ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟର ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା ଶୁଭାରମ୍ଭ


ବନ୍ଦେ ଭାରତ ଏକ୍ସପ୍ରେସରେ ବୁଲିଲେ ପ୍ରଧାନମନ୍ତ୍ରୀ

Posted On: 30 SEP 2022 11:06AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୩୦.୯.୨୦୨୨ ଗୁଜରାଟର ଗାନ୍ଧୀନଗରରୁ ପତାକା ଦେଖାଇ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନରେ ଶ୍ରୀ ମୋଦୀ କାଳୁପୁର ରେଳଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିଥିଲେ ।

ଯେତେବେଳେ ସେ ଗାନ୍ଧୀନଗର ଷ୍ଟେସନରେ ପହଁଞ୍ଚିଥିଲେ, ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ୨.୦ର ଟ୍ରେନ ଡବା ଗୁଡିକୁ ନିରୀକ୍ଷଣ କରିବା ସହ ମିଳୁଥିବା ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ । ଶ୍ରୀ ମୋଦୀ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସର ରେଳ ଇଞ୍ଜିନ ନିୟନ୍ତ୍ରଣ କକ୍ଷ ନିରୀକ୍ଷଣ କରିଥିଲେ ।

ପରେ ପରେ ପ୍ରଧାନମନ୍ତ୍ରୀ ଏହି ନୂତନ ଓ ଉନ୍ନୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଗାନ୍ଧୀନଗର ଓ ମୁମ୍ବାଇ ମଧ୍ୟରେ ଏହା ଚଳାଚଳ ଶୁଭାରମ୍ଭ କରିବା ସହ ଏଥିରେ କାଳୁପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ ଯାତ୍ରା କରୁଥିବା ରେଳ       ବିଭାଗ କର୍ମଚାରୀଙ୍କ ପରିବାର ସଦସ୍ୟ, ମହିଳା ଉଦ୍ୟୋଗପତି, ଗବେଷକ ଓ ଯୁବକ ଯୁବତୀଙ୍କ ସହ ମତବିନିମୟ ମଧ୍ୟ କରିଥିଲେ । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ସଫଳତା ପାଇଁ କାର୍ଯ୍ୟ କରିଥିବା ଶ୍ରମିକ, ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ମଧ୍ୟ ଶ୍ରୀ ମୋଦୀ ମତ ବିନିମୟ କରିଥିଲେ ।

ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ଗାନ୍ଧୀନଗର ଓ ମୁମ୍ବାଇ ମଧ୍ୟରେ ଚଳାଚଳ କରିବା ଦ୍ୱାରା ଭାରତର ଦୁଇ ବ୍ୟାବସାୟିକ କେନ୍ଦ୍ର ମଧ୍ୟରେ ସଂଯୋଗ ଆଶାତୀତ ବୃଦ୍ଧି ପାଇବ । ବ୍ୟବସାୟୀମାନେ ଗୁଜରାଟରୁ ମୁମ୍ବାଇ ଓ ମୁମ୍ବାଇରୁ ଗୁଜରାଟ ଯାତ୍ରା କରିବା ସହ ବ୍ୟୟବହୁଳ ବିମାନଯାତ୍ରାରୁ ମଧ୍ୟ ରକ୍ଷା ପାଇବେ । ବନ୍ଦେ ଭାରତ ଏକ୍ସପ୍ରେସ ୨.୦ରେ ଗାନ୍ଧୀନଗରରୁ ମୁମ୍ବାଇ ପହଞ୍ଚିବା ନିମନ୍ତେ ପ୍ରାୟ ଛଅରୁ ସାତ ଘଣ୍ଟା ଲାଗିବ ।

ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ଉଚ୍ଚମାନଯୁକ୍ତ ବିମାନ ଭଳି ଯାତ୍ରା ଅଭିଜ୍ଞତା ଦେବ । ଏଥିରେ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ସାଙ୍ଗକୁ ସ୍ୱଦେଶରେ ବିକଶିତ ସଂଘର୍ଷ ନିରୋଧୀ ପଦ୍ଧତି କବଚ ମଧ୍ୟ ରହିଛି ।

