ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଗୁଜରାଟର ରାଜକୋଟରେ ପ୍ରାୟ ୫,୮୬୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ରକୁ ଉତ୍ସର୍ଗ କଲେ


ଲାଇଟ୍ ହାଉସ୍ ପ୍ରକଳ୍ପରେ ନିର୍ମିତ ୧୧୦୦ ବାସଗୃହକୁ ଲୋକାର୍ପଣ କଲେ

ଇଣ୍ଡିଆ ଅର୍ବାନ ହାଉସିଂ କନ୍କ୍ଲେଭ ୨୦୨୨କୁ ଉଦ୍ଘାଟନ କଲେ

‘‘ବିକଶିତ ଭାରତ ପାଇଁ ବିକାଶିତ ଗୁଜରାଟ ମନ୍ତ୍ର ସହ ଆମେ ଆଗକୁ ବଢୁଛେ’’

‘‘ରାଜକୋଟ ମୋତେ ଶିକ୍ଷା ଦେଇ ଚାଲିଥିଲା ଏବଂ ମୁଁ ଶିଖିଚାଲିଥିଲି । ରାଜକୋଟ ମୋର ପ୍ରଥମ ବିଦ୍ୟାଳୟ ଥିଲା’’

‘‘ମୌଳିକ ସୁବିଧା ଓ ମର୍ଯ୍ୟାଦା ଥିବା ଏକ ଜୀବନ ବିନା ଦାରିଦ୍ର୍ୟରୁ ମୁକୁଳିବା ଅସମ୍ଭବ’’

‘‘ଅନେକ ଦଶନ୍ଧି ତଳେ ଦିଆଯାଇଥିବା ‘ଗରିବୀ ହଟାଓ, ରୋଟି-କପଡ଼ା-ମକାନ’ ସ୍ଲୋଗାନ କେବଳ ସ୍ଲୋଗାନ ମଧ୍ୟରେ ରହିଯାଇଛି’’

‘‘ପୂର୍ବ ସରକାରଗୁଡ଼ିକ ଏକ ଦାୟିତ୍ୱ ଭାବେ ନୁହେଁ, ବରଂ ଏକ ଅନୁଗ୍ରହ ଭାବେ ଗରିବଙ୍କ ପାଇଁ ବାସଗୃହ ନିର୍ମାଣ କରୁଥିଲେ । ଗରିବଙ୍କ ପାଇଁ ଉନ୍ନତ ବାସଗୃହ ନିର୍ମାଣ ପାଇଁ ଆମର ଉଦ୍ୟମ ଜାରି ରହିଛି’’

‘‘ବିଗତ ଦୁଇ ଦଶନ୍ଧିରେ, ରାଜକୋଟରୁ ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନି ୫ ହଜାର କୋଟି ଟଙ୍କା ପାର କରିଛି’’

‘‘ବିଶ୍ୱର ସେରାମିକ୍ସର ୧୩%ରୁ ଅଧିକ କେବଳ ମୋରବିରୁ ଉତ୍ପାଦନ ହେଉଛି’’

Posted On: 19 OCT 2022 8:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ରାଜକୋଟରେ ପ୍ରାୟ ୫୮୬୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଇଣ୍ଡିଆ ଅର୍ବାନ ହାଉସିଂ କନକ୍ଲେଭ ୨୦୨୨କୁ ମଧ୍ୟ ଉଦଘାଟନ କରିଛନ୍ତି । ଲାଇଟ ହାଉସ ପ୍ରକଳ୍ପ ଅଧୀନରେ ପ୍ରଧାନମନ୍ତ୍ରୀ ୧୧୦୦ରୁ ଅଧିକ ବାସଗୃହ ଲୋକାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଥିବା ଅନ୍ୟ ପ୍ରକଳ୍ପ ମଧ୍ୟରେ ଏକ ଜଳଯୋଗାଣ ପ୍ରକଳ୍ପ: ବ୍ରାହ୍ମଣୀ-୨ ଡ୍ୟାମରୁ ନର୍ମଦା କେନାଲ ପମ୍ପିଙ୍ଗ ଷ୍ଟେସନକୁ ମୋରବି-ବଲ୍କ ପାଇପଲାଇନ ପ୍ରକଳ୍ପ, ଏକ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଫ୍ଲାଏଓଭର ଏବଂ ସଡ଼କ ସଂଯୋଗ ସଂକ୍ରାନ୍ତ ଅନ୍ୟ ପ୍ରକଳ୍ପ ।

