ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟର ଅହମ୍ମଦାବାଦଠାରେ ୩୬ତମ ରାଷ୍ଟ୍ରୀୟ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

Posted On: 29 SEP 2022 9:58PM by PIB Bhubaneshwar

ଭାରତ ମାତାକୀ ଜୟ,

ଭାରତ ମାତାକୀ ଜୟ,

ଏହି ଭବ୍ୟ ଆୟୋଜନରେ ଆମ ସହିତ ଉପସ୍ଥିତ ଥିବା ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ, ସଂସଦରେ ମୋର ସାଥୀ ସି ଆର ପଟେଲ, ଭାରତ ସରକାରଙ୍କ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁରଜୀ, ରାଜ୍ୟର ମନ୍ତ୍ରୀ ହର୍ଷ ସଂଘବୀଜୀ, ମେୟର କୀରିଟ ଭାଇ, ଖେଳ ସଂସ୍ଥାମାନଙ୍କର ପ୍ରତିନିଧିଗଣ ଏବଂ ସମଗ୍ର ଦେଶରୁ ଆସି ଏଠାରେ ଉପସ୍ଥିତ ହୋଇଥିବା ମୋର ଯୁବ ଖେଳାଳୀଗଣ ।

ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ, ଅଭିନନ୍ଦନ । ଏଭଳି ଦୃଶ୍ୟ, ଏଭଳି ସ୍ୱରୂପ, ଏଭଳି ପରିବେଶକୁ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ । ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିଅମ୍, ବିଶ୍ୱର ଏତେ ବଡ଼ ଯୁବ ରାଷ୍ଟ୍ର ଏବଂ ଦେଶର ସବୁଠାରୁ ବଡ଼ ଖେଳ ଉତ୍ସବ ! ଯେତେବେଳେ ଏହାର ଆୟୋଜନ ଏତେ ଅଦ୍ଭୁତ ଏବଂ ଅଦ୍ୱିତୀୟ ହୋଇଛି, ସେତେବେଳେ ଏହାର ଔଜଲ୍ୟ ସେହିଭଳି ଅସାଧାରଣ ଅବଶ୍ୟ ହେବ । ଦେଶର ୩୬ଗୋଟି ରାଜ୍ୟରୁ ୭ ହଜାରରୁ ଅଧିକ କ୍ରୀଡ଼ାବିତ୍, ୧୫ ହଜାରରୁ ଅଧିକ ପ୍ରତିଭାଗୀ, ୩୫ ହଜାରରୁ ଅଧିକ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ବିଦ୍ୟାଳୟର ସହଭାଗୀତା ଏବଂ ୫୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ରାଷ୍ଟ୍ରୀୟ କ୍ରୀଡ଼ା ସହିତ ସିଧାସଳଖ ଭାବେ ଯୋଡ଼ିହେବା ଏକ ଅଦ୍ଭୁତ ଏବଂ ଅଭୂତପୂର୍ବ ଘଟଣା । ରାଷ୍ଟ୍ରୀୟ କ୍ରୀଡ଼ାର ସଂଗୀତ ‘ଯୁଡେଗା ଇଣ୍ଡିଆ, ଜିତେଗା ଇଣ୍ଡିଆ’ । ମୁଁ କହିବି ଯୁଡେଗା ଇଣ୍ଡିଆ ଆପଣମାନେ କହିବେ ଜିତେଗା ଇଣ୍ଡିଆ । ‘ଯୁଡେଗା ଇଣ୍ଡିଆ, ଜିତେଗା ଇଣ୍ଡିଆ, ‘ଯୁଡ଼େଗା ଇଣ୍ଡିଆ, ଜିତେଗା ଇଣ୍ଡିଆ, ‘ଯୁଡ଼େଗା ଇଣ୍ଡିଆ, ଜିତେଗା ଇଣ୍ଡିଆ, ଏଭଳି ଶବ୍ଦ, ଏଭଳି ଭାବରେ ଆଜି ଗଗନପବନ ପ୍ରକମ୍ପିତ ହେଉଛି ।  ଆପଣମାନଙ୍କ ଉତ୍ସହ ଆଜି ଆପଣମାନଙ୍କ ଚେହେରାର ଚମକରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଏହି ଚମକ ଅଦ୍ୱିତୀୟ, କ୍ରୀଡ଼ା ଦୁନିଆକୁ ଆସିବାକୁ ଥିବା ସ୍ୱର୍ଣ୍ଣିମ ଭବିଷ୍ୟତ ନିମନ୍ତେ । ରାଷ୍ଟ୍ରୀୟ କ୍ରୀଡ଼ାର ଏହି ପ୍ଲାଟଫର୍ମ ଆପଣମାନଙ୍କ ସମସ୍ତଙ୍କ ଲାଗି ଏକ ନୂତନ ଲଞ୍ଚ୍ ପ୍ୟାଡ୍ ଭାବେ କାର୍ଯ୍ୟ କରିବ । ମୁଁ ଏହି ଖେଳରେ ସାମିଲ ହେଉଥିବା ସମସ୍ତ କ୍ରୀଡ଼ାବିତମାନଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ସାଥୀଗଣ,

