ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭାବନଗରରେ 5200 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ


ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବିଶ୍ବର ପ୍ରଥମ ସିଏନଜି ଟର୍ମିନାଲ୍ ର ଶିଳାନ୍ୟାସ

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମଧ୍ୟ ଭାବନଗରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମଧ୍ୟ ଉଦ୍‌ଘାଟନ

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସୌନି ଯୋଜନା ଲିଙ୍କ 2 ର ପ୍ୟାକେଜ୍ 7, 25 ମେଗାୱାଟ ପାଲିତାନା ସୌର ପିବି ପ୍ରକଳ୍ପ, ଏପିପିଏଲ୍‌ କଣ୍ଟେନର ପ୍ରକଳ୍ପ ସହିତ ଅନେକ ପ୍ରକଳ୍ପର ଉଦ୍‌ଘାଟନ

ପ୍ରଧାନମନ୍ତ୍ରୀ ସୌନି ଯୋଜନା ଲିଙ୍କ 2 ର ପ୍ୟାକେଜ୍ 9, ଚୋରବଦଲା ଜୋନ୍ ଜଳ ଯୋଗାଣ ପ୍ରକଳ୍ପ ସହିତ ଅନ୍ୟ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିଛନ୍ତି

300 ବର୍ଷର ଏହାର ଏହି ଯାତ୍ରାରେ ଭାବନଗର କ୍ରମାଗତ ବିକାଶ କରିଛି, ସୌରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ଭାବରେ ନିଜର ପରିଚୟ ସୃଷ୍ଟି କରିଛି

ଗତ 2 ଦଶକରେ ଗୁଜରାଟର କୋଷ୍ଟଲାଇନକୁ ଭାରତର ସମୃଦ୍ଧିର ଦ୍ବାର କରିବା ପାଇଁ ଆମେ ନିଷ୍ଠାର ସହିତ ପ୍ରଚେଷ୍ଟା କରିଛୁ

ଭାବନଗର ବନ୍ଦର ବିକାଶର ଏକ ଆକର୍ଷଣୀୟ ଉଦାହରଣ ଭାବରେ ସୃଷ୍ଟି ହୋଇଛି

ଲୋଥାଲ୍, ବିଶ୍ବର ସବୁଠାରୁ ପୁରୁଣା ବନ୍ଦର ଅଟେ ଓ ଲୋଥାଲ୍ ସାମୁଦ୍ରିକ ସଂଗ୍ରହାଳୟର ନିର୍ମାଣ ଦ୍ବାରା ଏହି ସ୍ଥାନକୁ ଏକ ନୂତନ ପରିଚୟ ମିଳିବ

କୃଷକମାନଙ୍କର ସଶକ୍ତିକରଣ ଉଦ୍ଦେଶ୍ୟରେ ମତ୍ସ୍ୟଜୀବି କ୍ରେଡିଟ୍ କାର୍ଡ଼ ଜାରି କରାଯାଇଛି

ପଛରେ ରହିଥିବା ଲୋକମାନଙ୍କୁ ସହାୟତା କରିବା ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା ଅଟେ

