ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଧ୍ୟପ୍ରଦେଶର କରାହାଲ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମେଳନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ପିଏମ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଚାରିଟି ସମ୍ବେଦନଶୀଳ ଜନଜାତି ସମୂହ ଦକ୍ଷତା କେନ୍ଦ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ‘ଭାରତର ଝିଅ ଓ ମାଆମାନେ ମୋର ରକ୍ଷା କବଚ’


“ଆଜିର ନୂଆ ଭାରତରେ ପଞ୍ଚାୟତ ଭବନ ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମହିଳା ଶକ୍ତିର ଧ୍ୱଜ ଉଡୁଛି”

“ମୋର ବିଶ୍ୱାସ ରହିଛି ଆପଣମାନେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚିତାଙ୍କର କୌଣସି କ୍ଷତି ହେବାକୁ ଦେବେ ନାହିଁ”

ବିଗତ ଶତାବ୍ଦୀର ଭାରତ ଓ ଚଳିତ ଶତାବ୍ଦୀର ନୂଆ ଭାରତରେ ମହିଳା ଶକ୍ତି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି

ସମୟ କ୍ରମେ ସ୍ୱୟଂ ସହାୟକ ଗୋଷ୍ଠୀ ରାଷ୍ଟ୍ର ସହାୟତା ଗୋଷ୍ଠୀରେ ପରିଣତ ହୋଇଛି
ଗ୍ରାମ୍ୟ ଅର୍ଥନୀତିରେ ମହିଳା ଉଦ୍ୟୋଗୀଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବାକୁ ସରକାର ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତି

ଭାରତ ଗସ୍ତରେ ଆସୁଥିବା ବିଦେଶୀ ଅତିଥିଙ୍କ ପାଇଁ ସବୁବେଳେ ମୋଟା ଦାନାରୁ ପ୍ରସ୍ତୁତ କିଛି ଖାଦ୍ୟସାମଗ୍ରୀ ପ୍ରସ୍ତୁତ ହେବ

ସାରା ଦେଶର ପୁଲିସ ବାହିନୀରେ ମହିଳାଙ୍କ ସଂଖ୍ୟା ୧ ଲକ୍ଷରୁ ଦ୍ୱିଗୁଣିତ ହୋଇ ୨ଲକ୍ଷରୁ ଅଧିକ ହୋଇଛି

Posted On: 17 SEP 2022 2:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ସେୱପୁରର କରାହାଲ ଠାରେ ଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମେଳନରେ ଭାଗ ନେଇଛନ୍ତି । ଏହି ଅବସରରେ ସେ ପିଏମ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ନିର୍ମିତ ଚାରିଟି ସମ୍ବେଦନଶୀଳ ଜନଜାତି ସମୂହ ଦକ୍ଷତା କେନ୍ଦ୍ର ଉଦଘାଟନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ପ୍ରଧାନମନ୍ତ୍ରୀ ବ୍ୟାଙ୍କ ଋଣ ଅନୁମୋଦନ ପତ୍ର ପ୍ରଦାନ କରିବା ସହ ଜଳ ଜୀବନ ମିଶନ ଅନ୍ତର୍ଗତ କିଟ୍ ପ୍ରଦାନ କରିଛନ୍ତି । ପ୍ରାୟ ଏକ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏହି ଅବସରରେ ଉପସ୍ଥିତ ଥିଲେ ଓ ପ୍ରାୟ ୪୩ ଲକ୍ଷ ସଦସ୍ୟା ବିଭିନ୍ନ କେନ୍ଦ୍ରରୁ ଯୋଡି ହୋଇଥିଲେ ।

