ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଗୁଜବ ପ୍ରସାର କରୁଥିବା ଆଠଟି ୟୁଟ୍ୟୁବ ଚାନେଲ ବନ୍ଦ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ


ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ବିଗାଡ଼ିବାକୁ କରୁଥିଲେ ଦୁଷ୍ପ୍ରଚାର

ଆଇଟି ନିୟମ ୨୦୨୧ ଅଧୀନରେ ୭ଟି ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ ନ୍ୟୁଜ ଚାନେଲ ବ୍ଲକ କରାଗଲା

ବ୍ଲକ୍‌ ହୋଇଥିବା ୟୁଟ୍ୟୁବ ଚାନେଲଗୁଡ଼ିକୁ ୧୧୪ କୋଟି ଥର ଦେଖାଯାଇଥିଲା; ଏସବୁର ଥିଲେ ୮୫ ଲକ୍ଷ ୭୩ ହଜାର ଉପଭୋକ୍ତା

ବ୍ଲକ୍‌ ହୋଇଥିବା ୟୁଟ୍ୟୁବ ଚାନେଲରେ ଭାରତ ବିରୋଧୀ ମିଥ୍ୟା ବିଷୟବସ୍ତୁ ପ୍ରସାରଣ କରାଯାଉଥିଲା

ପୋଷ୍ଟ କରାଯିବା ଦିନାଙ୍କ: 18 AUG 2022 11:27AM by PIB Bhubaneswar

 

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଠଟି ୟୁଟ୍ୟୁବ ନ୍ୟୁଜ୍‌ ଚାନେଲ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଦୁଇଟି ଫେସବୁକ ପୋଷ୍ଟକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆଇଟି ନିୟମ ୨୦୨୧ ଅଧୀନରେ ପ୍ରାପ୍ତ କ୍ଷମତାର ପ୍ରୟୋଗ କରି ମନ୍ତ୍ରଣାଳୟ ପକ୍ଷରୁ ୧୬ ଅଗଷ୍ଟ ୨୦୨୨ରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ଲକ୍‌ ହୋଇଥିବା ୟୁଟ୍ୟୁବ ଚାନେଲକୁ ୧୧୪ କୋଟି ଥର ଦେଖାଯାଇଥିବା ବେଳେ ଏହାର ୮୫ ଲକ୍ଷରୁ ଅଧିକ ଉପଭୋକ୍ତା ରହିଥିଲେ।

ବିଷୟବସ୍ତୁର ବିଶ୍ଳେଷଣ

ଏସବୁ ୟୁଟ୍ୟୁବ ଚାନେଲ ଭାରତରେ ଧାର୍ମିକ ସମୁଦାୟ ମଧ୍ୟରେ ଘୃଣା ଏବଂ ବିଦ୍ବେଷ ସୃଷ୍ଟି କରିବା ଭଳି ବିଷୟବସ୍ତୁ ପ୍ରସାରଣ କରୁଥିଲେ । ବ୍ଲକ୍‌ ହୋଇଥିବା କେତେକ ୟୁଟ୍ୟୁବ ଚାନେଲରେ ମିଥ୍ୟା ଦାବିମାନ କରାଯାଇଥିଲା । ଏଥିରେ ପ୍ରସାରିତ ହୋଇଥିବା କେତେକ ମିଛ ଖବର ମଧ୍ୟରେ ରହିଛି : ଧାର୍ମିକ ଢାଞ୍ଚା ଭାଙ୍ଗିବା ଲାଗି ଭାରତ ସରକାରଙ୍କ ନିର୍ଦ୍ଦେଶ; ଧାର୍ମିକ ସମାରୋହକୁ ନିଷେଧ କରିବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ; ଭାରତରେ ଧର୍ମ ଯୁଦ୍ଧର ଘୋଷଣା ଆଦି । ଏଭଳି ବିଷୟବସ୍ତୁ ଭାରତରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ସାର୍ବଜନୀନ ବ୍ୟବସ୍ଥା ଏବଂ ଆଇନଶୃଙ୍ଖଳା ବିଗାଡ଼ିବାର ଆଶଙ୍କା ରହିଥିଲା ।

ଭାରତୀୟ ସେନାବାହିନୀ, ଜମ୍ମୁ ଓ କଶ୍ମୀର ଆଦି ବିଷୟ ଉପରେ ଏସବୁ ୟୁଟ୍ୟୁବ ଚାନେଲରେ ମିଛ ଖବର ପ୍ରସାରଣ କରାଯାଉଥିଲା । ଏସବୁ ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏହା ଜାତୀୟ ସୁରକ୍ଷା ଏବଂ ଅନ୍ୟ ରାଷ୍ଟ୍ର ସହ ଭାରତର ସମ୍ପର୍କ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଥିଲା ।