 

ପ୍ରଧାନମନ୍ତ୍ରୀ ଗୁଜରାଟରେ ଏନଏଚ୨୭ର ବର୍ତ୍ତମାନର ଚାରିଥାକିଆ ରାଜକୋଟ-ଗୋଣ୍ଡାଲ-ଜେଟପୁର ସେକ୍ସନର ଛଅଥାକିଆ ଲେନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୋରବି, ରାଜକୋଟ, ବୋଟାଡ, ଜାମନଗର ଓ କଚର ବିଭିନ୍ନ ସ୍ଥାନରେ ସେ ପାଖାପାଖି ୨୯୫୦ କୋଟି ଟଙ୍କା ମୂଲ୍ୟର ଜିଆଇଡିସି ଶିଳ୍ପ ଇଷ୍ଟେଟ ମଧ୍ୟ ଶିଳାନ୍ୟାସ କରିଛନ୍ତି । ଶିଳାନ୍ୟାସ ହୋଇଥିବା ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗାଢକାଠାରେ ଅମୁଲ-ଫେଡ୍ ଡାଏରୀ ପ୍ଲାଣ୍ଟ, ରାଜକୋଟରେ ଏକ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ, ଦୁଇଟି ଜଳଯୋଗାଣ ପ୍ରକଳ୍ପ ଓ ସଡ଼କ ଏବଂ ରେଳ କ୍ଷେତ୍ରର ଅନ୍ୟାନ୍ୟ ପ୍ରକଳ୍ପ ରହିଛି ।

 

କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ଷର ଏହି ସମୟରେ ନୂଆ ସଂଳଳ୍ପମାନ ନିଆଯାଇଛି ଏବଂ ନୂଆ ଆରମ୍ଭ କରାଯାଇଛି । ଏଭଳି ସମୟରେ, ଆଜି ରାଜକୋଟ ସମେତ କାଠିଆୱାଡ଼ର ବିକାଶ ସଂକ୍ରାନ୍ତ କିଛି ପ୍ରକଳ୍ପ ଶେଷ ହୋଇଛି ଏବଂ କିଛି ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ସଂଯୋଗ, ଶିଳ୍ପ, ଜଳ ଓ ସାଧାରଣ ସୁବିଧା ସହ ଜଡ଼ିତ, ଯାହା କି ଜୀବନକୁ ଏଠାରେ ଆହୁରି ସହଜ ବନାଇବ ।

 

ସେ କହିଛନ୍ତି ଯେ ଦେଶର ୬ଟି ସ୍ଥାନ ମଧ୍ୟରୁ ରାଜକୋଟ ଲାଇଟ ହାଉସ ପ୍ରକଳ୍ପ ପାଇଁ ଗୋଟିଏ ଏବଂ ୧୧୪୪ ବାସଗୃହ ଆଧୁନିକ ପ୍ରଯୁକ୍ତିରେ ନିର୍ମାଣ ହୋଇଛି, ଯାହାକୁ ଆଜି ଉତ୍ସର୍ଗ କରାଯାଇଛି । ଦୀପାବଳି ପୂର୍ବରୁ ରାଜକୋଟର ଗରିବ ପରିବାରଗୁଡ଼ିକୁ ଆଧୁନିକ ପ୍ରଯୁକ୍ତିରେ ନିର୍ମିତ ସର୍ବୋତ୍ତମ ବାସଗୃହକୁ ହସ୍ତାନ୍ତର କରିବାର ଖୁସି ଭିନ୍ନ ଧରଣର ହୋଇଛି । ସେ କହିଛନ୍ତି, ‘‘ଏହି ଘରର ମାଲିକ ହୋଇଥିବା ଭଉଣୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଇବାକୁ ଚାହିଁବି ଏବଂ ଶୁଭେଚ୍ଛା ଜଣାଉଛି ଯେ ଏହି ଦୀପାବଳିରେ ଆପଣମାନଙ୍କର ଏହି ନୂଆ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେଉ ।’’

 

ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଛନ୍ତି ଗତ ୨୧ ବର୍ଷରେ ଆମ୍ଭେମାନେ ମିଳିତ ଭାବେ ସ୍ୱପ୍ନ ଦେଖିଥିଲେ, ଅନେକ ପଦକ୍ଷେପ ନେଇଥିଲେ, ଏବଂ ଅନେକ ସଫଳତା ବି ହାସଲ କରିଥିଲେ । ‘‘ରାଜକୋଟ ମୋତେ ଶିଖାଇ ଚାଲିଥିଲା ଏବଂ ମୁଁ ଶିଖିଚାଲିଥିଲି । ରାଜକୋଟ ମୋର ପ୍ରଥମ ବିଦ୍ୟାଳୟ ଥିଲା ବୋଲି ସେ କହିଛନ୍ତି । ସେ ମନେ ପକାଇଥିଲେ ଯେ ରାଜକୋଟ ଏଭଳି ଏକ ସ୍ଥାନ, ଯେଉଁଠିକୁ ମହାତ୍ମା ଗାନ୍ଧୀ ମଧ୍ୟ ପଢ଼ିବା ପାଇଁ ଆସିଥିଲେ । ମୁଁ ଆପଣମାନଙ୍କର ଋଣକୁ କଦାପି ଶୁଝିପାରିବି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଛାତ୍ର ଭାବେ ଆମ ସଫଳତାର ସବୁଠୁ ବଡ଼ ସଫଳତାର ପ୍ରମାଣ ହେଉଛି ଯେଉଁମାନେ ଆଜିକାର ସ୍କୁଲ-କଲେଜରେ ପାଠ ପଢୁଛନ୍ତି, ବା ଯେଉଁମାନେ ସେମାନଙ୍କ କ୍ୟାରିୟରର ପ୍ରାଥମିକ ପାର୍ଯ୍ୟାୟରେ ଉପନୀତ ହୋଇଛନ୍ତି ।

 

ପ୍ରଧାନମନ୍ତ୍ରୀ ରାଜକୋଟ ଏବଂ ସମଗ୍ର ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିରେ ଆସିଥିବା ସୁଧାର ବାବଦରେ ଆଲୋକପାତ କରିଥିଲେ । ‘‘ଯେତେବେଳେ ଯୁବ ବନ୍ଧୁମାନେ ବିଳମ୍ବିତ ରାତିରେ ବିନା ଭୟରେ ବାହାରେ ବୁଲି ସେମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ମୁଁ ଦେଖୁଛି, ଏହା ମୋତେ ଅତ୍ୟନ୍ତ ସନ୍ତୁଷ୍ଟି ପ୍ରଦାନ କରୁଛି । ଏଥିପାଇଁ ସନ୍ତୁଷ୍ଟି ଆସୁଛି କାହିଁକି ନା ଆମେ ବିନା ଅପରାଧୀ, ମାଫିଆ, ଦଙ୍ଗାକାରୀ, ଆତଙ୍କବାଦୀ, ବିଭିନ୍ନ ଗ୍ୟାଙ୍ଗ ଗହଣରେ ଦିନ ଓ ରାତି ବିତାଇ ପାରୁଛେ ଏବଂ ଆମ ଉଦ୍ୟମ ବ୍ୟର୍ଥ ଯାଇନାହିଁ ।’’ ସେ କହିଛନ୍ତି, ଶାନ୍ତି ଓ ସମନ୍ୱୟ ଦେଖି ବହୁତ ଖୁସି ଲାଗୁଛି, ଯାହା କି ପ୍ରତ୍ୟେକ ପିତାମାତା ଏଠାରେ ସେମାନଙ୍କ ପିଲାମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରୁଛନ୍ତି ।

 