 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦି ସମୟ ହୁଏ ତେବେ ନିଜ ଜନ୍ମଦିନରେ ସେ ମାଆଙ୍କ ଆଶୀର୍ବାଦ ନେବାକୁ ଯିବେ । ଆଜି ଯଦିଓ ସେ ନିଜ ମାଆଙ୍କୁ ଭେଟିବାକୁ ଯାଇପାରିବେ ନାହିଁ, ତେବେ ତାଙ୍କ ମାଆ ଜାଣି ଖୁସି ହେବେ ସେ ଲକ୍ଷ ଲକ୍ଷ ଜନଜାତି ମାଆଙ୍କ ଆଶୀର୍ବାଦ ପାଇଛନ୍ତି । ଭାରତର ଝିଅ ଓ ମାଆମାନେ ମୋ ରକ୍ଷା କବଚ ବୋଲି ସେ କହିଛନ୍ତି । ବିଶ୍ୱକର୍ମା ଜୟନ୍ତୀ ଅବସରରେ ଏଭଳି ବିଶାଳ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମିଳନୀ ଆୟୋଜିତ ହେବା ନିଆରା ବୋଲି କହିବା ସହ ସେ ବିଶ୍ୱକର୍ମା ପୂଜାର ଅଭିନନ୍ଦନ ଜଣାଇଛନ୍ତି ।

 

୭୫ ବର୍ଷ ପରେ ଭାରତକୁ ଚିତା ଫେରିଥିବାରୁ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମ୍ମେଳନକୁ ଆସିବା ପୂର୍ବରୁ ଚିତା ବାଘଗୁଡିକୁ କୁନୋ ଜାତୀୟ ଉଦ୍ୟାନରେ ଛାଡିବାର ସୌଭାଗ୍ୟ ମିଳିଥିଲା । ଚିତାମାନଙ୍କୁ ସମ୍ମାନିତ ଅତିଥି ଭାବେ ସମ୍ଭୋଧନ କରି ସେମାନଙ୍କ ପାଇଁ ଛିଡା ହୋଇ ତାଳି ବଜାଇବାକୁ ସେ ସଭାରେ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଚିତାଗୁଡିକୁ ଆପଣମାନଙ୍କ ଜିମାରେ ଛଡା ଯାଇଛି, କାରଣ ଆପଣମାନଙ୍କ ଉପରେ ବିଶ୍ୱାସ ଅଛି । ମୋର ବିଶ୍ୱାସ ରହିଛି ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ମଧ୍ୟ ଆପଣମାନେ ଚିତାମାନଙ୍କ କ୍ଷତି ହେବାକୁ ଦେବେ ନାହିଁ । ସେଥିପାଇଁ ଆଜି ଆପଣମାନଙ୍କୁ ୮ଟି ଚିତାଙ୍କ ଦାୟିତ୍ୱ ଦେବାକୁ ଆସିଛି ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି । ୧୦ ଲକ୍ଷ ଚାରା ରୋପଣ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଭାରତର ପରିବେଶ ସଂରକ୍ଷଣ ପ୍ରୟାସକୁ ନୂତନ ଶକ୍ତି ପ୍ରଦାନ କରିବ ।

ଭାରତରେ ମହିଳାମାନଙ୍କ ବର୍ଦ୍ଧିତ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ ଶତାବ୍ଦୀର ଭାରତ ଓ ଚଳିତ ଶତାବ୍ଦୀର ନୂଆ ଭାରତରେ ମହିଳା ଶକ୍ତି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛିଆଜିର ନୂଆ ଭାରତରେ ପଞ୍ଚାୟତ ଭବନ ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ମହିଳା ଶକ୍ତିର ଧ୍ୱଜ ଉଡୁଛିନିକଟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ୧୭ ହଜାର ମହିଳା ନିର୍ବାଚିତ ହୋଇଛନ୍ତି । ଏହା ପରିବର୍ତ୍ତନର ପ୍ରତୀକ ବୋଲି ସେ କହିଛନ୍ତି ।