ମୁଁ ଆଜି ଗୁଜରାଟର ଜନସାଧାରଣଙ୍କୁ ମୁଁ ପ୍ରଶଂସା କରୁଛି, ଯେଉଁମାନେ ଖୁବ୍ କମ୍ ସମୟ ଭିତରେ ଏଭଳି ଭବ୍ୟ ଆୟୋଜନର ସମସ୍ତ ବ୍ୟବସ୍ଥା କରିପାରିଛନ୍ତି । ଏହା ଗୁଜରାଟର ସାମର୍ଥ୍ୟ, ଏଠାକାର ଲୋକମାନଙ୍କର ସାମର୍ଥ୍ୟ । କିନ୍ତୁ ସାଥୀଗଣ, ଯଦି ଆପଣମାନଙ୍କୁ କେଉଁଠାରେ ସୁଦ୍ଧା ଏଭଳି ଅନୁଭବ ହେଉଥିବ, କେଉଁଠି କେମିତି ଅସୁବିଧା ଲାଗୁଥିବ, ସେଥିପାଇଁ ମୁଁ ଜଣେ ଗୁଜରାଟୀ ଭାବେ ଆପଣମାନଙ୍କ ସମସ୍ତଙ୍କ ନିକଟରେ ଆଗୁଆ କ୍ଷମା ପ୍ରାର୍ଥନା କରିନେଉଛି । କାଲି ଅହମ୍ମଦାବାଦରେ ଯେଉଁଭଳି ଭାବେ ସୁନ୍ଦର, ଭବ୍ୟ ଡ୍ରୋନ୍ ପ୍ରଦର୍ଶନୀ ହୋଇଥିଲା, ତାହାକୁ ଦେଖି ତ ଯେକେହି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଗର୍ବରେ ସେମାନଙ୍କର ଛାତି ଭରି ଉଠିଥିଲା । ପ୍ରଯୁକ୍ତିର ଏଭଳି ବାସ୍ତବ ଉପଯୋଗ, ଡ୍ରୋନ ଭଳି ଗୁଜରାଟକୁ, ଭାରତକୁ ନୂତନ ଶିଖରରେ ପହଞ୍ଚାଯିବ । ଏଠାରେ ପୂର୍ବରୁ ଯେଉଁ କ୍ରୀଡ଼ା କନକ୍ଲେଭର ଆୟୋଜନ କରାଯାଇଥିଲା, ତାହାର ସଫଳତାର ଏବେ ଖୁବ୍ ଚର୍ଚ୍ଚା ହେଉଛି । ସେହିସବୁ ପ୍ରୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ଭୂପେନ୍ଦ୍ର ପଟେଲ ଏବଂ ତାଙ୍କର ସଂପୂର୍ଣ୍ଣ ଟିମକୁ ମୁଁ ଭୂରି ଭୂରି ପ୍ରଶଂସା କରୁଛି । ଏବେ କିଛି ଦିନ ପୂର୍ବେ ରାଷ୍ଟ୍ରୀୟ କ୍ରୀଡ଼ାର ଅଫିସିଆଲ୍ ମାସ୍କଟ୍ ‘ସାବଜ’ର ମଧ୍ୟ ଉନ୍ମୋଚନ କରାଯାଇଥିଲା । ଗିର୍ ଜଙ୍ଗଲର ସିଂହକୁ ପ୍ରଦର୍ଶିତ କରୁଥିବା ଶୁଭଙ୍କର ‘ସାବଜ’ ଭାରତର ଯୁବଗୋଷ୍ଠୀଙ୍କ ମାନସିକତାକୁ ପ୍ରଦର୍ଶିତ କରୁଛି । ନିର୍ଭୟ ହୋଇ ମୈଦାନରେ ଉଭା ହେଉଥିବା ଏହି ସିଂହ ତାର ମାନସିକ ଶକ୍ତିକୁ ପ୍ରଦର୍ଶନ କରୁଛି । ଏହା ବୈଶ୍ୱିକ ପରିଦୃଶ୍ୟରେ କ୍ଷିପ୍ର ଗତିରେ ଆଗକୁ ଆଗାଉଥିବା ସାମର୍ଥ୍ୟର ମଧ୍ୟ ପ୍ରତୀକ ଅଟେ ।