ପ୍ରଧାନମନ୍ତ୍ରୀଙ୍କ କହିଥିଲେ, ‘‘ବିଗତ ଦଶନ୍ଧିଗୁଡ଼ିକରେ ପ୍ରତ୍ୟେକ ଗୁଜରାଟୀ ଯେମିତି ଯଥାସମ୍ଭବ ଦକ୍ଷତାସମ୍ପନ୍ନ ହେବେ, ଆମେ ତାହା ଉପରେ ନିରନ୍ତର ଚେଷ୍ଟା କରିଚାଲିଥିଲୁ । ଏଥିପାଇଁ ଯେ କୌଣସି ପରିବେଶ ଆବଶ୍ୟକ ହେଉ ନା କାହିଁକି, ଯେଉଁଠି ବି ଏହାକୁ ଉତ୍ସାହିତ କରିବାକୁ ପଡ଼ିଥିଲେ ବି, ସରକାର ତାହା କରିଛନ୍ତି । ଆମେ ‘ଏକ ବିକଶିତ ଭାରତ ପାଇଁ ବିକଶିତ ଗୁଜରାଟ’ ମନ୍ତ୍ର ନେଇ ଆଗକୁ ବଢ଼ିଚାଲିଛୁ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଯେତେବେଳେ, ଗୋଟିଏ ପଟେ, ଆମେ ଶିଳ୍ପ, ଏବଂ ଭାଇବ୍ରାଣ୍ଟ ଗୁଜରାଟ ଅଭିଯାନରେ ନିବେଶକୁ ଗୁରୁତ୍ୱ ଦେଇଥିଲୁ, ଅନ୍ୟପଟେ, ଆମେ ଗ୍ରାମ ଏବଂ ଗରିବମାନଙ୍କୁ କୃଷି ମହୋତ୍ସବ ଓ ଗରିବ କଲ୍ୟାଣ ମେଳା ଜରିଆରେ ସଶକ୍ତ ବନାଇବାକୁ ପଦକ୍ଷେପ ଗ୍ରହଣ କରିଥିଲୁ । ଏବଂ ଆମେ ଦେଖିଥିଲୁ, ଯେତେବେଳେ ଗରିବମାନେ ସଶକ୍ତ ହୁଅନ୍ତି, ସେମାନେ ଦାରିଦ୍ର୍ୟରୁ ଶୀଘ୍ର ମୁକୁଳିବା ପାଇଁ କାର୍ଯ୍ୟ ଆରମ୍ଭ କରିଦିଅନ୍ତି ।’’

 

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ମୌଳିକ ସୁବିଧା ଏବଂ ପର୍ଯ୍ୟାଦା ଥିବା ଏକ ଜୀବନ ବିନା ଦାରିଦ୍ର୍ୟରୁ ମୁକୁଳିବା ଅସମ୍ଭବ । ସେ କହିଛନ୍ତି ଯେ ପାଇଖାନା, ବିଜୁଳି, ପାଇପ ଜଳ, ରନ୍ଧନ ଗ୍ୟାସ ଏବଂ ଇଣ୍ଟରନେଟ ସଂଯୋଗ ସହିତ ଏକ ଘର ଗରିବମାନଙ୍କ ପାଇଁ ସୁନିଶ୍ଚିତ ହେବା ଦରକାର । ସେହିଭଳି, ପରିବାରଗୁଡ଼ିକୁ ଦାରିଦ୍ର୍ୟ ମଧ୍ୟକୁ ଠେଲିଦେବା ପାଇଁ ଗୋଟିଏ ରୋଗ ଯଥେଷ୍ଟ । ଏହି କାରଣରୁ ଗରିବ ପରିବାରଗୁଡ଼ିକୁ ମାଗଣା ଗୁଣଯୁକ୍ତ ଚିକିତ୍ସା ସୁନିଶ୍ଚିତ ପାଇଁ ଆୟୁଷ୍ମାନ ଭାରତ ଓ ପିଏମଜେଏୱାଇ-ଏମଏ ଭଳି ସ୍କିମ ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ପୂର୍ବ ସରକାରଗୁଡ଼ିକ ଗରିବମାନଙ୍କର ଏହି ଅବସ୍ଥାକୁ ବୁଝି ନ ଥିଲେ, ଗରିବଙ୍କ ଭାବନାକୁ ବୁଝି ନ ଥିଲେ । ଏହି କାରଣରୁ ଅନେକ ଦଶନ୍ଧି ତଳେ ଦିଆଯାଇଥିବା ଗରିବୀ ହଟାଓ, ରୋଟି-କପଡ଼ା-ମକାନ ସ୍ଲୋଗାନ କେବଳ ସ୍ଲୋଗାନ ହୋଇ ରହିଯାଇଥିଲା । ଜୋରରେ ସ୍ଲୋଗାନ ଦିଆଯାଇଥିଲା ଏବଂ ଭୋଟ ହାସଲ ହୋଇଚାଲିଥିଲା ଏବଂ ଏହାଯୋଗୁ ସ୍ୱାର୍ଥ ପୂରଣ ହୋଇଚାଲିଥିଲା ।’’