ସ୍ୱାଧୀନତା ସଂଗ୍ରାମ ଓ ଦେଶ ସୁରକ୍ଷାରେ ମହିଳାମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି । ନିକଟରେ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନ ଓ କରୋନା ସମୟରେ ସେ ମହିଳା ତଥା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକର ଭୂମିକାକୁ ପ୍ରଶଂସା କରିଛନ୍ତି । ସମୟ କ୍ରମେ ସ୍ୱୟଂ ସହାୟକ ଗୋଷ୍ଠୀ ରାଷ୍ଟ୍ର ସହାୟତା ଗୋଷ୍ଠୀରେ ପରିଣତ ହୋଇଛି । କୌଣସି କ୍ଷେତ୍ରର ସଫଳତା ସହ ସେହି କ୍ଷେତ୍ରରେ ମହିଳାମାନଙ୍କ ପ୍ରତିନିଧିତ୍ୱ ହାର ବୃଦ୍ଧି ସହ ସିଧାସଳଖ ଜଡିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମହିଳାମାନଙ୍କ ନେତୃତ୍ୱାଧୀନ ସ୍ୱଚ୍ଛ ଭାରତ ଅଭିଯାନ ଏହାର ସବୁଠାରୁ ଭଲ ଉଦାହରଣ । ସେହିପରି ବିଗତ ତିନି ବର୍ଷରେ ଭାରତର ୭ କୋଟି ଘରକୁ ପାଇପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି ଓ ଏଥିରେ ମଧ୍ୟପ୍ରଦେଶର ୪୦ ଲକ୍ଷ ପରିବାର ଅଛନ୍ତି । ପ୍ରଧାନମନ୍ତ୍ରୀ ଏହି ସଫଳତାର ଶ୍ରେୟ ଭାରତର ମହିଳାଙ୍କୁ ପ୍ରଦାନ କରିଛନ୍ତି ।

ବିଗତ ୮ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ସଶକ୍ତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଆଜି ଦେଶର ୮ କୋଟିରୁ ଅଧିକ ଭଉଣୀ ଏହି ଅଭିଯାନ ସହିତ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଗ୍ରାମୀଣ ପରିବାରର ଅତିକମରେ ଜଣେ ଝିଅ ଏହି ଅଭିଯାନରେ ସାମିଲ ହେଉ ବୋଲି ଆମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଉପକ୍ରମ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତି ଜିଲ୍ଲାର ସ୍ଥାନୀୟ ଉତ୍ପାଦକୁ ବଜାରକୁ ନେବା ପାଇଁ ଏହି ଉପକ୍ରମ ଆରମ୍ଭ ହୋଇଛି । ଗ୍ରାମ୍ୟ ଅର୍ଥନୀତିରେ ମହିଳା ଉଦ୍ୟୋଗୀଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବାକୁ ସରକାର ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତିସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ପାଇଁ ପ୍ରସ୍ତୁତ ବଜାରରେ ସେମାନେ ୫୦୦ କୋଟି ଟଙ୍କାର ଉତ୍ପାଦ ବିକ୍ରି କରିଛନ୍ତି ପିଏମ ବନ ଧନ ଯୋଜନା ଓ ପିଏମ କୌଶଳ ବିକାଶ ଯୋଜନାର ସୁଫଳ ମହିଳାମାନଙ୍କ ପାଖରେ ପହଞ୍ଚୁଛି । ଏହି ଅବସରରେ ଜିଇଏମ ପୋର୍ଟାଲରେ ଏସଏଚଜି ଉତ୍ପାଦ ପାଇଁ ଥିବା ସାରସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ଜାତିସଙ୍ଘରେ ପହଞ୍ଚିବା ପାଇଁ ଭାରତର କଠିନ ପରିଶ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ଭାରତର ଉଦ୍ୟମ କ୍ରମେ ୨୦୨୩କୁ ଜାତିସଙ୍ଘ ମୋଟା ଦାନା ଶସ୍ୟ ବର୍ଷ ଭାବେ ଘୋଷଣା କରାଯାଇଥିବା ଏବଂ ଆନ୍ତର୍ଜାତିକ ସ୍ତରରେ ଏହା ପାଳିତ ହେଉଥିବା କହିଛନ୍ତି । ସେପ୍ଟେମ୍ବରକୁ ଦେଶରେ ପୋଷଣ ମାସ ଭାବରେ ପାଳନ କରାଯାଉଛି । ସେ ଏହା ସୁନିଶ୍ଚିତ କରିଛନ୍ତି ଯେ, ଭାରତ ଗସ୍ତରେ ଆସୁଥିବା ବିଦେଶୀ ଅତିଥିଙ୍କ ମେନୁରେ ମୋଟା ଦାନାରେ ପ୍ରସ୍ତୁତ ଅତିକମରେ ଗୋଟିଏ ବ୍ୟଞ୍ଜନ ସ୍ଥାନ ପାଇବ ।