ସାଥୀଗଣ,

ଆଜି ଆପଣମାନେ ଯେଉଁ ଷ୍ଟାଡିଅମ୍, ଯେଉଁ କ୍ରୀଡ଼ା କମ୍ପ୍ଲେକ୍ସରେ ଉପସ୍ଥିତ ହୋଇଛନ୍ତି, ଏହାର ବିଶାଳତା ଏବଂ ଆଧୁନିକତା ମଧ୍ୟ ଏକ ଭିନ୍ନ ପ୍ରେରଣାର କାରଣ ଅଟେ । ଏହି ଷ୍ଟାଡିଅମ୍ ତ ବିଶ୍ୱର ସର୍ବବୃହତ୍ ଷ୍ଟାଡ଼ିଅମ୍ ଏକଥା ସମସ୍ତଙ୍କୁ ଜଣାଅଛି, ଏଥି ସହିତ ଏହା ସର୍ଦ୍ଦାର ପଟେଲ ସ୍ପୋର୍ଟସ୍ ଏନକ୍ଲେଭ୍ ଏବଂ ଏହି କମ୍ପ୍ଲେକ୍ସ ମଧ୍ୟ ଅନେକ ଦୃଷ୍ଟିରୁ ଅନ୍ୟମାନଙ୍କ ଠାରୁ ଭିନ୍ନ । ସାଧାରଣତଃ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଗୋଟିଏ କିମ୍ବା ଦୁଇଟି ଅବା ତିନୋଟି ଖେଳ ଭିତରେ ସୀମିତ ହୋଇ ରହିଯାଇଥାଏ । କିନ୍ତୁ ସର୍ଦ୍ଦାର ପଟେଲ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଫୁଟବଲ, ବାସ୍କେଟ୍ ବଲ୍, କବାଡ଼ି, ବକ୍ସିଂ ଏବଂ ଲନ୍ ଟେନି୍ ଭଳି ଅନେକ ଖେଳର ସୁବିଧା ଏକା ସଙ୍ଗେ ଉପଲବ୍ଧ ରହିଛି । ଏହା ଗୋଟିଏ ଦୃଷ୍ଟିରୁ ସମଗ୍ର ଦେଶ ପାଇଁ ଏକ ମଡେଲ ସଦୃଶ । କାରଣ, ଯେତେବେଳେ କ୍ରୀଡ଼ାର ଏଭଳି ସଂସାଧନ ଉପଲବ୍ଧ ହେବ, ସେତେବେଳେ କ୍ରୀଡ଼ାବିତମାନଙ୍କ ମନୋବଳ ମଧ୍ୟ ଏକ ନୂତନ ଶିର୍ଷ ପର୍ଯ୍ୟନ୍ତ ପହଂଚି ପାରିବ । ମୋର ବିଶ୍ୱାସ, ଆମର ସମସ୍ତ କ୍ରୀଡ଼ାବିତମାନେ ଏହି ପରିସରରେ ନିଜର ଅନୁଭବକୁ ନିଶ୍ଚିତ ଭାବେ ଉପଭୋଗ କରିବେ ।