 

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି, ବିଗତ ୮ ବର୍ଷରେ ଦେଶର ଗ୍ରାମୀଣ ଏବଂ ସହରଗୁଡ଼ିକରେ ଗରିବମାନଙ୍କୁ ୩ କୋଟିରୁ ଅଧିକ ପକ୍କା ଘର ପ୍ରଦାନ କରାଯାଇଛି । ଏହି ସମୟରେ, ଗୁଜରାଟର ସହରଗୁଡ଼କରେ ଗରିବଙ୍କ ନିମନ୍ତେ ୧୦ ଲକ୍ଷ ପକ୍କା ଘର ମଞ୍ଜୁରି ଦିଆଯାଇଛି ଏବଂ ୭ ଲକ୍ଷ ଘର ନିର୍ମାଣ ଶେଷ ହୋଇସାରିଛି । ସେ କହିଛନ୍ତି, ‘‘ଭୂପେନ୍ଦ୍ର ଭାଇ ଏବଂ ତାଙ୍କ ଟିମ ଗରିବଙ୍କ ନିମନ୍ତେ ବାସଗୃହ ନିର୍ମାଣରେ ପ୍ରଶଂସାଯୋଗ୍ୟ କାର୍ଯ୍ୟ କରୁଛନ୍ତି । କେବଳ ଗରିବ କାହିଁକି, ମଧ୍ୟବିତ୍ତ ବର୍ଗର ଲୋକଙ୍କ ନିମନ୍ତେ ନିଜସ୍ୱ ଘରର ସ୍ୱପ୍ନ ପୂରଣ ଲାଗି ମଧ୍ୟ ଆମେ ପ୍ରଥମ ପଦକ୍ଷେପ ଗ୍ରହଣ କରିଛୁ ।’’ ସେ ସୂଚନା ଦେଇଛନ୍ତି, ଗୁଜରାଟରେ ଲକ୍ଷ ଲକ୍ଷ ମଧ୍ୟବିତ୍ତ ଶ୍ରେଣୀର ପରିବାରକୁ ସେମାନଙ୍କ ନିଜ ଘର ନିମନ୍ତେ ପାଖାପାଖି ୧୧ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି । ଏତିକି ନୁହେଁ, ପଡ଼ୋଶୀ ସହରକୁ କାମ ପାଇଁ ଯାଉଥିବା ଶ୍ରମିକମାନେ ମଧ୍ୟ ସ୍ୱଳ୍ପ ଭଡ଼ାରେ ଉତ୍ତମ ଘର ପାଇବା ଆବଶ୍ୟକ । ଏହି ସ୍କିମ ନିମନ୍ତେ ଜୋରଦାର କାର୍ଯ୍ୟ ଜାରି ରହିଛି ।’’

 