ଗରିବଙ୍କ ସ୍ବପ୍ନ ଓ ତାଙ୍

Posted On: 29 SEP 2022 3:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାବନଗରରେ 5200 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବନଗରରେ ବିଶ୍ବର ପ୍ରଥମ ସିଏନଜି ଟର୍ମିନାଲ୍ ଏବଂ ବ୍ରାଉନଫିଲ୍‌ଡ ପୋର୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମଧ୍ୟ ଉଦ୍‌ଘାଟନ କରିଛନ୍ତି ଯାହା 20 ଏକରର ପରିବ୍ୟାପ୍ତ ଏବଂ ଏହାକୁ ପ୍ରାୟ 100 କୋଟି ଟଙ୍କାର ନିବେଶରେ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ସୌନି ଯୋଜନା ଲିଙ୍କ 2 ର ପ୍ୟାକେଜ୍ 7, 25 ମେଗାୱାଟ୍ ପାଲିତାନା ଏବଂ ପିଭି ପ୍ରକଳ୍ପ, ଏପିପିଏଲ୍‌ କଣ୍ଟେନର (ଆୱାଦକୃପା ପ୍ଲାଷ୍ଟୋମେକ୍ ପ୍ରାଇଭେଟ୍ ଲିମିଟେଡ୍‌) ପ୍ରକଳ୍ପ ସହିତ ଅନେକ ଅନ୍ୟ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରିଛନ୍ତି ଏବଂ ସୌନି ୟୋହନା ଲିଙ୍କ 2 ର ପ୍ୟାକେଜ୍ 9, ଚୋରଭଡଲା ଜୋନ ଜଳ ଯୋଗାଣ ପ୍ରକଳ୍ପ ସହିତ ଅନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗରମ ଜଳବାୟୁ ସତ୍ତ୍ବେ ଏତେ ସଂଖ୍ୟାରେ କାର୍ଯ୍ୟକ୍ରମକୁ ଆସିଥିବାରୁ ଲୋକମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଗୋଟିଏ ପଟରେ ଦେଶ ଯେଉଁଠାରେ ସ୍ବାଧୀନତାର 75 ବର୍ଷ ପୁରଣ କରି ସାରଛି, ସେଠାରେ ଚଳିତ ବର୍ଷ ଭାବନଗର ନିଜର ସ୍ଥାପନାର 300 ବର୍ଷ ପୂରଣ କରିବାକୁ ଯାଉଛି। 300 ବର୍ଷର ନିଜର ଏହି ଯାତ୍ରାରେ ଭାବନଗର କ୍ରମାଗତ ଭାବରେ ବିକାଶ କରିଛି, ସୌରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ଭାବରେ ନିଜର ପରିଚୟ ସୃଷ୍ଟି କରିଛି। ଭାବନଗର ର ଏହି ବିକାଶ ଯାତ୍ରାକୁ ଆଜି ଆରମ୍ଭ କରାଯାଉଥିବା ଯୋଜନା ଦ୍ବାରା ନୂତନ ଗତି ମିଳିବ। ସେ କହିଛନ୍ତି ଯେ ତାଙ୍କର ଦୃଢ଼ ବିଶ୍ବାସ ରହିଛି ଯେ ରାଜକୋଟ-ଜାମନଗର-ଭାବନଗର କ୍ଷେତ୍ରରେ ଖୁବ୍ ଶୀଘ୍ର ସୁରତ୍- ବଡ଼ୋଦରା-ଅହମ୍ମଦାବାଦ ପରି ପରିବେଶ ହେବ। ସେ କହିଛନ୍ତି ଯେ ଭାବନଗରରେ ଉଦ୍ୟୋଗ, କୃଷି ଏବଂ ବ୍ୟବସାୟର ଅପାର ସମ୍ଭାବନା ରହିଛି। ଆଜିର ଆୟୋଜନ ଏହି ଦିଗରେ ଡବଲ୍ ଇଞ୍ଜିନ୍ ଥିବା ସରକାରଙ୍କ ପ୍ରଚେଷ୍ଟାରେ ଏକ ଜ୍ବଳନ୍ତ ଉଦାହରଣ ଅଟେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାବନଗର ସମୁଦ୍ର କୂଳରେ ରହିଥିବା ଏକ ଜିଲ୍ଲା ଅଟେ। ଗୁଜରାଟ ନିକଟରେ ଦେଶର ସବୁଠାରୁ ଲମ୍ବା କୋଷ୍ଟଲାଇନ୍ ରହିଛି। କିନ୍ତୁ ସ୍ବାଧୀନତାର ପରବର୍ତ୍ତୀ ଦଶକରେ ଉପକୂଳର ବିକାଶ ପାଇଁ ସେତେ ଧ୍ୟାନ ପ୍ରଦାନ ନଯିବା କାରଣରୁ ଏହି ବିଶାଳ କୋଷ୍ଟଲାଇନ୍ ଗୋଟିଏ ପ୍ରକାରରେ ଲୋକମାନଙ୍କ ପାଇଁ ବଡ଼ ଆହ୍ବାନରେ ପରିଣତ ହୋଇଛି। ଡବଲ ଇଞ୍ଜିନ ଥିବା ସରକାର ଦ୍ବାରା କରାଯାଉଥିବା କାର୍ଯ୍ୟ ଉପରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ 2 ଦଶନ୍ଧିରେ ଗୁଜରାଟର କୋଷ୍ଟଲାଇନକୁ ଭାରତର ସମୃଦ୍ଧିର ଦ୍ବାର କରିବା ପାଇଁ ଆମେ ସଚ୍ଚୋଟତାର ସହିତ ପ୍ରଚେଷ୍ଟା କରୁଛୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଗୁଜରାଟରେ ଆମେ ଅନେକ ବନ୍ଦରର ବିକାଶ କରିଛୁ, ବହୁତ ବନ୍ଦର ଗୁଡ଼ିକର ଆଧୁନିକିକରଣ କରିଛୁ। ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିଛୁ।’’ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ଏଲଏନଜି ଟର୍ମିନାଲ୍ ପାଇଥିବା ଦେଶର ପ୍ରଥମ ରାଜ୍ୟ ଅଟେ ଏବଂ ଆଜି ଗୁଜରାଟରେ ତିନିଟି ଏଲଏନଜି ଟର୍ମିନାଲ୍ ରହିଛି।