ମୋର ଯୁବା ସାଥୀଗଣ,

ସୌଭାଗ୍ୟକୁ ଏବେ ନବରାତ୍ରୀର ପବିତ୍ର ଅବସର ମଧ୍ୟ ଚାଲିଛି । ଗୁଜରାଟରେ ମା’ଦୁର୍ଗାଙ୍କ ଉପାସନାକୁ ନେଇ ଗରବା ପର୍ଯ୍ୟନ୍ତ, ଏଠାକାର ଏକ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ରହିଛି । ଯେଉଁ କ୍ରୀଡ଼ାବିତମାନେ ଅନ୍ୟ ରାଜ୍ୟମାନଙ୍କରୁ ଆସିଛନ୍ତି, ସେମାନଙ୍କୁ ମୁଁ କହିବ ଯେ ଖେଳ ସହିତ ଏଠାରେ ଆୟୋଜିତ ନବରାତ୍ରିର ଆନନ୍ଦ ସେମାନେ ଅବଶ୍ୟ ନେବା ଉଚିତ । ଗୁଜରାଟର ଲୋକମାନଙ୍କ ଅତିଥି ସତ୍କାରପଣ, ଆପଣମାନଙ୍କୁ ସ୍ୱାଗତ କରିବାରେ କୌଣସି ତ୍ରୁଟି ରହିବନାହିଁ । ଏମିତିରେ ତ ମୁଁ ଦେଖିବାକୁ ପାଉଛି ଯେ କିଭଳି ଆମର ନୀରଜ ଚୋପ୍ରାଜୀ କାଲି ଗରବାର ଆନନ୍ଦ ନେଉଥିଲେ । ଉତ୍ସବର ଏହି ଖୁସି, ଆମ ଭାରତୀୟମାନଙ୍କୁ ପରସ୍ପର ସହିତ ଯୋଡିଥାଏ, ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନର ଅବସର ପ୍ରଦାନ କରିଥାଏ । ମୁଁ ଏହି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ସମସ୍ତ ଗୁଜରାଟୀ ତଥା ଦେଶବାସୀଙ୍କ ତରଫରୁ ପୁଣି ଥରେ ନବରାତ୍ରୀର ବଧେଇ ଜଣାଉଛି ।

ମୋର ଯୁବ ମିତ୍ରଗଣ,

ଯେକୌଣସି ଦେଶର ପ୍ରଗତି ଏବଂ ବିଶ୍ୱରେ ଏହାର ସମ୍ମାନ, କ୍ରୀଡ଼ାରେ ଏହାର ସଫଳତା ସହିତ ସିଧାସଳଖ ଭାବେ ସଂପର୍କ ରହିଛି । ରାଷ୍ଟ୍ରକୁ ନେତୃତ୍ୱ ଦେଇଥାନ୍ତି ଦେଶର ଯୁବଗୋଷ୍ଠୀ, ଏବଂ କ୍ରାଡ଼ା- ସ୍ପୋର୍ଟସ୍, ଏହି ଯୁବପ୍ରାଣର ଶକ୍ତିକୁ, ସେମାନଙ୍କ ଜୀବନ ନିର୍ମାଣର ପ୍ରମୁଖ ସ୍ରୋତ ହୋଇଥାଏ । ଆଜି ମଧ୍ୟ ଆପଣମାନେ ଦେଖିପାରିବେ, ବିଶ୍ୱବ୍ୟାପୀ ଯେଉଁ ଦେଶ ବିକାଶ ଏବଂ ଅର୍ଥବ୍ୟବସ୍ଥାରେ ଶୀର୍ଷ ସ୍ଥାନରେ ରହିଛନ୍ତି, ସେମାନଙ୍କର ଦମଦାର ପ୍ରଦର୍ଶନ, ଅନ୍ୟ କ୍ଷେତ୍ରଗୁଡ଼ିକରେ ଦେଶର ବିଜୟ ପାଇଁ ମଧ୍ୟ ମାର୍ଗ ପ୍ରସ୍ତୁତ ଓ ପ୍ରଶସ୍ତ କରିଥାଏ । କ୍ରୀଡ଼ାର ସଫ୍ଟ ପାୱାର, ଦେଶର ପରିଚୟକୁ, ଦେଶର ଛବିକୁ ଅନେକ ଗୁଣରେ ଅଧିକ ଉତ୍ତମ କରି ଉପସ୍ଥାପନ କରିଥାଏ ।