ମୋଦି କହିଛନ୍ତି, ‘‘ପୂର୍ବ ସରକାରଗୁଡ଼ିକ ଏକ ଦାୟିତ୍ୱ ଭାବେ ନୁହେଁ, ବରଂ ଏକ ଅନୁଗ୍ରହ ଭାବେ ଗରିବଙ୍କ ପାଇଁ ଘର ନିର୍ମାଣ କରୁଥିଲେ । ଆମେ ତାହାକୁ ବଦାଳାଇ ଦେଇଥିଲୁ ।’’ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଘର ମାଲିକମାନଙ୍କୁ ସେମାନଙ୍କ ନିଜ ଘର ନିର୍ମାଣ ଏବଂ ସେମାନଙ୍କ ମନମୁତାବକ ସାଜସଜ୍ଜା ଲାଗି ପୂର୍ଣ୍ଣ ନିୟନ୍ତ୍ରଣ ଓ ସ୍ୱାଧୀନତା ପ୍ରଦାନ କରାଯାଇଥଲା । ଶ୍ରୀ ମୋଦୀ କହିଛନ୍ତି, ‘‘ଗରିବଙ୍କ ଘରକୁ ଉନ୍ନତ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି ।’’ ସେ ରେଖାଙ୍କିତ କରିଛନ୍ତି ଯେ ରାଜକୋଟର ଲାଇଟ ହାଉସ ପ୍ରକଳ୍ପ ଏଭଳି ଉଦ୍ୟମରୁ ଗୋଟିଏ । ଏହାର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଅନେକ ଭାଗରୁ ଲୋକମାନେ ରାଜକୋଟର ଏହି ମଡେଲ ଦେଖିବାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆଜି, ଗୁଜରାଟ କେବଳ ଆଧୁନିକ ପ୍ରଯୁକ୍ତିରେ ନିର୍ମିତ ୧୧୦୦ରୁ ଅଧିକ ଗୃହ ପାଇନାହିଁ, ବରଂ ଆଉ ଏକ ଖୁସିର ଖବର ଯେ ଭବିଷ୍ୟତରେ ଲକ୍ଷ ଲକ୍ଷ ଗରିବ ପରିବାର ପକ୍କା ଘର ପାଇବାକୁ ଯାଉଛନ୍ତି ।’’ ସୁବିଧାଗୁଡ଼ିକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜକୋଟରେ ଏହିସବୁ ଆଧୁନିକ ବାସଗୃହଗୁଡ଼ିକ ଦେଶରେ ଏକ ଦ୍ରୁତ ବେଗରେ ସୁଲଭ ବାସଗୃହ ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ । ସେ କହିଛନ୍ତି, ‘‘ଗୃହ କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି ।’’ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶରେ ହଜାର ହଜାର ଯୁବକଯୁବତୀଙ୍କୁ ଏହିଭଳି ପ୍ରଯୁକ୍ତି ତାଲିମ ଦେଇ ଆତ୍ମନିର୍ଭରଶୀଳ କରାଇବା ଏବଂ ସେମାନଙ୍କୁ ନୂଆ ଷ୍ଟାର୍ଟ ଅପ୍ ପାଇଁ ଉତ୍ସାହିତ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି ।

 

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ସଡ଼କ, ବଜାର, ମଲ୍ ଏବଂ ପ୍ଲାଜା ବ୍ୟତୀତ ସହରୀ ଜୀବନର ମଧ୍ୟ ଆଉ ଏକ ଦାୟିତ୍ୱ ରହିଛି । ପ୍ରଥମ ଥର ପାଇଁ, ଆମ ସରକାର ରାସ୍ତାପାଶ୍ୱର୍ ବିକ୍ରେତାଙ୍କ ଦାୟିତ୍ୱ କଥା ବୁଝିଛନ୍ତି । ପ୍ରଥମ ଥର ପାଇଁ, ଆମେ ସେମାନଙ୍କୁ ବ୍ୟାଙ୍କ ସହ ଯୋଡ଼ିଛୁ । ଆଜି ଏହି ସହକର୍ମୀମାନେ ସ୍ୱନିଧି ସ୍କିମ ଜରିଆରେ ସହଜ ଋଣ ମଧ୍ୟ ପାଉଛନ୍ତି ଏବଂ ସେମାନେ ନିଜ ବ୍ୟବସାୟ ସମ୍ପ୍ରସାରଣ କଥା ଚିନ୍ତା କରିପାରୁଛନ୍ତି । ଆଜି ଆପଣମାନେ ଦେଖନ୍ତୁ, ଏହି ବିକ୍ରେତାମାନେ ଡିଜିଟାଲ ଟ୍ରାଞ୍ଜାକସନ ଜରିଆରେ ଡିଜିଟାଲ ଇଣ୍ଡିଆକୁ ଶକ୍ତି ପ୍ରଦାନ କରୁଛନ୍ତି ।

 