୨୦୧୪ ଠାରୁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳାମାନଙ୍କ ସମ୍ମାନ ବୃଦ୍ଧି ଓ ସେମାନେ ଦୈନନ୍ଦିନ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ଲଗାତର ଉଦ୍ୟମ ହେଉଛି । ଶୌଚାଳୟ ନଥିବା ଯୋଗୁଁ ମହିଳାମାନେ ଭୋଗୁଥିବା ସମସ୍ୟା ଓ ରୋଷେଇ କଲାବେଳେ କାଠରୁ ବାହାରୁଥିବା ଧୂଆଁଜନିତ ସମସ୍ୟା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଦେଶରେ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ, ୯ କୋଟିରୁ ଅଧିକ ପରିବାରକୁ ଗ୍ୟାସ ସଂଯୋଗ ଓ ଦେଶର ଆଭ୍ୟନ୍ତରୀଣ ଅଞ୍ଚଳର କୋଟି କୋଟି ପରିବାରକୁ ପାଇପ ପାଣି ଯୋଗାଣ ଦ୍ୱାରା ସେମାନଙ୍କ ଜୀବନ ସହଜ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମାତୃ ବନ୍ଦନା ଯୋଜନା ଅନ୍ତର୍ଗତ ୧୧ ଶହ କୋଟି ଟଙ୍କା ଆସନ୍ନପ୍ରସବା ମାଆମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର ହୋଇଛି । ମଧ୍ୟପ୍ରଦେଶର ମାଆମାନେ ମଧ୍ୟ ଏହି ଯୋଜନାରେ ୧୩ ଶହ କୋଟି ଟଙ୍କା ପାଇଛନ୍ତି । ପରିବାରର ଆର୍ଥିକ ନିଷ୍ପତ୍ତି ନେବାରେ ମହିଳାମାନଙ୍କ ବର୍ଦ୍ଧିତ ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

 

ଦେଶର ମହିଳା ସଶକ୍ତିକରଣରେ ଜନଧନ ଆକାଉଣ୍ଟ ବୃହତ ମାଧ୍ୟମ ପାଲଟିଛିକରୋନା ସମୟରେ ଜନ ଧନ ଆକାଉଣ୍ଟ ମାଧ୍ୟମରେ ହିଁ ସରକାର ସୁରକ୍ଷିତ ଓ ସିଧାସଳଖ ଭାବେ ମହିଳାମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଏବେ ପିଏମ ଆବାସ ଯୋଜନାରେ ମିଳୁଥିବା ଘର ମାଲିକାନାରେ ମହିଳାମାନଙ୍କ ନାମ ସାମିଲ କରାଯାଉଛି । ଆମ ସରକାରଙ୍କ ଦ୍ୱାରା ୨ କୋଟିରୁ ଅଧିକ ମହିଳା ଘର ମାଲିକ ହୋଇ ପାରିଛନ୍ତି । ମୁଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୧୯ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ କ୍ଷୁଦ୍ର ବ୍ୟବସାୟ ଓ ଉଦ୍ୟୋଗଗୁଡିକୁ ପ୍ରଦାନ କରାଯାଇଛି । ଏହି ଅର୍ଥର ପ୍ରାୟ ୭୦ ପ୍ରତିଶତ ମହିଳା ଉଦ୍ୟୋଗୀମାନେ ପାଇଛନ୍ତି । ଏଭଳି ଉଦ୍ୟମ ଯୋଗୁଁ ଘରର ଆର୍ଥିକ ନିଷ୍ପତ୍ତିରେ ମହିଳାମାନଙ୍କ ଭୂମିକା ବଢୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

 