କୋଷ୍ଟାଲ୍ ଇକୋ-ସିଷ୍ଟମର ଗୁରୁତ୍ବ ଉପରେ ଆଲୋକପାତ କରି, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ଉଦ୍ୟୋଗ ପାଇଁ କୋଷ୍ଟାଲ୍ ଉଦ୍ୟୋଗ ଏବଂ ଏନର୍ଜି ନେଟୱର୍କର ବିକାଶରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମତ୍ସ୍ୟଜୀବି ମାନଙ୍କର ଲାଭ ପାଇଁ ମାଛ ଧରିବାର ବନ୍ଦରକୁ ନିର୍ମାଣ କରାଯାଇଛି ଏବଂ ମତ୍ସ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦିଆଯାଇଛି। ଏହି କ୍ଷେତ୍ରରେ ମ୍ୟାନଗ୍ରୋଭ୍ ବନର ମଧ୍ୟ ବିକାଶ କରାଯାଇଥିଲା। ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ରର ତତ୍କାଳୀନ ସରକାର କହିଥିଲେ ଯେ କୋଷ୍ଟାଲ୍ ଏରିଆକୁ କିପରି ବିକଶିତ କରାଯିବ, ଏହି ବିଷୟରେ ଗୁଜରାଟରୁ ଅନେକ କିଛି ଶିକ୍ଷା ଗ୍ରହଣ କରାଯାଇପାରିବ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସରକାର ଆକ୍ବା କଲଚକୁ ଆଗକୁ ବଢ଼ାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁଜରାଟର କୋଷ୍ଟଲାଇନ୍ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଗୁଜରାଟର କୋଷ୍ଟଲାଇନ୍ ଦେଶର ଆମଦାନୀ-ରପ୍ତାନୀରେ ବହୁତ ବଡ଼ ଭୂମିକା ଗ୍ରହଣ କରୁଛି ଓ ଏହା ସହିତ ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକମାନେ ନିଯୁକ୍ତିର ସୁଯୋଗ ପାଇ ପାରୁଛନ୍ତି। ସେ କହିଛନ୍ତି ଯେ, ‘‘ଆଜି ଗୁଜରାଟର କୋଷ୍ଟଲାଇନ୍, ନବୀକରଣୀୟ ଶକ୍ତି ଓ ହାଇଡ୍ରୋଜେନ୍ ଇକୋସିଷ୍ଟମର ଅଂଶ ଭାବରେ ସୃଷ୍ଟି ହୋଇଛି। ‘‘ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆମେ ସୌରାଷ୍ଟ୍ରକୁ ଶକ୍ତିର କେନ୍ଦ୍ର କରିବାର ପ୍ରଚେଷ୍ଟା କରିଛୁ। ଆଜି ଦେଶର ଶକ୍ତିର ଯେତେ ଆବଶ୍ୟକ ହେଉ ନା କାହିଁକି , ଏହି କ୍ଷେତ୍ର ଏହାର ଏକ ମହତ୍ତ୍ବପୂର୍ଣ୍ଣ କେନ୍ଦ୍ର ହେବାରେ ଲାଗିଛି।’’