ରାଜକୋଟରେ ଏମଏସଏମଇ ସଂଖ୍ୟାକୁ ଦର୍ଶାଇ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଶିଳ୍ପ ସହର ଭାବେ ଏହି ସହରର ବେଶ ଖ୍ୟାତି ରହିଛି ଏବଂ ଏମଏସଏମଇର ଏକ ହଟ୍-ବେଡ୍ ଭାବେ ମଧ୍ୟ ଏହା ଜଣାଶୁଣା । ସେ ଆହୁରି କହିଛନ୍ତି ଯେ ଦେଶରେ ଏଭଳି କୌଣସି ସ୍ଥାନ ନାହିଁ ଯେ ଯେଉଁଠାରେ ରାଜକୋଟ ନିର୍ମିତ ପମ୍ପ, ମେସିନ ଏବଂ ଉପକରଣ ବ୍ୟବହୃତ ହେଉ ନ ଥିବ । ଫାଲକନ ପମ୍ପ, ଫିଲ୍ଡ ମାର୍ଶଲ, ଆଙ୍ଗେଲ ପମ୍ପ, ଫ୍ଲୋଟେକ ଇଞ୍ଜିନିୟରିଂ, ଜଳଗଙ୍ଗା ପମ୍ପ, ସିଲଭର ପମ୍ପଳ ରୋଟେକ ପମ୍ପ, ସିଦ୍ଧି ଇଞ୍ଜିନିୟର୍ସ, ଗୁଜରାଟ ଫୋର୍ଜିଙ୍ଗ ଏବଂ ଟପଲାଣ୍ଡର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜକୋଟରୁ ଏହିସବୁ ଉତ୍ପାଦ ଦେଶ ଓ ବିଶ୍ୱରେ ନିଜ ପରିଚିତି ସୃଷ୍ଟି କରିଛନ୍ତି ।

 

ସେ କହିଛନ୍ତି, ‘‘ଗତ ଦୁଇ ଦଶନ୍ଧିରେ ରାଜକୋଟରୁ ଇଞ୍ଜିନିୟରିଂ ସଂକ୍ରାନ୍ତ ରପ୍ତାନି ୫ ହଜାର କୋଟି ଟଙ୍କା ଅତିକ୍ରମ କରିଛି ।’’ ସେ କହିଛନ୍ତି ଯେ କାରଖାନା ସଂଖ୍ୟା ଦୁଇଗୁଣାରୁ ଅଧିକ ହୋଇଛି ଏବଂ ଶ୍ରମିକ ସଂଖ୍ୟା ଅନେକ ଗୁଣା ବୃଦ୍ଧି ପାଇଛି । ସମଗ୍ର ଇକୋସିଷ୍ଟମ ଦ୍ୱାରା, ହଜାର ହଜାର ଅନ୍ୟ ଲୋକ ଏଠାରେ ନିଯୁକ୍ତି ପାଇପାରିଛନ୍ତି । ସେହିଭଳି, ମୋରବି ମଧ୍ୟ ଏକ ଅନନ୍ୟ କାର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମୋରବିର ସେରାମିକ ଟାଇଲ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ହୋଇଛି । ସେ କହିଛନ୍ତି, ‘‘ବିଶ୍ୱର ମୋଟ ସେରାମିକ୍ସର ୧୩%ରୁ ଅଧିକ କେବଳ ମୋରବିରେ ଉତ୍ପାଦନ ହେଉଛି ।’’ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଟାଉନ ଅଫ ଏକ୍ସପୋର୍ଟ ଏକ୍ସିଲେନ୍ସ’ ଭାବେ ମଧ୍ୟ ମୋରବି ଜଣାଶୁଣା । ୱାଲ, ଫ୍ଲୋର, ବାଥରୁମ ଏବଂ ପାଇଖାନା ହେଉ, ମୋରବି ବିନା ସେ ସବୁ ଅସମ୍ପୂର୍ଣ୍ଣ । ସେ ସୂଚନା ଦେଇଛନ୍ତି ଯେ ୧୫ ହଜାର କୋଟି ଟଙ୍କା ନିବେଶରେ ମୋରବିରେ ଏକ ସେରାମିକ୍ସ ପାର୍କ ନିର୍ମାଣ ହେଉଛି । ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ତାଙ୍କର ଅଗ୍ରଗାମୀ ନିବେଶ ନୀତି ପାଇଁ ପ୍ରଶଂସା କରି ନିଜ ଭାଷଣ ଶେଷ କରିଛନ୍ତି ।

 

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଗୃହ ଓ ସହର ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, କେନ୍ଦ୍ର ଗୃହ ଓ ସହର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୌଶଲ କିଶୋର, ଗୁଜରାଟର ପୂର୍ବତନ ରାଜ୍ୟପାଳ ଶ୍ରୀ ବଜୁଭାଇ ବାଲା, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାନି ଏବଂ ସାଂସଦ ଶ୍ରୀ ମୋହନଭାଇ କୁନ୍ଦାରିୟା ଏବଂ ଶ୍ରୀ ରାମଭାଇ କୋମାରିୟା ପ୍ରମୁଖ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