ସାଥୀଗଣ,

ମୁଁ କ୍ରୀଡ଼ାଜଗତ ସହିତ ସଂଶ୍ଳିଷ୍ଟ ସାଥୀମାନଙ୍କୁ ଅଧିକାଂଶ ସମୟରେ କହିଥାଏ – ସଫଳତା ସଦାବେଳେ କାର୍ଯ୍ୟପନ୍ଥାରୁ ହିଁ ଆରମ୍ଭ ହୋଇଥାଏ! ଅର୍ଥାତ୍, ଆପଣମାନେ ଯେଉଁ ମୁହୂର୍ତ୍ତରେ ହିଁ ଏହା ଆରମ୍ଭ କରିଦେବେ, ସେହି କ୍ଷଣରୁ ସଫଳତାର ଶୁଭାରମ୍ଭ ହୋଇଯିବ । ଆପଣମାନଙ୍କୁ ଲଢ଼ିବାକୁ ପଡ଼ିପାରେ, ସଂଗ୍ରାମ କରିବାକୁ ପଡ଼ିପାରେ । ଆପଣମାନେ ବେଳେବେଳେ ହଲଚଲ ହୋଇଯାଇପାରନ୍ତି, ପଡ଼ିଯାଇ ପାରନ୍ତି । କିନ୍ତୁ ଯଦି ଏହା ସତ୍ତ୍ୱେ ଆପଣ ଉଠି ଦୌଡ଼ିବାର ମାନସିକତାକୁ ଛାଡ଼ିବେ ନାହିଁ, ଆପଣମାନେ ଆଗକୁ ହିଁ ଅଗ୍ରସର ହୋଇ ଚାଲିଥିବେ । କାରଣ, ଭାବି ଦେଖନ୍ତୁ ପ୍ରତି ପାହୁଣ୍ଡରେ ହିଁ ଆପଣ ଆଗକୁ ଆଗେଇ ଚାଲିଥିବେ ଏବଂ ଆପଣମାନଙ୍କର ପ୍ରଗତି ହୋଇଚାଲିଥିବ । ସ୍ୱାଧୀନତାର ଅମୃତକାଳରେ ଦେଶ ଏହି ଭାବନାର ସହିତ ନୂତନ ଭାରତ ନିର୍ମାଣର ଶୁଭାରମ୍ଭ କରିଥିଲା । ଗୋଟିଏ ସମୟ ଥିଲା, ଯେତେବେଳେ ସମଗ୍ର ବିଶ୍ୱ ବୈଶ୍ୱିକ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ଲାଗି ପାଗଳପ୍ରାୟ ହେଉଥିଲେ । କିନ୍ତୁ ଆଜି ଆମର ଏଠାରେ ସେହିସବୁ ଖେଳ, ବର୍ଷ ବର୍ଷ ଧରି କେବଳ ଜେନେରାଲ ନଲେଜର ବିଷୟ ଭାବେ ହିଁ ରଖାଯାଇଥିଲା । କିନ୍ତୁ ଏବେ ସେଭଳି ମାନସିକତା ବଦଳି ସାରିଛି, ନୂତନ ଭାବନା ଆମ ମନରେ ସୃଷ୍ଟି ହୋଇଛି । ପରିବେଶ ମଧ୍ୟ ନୂଆ ହୋଇଛି । ୨୦୧୪ରେ ‘ଫାଷ୍ଟ ଆଣ୍ଡ୍ ବେଷ୍ଟ’ର ଯେଉଁ ବାତାବରଣ ଦେଶରେ ଆରମ୍ଭ ହୋଇଥିଲା, ଆମର ଯୁବଗୋଷ୍ଠୀ ସେହି ମାହୋଲକୁ କ୍ରୀଡ଼ାରେ ମଧ୍ୟ କାଏମ ରଖିଛନ୍ତି ।

