ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଦାଦା ସାହେବ ଫାଲକେ ପୁରସ୍କାର ୨୦୨୦ରେ ସମ୍ମାନିତ ହେବେ ଆଶା ପାରେଖ


ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ

ପୁରସ୍କାର ସମାରୋହରେ ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

Posted On: 27 SEP 2022 1:35PM by PIB Bhubaneshwar

ବିଶିଷ୍ଟ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ୨୦୨୦ରେ ସମ୍ମାନିତ କରାଯିବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦିନ ଏହି ଘୋଷଣା କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ଏ ସମ୍ପର୍କରେ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୁଶ୍ରୀ ଆଶା ପାରେଖଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ । ପୁରସ୍କାରର ବିଚାରକ ମଣ୍ଡଳୀ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି ଏବଂ ଏହା ଘୋଷଣା କରିବା ସମ୍ମାନର ବିଷୟ ବୋଲି ସେ କହିଛନ୍ତି ।

ଆସନ୍ତା ୩୦ ସେପ୍ଟେମ୍ବର, ୨୦୨୨ରେ ୬୮ତମ ଜାତୀୟ ଚଳଚ୍ଚିତ୍ର ସମାରୋହ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅଧ୍ୟକ୍ଷତା କରିବେ ।

ସୁଶ୍ରୀ ଆଶା ପାରେଖ ଏକାଧାରରେ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଯୋଜିକା ତଥା ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ମଧ୍ୟ ସେ ନିପୁଣା । ଶିଶୁ କଳାକାର ଭାବେ ସେ ନିଜର ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ‘ଦିଲ ଦେକେ ଦେଖୋ’ ଫିଲ୍ମରେ ସେ ପ୍ରଥମ ଥର ପାଇଁ ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିଲେ । ୯୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଚଳଚ୍ଚିତ୍ର ଦୁନିଆରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ‘କଟୀ ପତଙ୍ଗ’, ‘ତିସରୀ ମଞ୍ଜିଲ’, ‘ଲଭ୍ ଇନ୍ ଟୋକିଓ’, ‘ଆୟା ସାୱନ ଝୁମକେ’, ‘ଆନ୍ ମିଲୋ ସାଜନା’, ‘ମେରା ଗାଓଁ ମେରା ଦେଶ’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ସେ ନିଜର ଅଭିନୟ ଦକ୍ଷତାର ପ୍ରମାଣ ଦେଇଛନ୍ତି ।

କଳା କ୍ଷେତ୍ରକୁ ଯୋଗଦାନ ପାଇଁ ୧୯୯୨ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ମୁଖ୍ୟ ଭାବେ ୧୯୯୮ ମସିହାର ୨୦୦୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ପାଞ୍ଚ ଜଣିଆ ବିଚାରକ ମଣ୍ଡଳୀର ନିଷ୍ପତ୍ତି କ୍ରମେ ସୁଶ୍ରୀ ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ ବୋଲି ଶ୍ରୀ ଅନୁରାଗ ଠାକୁର କହିଛନ୍ତି । ୫୨ତମ ଦାଦାସାହେବ ଫାଲକେ ପୁରସ୍କାର ବିଜେତାଙ୍କୁ ଚୟନ କରିବା ଲାଗି ଗଠିତ ବିଚାରକ ମଣ୍ଡଳୀରେ ଚଳଚ୍ଚିତ୍ର ଜଗତର ପାଞ୍ଚ ଜଣ ବ୍ୟକ୍ତିବିଶେଷ ସଦସ୍ୟ ବା ବିଚାରକ ରହିଛନ୍ତି । ସେମାନେ ହେଲେ:

ଶ୍ରୀମତୀ ଆଶା ଭୋଁସଲେ

ଶ୍ରୀମତୀ ହେମା ମାଳିନୀ

ଶ୍ରୀମତୀ ପୁନମ ଧିଲୋଁ

ଶ୍ରୀ ଟି. ଏସ. ନାଗବରଣ

ଶ୍ରୀ ଉଦିତ ନାରାୟଣ

 

*****

P.S.



(Release ID: 1862557) Visitor Counter : 196