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାବନଗରର ଏହି ବନ୍ଦର ଆତ୍ମନିର୍ଭର ଭାରତର ନିର୍ମାଣରେ ବଡ଼ ଭୂମିକା ବହନ କରିବ ଏବଂ ନିଯୁକ୍ତିର ଶହ ଶହ ନୂତନ ଅବସର ଏଠାରେ ସୃଷ୍ଟି ହେବ। ଶ୍ରୀ ମୋଦୀ କହିଛନ୍ତି ଯେ, ‘‘ଏଠାରେ ଭଣ୍ଡାରଣ, ଟ୍ରାନ୍‌ସପୋର୍ଟେସନ ଏବଂ ଲଜିଷ୍ଟିକ୍‌ସ ସମ୍ବନ୍ଧିତ ବ୍ୟବସାୟ କାର୍ଯ୍ୟର ସଂପ୍ରସାରଣ ହେବ।’’ ଅଲଙ୍ଗ ସିପ୍ ବ୍ରେକିଂ ୟାର୍ଡ଼ର ବୈଶିଷ୍ଟ୍ୟ ବିଷୟରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭେଇକିଲ୍ ସ୍କ୍ରାପେଜ୍ ପଲିସିର ସବୁଠାରୁ ଅଧିକ ଲାଭ ଭାବନଗରକୁ ହେବ। ସେ ସ୍କ୍ରାପ୍ କରାଯାଇଥିବା ଲୁହାରୁ କଣ୍ଟେନର ନିର୍ମାଣ ସମ୍ବନ୍ଧିତ ସୁଯୋଗ ବିଷୟରେ ମଧ୍ୟ କହିଲେ।