ମନ୍ତ୍ରଣାଳୟ ଦ୍ବାରା ବ୍ଲକ ହୋଇଥିବା ସମସ୍ତ ଚାନେଲରେ ଏପରି ବିଷୟବସ୍ତୁମାନ ପ୍ରସାରିତ ହେଉଥିଲା ଯାହା ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତା, ଦେଶର ସୁରକ୍ଷା, ଅନ୍ୟ ରାଷ୍ଟ୍ର ସହ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏବଂ ଦେଶର ସାର୍ବଜନୀନ ବ୍ୟବସ୍ଥାକୁ ବିଗାଡ଼ିବାର ଆଶଙ୍କା ରହିଥିଲା ।

ତଦନୁଯାୟୀ, ଏହି ବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୯ ଏ ଅଧୀନରେ ଆସୁଥିଲା । 

ମନ୍ଦ ଉଦ୍ଦେଶ୍ୟ

ବ୍ଲକ ହୋଇଥିବା ୟୁଟ୍ୟୁବ ଚାନେଲଗୁଡ଼ିକ ମିଛ ଏବଂ ସମ୍ବେଦନଶୀଳ ଥମ୍ବନେଲ, ସମ୍ବାଦ ପାଠକମାନଙ୍କ ଫଟୋ ଏବଂ କେତେକ ଲୋକପ୍ରିୟ ନ୍ୟୁଜ ଚାନେଲଙ୍କ ଲୋଗୋ ବ୍ୟବହାର କରି ଦର୍ଶକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଥିଲେ ଯାହାଫଳରେ ସେମାନେ ଏହି ମିଛ ଖବରକୁ ସତ ବୋଲି ଭାବିବେ ।

ବନ୍ଦ ହୋଇଥିବା ଏସବୁ ୟୁଟ୍ୟୁବ ଚାନେଲରେ ପ୍ରସାରିତ ଭିଡିଓ ମଝିରେ କେତେ ବିଜ୍ଞାପନ ପ୍ରସାରିତ ମଧ୍ୟ ହେଉଥିଲା । ଏସବୁ ବିଜ୍ଞାପନରେ ପ୍ରସାରିତ ବିଷୟବସ୍ତୁ ଭାରତରେ ସାମ୍ପ୍ରଦାୟିକ ସଦ୍ଭାବ, ସାର୍ବଜନୀନ ବ୍ୟବସ୍ଥା ଏବଂ ଭାରତର ବୈଦେଶିକ ସମ୍ପର୍କକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିଲା । ଏହି କାର୍ଯ୍ୟାନୁଷ୍ଠାନ ସହିତ ଡିସେମ୍ବର ୨୦୨୧ ଠାରୁ ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟ ପକ୍ଷରୁ ୧୦୨ଟି ୟୁଟ୍ୟୁବ ସମାଚାର ଚାନେଲ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ବନ୍ଦ କରି ଦିଆଯାଇଛି । ବିଶ୍ବସନୀୟ, ଭରସାଯୋଗ୍ୟ ଏବଂ ନିରାପଦକ ଅନଲାଇନ ସମାଚାର ଗଣମାଧ୍ୟମ ପରିବେଶ ସୁନିଶ୍ଚିତ କରିବା ଦିଗରେ ଭାରତ ସରକାର ସଂକଳ୍ପବଦ୍ଧ । ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତା, ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ବିଗାଡ଼ିବାକୁ ହେଉଥିବା ସବୁ ପ୍ରଚେଷ୍ଟାକୁ ପଣ୍ଡ କରିବା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

ବ୍ଲକ୍‌ ହୋଇଥିବା ବିଷୟବସ୍ତୁର ବିବରଣୀ

Loktantra Tv

U&V TV

AM Razvi

Gouravshali Pawan Mithilanchal

SeeTop5TH

Sarkari Update

Sab Kuch Dekho

News ki Dunya (ପାକିସ୍ତାନୀ ଚାନେଲ)

ତଳେ ଦିଆଯାଇଥିବା ସ୍କ୍ରିନ ଶଟ୍‌ରେ ଦାବି କରାଯାଇଥିଲା ଯେ ୧୦୦ କୋଟି ହିନ୍ଦୁମାନେ ୪୦ କୋଟି ମୁସଲିମମାନଙ୍କୁ ହତ୍ୟା କରିବେ ଏବଂ ମୁସଲିମମାନେ ପାକିସ୍ତାନ କିମ୍ବା ବାଂଲାଦେଶ ଚାଲିଯିବା ଉଚିତ୍‌ ନଚେତ୍‌ ସେମାନଙ୍କୁ ହତ୍ୟା କରାଯିବ । 

ତଳେ ଦିଆଯାଇଥିବା ସ୍କ୍ରିନ୍‌ ଶଟ୍‌ରେ କୁହାଯାଇଛି ଭାରତର କୁତବ ମୀନାର ମସଜିଦ୍‌ ଭାଙ୍ଗି ଦିଆଯାଇଛି ।

 

PS

 


(ରିଲିଜ ଆଡି: 1852850) ପରିଦର୍ଶକ କାଉଣ୍ଟର : 362