ଆପଣମାନେ ଲକ୍ଷ୍ୟ କରନ୍ତୁ, ଆଠବର୍ଷ ପୂର୍ବ ପର୍ଯ୍ୟନ୍ତ ଭାରତର କ୍ରୀଡ଼ାବିତମାନେ, ଶହେରୁ କମ୍ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ । ଏବେ ଭାରତର କ୍ରୀଡ଼ାବିତମାନେ ତିନିଶହରୁ ଅଧିକ ଇଣ୍ଟରନ୍ୟାସନାଲ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଆଠବର୍ଷ ପୂର୍ବରୁ ଭାରତର କ୍ରୀଡ଼ାବିତ୍ମାନେ ୨୦–୨୫ ପ୍ରକାର ଖେଳ ଖେଳୁଥିଲେ । ଏବେ ଭାରତର କ୍ରୀଡ଼ାବିତମାନେ ପାଖାପାଖି ୪୦ ପ୍ରକାର ଭିନ୍ନ ଭିନ୍ନ ଖେଳରେ ଅଂଶଗ୍ରହଣ କରୁଛନ୍ତି । ଆଜି ଭାରତର ମେଡାଲ ସଂଖ୍ୟା ବୃଦ୍ଧି ପାଇଚାଲିଛି ଏବଂ ଭାରତର ସ୍ଥିତି ମଧ୍ୟ ବଢ଼ିବାରେ ଲାଗିଛି । କରୋନାର କଠିନ ସମୟରେ ସୁଦ୍ଧା ଦେଶ ନିଜର କ୍ରୀଡ଼ାବିତମାନଙ୍କ ମନୋବଳକୁ କମ୍ ହେବାକୁ ଦେଇନାହିଁ । ଆମେ ଆମର ଯୁବଗୋଷ୍ଠୀଙ୍କୁ ପ୍ରତ୍ୟେକ ପ୍ରକାର ଅତ୍ୟାବଶ୍ୟକ ସଂସାଧନ ଯୋଗାଇଛୁ, ତାଲିମ ଗ୍ରହଣ କରିବା ସକାଶେ ବିଦେଶ ପଠାଇଛୁ । ଆମେ କ୍ରୀଡ଼ା ମାନସିକତା ସହିତ କ୍ରୀଡ଼ା କ୍ଷେତ୍ର ନିମନ୍ତେ କାର୍ଯ୍ୟ କରିଛି । TOPS ଭଳି ଯୋଜନାଗୁଡ଼ିକ ମାଧ୍ୟମରେ ବର୍ଷ ତମାମ ମିଶନ ମୋଡ଼ରେ ଏଭଳି ପ୍ରସ୍ତୁତି ଜାରି ରହିଛି । ଆଜି ବଡ଼ ବଡ଼ କ୍ରୀଡ଼ାବିତମାନଙ୍କ ସଫଳତାକୁ ନେଇ ନୂତନ କ୍ରୀଡ଼ାବିତମାନଙ୍କ ଭବିଷ୍ୟତ ନିର୍ମାଣ ପର୍ଯ୍ୟନ୍ତ  TOPS ଏକ ବଡ଼ ଭୂମିକା ନିର୍ବାହ କରୁଛି । ଆଜି ଆମର ଯୁବକଯୁବତୀମାନେ ପ୍ରତ୍ୟେକ ଖେଳରେ ନୂଆ ନୂଆ କୀର୍ତ୍ତିମାନମାନ ସୃଷ୍ଟି କରୁଛନ୍ତି ଏବଂ ନିଜ ରେକର୍ଡକୁ ହିଁ ଭାଙ୍ଗି ଆଗକୁ ଆଗେଇ ଚାଲିଛନ୍ତି । ଟୋକିଓରେ ଚଳିତ ଥର ଭାରତ ଅଲିମ୍ପିକରେ ନିଜର ସବୁଠାରୁ ଉତ୍ତମ ପ୍ରଦର୍ଶନ କରିଛି । ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଯୁବ କ୍ରୀଡ଼ାବିତମାନେ ଦେଶପାଇଁ ଏତେ ସଂଖ୍ୟକ ପଦକ ଅର୍ଜନ କରିଥିଲେ । ଏହା ପରେ ଥୋମାସ୍ କପରେ ଆମେ ଆମର ବ୍ୟାଡମିଣ୍ଟନ୍ ଟିମ୍ ବିଜୟର ମଧ୍ୟ ଉତ୍ସବ ମନାଇଛୁ । ଉଗାଣ୍ଡାରେ ପାରା ବ୍ୟାଡମିଣ୍ଟନ୍ ଟିମରେ ମଧ୍ୟ ୪୭ଟି ମେଡାଲ ଜିଣି ଦେଶର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି । ଏହି ସଫଳତାର ସବୁଠାରୁ ଶକ୍ତିଶାଳୀ ପକ୍ଷ ଏହା ଯେ ଏଥିରେ ଆମର କନ୍ୟାମାନେ ବରାବର ଭାଗୀଦାରୀ ରହିଛନ୍ତି । ଆମର କନ୍ୟାମାନେ ଆଜି ସର୍ବାଗ୍ରେ ଦେଶର ତ୍ରିରଙ୍ଗାକୁ ଗର୍ବର ସହିତ ଉଡାଇ ଚାଲିଛନ୍ତି ।