ଲୋଥାଲ୍ କୁ ଆମର ଐତିହ୍ୟର ଏକ ମହତ୍ତ୍ବପୂର୍ଣ୍ଣ କେନ୍ଦ୍ର ଭାବରେ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ବିଶ୍ବର ସବୁଠାରୁ ପୁରୁଣା ବନ୍ଦର ଅଟେ ଏବଂ ଲୋଥାଲ୍ ସାମୁଦ୍ରିକ ସଂଗ୍ରହଳାୟର ନିର୍ମାଣ ହେବା ଦ୍ବାରା ଏହି ସ୍ଥାନକୁ ଏକ ବଡ଼ ପରିଚୟ ମିଳିବ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଲୋଥାଲ୍ ଆମର ଐତିହ୍ୟଣ ଏକ ମହତ୍ତ୍ବପୂର୍ଣ୍ଣ କେନ୍ଦ୍ର ଭାବରେ ରହିଆସିଛି, ଯାହାକୁ ସାରା ଦୁନିଆଁର ପର୍ଯ୍ୟଟନର ନକ୍‌ସା ଉପରକୁ ଆଣିବା ପାଇଁ ବହୁତ ପରିଶ୍ରମ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘‘ଲୋଥାଲ୍ ସହିତ ବେଲାବଦର ନ୍ୟାସନାଲ୍ ପାର୍କରେ  ଇକୋ ଟୁରିଜିମ୍ ସମ୍ପର୍କିତ ସର୍କିଟର ଲାଭ ମଧ୍ୟ ଭାବନଗରକୁ ମିଳିବ, ବିଶେଷ ଭାବରେ ଏହି ଲାଭ ଛୋଟ ବ୍ୟବସାୟଗୁଡ଼ିକୁ ମିଳିପାରିବ।’’ ଶ୍ରୀ ମୋଦୀ ସେହି ସମୟକୁ ମନେ ପକାଇଲେ ଯେତେବେଳେ ଏହି କ୍ଷେତ୍ରରେ ମତ୍ସ୍ୟଜୀବିମାନଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ ବିପଦଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏହି ସମୟକୁ ମନେ ପକାଇ ଯେତେବେଳେ ପ୍ରଧାନମନ୍ତ୍ରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେ କହିଥିଲେ ଯେ ମତ୍ସ୍ୟଜୀବିମାନଙ୍କୁ ଅନେକ ବଟନ୍ ଥିବା ଏକ ବିଶେଷ ପ୍ରକାର ଲାଲ୍ ବାସ୍କେଟ୍ ପ୍ରଦାନ କରାଯାଇଥିଲା । ଜରୁରୀକାଳୀନ ସ୍ଥିତିରେ, ମତ୍ସ୍ୟଜୀବିମାନଙ୍କୁ ସହାୟତା ପାଇଁ ତଟରକ୍ଷକ କାର୍ଯ୍ୟାଳୟକୁ ଡାକିବା ପାଇଁ ବଟନ୍ ଚିପିବାକୁ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟଜୀବିମାନଙ୍କୁ ସେମାନଙ୍କର ଡଙ୍ଗାର ସ୍ଥିତିରେ ଉନ୍ନତି ଆଣିବା ପାଇଁ ସବ୍‌ସିଡି ପ୍ରଦାନ କରାଯାଇଛି। ଶ୍ରୀ ମୋଦୀ କହିଛନ୍ତି ଯେ ‘‘କୃଷକମାନଙ୍କର ସଶକ୍ତିକରଣ ଉଦ୍ଦେଶ୍ୟରେ, ମତ୍ସ୍ୟଜୀବିମାନଙ୍କୁ କ୍ରେଡିଟ୍ କାର୍ଡ଼ ଜାରି କରାଯାଇଛି।’’

ପ୍ରଧାନମନ୍ତ୍ରୀ ରାଜକୋଟରେ ଆରମ୍ଭ ହୋଇଥିବା ସୌନି ଯୋଜନାର ଲାଗୁ ହେବା ପରେ ହୋଇଥିବା ପରିବର୍ତ୍ତନ ଉପରେ ସନ୍ତୋଷ ପ୍ରକାଶ କରିଥିଲେ। କିଛି ତ୍ରୟମାସରେ ପ୍ରାରମ୍ଭିକ ସମସ୍ୟା ସତ୍ତ୍ବେ ପ୍ରକଳ୍ପର ନିରନ୍ତର ପ୍ରଗତିରେ ଗୁରୁତ୍ବ ପ୍ରଦାନ କରି, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଆଜି, ସୌନି ଯୋଜନା ନର୍ମଦାର ସେହି ସମସ୍ତ ସ୍ଥାନରେ ଗ୍ରହଣ କରାଯାଉଛି ଯେଉଁଠାରେ ତାହା ତ୍ବରିତ ଗତିରେ କରାଯିବା ଉଚିତ୍।’’ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଯେଉଁ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି ତାହା ନର୍ମଦା ନଦୀର ପାଣିକୁ ଭାବନଗର ଓ ଅମରେଲିର ଅନେକ ଜିଲ୍ଲାରେ ପହଞ୍ଚାଇବ। ଶ୍ରୀ ମୋଦୀ କହିଛନ୍ତି ଯେ ଏହାଦ୍ବାରା ଅମରେଲି ଜିଲ୍ଲାକୁ ରାଜୁଲା ଓ ଭଙ୍ଖା ତାଲୁକ ସହିତ ଭାବନଗରର ଗରିୟାଧର, ଜେସର ଏବଂ ମହୁଆ ତାଲୁକାର ଅନେକ ଗ୍ରାମର ଚାଷୀମାନଙ୍କୁ ବହୁତ ଲାଭ ମିଳିପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାବନଗର, ଗିରସୋମନାଥ, ଅମରେଲି, ବୋଟାଦ, ଜୁନାଗଡ଼, ରାଜକୋଟ ଏବଂ ପୋରବନ୍ଦର ଜିଲ୍ଲାର ଶହ ଶହ ଗ୍ରାମ ଓ ଡଜନ ସହର ପର୍ଯ୍ୟନ୍ତ ପହଞ୍ଚିବାର କାମ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଯାଇଛି।