ବନ୍ଦେ ଭାରତ ୨.୦ ଅଧିକ ଉନ୍ନତ ବ୍ୟବସ୍ଥା ଯେପରିକି ୫୨ ସେକେଣ୍ଡ ମଧ୍ୟରେ ଶୂନରୁ ୧୦୦ କିଲୋମିଟର ଦୂରତ୍ୱ ଅତିକ୍ରମ କରିବା ସହ ଘଣ୍ଟାପ୍ରତି ସର୍ବାଧିକ ୧୮୦ କିଲୋମିଟର ବେଗରେ ଗତି କରିବ । ଉନ୍ନତ ବନ୍ଦେ ଭାରତ ଏକ୍ସପ୍ରେସର ଓଜନ ୩୯୨ ଟନ ହୋଇଥିବା ବେଳେ ଏହାର ପୂର୍ବ ତିଆରି ଟ୍ରେନ ଓଜନ ୪୩୦ ଟନ ଥିଲା । ଆବଶ୍ୟକତା ଅନୁଯାୟୀ ଏଥିରେ ୱାଇଫାଇ ସୁବିଧା ମଧ୍ୟ ମିଳିପାରିବ । ପ୍ରତ୍ୟେକ ଡବାରେ ୩୨ ଇଞ୍ଚର ପରଦା ଜରିଆରେ ତଥ୍ୟ ଓ ମନୋରଞ୍ଜନ ପରିବେଷଣ କରାଯିବ । ପୂର୍ବ ଟ୍ରେନରେ ୨୧” ପରଦା ରହିଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ପରିବେଶ ଅନୁକୂଳ ଓ ଶତକଡା ୧୫ ଭାଗ ଅଧିକ ଶକ୍ତି ସାମର୍ଥ୍ୟପୂର୍ଣ୍ଣ  । ଧୂଳି ବିହୀନ ସ୍ୱଚ୍ଛ ବାୟୁ ପ୍ରବାହ ଦୃଷ୍ଟିରୁ ଏହା ଯାତ୍ରାକୁ ବେଶ ଆରାମଦାୟକ କରିପାରିବ । ଆଗରୁ ଆରାମରେ ଆଉଜି ବସିବା ଚୌକୀ କେବଳ ଏକଜ୍ୟୁଟିଭ ଶ୍ରେଣୀ ଯାତ୍ରୀଙ୍କୁ ମିଳୁଥିବା ବେଳେ ଏବେ ତାହା ସମସ୍ତ ଶ୍ରେଣୀର ଯାତ୍ରୀପାଇଁ ଉପଲବ୍ଧ ହେବ । ଏକଜ୍ୟୁଟିଭ ଡବାରେ ୧୮୦ ଡିଗ୍ରୀ ବୁଲିପାରିବା ଭଳି ବସିବା ବ୍ୟବସ୍ଥା ରହିଛି । ନବନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସରେ ଫଟୋ କାଟାଲିଟିକ ଅଲଟ୍ରାଭାଓଲେଟ ବାୟୁ ବିଶୋଧିକରଣ ପଦ୍ଧତି ଛାତ ଉପରେ ଖଞ୍ଜା ଯାଇଛି । କେନ୍ଦ୍ରୀୟ ବୈଜ୍ଞାନିକ ଯନ୍ତ୍ରପାତି ସଂଗଠନ (ସିଏସଆଇଓ) ଚଣ୍ଡିଗଡର ସୁପାରିଶ ଅନୁସାରେ ଏହା ଖଞ୍ଜା ଯାଇଥିବାରୁ ଏହା ଜୀବାଣୁ, ବୀଜାଣୁ, ଭୂତାଣୁ ଇତ୍ୟାଦି ବାୟୁଠାରୁ ମୁକ୍ତ ରଖି କେବଳ ତାଜା ବାୟୁ ପ୍ରବାହରେ ସହାୟକ ହେବ ।

 



SM/DD


(Release ID: 1863759) Visitor Counter : 179