ସାଥୀଗଣ,

କ୍ରୀଡ଼ା ଦୁନିଆରେ ଏଭଳି ସାମର୍ଥ୍ୟ ପ୍ରଦର୍ଶନ କରିବାର କ୍ଷମତା ଦେଶରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଏହି ବିଜୟ ଅଭିଯାନ ପ୍ରଥମରୁ ମଧ୍ୟ ଆରମ୍ଭ ହୋଇପାରିଥାନ୍ତା । କିନ୍ତୁ, ଖେଳରେ ଯେଉଁ ପେଶାଦାରୀ ମନୋଭାବ ହେବା ଆବଶ୍ୟକ ଥିଲା, ଏହି ସ୍ଥାନକୁ ପରିବାରବାଦ ଏବଂ ଭ୍ରଷ୍ଟାଚାର ଦଖଲ କରିନେଇଥିଲା । ଆମେ ବ୍ୟବସ୍ଥାକୁ ପ୍ରଥମେ ପରିଷ୍କାର କଲୁ ଏବଂ ଯୁବଗୋଷ୍ଠୀଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ନିମନ୍ତେ ସେମାନଙ୍କ ମନରେ ଭରସା ସୃଷ୍ଟି କଲୁ । ଦେଶରେ ଏବେ କେବଳ ଯୋଜନାମାନ ପ୍ରସ୍ତୁତ ହେଉନାହିଁ, ଅପରନ୍ତୁ ଆମର ଯୁବଗୋଷ୍ଠୀ ପରସ୍ପର ସହିତ ପାଦକୁ ପାଦ ମିଳାଇ ଆଗକୁ ଆଗେଇ ଚାଲିଛନ୍ତି । ସେଥିପାଇଁ, ଆଜି ଫିଟ୍ ଇଣ୍ଡିଆ ଏବଂ ଖେଲୋ ଇଣ୍ଡିଆ ଭଳି ପ୍ରୟାସ ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି । ସେଇଥିପାଇଁ ଆଜି ଅଧିକରୁ ଅଧିକ ସଂସାଧନ ମଧ୍ୟ ଯୋଗାଇ ଦିଆଯାଉଛି ଏବଂ ଅଧିକରୁ ଅଧିକ ଅବସର ପ୍ରାପ୍ତ ହୋଇପାରୁଛି । ବିଗତ ଆଠବର୍ଷ ମଧ୍ୟରେ ଦେଶର ଖେଳ ବଜେଟରେ ପାଖାପାଖି ୭୦ ପ୍ରତିଶତ ବୃଦ୍ଧି ଘଟିଛି । ଆଜି ଦେଶରେ ସ୍ପୋର୍ଟସ୍ ବିଶ୍ୱବିଦ୍ୟାଳୟମାନ ସ୍ଥାପନ ହେଉଛି, ଦେଶର କୋଣ ଅନୁକୋଣରେ ଆଧୁନିକ ସ୍ପୋର୍ଟସ୍ ସଂସାଧନ ପ୍ରସ୍ତୁତ କରାଯାଉଛି । ସେତିକି ନୁହେଁ ଅବସର ଗ୍ରହଣ କରିବା ପରେ ମଧ୍ୟ କ୍ରୀଡ଼ାବିତମାନଙ୍କୁ ଯେମିତି କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପାଇଁ ମଧ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଅବସର ଗ୍ରହଣ କରୁଥିବା କ୍ରୀଡ଼ାବିତମାନଙ୍କ ଅନୁଭବରୁ ନୂତନ ପିଢ଼ିକୁ ଲାଭ ମିଳିପାରୁଛି, ଏହି ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି ।

ସାଥୀଗଣ,

ସ୍ପୋର୍ଟସ୍, ଖେଳ, ହଜାର ହଜାର ବର୍ଷ ଧରି ଭାରତର ସଭ୍ୟତା ଏବଂ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି । ଖେଳ ଆମର ବୈଭବ ଏବଂ ବିକାଶ ଯାତ୍ରା ମାଧ୍ୟମ ପାଲଟିଛି । ସ୍ୱାଧୀନତାର ଅମୃତକାଳରେ ଦେଶ ନିଜର ବୈଭବ ଉପରେ ଗର୍ବର ସହିତ ଏହି ପରମ୍ପରାକୁ ପୁନର୍ଜୀବିତ କରୁଛି । ଏବେ ଦେଶର ପ୍ରୟାସ ଏବଂ ଉତ୍ସାହ କେବଳ ଗୋଟିଏ ଖେଳ ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ, ଅପରନ୍ତୁ ‘କଲାରୀପୟଟଟୁ’ ଏବଂ ଯୋଗାସନ ଭଳି ଭାରତୀୟ ଖେଳକୁ ମଧ୍ୟ ମହତ୍ତ୍ୱ ମିଳିପାରୁଛୁ । ମୁଁ ଖୁସି ଯେ ଏହିସବୁ ଖେଳକୁ ରାଷ୍ଟ୍ରୀୟ ଗେମ୍ସ ଭଳି ବଡ଼ ବଡ଼ ଆୟୋଜନରେ ମଧ୍ୟ ସାମିଲ କରାଯାଇଛି । ଯେଉଁ କ୍ରୀଡ଼ାବିତମାନେ ଏହିସବୁ ଖେଳରେ ଏଠାରେ ପ୍ରତିନିଧିତ୍ୱ କରୁଛନ୍ତି, ସେମାନଙ୍କୁ ମୁଁ ଗୋଟିଏ ବିଶେଷ କଥା କହିବାକୁ ଚାହିଁବି । ଆପଣମାନେ ଗୋଟିଏ ପଟେ ହଜାର ହଜାର ବର୍ଷର ପୁରୁଣା ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ଏବଂ ତାହା ସହିତ ଖେଳ ଜଗତର ଭବିଷ୍ୟତକୁ ମଧ୍ୟ ନେତୃତ୍ୱ ପ୍ରଦାନ କରୁଛନ୍ତି । ଆଗାମୀ ଦିନରେ ଯେତେବେଳେ ଏହିସବୁ ଖେଳକୁ ବୈଶ୍ୱିକ ମାନ୍ୟତା ମିଳିବ, ସେତେବେଳେ ଏହି କ୍ଷେତ୍ରରେ ଆପଣମାନଙ୍କ ନାମ ଲିଜେଣ୍ଡ୍ ଭାବେ ଅବଶ୍ୟ ପରିଗଣିତ ହେବ ।