ସମ୍ବୋଧନର ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଛରେ ରହିଯାଇଥିବା ଲୋକମାନଙ୍କର ସହାୟତା କରିବା ଡବଲ୍ ଇଞ୍ଜିନ ସରକାରର ପ୍ରାଥମିକତା ଅଟେ। ଯେତେବେଳେ ଗରିବରୁ ଅତ୍ୟନ୍ତ ଗରିବ ବ୍ୟକ୍ତିଙ୍କୁ ସମ୍ବଳ ଓ ସମ୍ମାନ ମିଳିବ, ସେତେବେଳେ ସେମାନେ କଠିନ ପରିଶ୍ରମ ଏବଂ ଦୃଢ଼ତା ବଳରେ ଦାରିଦ୍ର୍ୟ ଉପରେ ବିଜୟ ଲାଭ କରିପାରିବେ।  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଗୁଜରାଟରେ ଆମେ ପ୍ରାୟତଃ ଗରିବ କଲ୍ୟାଣ ଯୋଜନାର ଆୟୋଜନ କରିଥାଉ। ଏହିପରି ଏକ କାର୍ଯ୍ୟକ୍ରମ ସମୟରେ ମୁଁ ଏଠାରେ ଭାବନଗରରେ ଜଣେ ଭଉଣୀଙ୍କୁ ଟ୍ରାଇସାଇକେଲ୍ ଦେଇଥିଲି। ଏହାପରେ ସେହି ଭଉଣୀ ମୋତେ କହିଲେ ମୁଁ କେବେ ଟ୍ରାଇସାଇକେଲ୍ ଚଲାଇ ନାହିଁ, ତେଣୁ ଇଲେକ୍‌ଟ୍ରିକ୍ ଟ୍ରାଇସାଇକେଲ୍ ହିଁ ଦିଅନ୍ତୁ। ଏହି ବିଶ୍ବାସ ଏବଂ ଗରିବମାନଙ୍କର ଏହି ସ୍ବପ୍ନ ଆଜି ମଧ୍ୟ ମୋର ଶକ୍ତି ଅଟେ। ଗରିବ ଲୋକମାନଙ୍କର ଏହି ସ୍ବପ୍ନ, ତାଙ୍କର ଏହି ଆକାକ୍ଷା ମୋତେ ନିରନ୍ତର କାମ କରିବା ପାଇଁ ଶକ୍ତି ପ୍ରଦାନ କରୁଛି। ’’