 

ପ୍ରଧାନମନ୍ତ୍ରୀ ଗୁଜରାଟର ରାଜକୋଟରେ ପ୍ରାୟ ୫୮୬୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ । ସେ ଇଣ୍ଡିଆ ଅର୍ବାନ ହାଉସିଂ କନକ୍ଲେଭ ୨୦୨୨କୁ ମଧ୍ୟ ଉଦଘାଟନ କରିଛନ୍ତି, ଯାହା କି ଭାରତରେ ଗୃହ ସଂକ୍ରାନ୍ତ ବିଭିନ୍ନ ଦିଗ ଯଥା ଯୋଜନା, ଡିଜାଇନ, ନୀତି, ନିୟାମକ, କାର୍ଯ୍ୟକାରିତା, ଉନ୍ନତ ନିରନ୍ତରତା ଏବଂ ସମାବେଶିତା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଉଦ୍ଦିଷ୍ଟ । ସାଧାରଣ ସଭା ପରେ, ପ୍ରଧାନମନ୍ତ୍ରୀ ଅଭିନବ ନିର୍ମାଣ ପ୍ରୟୋଗ ଉପରେ ଏକ ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିଥିଲେ ।

 

ସାଧାରଣ ସଭା ବେଳେ ପ୍ରଧାନମନ୍ତ୍ରୀ ଲାଇଟ ହାଉସ ପ୍ରକଳ୍ପ ଅଧୀନରେ ନିର୍ମିତ ୧୧୦୦ରୁ ଊଦ୍ଧ୍ୱର୍ ବାସଗୃହକୁ ଲୋକାର୍ପଣ କରିଥିଲେ । ଏହି ବାସଗୃହଗୁଡ଼ିକର ଚାପି ହିତାଧିକାରୀମାନଙ୍କୁ ହସ୍ତାନ୍ତର କରାଯିବ । ସେ ମଧ୍ୟ ଏକ ଜଳଯୋଗାଣ ପ୍ରକଳ୍ପ ଲୋକାର୍ପଣ କରିଥିଲେ: ବ୍ରାହ୍ମଣୀ-୨ ଡ୍ୟାମରୁ ନର୍ମଦା କେନାଲ ପମ୍ପିଙ୍ଗ ଷ୍ଟେସନକୁ ମୋରବି-ବଲ୍କ ପାଇପଲାଇନ ପ୍ରକଳ୍ପ । ତାଙ୍କ ଦ୍ୱାରା ଲୋକାର୍ପିତ ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଫ୍ଲାଏଓଭର ଏବଂ ସଡ଼କ ସଂଯୋଗ ସଂକ୍ରାନ୍ତ ଅନ୍ୟ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

 

ପ୍ରଧାନମନ୍ତ୍ରୀ ଗୁଜରାଟରେ ଏନଏଚ୨୭ର ବର୍ତ୍ତମାନର ଚାରିଥାକିଆ ରାଜକୋଟ-ଗୋଣ୍ଡାଲ-ଜେଟପୁର ସେକ୍ସନର ଛଅଥାକିଆ ଲେନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୋରବି, ରାଜକୋଟ, ବୋଟାଡ, ଜାମନଗର ଓ କଚର ବିଭିନ୍ନ ସ୍ଥାନରେ ସେ ପାଖାପାଖି ୨୯୫୦ କୋଟି ଟଙ୍କା ମୂଲ୍ୟର ଜିଆଇଡିସି ଶିଳ୍ପ ଇଷ୍ଟେଟ ମଧ୍ୟ ଶିଳାନ୍ୟାସ କରିଛନ୍ତି । ଶିଳାନ୍ୟାସ ହୋଇଥିବା ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗାଢକାଠାରେ ଅମୁଲ-ଫେଡ୍ ଡାଏରୀ ପ୍ଲାଣ୍ଟ, ରାଜକୋଟରେ ଏକ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ, ଦୁଇଟି ଜଳଯୋଗାଣ ପ୍ରକଳ୍ପ ଏବଂ ସଡ଼କ ଓ ରେଳ କ୍ଷେତ୍ରର ଅନ୍ୟାନ୍ୟ ପ୍ରକଳ୍ପ ରହିଛି ।

 

SR



(Release ID: 1869431) Visitor Counter : 181