ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦ୍ୱିତୀୟ ଭାରତ- ଅଷ୍ଟ୍ରେଲିଆ ଭର୍ଚ୍ୟୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ଅଭିଭାଷଣର ଅନୁବାଦ

Posted On: 21 MAR 2022 1:54PM by PIB Bhubaneshwar

ମୋର ପ୍ରିୟ ବନ୍ଧୁ ସ୍କଟ, ନମସ୍କାର !
ହୋଲି ପର୍ବ ଓ ନିର୍ବାଚନରେ ବିଜୟ ପାଇଁ ଆପଣଙ୍କ ଶୁଭେଚ୍ଛା ବାର୍ତ୍ତା ପାଇଁ ମୁଁ କୃତଜ୍ଞ ।

କୁଇନ୍ସଲ୍ୟାଣ୍ଡ ଓ ନ୍ୟୁ ସାଉଥ ୱେଲ୍ସରେ ବନ୍ୟା ଯୋଗୁଁ ହୋଇଥିବା ଜୀବନ ଓ ସମ୍ପତ୍ତି ହାନି ପାଇଁ ଭାରତବାସୀଙ୍କ ତରଫରୁ ମୁଁ ସମବେଦନା ଜଣାଉଛି ।

ଆମର ବିଗତ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଆମେ ଆମ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରିପାରିଛୁ । ମୁଁ ଖୁସି ଯେ, ଆଜି ଦୁଇ ଦେଶ ମଧ୍ୟରେ ବାର୍ଷିକ ସମ୍ମିଳନୀ ଗଠନ ପ୍ରକ୍ରିୟା ସ୍ଥିର କରିଛୁ । ଆମ ସମ୍ପର୍କର ନିୟମିତ ସମୀକ୍ଷାରେ ଏହା ଏକ ଗଠନମୂଳକ ତନ୍ତ୍ର ଭାବେ ଗଢି ଉଠିବ ।

ମାନନୀୟ,
ବିଗତ କିଛି ବର୍ଷ ମଧ୍ୟରେ ଆମ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ବାଣିଜ୍ୟ ଏବଂ ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା, ଶିକ୍ଷା ଏବଂ ନବସୃଜନ, ବିଜ୍ଞାନ ଏବଂ ପ୍ରଯୁକ୍ତି – ଆଦି କ୍ଷେତ୍ରରେ ଆମର ସହଯୋଗ ଘନିଷ୍ଠ ହୋଇଛି । କୋଭିଡ- ୧୯ ଗବେଷଣା, ଅକ୍ଷୟ ଶକ୍ତି, ଜଳ ପରିଚାଳନା ଓ ପ୍ରମୁଖ ଖଣିଜ ସାମଗ୍ରୀ କ୍ଷେତ୍ରରେ ଆମର ଭାଗିଦାରୀ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

ବେଙ୍ଗାଲୁରୁରେ ସେଣ୍ଟର ଫର ଏକ୍ସଲେନ୍ସ ଫର କ୍ରିଟିକାଲ ଆଣ୍ଡ ଇମର୍ଜିଂ ଟେକ୍ନୋଲଜି ପଲିସି ସ୍ଥାପନ ଘୋଷଣାକୁ ମୁଁ ହୃଦୟରୁ ସ୍ୱାଗତ କରୁଛି । ସାଇବର ତଥା ଜଟିଳ ଏବଂ ନୂଆ ପ୍ରଯୁକ୍ତି କ୍ଷେତ୍ରରେ ଅଧିକ ସହଭାଗୀତା ରହିବା ଜରୁରୀ । ଅନୁରୂପ ମୂଲ୍ୟବୋଧ ସମ୍ପନ୍ନ ଦେଶଗୁଡିକ ଏସବୁ ନୂଆ ପ୍ରଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ବିଶ୍ୱସ୍ତରୀୟ ମାନଦଣ୍ଡ ଆପଣାଇବା ଦରକାର ।

