଜି-୨୦ ରାଷ୍ଟ୍ରଙ୍କ ପ୍ରତିନିଧି ଗଣ, ସ୍ୱତନ୍ତ୍ର ନିମନ୍ତ୍ରିତ ରାଷ୍ଟ୍ରଙ୍କ ପ୍ରତିନିଧି, ବିଭିନ୍ନ ଆନ୍ତର୍ଜାତିକ ସଂଗଠନର ପ୍ରତିନିଧିଗଣ,  ବିଶ୍ୱବ୍ୟାଙ୍କ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଡବ୍ଲୁଇଏଫ ଭଳି ଅଂଶୀଦାର ସଂସ୍ଥାର ପ୍ରତିନିଧି ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀ ଯୋଗଦେଇଥିଲେ ।

*****

TKM/SLP

 



(Release ID: 1892068) Visitor Counter : 188