ସାଥୀଗଣ,

ପରିଶେଷରେ ମୁଁ ଆପଣମାନଙ୍କୁ ସମସ୍ତ କ୍ରୀଡ଼ାବିତମାନଙ୍କୁ ଆଉ ଗୋଟିଏ ମନ୍ତ୍ର ଦେବାକୁ ଚାହେଁ । ଯଦି ଆପଣମାନଙ୍କୁ ପ୍ରତିଯୋଗିତାରେ ବିଜୟୀ ହେବାର ଅଛି, ତେବେ ଆପଣମାନେ ପ୍ରତିବଦ୍ଧ ଏବଂ ନିରବଚ୍ଛିନ୍ନତାକୁ ବଞ୍ଚାଇ ରଖିବାକୁ ପଡ଼ିବ । ଖେଳରେ ହାର – ଜିତକୁ କେତେବେଳେ ସୁଦ୍ଧା ଆମେ ଚୂଡ଼ାନ୍ତ ବୋଲି ବିବେଚନା କରିବା ଉଚିତ ନୁହେଁ । ଏହା କ୍ରିଡ଼ାବିତର ମାନସିକତା ଆପଣମାନଙ୍କ ଜୀବନର ଅଂଶ ହେବା ଜରୁରି । ସେତେବେଳେ ଯାଇ ଭାରତ ଭଳି ଯୁବଗୋଷ୍ଠୀ ଏବଂ ଭାରତ ଭଳି ଯୁବ ରାଷ୍ଟ୍ରର ସ୍ୱପ୍ନକୁ ଆପଣମାନେ ନେତୃତ୍ୱ ପ୍ରଦାନ କରିପାରିବେ । ଅସୀମିତ ସମ୍ଭାବନାକୁ ସାକାର କରିପାରିବେ । ଏବଂ ଆପଣମାନଙ୍କୁ ଏକଥା ମଧ୍ୟ ସ୍ମରଣ ରଖିବାକୁ ପଡ଼ିବ ଯେ ଯେଉଁଠାରେ ଗତି ରହିଛି, ସେଠାରେ ପ୍ରଗତି ସମ୍ଭବପର । ସେଥିପାଇଁ ଏହି ଗତିକୁ ଆପଣମାନଙ୍କୁ କ୍ରୀଡ଼ା ମୈଦାନ ବାହାରେ ମଧ୍ୟ କାଏମ ରଖିବାକୁ ପଡ଼ିବ । ଏହି ଗତି ଆପଣମାନଙ୍କ ଜୀବନର ମିଶନ ହେବା ବାଂଛନୀୟ । ମୋର ବିଶ୍ୱାସ, ରାଷ୍ଟ୍ରୀୟ କ୍ରୀଡ଼ାରେ ଆପଣମାନଙ୍କ ବିଜୟ ଦେଶକୁ ଉତ୍ସବ ମନାଇବାର ସୁଯୋଗରେ ଭରିଦେବ ଏବଂ ଭବିଷ୍ୟତ ନିମନ୍ତେ ଏକ ନୂତନ ବିଶ୍ୱାସ ମଧ୍ୟ ସୃଷ୍ଟି କରିବ । ଏହି ବିଶ୍ୱାସର ସହିତ, ଏହି ୩୬ତମ ରାଷ୍ଟ୍ରୀୟ କ୍ରୀଡ଼ାର ଶୁଭାରମ୍ଭକୁ ମୁଁ ଆହ୍ୱାନ ଜଣାଉଛି ।

SS/DD



(Release ID: 1863779) Visitor Counter : 120