ଆର୍ଥିକ ସଶକ୍ତିକରଣ ମହିଳାମାନଙ୍କୁ ସମାଜରେ ମଧ୍ୟ ସଶକ୍ତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ଭାରତର ଝିଅମାନେ ଏବେ ସୈନିକ ସ୍କୁଲରେ ପଢୁଛନ୍ତି, ପୁଲିସ କମାଣ୍ଡୋ ହେଉଛନ୍ତି ଓ ସେନାରେ ସାମିଲ ହେଉଛନ୍ତି । ଆମ ସରକାର ଝିଅମାନଙ୍କ ପାଇଁ ବନ୍ଦ ଥିବା କବାଟଗୁଡିକ ଖୋଲି ଦେଇଛନ୍ତି ଓ ସେମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛନ୍ତି । ବିଗତ ୮ ବର୍ଷରେ ହୋଇଥିବା ଆଖିଦୃଶିଆ ପରିବର୍ତ୍ତନ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଗର୍ବର କଥା ଯେ, ଦେଶର ପୁଲିସ ବାହିନୀରେ ମହିଳାଙ୍କ ସଂଖ୍ୟା ଏକ ଲକ୍ଷରୁ ଦ୍ୱିଗୁଣିତ ହୋଇ ୨ ଲକ୍ଷରୁ ଅଧିକ ହୋଇଛି । ଆମ ଦେଶର ୩୫ ହଜାରରୁ ଅଧିକ ଝିଅ ଏବେ କେନ୍ଦ୍ରୀୟ ବାହିନୀଗୁଡିକରେ ସାମିଲ ହୋଇ ଦେଶର ଶତ୍ରୁମାନଙ୍କ ବିରୋଧରେ ଲଢୁଛନ୍ତି । ୮ ବର୍ଷ ପୂର୍ବରୁ ଥିବା ସଂଖ୍ୟା ଏବେ ଦ୍ୱିଗୁଣିତ ହୋଇସାରିଛି । ଆପଣମାନଙ୍କ କ୍ଷମତା ଉପରେ ମୋର ଦୃଢ ବିଶ୍ୱାସ ରହିଛି । ସମସ୍ତଙ୍କ ପ୍ରୟାସ ଦ୍ୱାରା ଆମେ ନିଶ୍ଚିତ ଭାବେ ଏକ ଉନ୍ନତ ସମାଜ ଓ ମଜବୁତ ଦେଶ ନିର୍ମାଣରେ ସଫଳ ହେବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ଏହି ଅବସରରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଡଃ ବୀରେନ୍ଦ୍ର କୁମାର ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂହ କୁଲସ୍ତେ ଓ ଶ୍ରୀ ପ୍ରହଲ୍ଲାଦ ପଟେଲ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ଏହି ସମ୍ମେଳନରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ- ଏନଆରଏଲଏମ) ଦ୍ୱାରା ପ୍ରୋତ୍ସାହନ ପାଉଥିବା ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟା/ଗୋଷ୍ଠୀ ସଂସାଧନକାରୀ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପିଏମ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ନିର୍ମିତ ଚାରିଟି ସମ୍ବେଦନଶୀଳ ଜନଜାତି ସମୂହ ଦକ୍ଷତା କେନ୍ଦ୍ର ଉଦଘାଟନ କରିଛନ୍ତି ।

ଡିଏୱାଇ- ଏନଆରଏଲଏମର ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ଗରିବ ପରିବାରଗୁଡିକୁ ପର୍ଯ୍ୟାୟକ୍ରମେ ଏସଏଚଜିରେ ସାମିଲ କରିବା ଓ ସେମାନଙ୍କ ଜୀବିକାରେ ବିବିଧତା ଆଣି ସେମାନଙ୍କ ରୋଜଗାର ଓ ଜୀବନର ଗୁଣବତ୍ତା ବୃଦ୍ଧି ପାଇଁ ଦୀର୍ଘକାଳୀନ ସହାୟତା ପ୍ରଦାନ କରିବ । ସଚେତନତା ସୃଷ୍ଟି କରି ମହିଳା ଏସଏଚଜି ସଦସ୍ୟମାନଙ୍କ ସଶକ୍ତିକରଣ ଓ ଘରୋଇ ହିଂସା, ମହିଳା ଶିକ୍ଷା ଓ ଅନ୍ୟ ଲିଙ୍ଗ ସମ୍ବନ୍ଧୀୟ ସମସ୍ୟା, ପୋଷଣ, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଆଦି ସମ୍ପର୍କରେ ବ୍ୟବହାର ପରିବର୍ତ୍ତନକାରୀ ବାର୍ତ୍ତା ମାଧ୍ୟମରେ ମହିଳା ଏସଏଚଜି ସଦସ୍ୟାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି ।

 

SR



(Release ID: 1860483) Visitor Counter : 275