ପ୍ରଧାନମନ୍ତ୍ରୀ ଭାବନଗର ସହିତ ନିଜର ଦୀର୍ଘ ସମ୍ପର୍କ ଏବଂ ନିଜର ପୁରୁଣା ସହଯୋଗୀମାନଙ୍କୁ ମନେ ପକାଇ ଅତୀତର ସ୍ମୃତିରେ ହଜି ଯାଇଥିଲେ। ସେ କହିଲେ ଯେ ଆଜିର ପ୍ରକଳ୍ପ ଭାବନଗରର ଉଜ୍ଜ୍ବଳ ଭବିଷ୍ୟତରେ ଯୋଗଦାନ ଦେବ। ସେ ଲୋକମାନଙ୍କୁ ତାଙ୍କ ପ୍ରତି କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସ୍ନେହ ପାଇଁ ଧନ୍ୟବାଦ ଦେଲେ।

ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ, ସାଂସଦ ଶ୍ରୀ ସି.ଆର ପାଟିଲ୍, ଡା. ଭାରତୀବେନ୍ ସିୟାଲ୍ ଏବଂ ଶ୍ରୀ ନାରନଭାଇ କଛଡ଼ିୟା ମଧ୍ୟ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାବନଗରରେ 5200 କୋଟି ଟଙ୍କାରୁ ଅଧିକ ମୂଲର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବନଗରରେ ବିଶ୍ବର ପ୍ରଥମ ସିଏନଜି ଟର୍ମିନାଲ୍ ଏବଂ ବ୍ରାଉନଫିଲ୍‌ଡ ପୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପୋର୍ଟକୁ 4000 କୋଟି ଟଙ୍କାରୁ ଅଧିକ ନିବେଶରେ ବିକଶିତ କରାଯିବ ଏବଂ ଏଥିରେ ବିଶ୍ବର ଚତୁର୍ଥ ସବୁଠାରୁ ବଡ଼ ଲକ୍ ଗେଟ୍ ସିଷ୍ଟମ ସହିତ ବିଶ୍ବର ସର୍ବ ପ୍ରଥମ ସିଏନଜି ଟର୍ମିନାଲ୍ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ରହିବ। ଏହି ସିଏନଜି ଟର୍ମିନାଲ୍ ବ୍ୟତୀତ ପୋର୍ଟ ଏରିଆରେ ବିଭିନ୍ନ ଆଗାମୀ ପ୍ରକଳ୍ପର ଭବିଷ୍ୟତର ଆବଶ୍ୟକତା ଏବଂ ଚାହିଦାକୁ ମଧ୍ୟ ପୂରଣ କରାଯିବ। ଏହି ବନ୍ଦରରେ ଏକ ଅତ୍ୟାଧୁନିକ କଣ୍ଟେନର ଟର୍ମିନାଲ୍, ବହୁଉଦ୍ଦେଶ୍ୟ ଟର୍ମିନାଲ୍ ଏବଂ ଲିକ୍ବିଡ୍ ଟର୍ମିନାଲ୍ ରହିବ ଯାହାକି ପ୍ରଚଳିତ ସଡ଼କ ମାର୍ଗ ଏବଂ ରେଲୱେ ନେଟୱର୍କ ସହିତ ପ୍ରତ୍ୟକ୍ଷ ଭାବରେ ସଂଯୁକ୍ତ ରହିବ। ଏହାଦ୍ବାରା କେବଳ କାର୍ଗୋର ସଞ୍ଚାଳନରେ ଆସୁଥିବା ଖର୍ଚ୍ଚକୁ କମ୍ କରିବା ଦ୍ବାରା ଅଧିକ ସଞ୍ଚୟ ହୋଇପାରିବ ଏବଂ ଏହି କ୍ଷେତ୍ରର ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହା ସହିତ ସିଏନଜି ଆମଦାନୀ ଟର୍ମିନାଲ୍ ସ୍ବଚ୍ଛ ଶକ୍ତିର ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଶକ୍ତିର ଏକ ଅତିରିକ୍ତ ବୈକଳ୍ପିକ ସ୍ରୋତ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାବନଗରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମଧ୍ୟ ଉଦ୍‌ଘାଟନ କରିଛନ୍ତି ଯାହାକି 20 ଏକର ଅଞ୍ଚଳରେ ପରିବ୍ୟାପ୍ତ ଅଟେ ଏବଂ ପ୍ରାୟ 100 କୋଟି ଟଙ୍କାର ନିବେଶରେ ପ୍ରସ୍ତୁତ କରାଯାଇଛି। ଏହି କେନ୍ଦ୍ରରେ ମେରାଇନ୍ ଆକ୍ବାଟିକ୍ ଗ୍ୟାଲେରି, ଅଟୋମୋବାଇଲ୍ ଗ୍ୟାଲେରି, ନୋବେଲ୍ ପୁରସ୍କାର ଗ୍ୟାଲେରି-ଫିଜିଓଲୋଜି ଏବଂ ମେଡିସିନ୍, ଇଲେକ୍ଟ୍ରୋ-ମେକାନିକ୍‌ସ ଗ୍ୟାଲେରି ଏବଂ ଜୀବବିଜ୍ଞାନ- ବିଜ୍ଞାନ ଗ୍ୟାଲେରି ସହିତ ଅନେକ ଥିମ୍ ଭିତ୍ତିକ ଗ୍ୟାଲେରି ରହିଛି। ଏହି କେନ୍ଦ୍ର ଆନିମାଟ୍ରୋନିକ୍ ଡାଇନୋସର, ବିଜ୍ଞାନବିଷୟ ଆଧାରିତ ଟଏ ଟ୍ରେନ, ପ୍ରକୃତି ଅନ୍ବେଷଣ ପର୍ଯ୍ୟଟନ, ମୋସନ ସିମୁଲେଟର, ପୋର୍ଟେବଲ୍ ସୌର ଅବଜରଭାଟୋରି ଆଦି ପରି ବାହ୍ୟ ପ୍ରତିଷ୍ଠାନ ମାଧ୍ୟମରେ ପିଲାମାନଙ୍କ ପାଇଁ ଆବିଷ୍କାର ଓ ଅନ୍ବେଷଣ ଦିଗରେ ଏକ ସୃଜନାତ୍ମକ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରିବ।

ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ସୌନି ଯୋଜନା ଲିଙ୍କ 2 ର ପ୍ୟାକେଜ୍ 7, 25 ମେଗାୱାଟ୍ ପାଲିତାନା ସୌର ପିଭି ପ୍ରକଳ୍ପ, ଏପିପିଏଲ୍‌ କଣ୍ଟେନର (ଅୱଦକୃପା ପ୍ଲାଷ୍ଟୋମେକ୍ ପ୍ରାଇଭେଟ୍ ଲିମିଟେଡ୍‌) ପ୍ରକଳ୍ପ ସହିତ ଅନ୍ୟ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରିଛନ୍ତି ଏବଂ ସୌନି ଯୋଜନା ଲିଙ୍କ 2 ର ପ୍ୟାକେଜ୍ 9, ଚୋରବଡ଼ଲା ଜୋନ ଜଳ ଯୋଗାଣ ପ୍ରକଳ୍ପ ସହିତ ଅନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ବ୍ୟାପକ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ ହେବା ବିଶ୍ବସ୍ତରୀୟ ଭିତ୍ତିଭୂମି ସଂରଚନାକୁ ବିକଶିତ କରିବା, ସହରୀ ଯୋଗାଯୋଗକୁ ବଢ଼ାଇବା ଏବଂ ମଲ୍‌ଟି-ମୋଡାଲ୍ କନେକ୍‌ଟିଭିଟିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ଏହାଦ୍ବାରା ସାଧାରଣ ଲୋକମାନଙ୍କର ଜୀବନ ସହଜ ହେବା ଦିଗରେ ତାଙ୍କର ସରକାର ନିରନ୍ତର ପ୍ରଚେଷ୍ଟା କରୁଥିବା ମଧ୍ୟ ଜଣାଯାଇଥାଏ।

BS



(Release ID: 1863762) Visitor Counter : 225