ମାନନୀୟ,

ବିସ୍ତୃତ ଅର୍ଥନୈତିକ ସହଯୋଗ ଚୁକ୍ତି- ସିଇସିଏ ସମ୍ପର୍କରେ ଆପଣ ଯାହା କରିଛନ୍ତି ସେ ସମ୍ପର୍କରେ ମୁଁ ମଧ୍ୟ କହିବାକୁ ଚାହେଁ ଯେ, ଖୁବ ଅଳ୍ପ ସମୟ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୋର ଦୃଢ ବିଶ୍ୱାସ ଯେ, ଅବଶିଷ୍ଟ ବିଷୟଗୁଡ଼ିକରେ ମଧ୍ୟ ଆମେ  ଶୀଘ୍ର ଏକମତ ହେବା । ସିଇସିଏର ଶୀଘ୍ର ସମାପନ ଆର୍ଥିକ ସହଭାଗିତା, ପୁନରୁଦ୍ଧାର ଓ ଆର୍ଥିକ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ।

କ୍ୱାଡରେ ମଧ୍ୟ ଆମ ସହଯୋଗ ଉତ୍ତମ ରହିଛି ଏବଂ ଏହି ସମନ୍ୱୟ ଏକ ମୁକ୍ତ, ଅବାଧ ଓ ଅନ୍ତର୍ଭୁକ୍ତିମୂଳକ ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଆମର ପ୍ରତିବଦ୍ଧତା ଓ ସହଭାଗିତାକୁ ପ୍ରତିଫଳିତ କରୁଛି । କ୍ୱାଡର ସଫଳତା ଆଞ୍ଚଳିକ ଏବଂ ବିଶ୍ୱ ସ୍ଥିରତା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ।

ମାନନୀୟ,

ପ୍ରାଚୀନ ଭାରତୀୟ କଳାକୃତି ଫେରାଇବାକୁ ପଦକ୍ଷେପ ନେଇଥିବାରୁ ମୁଁ ଆପଣଙ୍କୁ ବିଶେଷ ଧନ୍ୟବାଦ ଦେବାକୁ ଚାହେଁ । ଆପଣ ଫେରାଇ ଥିବା କଳାକୃତିଗୁଡ଼ିକ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ମୂର୍ତ୍ତି ଓ ରାଜସ୍ଥାନ, ପଶ୍ଚିମବଙ୍ଗ, ଗୁଜୁରାଟ, ହିମାଚଳ ପ୍ରଦେଶ ତଥା ଭାରତର ବିଭିନ୍ନ ରାଜ୍ୟରୁ ଚୋରାଚାଲାଣ ହୋଇଥିବା ଛବି ସାମିଲ ରହିଛି । ଏଥିପାଇଁ ମୁଁ ସମସ୍ତ ଭାରତୀୟଙ୍କ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ଆପଣ ଫେରାଇଥିବା ସମସ୍ତ ମୂର୍ତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ସେମାନଙ୍କର ମୂଳ ସ୍ଥାନକୁ ଫେରାଇ ଦିଆଯିବ । ଏହି ପ୍ରୟାସ ପାଇଁ ସମସ୍ତ ଭାରତୀୟ ନାଗରିକଙ୍କ ତରଫରୁ ମୁଁ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳର ଅସାଧାରଣ ପ୍ରଦର୍ଶନ ପାଇଁ ଅନେକ ଅଭିନନ୍ଦନ । ଶନିବାର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଜିତିଥିଲା । ତେବେ ଟୁର୍ଣ୍ଣାମେଣ୍ଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଉଭୟ ଦେଶର ଦଳକୁ ମୋର ଶୁଭେଚ୍ଛା ।

ମାନନୀୟ,

ଆଜି ଆପଣଙ୍କ ସହ ମତ ବିନିମୟ କରିବାର ସୁଯୋଗ ମିଳିଥିବାରୁ ମୁଁ ସନ୍ତୋଷ ବ୍ୟକ୍ତ କରୁଛି ।

ଗଣମାଧ୍ୟମର ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇ ଉଦଘାଟନୀ ଅଧିବେଶନରେ ମୋର ବକ୍ତବ୍ୟ ଶେଷ କରୁଛି । ଏହା ପରେ, କିଛି ମୁହୂର୍ତ୍ତ ବିରତି । ପରବର୍ତ୍ତୀ ଆଲୋଚନା ସୂଚୀ ସମ୍ପର୍କରେ ମୋର ବକ୍ତବ୍ୟ ଉପସ୍ଥାପନ କରିବି ।

ସ୍ୱଷ୍ଟୀକରଣ: ଏହା ପ୍ରଧାନମନ୍ତ୍ରୀ ହିନ୍ଦୀରେ ପ୍ରଦାନ କରିଥିବା ଭାଷଣର ଆନୁମାନିକ ଅନୁବାଦ ।

 

SR



(Release ID: 1869623) Visitor Counter : 67